Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରପ୍ରଦେଶର ଚିତ୍ରକୁଟଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଚିତ୍ରକୁଟର ଏହି ପବିତ୍ର ଧରଣୀରେ ବିପୁଳ ସଂଖ୍ୟାରେ ଆସିଥିବା ଭାଇ ଓ ଭଉଣୀମାନେ, ଚିତ୍ରକୁଟରେ ରାମଜୀ ନିଜର ଭାଇ ଲଖନ ଏବଂ ସିୟାଜୀଙ୍କ ସହିତ ଏହିଠାରେ ବସବାସ କରୁଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ତପସ୍ୟାସ୍ଥଳୀରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ କରୁଛି ।
ଏଠାରେ ବହୁତ ବୀର ଜନ୍ମ ନେଇଛନ୍ତି, କର୍ମଭୂମୀ କରିଛନ୍ତି । ସେମାନଙ୍କୁ ମଧ୍ୟ ମୁଁ ପ୍ରଣାମ ଜଣାଉଛି ।

ଭାଇ ଓ ଭଉଣୀମାନେ,

ମୁଁ ସର୍ବପ୍ରଥମେ ଆପଣମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି କାରଣ ମୁଁ ହେଲିକପ୍ଟରରୁ ଦେଖିଲି ଯେତିକି ଲୋକ ଭିତରେ ଅଛନ୍ତି ତା’ଠାରୁ ଅଧିକ ଲୋକ ବାହାରେ ଅଛନ୍ତି । ସେମାନେ ଭିତରକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଆସି ପାରୁ ନାହାଁନ୍ତି । ଏହି ଅସୁବିଧା ପାଇଁ ମୁଁ କ୍ଷମା ମାଗିବାକୁ ଚାହୁଁଛି । କିନ୍ତୁ ଏତେ ବିପୁଳ ସଂଖ୍ୟାରେ ଏଠାକୁ ଆସିବାର ଅର୍ଥ ଏହା ଯେ, ବିକାଶର ଯୋଜନା ପ୍ରତି ଆପଣମାନଙ୍କର ବିଶ୍ୱାସ କେତେ ଗଭୀର ମାତ୍ରାରେ ରହିଛି । ଗୋସ୍ୱାମୀ ତୁଳସୀଦାସ କହିଛନ୍ତି-

ଚିତ୍ରକୁଟ କେ ଘାଟ ପର ଭଈ ସନ୍ତନ କୀ ଭୀର ।

ଆଜି ଆପଣମାନଙ୍କୁ ସମସ୍ତଙ୍କୁ ଦେଖି ଆପଣମାନଙ୍କର ଏହି ସେବକକୁ ମଧ୍ୟ କିଛି କିଛି ଏହିଭଳି ହିଁ ଅନୁଭୂତି ହେଉଛି । ଚିତ୍ରକୂଟ କେବଳ ଗୋଟିଏ ସ୍ଥାନ ହିଁ ନୁହେଁ, ବରଂ ଭାରତର ପୁରାତନ ସମାଜିକ ଜୀବନର ହେଉଛି ସଂକଳ୍ପ ସ୍ଥଳୀ, ତପ ସ୍ଥଳୀ । ଏହି ଧରଣୀ ଭାରତୀୟମାନଙ୍କଠାରେ ମର୍ଯ୍ୟାଦାର ନୂତନ ସଂସ୍କାର ଗଢ଼ିଛନ୍ତି । ଏହିଠାରୁ ଭାରତର ସମାଜକୁ ନୂତନ ଆଦର୍ଶ ମିଳିଛି । ପ୍ରଭୁ ଶ୍ରୀରାମ, ଆଦିବାସୀମାନଙ୍କ ଦ୍ୱାରା, ବଣ୍ୟ ପ୍ରଦେଶରେ ରହୁଥିବା ଲୋକମାନଙ୍କ ଦ୍ୱାରା, ଅନ୍ୟାନ୍ୟ କାର୍ଯ୍ୟରେ ଲାଗିଥିବା ସାଥୀମାନଙ୍କ ଦ୍ୱାରା କିଭଳି ପ୍ରଭାବିତ ହୋଇଥିଲେ, ଏହାର ଅନନ୍ତ କଥାମାନ ରହିଛି ।

ସାଥୀଗଣ,

ଭାରତ ପୁରାତନ ପରମ୍ପରାଗୁଡ଼ିକୁ ପରିବର୍ତ୍ତିତ ସମୟର ଆବଶ୍ୟକତା ସହିତ ଗୁନ୍ଥି, ସେଗୁଡ଼ିକୁ ଜୀବନ୍ତ ରଖିବାର ପ୍ରୟୋଗ ମଧ୍ୟ ଏହି ଧରଣୀରୁ ହୋଇଛି । ଭାରତରତ୍ନ, ରାଷ୍ଟ୍ର ଋଷି ନାନାଜୀ ଦେଶମୁଖ ଏହିଠାରୁ ଭାରତକୁ ସ୍ୱାବଲମ୍ବନର ରାସ୍ତାରେ ନେଇ ଯିବାର ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲେ । 2 ଦିନ ପୂର୍ବେ ହିଁ ନାନାଜୀଙ୍କୁ ତାଙ୍କର ଶ୍ରାଦ୍ଧ ଦିବସ ଅବସରରେ ଦେଶ ସ୍ମରଣ କରିଛି।

ଭାଇ ଓ ଭଉଣୀମାନେ,

ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ କି ଗ୍ରାମୋଦୟରୁ ରାଷ୍ଟ୍ରୋଦୟର ଯେଉଁ ସଂକଳ୍ପକୁ ନେଇ ନାନାଜୀ ନିଜର ଜୀବନ ଜୀଇଁଥିଲେ, ତାହାକୁ ସାକାର କରିବା ଭଳି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଶୁଭାରମ୍ଭ ଆଜି ଚିତ୍ରକୁଟର ପବିତ୍ର ଧରଣୀରୁ ହେଉଛି ।

ବୁନ୍ଦେଲଖଣ୍ଡକୁ ବିକାଶର ଏକ୍ସପ୍ରେସ-ୱେରେ ନେଇ ଯିବା ଭଳି, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଏହି ସଂପୂର୍ଣ୍ଣ କ୍ଷେତ୍ରର ଜନ ଜୀବନକୁ ପରିବର୍ତ୍ତନ କରିବା ଭଳି ସିଦ୍ଧ ହେବ । ପ୍ରାୟ 15 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଏକ୍ସପ୍ରେସ-ୱେ ଏହିଠାରେ ରୋଜଗାରର ହଜାର ହଜାର ସୁଯୋଗ ସୃଷ୍ଟି କରିବ ଏବଂ ଏଠାକାର ସାଧାରଣ ଜନ ସାଧାରଣଙ୍କୁ ବଡ଼ ବଡ଼ ସହର ଭଳି ସୁବିଧା ସହିତ ଯୋଡ଼ିବ । କିଛି ସମୟ ପୂର୍ବରୁ ହିଁ ଏଠାରେ ଦେଶର କୃଷକମାନଙ୍କର ଆୟ ବୃଦ୍ଧି କରିବା ପାଇଁ, କୃଷକମାନଙ୍କୁ ସଶକ୍ତ କରିବା ପାଇଁ 10 ହଜାର (Farmer Producer Organizations) ଅର୍ଥାତ କୃଷକ ଉତ୍ପାଦକ ସଂଘ ଗଠନ କରିବା ପାଇଁ ଯୋଜନା ମଧ୍ୟ ଶୁଭାରମ୍ଭ କରାଗଲା । ଅର୍ଥାତ କୃଷକ ଏ ପର୍ଯ୍ୟନ୍ତ ଉତ୍ପାଦକ ତ ହିଁ ଥିଲା, ଏବେ ସେ କୃଷକ ଉତ୍ପାଦକ ସଂଘ- ଏଫପିଓ ମାଧ୍ୟମରେ ବ୍ୟବସାୟ ମଧ୍ୟ କରିବେ । ଏବେ କୃଷକ ଫସଲ ମଧ୍ୟ ବୁଣିବ ଏବଂ କୁଶଳ ବ୍ୟବସାୟୀଙ୍କ ଭଳି ମୁଲଚାଲ କରି ନିଜ ଉତ୍ପାଦନର ସଠିକ ଦାମ ମଧ୍ୟ ପ୍ରାପ୍ତ କରିବ । ମୋର ଆପଣମାନଙ୍କୁ ଅନୁରୋଧ ଯେ, ଏହି କାର୍ଯ୍ୟକ୍ରମ ପରେ ଆପଣ ତୁରନ୍ତ ଯିବା ପାଇଁ ଶୀଘ୍ରତା ଦେଖାଇବେ ନାହିଁ । ଏହିଠାରେ ସମଗ୍ର ଦେଶରେ ସଫଳତା ହାସଲ କରିଥିବା ଯେଉଁ ଏଫପିଓମାନଙ୍କର ପ୍ରଦର୍ଶନୀ ଲାଗିଛି । ମୁଁ ସେହି ପ୍ରଦର୍ଶନୀକୁ ଦେଖିଲି । ମୋର ଛାତି ଚଉଡ଼ା ହୋଇଗଲା । ମୋର ଆପଣମାନଙ୍କୁ ଅନୁରୋଧ ରହିଛି ଆପଣମାନେ ମଧ୍ୟ ନିଶ୍ଚୟ ଦେଖନ୍ତୁ । ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ…. ସେମାନେ ନିଜ ନିଜ ରାଜ୍ୟରେ ଏଫପିଓ ଦ୍ୱାରା କେତେ ସବୁ ଚମତ୍କାର କରି ରଖିଛନ୍ତି । ଏହି ସଂପୂର୍ଣ୍ଣ ଅଭିଯାନରେ ଆଗାମୀ 5 ବର୍ଷ ମଧ୍ୟରେ ପ୍ରାୟ 5 ହଜାର କୋଟି ଟଙ୍କା ବ୍ୟୟ କରାଯିବ । ଏ ସମସ୍ତ ବିକାଶ ଯୋଜନାଗୁଡ଼ିକ ପାଇଁ ମୋର କୃଷକ ଭାଇ ଭଉଣୀମାନଙ୍କୁ, ବୁନ୍ଦେଲଖଣ୍ଡକୁ, ବୁନ୍ଦେଲଖଣ୍ଡର ନାଗରିକମାନଙ୍କୁ, ଆପଣମାନଙ୍କୁ ବିକାଶର ଏହି ପ୍ରତିଯୋଗିତାରେ ବୁନ୍ଦେଲଖଣ୍ଡ ସାମିଲ ହେବା ଯୋଗୁଁ ସଂପୂର୍ଣ୍ଣ ଦେଶକୁ ବହୁତ ବହୁତ ଶୁଭକାମନା ଜଣାଉଛି !!

