Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ରାତ୍ରୀଭୋଜ ପୂର୍ବବର୍ତ୍ତୀ ପ୍ରେସ୍ ବିବୃତି


ୟଦିଦୀ ହଏକାର (ମୋର ଉତ୍ତମ ବନ୍ଧୁ) ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

ଗଣମାଧ୍ୟମର ବନ୍ଧୁଗଣ, ଆଜି ସେମାନଙ୍କ ଦ୍ୱାର ମୋ ପାଇଁ ଖୋଲା ରଖିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଶ୍ରୀମତି ସାରା ନେତାନ୍ୟାହୁଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସେମାନଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଉଦାର ଆତିଥ୍ୟ  ପାଇଁ କୃତଜ୍ଞତା ଜଣାଉଛି ।

ବନ୍ଧୁଗଣ,

କିଛି ସମୟ ପୂର୍ବରୁ ୟାଡ ଭାଶେମ୍ ସ୍ମାରକୀ ସଂଗ୍ରହାଳୟ ଠାରେ ଗଣହତ୍ୟାରେ (ହୋଲୋକାଷ୍ଟ) ପ୍ରାଣ ହରାଇଥିବା 6 ନିୟୁତ ଇହୁଦୀମାନଙ୍କୁ ମୁଁ  ଶ୍ରଦ୍ଧାଞ୍ଜଳି ଜଣାଇଲି । ବହୁ ଦଶନ୍ଧି ପୂର୍ବେ ମାନବଜାତି ପ୍ରତି ହୋଇଥିବା ଅକଥନୀୟ ଅପରାଧକୁ ୟାଡ ଭାଶେମ୍ ସଂଗ୍ରହାଳୟ ସ୍ମରଣ କରାଇ ଦେଇଥାଏ । ଏହା ମଧ୍ୟ ଏକ ଦୁଃଖଦ ଘଟଣା ଏବଂ ଘୃଣା ପୂର୍ଣ୍ଣ ସମୟରୁ ଉର୍ଦ୍ଧ୍ଵକୁ ଯାଇ ଏକ ଉଜ୍ଜ୍ୱଳ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ଲାଗି ଆପଣମାନଙ୍କ ଅଦମ୍ୟ ଉତ୍ସାହ ପ୍ରତି ଏକ ସମ୍ମାନ  । ୟାଡ ଭାଶେମ୍ ମଧ୍ୟ ଆମକୁ ସ୍ମରଣ କରାଇ ଦେଇଥାଏ ଯେ ଯେଉଁମାନେ ମାନବତା ଏବଂ ସଭ୍ୟତାର ମୂଲ୍ୟବୋଧରେ ବିଶ୍ୱାସ କରନ୍ତି ସେମାନେ ଏହାକୁ ସମସ୍ତ ମୂଲ୍ୟ ଦେଇ ସୁରକ୍ଷିତ ରଖିବା ଲାଗି ମିଳିତ ଭାବେ ଆଗେଇ ଆସିବା ଆବଶ୍ୟକ । ତେଣୁ ଆମେ ସମସ୍ତେ ଆମ ସମୟର ସମସ୍ୟା ଆତଙ୍କବାଦ, ଉଗ୍ରବାଦ ଏବଂ ହିଂସାକୁ ଦୃଢ଼ତାର ସହ ପ୍ରତିରୋଧ କରିବା ଆବଶ୍ୟକ ।

