Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆବୁ ଧାବି, ସଂଯୁକ୍ତ ଆରବ ଏମିରେଟସ୍‌ରେ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଆବୁ ଧାବି, ସଂଯୁକ୍ତ ଆରବ ଏମିରେଟସ୍‌ରେ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ନମସ୍କାର!
ଆଜି ଆବୁ ଧାବିରେ ଆପଣମାନେ ଏକ ନୂତନ ଇତିହାସ ସୃଷ୍ଟି କରି ଦେଇଛନ୍ତି । ଆପଣମାନେ ସମସ୍ତେ ୟୁଏଇର କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, କିନ୍ତୁ ଆପଣ ସମସ୍ତଙ୍କ ହୃଦୟ ଯୋଡି ହୋଇଛି । ଏହି ଐତିହାସିକ ଷ୍ଟାଡିୟମ୍‌ରେ ପ୍ରତିଟି ସ୍ପନ୍ଦନ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ! ପ୍ରତିଟି ନିଶ୍ୱାସ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ । ପ୍ରତିଟି ଧ୍ୱନୀ କହୁଛି ଭାରତ-ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ ! ହଁ… ଏହି କ୍ଷଣକୁ ବଂଚିଯିବାର ଅଛି… ମନ ଭରି ଅନୁଭବ କରିନେବାର ଅଛି । ଆଜି ସେହି ସ୍ମୃତିଗୁଡିକୁ ସାଉଁଟି ନେବାର ଅଛି, ଯାହା ସାରା ଜୀବନ ଆପଣଙ୍କ ସହ ରହିବାକୁ ଯାଉଛି । ଯେଉଁ ସ୍ମୃତି ସାରା ଜୀବନ ମୋ ସହିତ ମଧ୍ୟ ରହିବ ।

ମୋର ଭାଇ ଓ ଭଉଣୀମାନେ,
ମୁଁ ଆଜି ନିଜ ପରିବାରର ସଦସ୍ୟମାନଙ୍କୁ ଭେଟିବାକୁ ଆସିଛି । ସମୁଦ୍ର ସେପାରି ଯେଉଁ ଦେଶର ମାଟିରେ ଆପଣମାନେ ଜନ୍ମ ନେଇଛନ୍ତି, ମୁଁ ସେହି ମାଟିର ସୁଗନ୍ଧ ଆପଣମାନଙ୍କ ପାଇଁ ନେଇ ଆସିଛି । ମୁଁ ବାର୍ତା ନେଇ ଆସିଛି, ଆପଣମାନଙ୍କ ୧୪୦ କୋଟି ଭାରତୀୟ ଭାଇ ଭଉଣୀଙ୍କ ବାର୍ତା ନେଇ ଆସିଛି… ଆଉ ଏହି ବାର୍ତା ହେଉଛି – ଭାରତ ଆପଣମାନଙ୍କୁ ନେଇ ଗର୍ବ କରେ, ଆପଣମାନେ ଦେଶର ଗୌରବ ଅଟନ୍ତି । ଭାରତ ଆପଣମାନଙ୍କ ପାଇଁ ଗର୍ବିତ ।

ଭାରତମ ନିଙ୍ଗଡେ ଔର୍ତ ଅଭିମା- ନିକୁତୁ!! ଓଙ୍ଗଲଇ ପାର୍ତ ଭାରତମ ପିରୁମଇ ପଡଗିରଦୁ!!
ଭାରତା ନିମ୍ମା ବଗଗେ ହେମ୍ମେ ପଡୁ ତଦେ!! ମି ପଇ ଭାରତଦେଶମ ଗର୍ବିସ୍ତୋନ୍ଦି!!

ଏକ ଭାରତ – ଶ୍ରେଷ୍ଠ ଭାରତର ଏହି ସୁନ୍ଦର ଚିତ୍ର, ଆପଣମାନଙ୍କ ଏହି ଉତ୍ସାହ, ଆପଣମାନଙ୍କ ଏହି ସ୍ୱର, ଆଜି ଆବୁ ଧାବିର ଆକାଶର ସୀମା ଲଂଘି ଯାଉଛି । ମୋ ପାଇଁ ଏତେ ସ୍ନେହ, ଏତେ ଆଶୀର୍ବାଦ, ଏହା ଅଭିଭୂତ କରିଦେଲା ଭଳି ଅଟେ । ଆପଣମାନେ ସମୟ ବାହାର କରି ଏଠାକୁ ଆସିଲେ, ମୁଁ ଆପଣମାନଙ୍କ ନିକଟରେ ବେଶ୍ କୃତଜ୍ଞ ।