ସାଥୀଗଣ,

ଆମ ଦେଶରେ କୃଷକମାନଙ୍କ ସହିତ ଜଡ଼ିତ ଯେଉଁ ସବୁ ନୀତିଗୁଡିକ ଥିଲା, ସେଗୁଡ଼ିକ ଆମ ସରକାର ନିରନ୍ତର ନୂତନ ଦିଗ ପ୍ରଦାନ କରିଛନ୍ତି, ସେଗୁଡ଼ିକୁ କୃଷକମାନଙ୍କର ଆୟ ସହିତ ଯୋଡ଼ିଛନ୍ତି । ସରକାରଙ୍କ ଦ୍ୱାରା ଏହା ସୁନିଶ୍ଚିତ କରାଯାଉଛି କି କୃଷକମାନଙ୍କର ବ୍ୟୟ କମ୍ ହେଉ, ଉତ୍ପାଦକତା ବଢ଼ୁ ଏବଂ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ । ଏଥିପାଇଁ ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିହନରୁ ବଜାର ପର୍ଯ୍ୟନ୍ତ ଅନେକ ନିଷ୍ପତ୍ତି ନିଆ ଯାଇଛି । ଏମଏସପିର ନିଷ୍ପତ୍ତି ହେଉ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ହେଉ, ୟୁରିଆର 100 ପ୍ରତିଶତ ନିମ ଲେପନ କଥା ହେଉ, ଦଶକ ଦଶକ ଧରି ଅଧାରେ ପଡ଼ି ରହିଥିବା ସିଞ୍ଚନ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ହେଉ, ପ୍ରତ୍ୟେକ ସ୍ତରରେ ସରକାର କାର୍ଯ୍ୟ କରିଛନ୍ତି । କୃଷକମାନଙ୍କର ଆୟ ବୃଦ୍ଧି କରିବାର ମୁଖ୍ୟ ଯାତ୍ରାର, ଆଜି ମଧ୍ୟ ହେଉଛି ଏକ ପ୍ରମୁଖ ସୋପାନ । ଆଜି ହିଁ ଏଠାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର, ଗୋଟିଏ ବର୍ଷ ପୂରଣ ହେଉଥିବାର ସମାରୋହ ମଧ୍ୟ ପାଳନ କରାଯାଉଛି । ମୋର ମନେଅଛି କି ଏକ ବର୍ଷ ପୂର୍ବେ, ଯେତେବେଳେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ତ କେଉଁଭଳି ଭାବେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏତେ କମ୍ ସମୟ ମଧ୍ୟରେ ଦେଶର ପ୍ରାୟ ସାଢ଼େ 8 କୋଟି କୃଷକ ପରିବାରଙ୍କର ବ୍ୟାଙ୍କ ଖାତାରେ ସିଧା ସଳଖ ଭାବେ 50 ହଜାର କୋଟି ଟଙ୍କାରୁ ଅଧିକ ରାଶି ଜମା କରାଯାଇ ସାରିଛି । ଚିତ୍ରକୂଟ ସମେତ ସମଗ୍ର ୟୁପିରେ 2 କୋଟିରୁ ଅଧିକ କୃଷକଙ୍କ ପରିବାରର ଖାତାରେ ମଧ୍ୟ ପ୍ରାୟ 12 ହଜାର କୋଟି ଟଙ୍କା ଜମା କରାଯାଇଛି । ଆପଣମାନେ କଳ୍ପନା କରି ପାରିବେ କି, 50 ହଜାର କୋଟି ଟଙ୍କାରୁ ଅଧିକ ରାଶି, କେବଳ ଗୋଟିଏ ବର୍ଷରେ । ତାହା ମଧ୍ୟ ସିଧାସଳଖ ଭାବେ ବ୍ୟାଙ୍କ ଖାତାରେ, ବିନା କୌଣସି ମଧ୍ୟସ୍ଥି ଜରିଆରେ, ବିନା କୌଣସି ସୁପାରିଶରେ, ବିନା କୌଣସି ଭେଦଭାବରେ !!

ସାଥୀଗଣ,

ଆପଣମାନେ ବିଗତ ଦଶକମାନଙ୍କରେ ସେହି ଦିନଗୁଡ଼ିକୁ ମଧ୍ୟ ଦେଖିଛନ୍ତି ଯେତେବେଳେ ବୁନ୍ଦେଲଖଣ୍ଡ ନାମ ନେଇ, କୃଷକମାନଙ୍କର ନାମ ନେଇ ହଜାର ହଜାର କୋଟି ପ୍ୟାକେଜ ଘୋଷଣା ହେଉଥିଲା, କିନ୍ତୁ କୃଷକମାନଙ୍କୁ ତାହାର କୌଣସି ଲାଭ ମିଳି ପାରୁ ନଥିଲା । ଏବେ ଦେଶ ସେହି ଦିନଗୁଡ଼ିକୁ ପଛରେ ଛାଡ଼ି ଆସିଛି । ଏବେ ଦିଲ୍ଲୀରୁ ଦିଆଯାଉଥିବା ଅର୍ଥର ଗୋଟିଏ ଗୋଟିଏ ପଇସା ତାହାର ଦାବିଦାର ପାଖରେ ପହଞ୍ଚୁଛି । ଏହି ଶୃଙ୍ଖଳରେ ଆଜି କିଷାନ ସମ୍ମାନ ନିଧି ଯୋଜନାର ପରିସରକୁ ଆହୁରି ସଂପ୍ରସାରିତ କରାଯାଇଛି । ଏବେ ଯେଉଁମାନେ ଏହି ଯୋଜନାର ଲାଭାର୍ଥୀ ଅଛନ୍ତି, ସେମାନଙ୍କୁ ବ୍ୟାଙ୍କରୁ ସହଜରେ ଋଣ ମିଳିପାରୁଛି, ଏଥିପାଇଁ ସମସ୍ତ କୃଷକଙ୍କୁ କ୍ରେଡିଟ କାର୍ଡ ସୁବିଧା ସହିତ ଯୋଡ଼ା ଯାଉଛି । ଆମର ଗରିବ କୃଷକମାନଙ୍କୁ, ଛୋଟ ଛୋଟ କୃଷକମାନଙ୍କୁ, ସାହୁକାରମାନଙ୍କ ଉପରେ ନିର୍ଭର କରିବାକୁ ନପଡ଼ୁ, ଏଭଳି ବଡ଼ କାମ କ୍ରେଡିଟ କାର୍ଡ ଦ୍ୱାରା ହେବାକୁ ଯାଉଛି । ବ୍ୟାଙ୍କରୁ ମିଳୁଥିବା ଶସ୍ତା ଏବଂ ସହଜ ଋଣ ଯୋଗୁଁ ଏବେ ଋଣ ପାଇଁ ଏଠାକୁ ସେଠାକୁ ଯିବାକୁ ପଡ଼ିବ ନାହିଁ ।

ଭାଇ ଓ ଭଉଣୀମାନେ,

ଏହା ପ୍ରୟାସ କରାଯାଉଛି କି ଯେତେ ମଧ୍ୟ ସାଥୀ ପିଏମ କିଷାନ ଯୋଜନାର ହିତାଧିକାରୀ ଅଛନ୍ତି, ସେମାନଙ୍କୁ କିଷାନ କ୍ରେଡିଟ କାର୍ଡ ସହିତ ମଧ୍ୟ ଯୋଡ଼ାଯାଉ । ଏବେ ପ୍ରାୟ ଶହେ ପଞ୍ଚସ୍ତରୀ କୋଟି ହିତାଧିକାରୀ ଏଥିରୁ ବଞ୍ଚିତ ଅଛନ୍ତି । ଏହି ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଚଳିତ ମାସରେ 15 ଦିନ ଧରି ଏକ ବିଶେଷ ଅଭିଯାନ ମଧ୍ୟ ଚାଲିଥିଲା, ଯେଉଁଥିରେ 40 ଲକ୍ଷରୁ ଅଧିକ କୃଷକଙ୍କୁ କେସିସି ସହିତ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ସାଥୀମାନଙ୍କୁ କିଛି ସମୟ ପୂର୍ବରୁ ଏଠାରେ କାର୍ଡ ମଧ୍ୟ ଦିଆଗଲା ।

ଭାଇ ଓ ଭଉଣୀମାନେ,

ଯେଉଁ ସାଥୀ ପିଏମ କିଷାନ ଯୋଜନାର ହିତାଧିକାରୀ ଅଟନ୍ତି, ସେମାନଙ୍କୁ ପିଏମ ଜୀବନ ଜ୍ୟୋତି ବୀମା ଏବଂ ପିଏମ ଜୀବନ ସୁରକ୍ଷା ବୀମା ଯୋଜନା ସହିତ ମଧ୍ୟ ସାମିଲ କରାଯାଉଛି । ଏହାଦ୍ୱାରା କୃଷକ ସାଥୀମାନଙ୍କୁ ଅସୁବିଧା ସମୟରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ସୁନିଶ୍ଚିତ ହୋଇଯିବ ।

ସାଥୀଗଣ,

ଏଇ ନିକଟରେ ସରକାର ଆଉ ଏକ ବଡ଼ ନିଷ୍ପତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ନେଇଛନ୍ତି । ଏବେ ଏହି ଯୋଜନା ସହିତ ସାମିଲ ହେବାକୁ ସ୍ୱେଚ୍ଛାକୃତ କରି ଦିଆଯାଇଛି । ପୂର୍ବରୁ ବ୍ୟାଙ୍କରୁ ଋଣ ନେଉଥିବା କୃଷକ ସାଥୀମାନଙ୍କୁ ଏହା ସହିତ ସାମିଲ ହେବାକୁ ପଡ଼ୁଥିଲା, କିନ୍ତୁ ଏବେ ଏହା କୃଷକମାନଙ୍କର ଇଚ୍ଛା ଉପରେ ନିର୍ଭର କରିବ । ଏବେ ଯଦି ସେ ସାମିଲ ହେବା ପାଇଁ ଚାହିଁବେ ତ ଯୋଡ଼ି ହୋଇ ପାରିବେ, ନ ଚାହିଁବେ ତ ଯୋଡ଼ି ନ ହୋଇ ନିଜକୁ ଅଲଗା ରଖି ପାରିବେ । ଏହି ନିଷ୍ପତି ମଧ୍ୟ ଏଥିପାଇଁ ନିଆ ଯାଇଛି, କାରଣ ଏବେ ନିଜକୁ ନିଜେ ଏହି ଯୋଜନା ସହିତ ସାମିଲ ହେଉଥିବା କୃଷକଙ୍କ ସଂଖ୍ୟା ନିରନ୍ତର ଭାବେ ବୃଦ୍ଧି ପାଉଛି ।

ଏହି ଯୋଜନା ସହିତ ସାମିଲ ହେବା, ଏଥିପାଇଁ ମଧ୍ୟ ଲାଭଦାୟକ କାରଣ 13 ହଜାର କୋଟି ଟଙ୍କାର ପ୍ରିମିୟମ ବଦଳରେ, 3 ବର୍ଷରେ କୃଷକମାନଙ୍କୁ 56 ହଜାର କୋଟି ଟଙ୍କାର ଦାବି ରାଶି ଦିଆ ଯାଇଛି । ଅର୍ଥାତ ସଙ୍କଟ ସମୟରେ ଏହି ଯୋଜନା ଗୋଟିଏ ପଟେ କୃଷକମାନଙ୍କ ପାଇଁ ବରଦାନ ପାଲଟିଛି ।

ସାଥୀଗଣ,

ଚଳିତ ବର୍ଷର ବଜେଟରେ ମଧ୍ୟ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହାର ଲାଭ କୃଷକମାନଙ୍କର ହିଁ ହେବ । କୃଷକମାନଙ୍କର ଆୟ ବୃଦ୍ଧି କରିବା ପାଇଁ ଏକ 16 ସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ଗାଁମାନଙ୍କରେ ଭଣ୍ଡାରଣ ପାଇଁ ଆଧୁନିକ ଭଣ୍ଡାର ଗୃହ ନିର୍ମାଣ ହେଉ, ପଞ୍ଚାୟତ ସ୍ତରରେ ଶୀତଳ ଭଣ୍ଡାର ନିର୍ମାଣ ହେଉ, ପଶୁମାନଙ୍କ ପାଇଁ ଉଚିତ ମୂଲ୍ୟରେ ଗୋଖାଦ୍ୟ ଉପଲବ୍ଧ ହେଉ, ଏଥିପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହା ବ୍ୟତୀତ ଗାଁରୁ କୃଷକମାନଙ୍କର ଫଳ-ପନିପରିବା ଏବଂ ପଶୁପାଳକମାନଙ୍କର ଦୁଗ୍ଧ, ମାଛ ଭଳି ଶୀଘ୍ର ନଷ୍ଟ ହେବାଭଳି ଜିନିଷକୁ ସୁରକ୍ଷିତ ଭାବେ ମଣ୍ଡି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କିଷାନ ରେଲ ଭଳି ସୁବିଧାର ଘୋଷଣା ମଧ୍ୟ କରାଯାଇଛି ।

