Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ;


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 19 ଜାନୁଆରୀ, 2019ରେ ବାରାଣସୀ ଗସ୍ତ କରିବେ । ସେଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ।

ପ୍ରଧାନମନ୍ତ୍ରୀ ବାରାଣସୀର ଡିଜେଲ ଲୋକୋମୋଟିଭ ୱାର୍କସ୍ ଠାରେ ସର୍ବପ୍ରଥମ ଡିଜେଲରୁ ବିଦ୍ୟୁତକୁ ପରିବର୍ତ୍ତିତ ଲୋକୋମୋଟିଭ ଇଞ୍ଜିନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ଲୋକୋମୋଟିଭର ଅନୁଧ୍ୟାନ କରିବେ ଏବଂ ପ୍ରଦର୍ଶନୀ ପରିଦର୍ଶନ କରିବେ ।

ଡିଜେଲ ଲୋକୋମୋଟିଭ ୱାର୍କସ ଦୁଇଟି ଡବ୍ଲୁଡିଜି 3 ଏ ଡିଜେଲ ଇଞ୍ଜିନକୁ 10 ହଜାର ଅଶ୍ୱଶକ୍ତି ବିଶିଷ୍ଟ ଦ୍ୱୈତ ଇଲେକଟ୍ରିକ ଡବ୍ଲୁଏଜିଜି 3 ଲୋକୋରେ ପରିବର୍ତ୍ତିତ କରିଛି । ଏହା ‘ମେକ ଇନ ଇଣ୍ଡିଆ’ ଅଭିଯାନ ଅନ୍ତର୍ଗତ ଭାରତୀୟ ଗବେଷଣା ଏବଂ ବିକାଶ ନବୋନ୍ମେଷ ଜରିଆରେ କରାଯାଇଛି । ପରିବର୍ତ୍ତିତ ଇଞ୍ଜିନରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ହ୍ରାସ ପାଇବ ଏବଂ ଭାରତୀୟ ରେଳ ପାଇଁ ପ୍ରଭାବୀ ଇଞ୍ଜିନ ପ୍ରସ୍ତୁତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀଗୋବର୍ଦ୍ଧନପୁରରେ ଶ୍ରୀଗୁରୁ ରବିଦାନ ଜନ୍ମସ୍ଥାନ ମନ୍ଦିରରେ ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନବନିର୍ମିତ ମଦନମୋହନ ମାଲବୀୟ କ୍ୟାନସର କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ । ଏହି ହସପିଟାଲ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ ସହିତ ନେପାଳ ଭଳି ପଡ଼ୋଶୀ ଦେଶର ରୋଗୀଙ୍କୁ ଶସ୍ତାରେ କ୍ୟାନସର ଚିକିତ୍ସା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ହୋମି ଭାବା କ୍ୟାନସର ହସପିଟାଲ, ଲେହରତାରାର ମଧ୍ୟ ଉଦଘାଟନ କରିବେ । ଏହି ଦୁଇଟି କ୍ୟାନସର ହସପିଟାଲର ଉଦଘାଟନ ଜରିଆରେ ବାରାଣସୀ କ୍ୟାନସର ସମ୍ବନ୍ଧୀୟ ରୋଗର ଉନ୍ନତ ଚିକିତ୍ସା ଲାଗି ମହତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବ ।

ପ୍ରଧାନମନ୍ତ୍ରୀ ପ୍ରଥମ ନୂଆ ଭାଭାଟ୍ରନ ପ୍ରିସିଜନ ଟେକନୋଲଜି (ମଲ୍ଟି ଲିଫ କୋଲିମେଟର) କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପ୍ରତିମୂର୍ତ୍ତି ଏବଂ ବାରାଣସୀ ଘାଟର ଭିତ୍ତିଚିତ୍ରକୁ ଅନାବରଣ କରିବେ । ସେ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ- ଜନଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବେ ।

ଏହା ପରେ ବାରାଣସୀର ଓରେ ଗ୍ରାମରେ ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ, ବାରାଣାସୀ ଏବଂ ପାଶ୍ୱର୍ବର୍ତ୍ତୀ ଇଲାକାରେ ସ୍ୱାସ୍ଥ୍ୟ ଏବଂ ଅନ୍ୟ ସୁବିଧାକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ । ସେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଂଟନ କରିବେ । ସେ ଦିବ୍ୟାଙ୍ଗଜନଙ୍କୁ ସହାୟକ ଉପକରଣ ବିତରଣ କରିବେ । ପରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବେ ।