Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ‘ଓଖି’ ବାତ୍ୟା ପ୍ରଭାବିତ ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ଓ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ୱୀପ, ତାମିଲନାଡ଼ୁ ଏବଂ କେରଳ ଗସ୍ତରେ ଯିବେ । ‘ଓଖି’ ବାତ୍ୟା ପରେ ଦେଖାଦେଇଥିବା ପରିସ୍ଥିତିର ସେ ସମୀକ୍ଷା କରିବା ସହିତ କାଭାରାତି, କନ୍ୟାକୁମାରୀ ଏବଂ ଥିରୁବନନ୍ତପୁରମରେ ରିଲିଫ ତଥା ଉଦ୍ଧାର କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ସରକାରୀ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମତ୍ସ୍ୟଜୀବୀ, କୃଷକଙ୍କ ସମେତ ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ମଧ୍ୟ ସେ ଭେଟିବେ ।

ଗତ ନଭେମ୍ବର 30 ତାରିଖରେ ଆରବ ସାଗରରେ ଆସିଥିବା ଅଚାନକ ବାତ୍ୟା ‘ଓଖି’ କେରଳ, ତାମିଲନାଡ଼ୁ ଏବଂ ଲାକ୍ଷାଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । କେରଳରେ 70 ଏବଂ ତାମିଲନାଡ଼ୁରେ 18 ଜଣଙ୍କୁ ମିଶାଇ ଏହି ବାତ୍ୟା ଯୋଗୁ 88 ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏବେସୁଦ୍ଧା ସମୁଦ୍ରରେ ନିଖୋଜ ହୋଇଥିବା ଅନେକ ଲୋକଙ୍କ ସନ୍ଧାନ ମିଳିପାରିନାହିଁ ।

29 ନଭେମ୍ବର ଦିନ କନ୍ୟାକୁମାରୀ ଠାରୁ 500 କିମି ଦୂର ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ଉପକୂଳର ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଅବପାତ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମଡି) ପକ୍ଷରୁ ପ୍ରଥମେ ସମାଚାର ଜାରି କରାଯାଇଥିଲା । ସାମ୍ଭାବ୍ୟ ବାତ୍ୟା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ 29 ନଭେମ୍ବରରେ କେରଳ ମୁଖ୍ୟ ଶାସନସଚିବଙ୍କୁ ଏକ ସତର୍କ ସୂଚନା ଦିଆଯାଇଥିଲା ।
କେନ୍ଦ୍ର ଏବଂ ରାଜ୍ୟସ୍ତରରେ ଥିବା ସରକାରୀ ସଂସ୍ଥା ତୁରନ୍ତ ସକ୍ରିୟ ହୋଇଯାଇଥିଲେ । ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିଲା ଏବଂ ଅନୁଧ୍ୟାନ ତଥା ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା । ତଟରକ୍ଷୀ ବାହିନୀ, ବାୟୁସେନା, ନୌସେନା, ଏନଡିଆରଏଫ ଏବଂ ସ୍ଥାନୀୟ ସରକାରୀ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ଉଭୟ ତାମିଲନାଡ଼ୁ ଏବଂ କେରଳରେ ଦୁଇଟି ଲେଖାଏଁ ଏନଡିଆରଏଫ ଦଳକୁ ନିୟୋଜିତ କରାଯାଇଥିଲା । ଗୁଜରାଟରେ ଏନଡିଆରଏଫର 7ଟି ଦଳ ଏବଂ ମହାରାଷ୍ଟ୍ରରେ 3ଟି ଦଳକୁ ଆଗୁଆ ନିୟୋଜିତ କରାଯାଇ ବାତ୍ୟା ‘ଓଖି’ର ମୁକାବିଲା ପାଇଁ ସଜାଗ ରଖାଯାଇଥିଲା ।

