ଅଧ୍ୟକ୍ଷ ମହୋଦୟ,
ଉପରାଷ୍ଟ୍ରପତି ମହୋଦୟ,
ମାର୍କିନ କଂଗ୍ରେସର ମାନ୍ୟବର ସଦସ୍ୟଗଣ,
ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିବୃନ୍ଦ,
ମାର୍କିନ କଂଗ୍ରେସର ମିଳିତ ଅଧିବେଶନରେ ଉଦ୍ବୋଧନ ଦେବାକୁ ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଗୌରବାନ୍ୱିତ ମନେକରୁଛି ।
ଏହି ମହାନ କେପିଟଲର ଦ୍ୱାର ମୋ ପାଇଁ ଉନ୍ମୁକ୍ତ କରିଥିବାରୁ ଅଧ୍ୟକ୍ଷ ମହାଶୟଙ୍କୁ ଧନ୍ୟବାଦ ।
ଗଣତନ୍ତ୍ରର ଏହି ମନ୍ଦିର ବିଶ୍ୱବ୍ୟାପୀ ଅନ୍ୟ ଗଣତନ୍ତ୍ରକୁ ଉତ୍ସାହିତ ଓ ସଶକ୍ତ କରିଆସିଛି ।
ଏହା ଏହି ମହାନ ରାଷ୍ଟ୍ରର ଉଦ୍ଦେଶ୍ୟକୁ ପ୍ରଦର୍ଶନ କରିଛି, ଯାହା ଏକଦା ଆବ୍ରାହିମ ଲିଙ୍କନ ଉଦଘୋଷଣା କରିଥିଲେ ଯେ ଏହା ସ୍ୱାଧୀନତାକୁ ଜନ୍ମ ଦେଇଛି ଓ ଏହି ଆଧାର ପ୍ରତି ସମର୍ପିତ ଯେ ସମସ୍ତ ମାନବ ସମାନ ଅଧିକାରର ଅଧିକାରୀ ।
ମୋତେ ଆଜି ଏହି ସୁଯୋଗ ପ୍ରଦାନ କରି ଆପଣମାନେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଏହାର ୧୨୫ କୋଟି ନାଗରିକଙ୍କୁ ସମ୍ମାନିତ କରିଛନ୍ତି ।
ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବେ ଏହା ଅବଶ୍ୟ ମୋ ପାଇଁ ଏକ ବିରଳ ସୌଭାଗ୍ୟ ଯେ ବିଶ୍ୱର ସର୍ବପ୍ରାଚୀନ ଗଣତନ୍ତ୍ର ନିକଟରେ ମୁଁ ବକ୍ତବ୍ୟ ପ୍ରଦାନ କରୁଛି ।
ଅଧ୍ୟକ୍ଷ ମହୋଦୟ,
ଦୁଇଦିନ ତଳେ ଆର୍ଲିଙ୍ଗଟନ ଜାତୀୟ କବରସ୍ଥାନରୁ ମୁଁ ମୋର ଗସ୍ତ ଆରମ୍ଭ କରିଥିଲି । ତାହା ସେହି ସ୍ଥାନ ଯେଉଁଠାରେ ଏହି ମହାନ ଭୂମିର ଅଗଣିତ ବୀର ସୈନିକ ଶେଷ ବିଶ୍ରାମ ନେଇଛନ୍ତି ।
ମୁଁ ସେମାନଙ୍କ ବୀରତ୍ୱ ଓ ତ୍ୟାଗକୁ ସମ୍ମାନ ଜଣାଇଥିଲି, ଯାହା ସେମାନେ ସ୍ୱାଧୀନତା ଓ ଗଣତନ୍ତ୍ରର ଆଦର୍ଶ ସୁରକ୍ଷା ପାଇଁ ପ୍ରଦର୍ଶନ କରିଛନ୍ତି ।
ଏହା ମଧ୍ୟ ମହାନ ବିଜୟ ଦିବସର ୭୨ ତମ ଜୟନ୍ତୀ ।
ସେହିଦିନ ଏହି ମହାନ ରାଷ୍ଟ୍ରର ହଜାର ହଜାର ବୀର ସୈନିକ ସ୍ୱାଧୀନତାର ଆଲୋକବର୍ତ୍ତୀକାର ସୁରକ୍ଷା ଲାଗି ଏକ ଭୂଇଁର ଅପନ୍ତରା ଉପକୂଳରେ ସଂଗ୍ରାମ କରୁଥିଲେ, ଯାହା ସଂପର୍କରେ ସେମାନଙ୍କୁ କିଛିହେଲେ ସୁଦ୍ଧା ଜଣା ନଥିଲା ।
ସେମାନେ ନିଜର ଜୀବନ ବଳି ଦେଇଥିଲେ, କାରଣ ଦୁନିଆ ଯେପରି ସ୍ୱାଧୀନତାକୁ ଉପଭୋଗ କରିପାର ।
ସେହି ମୁକ୍ତ ଭୂମି ବୀରମାନଙ୍କ ଆବାସସ୍ଥଳୀର ନରନାରୀ ଯେଉଁମାନେ କି ମାନବ କଲ୍ୟାଣର ସେବା ନିମନ୍ତେ ଜୀବନ ଦାନ କରିଛନ୍ତି, ମୁଁ ସେମାନଙ୍କୁ ପ୍ରଶଂସା କରୁଛି .. ଭାରତ ସେମାନଙ୍କୁ ପ୍ରଶଂସା କରୁଛି ।
ଏହାର ଅର୍ଥ କଣ, ତାହା ଭାରତ ଭଲଭାବେ ଜାଣେ । କାରଣ ଆମର ସୈନିକମାନେ ବି ସେହି ଆଦର୍ଶର ସୁରକ୍ଷା ପାଇଁ ସୁଦୂର ଯୁଦ୍ଧଭୂମିରେ ପ୍ରାଣବଳି ଦେଇଛନ୍ତି ।
ସେଇଥିପାଇଁ ଆମ ଦୁଇ ଗଣତନ୍ତ୍ରକୁ ସ୍ୱାଧୀନତା ଓ ମୁକ୍ତିର ସୂତ୍ର ସୁଦୃଢଭାବେ ଏକତା ସୂତ୍ରରେ ବାନ୍ଧି ରଖିଛି ।
ଅଧ୍ୟକ୍ଷ ମହୋଦୟ,
ଆମ ଦୁଇଦେଶ ହୁଏତ ପୃଥକ ଇତିହାସ, ଭିନ୍ନଭିନ୍ନ ସଂସ୍କୃତି ଓ ଭିନ୍ନଭିନ୍ନ ଆସ୍ଥାଦ୍ୱାରା ଗଠିତ ହୋଇଥାଇପାରେ । ତଥାପି ଆମ ଦେଶଙ୍କ ପାଇଁ ଗଣତନ୍ତ୍ରରେ ବିଶ୍ୱାସ ଏବଂ ଦେଶବାସୀଙ୍କ ସକାଶେ ସ୍ୱାଧୀନତା ଉପରେ ଆସ୍ଥା ସ୍ଥାପନ ସମାନ ଭାବନା ଉପରେ ଆଧାରିତ ।
ଆମର ଚିନ୍ତାଧାରା ଏହା ଯେ ସମସ୍ତ ନାଗରିକ ସମାନତା ଦ୍ୱାରା ସୃଷ୍ଟ, ଯାହାକି ଆମେରିକା ସମ୍ବିଧାନର ମୂଳ ଆଧାର ।
ଆମ ରାଷ୍ଟ୍ର ନିର୍ମାତାମାନେ ମଧ୍ୟ ସେହି ଚିନ୍ତାଧାରାରେ ସହଭାଗୀ ଓ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ବ୍ୟକ୍ତି ସ୍ୱାଧୀନତା ସୁନିଶ୍ଚିତ କରୁଛନ୍ତି ।
ଏପରି ଅନେକ ଅଛନ୍ତି, ଯେଉଁମାନେ ଭାରତର ନୂତନ ଭାବେ ସ୍ୱାଧୀନତା ପ୍ରାପ୍ତିକୁ ସନ୍ଦେହ କରୁଥିଲେ । ଆମେ କିନ୍ତୁ ଗଣତନ୍ତ୍ର ଉପରେ ଗଭୀର ଆସ୍ଥା ସ୍ଥାପନ କରିଥିଲୁ ।