ବନ୍ଧୁଗଣ,
ଆଜି ଆମ ସହ ମିନିଷ୍ଟର ଅଫ ଟଲରେନ୍ସ, ମହାନୁଭବ ଶେଖ୍ ନାହ୍ୟାନ ମଧ୍ୟ ଉପସ୍ଥିତ ଅଛନ୍ତି । ସେ ଭାରତୀୟ ସମୁଦାୟର ଜଣେ ଭଲ ବନ୍ଧୁ ଏବଂ ଶୁଭଚିନ୍ତକ ଅଟନ୍ତି । ଭାରତୀୟ ସମୁଦାୟ ପ୍ରତି ତାଙ୍କର ଭଲପାଇବା ପ୍ରଶଂସନୀୟ । ଆଜି ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ମୋ ଭାଇ ମହାନୁଭବ ଶେଖ ମହମ୍ମଦ ବିନ ଜାୟଦ ଜୀଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ଏଭଳି ଭବ୍ୟ ସମାରୋହ ତାଙ୍କ ସହଯୋଗ ବିନା ସମ୍ଭବ ହୋଇନଥାନ୍ତା । ତାଙ୍କର ଆତ୍ମୀୟତା, ମୋ ପ୍ରତି ତାଙ୍କର ଆପଣାପଣ, ମୋ ପାଇଁ ବହୁତ ବଡ ସମ୍ପତି । ୨୦୧୫ ମସିହାରେ ମୋ ପ୍ରଥମ ଯାତ୍ରା ମୋର ମନେଅଛି । ସେତେବେଳେ ମତେ କେନ୍ଦ୍ର ସରକାରରେ ଯୋଗ ଦେବାର ଅଧିକ ସମୟ ହୋଇନଥିଲା । ତିନି ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ତାହା ପ୍ରଥମ ୟୁଏଇ ଗସ୍ତ ଥିଲା । କୂଟନୀତିର ଜଗତ ମଧ୍ୟ ମୋ ପାଇଁ ନୂଆ ଥିଲା । ସେତେବେଳେ ବିମାନ ବନ୍ଦରରେ ମୋର ସ୍ୱାଗତ କରିବା ପାଇଁ ସେତେବେଳେର କ୍ରାଉନ ପ୍ରିନ୍ସ ଏବଂ ଆଜିର ରାଷ୍ଟ୍ରପତି ନିଜର ପାଂଚ ଭାଇଙ୍କ ସହ ବିମାନ ବନ୍ଦରରେ ପହଂଚିଥିଲେ । ସେହି ଉଷ୍ମତା, ସମସ୍ତଙ୍କ ଆଖିରେ ସେହି ଚମକ, ମୁଁ କେବେ ମଧ୍ୟ ଭୁଲି ପାରିବି ନାହିଁ । ସେହି ପ୍ରଥମ ସାକ୍ଷାତରେ ହିଁ ମତେ ଏଭଳି ଅନୁଭବ ହେଲା ଯେପରି ମୁଁ ନିଜର କୌଣସି ଆତ୍ମିୟଙ୍କ ଘରକୁ ଆସିଛି । ସେମାନେ ମଧ୍ୟ ଏକ ପରିବାର ଭଳି ମୋର ଅତିଥି ସତ୍କାର କରୁଥିଲେ । କିନ୍ତୁ ବନ୍ଧୁଗଣ, ସେହି ଆତିଥ୍ୟ କେବଳ ମୋର ନଥିଲା । ସେହି ଆତିଥ୍ୟ, ସେହି ସ୍ୱାଗତ, ୧୪୦ କୋଟି ଭାରତୀୟଙ୍କ ପାଇଁ ଥିଲା । ସେହି ଆତିଥ୍ୟ, ଏଠାରେ ୟୁଏଇରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କର ଥିଲା ।   

ବନ୍ଧୁଗଣ,
ଗୋଟେ ଦିନ ସିଏ ଥିଲା ଆଉ ଆଜି ଗୋଟେ ଦିନ । ୧୦ ବର୍ଷ ମଧ୍ୟରେ ୟୁଏଇକୁ ଏହା ମୋର ସପ୍ତମ ଗସ୍ତ । ଭାଇ ଶେଖ ମହମ୍ମଦ ବିନ୍ ଜାୟଦ ଆଜି ମଧ୍ୟ ମତେ ବିମାନବନ୍ଦରରେ ସ୍ୱାଗତ କରିବାକୁ ଆସିଥିଲେ । ତାଙ୍କର ଆପଣାପଣ ସେହିଭଳି ଥିଲା, ତାଙ୍କର ଘନିଷ୍ଠତା ସେହିଭଳି ଥିଲା ଏବଂ ଏହି ହିଁ ତାଙ୍କର ବିଶେଷତା ।

ବନ୍ଧୁଗଣ,
ମୁଁ ଖୁସି ଯେ ମୋତେ ମଧ୍ୟ ୪ ଥର ତାଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ମିଳିଛି । ସେ କିଛି ଦିନ ପୂର୍ବରୁ ଗୁଜରାଟ ଆସିଥିଲେ । ସେତେବେଳେ ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯାଇଥିଲେ । ଆପଣମାନେ ଜାଣନ୍ତି କି ଏହି କୃତଜ୍ଞତା କ’ଣ ପାଇଁ? କୃତଜ୍ଞତା ଏଇଥିପାଇଁ କାରଣ ସେ ଯେଉଁଭଳି ୟୁଏଇରେ ଆପଣ ସମସ୍ତଙ୍କ ଯତ୍ନ ନେଉଛନ୍ତି, ସେ ଯେଉଁଭଳି ଭାବେ ଆପଣମାନଙ୍କ ପାଇଁ ଚିନ୍ତା କରୁଛନ୍ତି, ସେହିଭଳି ବହୁତ୍ କମ୍ ଦେଖିବାକୁ ମିଳିଥାଏ । ଏଥିପାଇଁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସବୁ ଲୋକ ଘରୁ ବାହାରି ଆସିଥିଲେ ।

