ନମସ୍କାର,
ଆସୋଚାମର ଅଧ୍ୟକ୍ଷ ଶ୍ରୀମାନ ନିରଞ୍ଜନ ହୀରନନ୍ଦାନୀ ଜୀ, ଦେଶର ଉଦ୍ୟୋଗ ଜଗତର ବରିଷ୍ଠ ପ୍ରେରଣା ପୁରୁଷ ଶ୍ରୀମାନ ରତନ ଟାଟା ଜୀ, ଦେଶର ଉଦ୍ୟୋଗ ଜଗତକୁ ନେତୃତ୍ୱ ପ୍ରଦାନ କରୁଥିବା ସମସ୍ତ ସାଥୀଗଣ, ଭାଇ ଓ ଭଉଣୀମାନେ ।
ଆମ ଶାସ୍ତ୍ରରେ କୁହାଯାଇଛି, କୁର୍ବନ୍ନେହ କର୍ମାଣୀ ଜିଜୀ–ବିଶେତ ଶନ୍ତ ସମାଃ! ଅର୍ଥାତ କର୍ମ କରି ଚାଲିବା ସହିତ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଲାଗି ଇଚ୍ଛା ରଖ । ଏ କଥା ଆସୋଚାମ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ । ବିଗତ 100 ବର୍ଷ ଧରି ଆପଣମାନେ ସମସ୍ତେ ଦେଶର ଅର୍ଥବ୍ୟବସ୍ଥା, କୋଟି କୋଟି ଭାରତବାସୀଙ୍କ ଜୀବନରେ ଉନ୍ନତି ଆଣିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଭାରତର ବିକାଶରେ ଟାଟା ପରିବାର, ଟାଟା ସମୂହର ଯୋଗଦାନ ଲାଗି ଆଜି ତାଙ୍କୁ ଏଠାରେ ସମ୍ମାନିତ ମଧ୍ୟ କରାଯାଉଛି । ଟାଟା ଗ୍ରୁପ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
ସାଥୀଗଣ,
ବିଗତ 100 ବର୍ଷ ମଧ୍ୟରେ ଆପଣ ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଦେଶର ବିକାଶର ସମସ୍ତ ଉତ୍ଥାନ ପତନରେ ଭାଗୀଦାର ହୋଇ ରହିଆସିଛନ୍ତି। ଆସୋଚାମ ପ୍ରତିଷ୍ଠା ହେବାର ପ୍ରାରମ୍ଭିକ 27 ବର୍ଷ ପରାଧିନତାର ସମୟ ଥିଲା । ସେତେବେଳେ ଦେଶର ସ୍ୱାଧୀନତା ସବୁଠୁ ବଡ଼ ଲକ୍ଷ୍ୟ ଥିଲା । ସେ ସମୟରେ ଆପଣଙ୍କ ସ୍ୱପ୍ନର ଉଡ଼ାଣ ବେଡ଼ିରେ ବନ୍ଦୀ ହୋଇ ରହିଥିଲା । ଏବେ ଆସୋଚାମର ଜୀବନକାଳରେ ପରବର୍ତ୍ତୀ ଯେଉଁ 27 ବର୍ଷ ଆସିବ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 27 ବର୍ଷ ପରେ 2047ରେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ । ଆପଣଙ୍କ ପାଇଁ କୌଣସି ଅଙ୍କୁଶ ନାହିଁ, ଆକାଶକୁ ଛୁଇଁବାର ଲାଗି ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି ଏବଂ ଆପଣଙ୍କୁ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ହେବ। ଆଗାମୀ ବର୍ଷଗୁଡ଼ିକରେ ଆତ୍ମନିର୍ଭର ଭାରତ ଲାଗି ଆପଣଙ୍କୁ ସମ୍ପୂର୍ଣ୍ଣ ଶକ୍ତି ଖଟାଇବାକୁ ହେବ। ବର୍ତ୍ତମାନ ସମୟରେ ବିଶ୍ୱ ଚତୁର୍ଥ ଶିଳ୍ପ ବିପ୍ଳବ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ନୂଆ ପ୍ରଯୁକ୍ତି ରୂପରେ ଆହ୍ୱାନ ଆସିବ କିନ୍ତୁ ଅନେକ ନୂଆ ସରଳ ସମାଧାନ ମଧ୍ୟ ଆସିବ। ତେଣୁ ବର୍ତ୍ତମାନ ସମୟରେ ଆମକୁ ଏକସଙ୍ଗେ ଯୋଜନା ଏବଂ କାର୍ଯ୍ୟ କରିବାକୁ ହେବ। ଆମକୁ ପ୍ରତ୍ୟେକ ବର୍ଷର, ପ୍ରତ୍ୟେକ ଲକ୍ଷ୍ୟକୁ ରାଷ୍ଟ୍ର ନିର୍ମାଣର ଏକ ବଡ଼ ଲକ୍ଷ୍ୟ ସହିତ ଯୋଡ଼ିବାକୁ ହେବ ।
ସାଥୀଗଣ,