ବାସ୍ତବିକ, ଆମ ବିଫଳତା ପାଇଁ ଅନେକ ବାଜି ମାରୁଥିଲେ । କିନ୍ତୁ ଏଥିରେ ଭାରତର ନାଗରିକମାନେ ଆଦୌ ବ୍ୟସ୍ତ ବିବ୍ରତ ହୋଇନଥିଲେ । ଆମର ରାଷ୍ଟ୍ର ନିର୍ମାତାମାନେ ଆମପାଇଁ ଏପରି ଏକ ନୂତନ ରାଷ୍ଟ୍ର ଗଠନ କରିଛନ୍ତି, ଯାହାର ଆତ୍ମାରେ ସ୍ୱାଧୀନତା, ଗଣତନ୍ତ୍ର ଏବଂ ସମାନତା ଭରି ରହିଛି ଏବଂ ଏପରି କରି, ସେମାନେ ସୁନିଶ୍ଚିତ କରିଛନ୍ତି ଯେ ଆମେ ଯେପରି ଆମ ପ୍ରାଚୀନ ବିବିଧତାର ପରମ୍ପରାକୁ ପାଳନ କରିପାରିବୁ ।
ଆଜି, ପ୍ରତ୍ୟେକ ଅନୁଷ୍ଠାନ, ପ୍ରତିଟି ମାର୍ଗରେ, ପ୍ରତିଟି ଗ୍ରାମ ଓ ସହରରେ ସମସ୍ତ ଧର୍ମ ଓ ବିଶ୍ୱାସ ଉପରେ ସମାନ ଆସ୍ଥା ପ୍ରକଟିତ ହୋଇଛି, ଶହଶହ ଭାଷା ଓ ଲିପିରେ ତାହା ଝଙ୍କୃତ ହେଉଛି ।
ଭାରତ ଏକ ହୋଇ ରହିଛି, ଏକ ହୋଇ ବଢି ଚାଲିଛି ଏବଂ ଏକତାର ଉତ୍ସବ ପାଳନ କରୁଛି ।
ଅଧ୍ୟକ୍ଷ ମହୋଦୟ,
ଆଧୁନିକ ଭାରତ ତାର ୭୦ ତମ ବର୍ଷରେ ପହଞ୍ଚିଛି ।
ମୋ ସରକାର ପାଇଁ ସମ୍ବିଧାନ ହେଲା ପ୍ରକୃତ ପବିତ୍ର ଗ୍ରନ୍ଥ । ଏବଂ ସେହି ପବିତ୍ର ଗ୍ରନ୍ଥରେ ସମସ୍ତ ନାଗରିକଙ୍କ ସକାଶେ ସେମାନଙ୍କର ଯେଉଁ ପୃଷ୍ଠଭୂମି ହୋଇଥାଉ ନା କାହିଁକି ଆସ୍ଥା, ବଚନ ଓ ମତାଧିକାରର ସ୍ୱାଧୀନତା ମୌଳିକ ଅଧିକାର ଭାବେ ଲିପିବଦ୍ଧ ହୋଇଛି । ମୋ ଦେଶର ୮୦୦ ନିୟୁତ ନାଗରିକ ପ୍ରତି ପାଞ୍ଚ ବର୍ଷରେ ଥରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରନ୍ତି । କିନ୍ତୁ ୧୨୫ କୋଟି ନାଗରିକଙ୍କ ପାଇଁ ଭୟରୁ ମୁକ୍ତି, ସୁନିଶ୍ଚିତ ରହିଛି ଏବଂ ସେମାନେ ଜୀବନର ପ୍ରତିଟି ମୁହୂର୍ତରେ ସେଇ ସ୍ୱାଧୀନତାକୁ ଅନୁଭବ କରନ୍ତି ।
ମାନ୍ୟବର ସଦସ୍ୟଗଣ,
ଆମ ଦୁଇ ଗଣତନ୍ତ୍ର ମଧ୍ୟରେ ଯୋଗସୂତ୍ର ଏପରିଭାବେ ଦୃଶ୍ୟମାନ ଯାହା ଆମର ଚିନ୍ତକମାନେ ପରସ୍ପର ଉପରେ ପକାଇଥିଲେ ଏବଂ ଆମ ସମାଜର ଗତିପଥକୁ ନିର୍ଦ୍ଧାରଣ କରିଥିଲେ । ଥୋରୋଙ୍କ ଆଇନ ଅମାନ୍ୟ ଚିନ୍ତାଧାରା ଆମର ରାଜନୈତିକ ଚିନ୍ତନକୁ ପ୍ରଭାବିତ କରିଥିଲା । ଏବଂ ଅନୁରୂପ ଭାବେ ଭାରତର ମହାନ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ମାନବସମାଜକୁ ଆପଣାର ଭାବେ ଆଲିଙ୍ଗନ ପାଇଁ ଦେଇଥିବା ଆହ୍ୱାନ ଏହି ଚିକାଗୋ ଠାରେ ହିଁ ପ୍ରଥମେ ଶୁଭିଥିଲା ।
ଗାନ୍ଧୀଙ୍କ ଅହିଂସାର ଆଦର୍ଶ ମାର୍ଟିକ ଲୁଥର କିଙ୍ଗ୍ ଙ୍କୁ ପ୍ରଭାବିତ କରିଥିଲା । ଆଜି ମାର୍ଟିନ ଲୁଥର କିଙ୍ଗଙ୍କ ଟାଇଡାଲ ବେସିନଠାରେ ଥିବା ସ୍ମାରକୀ ଏବଂ ମାସାଚୁସେଟ୍ସ ଏଭେନ୍ୟୁଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟରେ ମାତ୍ର ତିନି ମାଇଲ୍ ଦୂରତ୍ୱ ।
ୱାଶିଂଟନଠାରେ ସେମାନଙ୍କ ସ୍ମାରକୀ ମଧ୍ୟରେ ଥିବା ନିକଟ ସଂପର୍କ, ସେମାନେ ବିଶ୍ୱାସ କରୁଥିବା ଆଦର୍ଶ ଓ ମୂଲ୍ୟବୋଧର ଘନିଷ୍ଠତାକୁ ପ୍ରତିପାଦିତ କରେ । ଆଜିକୁ ଏକ ଶତାବ୍ଦୀ ତଳେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରଜ୍ଞା ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ କଟାଇଥିବା ବର୍ଷମାନଙ୍କରେ ହିଁ ପୁଷ୍ଟ ହୋଇଥିଲା । ଆମେରିକା ସମ୍ବିଧାନ ତାଙ୍କ ଉପରେ ପକାଇଥିବା ପ୍ରଭାବ, ସେ ଭାରତ ସମ୍ବିଧାନର ଚିଠା ପ୍ରସ୍ତୁତ କଲାବେଳେ ଆଜକୁ ତିନି ଦଶନ୍ଧି ତଳେ ପ୍ରତିଫଳିତ ହୋଇଥିଲା । ଆପଣମାନଙ୍କ ସ୍ୱାଧୀନତା ସଂଗ୍ରାମ ପାଇଁ ଯେଉଁ ଆଦର୍ଶର ଇନ୍ଧନ ପ୍ରଜ୍ୱଳିତ ହୋଇଥିଲା, ସେଇ ସମାନ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇଥିଲା ଭାରତ ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଭାରତ ଓ ଆମେରିକା ପରସ୍ପରର ସ୍ୱାଭାବିକ ସହଯୋଗୀ ବୋଲି ଦୃଢୋକ୍ତି ବ୍ୟକ୍ତ କରିଥିଲେ । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ରାଷ୍ଟ୍ରପତି ବାରାକ ଓବାମା ଆମର ସଂପର୍କକୁ ଏକବିଂଶ ଶତାବ୍ଦୀର ପ୍ରମାଣିତ ସହଭାଗିତା ବୋଲି ଅଭିହିତ କରିଛନ୍ତି ।
ଅଧ୍ୟକ୍ଷ ମହୋଦୟ,
ଆଜକୁ ୧୫ ବର୍ଷରୁ ଅଧିକ ସମୟ ପୂର୍ବେ ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏଠାରେ ଠିଆହୋଇ ଅତୀତର ଅସ୍ଥିର ଚିନ୍ତନ ଛାୟାରୁ ମୁକ୍ତ ହେବାକୁ ଆହ୍ୱାନ ଜଣାଇଥିଲେ । ସେହିଦିନଠାରୁ ଆମ ସଂପର୍କର ପୃଷ୍ଠା ଅନେକ କିଛି ଉଲ୍ଲେଖନୀୟ କଥା ବଖାଣେ ।
ଆଜି ଆମ ସଂପର୍କ ଇତିହାସର ଦୁଶ୍ଚିନ୍ତାକୁ ଅତିକ୍ରମ କରିଛି । ଆମ ସଂପର୍କକୁ ସ୍ୱସ୍ତି, ଉଷ୍ମତା ଓ ସମାଯୋଜନ ଭାବ ପ୍ରଦାନ କରୁଛନ୍ତି । ନିର୍ବାଚନ ଓ ପ୍ରଶାସନର ପରିବର୍ତ୍ତନ ମଧ୍ୟରେ ଆମ ସଂପର୍କର ନିବିଡ଼ତା ଆଗକୁ ଆଗକୁ ବଢି ଚାଲିଛି । ଏବଂ ଏହି ଉତ୍ସାହପୂର୍ଣ୍ଣ ଯାତ୍ରାରେ ଆମେରିକା କଂଗ୍ରେସ ଏହାର କମ୍ପାସ ଭାବେ କାର୍ଯ୍ୟ କରିଛି ।
୨୦୦୮ରେ ଯେତେବେଳେ ଆମେରିକା କଂଗ୍ରେସ ଭାରତ-ଆମେରିକା ବେସାମରିକ ଆଣବିକ ଚୁକ୍ତିକୁ ଗୃହୀତ କଲା, ତାହା ଆମ ସଂପର୍କର ପତ୍ରରେ ଏକ ପରିବର୍ତ୍ତନ ଆଣିଥିଲା । ଯେତେବେଳେ ଏହି ସଂପର୍କ ସ୍ଥାପନ ପାଇଁ ଆପଣଙ୍କ ସହଯୋଗ ଏକାନ୍ତ ଜରୁରୀ ଥିଲା, ଆପଣମାନେ ସେଠାରେ ଉପସ୍ଥିତ ଥିଲେ ଏବଂ ସେଥିପାଇଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ । ଅନେକ ଦୁଃଖଦ ମୁହୂର୍ତ୍ତ ଆପଣମାନେ ଆମ ନିକଟରେ ଠିଆ ହୋଇଛନ୍ତି । ୨୦୦୮ ମସିହା ନଭେମ୍ବର ମାସରେ ଯେତେବେଳେ ସୀମା ଆରପାରିରୁ ଆତଙ୍କବାଦୀମାନେ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ମାର୍କିନ କଂଗ୍ରେସ ପ୍ରଦର୍ଶନ କରିଥିବା ଦୃଢ ପ୍ରତିବଦ୍ଧତାକୁ ଭାରତ କଦାପି ଭୁଲି ପାରିବ ନାହିଁ । ଏବଂ ସେଥିପାଇଁ ଆମେ ଆପଣଙ୍କ ନିକଟରେ ଋଣୀ ।
ଅଧ୍ୟକ୍ଷ ମହୋଦୟ,
ମୁଁ ଶୁଣିଛି ଯେ ମାର୍କିନ କଂଗ୍ରେସ କା ର୍ଯ୍ୟଶୈଳୀ ବେଶ୍ ସୁସଂଗତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ । ମୁଁ ଏକଥା ବି ଶୁଣିଛି ଯେ ଆପଣମାନେ ଦୁଇଦଳୀୟ ବ୍ୟବସ୍ଥା ପାଇଁ ବେଶ୍ ପ୍ରସିଦ୍ଧ ।
ହଁ, ଆପଣମାନେ ଏଥିରେ ଏକାକୀ ନୁହନ୍ତି । ବାରମ୍ବାର ଭାରତୀୟ ସଂସଦରେ ମୁଁ ଏଭଳି ମନୋଭାବ ଲକ୍ଷ୍ୟ କରିଛି, ବିଶେଷକରି ଉପର ସଦନରେ । ତେଣୁ ଆପଣମାନେ ଲକ୍ଷ୍ୟ କରିପାରିବେ ଯେ ଆମମାନଙ୍କ ମଧ୍ୟରେ ସମାନ ବ୍ୟବସ୍ଥା ରହିଛି ।
ଅଧ୍ୟକ୍ଷ ମହୋଦୟ,
ଏକଥା ଏ ରାଷ୍ଟ୍ରକୁ ଭଲଭାବେ ଜଣା ଯେ ପ୍ରତ୍ୟେକ ଯାତ୍ରାର ନିଜସ୍ୱ ପଥ ପ୍ରଦର୍ଶକ ଥାଆନ୍ତି । ସର୍ବପ୍ରଥମେ ସେମାନେ ହିଁ ବିକାଶ ସହଭାଗିତାର ଭିତିଭୂମି ସ୍ଥିର କରିଥାନ୍ତି, ଯେତେବେଳେ କି ମିଳନର କ୍ଷେତ୍ର ସୀମିତ ଥାଏ ।
ନର୍ମାନ ବରୋଲଗଙ୍କ ଚିନ୍ତାଧାରା ହିଁ ଭାରତରେ ସବୁଜ ବିପ୍ଲବ ଏବଂ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥିଲା । ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କ ଗୁଣାତ୍ମକ ମାନ ଭାରତରେ ଟେକ୍ନୋଲୋଜି ଓ ମ୍ୟାନେଜମେଂଟ ପ୍ରତିଷ୍ଠାନ ମୁଣ୍ଡ ଟେକିବାରେ ସହାୟକ ହୋଇଥିଲା ଏବଂ ମୁଁ ଏହାର ଅନେକ ଉଦାହରଣ ଦେଇପାରିବି । ଆଜିପର୍ଯ୍ୟନ୍ତ ଏହି ଧାରା ଜାରି ରହିଛି ।
ମାନବୀୟ ଉଦ୍ୟମର ସକଳ କ୍ଷେତ୍ରରେ ମହାସାଗରର ଗଭୀରତାଠାରୁ ମହାଶୂନ୍ୟର ବିଶାଳତା ପର୍ଯ୍ୟନ୍ତ ଆମ ସଂପର୍କର ସହଭାଗିତା ପରିବ୍ୟାପ୍ତ ।
ଜନସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଓ କୃଷିଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଥିବା ବହୁ ପୁରୁଣା ସମସ୍ୟାର ସମାଧାନ ସୂତ୍ର ଖୋଜି ବାହାର କରିବା ଦିଗରେ ଆମ ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗିତା ଆମକୁ ସହାୟକ ହୋଇଚାଲିଛି । ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସଂପର୍କ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଆମେରିକା ସହ ଆମର ବାଣିଜ୍ୟ କାରବାର ସର୍ବାଧିକ । ଏବଂ ଏଭଳି ଦ୍ରବ୍ୟ, ସେବା ଓ ପୁଞ୍ଜି ପ୍ରବାହ ଆମ ଉଭୟ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ବାଣିଜ୍ୟ କାରବାରଠାରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ । ଅନ୍ୟ ଯେ କୌଣସି ରାଷ୍ଟ୍ର ତୁଳନାରେ ଭାରତ ଆମେରିକା ସହ ଅଧିକ ଥର ମିଳିତ ସମରାଭ୍ୟାସରେ ଲିପ୍ତ । ମାତ୍ର ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ପ୍ରତିରକ୍ଷା କ୍ରୟ ପରିମାଣ ପ୍ରାୟ ଶୂନରୁ ଆରମ୍ଭ ହୋଇ ୧୦ ବିଲିୟନ ଡଲାରରେ ପହଂଚିଛି । ଆମର ସହଯୋଗ ମଧ୍ୟ ଆମ ସହର ଓ ନାଗରିକମାନଙ୍କୁ ଆତଙ୍କବାଦରୁ ସୁରକ୍ଷିତ ରଖିଛି । ଆମର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ସାଇବର ବିପଦରୁ ରକ୍ଷା କରୁଛି । ବେସାମରିକ ଆଣବିକ ସହଯୋଗ, ମୁଁ ଯାହା ଗତକାଲି ରାଷ୍ଟ୍ରପତି ଓବାମାଙ୍କୁ କହିଥିଲି, ଏବେ ବାସ୍ତବତାରେ ପରିଣତ ହୋଇଛି ।
ଅଧ୍ୟକ୍ଷ ମହୋଦୟ,
ଆମର ଲୋକ-ଲୋକ ମଧ୍ୟରେ ଥିବା ସଂପର୍କ ଅତି ସୁଦୃଢ । ଆମ ସମାଜ ମଧ୍ୟରେ ସାଂସ୍କୃତିକ ସଂପର୍କ ବି ବେଶ ନିବିଡ଼ । ଶ୍ରୀ ଆମକୁ କହନ୍ତି ଯେ ଆମର ପ୍ରାଚୀନ ଐତିହ୍ୟ ଯୋଗର ଆମେରିକାରେ ୩୦ ନିୟୁତରୁ ଊର୍ଦ୍ଧ୍ଵ ଅଭ୍ୟାସକାରୀ ଅଛନ୍ତି । ଅନୁମାନ କରାଯାଉଛି ଯେ କର୍ଭବଲ୍ ପାଇଁ ଯେତିକି ଲୋକ ଶରୀର ବକ୍ର କରନ୍ତି, ଯୋଗ ପାଇଁ ତାଠାରୁ ଅଧିକ ଲୋକ ଏହି କାର୍ଯ୍ୟ କରିଥାନ୍ତି । ଏବଂ ଅଧ୍ୟକ୍ଷ ମହୋଦୟ, ଆମେ ଆଜିପର୍ଯ୍ୟନ୍ତ ସୁଦ୍ଧା ଯୋଗ ଉପରେ ବୌଦ୍ଧିକ ସମ୍ପତ୍ତିଗତ ଅଧିକାର ଦାବି କରିନାହୁଁ । ଆମ ଦୁଇ ରାଷ୍ଟ୍ରକୁ ସଂଯୋଗ କରିବାରେ ତିନି ନିୟୁତ ଭାରତୀୟ ଆମେରିକୀୟଙ୍କର ଏକ ବିଶେଷ ଭୂମିକା ରହିଛି ।
ଆଜି ସେମାନେ ଆପଣମାନଙ୍କ ଭିତରେ ଶ୍ରେଷ୍ଠ ସିଇଓ, ଶିକ୍ଷାବିତ୍, ମହାକାଶଚାରୀ, ବୈଜ୍ଞାନିକ, ଡାକ୍ତର, ଅର୍ଥ ବ୍ୟବସ୍ଥା ଜ୍ଞ, ଏପରିକି ସ୍ପେଲିଂ ବି ଚାମ୍ପିଅନ ଭାବେ ବିଦ୍ୟମାନ । ସେମାନେ ଆପଣମାନଙ୍କ ସାମର୍ଥ୍ୟ, ସେମାନେ ମଧ୍ୟ ଭାରତର ଗୌରବ । ସେମାନେ ଆମ ଉଭୟ ରାଷ୍ଟ୍ରର ଶ୍ରେଷ୍ଠତ୍ୱର ପ୍ରତୀକ ।
ଅଧ୍ୟକ୍ଷ ମହୋଦୟ,
ଜନସେବାରେ ପ୍ରବେଶର ଢେର ପୂର୍ବରୁ ଆପଣଙ୍କ ମହାନ ରାଷ୍ଟ୍ର ସଂପର୍କରେ ମୋ ମନରେ ଧାରଣା ସୃଷ୍ଟି ହୋଇଥିଲା । ପଦପଦବୀରେ ଅଧିଷ୍ଠିତ ହେବାର ଢେର ପୂର୍ବରୁ ମୁଁ ଉପକୂଳରୁ ଉପକୂଳ ଭ୍ରମଣ କରି ଆମେରିକାର ପ୍ରାୟ ୨୫ଟି ରାଜ୍ୟ ଯାତ୍ରା କରିଥିଲି । ସେତେବେଳେ ମୋର ଧାରଣା ହୋଇଥିଲା ଯେ ଆମେରିକାର ପ୍ରକୃତ ସାମର୍ଥ୍ୟ ଦେଶବାସୀଙ୍କ ସ୍ୱପ୍ନରେ ଏବଂ ସେମାନଙ୍କ ଦୃଢ ଆକାଂକ୍ଷାରେ ନିହିତ ।
ଅଧ୍ୟକ୍ଷ ମହୋଦୟ, ଆଜି ସେଇ ମନୋଭାବ ଭାରତୀୟମାନଙ୍କୁ ଉଚ୍ଚାଟିତ କରୁଛି । ବିଶେଷକରି ଆମର ବିଶାଳ ଯୁବଶକ୍ତି ଏଇ ଭାବନରେ ଅଧୈର୍ଯ୍ୟ । ଭାରତରେ ଏବେ ବ୍ୟାପକ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ଘଟୁଛି । ଆମର ୧୦୦ କୋଟିରୁ ଅଧିକ ଲୋକ ରାଜନୈତିକ ଦୃଷ୍ଟିକୋଣରୁ ସଶକ୍ତ । ଅନେକ ସାମାଜିକ ଓ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ହେଲା ମୋର ସ୍ୱପ୍ନ । ଏବଂ ଭାରତର ସ୍ୱାଧୀନତା ଲାଭର ୭୫ ତମ ବାର୍ଷିକୀ ପାଳନ ବର୍ଷ, ୨୦୨୨ ସୁଦ୍ଧା ଏହାକୁ ସାକାର କରିବା ନିମନ୍ତେ ଆମେ କୃତସଂକଳ୍ପ । ମୋର ଏହି କାର୍ଯ୍ୟଯୋଜନା ତାଲିକା ଦୀର୍ଘ ଓ ଉଚ୍ଚାକାଂକ୍ଷୀ । କିନ୍ତୁ ଆପଣମାନେ ତାହା ବୁଝିପାରୁଥିବେ । ସେଥିରେ ରହିଛି :