ବନ୍ଧୁଗଣ,

ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ପ୍ରଥମ ଇହୁଦୀ ପାଦ ରଖିବା ପର ଠାରୁ ଆମ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ହଜାର ହଜାର ବର୍ଷ ଧରି ଚାଲିଆସିଛି  । ସେବେଠାରୁ ଭାରତରେ ଇହୁଦୀମାନେ ସମୃଦ୍ଧ ହୋଇଛନ୍ତି ଏବଂ ଭାରତରେ ସେମାନଙ୍କ ପରମ୍ପରା ଏବଂ ପ୍ରଥା ବିସ୍ତାର ଲାଭ କରିଛି । ଆମେ ମଧ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଜେଏଫ୍ଆର ଜାକବ୍, ଭାଇସ ଆଡମିରାଲ୍ ବେଞ୍ଜାମିନ୍ ସାମ୍ସନ୍, ବିଶିଷ୍ଟ ସ୍ଥପତି ଜୋଶୁଆ ବେଞ୍ଜାମିନ୍ ଏବଂ ଅଭିନେତ୍ରୀ ନାଦିରା, ସୁଲୋଚନା ଏବଂ ପ୍ରମିଳାଙ୍କ ଭଳି ଭାରତ ମାତାର ଇହୁଦି ସନ୍ତାନମାନଙ୍କୁ ନେଇ ଗର୍ବିତ । ସେମାନେ ଭାରତୀୟ ସମାଜକୁ ସେମାନଙ୍କ ଯୋଗଦାନ ବଳରେ ସମୃଦ୍ଧ କରିଛନ୍ତି । ଭାରତୀୟ ଇହୁଦୀମାନେ ଏହି ଐତିହାସିକ ସମ୍ପର୍କକୁ ନେଇ ରହିଆସିଛନ୍ତି । ମୋର ଇସ୍ରାଏଲ୍ ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ରହିଥିବା ଏହି ପ୍ରାଚୀନ ସମ୍ପର୍କକୁ ପ୍ରତିଫଳିତ କରୁଛି । ଆସନ୍ତାକାଲି ମୁଁ ଇସ୍ରାଏଲରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନାର ସୁଯୋଗ ପାଇବାକୁ ଯାଉଥିବାରୁ ଆନନ୍ଦିତ ।

ବନ୍ଧୁଗଣ,

ଆଧୁନିକ ସମୟରେ ଆମର ସମ୍ପର୍କ 25 ବର୍ଷ ତଳେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେବା ଠାରୁ ଆହୁରି ସୁଦୃଢ଼ ହୋଇଛି । ଅର୍ଥନୈତିକ ସମୃଦ୍ଧିର ମିଳିତ ଲକ୍ଷ୍ୟ, ସୁଦୃଢ଼ ପ୍ରଯୁକ୍ତି ଏବଂ ଅଭିନବୀକରଣ ସମ୍ପର୍କ, ଆମ ସମାଜକୁ ସୁରକ୍ଷିତ ରଖିବା ଲାଗି ପ୍ରୟାସ, ଆମର ମିଳିତ ସହଯୋଗ ପାଇଁ ସୁଯୋଗ ସୃଷ୍ଟି କରିଛି । ଆଗାମୀ ଦଶନ୍ଧୀରେ ଆମର ଅର୍ଥନୈତିକ କାରବାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ଭଳି ସମ୍ପର୍କ ପ୍ରତିଷ୍ଠ ଲାଗି ଆମେ ଆଗ୍ରହୀ । ବିକାଶ ଲକ୍ଷ୍ୟ ହାସଲ ଲାଗି ପ୍ରଯୁକ୍ତି ଏବଂ ଅଭିନବୀକରଣର ବ୍ୟବହାର ଲାଗି ଆମର ଉଦ୍ୟମ ଆମ ଦୁଇ ଦେଶ ମଧ୍ୟରେ ଶିକ୍ଷଣୀୟ, ବୈଜ୍ଞାନିକ ଏବଂ ଗବେଷଣାତ୍ମକ ତଥା ବ୍ୟବସାୟିକ ସମ୍ବନ୍ଧ ପାଇଁ ସୁଯୋଗ ସୃଷ୍ଟି କରିଛି । ଆମର ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପ୍ରତି ବିପଦ ସାଜିଥିବା ଶକ୍ତି ବିରୋଧରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଆମେ ପ୍ରତିଶ୍ରୁତିବଦ୍ଧ । ଏସବୁ ଲକ୍ଷ୍ୟ ହାସଲ ଲାଗି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଲାଗି ମୁଁ ମିଳିତ ଭାବେ କାର୍ଯ୍ୟ କରିବି । ପୁଣିଥରେ, ଏଭଳି ଭବ୍ୟ ସ୍ୱାଗତ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଶ୍ରୀମତି ନେତାନ୍ୟାହୁଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।

ଆପଣଙ୍କୁ ଧନ୍ୟବାଦ, ବହୁତ ଧନ୍ୟବାଦ ।

 

**********