ଆଗାମୀ 27 ବର୍ଷ ଭାରତର ବୈଶ୍ୱିକ ଭୂମିକାକୁ ନିର୍ଦ୍ଧାରଣ କରିବ। ଖାଲି ସେତିକି ନୁହେଁ ଏହା ଆମ ଭାରତୀୟମାନଙ୍କର ସ୍ୱପ୍ନ ଏବଂ ସମର୍ପଣ ଉଭୟ ପାଇଁ ଏକ ପରୀକ୍ଷାର ସମୟ । ଭାରତୀୟ ଉଦ୍ୟୋଗ ରୂପରେ ଆପଣମାନଙ୍କର ସାମର୍ଥ୍ୟ, ପ୍ରତିବଦ୍ଧତା ଏବଂ ସାହସକୁ ଦୁନିଆ ଆଗରେ ପୁଣିଥରେ ବିଶ୍ୱାସର ସହିତ ପ୍ରଦର୍ଶିତ କରିବାର ଏହା ହେଉଛି ଉଚିତ ସମୟ । ଆମ ପାଖରେ କେବଳ ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହି ଲକ୍ଷ୍ୟକୁ କେତେ ଅଧିକ ହାସଲ କରିବା, ତାହା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ।
ସାଥୀଗଣ,
ଭାରତର ସଫଳତାକୁ ନେଇ ଆଜି ଦୁନିଆରେ ଯେତିକି ସକାରାତ୍ମକତା ରହିଛି, ବୋଧହୁଏ ସେତିକି ସକାରାତ୍ମକତା ପୂର୍ବରୁ କେବେ ନଥିଲା। ଏହି ସକାରାତ୍ମକତା 130 କୋଟିରୁ ଅଧିକ ଭାରତୀୟଙ୍କ ଅଭୂତପୂର୍ବ ଆତ୍ମବିଶ୍ୱାସ କାରଣରୁ ଆସିପାରିଛି । ଏବେ ଆଗକୁ ବଢ଼ିବା ଲାଗି ଭାରତ ନୂଆ ରାସ୍ତା ତିଆରି କରୁଛି, ନୂତନ ଉତ୍ସାହର ସହିତ ଆଗକୁ ବଢ଼ୁଅଛି ।
ସାଥୀଗଣ,
ପ୍ରତ୍ୟେକ କ୍ଷେତ୍ର ପାଇଁ ସରକାରଙ୍କର ନୀତି କ’ଣ, ରଣନୀତି କ’ଣ, ପୂର୍ବରୁ ଏବଂ ବର୍ତ୍ତମାନର ସମୟ ମଧ୍ୟରେ କିଭଳି ପରିବର୍ତ୍ତନ ଆସିଛି, ତା’କୁ ନେଇ ବିଗତ ଅଧିବେଶନଗୁଡ଼ିକରେ ସରକାରଙ୍କ ମନ୍ତ୍ରୀ ଏବଂ ଅନ୍ୟ ସାଥୀମାନେ ଆପଣମାନଙ୍କ ସହିତ ବିସ୍ତାର ପୂର୍ବକ ଆଲୋଚନା କରିସାରିଛନ୍ତି । ଏକ ସମୟରେ ଆମ ଦେଶରେ ଯେଉଁ ପରିସ୍ଥିତି ଥିଲା, ସେ ବିଷୟରେ ଜାଣିବା ପରେ କୁହାଯାଉଥିଲା–ଭାରତ କାହିଁକି? ବର୍ତ୍ତମାନ ସମୟରେ ଯେଉଁ ସଂସ୍କାର ଅଣାଯାଇଛି, ତାହାର ପ୍ରଭାବ ଦେଖିବାକୁ ମିଳିଛି, ଏହାପରେ କୁହାଯାଉଛି-‘ଭାରତ କାହିଁକି ନୁହେଁ? ପୂର୍ବରୁ ଯେପରି କୁହାଯାଉଥିଲା ଏତେ ଅଧିକ ଟିକସ ଦର ରହିଛି, ଭାରତ କାହିଁକି? କିନ୍ତୁ ଆଜି ସେହି ଲୋକମାନେ କହୁଛନ୍ତି, ସବୁଠୁ ଅଧିକ ଅନୁକୂଳ ଟିକସ ଦର ଅଛି, ତା’ହେଲେ କାହିଁକି ଭାରତ ନୁହେଁ? ପୂର୍ବରୁ ନିୟମ ଓ କାନୁନର ଜାଲ ରହିଥିଲା। ତେଣୁ ସ୍ୱାଭାବିକ ଭାବେ ଚିନ୍ତାର ସହିତ ନିବେଶକ ପଚାରୁଥିଲେ, ଭାରତ କାହିଁକି? ଆଜି ସେହିମାନେ କହୁଛନ୍ତି ଯେ ଶ୍ରମ ଆଇନରେ ସହଜ ଅନୁପାଳନ ଅଛି, ତା’ହେଲେ ଭାରତ କାହିଁକି ନୁହେଁ? ପୂର୍ବରୁ ପ୍ରଶ୍ନ କରାଯାଉଥିଲା ଏତେ ନାଲିଫିତା ଅଛି, ଭାରତ କାହିଁକି? ଏବେ ସେହି ଲୋକମାନେ ନାଲି ଗାଲିଚା ବିଛା ହୋଇଥିବା ଦେଖି କହୁଛନ୍ତି, ଭାରତ କାହିଁକି ନୁହେଁ? ପୂର୍ବରୁ ଅଭିଯୋଗ ହେଉଥିଲା ଯେ ନବୋନ୍ମେଷର ସଂସ୍କୃତି ନାହିଁ ତା’ହେଲେ ଭାରତ କାହିଁକି? ଏବେ ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମର ଶକ୍ତି ଦେଖି ଦୁନିଆ ବିଶ୍ୱାସର ସହ କହୁଛି, ଭାରତ କାହିଁକି ନୁହେଁ? ପୂର୍ବରୁ ପଚରାଯାଉଥିଲା, ପ୍ରତ୍ୟେକ କାମରେ ଏତେ ସରକାରୀ ହସ୍ତକ୍ଷେପ, ତା’ହେଲେ କାହିଁକି ଭାରତ? ଆଜି ଯେତେବେଳେ ଘରୋଇ ଭାଗିଦାରୀ ଉପରେ ଭରସା କରାଯାଉଛି ବିଦେଶୀ ନିବେଶକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି, ତାହା ଦେଖି ସେହି ଲୋକମାନେ ପଚାରୁଛନ୍ତି, ଭାରତ କାହିଁକି ନୁହେଁ? ପୂର୍ବରୁ ଅଭିଯୋଗ ହେଉଥିଲା ଡିଜିଟାଲ ଭିତ୍ତିଭୂମି ଅଭାବରୁ କାମ କରିବା ସମ୍ଭବ ନୁହେଁ, ତେଣୁ ଭାରତ କାହିଁକି? ଆଜି ଯେତେବେଳେ ଏତେ ଆଧୁନିକ ଡିଜିଟାଲ ବ୍ୟବସ୍ଥା ଆମ ଦେଶରେ ବିକଶିତ ହୋଇଛି ସେମାନଙ୍କର ଭାବନା ବଦଳିଯାଇଛି, ଭାରତ କାହିଁକି ନୁହେଁ?
ସାଥୀଗଣ,
ନୂତନ ଭାରତ, ନିଜର ସାମର୍ଥ୍ୟ ଉପରେ ଭରସା କରି, ନିଜର ସମ୍ଭାବନା ଉପରେ ଭରସା କରି ଆତ୍ମନିର୍ଭର ଭାରତକୁ ଆଗକୁ ବଢ଼ାଉଛି। ଏବଂ ଏହି ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଉତ୍ପାଦନ ଉପରେ ଆମେ ବିଶେଷ ଗୁରୁତ୍ୱାରୋପ କରୁଛୁ। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଆମ ସରକାର ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଂସ୍କାର ସହିତ–ପୁରସ୍କାରକୁ ଆଜି ଦେଶର ନୀତିର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ କରାଯାଇଛି । ପ୍ରଥମ ଥର 10ରୁ ଅଧିକ କ୍ଷେତ୍ରକୁ ଦକ୍ଷତା ଏବଂ ଉତ୍ପାଦକତା ଆଧାରିତ ପ୍ରୋତ୍ସାହନ ପରିଧି ମଧ୍ୟକୁ ଅଣାଯାଇଛି । ମୁଁ ଆନନ୍ଦିତ ଯେ ଖୁବ କମ ସମୟରେ ହିଁ ଏହାର ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଲାଣି। ସେହିପରି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ଉନ୍ନତ ସୁବିଧା ଏବଂ ଲଜିଷ୍ଟିକ୍ସକୁ ପ୍ରତିଦ୍ୱନ୍ଦ୍ୱିତା ମୂଳକ କରିବା ଲାଗି ଜାରି ରହିଥିବା ପ୍ରୟାସ ଉଦ୍ୟୋଗ ଜଗତ ପାଇଁ ଏକ ପ୍ରେତ୍ସାହନ। ଆମର ଲକ୍ଷ ଲକ୍ଷ ଏମଏସଏମଇଗୁଡ଼ିକର ପରିଭାଷା ବଦଳାଇବା ହେଉ, ସେଗୁଡ଼ିକର ବର୍ଗରେ ପରିବର୍ତ୍ତନ ଆଣିବା ହେଉ, ସରକାରୀ ଚୁକ୍ତିରେ ପ୍ରାଥମିକତା ଦେବା ହେଉ କିମ୍ବା ପୁଣି ନଗଦ ସହିତ ଜଡ଼ିତ ସମସ୍ୟା ସମାଧାନ କରିବା ହେଉ, ଏହା ମଧ୍ୟ ବହୁତ ବଡ଼ ପ୍ରୋତ୍ସାହନ ।
ସାଥୀଗଣ,
ଦେଶ ଆଜି କୋଟି କୋଟି ଯୁବକମାନଙ୍କୁ ସୁଯୋଗ ଦେଉଥିବା ଉଦ୍ୟୋଗ ଏବଂ ସମ୍ପତ୍ତି ସୃଷ୍ଟିକାରୀଙ୍କ ସହିତ ରହିଛି । ଆଜି ଭାରତର ଯୁବପିଢ଼ି ନବୋନ୍ମେଷର ଷ୍ଟାର୍ଟଅପ ଦୁନିଆରେ ନାଁ କମାଉଛନ୍ତି । ସରକାରୀ ସ୍ତରରେ ଏକ ଦକ୍ଷ ଏବଂ ଅନୁକୂଳ ଇକୋସିଷ୍ଟମ ପ୍ରସ୍ତୁତ କରିବା ନିମନ୍ତେ ନିରନ୍ତର ପ୍ରୟାସ କରାଯାଉଛି। ଏବେ ଆସୋଚାମ ଭଳି ଆସୋସିଏସନକୁ, ଆପଣଙ୍କର ସମସ୍ତ ସଦସ୍ୟମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଏହାର ଲାଭ ମଧ୍ୟ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚୁ । ଏଥିପାଇଁ ଉଦ୍ୟୋଗ ମଧ୍ୟରେ ଆପଣଙ୍କୁ ସଂସ୍କାରକୁ ଆହୁରି ପ୍ରୋତ୍ସାହିତ କରିବାକୁ ହେବ । ଯେଉଁ ପରିବର୍ତ୍ତନ ଆମେ ନିଜ ପାଇଁ ଦେଖିବାକୁ ଚାହୁଁଛୁ, ସେହି ପରିବର୍ତ୍ତନ ଆମେ ଆମ ସ୍ଥାନରେ ମଧ୍ୟ କରିବା ଉଚିତ । ଯେତିକି ସ୍ୱାଧୀନତା, ଯେତିକି ସମାବେଶନ, ଯେତିକି ହ୍ୟାଣ୍ଡହୋଲ୍ଡିଂ, ସେତିକି ପାରଦର୍ଶିତା ଆପଣମାନେ ସରକାରଙ୍କ ଠାରୁ ଚାହୁଁଛନ୍ତି, ସମାଜ ଠାରୁ ଚାହୁଁଛନ୍ତି, ସେତିକି ନିଜ ଉଦ୍ୟୋଗ ଭିତରେ ମହିଳାଙ୍କ ପାଇଁ, ଯୁବ ପ୍ରତିଭାଙ୍କ ପାଇଁ, କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଆମ ସମସ୍ତଙ୍କୁ ସୁନିଶ୍ଚିତ କରିବାକୁ ହେବ । ଆମକୁ କର୍ପୋରେଟ ପ୍ରଶାସନ ଠାରୁ ଆରମ୍ଭ କରି ଲାଭ ପରିବର୍ତ୍ତନ କରିବା ପର୍ଯ୍ୟନ୍ତ, ବିଶ୍ୱର ଶ୍ରେଷ୍ଠ ପ୍ରଚଳନକୁ ଶୀଘ୍ରାତିଶୀଘ୍ର ଆପଣାଇବାକୁ ହେବ। ଲାଭ କୈନ୍ଦ୍ରିକ ଆଭିମୁଖ୍ୟ ସହିତ ଆମକୁ ତାହାକୁ ଉଦ୍ଦେଶ୍ୟ ଆଧାରିତ ମଧ୍ୟ କଲେ, ସମାଜ ସହିତ ଅଧିକ ସଂଯୋଜନ ସମ୍ଭବ ହୋଇପାରିବ ।
ସାଥୀଗଣ,
ଆପଣଙ୍କ ଠାରୁ ଏହାକୁ କିଏ ଭଲ ଭାବେ ବୁଝିପାରିବ ଯେ ସଚ୍ଚୋଟ ମତର ଉନ୍ନତ ନିର୍ଣ୍ଣୟ ପ୍ରକ୍ରିୟାରେ କେତେ ବଡ଼ ଭୂମିକା ରହିଛି । ଅନେକ ଥର ଲୋକମାନେ ଭେଟନ୍ତି, ସେମାନେ କୁହନ୍ତି ଯେ ଏହି ଶେୟାର ଭଲ, ଏହି କ୍ଷେତ୍ର ଭଲ, ଏଥିରେ ଇନଭେଷ୍ଟ କରି ଦିଅନ୍ତୁ । କିନ୍ତୁ ଆମେ ପ୍ରଥମେ ଏହା ଦେଖିଥାଉ ଯେ ପରାମର୍ଶ ଦେଉଥିବା ଲୋକ, ପ୍ରଶଂସା କରୁଥିବା ଲୋକ ନିଜେ ସେଥିରେ ନିବେଶ କରୁଛି କି ନାହିଁ? ଏହି ସୂତ୍ର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଲାଗୁ ହୋଇଥାଏ। ଆଜି ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ସାରା ବିଶ୍ୱର ଭରସା ରହିଛି, ତାହାର ଅନେକ ପ୍ରମାଣ ଅଛି। ମହାମାରୀ ସମୟରେ ଯେତେବେଳେ ସାରା ବିଶ୍ୱ ନିବେଶକୁ ନେଇ ଚିନ୍ତିତ ଥିଲା, ସେତେବେଳେ ଭାରତରେ ରେକର୍ଡ ଏଫଡିଆଇ ଏବଂ ପିଏଫଆଇ ନିବେଶ ହୋଇଛି । ବିଶ୍ୱର ଏହି ଆତ୍ମବିଶ୍ୱାସ ନୂଆ ସ୍ତରରେ ପହଞ୍ଚୁ, ସେଥିପାଇଁ ଘରୋଇ ସ୍ତରରେ ମଧ୍ୟ ଆମକୁ ନିଜର ନିବେଶକୁ ଅନେକ ଗୁଣା ବଢ଼ାଇବାର ଆବଶ୍ୟକତା ରହିଛି । ଆଜି ଆପଣମାନଙ୍କ ପାଖରେ ପ୍ରତ୍ୟେକ କ୍ଷେତ୍ରରେ ନିବେଶ ଲାଗି ସମ୍ଭାବନା ମଧ୍ୟ ରହିଛି ଏବଂ ନୂଆ ଅବସର ମଧ୍ୟ ରହିଛି ।
ସାଥୀଗଣ,
ନିବେଶର ଆଉ ଗୋଟିଏ ପକ୍ଷ ମଧ୍ୟ ରହିଛି ଯାହା ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ ଅଟେ। ତାହା ହେଉଛି ଗବେଷଣା ଏବଂ ବିକାଶ–ଆରଆଣ୍ଡଡି କ୍ଷେତ୍ରରେ ହେଉଥିବା ନିବେଶ। ଭାରତରେ ଆରଆଣ୍ଡଡି ଉପରେ ନିବେଶ ବଢ଼ାଇବା ଲାଗି ଅତ୍ୟନ୍ତ ଜରୁରି ହୋଇପଡ଼ିଛି। ଆମେରିକା ଭଳି ଦେଶରେ ଯେଉଁଠି ଆରଆଣ୍ଡଡି ଉପରେ ଘରୋଇ କ୍ଷେତ୍ରର 70% ନିବେଶ ହେଉଛି, ଆମ ଦେଶରେ ସେତିକି ନିବେଶ ସରକାରୀ କ୍ଷେତ୍ର ଦ୍ୱାରା କରାଯାଉଛି । ସେଥିରୁ ମଧ୍ୟ ବହୁତ ବଡ଼ ଭାଗ ଆଇଟି ଫାର୍ମା ଏବଂ ପରିବହନ କ୍ଷେତ୍ରରେ ହେଉଛି । ଅର୍ଥାତ ଆରଆଣ୍ଡଡି କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀ ବଢ଼ାଇବା ବର୍ତ୍ତମାନ ସମୟର ଆବଶ୍ୟକତା । କୃଷି, ପ୍ରତିରକ୍ଷା, ମହାକାଶ, ଶକ୍ତି, ନିର୍ମାଣ ଅର୍ଥାତ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଛୋଟବଡ଼ କମ୍ପାନୀକୁ ଗବେଷଣା ଓ ବିକାଶ ନିମନ୍ତେ ଏକ ନିଶ୍ଚିତ ପରିମାଣ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ।