ବନ୍ଧୁଗଣ,
ଏହା ମଧ୍ୟ ମୋର ସୌଭାଗ୍ୟ ଯେ ୟୁଏଇରେ ମତେ ସର୍ବୋଚ୍ଚ ନାଗରିକ ସମ୍ମାନ – ଦ ଅର୍ଡର ଅଫ ଜାୟେଦ୍‌ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ କେବଳ ମୋର ନୁହେଁ, ବରଂ କୋଟି କୋଟି ଭାରତବାସୀଙ୍କ ସମ୍ମାନ, ଆପଣ ସମସ୍ତଙ୍କ ସମ୍ମାନ । ମୁଁ ଯେତେବେଳେ ବି ମୋ ଭାଇ ଶେଖ ମୋହମ୍ମଦ ବିନ୍ ଜାୟେଦଙ୍କୁ ଭେଟିଥାଏ, ସେ ଆପଣ ସମସ୍ତ ଭାରତୀୟମାନଙ୍କର ବହୁତ ପ୍ରଶଂସା କରିଥାଆନ୍ତି । ୟୁଏଇର ବିକାଶରେ ଆପଣମାନଙ୍କ ଭୂମିକାର ପ୍ରଶଂସା କରିଥାଆନ୍ତି । ଏହି ଜାୟଦ ଷ୍ଟାଡିୟମରୁ ମଧ୍ୟ ଭାରତୀୟମାନଙ୍କ ସ୍ୱେଦର ବାସ୍ନା ଆସୁଛି । ମୁଁ ଖୁସି ଯେ ଆମର ଏମିରେଟ୍ସର ବନ୍ଧୁମାନେ ଭାରତୀୟମାନଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି ଏବଂ ନିଜର ସୁଖ ଦୁଃଖର ସାଥୀ କରିଛନ୍ତି । ସମୟ ସହିତ ଏହି ସମ୍ପର୍କ ଦିନକୁ ଦିନ ଆହୁରି ଅଧିକ ମଜବୁତ ହେବାରେ ଲାଗିଛି । ଏବଂ ଏଥିରେ ମଧ୍ୟ ଭାଇ ଶେଖ ମୋହମ୍ମଦ ବିନ ଜାୟଦଙ୍କର ବହୁତ ବଡ ଭୂମିକା ରହିଛି । ଆପଣମାନଙ୍କ ପ୍ରତି ସେ କେତେ ସମ୍ବେଦନଶୀଳ, ତାହା ମତେ କୋଭିଡ ସମୟରେ ଜଣା ପଡିଥିଲା । ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ ଆମେ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛୁ । କିନ୍ତୁ ସେ ମତେ କହିଥିଲେ ଯେ ଆଦୌ ଚିନ୍ତା କରନ୍ତୁ ନାହିଁ । ସେ ଏଠାରେ ଭାରତୀୟମାନଙ୍କ ଚିକିତ୍ସା ପାଇଁ, ଟୀକାକରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଏଠାରେ ସେ ଥାଉ ଥାଉ, ବାସ୍ତବରେ ମୋତେ କୌଣସି ଚିନ୍ତା କରିବାକୁ ପଡିନଥିଲା । ମୁଁ ଆପଣ ସମସ୍ତଙ୍କ ପ୍ରତି ତାଙ୍କର ଏହି ଅସୀମ ପ୍ରେମ ପ୍ରତିମୂହୁର୍ତରେ ଅନୁଭବ କରେ । କେବଳ ଏତିକି ନୁହେଁ, ଯେତେବେଳେ ୨୦୧୫ ମସିହାରେ ତାଙ୍କ ସମ୍ମୁଖରେ, ଆପଣ ସମସ୍ତଙ୍କ ତରଫରୁ, ଆବୁଧାବିରେ ଏକ ମନ୍ଦିର ପାଇଁ ତାଙ୍କୁ ଏକ ପ୍ରସ୍ତାବ ଦେଇଥିଲି, ସେତେବେଳେ ସେ ଗୋଟିଏ ମୂହୁର୍ତର ବିଳମ୍ବ ନକରି ତତକ୍ଷଣାତ୍ ହଁ କରିଦେଇଥିଲେ । ଏବଂ କହିଥିଲେ ଯେ, ଯେଉଁ ସ୍ଥାନ ଉପରେ ଆପଣ ଗାର କାଟିଦେବେ ସେହି ସ୍ଥାନ ମୁଁ ଆପଣଙ୍କୁ ଦେବି । ଏବଂ ଏବେ ଆବୁ ଧାବିରେ ଏହି ଭବ୍ୟ ଦିବ୍ୟ ମନ୍ଦିରର ଲୋକାର୍ପଣର ଐତିହାସିକ ସମୟ ଆସିଯାଇଛି ।

ବନ୍ଧୁଗଣ,
ଭାରତ – ୟୁଏଇ ବନ୍ଧୁତା ଧରାତଳରେ ଯେତିକି ମଜବୁତ, ମହାକାଶରେ ମଧ୍ୟ ଏହାର ଧ୍ୱଜା ସେତିକି ଫର ଫର ହୋଇ ଉଡୁଛି । ମୁଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଛଅ ମାସ ବିତାଇଥିବା ପ୍ରଥମ ଏମିରେଟ ମହାକାଶଚାରୀ ସୁଲତାନ ଅଲ ନେୟାଦୀଙ୍କୁ ଭାରତ ତରଫରୁ ଅଭିନନ୍ଦନ ଜଣାଉଛି । ସେ ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ସ୍ୱାଧୀନତା ଦିବସରେ ଭାରତକୁ ମହାକାଶରୁ ଶୁଭକାମନା ପଠାଇଥିଲେ, ସେଥିପାଇଁ ମଧ୍ୟ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,
ଆଜି ଏକବିଂଶ ଶତାବ୍ଦିର ଏହି ତୃତୀୟ ଦଶନ୍ଧିରେ ଭାରତ ଏବଂ ୟୁଏଇର ସମ୍ପର୍କ ଏକ ଅଦ୍ଭୁତପୂର୍ବ ଶିଖରରେ ପହଁଚିଛିବାରେ ଲାଗିଛି । ଆମେ ପରସ୍ପରର ପ୍ରଗତିରେ ଭାଗୀଦାର ଅଟୁ । ଆମର ସମ୍ପର୍କ ପ୍ରତିଭାର ଅଟେ, ନବସୃଜନର ଅଟେ, ସଂସ୍କୃତିର ଅଟେ । ବିଗତ ଦିନରେ ଆମେ ପ୍ରତ୍ୟେକ ଦିଗରେ ଆମର ସମ୍ପର୍କକୁ ନୂଆ ଉର୍ଜା ଦେଇଛୁ । ଆମେ ଦୁଇ ଦେଶ ଏକାଠି ବାଟ ଚାଲିଛୁ, ଏକାଠି ମିଶି ଆଗକୁ ବଢିଛୁ । ଆଜି ୟୁଏଇ ଭାରତର ତୃତୀୟ ବଡ ବାଣିଜ୍ୟ ଭାଗୀଦାର । ଆଜି ୟୁଏଇ ସପ୍ତମ ବୃହତ ନିବେଶକ ଅଟେ । ଆମେ ଦୁଇ ଦେଶ ସହଜରେ ଜୀବନଧାରଣ ଏବଂ ସହଜରେ ବ୍ୟବସାୟ, ଉଭୟ କ୍ଷେତ୍ରରେ ବେଶ୍ ଅଧିକ ସହଯୋଗ କରୁଛୁ । ଆଜି ମଧ୍ୟ ଆମ ମଧ୍ୟରେ ଯେଉଁ ସବୁ ରାଜିନାମା ସ୍ୱାକ୍ଷରିତ ହୋଇଛି, ସେସବୁ ଏହି ପ୍ରତିଶ୍ରୁତିକୁ ଆଗକୁ  ବଢାଉଛି । ଆମେ ନିଜର ଆର୍ଥିକ ବ୍ୟବସ୍ଥାକୁ ଏକୀକୃତ କରୁଛୁ । ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ମଧ୍ୟ ଭାରତ ଓ ୟୁଏଇର ଭାଗିଦାରୀ ନିରନ୍ତର ଭାବେ ମଜବୁତ୍ ହୋଇଚାଲିଛି ।

ବନ୍ଧୁଗଣ,
ସମୁଦାୟ ଏବଂ ସଂସ୍କୃତିର ସମ୍ପର୍କ କ୍ଷେତ୍ରରେ ତ ଭାରତ-ୟୁଏଇ ଯାହା ହାସଲ କରିଛନ୍ତି, ତାହା ବିଶ୍ୱ ପାଇଁ ଏକ ଆଦର୍ଶ ଅଟେ । ଭାଷାସ୍ତରରେ ଉଭୟ ଦେଶରେ କେତେ ନିକଟତା ରହିଛି, ଏହା ମଧ୍ୟ ମୁଁ ମୋର ଏମିରେଟ୍‌ର ବନ୍ଧୁମାନଙ୍କୁ ନିଶ୍ଚୟ ଜଣାଇବାକୁ ଚାହୁଁଛି । ମୁଁ ଆରବୀରେ କିଛି ବାକ୍ୟ କହିବାର ପ୍ରୟାସ କରୁଛି-“ଅଲ୍ ହିନ୍ଦ ବଲ ଇମାରାତ, ବି-କମ୍ ଅମ ଜମାନ, ବଲ କିତାବ ଅଦ୍‌ଦୁନିୟା ନକ୍ତୁବୁ, ହିସାବ ଲି ମୁସ୍ତକବନ ଅଫଜଲ୍  ବ ସଦାକ ବୟୀନା, ଅଲ ହିନ୍ଦ ବଲ ଇମାରାତ ହିୟା, ସଖତନା ଅଲ୍ ମୁସ୍ତରକା ଫିଲ୍ ହକିକା, ନହନୁ, ଫି ବିଦଏୟା, ସାଇଦା ଲି ମୁସ୍ତକବଲ୍ ଜିଇଇଦା” !!!