• ଏକ ସକ୍ରିୟ ଗ୍ରାମୀଣ ଅର୍ଥବ୍ୟବସ୍ଥା ଏବଂ ଏକ ବିଶାଳ କୃଷିକ୍ଷେତ୍ର
• ସମସ୍ତଙ୍କ ପାଇଁ ବାସଗୃହ ଓ ସବୁ ଘରକୁ ବିଜୁଳି ଯୋଗାଣ
• ଦେଶର କୋଟି କୋଟି ଯୁବକଙ୍କୁ କୁଶଳୀ କରିବା
• ୧୦୦ ସ୍ମାର୍ଟ ସିଟି ନିର୍ମାଣ
• ଶହେ କୋଟି ଲୋକଙ୍କ ପାଇଁ ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ବିଶ୍ୱ ସହ ଆମ ଗ୍ରାମଗୁଡ଼ିକୁ ସଂଯୋଗ କରିବା
• ଏକବିଂଶ ଶତାବ୍ଦୀ ପାଇଁ ରେଳ, ସଡ଼କ ଏବଂ ବନ୍ଦର ଭିତ୍ତିଭୂମି ନିର୍ମାଣ
ଏସବୁ କେବଳ ଆମର ଉଚ୍ଚାକାଂକ୍ଷା ନୁହେଁ, ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେସବୁ ହାସଲ କରିବା ଆମର ଲକ୍ଷ୍ୟ । ଏବଂ ଏକ କାର୍ବନ ଫୁଟପ୍ରିଂଟ ହାସଲ, ଯେଉଁଥିରେ ଆମେ ଅକ୍ଷୟଶକ୍ତି ଉତ୍ପାଦନକୁ ଅଗ୍ରାଧିକାର ପ୍ରଦାନ କରିଛୁ ।
ଅଧ୍ୟକ୍ଷ ମହୋଦୟ,
ଭାରତର ଏହି ପ୍ରଗତି ଯାତ୍ରାର ପ୍ରତ୍ୟେକ କ୍ଷେତ୍ରରେ ମୁଁ ଆମେରିକାକୁ ଏକ ଅବିଚ୍ଛେଦ୍ୟ ସହଭାଗୀ ଭାବେ ଦେଖିପାରୁଛି । ଆପଣମାନଙ୍କ ମଧ୍ୟରୁ ଅନେକେ ମଧ୍ୟ ଏକ ବଳିଷ୍ଠ ଓ ସମୃଦ୍ଧ ଭାରତ ଆମେରିକାର ପ୍ରତିରକ୍ଷା ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି । ତେଣୁ ଆମର ସହଭାଗୀ ଆଦର୍ଶକୁ ବାସ୍ତବ ସହଯୋଗରେ ରୂପାନ୍ତର କରିବା ଦିଗରେ ଆସନ୍ତୁ କାର୍ଯ୍ୟ କରିବା । ଏହା ନିଃସନ୍ଦେହ ଯେ ଆମ ସଂପର୍କର ଅଭିବୃଦ୍ଧିରୁ ଉଭୟ ରାଷ୍ଟ୍ର ଯଥେଷ୍ଟ ମାତ୍ରାରେ ଉପକୃତ ହୋଇପାରିବେ ।
ଆମେରିକାର ବ୍ୟବସାୟୀମାନେ ଏବେ ଆର୍ଥିକ ବିକାଶର ନୂଆ ନୂଆ କ୍ଷେତ୍ର ବଜାର ସନ୍ଧାନରେ ଅଛନ୍ତି, ଯେଉଁଠାରେ ସେମାନେ ନିଜ ଉତ୍ପାଦିତ ଦ୍ରବ୍ୟ ବିପଣନ କରିପାରିବେ । ସେମାନଙ୍କର ପ୍ରଚୁର କୁଶଳୀ ମାନବସମ୍ବଳ ଦରକାର, ବିଶ୍ୱ ବଜାର ପାଇଁ ଉତ୍ପାଦନ ଓ ନିର୍ମାଣର ନୂଆ ସ୍ଥାନ ଆବଶ୍ୟକ । ଏଥିରେ ଭାରତ ସେମାନଙ୍କର ଆଦର୍ଶ ସହଭାଗୀ ହୋଇପାରିବ ।
ଭାରତର ସୁଦୃଢ ଅର୍ଥ ବ୍ୟବସ୍ଥା ଏବେ ବର୍ଷକୁ ୭.୨% ହାରରେ ବିକାଶ କରି ଚାଲିଛି । ଏହା ଆମର ପାରସ୍ପରିକ ସମୃଦ୍ଧି ସକାଶେ ନୂଆ ନୂଆ ସୁଯୋଗ ସୃଷ୍ଟି କରିଛି । ଭାରତରେ ଆମେରିକାର ହସ୍ତାନ୍ତରକ୍ଷମ ପ୍ରଯୁକ୍ତିର ଉପସ୍ଥିତି ଏବଂ ଆମେରିକାରେ ଭାରତୀୟ କମ୍ପାନୀମାନଙ୍କ ନିବେଶ ବୃଦ୍ଧି ଆମ ଉଭୟ ରାଷ୍ଟ୍ରର ନାଗରିକଙ୍କ ଉପରେ ଏକ ଏକ ସକାରାତ୍ମକ ପ୍ରଭାବ ପକାଇଛି । ଆଜି ସେମାନଙ୍କର ବିଶ୍ୱ ଗବେଷଣା ଏବଂ ବିକାଶ କେନ୍ଦ୍ର ପାଇଁ ଆମେରିକୀୟ କମ୍ପାନୀମାନଙ୍କ ଲାଗି ଭାରତ ହୋଇଛି ଚୟନର ଲକ୍ଷ୍ୟସ୍ଥଳୀ । ଭାରତରୁ ପୂର୍ବ ଦିଗକୁ ଚାହିଁଲେ ପ୍ରଶାନ୍ତ ମହାସାଗର, ଆରପଟେ ଆମ ଦୁଇଦେଶର ଅଭିନବ ସହଭାଗିତାର ସାମର୍ଥ୍ୟ କାଲିଫର୍ଣ୍ଣିଆଠାରେ ମିଳିତ ହୁଅନ୍ତି । ସେଠାରେ ଆମେରିକାର ଅଭିନବ ପ୍ରଜ୍ଞା ଓ ଭାରତର ବୌଦ୍ଧିକ ସୃଜନ ଭବିଷ୍ୟତର ଶିଳ୍ପକୁ ରୂପ ପ୍ରଦାନ ନିମନ୍ତେ ଏକତ୍ର କାର୍ଯ୍ୟରତ ।
ଅଧ୍ୟକ୍ଷ ମହୋଦୟ
• ଏକବିଂଶ ଶତାବ୍ଦୀ ସହ ଅନେକ ସୁଯୋଗ ଆଣି ଆସିଛି ।
• କିନ୍ତୁ ଏଥିସହ ମଧ୍ୟ ଅନେକ ନିଜସ୍ୱ ଚାଲେଞ୍ଜ ରହିଛି
• ପରସ୍ପର ଉପରେ ନିର୍ଭରଶୀଳତା ବଢିବାରେ ଲାଗିଛି
• କିନ୍ତୁ ବିଶ୍ୱର କିଛି ଅଂଶ ଯେତେବେଳେ ଆର୍ଥିକ ସମୃଦ୍ଧିର ଦ୍ୱୀପଭାବେ ବୃଦ୍ଧି ପାଉଛି, ଅନ୍ୟ କ୍ଷେତ୍ର ବିବାଦରେ ଆକ୍ରାନ୍ତ ହୋଇ ରହୁଛି ।
• ଏସିଆରେ ଏକ ସହମତଭିତ୍ତିକ ସୁରକ୍ଷା ବ୍ୟବସ୍ଥାର ଅଭାବ ଏଭଳି ଅନିଶ୍ଚିତତା ସୃଷ୍ଟି କରିଛି ।
• ଆତଙ୍କର ବିପଦ ଧିରେ ଧିରେ ସଂପ୍ରସାରିତ ହେବାରେ ଲାଗିଛି ଏବଂ ସାଇବର ଓ ମହାଶୂନ୍ୟ କ୍ଷେତ୍ରରେ ନୂଆ ନୂଆ ଚାଲେଞ୍ଜ ମୁଣ୍ଡ ଟେକୁଛି ।
• ଏବଂ ବିଂଶ ଶତାବ୍ଦୀରେ ଗଠିତ ହୋଇଥିବା ବହୁ ବିଶ୍ୱ ଅନୁଷ୍ଠାନ, ଏଭଳି ନୂଆ ଚାଲେଞ୍ଜର ମୁକାବିଲା କରିବା ଏବଂ ସେଥିସହ ନିଜକୁ ଖାପଖୁଆଇବାରେ ଅସମର୍ଥ ହେଉଛନ୍ତି ।