ସାଥୀଗଣ,
ଆଜି ଯେତେବେଳେ ଲୋକାଲକୁ ଗ୍ଲୋବାଲ କରିବା ଲାଗି ଆମେ ମିଶନ ମୋଡରେ ଆଗକୁ ବଢ଼ୁଛୁ, ଆମକୁ ପ୍ରତ୍ୟେକ ଭୂରାଜନୈତିକ ବିକାଶ ଉପରେ ଦ୍ରୁତ ଗତିରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ହେବ। ବିଶ୍ୱ ଯୋଗାଣ ଶୃଙ୍ଖଳରେ ଆସୁଥିବା ଚାହିଦାକୁ ଭାରତ କିପରି ଭାବେ ପୂରଣ କରିବ, ସେଥିପାଇଁ ଏକ ପ୍ରଭାବୀ ବ୍ୟବସ୍ଥା ରହିବା ଜରୁରି। ଏଥିରେ ଆପଣ ବିଦେଶ ମନ୍ତ୍ରଣାଳୟର ସହାୟତା ମଧ୍ୟ ନେଇପାରିବେ । କୋଭିଡର ଏହି ସଂକଟ କାଳରେ ଆମେ ଦେଖିଛୁ ଯେ ବିଦେଶ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ନେଟୱର୍କକୁ ଉପଯୋଗ କରାଯିବା ଦ୍ୱାରା କିପରି ଭାବେ ଆମେ ଦ୍ରୁତ ଗତିରେ ଆମର ଲକ୍ଷ୍ୟ ହାସଲ କରୁଛୁ । ବିଦେଶ ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ବ୍ୟାପାର ଓ ଆସୋଚାମ ଭଳି ଶିଳ୍ପ ସଂଗଠନ ମଧ୍ୟରେ ଉନ୍ନତ ତାଳମେଳ ବର୍ତ୍ତମାନ ସମୟର ଆବଶ୍ୟକତା। ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ବୈଶ୍ୱିକ ପରିବର୍ତ୍ତନ ଉପରେ ଦ୍ରୁତଗତିରେ ପ୍ରତିକ୍ରିୟା ପ୍ରକାଶ କରିବା ଲାଗି, ଦ୍ରୁତ ଗତିରେ ଜବାବ ଦେବା ନିମନ୍ତେ କିଭଳି ଭାବେ ଏକ ମେକାନିଜମ ବିକଶିତ ହୋଇପାରିବ, ସେଥିପାଇଁ ଆପଣମାନେ ଆମକୁ ନିଶ୍ଚିତ ଭାବେ ପରାମର୍ଶ ଦିଅନ୍ତୁ । ଆପଣମାନଙ୍କ ପରାମର୍ଶ ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ ।
ସାଥୀଗଣ,
ଭାରତ ନିଜର ଆବଶ୍ୟକତାକୁ ପୂରଣ କରି ବିଶ୍ୱର ସହାୟତା କରିବାକୁ ସକ୍ଷମ। କୃଷି ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, ଭାରତ ଏହା କରି ଦେଖାଇଛି। କରୋନା କାଳରେ ମଧ୍ୟ ବିଭିନ୍ନ ସମସ୍ୟା ରହିଥିବା ସତ୍ତ୍ୱେ ଭାରତ ଫାର୍ମାସୀ ଅଫ ଦ ୱାର୍ଲ୍ଡର ଗୁରୁଦାୟିତ୍ୱ ନିର୍ବାହ କରି ସାରା ବିଶ୍ୱରେ ଜରୁରି ଔଷଧ ପହଞ୍ଚାଇଛି। ଏବେ ଟିକା ମାମଲାରେ ମଧ୍ୟ ଭାରତ ନିଜର ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱର ଅନେକ ଦେଶର ଆଶାକୁ ମଧ୍ୟ ପୂରଣ କରିପାରିବ।
ସାଥୀଗଣ,