ମୁଁ ଆରବିରେ କହିବାର ପ୍ରୟାସ କରିଛି । ଯଦି ଉଚ୍ଚାରଣରେ କିଛି ତୃଟି ଥିବ ତାହେଲେ ମୁଁ ମୋର ୟୁଏଇର ବନ୍ଧୁମାନଙ୍କ ଠାରୁ ନିଶ୍ଚୟ କ୍ଷମା ମାଗିନେବି । ଏବଂ ମୁଁ କଣ କହିଲି ଯେଉଁମାନେ ବୁଝିପାରିଲେ ନାହିଁ, ସେମାନଙ୍କୁ ମୁଁ ଏହାର ଅର୍ଥ ମଧ୍ୟ ବୁଝେଇ ଦେଉଛି । ଯାହା ମୁଁ ଆରବିରେ କହିଲି, ତାହର ଅର୍ଥ ହେଉଛି – ଭାରତ ଏବଂ ୟୁଏଇ, ସମୟର ଲେଖନୀରେ ଦୁନିଆର ପୁସ୍ତକରେ, ଏକ ସୁନ୍ଦର ଭାଗ୍ୟର ହିସାବ ଲେଖି ଚାଲିଛନ୍ତି । ଭାରତ ଏବଂ ୟୁଏଇର ବନ୍ଧୁତ୍ୱ ଆମର ସମଭାଗୀ ସମ୍ପଦ ଅଟେ, ବାସ୍ତବରେ ଆମେ ସୁନ୍ଦର ଭବିଷ୍ୟତର ଉତମ ଆରମ୍ଭ କରିଚାଲିଛୁ । ଏବେ ଆପଣମାନେ ଭାବନ୍ତୁ, ଲେଖନୀ, ପୁସ୍ତକ, ଦୁନିଆ, ହିସାବ, ଜମିନ୍‌, ଏସବୁ ଭାରତରେ କେତେ ସହଜରେ କୁହାଯାଉଥିବା ଶବ୍ଦ ସବୁ ଅଟନ୍ତି । ଏବଂ ଏହି ସବୁ ଶବ୍ଦ ସେଠାରେ କିପରି ପହଁଚିଛନ୍ତି ? ଏଠି ଉପସାଗରର ଏହି କ୍ଷେତ୍ରରୁ । ଆମ ଦୁଇ ଦେଶର ସମ୍ପର୍କ, ହଜାର ହଜାର ବର୍ଷର ଅଟେ ।  ଏବଂ ଭାରତର ଏହା କାମନା ଯେ ଏହି ଭଳି ଏହା ଦିନକୁ ଦିନ ଆହୁରି ମଜବୁତ ହେଇଚାଲୁ ।

ବନ୍ଧୁଗଣ,
ମୋତେ କୁହାଯାଇଛି ଯେ ଏଠି ଷ୍ଟାଡିୟମ୍‌କୁ ଏହି ମୂହୁର୍ତରେ ହଜାର ହାଜର ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଆସିଛନ୍ତି । ଆଜି ୟୁଏଇରେ ଅବସ୍ଥିତ ଭାରତୀୟ ସ୍କୁଲ ଗୁଡିକରେ ଏମିତି ତ ଲକ୍ଷାଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ଯୁବା ସାଥୀ, ଭାରତ-ୟୁଏଇ ସମୃଦ୍ଧିର ସାରଥୀ ହେବାକୁ ଯାଉଛନ୍ତି । ମୋର ଭାଇ ମହାନୁଭବ ଶେଖ୍ ମୋହମ୍ମଦ୍ ବିନ୍ ଜାୟଦ୍‌ଙ୍କ ସମର୍ଥନ ବଳରେ ଗତ ମାସରେ ହିଁ ଆଇଆଇଟି ଦିଲ୍ଲୀର ଆବୁ ଧାବି କ୍ୟାମ୍ପସ୍‌ରେ ସ୍ନାତକୋତର ପାଠ୍ୟକ୍ରମ ଆରମ୍ଭ ହୋଇଛି । ଦୁବାଇରେ ନୂତନ କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ପରିଷଦ – ସିବିଏସ୍‌ଇର କାର୍ଯ୍ୟାଳୟ ମଧ୍ୟ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି । ମୋର ବିଶ୍ୱାସ ଯେ ଏହି ପ୍ରତିଷ୍ଠାନ ଏଠି ଭାରତୀୟ ସମୁଦାୟକୁ ଶ୍ରେଷ୍ଠ ଶିକ୍ଷା ପ୍ରଦାନରେ ଆହୁରି ସାହାଯ୍ୟ କରିବ ।