ଭାଇ ଓ ଭଉଣୀମାନେ,

ଆମ ଦେଶରେ ଗ୍ରାମୀଣ ବଜାରଗୁଡ଼ିକର ଅବା ଗାଁର ସ୍ଥାନୀୟ ମଣ୍ଡିକୁ ହୋଲସେଲ ମାର୍କେଟ (ପାଇକାରୀ ବଜାର) ଏବଂ ବିଶ୍ୱ ବଜାର ପର୍ଯ୍ୟନ୍ତ ଯୋଡ଼ି ହେବାର ମଧ୍ୟ ବହୁତ ଆବଶ୍ୟକତା ଅଛି । ଏଥିପାଇଁ ସରକାର ଗ୍ରାମୀଣ ଖୁଚୁରା କୃଷି ବଜାରର ସମ୍ପ୍ରସାରଣ ଉପରେ କାର୍ଯ୍ୟ କରୁଛନ୍ତି । ଦେଶରେ 22 ହଜାର ଗ୍ରାମୀଣ ହାଟଗୁଡ଼ିକରେ ମଧ୍ୟ ଜରୁରୀ ଭିତ୍ତିଭୂମି ବିକଶିତ କରାଯାଉଛି । ସରକାରଙ୍କର ପ୍ରୟାସ ରହିଛି କି କୃଷକମାନଙ୍କୁ, ସେମାନଙ୍କର କୃଷିକ୍ଷେତଠାରୁ ମାତ୍ର କିଛି କିଲୋମିଟର ପରିସରରେ ହିଁ କିଛି ଏଭଳି ବ୍ୟବସ୍ଥା ମିଳୁ, ଯାହା ତାଙ୍କୁ ଦେଶର ଯେ କୌଣସି ମାର୍କେଟ ବା ବଜାର ସହିତ ଯୋଡ଼ୁଥିବ । ଆଗାମୀ ଦିନ ମାନଙ୍କରେ ଏହି ଗ୍ରାମୀଣ ହାଟ, କୃଷି ଅର୍ଥବ୍ୟବସ୍ଥାର ନୂତନ କେନ୍ଦ୍ର ପାଲଟିବ । ଏହା ହେଉଛି କାରଣ କି ଗ୍ରାମୀଣ ମଣ୍ଡିଗୁଡ଼ିକୁ ବଡ଼ ମଣ୍ଡି ଅର୍ଥାତ ଏପିଏମସି ଆଉ ପୁଣି ସାରା ବିଶ୍ୱର ମାର୍କେଟ ସହିତ ସଂଯୋଗ କରାଯାଉଛି । ଏହା ପ୍ରୟାସ ରହିଛି କି ଆମର କୃଷକମାନଙ୍କୁ ନିଜ ଉତ୍ପାଦ ବିକ୍ରି କରିବା ପାଇଁ ବହୁତ ଦୂର ଯିବାକୁ ନ ପଡ଼ୁ । ଏହି ପ୍ରୟାସର ପରିଣାମ ହେଉଛି କି ୟୁପି ସମେତ ସାରା ଦେଶର ହଜାର ହଜାର ଗ୍ରାମୀଣ ହାଟକୁ ଏପିଏମସି ଏବଂ ଇ-ନାମ ସହିତ ଯୋଡ଼ା ଯାଉଛି ।

ଏହି ଇ-ନାମ ପ୍ଲାଟଫର୍ମ ଅର୍ଥାତ ରାଷ୍ଟ୍ରୀୟ ମଣ୍ଡି, ଯେଉଁଥିରେ ମୋବାଇଲ ଫୋନ ଅବା କମ୍ପ୍ୟୁଟର ଜରିଆରେ ହିଁ ନିଜ ଉତ୍ପାଦ ସାରା ଦେଶରେ କେଉଁଠି ମଧ୍ୟ ବିକ୍ରି କରି ପାରୁଛି, ଏହା ଦ୍ରୁତ ଗତିରେ ଲୋକପ୍ରିୟ ହେଉଛି । ଉତ୍ତରପ୍ରଦେଶରେ ମଧ୍ୟ 100ରୁ ଅଧିକ ମଣ୍ଡି ଏହି ପ୍ଲାଟଫର୍ମ ସହିତ ଯୋଡ଼ି ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଏହି ରାଷ୍ଟ୍ରୀୟ ବଜାରରେ ସାରା ଦେଶର ପ୍ରାୟ 1 ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇ ସାରିଛି । କୃଷକମାନେ 1 ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି… ଟେକ୍ନୋଲୋଜି ମାଧ୍ୟମରେ କରିଛନ୍ତି ।

ସାଥୀଗଣ,

ସାମୂହିକତାରୁ ହିଁ ଶକ୍ତି ମିଳିଥାଏ ଆଉ ଏହି ସାମୂହିକ ଶକ୍ତି ଦ୍ୱାରା କୃଷକମାନେ ମଧ୍ୟ ସମୃଦ୍ଧି ପଥରେ ଅଗ୍ରସର ହେବେ । କୃଷକମାନଙ୍କୁ ଉଚିତ ଦାମ ଦେବା ପାଇଁ ଏବେ କୃଷକମାନଙ୍କର ସାମୂହିକ ଶକ୍ତିର ଉପଯୋଗ କରାଯିବ । ଆଜି ଚିତ୍ରକୂଟରେ ଯେଉଁ ନୂତନ ଏଫପିଓ ଅର୍ଥାତ କୃଷକ ଉତ୍ପାଦ ସଂଘର ଶୁଭାରମ୍ଭ ହୋଇଛି, ଏହା ପଛରେ ମଧ୍ୟ ଏହି ଭାବନା ରହିଛି । ଏହା ବିଶେଷ ଭାବେ ଦେଶ ପାଇଁ ସେହି କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ମଧ୍ୟରେ ରହିଛି ଯେଉଁମାନଙ୍କର ସଂଖ୍ୟା ଦେଶରେ ହେଉଛି ସର୍ବାଧିକ । ଗୋଟିଏ କୃଷକ ପରିବାର ବଦଳରେ ଯେତେବେଳେ ଗାଁର ଅନେକ କୃଷକ ମିଳିମିଶି ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ ବ୍ୟବସ୍ଥାଗୁଡ଼ିକ ସହିତ ଯୋଡିହେବେ ତ ସେମାନଙ୍କର କ୍ଷମତା ନିଶ୍ଚିତ ଭାବେ ଅଧିକ ହେବ ।