• ଆଜିର ବିଶ୍ୱରେ ଅନେକ ପରିବର୍ତ୍ତନ ଏବଂ ଆର୍ଥିକ ସୁଯୋଗ ସୃଷ୍ଟି ହେଉଛି । ଅନିଶ୍ଚିତତା ବଢୁଛି, ରାଜନୈତିକ ଜଟିଳତା ମୁଣ୍ଡ ଟେକୁଛି । ବର୍ତ୍ତମାନର ବିପଦ ସହ ନୂଆ ଚାଲେଞ୍ଜ ଦେଖାଦେଇଛି । ତେଣୁ ଆମର ପାରସ୍ପରିକ ସହଯୋଗ ଏଥିରେ ନିମ୍ନମତେ ପରିବର୍ତ୍ତନ ଘଟାଇବ ।
• ପ୍ରାଧାନ୍ୟ ବିସ୍ତାର ନୁହେଁ ସହଯୋଗ
• ଏକାକୀତ୍ୱ ନୁହେଁ ସଂଯୋଗ
• ବିଶ୍ୱର ସାମ୍ୟ ଚିନ୍ତାଧାରା ପ୍ରତି ସମ୍ମାନ
• ପରିତ୍ୟଜ୍ୟ ନୁହେଁ ସମାବେଶୀ ବ୍ୟବସ୍ଥା ଏବଂ ସର୍ବୋପରି
• ଅନ୍ତରାଷ୍ଟ୍ରୟ ରୀତିନୀତି ଓ ବ୍ୟବସ୍ଥାର ପ୍ରତିପାଳନ
• ଭାରତ ମହାସାଗରୀୟ କ୍ଷେତ୍ରକୁ ନିରାପଦ କରିବା ଦିଗରେ ଭାରତ ତାର ଦାୟିତ୍ୱ ନିର୍ବାହ କରି ଆସୁଛି
• ଏକ ସୁଦୃଢ ଭାରତ-ଆମେରିକା ସହଭାଗିତା ଏସିଆଠାରୁ ଆଫ୍ରିକା ପର୍ଯ୍ୟନ୍ତ, ଭାରତ ମହାସାଗରଠାରୁ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ରକ୍ଷାରେ ସହାୟକ ହେବ ।
• ଏହା ମଧ୍ୟ ସମୁଦ୍ର ପଥରେ ବାଣିଜ୍ୟ କାରବାର ସୁରକ୍ଷାକୁ ସୁନିଶ୍ଚିତ କରିବ ଏବଂ ସାମୁଦ୍ରିକ ଯାତ୍ରାକୁ ସ୍ୱାଧୀନତା ପ୍ରଦାନ କରିବ
କିନ୍ତୁ ଏହି ସହଯୋଗର ସକ୍ରିୟତା ବୃଦ୍ଧି ପାଇବ, ଯେତେବେଳେ ବିଂଶ ଶତାବ୍ଦୀରେ ଗଠିତ ଅନୁଷ୍ଠାନ ବର୍ତ୍ତମାନର ବାସ୍ତବତା ଦୃଷ୍ଟିକୋଣରୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଘଟାଇବେ ।
ଅଧ୍ୟକ୍ଷ ମହୋଦୟ,
ୱାଶିଂଟନ ଡିସିଠାରେ ପହଂଚିବା ପୂର୍ବରୁ ମୁଁ ପଶ୍ଚିମ ଆଫଗାନିସ୍ଥାନର କେନ୍ଦ୍ରସ୍ଥଳ ହେରାତଠାରେ ପହଞ୍ଚି ଆଫଗାନ-ଭାରତ ବନ୍ଧୁତା ସେତୁର ଉଦ୍ଘାଟନ କରିଥିଲି । ଭାରତୀୟ ସହାୟତାରେ ଏହି ୪୨ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହୋଇଛି । ମୁଁ ସେଠାରେ ଗତବର୍ଷ ବଡ଼ଦିନ ଅବସରରେ ବି ଉପସ୍ଥିତ ଥିଲି ଏବଂ ସେ ରାଷ୍ଟ୍ରକୁ ସେମାନଙ୍କ ସଂସଦ ଭବନ ସମର୍ପିତ କରିଥିଲି । ଏହାଥିଲା ଆମ ଗଣତାନ୍ତ୍ରିକ ସଂପର୍କର ବନ୍ଧନ ।
ଆଫଗାନମାନେ ସ୍ୱତଃ ଆମେରିକୀୟମାନଙ୍କ ତ୍ୟାଗକୁ ସ୍ଵୀକାର କରନ୍ତି, ଯଦ୍ୱାରା ସେମାନଙ୍କର ଜୀବନଧାରଣା ପ୍ରକ୍ରିୟା ସହଜସାଧ୍ୟ ହୋଇଛି ।
କିନ୍ତୁ ସେହି କ୍ଷେତ୍ରକୁ ନିରାପଦ ରଖିବାରେ ଏବଂ ସେ କ୍ଷେତ୍ର ବାହାରର କ୍ଷେତ୍ରକୁ ସୁରକ୍ଷିତ ରଖିବାରେ ଆପଣମାନଙ୍କ ଭୂମିକା ପ୍ରଶଂସନୀୟ ।
ଆଫଗାନ ଜନତାଙ୍କ ସହ ଆମର ବନ୍ଧୁତା ଲାଗି ଭାରତ ମଧ୍ୟ ଯଥେଷ୍ଟ ଅବଦାନ ଓ ତ୍ୟାଗ ସ୍ୱୀକାର କରିଛି । ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସମୃଦ୍ଧ ଆଫଗାନିସ୍ଥାନ ଗଠନ ନିମନ୍ତେ ଆମର ସହଭାଗୀ ଉଦ୍ଦେଶ୍ୟ ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ ।
ହଁ, ମହାନୁଭବ ସଦସ୍ୟଗଣ, କେବଳ ଆଫଗାନିସ୍ଥାନରେ ନୁହେଁ ପରନ୍ତୁ, ଦକ୍ଷିଣ ଏସିଆର ଅନ୍ୟତ୍ର ଏବଂ ବିଶ୍ୱବ୍ୟାପୀ ଆତଙ୍କବାଦ ସବୁଠାରୁ ବଡ଼ ବିପଦ ହୋଇ ରହିଆସିଛି । ଭାରତର ପଶ୍ଚିମ ସୀମାନ୍ତଠାରୁ ଆଫ୍ରିକା ପର୍ଯ୍ୟନ୍ତ ସୁଦୀର୍ଘ କ୍ଷେତ୍ର, ଏହାର ହୁଏତ ଭିନ୍ନ ନାମ ହୋଇଥାଇପାରେ, ଲସ୍କର-ଏ-ତୋଇବାଠାରୁ ତାଲିବାନ ଅଥବା ଆଇଏସଆଇଏସ୍ । କିନ୍ତୁ ଏହାର ଚିନ୍ତାଧାରା ଏକ । ତାହା ହେଲା ଘୃଣା, ହତ୍ୟା ଓ ହିଂସାକାଣ୍ଡ ।
ଯଦିଚ ଏହାର ଛାୟା ସାରା ବିଶ୍ୱରେ ପ୍ରସାରିତ ହୋଇଚାଲିଛି, ଭାରତର ପ୍ରତିବେଶୀ କ୍ଷେତ୍ରରେ ଏହାର ଏନ୍ତୁଡିଶାଳ ରହିଛି । ମାର୍କିନ କଂଗ୍ରେସର ସଦସ୍ୟମାନଙ୍କୁ ମୁଁ ଭୂୟସୀ ପ୍ରଶଂସା କରୁଛି ଯେ ରାଜନୈତିକ ସ୍ୱାର୍ଥସିଦ୍ଧି ଲାଗି ଯେଉଁମାନେ ପ୍ରଚାର ଓ ଅପଉଦ୍ୟମ ଚଳାଇଛନ୍ତି ସେମାନେ ତାଙ୍କୁ ଏକ ସ୍ୱଷ୍ଟ ବାର୍ତ୍ତା ପ୍ରେରଣ କରିଛନ୍ତି । ସେମାନଙ୍କୁ ପୁରସ୍କୃତ କରିବା ପ୍ରତ୍ୟାଖ୍ୟାନ କରି ସେମାନଙ୍କ କାର୍ଯ୍ୟକୁ ଉତ୍ତରଦାୟୀ ବୋଲି ସୂଚାଇବାର ଏହା ପ୍ରଥମ ପଦକ୍ଷେପ ।