ଗ୍ରାମୀଣ ଏବଂ ସହରାଞ୍ଚଳ ମଧ୍ୟରେ ତାରତମ୍ୟକୁ ହ୍ରାସ କରିବା ଲାଗି ଯେଉଁ ପ୍ରୟାସ ବିଗତ ଛଅ ବର୍ଷ ଧରି ସରକାର କରି ଆସୁଛନ୍ତି, ଶିଳ୍ପ ଜଗତ ସେହି ପ୍ରୟାସକୁ ବହୁଗୁଣିତ କରିପାରିବ। ଆସୋଚାମର ସଦସ୍ୟ ଆମର ଗ୍ରାମାଞ୍ଚଳର ଉତ୍ପାଦକୁ ଗ୍ଲୋବାଲ ପ୍ଲାଟଫର୍ମ ପ୍ରଦାନ କରିବାରେ ଅଧିକ ସହାୟତା କରିପାରିବେ। ଆଜିକାଲି ଆପଣମାନେ ଦେଖୁଥିବେ ଯେ କୌଣସି ଗୋଟିଏ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ ଗୋଟିଏ ଖାଦ୍ୟସାମଗ୍ରୀରେ ଅଧିକ ପ୍ରୋଟିନ ରହିଛି ଏବଂ ତାହା ଅତ୍ୟନ୍ତ ଉପାଦେୟ, ତେଣୁ ଲୋକମାନେ ତାହାକୁ ଖାଇବା ଆରମ୍ଭ କରି ଦେଉଛନ୍ତି। ଆମେ ସେଗୁଡ଼ିକୁ ଆମଦାନୀ କରିବା ଆରମ୍ଭ କରିଦେଇଥାଉ। ଆମକୁ ଜଣାନଥାଏ ଯେ ଆମ ଘରେ ଆମ ଟେବୁଲ ଉପରେ ଆମ ଥାଳିରେ କିପରି ଭାବେ ବିଦେଶୀ ସାମଗ୍ରୀ ସବୁ ପଶିଆସିଛି । ଆମ ଦେଶରେ ମଧ୍ୟ ସେପରି ସାମଗ୍ରୀର କେତେ ବଡ଼ ଭଣ୍ଡାର ରହିଛି ତାହା ଆମକୁ ଜଣାନଥାଏ । ଏହି ଭଣ୍ଡାର, ଦେଶର କୃଷକମାନଙ୍କ ପାଖରେ, ଗ୍ରାମାଞ୍ଚଳରେ ରହିଛି । ଆମର ଜୈବିକ କୃଷି, ଔଷଧିୟ ଉତ୍ପାଦ, ଏପରି ଅନେକ ସାମଗ୍ରୀ ରହିଛି ଯାହାକୁ ଆସୋଚାମ ଦ୍ୱାରା ପ୍ରମୋଟ କରାଯିବା ଉଚିତ, ସାରା ବିଶ୍ୱର ବଜାରରେ ଭାରତୀୟ ଫସଲର ପ୍ରସିଦ୍ଧି ରହିବା ଉଚିତ। ଏହା ସହ ଜଡ଼ିତ ପ୍ରତିଦ୍ୱନ୍ଦ୍ୱିତା ଏବଂ ଏଥିପାଇଁ ଲଗାତାର ପ୍ରତିଯୋଗିତା ହେବାର ଆବଶ୍ୟକତା ରହିଛି । ଏହାର ପ୍ରଚାର–ପ୍ରସାର କରି, ଏହା ସହ ଜଡ଼ିତ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦେଇ, ଆପଣମାନେ ଏହା କରିପାରିବେ । ଭାରତ ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, କୃଷି ସଂଗଠନ ହୁଅନ୍ତୁ, ସମସ୍ତେ ମିଶି ଏ ଦିଗରେ କାମ କରିବାର ଆବଶ୍ୟକତା ରହିଛି । ଯଦି ଆମର କୃଷି କ୍ଷେତ୍ରକୁ ଉନ୍ନତ ପ୍ରୋତ୍ସାହନ ମିଳିବ, ଉନ୍ନତ ଭିତ୍ତିଭୂମି ମିଳିବ, ଉନ୍ନତ ବଜାର ସୁବିଧା ମିଳିବ, ତା’ହେଲେ ଆମର ସମ୍ପୂର୍ଣ୍ଣ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉଚ୍ଚତାର ଶୀଖର ଛୁଇଁପାରିବ ।
ସାଥୀଗଣ,
ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଟଳ ଜୀ ଭାରତକୁ ରାଜପଥ ମାଧ୍ୟମରେ ଯୋଡ଼ିବା ଲାଗି ଲକ୍ଷ୍ୟ ରଖିଥିଲେ । ଆଜି ଦେଶରେ ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ଗ୍ରାମାଞ୍ଚଳର କୃଷକମାନେ କିଭଳି ଭାବେ ଡିଜିଟାଲ ମାଧ୍ୟମରେ ବିଶ୍ୱ ବଜାର ପହଞ୍ଚି ପାରିବେ, ସେଥିପାଇଁ ଆମେ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପହଞ୍ଚାଇବା ଲାଗି ଚେଷ୍ଟା କରୁଛୁ । ଏହିପରି ଭାବେ ଆମର ଆଇଟି କ୍ଷେତ୍ରକୁ ଆହୁରି ଶକ୍ତି ଦେବା ଲାଗି ଆଇଟି ଏବଂ ବିପିଓ କ୍ଷେତ୍ରର ବାଧାକୁ ମଧ୍ୟ ଦୂର କରାଯାଇଛି। ଡିଜିଟାଲ କ୍ଷେତ୍ରର ସୁରକ୍ଷା ନିମନ୍ତେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି ।
ସାଥୀଗଣ,
ଉନ୍ନତ ଭିତ୍ତିଭୂମି ନିର୍ମାଣ ଲାଗି ପାଣ୍ଠି ଯୋଗାଣ ସହ ଜଡ଼ିତ ପ୍ରତ୍ୟେକ ଦିଗକୁ ଉପଯୋଗ କରାଯାଇପାରିବ। ସରକାରୀ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବା, ବଣ୍ଡ ମାର୍କେଟର ସମ୍ଭାବନାକୁ ବଢ଼ାଇବା, ଏହା ସେହି ଦିଗରେ କରାଯାଉଥିବା ପ୍ରୟାସ । ସେହିପରି ସୋଭରେନ ସମ୍ପତ୍ତି ପାଣ୍ଠି ଏବଂ ପେନସନ ପାଣ୍ଠିକୁ ଟିକସରେ ରିହାତି ଦିଆଯାଉଛି ।