ଏବେ ଏପରି ଚିନ୍ତା କରନ୍ତୁ, ଯେତେବେଳେ ଗାଁର କୃଷକମାନଙ୍କର ଏକ ବଡ଼ ଗୋଷ୍ଠୀ ଏକାଠି ହୋଇ ସାର କିଣିବେ, ତାହାକୁ ପରିବହନ କରି ଆଣିବେ, ତ କେତେ ଅର୍ଥ ସଞ୍ଚୟ ହେବ । ସେହିପରି ଅଧିକ କିଣିଲେ, ରିହାତି ମଧ୍ୟ ଅଧିକ ମିଳିଥାଏ । ଫସଲ ଅମଳ ଉପଯୋଗୀ ହୋଇଗଲା, ମଣ୍ଡିକୁ ନେଇ ଯିବାର ସମୟ ଆସିଲା, ସେତେବେଳେ ମଧ୍ୟ ଆପଣମାନଙ୍କର ସାମୂହିକତା ଅଧିକ କାର୍ଯ୍ୟରେ ଆସିବ । ମଣ୍ଡିରେ ବ୍ୟବସାୟୀ- କାରବାର କରୁଥିବା ଲୋକଙ୍କ ସାଙ୍ଗରେ ଆପଣମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କଥାବାର୍ତ୍ତା କରିପାରିବେ, ଭଲରୁ ଅତି ଭଲ ଦର କରି ପାରିବେ ।

ଭାଇ ଓ ଭଉଣୀମାନେ,

ବିଗତ କିଛି ବର୍ଷରେ ଏହି ଏଫପିଓଗୁଡ଼ିକର ସଫଳତାରେ ପ୍ରୋତ୍ସାହିତ ହୋଇ ସେମାନଙ୍କର ଅଦ୍ଭୁତପୂର୍ବ ସମ୍ପ୍ରସାରଣ କରାଯାଉଛି । କୃଷକ ଏବଂ ଉତ୍ପାଦକ ମାନଙ୍କର ଏହି ସମୁଦାୟ ମାଧ୍ୟମରେ କୃଷି ଉତ୍ପାଦର ରପ୍ତାନୀ ପାଇଁ ମଧ୍ୟ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏବେ ଯେପରି ଆଳୁ ହେଉ ଅବା ପୁଣି ଏଠାରେ ଜଙ୍ଗଲରୁ ମିଳୁଥିବା ଅନ୍ୟାନ୍ୟ ଉତ୍ପାଦ ହେଉ, ସେମାନଙ୍କର ମୂଲ୍ୟ କମ୍ ହୋଇଥାଏ । କିନ୍ତୁ ଯଦି ସେଥିରୁ ଚିପ୍ସ ପ୍ରସ୍ତୁତ କରି ବଜାରକୁ ଭଲ ପ୍ୟାକେଜିଂ ସହିତ ପଠାଯାଏ ତ ଅଧିକ ଭଲ ମୂଲ୍ୟ ମିଳିଥାଏ । ଯେଭଳି ଉଦ୍ୟୋଗ ଏହି ଏଫପିଓଗୁଡ଼ିକ ମାଧ୍ୟମରେ ପ୍ରତିଷ୍ଠା କରାଯାଉଛି, ଆଉ ପ୍ରତ୍ୟେକ ଏଫପିଓକୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବାର ବ୍ୟବସ୍ଥା ଭାରତ ସରକାର କରିଛନ୍ତି, ଯେପରି ଏଠାରେ ଯୋଗୀ ମହାଶୟଙ୍କର ସରକାର ଏକ ଜନପଦ ଏକ ଉତ୍ପାଦର ଯୋଜନା ଚଳାଉଛନ୍ତି, ଏହା ସହିତ ମଧ୍ୟ ଏହି ସଂଗଠନକୁ ଯୋଡ଼ା ଯାଉଛି । ସରକାର ଏହା ମଧ୍ୟ ସ୍ଥିର କରିଛନ୍ତି କି ଆଦିବାସୀ ଅଞ୍ଚଳ ଯେପରି ଚିତ୍ରକୂଟ ଭଳି 100ରୁ ଅଧିକ (Aspirational Districts) ଆକାଂକ୍ଷୀ ଜିଲ୍ଲାରେ ଏଫପିଓଗୁଡ଼ିକୁ ଅଧିକ ପ୍ରୋତ୍ସାହନ ଦିଆଯାଉ, ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଏଫପିଓର ଗଠନ ନିଶ୍ଚିତ କରାଯାଉ । ଆଦିବାସୀ ଅଞ୍ଚଳର ବନଜାତ ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ପାଇଁ ଏହାଦ୍ୱାରା ଶକ୍ତି ମିଳିବ ଆଉ ଅଧିକରୁ ଅଧିକ ଭଉଣୀମାନେ ଏହି ସଂଗଠନ ସହିତ ଯୋଡ଼ି ହୁଅନ୍ତୁ, ଏହା ମଧ୍ୟ ପ୍ରୟାସ କରାଯାଉଛି ।

ସାଥୀଗଣ,

ବୁନ୍ଦେଲଖଣ୍ଡ ସମେତ ସଂପୂର୍ଣ୍ଣ ଭାରତକୁ ଯେଉଁ ଆଉ ଏକ ଅଭିଯାନର ବ୍ୟାପକ ଲାଭ ମିଳିବାକୁ ଯାଉଛି, ତାହା ହେଉଛି ଜଳ ଜୀବନ ମିଶନ । ଏବେ ଦେଶର ଜଣେ ଜଣେ ନାଗରିକ ଭାରତକୁ ଜଳଯୁକ୍ତ ଏବଂ ମରୁଡ଼ି ମୁକ୍ତ କରିବାର ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି । ଆଗାମୀ 5 ବର୍ଷରେ ଦେଶର ପ୍ରାୟ 15 କୋଟି ପରିବାର ପାଖରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ସଂକଳ୍ପ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇ ସାରିଛି । ଏଥିରେ ମଧ୍ୟ ପ୍ରାଥମିକତା ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ଦିଆଯାଉଛି । ଏହି ଯୋଜନା ଏଭଳି ହୋଇଛି ଯାହାର ସଞ୍ଚାଳନ ଆପଣ ସମସ୍ତଙ୍କୁ ମଧ୍ୟ କରିବାର ଅଛି, ପ୍ରତ୍ୟେକ ଗାଁକୁ କରିବାର ଅଛି । ସରକାର ଆପଣଙ୍କ ହାତରେ ଅର୍ଥ ଦେବେ, ପାଣ୍ଠି ଦେବେ… କାରବାର ଆପଣମାନଙ୍କୁ କରିବାର ଅଛି । କେଉଁଠାକୁ ପାଇପ ଯିବାର ଅଛି, କେଉଁଠାରେ ପାଣି ଜମା କରାଯିବ, ତା’ର ରକ୍ଷଣାବେକ୍ଷଣ କିପରି ହେବ, ଏହା ଆପଣ ସମସ୍ତ ଗାଁର ଲୋକ ହିଁ ସ୍ଥିର କରିବେ, ଆମର ଭଉଣୀମାନେ ସେଥିରେ ବଡ଼ ଭୂମିକା ତୁଲାଇବେ । ଏହା ହେଉଛି ସ୍ୱାବଲମ୍ବନ, ଏହା ହେଉଛି ଗାଁର ସଶକ୍ତୀକରଣର ଭାବନା, ଏହା ହେଉଛି ଗାନ୍ଧିଜୀଙ୍କର ଗ୍ରାମ ସ୍ୱରାଜ୍ୟର ପରିକଳ୍ପନା ଏବଂ ଏହି ଉଦ୍ଦେଶ୍ୟ ପାଇଁ ନାନାଜୀ ନିଜ ଜୀବନ ସମର୍ପିତ କରିଥିଲେ ।

ସାଥୀଗଣ,

ୟୁପିର କୃଷକମାନଙ୍କୁ, ବ୍ୟବସାୟୀମାନଙ୍କୁ – ଉଦ୍ୟମୀମାନଙ୍କର ଦ୍ରୁତ ବିକାଶ ଏଠାକାର ଯୋଗାଯୋଗ ବ୍ୟବସ୍ଥା ଉପରେ ମଧ୍ୟ ନିର୍ଭର କରୁଛି । ଏଥିପାଇଁ ଯୋଗୀ ମହାଶୟ ଏବଂ ତାଙ୍କ ସରକାର ଏକ ପ୍ରକାରରେ ଏକ୍ସପ୍ରେସ ଗତିରେ କାର୍ଯ୍ୟ କରୁଛନ୍ତି । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ହେଉ, ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ହେଉ ଅବା ପୁଣି ପ୍ରସ୍ତାବିତ ଗଙ୍ଗା ଏକ୍ସପ୍ରେସ-ୱେ, ଏହା ୟୁପିରେ ଯୋଗାଯୋଗ ବ୍ୟବସ୍ଥା ତ ବଢ଼ାଇବ, ରୋଜଗାରର ମଧ୍ୟ ଅନେକ ସୁଯୋଗ ପ୍ରସ୍ତୁତ କରିବାକୁ ଯାଉଛି । ପ୍ରଥମେ ଏକ୍ସପ୍ରେସ-ୱେ କେବଳ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ଦେଖିବାକୁ ମିଳିଥିଲା, ଏବେ ଚିତ୍ରକୁଟ, ବାନ୍ଦା, ମହୋବା, ହମିରପୁର, ଯାଲୌନ ଔରେୟାର ଲୋକମାନେ ମଧ୍ୟ ଆଧୁନିକ ଏକ୍ସପ୍ରେସ-ୱେରେ ଚାଲିବେ । ପ୍ରାୟ 300 କିଲୋମିଟରର ଏହି ଆଧୁନିକ ସଡ଼କ ଏବେ ପ୍ରସ୍ତୁତ ହୋଇଯିବ ତ ଆପଣମାନେ ବହୁତ କମ୍ ସମୟ ମଧ୍ୟରେ ଲକ୍ଷ୍ନୌ ଏବଂ ଦିଲ୍ଲୀରେ ପହଞ୍ଚିଯିବେ ।

ଭାଇ ଓ ଭଉଣୀମାନେ,

ଏହି ଆଧୁନିକ ଭିତ୍ତିଭୂମି ଏଠାରେ ନୂତନ ଉଦ୍ୟୋଗ, ନୂତନ ଉଦ୍ୟମୀଙ୍କୁ ବିକଶିତ କରିବ । ଏହା ଏକ ସଂଯୋଗର ବିଷୟ ହେଉଛି କି ବିଗତ ବର୍ଷ ଫେବୃୟାରୀ ମାସରେ ହିଁ ଝାନ୍ସୀରେ ୟୁପି ପ୍ରତିରକ୍ଷା କରିଡରର ଶିଳାନ୍ୟାସ କରିବାକୁ ଆସିଥିଲି ଏବଂ ଚଳିତ ବର୍ଷ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେର ଶିଳାନ୍ୟାସ ହେଉଛି । ଚଳିତ ବର୍ଷର ବଜେଟରେ ୟୁପି ପ୍ରତିରକ୍ଷା କରିଡର ପାଇଁ 3700 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଦୁଇଟି ଯୋଜନାର ପରସ୍ପର ମଧ୍ୟରେ ଗଭୀର ସମ୍ପର୍କ ରହିଛି । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ଦ୍ୱାରା ୟୁପି ପ୍ରତିରକ୍ଷା କରିଡରକୁ ମଧ୍ୟ ଗତି ମିଳିବ ।