ଅନେକ ସ୍ତରରେ ଆମକୁ ଆତଙ୍କବାଦ ବିରୋଧରେ ସଂଗ୍ରାମ କରିବାକୁ ପଡ଼ିବ । ଏବଂ ଏଥିପାଇଁ କେବଳ ପାରମ୍ପରିକ ଉପାଦାନ ଯଥା ସାମରିକ, ଗୁଇନ୍ଦା ଅଥବା କୂଟନୈତିକ ଅସ୍ତ୍ରରେ ସଂଗ୍ରାମ କରିବା ପର୍ଯ୍ୟନ୍ତ ହେବ ନାହିଁ ।
ଅଧ୍ୟକ୍ଷ ମହୋଦୟ,
ସେମାନଙ୍କ ସହ ଲଢେଇରେ ଆମେ ଅନେକ ସାଧାରଣ ଜନତା ଏବଂ ସେନାଙ୍କୁ ହରାଇଛୁ । ତେଣୁ ସମୟର ଆବଶ୍ୟକତା ହେଲା ଆମ ନିରାପତ୍ତା ସହଯୋଗକୁ ଅଧିକ ଘନିଷ୍ଠ କରିବା ଏବଂ ଏହା ଏଭଳି ନୀତି ଉପରେ ଆଧାରିତ ହେବା ବାଂଛନୀୟ ।
• ଯେଉଁମାନେ ଆତଙ୍କବାଦକୁ ଆଶ୍ରୟ, ପ୍ରଶ୍ରୟ ଏବଂ ସହାୟତା ଯୋଗାଉଛନ୍ତି ସେମାନଙ୍କୁ ବିଚ୍ଛିନ୍ନ କରିବା
• ଯେଉଁମାନେ ଭଲ ଓ ଖରାପ ଆତଙ୍କବାଦୀଙ୍କ ମଧ୍ୟରେ ପାର୍ଥକ୍ୟ ବିବେଚନା ନ କରନ୍ତି ଏବଂ ଯେଉଁମାନେ ଧର୍ମଠାରୁ ଆତଙ୍କବାଦକୁ ଅଲଗା ନ କରନ୍ତି ସେମାନଙ୍କୁ ବିଛିନ୍ନ କରିବା
• ଅଧିକନ୍ତୁ ଆମକୁ ଏ ଦିଗରେ ସଫଳ ହେବାକୁ ହେଲେ ଯେଉଁମାନେ ମାନବିକତାରେ ବିଶ୍ୱାସୀ, ସେମାନଙ୍କୁ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ସମୂହ ସଂଗ୍ରାମ କରିବାକୁ ହେବ ଏବଂ ଏକ ସ୍ୱରରେ ଏପରି ଆତଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ ।
• ଆତଙ୍କବାଦକୁ ଯେକୌଣସି ମତେ ଅସ୍ୱୀକାର କରିବାକୁ ପଡ଼ିବ ।
ଅଧ୍ୟକ୍ଷ ମହୋଦୟ,
ଆମ ସଂପର୍କର ସୁଫଳ କେବଳ ଏହା ଆବଶ୍ୟକ କରୁଥିବା ରାଷ୍ଟ୍ର ଅଥବା କ୍ଷେତ୍ରରେ ସୀମିତ ନୁହେଁ ।
ଆମେ ନିଜେ ଏବଂ ଆମର ଉଭୟଙ୍କ ସାମର୍ଥ୍ୟକୁ ଏକଜୁଟ କରି ଆମେ ମଧ୍ୟ ବିଶ୍ୱର ଅନ୍ୟାନ୍ୟ ଚାଲେଞ୍ଜକୁ ମୁକାବିଲା କରୁଛୁ । ଏଥିରେ ବିପର୍ଯ୍ୟୟକାଳୀନ ଆବଶ୍ୟକତା ଏବଂ ମାନବୀୟ ସହାୟତାର ଆବଶ୍ୟକ ପଡ଼ିଛି ।
ଆମ ଉପକୂଳଠାରୁ ଢେର ଦୂରରେ ଆମେ ୟେମେନରୁ ହଜାର ହଜାର ଭାରତୀୟ, ଆମେରିକୀୟ ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛୁ । ନେପାଳରେ ଭୟାବହ ଭୂମିକମ୍ପ ସଂଘଟିତ ହେବାବେଳେ ଆମର ନିକଟତମ ପ୍ରତିବେଶୀ ଭାବେ ଆମେ ପ୍ରଥମେ ସହାୟତାର ହାତ ବଢାଇଥିଲୁ । ମାଳଦ୍ୱୀପର ଜଳସଂକଟ ସମୟରେ ଏବଂ ନିକଟରେ ଶ୍ରୀଲଙ୍କାରେ ଘଟିଥିବା ଭୂସ୍ଖଳନ ବେଳେ ଆମେ ତୁରନ୍ତ ସେଠାରେ ପହଂଚି ସହାୟତା ଯୋଗାଇଥିଲୁ । ମିଳିତ ଜାତିସଂଘ ଶାନ୍ତିସେନାରେ ଆମ ସେନାଙ୍କ ସହଯୋଗ ସର୍ବାଧିକ ।
ଅଧିକାଂଶ ସମୟରେ ଭାରତ ଓ ଆମେରିକା ବିଜ୍ଞାନ, ପ୍ରଯିୁକ୍ତିବିଦ୍ୟା ଓ ଅଭିନବତ୍ୱ କ୍ଷେତ୍ରରେ ସେମାନଙ୍କ ସାମର୍ଥ୍ୟକୁ ଏକଜୁଟ କରି କ୍ଷୁଧା, ଦାରିଦ୍ର୍ୟ, ରୋଗ ଏବଂ ନିରାକ୍ଷରତା ବିରୋଧରେ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ମୁକାବିଲା କରିଛୁ । ଆମ ସହଯୋଗର ସଫଳତା ମଧ୍ୟ ନୂଆ ନୂଆ ସୁଯୋଗର ସୂତ୍ରପାତ ଘଟାଉଛି, ଯାହା ଶିକ୍ଷା, ନିରାପତା ଏବଂ ବିକାଶ କାର୍ଯ୍ୟକ୍ରମରେ ଏସିଆଠାରୁ ଆଫି୍ରକା ପର୍ଯ୍ୟନ୍ତ ପରି ଦୃଶ୍ୟ । ଏବଂ ପର୍ଯ୍ୟାବରଣର ସୁରକ୍ଷା ଏବଂ ପୃଥିବୀର ଯତ୍ନନେବା ଆମ ସହଭାଗୀ ଲକ୍ଷ୍ୟ ଓ ଉଚିତ ବିଶ୍ୱ ଗଠନର ମୂଳ ମନ୍ତ୍ରୀ ।
ଭାରତରେ ଆମପାଇଁ, ଧରିତ୍ରୀ ମାତା ସହ ସଂହତି ରକ୍ଷା କରି ବସବାସ କରିବା ହେଲା ଆମ ପ୍ରାଚୀନ ସଭ୍ୟତାର ଅଂଶବିଶେଷ ।
ପୁନଶ୍ଚ, ଯାହା ଆମପାଇଁ ଏକାନ୍ତ ଜରୁରୀ, ପ୍ରକୃତିଠାରୁ ତାହା ନେବା ହେଲା ଆମ ସଭ୍ୟତାର ମୂଳ ଆଧାର ।
ତେଣୁ ଆମର ସହଭାଗିତା, ଆମ ଦାୟିତ୍ୱବୋଧ ଏବଂ କ୍ଷମତା ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରକ୍ଷାର ପ୍ରତ୍ୟାଶା ରଖେ । ଏବଂ ଏହା ମଧ୍ୟ ଅକ୍ଷୟଶକ୍ତି ବିକାଶର ନୂଆ ନୂଆ ଉପାୟ ଓ ଉପଲବ୍ଧତା ଉପରେ ଗୁରୁତ୍ୱାରୋପ କରେ । ଏକ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ ଦିଗରେ ଆମ ପ୍ରୟାସକୁ ଆମେରିକାର ଦୃଢ ସମର୍ଥନ ଏପରି ଏକ ଉଦ୍ୟମ । ଆମେ ଏକତ୍ର ମିଶି ଗ୍ରହଣ କରୁଥିବା କାର୍ଯ୍ୟକ୍ରମ କେବଳ ଆମମାନଙ୍କ ଭବିଷ୍ୟତ ଲାଗି ଉଦ୍ଦିଷ୍ଟ ନୁହେଁ, ପରନ୍ତୁ ସମଗ୍ର ବିଶ୍ୱପାଇଁ ଉଦ୍ଦିଷ୍ଟ ।
