2016 ସେପ୍ଟେମ୍ବର 14 ଓ 15 ତାରିଖରେ ଇସ୍ଲାମିକ୍ ରିପବ୍ଲିକ୍ ଆଫଗାନିସ୍ତାନର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଅଶରଫ୍ ଘନିଙ୍କୁ ଭାରତକୁ ଆନୁଷ୍ଠାନିକ ଗସ୍ତ ସମୟରେ ହାର୍ଦ୍ଧିକ ସ୍ୱାଗତ କରାଯାଇଥିଲା। ତାଙ୍କ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ ଓ ପରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଘନିଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ଡିସେମ୍ବରରେ କାବୁଲ୍ ଓ ଚଳିତବର୍ଷ ଜୁନ୍ ମାସରେ ହେରାତ୍ ଗସ୍ତକୁ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଗସ୍ତ ସମୟରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିଥିଲା ଓ ଫଳପ୍ରଦ ଆଲୋଚନା ହୋଇଥିଲା ତଥା ଏହା ପରେ ସେ ରାଷ୍ଟ୍ରପତିଙ୍କୁ ତେହରାନଠାରେ (2016 ମଇ) ଓ ତାସ୍କେଣ୍ଟ (2016 ଜୁନ୍)ରେ ଅନ୍ୟ ବୈଠକ କରିଥିଲେ।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସବୁସ୍ତରରେ ନିୟମିତ ଯୋଗାଯୋଗ ଓ ଘନିଷ୍ଠତା ପାଇଁ ଉଭୟ ନେତା ନିଜର ଖୁସି ବ୍ୟକ୍ତ କରିଥିଲେ। ଏହା ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଓ ସାମଗ୍ରିକ ସହଯୋଗିତାକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ।
ଆଫଗାନିସ୍ତାନର ନିଜସ୍ୱ ପ୍ରୟାସରେ ରାଜନୀତିକ, ସୁରକ୍ଷା ଓ ଆର୍ଥିକ ଦେଣନେଣ ସଫଳ କରିବାରେ ଭାରତ-ଆଫଗାନିସ୍ତାନର ଦ୍ୱିପାକ୍ଷିକ ବିକାଶ ସହଯୋଗିତା ସହାୟକ ହୋଇଛି। ପ୍ରମୁଖ ମାଇଲଖୁଂଟ ଯଥା ସଂସଦ ଭବନ ନିର୍ମାଣ ଓ ଆଫଗାନିସ୍ତାନ-ଭାରତ ମୈତ୍ରୀ ବନ୍ଧ (Dam) ନିର୍ମାଣ କାର୍ଯ୍ୟ ନିକଟରେ ଶେଷ ହେବା ନେଇ ଦୁଇ ନେତା ଖୁସି ବ୍ୟକ୍ତ କରିଥିଲେ। 2016 ଅଗଷ୍ଟ 22ତାରିଖରେ ଭିଡିଓ ଲିଙ୍କ୍ ମାଧ୍ୟମରେ ସ୍ତୋର ମହଲର ମିଳିତ ଉଦ୍ଘାଟନ ସମୟରେ ଆଫଗାନ୍ ଭାଇ ଓ ଭଉଣୀଙ୍କ ସପକ୍ଷରେ ଭାରତର 125 କୋଟି ଲୋକ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଆଶ୍ୱସନାର ଉଲ୍ଲେଖନୀୟତା ଉପରେ ରାଷ୍ଟ୍ରପତି ଘନି ଗୁରୁତ୍ୱ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଆଫଗାନିସ୍ତାନର ଅଖଣ୍ଡତା, ସାର୍ବଭୌମତ୍ୱ, ଗଣତନ୍ତ୍ର, ଶାନ୍ତି, ସ୍ଥିର ଓ ସମୃଦ୍ଧି ଦିଗରେ ଭାରତର ଦୃଢ଼ ସମର୍ଥନକୁ ଦୋହରାଇଥିଲେ। ଆଫଗାନିସ୍ତାନର ସାମର୍ଥ୍ୟ ଓ ସବୁ କ୍ଷେତ୍ରର ସାର୍ମଥ୍ୟ ଗଠନ ପାଇଁ ଆଫଗାନିସ୍ତାନର ଆବଶ୍ୟକତାକୁ ପୂରଣ କରିବାକୁ ଭାରତ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଆଫଗାନିସ୍ତାନର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ଶକ୍ତି, ଭିତ୍ତିଭୂମି