ବନ୍ଧୁଗଣ,
ଆଜି ପ୍ରତ୍ୟେକ ଭାରତୀୟର ଲକ୍ଷ୍ୟ, ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ବିଶ୍ୱର ସେହି ଦେଶ ଯାହାର ଅର୍ଥ ବ୍ୟବସ୍ଥା ବେଶ୍ ଦ୍ରୁତ ଗତିରେ ଆଗକୁ ବଢିଚାଲିଛି ସେଇ ଦେଶ କିଏ ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ସ୍ମାର୍ଟ ଫୋନ୍ ଡାଟା ଉପଯୋଗ କରିବାରେ ଏକ ନମ୍ବର ଅଟେ ?  ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ବୈଶ୍ୱିକ ଫିନ୍‌ଟେକ୍ ଆପଣେଇବା ହାରରେ ଏକ ନମ୍ବର ଅଟେ ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯେଉଁଠି ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ ? ଆମରି ଭାରତ ! ବିଶ୍ୱର ସେହି  ଦେଶ କିଏ ଯିଏ ଇନ୍ଟରନେଟ୍ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ନିର୍ମାଣକାରୀ ଅଟେ ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯେଉଁଠି ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ପରିବେଷ୍ଟନୀତନ୍ତ୍ର ରହିଛି ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ନିଜର ପ୍ରଥମ ପ୍ରୟାସରେ ମଙ୍ଗଳଗ୍ରହ ପର୍ଯ୍ୟନ୍ତ ପହଁଚିଯାଇଛି ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜର ପତାକା ଉଡେଇ ପାରିଛି ? ଆମରି ଭାରତ ! ବିଶ୍ୱର ତାହା କେଉଁ ଦେଶ ଅଟେ ଯିଏ ଗୋଟିଏ ଥରରେ ଶହ ଶହ ଉପଗ୍ରହ ପ୍ରେରଣ କରିବାର ରେକର୍ଡ ସୃଷ୍ଟି କରିଛି ? ଆମରି ଭାରତ ! ବିଶ୍ୱର ତାହା କେଉଁ ଦେଶ ଅଟେ ଯିଏ ନିଜର ସମାର୍ଥ୍ୟରେ ୫ଜି ପ୍ରଯୁକ୍ତି ବିକଶିତ କରି ସବୁଠାରୁ ଦ୍ରୁତ ଗତିରେ ଏହାକୁ କାର୍ଯ୍ୟକାରୀ କରିଛି ? ଆମରି ଭାରତ !

ବନ୍ଧୁଗଣ,
ଭାରତର ଉପଲବ୍ଧି, ପ୍ରତି ଭାରତୀୟର ଉପଲବ୍ଧି ଅଟେ । କେବଳ ଦଶ ବର୍ଷରେ ଭାରତ, ବିଶ୍ୱର ଏକାଦଶତମ ଅର୍ଥନୀତିରୁ ପଂଚମ ଅର୍ଥନୀତି ପାଲଟି ଯାଇଛି । ଏବଂ ଆପଣମାନେ ଜାଣିଛନ୍ତି ମୋର ପ୍ରତି ଭାରତୀୟଙ୍କ ସାମର୍ଥ୍ୟ ଉପରେ କେତେ ଅଧିକ ଭରସା ରହିଛି । ଏହି ଭରସାର ସାମର୍ଥ୍ୟକୁ ନେଇ ମୋଦୀ ଏକ ଗ୍ୟାରେନ୍ଟି ମଧ୍ୟ ଦେଇଛି । ମୋଦୀର ଗ୍ୟାରେନ୍ଟି ଆପଣମାନେ ଜାଣନ୍ତି ? ମୋଦୀ ନିଜର ତୃତୀୟ ପାଳିରେ, ମୋଦୀ ନିଜର ତୃତୀୟ ପାଳିରେ ଭାରତକୁ ତିନି ନମ୍ବର ଅର୍ଥନୀତିରେ ପରିଣତ କରିବାର ଗ୍ୟାରେନ୍ଟି ଦେଇଛି । ଏବଂ ମୋଦୀର ଗ୍ୟାରେନ୍ଟି ଅର୍ଥ ହେଉଛି ଗ୍ୟାରେନ୍ଟି ପୁରଣ ହେବାର ଗ୍ୟାରେନ୍ଟି । ଆମ ସରକାର, ଜଣସାଧାରଣଙ୍କ ଜୀବନର ସ୍ତରକୁ ଉନ୍ନତ କରିବା ନିମନ୍ତେ, ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ହ୍ରାସ କରିବା ଦିଗରେ କ୍ରମାଗତ କାର୍ଯ୍ୟ କରି ଚାଲିଛନ୍ତି । ଆମେ ୪ କୋଟିରୁ ଅଧିକ ପରିବାରଙ୍କୁ ପକ୍କା ଘର ନିର୍ମାଣ କରି ହସ୍ତାନ୍ତର କରିଛୁ । ଆମେ ୧୦ କୋଟିରୁ ଅଧିକ ପରିବାରଙ୍କୁ ପାଇପ୍ ଜଳର ସଂଯୋଗ ଦେଇଛୁ । ଆମେ ୫୦ କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡିଛୁ । ଆମେ ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିଛୁ । ଗାଁ ଗହଳି ଲୋକମାନଙ୍କ ଚିକିତ୍ସାରେ ଅସୁବିଧା ନହେଉ, ଏଥିପାଇଁ ଆମେ ଦେଢ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରସ୍ତୁତ କରିଛୁ ।