ଆରଇଆଇଟି ଏବଂ ଆଇନଭିଆଟିଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଭିତ୍ତିଭୂମି ସହ ଜଡ଼ିତ ସମ୍ପତ୍ତିଗୁଡ଼ିକର ମଧ୍ୟ ମୌଦ୍ରୀକରଣ କରାଯାଉଛି ।
ସାଥୀଗଣ,
ଜରୁରି ସୁବିଧା ଦେବା, ସଠିକ ପରିବେଶ ସୃଷ୍ଟି କରିବା କାର୍ଯ୍ୟ ସରକାର କରିପାରିବେ। ସରକାର ପ୍ରୋତ୍ସାହନ ଦେଇପାରିବେ, ନୀତିରେ ପରିବର୍ତ୍ତନ ମଧ୍ୟ କରିପାରିବେ। କିନ୍ତୁ ଶିଳ୍ପ ଜଗତ ସହିତ ଜଡ଼ିତ ଆପଣମାନେ ସାଥୀଗଣ ଏହି ସମର୍ଥନକୁ ସଫଳତାରେ ବଦଳାଇପାରିବେ। ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର କରିବା ଲାଗି ନିୟମକାନୁନରେ ଜରୁରି ପରିବର୍ତ୍ତନ ଆଣିବା ଲାଗି ଦେଶ ସଂକଳ୍ପ କରିସାରିଛି, ଦେଶ ଏଥିପାଇଁ ପ୍ରତିବଦ୍ଧ ଅଟେ । ବିଗତ 6 ବର୍ଷରେ ଆମେ 1500ରୁ ଅଧିକ ପୁରୁଣା ଆଇନ ଉଚ୍ଛେଦ କରିସାରିଛୁ। ଦେଶର ଆବଶ୍ୟକତାକୁ ଦେଖି ନୂଆ ଆଇନ ତିଆରି କରିବାର କାମ ମଧ୍ୟ ନିରନ୍ତର ଜାରି ରହିଛି। ଛଅ ମାସ ପୂର୍ବରୁ ଯେଉଁସବୁ କୃଷି ସଂସ୍କାର ଅଣାଯାଇଥିଲା, ସେଗୁଡ଼ିକର ଅନେକ ଲାଭ ମଧ୍ୟ ଏବେ କୃଷକମାନଙ୍କୁ ମିଳିବା ଆରମ୍ଭ କରିଛି । ଆମ ସମସ୍ତଙ୍କୁ ଆତ୍ମନିର୍ଭର ଭାରତ ନିର୍ମାଣରେ ଏକନିଷ୍ଠ ହୋଇ, ସଂକଳ୍ପର ସହିତ ଆଗକୁ ବଢ଼ିବାକୁ ହେବ। ଆପଣମାନେ ଆସୋଚାମର ସାଥୀଗଣଙ୍କୁ, ଆଗାମୀ ବର୍ଷଗୁଡ଼ିକ ପାଇଁ ମୋ ପକ୍ଷରୁ ଅନେକ ଅନେକ ଶୁଭକାମନା, ଶ୍ରୀମାନ ରତନ ଟାଟା ଜୀଙ୍କୁ ମୋ ପକ୍ଷରୁ ଅନେକ ଅନେକ ଶୁଭକାମନା ଏବଂ ଆସୋଚାମ ନୂତନ ଉଚ୍ଚତାକୁ ପାର କରୁ ଏବଂ 2047ରେ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଆପଣମାନଙ୍କ ଲାଗି ପରବର୍ତ୍ତୀ 27 ବର୍ଷର ସେହି ଲକ୍ଷ୍ୟକୁ ନେଇ ଆଜି ଆପଣମାନଙ୍କର ଏହି ଶତାବ୍ଦୀ ସମାରୋହ ସଫଳତା ପୂର୍ବକ ସମ୍ପନ୍ନ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନେକ ଅନେକ ଧନ୍ୟବାଦ।
ଧନ୍ୟବାଦ!
***********
बीते 100 सालों से आप सभी देश की Economy को, करोड़ों भारतीयों के जीवन को बेहतर बनाने में जुटे हैं: PM @narendramodi speaks about @ASSOCHAM4India and the @TataCompanies
— PMO India (@PMOIndia) December 19, 2020
अब आने वाले वर्षों में आत्मनिर्भर भारत के लिए आपको पूरी ताकत लगा देनी है।
— PMO India (@PMOIndia) December 19, 2020
इस समय दुनिया चौथी औद्योगिक क्रांति की तरफ तेज़ी से आगे बढ़ रही है।
नई टेक्नॉलॉजी के रूप में Challenges भी आएंगे और अनेक Solutions भी: PM @narendramodi
इसलिए आज वो समय है, जब हमें प्लान भी करना है और एक्ट भी करना है।