ଏବେ ସୁଦ୍ଧା ତାମିଲନାଡ଼ୁର 220 ଜଣ, କେରଳର 309 ଜଣ ଏବଂ ଲାକ୍ଷାଦ୍ୱୀପର 367 ଜଣ ଲୋକଙ୍କୁ ଉଦ୍ଧାର କରାଯାଇସାରିଛି । ବାତ୍ୟା ପ୍ରଭାବିତ ଅଂଚଳର ପାଖାପାଖି 12 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଡିସେମ୍ବର 3 ତାରିଖରେ ତାମିଲନାଡ଼ୁ, କେରଳ ଏବଂ କର୍ଣ୍ଣାଟକର 250 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ଲାକ୍ଷାଦ୍ୱୀପରେ ସୁରକ୍ଷିତ ଭାବେ ପହଁଚାଯାଇଥିଲା । ସେହିପରି 68ଟି ବୋଟରେ ଥିବା 809 ଜଣ ମତ୍ସ୍ୟଜୀବୀ (କେରଳର 66ଟି ବୋଟ ଏବଂ ତାମିଲନାଡ଼ୁର 2ଟି)ଙ୍କୁ ସୁରକ୍ଷିତ ଭାବେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗଠାରେ ଥିବା ଦେବଗଡ଼ ବନ୍ଦରରେ ପହଁଚାଯାଇଥିଲା । ଏହି ମତ୍ସ୍ୟଜୀବୀମାନେ ସେମାନଙ୍କ ରାଜ୍ୟକୁ ଫେରିଯାଇଛନ୍ତି ।

‘ଓଖି’ ପ୍ରପୀଡ଼ିତଙ୍କ ସହାୟତା ଲାଗି ସରକାର ତାମିଲନାଡ଼ୁରେ 29ଟି, କେରଳରେ 52ଟି ଏବଂ ଲାକ୍ଷାଦ୍ୱୀପରେ 31ଟି ରିଲିଫ ଶିବିର ପ୍ରତିଷ୍ଠା କରିଥିଲେ । ରିଲିଫ କ୍ୟାମ୍ପରେ ରହୁଥିବା ଅନ୍ତେବାସୀଙ୍କୁ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ରିଲିଫ ସାମଗ୍ରୀ ଏବଂ ସହାୟତା ଉପକରଣ ଯୋଗାଇ ଦିଆଯାଇଥିଲା । ତାମିଲନାଡ଼ୁ ଓ କେରଳ ରାଜ୍ୟ ସରକାର ଏବଂ ଲାକ୍ଷାଦ୍ୱୀପ ପ୍ରଶାସନ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲେ ।

କେନ୍ଦ୍ର ସରକାର ତଟରକ୍ଷୀ ବାହିନୀର 13ଟି ଜାହାଜ, 4ଟି ବିମାନ ଓ ଗୋଟିଏ ହେଲିକପ୍ଟର, ଭାରତୀୟ ନୌସେନାର 10ଟି ଜାହାଜ, 4ଟି ବିମାନ ଓ 5ଟି ହେଲିକପ୍ଟର ଏବଂ ବାୟୁସେନାର ଗୋଟିଏ ବିମାନ ଓ 3ଟି ହେଲିକପ୍ଟରକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲେ । ଲାକ୍ଷାଦ୍ୱୀପରେ ନୌସେନା ପକ୍ଷରୁ ‘ଓଖି’ ପ୍ରପୀଡ଼ିତମାନଙ୍କୁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ଯୋଗାଇ ଦେଇଥିଲେ । ନୌସେନାର ଜାହାଜ ଯୋଗେ ରିଲିଫ ସାମଗ୍ରୀ ମିନିକୟ, କାଭାରାତି ଓ କାଳ୍ପେନୀ ଦ୍ୱୀପରେ ପହଁଚିଥିଲା । ‘ଓଖି’ ସମେତ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ 2017-18 ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ଦ୍ୱିତୀୟ କିସ୍ତି ଜାରି କରାଯାଇଥିଲା । 2017-18 ଆର୍ଥିକ ବର୍ଷରେ ଏସଡିଆରଏଫ ଅନୁଦାନ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେରଳ ରାଜ୍ୟ ସରକାରଙ୍କୁ 153 କୋଟି ଏବଂ ତାମିଲନାଡ଼ୁ ସରକାରଙ୍କୁ 561 କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବାତ୍ୟା ପ୍ରଭାବିତ ଅଂଚଳ ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲା ଏବଂ କେରଳର ଥିରୁଭନନ୍ତପୁରମକୁ ଡିସେମ୍ବର 3 ଏବଂ 4 ତାରିଖରେ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ । ଡିସେମ୍ବର 4 ତାରିଖରେ କ୍ୟାବିନେଟ ସଚିବ ଶ୍ରୀ ପିକେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟି ବୈଠକ ବସିଥିଲା ଏବଂ ଏଥିରେ ବାତ୍ୟା ପ୍ରଭାବିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରାଯାଇଥିଲା ।

***