Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି (ଜୁଲାଇ 05, 2017)

ଇସ୍ରାଏଲ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି (ଜୁଲାଇ 05, 2017)

ଇସ୍ରାଏଲ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି (ଜୁଲାଇ 05, 2017)

ଇସ୍ରାଏଲ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି (ଜୁଲାଇ 05, 2017)


 

ମହାମହିମ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ,

ଗଣମାଧ୍ୟମର ପ୍ରତିନିଧିଗଣ,

ଧନ୍ୟବାଦ ମହାମହିମ, ଆପଣଙ୍କ ସ୍ୱାଗତ ବାର୍ତ୍ତା ପାଇଁ  ଏବଂ ବନ୍ଧୁତ୍ୱ ପ୍ରଦର୍ଶନ ଲାଗି ସମୟ ଦେବାରେ ଉଦାରତା ପ୍ରକଟ କରିଥିବାରୁ ଧନ୍ୟବାଦ । ଗତକାଲି ମୋ ପାଇଁ ଶ୍ରୀମତୀ ନେତାନ୍ୟାହୁ ଏବଂ ଆପଣ ଆୟୋଜନ କରିଥିବା ଚମତ୍କାର ରାତ୍ରିଭୋଜନ ପାଇଁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି । ଗତକାଲି ଶ୍ରୀମତୀ ନେତାନ୍ୟାହୁଙ୍କ ସହ ଭେଟ, ଆପଣଙ୍କ ପରିବାର ବିଷୟରେ ଜାଣିବା, ବିଶେଷ କରି ଆପଣ ନିଜ ପିତାଙ୍କ ବିଷୟରେ ମୋତେ କହିବା ପରେ ଆପଣଙ୍କ ମହାନ ଦେଶ ପ୍ରତି ମୋର ଅଭିଜ୍ଞତାକୁ ଏକ ନୂତନ ସୋପାନକୁ ନେଇଯାଇଛି । ଆପଣଙ୍କ ଦେଶବାସୀ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଆଧୁନିକତା ଦିଗରେ ଅଗ୍ରସର ହୋଇଛନ୍ତି । ବାଧକତା ସତ୍ୱେ ବିକାଶ ହାସଲ କରିଛନ୍ତି ଏବଂ ନବୋନ୍ମେଷରେ ସଫଳ ହୋଇଛନ୍ତି । ଏକ ଅସାଧାରଣ ଗସ୍ତରେ ଇସ୍ରାଏଲ ଆସିଥିବାରୁ ମୁଁ ଗୌରବାନ୍ଵିତ । ଆଧୁନିକତାର ଯାତ୍ରାରେ ଆମର ମାର୍ଗ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଅର୍ଥନୈତିକ ବିକାଶ ପ୍ରତି ଆମର ଗଭୀର ବିଶ୍ୱାସରେ ବେଶ ସାମଞ୍ଜସ୍ୟ ରହିଛି  ।

ବନ୍ଧୁଗଣ,

ଏହି ଗସ୍ତ ଏକ ଅବସର:

ଆମ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ପାଇଁ

ଆମ ସମ୍ପର୍କରେ ଏକ ନୂଆ ଦିଗ ଖୋଲିବା ପାଇଁ

ସହଭାଗୀତାର ଏକ ନୂଆ ପରିସୀମା ମିଳିତ ଭାବେ ଆରମ୍ଭ କରିବା ପାଇଁ ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ମୁଁ ବିଭିନ୍ନ ବିସ୍ତୃତ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା କରିଛୁ  । କେବଳ ଦ୍ୱିପାକ୍ଷିକ ସୁଯୋଗ କ୍ଷେତ୍ରରେ ନୁହେଁ, ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଲାଗି ଆମ ଭିତରେ ଥିବା ସହଯୋଗ କିଭଳି ସହାୟକ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି  । ଆମର ମିଳିତ ପ୍ରାଥମିକତା ଏବଂ ଆମ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ସହାୟକ ହେଉଥିବା ସମ୍ପର୍କ ପ୍ରତିଷ୍ଠା ଆମର ଲକ୍ଷ୍ୟ ।