— PMO India (@PMOIndia) December 19, 2020
हमें हर साल के, हर लक्ष्य को Nation Building के एक Larger Goal के साथ जोड़ना है: PM @narendramodi
आने वाले 27 साल भारत के Global Role को ही तय नहीं करेंगे, बल्कि ये हम भारतीयों के Dreams और Dedication, दोनों को टेस्ट करेंगे।
— PMO India (@PMOIndia) December 19, 2020
ये समय भारतीय इंडस्ट्री के रूप में आपकी Capability, Commitment और Courage को दुनिया भर को दिखा देने का है: PM @narendramodi
हमारा चैलेंज सिर्फ आत्मनिर्भरता ही नहीं है। बल्कि हम इस लक्ष्य को कितनी जल्दी हासिल करते हैं, ये भी उतना ही महत्वपूर्ण है: PM @narendramodi
— PMO India (@PMOIndia) December 19, 2020
एक जमाने में हमारे यहां जो परिस्थितियां थीं, उसके बाद कहा जाने लगा था- Why India.
— PMO India (@PMOIndia) December 19, 2020
अब जो Reforms देश में हुए हैं, उनका जो प्रभाव दिखा है, उसके बाद कहा जा रहा है- ‘Why not India’: PM @narendramodi
नया भारत, अपने सामर्थ्य पर भरोसा करते हुए, अपने संसाधनों पर भरोसा करते हुए आत्मनिर्भर भारत को आगे बढ़ा रहा है।
— PMO India (@PMOIndia) December 19, 2020
और इस लक्ष्य की प्राप्ति के लिए मैन्युफेक्चरिंग पर हमारा विशेष फोकस है।
मैन्युफेक्चरिंग को बढ़ावा देने के लिए हम निरंतर Reforms कर रहे हैं: PM @narendramodi
देश आज करोड़ों युवाओं को अवसर देने वाले Enterprise और Wealth Creators के साथ है: PM @narendramodi
— PMO India (@PMOIndia) December 19, 2020
निवेश का एक और पक्ष है जिसकी चर्चा आवश्यक है।
— PMO India (@PMOIndia) December 19, 2020
ये है रिसर्च एंड टेवलपमेंट- R&D, पर होने वाला निवेश।
भारत में R&D पर निवेश बढ़ाए जाने की जरूरत है: PM @narendramodi
21वीं सदी की शुरुआत में अटल जी ने भारत को highways से connect करने का लक्ष्य रखा था।
— PMO India (@PMOIndia) December 19, 2020
आज देश में Physical और Digital Infrastructure पर विशेष फोकस किया जा रहा है: PM @narendramodi
Speaking at the #ASSOCHAMFoundationWeek. Watch. https://t.co/faC1nltKrJ
— Narendra Modi (@narendramodi) December 19, 2020