ବନ୍ଧୁଗଣ,
ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବିଗତରେ ଭାରତ ଯାଇଛନ୍ତି, ସେମାନେ ଜାଣିଛନ୍ତି ଯେ ଆଜି ଭାରତରେ କେତେ ଦ୍ରୁତ ଗତିରେ ପରିବର୍ତନ ଘଟିଚାଲିଛି । ଆଜି ଭାରତ, ଗୋଟିଏରୁ ବଳି ଗୋଟିଏ ଆଧୁନିକ ଏକ୍ସପ୍ରେସ୍ ୱେ ନିର୍ମାଣ କରିଚାଲିଛି । ଆଜି ଭାରତ, ଗୋଟିଏରୁ ବଳି ଗୋଟିଏ ନୂଆ ବିମାନ ବନ୍ଦର ନିର୍ମାଣ କରିଚାଲିଛି । ଆଜି ଭାରତ, ଗୋଟିଏରୁ ବଳି ଗୋଟିଏ ରେଳ ଷ୍ଟେସନ୍ ନିର୍ମାଣ କରିଚାଲିଛି । ଆଜି ଭାରତର ପରିଚୟ, ନୂଆ ଉପାୟ, ନୂଆ ଅଭିନବତାର କାରଣରୁ ସୃଷ୍ଟି ହୋଇଚାଲିଛି । ଆଜି ଭାରତର ପରିଚୟ ବିଶାଳ ଭିତିଭୂମି ପ୍ରକଳ୍ପ ଯୋଗୁଁ ସୃଷ୍ଟି ହୋଇଚାଲିଛି । ଆଜି ଭାରତର ପରିଚୟ, ଏକ ଚଳଚଂଚଳ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ରୂପରେ ସୃଷ୍ଟି ହୋଇଚାଲିଛି । ଆଜି ଭାରତର ପରିଚୟ, ଏକ ବୃହତ କ୍ରୀଡାଶକ୍ତି ରୂପରେ ସୃଷ୍ଟି ହୋଇଚାଲିଛି । ଏବଂ ଏହାଶୁଣି ଆପଣଙ୍କୁ ଗର୍ବ ଅନୁଭବ ହେଉଛି, ନିଶ୍ଚିତ ଭାବେ ହେଉଥିବ, ହେଉଛି ନା ?

ବନ୍ଧୁଗଣ,
ଆପଣମାନେ ସମସ୍ତେ ଭାରତରେ ଦେଖା ଦେଇଥିବା ଡିଜଟାଲ୍ କ୍ରାନ୍ତିକୁ ଜାଣିଛନ୍ତି । ଡିଜିଟାଲ୍ ଇଣ୍ଡିଆର ପ୍ରଶଂସା ସମଗ୍ର ବିଶ୍ୱରେ ହୋଇଚାଲିଛି । ଏହାର ଲାଭ ୟୁଏଇରେ ବସବାସ କରୁଥିବା ଆପଣ ସମସ୍ତ ସାଥୀମାନଙ୍କୁ ମଧ୍ୟ ମିଳୁ, ଏଥିପାଇଁ ଆମେ ପ୍ରୟାସ କରିଚାଲିଛୁ । ଆମେ ୟୁଏଇ ସହିତ ଆମର ରୂପେ କାର୍ଡ ଷ୍ଟାକ୍‌କୁ ଭାଗ କରିଛୁ । ଏହାଦ୍ୱାରା ୟୁଏଇକୁ ନିଜର ଘରୋଇ କାର୍ଡ ବ୍ୟବସ୍ଥା ବିକଶିତ କରିବାରେ ସହାୟତା ମିଳିଛି । ଆହୁରି ଜାଣିଛନ୍ତି, ଭାରତର ସହଯୋଗରେ ପ୍ରସ୍ତୁତ କାର୍ଡ ବ୍ୟବସ୍ଥାର ୟୁଏଇ କଣ ନାଁ ରଖିଛି ? ପୁଣି ୟୁଏଇ କଣ ନାଁ ରଖିଛି – ଜୀବନ । କେତେ ସୁନ୍ଦର ନାଁ ଦେଇଛି ୟୁଏଇ !!!

ବନ୍ଧୁଗଣ୍‌,
ଖୁବ୍‌ଶୀଘ୍ର ୟୁଏଇରେ ମଧ୍ୟ ୟୁପିଆଇର ଶୁଭାରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ୟୁଏଇ ଏବଂ ଭାରତୀୟ ବ୍ୟାଙ୍କ ଆକାଉନ୍ଟ ମଧ୍ୟରେ ସୁଗମ ଦେଣନେଣ ସମ୍ଭବ ହୋଇପାରିବ । ଏହାଦ୍ୱାରା ଆପଣମାନେ ଭାରତରେ ନିଜର ପରିବାରର ଲୋକମାନଙ୍କୁ ଆହୁରି ସହଜରେ ପଇସା ପଠାଇ ପାରିବେ ।

