ଭାରୀ ଶିଳ୍ପ ବିଭାଗର ନିମ୍ନଲିଖିତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି । ବାଙ୍ଗାଲୁର ଏବଂ ତୁମକୁରଠାରେ ଏଚଏମଟି ୱାଚ ଲିମିଟେଡର ଥିବା ମୋଟ 208.35 ଏକର ଜମିକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ 1194.21 କୋଟି ଟଙ୍କା ତଥା ସେଥିପାଇଁ ପ୍ରଯୁଜ୍ୟ ଟିକସ ମୂଲ୍ୟ ପ୍ରଦାନ ଭିତ୍ତିରେ ବିକ୍ରୟ ପାଇଁ ଥିବା ପ୍ରସ୍ତାବକୁ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛି ।
ସେହିଭଳି ଏଚଏମଟି ଲିମିଟେଡର ବାଙ୍ଗାଲୁର (ଗ୍ଲୋବାଲ ଓୟାରହାଉସ)ସ୍ଥିତ ଏକ ଏକର ପରିମିତ ଜମିକୁ ଭାରତୀୟ ଗ୍ୟାସ ପ୍ରାଧିକରଣ (GAIL)କୁ 34.30 କୋଟି ଟଙ୍କା ଓ ସେଥିପାଇଁ ଆବଶ୍ୟକ ଟିକସ ମୂଲ୍ୟ ବିନିମୟରେ ବିକ୍ରୟ ପାଇଁ ନିଷ୍ପତ୍ତି ହୋଇଛି । ଏହି ଜମିବିକ୍ରୟ ଅର୍ଥକୁ କମ୍ପାନୀ ସରକାରୀ ତହବିଲରେ ଜମା ରଖିବେ ଯାହାକି ଋଣ ଓ ଅଗ୍ରୀମ ବାବଦକୁ ଭରଣା କରାଯିବ । ତେବେ ପ୍ରଥମେ କମ୍ପାନୀର ତତ୍କାଳ ଆବଶ୍ୟକତା ପୂରଣ ପରେ ବଳକା ଅର୍ଥ ସରକାରୀ ତହବିଲରେ ପୈଠ କରାଯିବ ।