ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଭିଡ–19ର ମୁକାବିଲା ପାଇଁ ଜରୁରିକାଳୀନ ଭିତ୍ତିରେ 15 ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଅନୁମୋଦିତ ହୋଇଛି । ଏହି ମଞ୍ଜୁର ଅର୍ଥ କୋଭିଡ–19ର ଜରୁରିକାଳୀନ ମୁକାବିଲା ପାଇଁ 3ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ । ଜରୁରିକାଳୀନ ଭିତ୍ତିରେ 7,774 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଅବଶିଷ୍ଟ ଅର୍ଥ 1ରୁ 4 ବର୍ଷ ମଧ୍ୟରେ ମିଶନମୋଡରେ ଖର୍ଚ୍ଚ କରିବାକୁ ଦିଆଯାଇଛି ।
ଜରୁରିକାଳୀନ ଭିତ୍ତିରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ କୋଭିଡ–19 ସଂକ୍ରମଣ ନିରୂପଣ, ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ଓ ଔଷଧ କ୍ରୟ ଏବଂ ସଂକ୍ରମିତ ରୋଗୀମାନଙ୍କ ଉପଚାର ଦିଗରେ ଖର୍ଚ୍ଚ ହେବ । ଏହାଛଡା ଭବିଷ୍ୟତରେ ଯେପରି ଅଧିକ ରୋଗ ନହୁଏ ତଥା ଅଧିକ ପରୀକ୍ଷାଗାର ନିର୍ମାଣ, ପର୍ଯ୍ୟବେକ୍ଷଣ ଓ ଗବେଷଣା ବାବଦରେ ଖର୍ଚ୍ଚ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅର୍ଥ ଖର୍ଚ୍ଚ ହେବ।
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏଥି ସହିତ ସଂଲଗ୍ନ ଅନ୍ୟ କେତେକ ମନ୍ତ୍ରଣାଳୟ ସହ ମିଶି ନିମ୍ନ ପଦକ୍ଷେପମାନ ନେଇଛନ୍ତି ।
ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଜୁର ଅର୍ଥର ସିଂହଭାଗ ଖର୍ଚ୍ଚ ହେଉଥିବା ବେଳେ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ବିଶ୍ୱମାରୀ ଗବେଷଣା ଦିଗରେ ଖର୍ଚ୍ଚ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ବିଭିନ୍ନ ସଂସ୍ଥା ଯଥା – ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ, ଆଇସିଏମଆର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସେଣ୍ଟ୍ରାଲ ପ୍ରୋକ୍ୟୁରମେଣ୍ଟ, ରେଳବାଇ ପ୍ରଭୃତି ଜରିଆରେ ଏହି ପ୍ୟାକେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ।
*******************