ବନ୍ଧୁଗଣ,

ନବୋନ୍ମେଷ, ଜଳ ଏବଂ କୃଷି ଏବଂ ଆନୁସଂଗିକ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି କୌଶଳର ଉପଯୋଗ ପାଇଁ ଇସ୍ରାଏଲ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଭାରତରେ ବିକାଶ ପାଇଁ ଏସବୁ ମୋର ପ୍ରାଥମିକତା କ୍ଷେତ୍ର ।  ଜଳ ଏବଂ ସମ୍ବଳର ଦକ୍ଷତାନୁରୂପ ବିନିଯୋଗ, ଜଳ ସଂରକ୍ଷଣ ଏବଂ ଏହାର ବିଶୋଧନ; କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ସହମତ ହୋଇଛୁ  । ଆମର ବୈଜ୍ଞାନିକ ଏବଂ ଗବେଷକମାନେ ଏହି କ୍ଷେତ୍ରରେ ପାରସ୍ପରିକ ଲାଭୋପଯୋଗୀ ଉପାୟ ବିକଶିତ ଏବଂ କାର୍ଯ୍ୟକାରୀ କରିବେ ବୋଲି ଆମେ ମିଳିତ ଭାବେ ରାଜି ହୋଇଛୁ । 40 ନିୟୁତ ଆମେରିକୀୟ ଡଲାରର ଏକ ଦ୍ୱିପାକ୍ଷିକ ପ୍ରଯୁକ୍ତି ନବୋନ୍ମେଷ ପାଂଠି ଗଠନ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ । ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପାଦନ ଏବଂ ନିବେଶ ପ୍ରବାହ ଦ୍ୱାରା ଆମର ଭାଗିଦାରୀ ଆହୁରି ସୁଦୃଢ଼ ହୋଇପାରିବ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ମୁଁ ଏ ଦିଗରେ ଅଧିକ କାର୍ଯ୍ୟ କରିବା ଲାଗି ରାଜି ହୋଇଛୁ । ଏପରି ଉଦ୍ୟମରେ ଦୁଇ ପକ୍ଷରୁ ବ୍ୟବସାୟକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ଆଜିର ସିଇଓ ଫୋରମକୁ ଏହା ହିଁ ଆମର ବାର୍ତ୍ତା ରହିବ  ।

ବନ୍ଧୁଗଣ,

ଭାରତ ଏବଂ ଇସ୍ରାଏଲ ଏକ ଜଟିଳ ଭୌଗଳିକ ପରିସୀମାରେ ରହୁଛନ୍ତି । ଆମେ ଆମର ଆଂଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରତି ସଚେତନ । ଭାରତ ଆତଙ୍କବାଦ ଦ୍ୱାରା ପ୍ରସାର ହେଉଥିବା ଘୃଣା ଏବଂ ହିଂସାର ପ୍ରଥମ ଶିକାର ହେଉଛି । ଇସ୍ରାଏଲରେ ମଧ୍ୟ ସମାନ ସ୍ଥିତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ମୁଁ ଆମର ରଣନୈତିକ ସ୍ୱାର୍ଥକୁ ରକ୍ଷା କରିବା ଦିଗରେ ମିଳିତ ଭାବେ ଅଧିକ କାର୍ଯ୍ୟ କରିବା ଏବଂ ସାଇବର ସ୍ପେଶ୍ ସମେତ ଅନ୍ୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ଉଗ୍ରବାଦ ଏବଂ ଆତଙ୍କବାଦର ମୁକାବିଲା ଦିଗରେ ସହଯୋଗ ପାଇଁ ରାଜି ହୋଇଛୁ । ପଶ୍ଚିମ ଏସିଆ ଏବଂ ବିସ୍ତୃତ ଅଂଚଳରେ ଦେଖାଦେଇଥିବା ପରିସ୍ଥିତିକୁ ନେଇ ଆମେ ଆଲୋଚନା କରିଥିଲୁ । ଭାରତ ଆଶା କରୁଛି ଯେ ଶାନ୍ତି, ଆଲୋଚନା ଏବଂ ସଂଯମ ରକ୍ଷା ହେବା ଜରୁରୀ ।