ଓ ଗଣତାନ୍ତ୍ରିକ ପ୍ରତିଷ୍ଠାନର ସୁଦୃଢ଼ତା ଦିଗରେ ସହଯୋଗ ପାଇଁ ଭାରତ ପ୍ରସ୍ତୁତ ଥିବା ସେ କହିଥିଲେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଘନିଷ୍ଠ ପଡ଼ୋଶୀ ଓ ଆଫଗାନିସ୍ତାନର ବନ୍ଧୁ ଭାବେ ସେଠାର ଲୋକଙ୍କ ପାଇଁ ଏକ ବିଲିୟନ୍ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଥିଲେ। ସହମତି ଭିତ୍ତିରେ ସୌର ଶକ୍ତି କ୍ଷେତ୍ରରେ ସହଭାଗିତା ଓ ଭାରତରୁ ସହଜ ସୁଲଭ ମୂଲ୍ୟରେ ଆନ୍ତର୍ଜାତିକ ମାନର ମେଡିସିନ୍ ଆଫଗାନିସ୍ତାନକୁ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।
ଦୁଇ ନେତା ଆଚଂଳିକ ସ୍ଥିତିକୁ ନେଇ ଆଲୋଚନା କରିବା ସହ ରାଜନୀତିକ ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ଏହି ଅଂଚଳରେ ଜାରି ରହିଥିବା ଆତଙ୍କବାଦ ଓ ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ଅଚଂଳର ବିକାଶ, ସ୍ଥିରତା ଓ ଶାନ୍ତି କ୍ଷେତ୍ରରେ ବର୍ତ୍ତମାନ ପରିଦୃଶ୍ୟରେ ଏହା ଏକକ ସର୍ବବୃହତ୍ ବିପଦ ବୋଲି ଦୁଇ ନେତା ମତ ଦେଇଥିଲେ। କୌଣସି ପ୍ରକାରର ଭେଦଭାବ ନରଖି ସବୁ ପ୍ରକାରର ଆତଙ୍କବାଦକୁ ମୂଳପୋଛ କରିବା ଉପରେ ଗୁରୁତ୍ୱ ଦେଇ ଭାରତ ଓ ଆଫଗାନିସ୍ତାନକୁ ଟାର୍ଗେଟ୍ କରୁଥିବା ସମସ୍ତ ପ୍ରକାର ଆତଙ୍କବାଦର ପ୍ରାୟୋଜନ, ସହାୟତା, ଆତଙ୍କବାଦୀଙ୍କ ସ୍ୱର୍ଗ ଓ ଅଭୟାରଣ୍ୟକୁ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ। ଭାରତ-ଆଫାଗାନିସ୍ତାନର ରଣନୀତିକ ଭାଗିଦାରୀ ଚୁକ୍ତିରେ ପରିକଳ୍ପିତ ଆତଙ୍କବାଦର ମୁକାବିଲା, ସୁଦୃଢ ସୁରକ୍ଷା ଓ ସାମରିକ ଭାଗିଦାରୀର ସଂକଳ୍ପକୁ ଦୁଇ ନେତା ଦୋହରାଇଥିଲେ।
ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଓ ଆଫଗାନିସ୍ତାନର ବିଦେଶ ମନ୍ତ୍ରୀଙ୍କ ନେତୃତ୍ୱରେ ରଣନୀତିକ ଭାଗିଦାରୀ ପରିଷଦ ଖୁବଶୀଘ୍ର ବୈଠକ କରିବାକୁ ଦୁଇ ନେତା ସହମତ ହୋଇଥିଲେ। ଏହି ବୈଠକରେ ସହଯୋଗର ବିଭିନ୍ନ କ୍ଷେତ୍ର ଓ ଭବିଷ୍ୟତର ମାର୍ଗ ଦର୍ଶନ ପାଇଁ ଗଠିତ 4ଟି ମିଳିତ ୱାର୍କିଂ ଗ୍ରୁପ୍ର ସୁପାରିଶକୁ ସମୀକ୍ଷା କରିବେ।
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର, ସିଭିଲ ଓ ବାଣିଜ୍ୟିକ ମାମଲାରେ ସହଯୋଗ ପାଇଁ ରାଜିନାମା ଓ ବାହ୍ୟ ଅନ୍ତରୀକ୍ଷ କ୍ଷେତ୍ରର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଏମ୍ଓୟୁକୁ ନେଇ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ।
