ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଂଶିଟନ ଡିସିଠାରେ ଏକ ଗୋଲଟେବୁଲ ବୈଠକରେ ଆମେରିକାର 20 ଜଣ ପ୍ରମୁଖ ସିଇଓଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି ।
ଏହି ଅବସରରେ ସେ ମାର୍କିନ ସିଇଓମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏବେ ବିଶ୍ୱର ଦୃଷ୍ଟି ନିବଦ୍ଧ । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷିତ ହେବାର ମୁଖ୍ୟ କାରଣ ହେଲା ଏହାର ବିଶାଳ ଯୁବଶକ୍ତି ଓ ମଧ୍ୟମ ବର୍ଗ । ତେଣୁ ବିଶେଷ କରି ଉତ୍ପାଦନ, ବାଣିଜ୍ୟ ଓ ବ୍ୟବସାୟ ଓ ଲୋକ-ଲୋକ ସମ୍ପର୍କ ଉପରେ ସମସ୍ତେ ଆଗ୍ରହୀ । ଗତ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଲୋକମାନଙ୍କ ଜୀବନଧାରଣ ମାନର ଉନ୍ନତିସାଧନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ବୈଶ୍ୱିକ ସହଭାଗୀତା ଆବଶ୍ୟକ । ତେଣୁ କେନ୍ଦ୍ର ସରକାର ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତି ଉପରେ ଗୁରୁତ୍ୱାରୋପ କରୁଛନ୍ତି ।
ନିକଟରେ ଦେଶରେ ଘଟାଯାଇଥିବା ସଂସ୍କାର ଗୁଡିକ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ କେନ୍ଦ୍ର ସରକାର 7000 ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ବିଶ୍ୱସ୍ତରୀୟ ସଫଳତା ହାସଲ ଦିଗରେ ଭାରତର ପ୍ରୟାସର ଏହା ସୂଚନା । ସରକାର ସକ୍ରିୟତା, ସ୍ୱଚ୍ଛତା, ବିକାଶ ଓ ସମସ୍ତଙ୍କୁ ସଂସ୍କାରର ସୁଫଳ ମିଳିବା ଉପରେ ଗୁରୁତ୍ୱାରୋପ କରନ୍ତି । ଜିଏସଟି ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ ଦୀର୍ଘ ବର୍ଷର ପ୍ରୟାସ ପରେ ତାହା ସାକାର ହେବାକୁ ଯାଉଛି । ଏହାର ପ୍ରବର୍ତ୍ତନ ଏକ ଜଟିଳ କାର୍ଯ୍ୟ ଯାହାକୁ ଭବିଷ୍ୟତର ଅଧ୍ୟୟନ ପ୍ରସଙ୍ଗ ଭାବେ ଗ୍ରହଣ କରାଯିବ । ଏହା ସ୍ପଷ୍ଟ କରେ ଯେ ଭାରତ ଯଥାଶୀଘ୍ର ବ୍ୟାପକ ସଂସ୍କାର ଘଟାଇ ତାହାକୁ କାର୍ଯ୍ୟକାରୀ କରିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ।
ଭାରତରେ ବ୍ୟବସାୟ କାରବାର ସହଜ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ମାର୍କିନ ସିଇଓମାନେ ପ୍ରଶଂସା କରିଥିଲେ । ଡିଜିଟାଲ ଇଣ୍ଡିଆ, ମେକ ଇନ ଇଣ୍ଡିଆ, କୌଶଳ ବିକାଶ, ବିମୁଦ୍ରୀକରଣ ଏବଂ ଅକ୍ଷୟଶକ୍ତି ବିକାଶ ଉପରେ ଗୁରୁତ୍ୱାରୋପକୁ ଅନେକ ସିଇଓ ପ୍ରଶଂସା କରିଛନ୍ତି । କୌଶଳ ବିକାଶ ଓ ଶିକ୍ଷା ପ୍ରୟାସ କ୍ଷେତ୍ରରେ ଭାରତ ସହ ସହଯୋଗ ହେବାକୁ ଅନେକ ସିଇଓ ସେମାନଙ୍କ ଇଚ୍ଛା ପ୍ରକଟ କରିଛନ୍ତି । ସେମାନଙ୍କ କମ୍ପାନୀମାନେ ଭାରତରେ ସାମିଲ ହୋଇଥିବା ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସିଇଓମାନେ ସୂଚନା ଦେଇଥିଲେ । ବିଶେଷ କରି ମହିଳା ସଶକ୍ତିକରଣ, ଡିଜିଟାଲ ପ୍ରଯୁକ୍ତି, ଶିକ୍ଷା ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଏ ଦିଗରେ ଅଗ୍ରଣୀ । ସେହିଭଳି ପ୍ରଯୁକ୍ତି, ପ୍ରତିରକ୍ଷା, ଉତ୍ପାଦନ ଏବଂ ଶକ୍ତି ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
ପରିଶେଷରେ ପ୍ରଧାନମନ୍ତ୍ରୀ ସିଇଓମାନଙ୍କୁ ସେମାନଙ୍କ ସୁଚିନ୍ତିତ ମତ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ଆସନ୍ତାକାଲି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷତ ପାଇଁ ସେ ଉତ୍କଣ୍ଠିତ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଲେ ଯେ ଭାରତ ଓ ଆମେରିକା ସମାନ ମୂଲ୍ୟବୋଧରେ ବିଶ୍ୱାସୀ । ଯଦି ଆମେରିକା ସୁଦୃଢ଼ ହୁଏ, ତେବେ ସ୍ୱାଭାବିକ ଭାବେ ଭାରତ ଏଥିରୁ ଉପକୃତ ହେବ । ସେ କହିଲେ ଯେ ଭାରତର ବିଶ୍ୱାସ ଯେ ସୁଦୃଢ଼ ଆମେରିକା ସମଗ୍ର ବିଶ୍ୱପାଇଁ ଶୁଭଙ୍କର । ତେଣୁ ସିଇଓମାନେ ମହିଳା ସଶକ୍ତିକରଣ, ଅକ୍ଷୟଶକ୍ତି ଷ୍ଟାର୍ଟ-ଅପ ଓ ଅଭିନବତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଜଣାଇଥିଲେ । ପରିମଳ ଅଭ୍ୟାସ ସହ ଉତ୍ପାଦ ଓ ପ୍ରଯୁକ୍ତିକୁ ସଂଯୋଗ କରାଗଲେ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନେ ଉପକୃତ ହୋଇପାରିବେ । ଭାରତରେ ସାଧାରଣ ଜନତାଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟାଇବା ତାଙ୍କର ପ୍ରାଥମିକ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
PM @narendramodi interacted with top Indian and American CEOs in Washington DC. pic.twitter.com/oK908BmZJC
— PMO India (@PMOIndia) June 25, 2017
Interacted with top CEOs. We held extensive discussions on opportunities in India. pic.twitter.com/BwjdFM1DaZ
— Narendra Modi (@narendramodi) June 25, 2017