ଜି-୨୦, ପୂର୍ବ ଏସିଆ ସମ୍ମିଳନୀ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଆମ ଉଦ୍ୟମର ଏହାହିଁ ଥିଲା ଆଭିମୁଖ୍ୟ ।
ମାନନୀୟ ଅଧ୍ୟକ୍ଷ ଏବଂ ସଦସ୍ୟବୃନ୍ଦ,
ଆମେ ଯେତେବେଳେ ଆମ ସହଭାଗିତାକୁ ନିବିଡ଼ କରିବାକୁ ଯାଉଛେ, ଏହି ପ୍ରକ୍ରିୟାରେ ସମୟାନ୍ତରେ ଆମର ଆଭିମୁଖ୍ୟରେ କେତେକ ପାର୍ଥକ୍ୟ ଦେଖା ଦେଇପାରେ । କିନ୍ତୁ ଯେତେବେଳେ ଆମର ସ୍ୱାର୍ଥ ଓ ଉଦବେଗ ଏକତ୍ର ମିଶୁଛି ନିଷ୍ପତ୍ତି ଗ୍ରହଣ ସ୍ୱାୟତ୍ତତା ଓ ଆମ ଆଭିମୁଖ୍ୟର ବିଭିନ୍ନତା ଆମ ସହଭାଗିତାକୁ କେବଳ ମୂଲ୍ୟବୋଧ ହିଁ ପ୍ରଦାନ କରିବ । ତେଣୁ ଆମେ ଯେତେବେଳେ ସମ୍ପର୍କର ଏକ ନୂଆ ଯାତ୍ରା ଆରମ୍ଭ କରୁଛେ ଏବଂ ନୂତନ ଲକ୍ଷ୍ୟ ହାସଲ ପାଇଁ ଆଶା କରୁଛେ, ସେତେବେଳେ କେବଳ ଧାରାବାହିକ ପ୍ରସଙ୍ଗରେ ନୁହେଁ, ସଂସ୍କାର ଧର୍ମ ଓ ମହତ୍ୱାଂକାଂକ୍ଷୀ ଧାରଣା ଉପରେ ଆଲୋକପାତ କରିବା ଆବଶ୍ୟକ । ସେହିସବୁ ଧାରଣା ନିମ୍ନଲିଖିତ ପ୍ରସଙ୍ଗରେ ଗୁରୁତ୍ୱାରୋପ କରୁଥିବ ।
• କେବଳ ସଂପଦ ସୃଷ୍ଟି ନୁହେଁ, ଆମ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଉଚିତ୍
• କେବଳ ତତ୍କାଳୀକ ସୁଫଳ ପ୍ରାପ୍ତି ନୁହେଁ, ଦୀର୍ଘକାଳୀନ ଉପକାରସିଦ୍ଧି
• କେବଳ ଉତ୍ତମ କାର୍ଯ୍ୟାନ୍ୱୟନ ଆଦାନପ୍ରଦାନ ନୁହେଁ, ବରଂ ସହଭାଗିତାର ଭିତ୍ତିସ୍ଥାପନ
• କେବଳ ଆମ ଲୋକମାନଙ୍କ ପାଇଁ ଏକ ଉଜ୍ୱଳ ଭବିଷ୍ୟତ ଗଠନ ନୁହେଁ, ବରଂ ଏକ ଉଜ୍ୱଳ ମିଳିତ, ମାନବୀୟ ଓ ସମୃଦ୍ଧ ବିଶ୍ୱ ଗଠନ
ଏବଂ ଏହି ଯାତ୍ରାର ସଫଳତା ପାଇଁ ସବୁଠାରୁ ଜରୁରୀ ହେଲା ଏହାକୁ ନୂତନ ଦୃଷ୍ଟିଭଙ୍ଗୀ ଏବଂ ନୂତନ ଭାବାବେଗର ସହ ଦେଖିବା । ଯେତେବେଳେ ଆମେ ଏହା କରିବା, ସେତେବେଳେ ଆମେ ଏହି ଅଭୂତପୂର୍ବ ସଂପର୍କର ସମସ୍ତ ପ୍ରତିଶ୍ରୁତିର ସୁଫଳ ଲାଭ କରିପାରିବା ।
ଅଧ୍ୟକ୍ଷ ମହୋଦୟ,
ମୋର ଚୂଡ଼ାନ୍ତ ଚିନ୍ତନ ଓ ଶବ୍ଦରେ ମୁଁ ଦୋହରାଇବାକୁ ଚାହେଁ ଯେ ଏକ ଉଜ୍ୱଳ ଭବିଷ୍ୟତ ସକାଶେ ଆମ ସଂପର୍କ ଉଦ୍ଦିଷ୍ଟ । ଅତୀତର ଅସୁବିଧା ସବୁ ପଛରେ ରହିସାରିଛି ଏବଂ ଭବିଷ୍ୟତର ଭିତ୍ତିଭୂମି ସୁଦୃଢ ହୋଇସାରିଛି ।
ୱାଲ୍ଟ ହ୍ଵିଟମେନଙ୍କ ଭାଷାରେ
“ଅର୍କେଷ୍ଟ୍ରା ଦେଇଛି ଅନେକ ମୂର୍ଚ୍ଛନା ସଂଗୀତ
ବାଟନ୍ ଦେଇଛି ପୁଣି ଅନେକ ସଂକେତ ‘’
ଏବଂ ତା ସହ ମୁଁ ଯୋଡ଼ିବାକୁ ଚାହେଁ, ଏବେ ଏକ ନୂଆ ସିମ୍ଫୋନୀର ମୂର୍ଚ୍ଛନା ଆମ କାନରେ ପଡୁଛି ।
ଅଧ୍ୟକ୍ଷ ମହୋଦୟ ଏବଂ ବିଶିଷ୍ଟ ସଦସ୍ୟଗଣ,
ଆପଣମାନେ ମୋତେ ଦେଇଥିବା ଏହି ସମ୍ମାନ ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛି ।
ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।
Honoured & privileged to address a joint meeting of the US Congress. Here is my speech. https://t.co/rEw8uuhhEk pic.twitter.com/HxiEzX0Jbq
— Narendra Modi (@narendramodi) 8 June 2016
A big thank you to all Congressmen, Congresswomen, Senators and guests who attended the address.
— Narendra Modi (@narendramodi) 8 June 2016
Thanks @SpeakerRyan for the kind words & opportunity to address Congress. Was great meeting you earlier today. pic.twitter.com/ovxtFLGT5E
— Narendra Modi (@narendramodi) 8 June 2016