2016 ମଇ ମାସରେ ଆଫଗାନିସ୍ତାନ, ଭାରତ ଓ ଇରାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିକୁ ତ୍ୱରାନ୍ୱିତ କରିବାକୁ ଦୁଇ ନେତା ଗୁରୁତ୍ୱ ଦେଇଥିଲେ। ଚାବାହାର ଏହି ଅଚଂଳରେ ଯୋଗାଯୋଗ ବୃଦ୍ଧି କରାଇବ। ଏହି ପ୍ରସଙ୍ଗରେ ଉଭୟ ନେତା ତିନି ରାଷ୍ଟ୍ର ଦ୍ୱାରା ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ର ସମେତ ପ୍ରମୁଖ ଭାଗିଦାର ମିଳିତ ଫୋରମ୍ ଗଠନ ପାଇଁ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।
ଉଭୟ ନେତା ଭାରତ-ଇରାନ-ଆଫଗାନିସ୍ତାନର ତ୍ରିପାକ୍ଷିକ ବିଚାର ବିମର୍ଶର ଫଳାଫଳକୁ ପ୍ରଶଂସା କରିବା ସହ ପରେ ଚଳିତ ମାସରେ ନ୍ୟୁୟର୍କରେ ଭାରତ-ଆମେରିକା-ଆଫଗାନିସ୍ତାନର ବିଚାର ବିମର୍ଶକୁ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ଘନିଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଫଗାନିସ୍ତାନ ସରକାରଙ୍କୁ ସବୁ ଦିଗରୁ ସହଯୋଗ ଦେବା ପାଇଁ ଆନ୍ତର୍ଜାତିକ ସମୁଦାୟ ସହ ଭାରତ ନିୟମିତ ସମ୍ପର୍କ ଜାରି ରଖିବ।
ଏହି ପ୍ରସଙ୍ଗରେ ଦୁଇ ନେତା ଆଗାମୀ ଡିସେମ୍ବର 3ରେ ହାର୍ଟ ଅଫ୍ ଏସିଆ-ଇସ୍ତାନବୁଲ୍ ପ୍ରକ୍ରିୟା(ଏଚ୍ଓଏ)ର ଅମୃତସର ମନ୍ତ୍ରିସ୍ତରୀୟ ସମ୍ମିଳନୀର ମହତ୍ୱ ଓ ଅକ୍ଟୋବର 5 ରେ ବ୍ରସେଲ୍ସ ସମ୍ମିଳନୀକୁ ରେଖାଙ୍କିତ କରିଥିଲେ। ଚଳିତବର୍ଷ ପାଇଁ ଏଚ୍ଓଏର ପ୍ରସଙ୍ଗ ‘ଚାଲେଞ୍ଜର ସମାଧାନ, ସମୃଦ୍ଧି ହାସଲ’ ରଖାଯାଇଛି। ଦୁଇ ନେତା ଦକ୍ଷିଣ ଏସିଆ ଓ ମଧ୍ୟ ଏସିଆ ମଧ୍ୟରେ ଦୁଇ-ପାଖିଆ ନିରନ୍ତର ସଂଯୋଗକୁ ଶୀଘ୍ର ସାକାର କରିବା ପାଇଁ ଭାରତ ଓ ଆଫଗାନିସ୍ତାନ ପ୍ରତିଶ୍ରୁତିବଦ୍ଧ ଥିବା ରେଖାଙ୍କିତ କରିଥିଲେ।
ଅମୃତସର ମନ୍ତ୍ରିସ୍ତରୀୟ ଉଦ୍ଘାଟନରେ ସାମିଲ ହେବାକୁ ରାଷ୍ଟ୍ରପତି ଘନିଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଥିଲେ। ରାଷ୍ଟ୍ରପତି ଘନି ଏହି ଆମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ଆଫଗାନିସ୍ତାନରେ ଆର୍ଥିକ ସୁଯୋଗ ଓ ସମ୍ଭାବନା ଭାରତୀୟ ଶିଳ୍ପ ଓ ବ୍ୟବସାୟର ପ୍ରମୁଖ ଉଦ୍ୟୋଗପତିମାନଙ୍କୁ ରାଷ୍ଟ୍ରପତି ଅବଗତ କରାଇଥିଲେ। ଇନଷ୍ଟିଟ୍ୟୁଟ ଫର୍ ଡିଫେନ୍ସ ଷ୍ଟଡିଜ୍ ଏଣ୍ଡ ଏନାଲିସିସ୍ ରେ ବଛାବଛା ରଣନୀତିକ/ସାମରିକ ବିଶେଷଜ୍ଞଙ୍କ ସଭାକୁ ରାଷ୍ଟ୍ରପତି ଘନି ‘ରାଜନୀତିକ ହିଂସାର ପଂଚମ ତରଙ୍ଗ ଓ ଆନ୍ତର୍ଜାତିକ ଆତଙ୍କବାଦ’ ପ୍ରସଙ୍ଗରେ ସମ୍ବୋଧନ କରିଥିଲେ।
Glad to have met President @ashrafghani in Delhi. We had extensive talks on India-Afghanistan ties. @ARG_AFG pic.twitter.com/5EgOtwEXuN
— Narendra Modi (@narendramodi) September 14, 2016