ବନ୍ଧୁଗଣ,

ଆମ ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରତି ପ୍ରାକୃତିକ ଆକର୍ଷଣ ଏବଂ ସୌହାର୍ଦ୍ଦ୍ୟଭାବ ରହିଛି  । ଭାରତୀୟ ବଂଶୋଦ୍ଭବ ଇହୁଦୀମାନେ ଏହି ବନ୍ଧନକୁ ସ୍ମରଣ କରାଇ ଦେଇଥାନ୍ତି  । ଏମାନେ ଆମ ସହଭାଗୀ ଭବିଷ୍ୟତ ପାଇଁ ସେତୁ ଭାବେ କାମ କରୁଛନ୍ତି  । ଗତ କିଛିବର୍ଷ ମଧ୍ୟରେ ଭାରତକୁ ବହୁ ସଂଖ୍ୟାରେ ଇସ୍ରାଏଲୀ ପର୍ଯ୍ୟଟକ ଆସିଛନ୍ତି । ସେହିପରି ଅଧିକରୁ ଅଧିକ ଭାରତୀୟ ଛାତ୍ର ଆପଣଙ୍କ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ଏବଂ ଗବେଷଣା ପାଇଁ ନାମ ଲେଖାଇବା ଲାଗି ଆଗ୍ରହୀ । ମୋର ଦୃଢ଼ ବିଶ୍ୱାସ ଯେ ଏହି ସମ୍ପର୍କର ଦୃଢ଼ତା, ପୁରୁଣା ଏବଂ ନୂଆ ଏକବିଂଶ ଶତାବ୍ଦୀରେ ଆମର ଭାଗିଦାରୀତାକୁ ଆହୁରି ଆଗେଇ ନେବ ।

ବନ୍ଧୁଗଣ,

ଏଠାରୁ 150 କମି ଦୂର ଇସ୍ରାଏଲୀ ସହର ହାଇଫାରେ ଇତିହାସର ଏକ ଛୋଟିଆ ସ୍ମୃତି ରହିଛି ଯାହା ମୋ ଦେଶର ଅତି ନିକଟତର । ସେହି ସହରକୁ ମୁକ୍ତ କରିବାକୁ ଯାଇ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ 44 ଜଣ ଭାରତୀୟ ସେମାନଙ୍କ ପ୍ରାଣବଳୀ ଦେଇଥିଲେ । ଆସନ୍ତାକାଲି ମୁଁ ହାଇଫା ଯିବି ଏବଂ ସେଠାରେ ସେହି ସହୀଦ ବୀର ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି  ।

ମହାମହିମ ନେତାନ୍ୟାହୁ,

ମୁଁ ଇସ୍ରାଏଲରେ ଉପାଦେୟ ଏବଂ ସ୍ମରଣୀୟ 24 ଘଣ୍ଟା ବିତାଇଛି । ମୁଁ ନିଶ୍ଚିତ ଯେ ମୋ ଗସ୍ତର ବାକି ସମୟ ମଧ୍ୟ ଆକର୍ଷଣୀୟ ହେବ । ଆପଣ ଏବଂ ଶ୍ରୀମତୀ ନେତାନ୍ୟାହୁ ପରିବାର ସହ ଭାରତ ଆସନ୍ତୁ ବୋଲି ମୁଁ ନିମନ୍ତ୍ରଣ ଜଣାଇବାକୁ ଚାହୁଁଛି  । ମୁଁ ପୁଣିଥରେ ଆପଣଙ୍କ ଭବ୍ୟ ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି  ।

ଧନ୍ୟବାଦ ।

ଅନେକ ଅନେକ ଧନ୍ୟବାଦ । ଶାଲୋମ୍!

 

**********