ସାଥୀଗଣ,

ଗୋଟିଏ ସମୟରେ ଏହି କ୍ଷେତ୍ର ଭାରତର ସ୍ୱାଧୀନତା ସଂଗ୍ରାମର କ୍ରାନ୍ତିକାରୀ ବୀରଙ୍କୁ ଜନ୍ମ ଦେଇଥିଲା ଆଉ ଆଗାମୀ ସମୟରେ ଏହା ଭାରତକୁ ଯୁଦ୍ଧ ସାମଗ୍ରୀରେ ଆତ୍ମ ନିର୍ଭରଶୀଳ କରିବା ଭଳି କ୍ଷେତ୍ର ଭାବେ ମଧ୍ୟ ପରିଗଣିତ ହେବ । ବୁନ୍ଦେଲଖଣ୍ଡର ଏହି କ୍ଷେତ୍ର ମେକ୍ ଇନ୍ ଇଣ୍ଡିଆର ଏକ ବହୁତ ବଡ଼ କ୍ଷେତ୍ର ପାଲଟିବାକୁ ଯାଉଛି । ଏଠାରେ ନିର୍ମାଣ ହେଉଥିବା ଯୁଦ୍ଧ ସାମଗ୍ରୀ ସମଗ୍ର ବିଶ୍ୱକୁ ରପ୍ତାନୀ ହେବ । ଯେତେବେଳେ ଏଠାରେ ବଡ଼ ବଡ଼ କାରଖାନା ପ୍ରତିଷ୍ଠା ହେବ ତ ଆଖପାଖରେ ଛୋଟ ଛୋଟ ଏବଂ ଲଘୁ ଉଦ୍ୟୋଗ ଗୁଡ଼ିକୁ ମଧ୍ୟ ବ୍ୟାପକ ଲାଭ ହେବ, ଏଠାକାର କୃଷକମାନଙ୍କୁ ମଧ୍ୟ ଲାଭ ମିଳିବ । ଏହିପରି ଭାବେ ରୋଜଗାରର ଅଦ୍ଭୁତପୂର୍ବ ସୁଯୋଗ ଏଠାରେ ସୃଷ୍ଟି ହେବ ଆଉ ପ୍ରତ୍ୟେକ ପରିବାରର ଆୟରେ ବୃଦ୍ଧି ପାଇବ ।

ଭାଇ ଓ ଭଉଣୀମାନେ,

ଆଧୁନିକ ଭିତ୍ତିଭୂମିରୁ ଏଠାକାର ପର୍ଯ୍ୟଟନ ଉଦ୍ୟୋଗକୁ ବିଶେଷ ଲାଭ ମିଳିବ । ଚିତ୍ରକୁଟରେ ତ, ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ରହିଛି ଆଉ ଆଧ୍ୟାତ୍ମିକତାର ଗଭୀରତା ମଧ୍ୟ ଏହାର ପାଖରେ ଅଛି । ପ୍ରଭୁ ରାମଚନ୍ଦ୍ରଙ୍କର ପାଦ ଯେଉଁଠି-ଯେଉଁଠି ମଧ୍ୟ ପଡ଼ିଛି, ତାକୁ ଯୋଡ଼ି ରାମାୟଣ ସର୍କିଟ ଭାବେ ବିକଶିତ କରାଯାଉଛି । ଚିତ୍ରକୁଟ ତାହାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ । ରାମାୟଣ ସର୍କିଟର ଦର୍ଶନ ଦେଶ ଏବଂ ବିଶ୍ୱର ଶ୍ରଦ୍ଧାଳୁ କରି ପାରନ୍ତୁ, ଏଥିପାଇଁ ସ୍ୱତନ୍ତ୍ର ଭାବେ ରାମାୟଣ ଏକ୍ସପ୍ରେସ ନାମରେ ଟ୍ରେନ ମଧ୍ୟ ଚଲାଯାଉଛି । ଆଗାମୀ ସମୟରେ ଏବେ ଏଠାରେ ଯେତେବେଳେ ଭିତ୍ତିଭୂମି ବିକଶିତ ହେବ, ଏଠାକୁ ଶ୍ରଦ୍ଧାଳୁମାନଙ୍କର ଅଧିକ ଯାତାୟତ ହେବ । ଯାହାଦ୍ୱାରା ଏଠାକାର ଯୁବକମାନଙ୍କୁ ରୋଜଗାରର ନୂତନ ସୁଯୋଗ ଏହିଠାରେ ଉପଲବ୍ଧ ହେବ ।

ମୋର ବିଶ୍ୱାସ ଯେ ଚିତ୍ରକୁଟର ବୁନ୍ଦେଲଖଣ୍ଡରୁ ସମଗ୍ର ୟୁପି, ସମଗ୍ର ଦେଶର ଆକାଂକ୍ଷାଗୁଡ଼ିକୁ ଏକ୍ସପ୍ରେସ ଗତି ମିଳିବ । ତପ-ତପସ୍ୟା ଏବଂ ତେଜର ଏହି ପବିତ୍ର ଭୂମି ନୂତନ ଭାରତର ଏହି ସ୍ୱପ୍ନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟୁ, ଏହି କାମନା ସହିତ ଏହି ଅଞ୍ଚଳର ସମସ୍ତ ନାଗରିକଙ୍କୁ, ଆପଣ ସମସ୍ତଙ୍କୁ ବିକାଶ ଯୋଜନାଗୁଡ଼ିକର ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ମୋର କୃଷକ ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭକାମନା ଦେଉଛି । ଆଉ ବୁନ୍ଦେଲଖଣ୍ଡ କେବଳ ନିଜର ହିଁ ନୁହେଁ, ଭାରତର ମଧ୍ୟ ଭାଗ୍ୟ ବଦଳାଇବା ପାଇଁ ପ୍ରସ୍ତୁତ ହେଉଛି ।

ଭାରତ ମାତାକୀ ଜୟ

ଭାରତ ମାତାକୀ ଜୟ

ଜୟ ଜବାନ ଜୟ କିଷାନ

ଜୟ ଜବାନ ଜୟ କିଷାନ

ଡିଫେନ୍ସ କରିଡର – ୟେ ଜୟ ଜବାନ

ଏଫପିଓର ଶୁଭାରମ୍ଭ- ଜୟ କିଷାନ

ଜୟ ଜବାନ ଜୟ କିଷାନ ମନ୍ତ୍ର ସହିତ ବୁନ୍ଦେଲଖଣ୍ଡ ଆଗକୁ ଗତି କରୁ, ଏହି ଶୁଭକାମନା ସହିତ ବହୁତ ବହୁତ ଧନ୍ୟବାଦ!!

*******