ବନ୍ଧୁଗଣ,
ଭାରତର କ୍ରମବର୍ଦ୍ଧିଷ୍ଣୁ ସାମର୍ଥ୍ୟ ବିଶ୍ୱରେ ମଧ୍ୟ ସ୍ଥାୟୀତ୍ୱ ଓ ସମୃଦ୍ଧିର ଆଶା ସଂଚାର କରିଛି । ବିଶ୍ୱକୁ ଲାଗୁଛି ଯେ ଭାରତ ଏକ ଭରସାଯୋଗ୍ୟ ବିଶ୍ୱ ବ୍ୟବସ୍ଥା ସ୍ଥାପନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବ । ମୁଁ ଖୁସି ଯେ ଆଜି ଭାରତ ଏବଂ ୟୁଏଇ ଏକାଠି ମିଶି ବିଶ୍ୱର ଏହି ଭରସାକୁ ଆହୁରି ମଜବୁତ କରି ଚାଲିଛନ୍ତି । ଆପଣମାନେ ସମସ୍ତେ ମଧ୍ୟ ଦେଖିଛନ୍ତି ଯେ ଭାରତ ଅତି ସଫଳତାର ସହ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି । ଏଥିରେ ମଧ୍ୟ ଆମେ ୟୁଏଇକୁ ଏକ ଭାଗୀଦାର ରୂପରେ ଆମନ୍ତ୍ରିତ କରିଥିଲୁ । ଏହିଭଳି ପ୍ରୟାସ ଦ୍ୱାରା ଆମର ନୀତିଗତ ଭାଗୀଦାରୀ ମଧ୍ୟ ନୂତନ ଶିଖର ଆଡକୁ ବଢିଚାଲିଛି । ଆଜି ଭାରତକୁ ବିଶ୍ୱ ଏକ ବିଶ୍ୱ-ବନ୍ଧୁ ରୂପରେ ଦେଖୁଛି । ଆଜି ବିଶ୍ୱର ପ୍ରତି ବଡ ମଂଚରେ ଭାରତର ସ୍ୱର ଶୁଣିହେଉଛି । କେଉଁଠି ମଧ୍ୟ ସଂକଟ ଆସୁଛି ତାହେଲେ ସବୁଠାରୁ ପ୍ରଥମେ ପହୁଁଚୁଥିବା ଦେଶ ମଧ୍ୟରେ ଭାରତର ନାମ ମଧ୍ୟ ଆସୁଛି । ଆଜିର ମଜବୁତ ଭାରତ ପ୍ରତି ପାଦରେ ନିଜ ଲୋକମାନଙ୍କ ସହିତ ଛିଡା ହୋଇଛି । ଗତ ୧୦ ବର୍ଷରେ ଆପଣମାନେ ଦେଖିଛନ୍ତି ଯେ ଯେଉଁଠି ବି ବିଦେଶରେ ବସବାସ କରୁଥିବା ଭାରତୀୟଙ୍କର କୌଣସି ସମସ୍ୟା ଆସିଛି, ଭାରତ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ୟୁକ୍ରେନ୍‌, ସୁଦାନ, ୟେମେନ୍ ଏବଂ ଅନ୍ୟାନ୍ୟ ସଂକଟରେ ଫସିରହିଥିବା ହଜାର ହଜାର ଭାରତୀୟଙ୍କୁ ଆମେ ସୁରକ୍ଷିତ ଭାବେ ଭାରତକୁ ଲୋଉଟାଇ ଆଣିଛୁ । ବିଶ୍ୱରେ ରୁହନ୍ତୁ ବା ବିଶ୍ୱର ଭିନ୍ନ ଭିନ୍ନ ଭାଗରେ କାମ କରୁଥିବା ଭାରତୀୟମାନଙ୍କୁ ସାହାଯ୍ୟ ପାଇଁ ସରକାର ଦିନରାତି କାମ କରି ଚାଲିଛନ୍ତି ।

ବନ୍ଧୁଗଣ,
ଭାରତ ଏବଂ ୟୁଏଇ ଏକାଠି ମିଶି ଏକବିଂଶ ଶତାବ୍ଦିର ନୂଆ ଇତିହାସ ଲେଖି ଚାଲିଛନ୍ତି । ଏବଂ ଆପଣ ସମସ୍ତ ସାଥୀମାନେ ଏହି ଇତିହାସର ବହୁତ ବଡ ଆଧାର ଅଟନ୍ତି । ଆପଣାମାନେ ଏଠି ଯେଉଁ ପରିଶ୍ରମ କରୁଛନ୍ତି, ତାହା ଫଳରେ ଭାରତକୁ ମଧ୍ୟ ଉର୍ଜା ମିଳୁଛି ।  ଆପଣାମାନେ ଭାରତ ଏବଂ ୟୁଏଇର ବିକାଶ ତଥା ସମ୍ପର୍କକୁ ଏହିଭଳି ମଜବୁତ କରିଚାଲନ୍ତୁ । ଏହି ଆଶା ସହିତ ଏହି ଭବ୍ୟ ସ୍ୱାଗତ ନିମନ୍ତେ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ ଜଣାଉଛି । ମୋ ସହିତ କୁହନ୍ତୁ ଭାରତ ମାତା କି ଜୟ ! ଭାରତ ମାତା କି ଜୟ ! ଭାରତ ମାତା କି ଜୟ !
 
ମୋର ଏବଂ ଆପଣମାନଙ୍କ ମଧ୍ୟରେ ବହୁତ ଦୂରତା ରହିଛି, ଏଥିପାଇଁ ମୁଁ ଆପଣମାନଙ୍କ ଗହଣରେ ଆପଣମାନଙ୍କ ଦର୍ଶନ ନିମନ୍ତେ ଆସୁଅଛି । କିନ୍ତୁ ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ଯେଉଁଠି ଅଛନ୍ତି ସେଇଠି ବସି ରହିବେ, ତାହେଲେ ମୋତେ ଆପଣମାନଙ୍କ  ଦର୍ଶନର ସୌଭାଗ୍ୟ ଭଲ ଭାବରେ ମିଳିବ । ତାହେଲେ ମୋତେ ଆପଣମାନେ ସାହାଯ୍ୟ କରିବେ ନା ? ନିଶ୍ଚିତ ଭାବେ କରିବେ ନା? 

ଭାରତ ମାତା କି ଜୟ !
ଭାରତ ମାତା କି ଜୟ !
ଅନେକ ଅନେକ ଧନ୍ୟବାଦ !

JP