ଜୁନ୍ ୪ ରୁ ଜୁନ୍ ୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ, କତାର, ସୁଇଜରଲାଣ୍ଡ, ଆମେରିକା ଓ ମେକ୍ସିକୋ ଗସ୍ତ କରୁଛନ୍ତି । ଏହି ଗସ୍ତ ସଂପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଫେସବୁକ୍ ଏକାଉଣ୍ଟରେ ଅନେକଗୁଡ଼ିଏ ଲେଖା (ପୋଷ୍ଟ) ଛାଡିଛନ୍ତି । ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
“ଆସନ୍ତାକାଲି ଆଫଗାନିସ୍ତାନ ଗସ୍ତକୁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଗସ୍ତ କାଳରେ ରାଷ୍ଟ୍ରପତି ଅଶରଫ ଘନୀଙ୍କ ସହ ହେରାତଠାରେ ନବନିର୍ମିତ ଆଫଗାନିସ୍ତାନ-ଭାରତ ମୈତ୍ରୀ ନଦୀବନ୍ଧକୁ ଉଦ୍ଘାଟନ କରିବେ । ଏହା ଦୁଇଦେଶର ବନ୍ଧୁତାର ପ୍ରତୀକ । ଏହି ବନ୍ଧ ନିର୍ମାଣ ଦ୍ୱାରା ହେରାତ ଅଂଚଳରେ ଲୋକଙ୍କ ଘରେ ବିଜୁଳି ପହଂଚିବା ସହ ସେମାନଙ୍କ ଉର୍ବର ଜମିକୁ ଜଳସେଚିତ କରାଯାଇପାରିବ । ତେଣୁ ସେଠାରେ ସମୃଦ୍ଧି ସହ ଏକ ନୂତନ ଆଶାର ସଂଚାର ଘଟିବ ।
ରାଷ୍ଟ୍ରପତି ଘନୀଙ୍କ ସହ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରି କହିଛନ୍ତି ଯେ, ଏହି ଆଲୋଚନା କାଳରେ କ୍ଷେତ୍ରୀୟ ପରିସ୍ଥିତି ସହ ଆଗାମୀ ଦିନରେ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ କାର୍ଯ୍ୟସୂଚୀ ସ୍ଥିର କରାଯିବ ।
ଜୁନ୍ ୪ ଏବଂ ୫ ତାରିଖରେ ପ୍ରଧାନମନ୍ତ୍ରୀ କତାର ଗସ୍ତରେ ଯାଉଛନ୍ତି । କତାରର ଅମୀରଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ସେହି ରାଷ୍ଟ୍ର ଗସ୍ତରେ ଯାଉଛନ୍ତି । ଗସ୍ତ କାଳରେ ସେ ମହାମାନ୍ୟ ଶେଖ୍ ତମିମଙ୍କ ସହ ସାକ୍ଷାତ କରିବେ । ଗତବର୍ଷ ଶେଖ୍ ତମିମଙ୍କ ଐତିହାସିକ ଭାରତ ଗସ୍ତ ଦୁଇଦେଶ ମଧ୍ୟରେ ଥିବା ସଂପର୍କକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା । ସେଠାରେ ସେ ମହାମାନ୍ୟ ତମିମଙ୍କ ପିତା ଅମୀରଙ୍କୁ ମଧ୍ୟ ସାକ୍ଷାତ କରିବେ, ଯିଏ ଗତ ଦୁଇ ଦଶନ୍ଧି ଧରି ଦ୍ୱିପାକ୍ଷିକ ସଂପର୍କକୁ ବ୍ୟକ୍ତିଗତ ଭାବେ ଦିଗଦର୍ଶନ କରି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଗସ୍ତ ଦ୍ୱାରା ଭାରତ-କତାର ମଧ୍ୟରେ ଥିବା ଐତିହାସିକ ଘନିଷ୍ଠ ସଂପର୍କ ଆହୁରି ସୁଦୃଢ ହେବ ଏବଂ ଦୁଇ ରାଷ୍ଟ୍ରର ଜନତାଙ୍କ ମଧ୍ୟରେ ସଂପର୍କ ସ୍ଥାପନ, ଶକ୍ତି, ବାଣିଜ୍ୟ ଓ ନିବେଶର ପରିସର ବ୍ୟାପକ ହେବ । କତାର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଏକ ଶ୍ରମିକ ଶିବିରକୁ ଯାଇ ଭାରତୀୟ ଶ୍ରମିକମାନଙ୍କ ସହ ଭାବ ବିନିମୟ କରିବେ । କତାରରେ ଏବେ ପ୍ରାୟ ୬ ଲକ୍ଷରୁ ଅଧିକ ଭାରତୀୟ ଶ୍ରମିକ କାର୍ଯ୍ୟରତ । ସେମାନଙ୍କ ଶ୍ରମ ଓ ନିଷ୍ଠା ଦ୍ୱିପାକ୍ଷିକ ସଂପର୍କକୁ ଘନିଷ୍ଠ କରିବାରେ ସହଯୋଗ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ କତାରର ବ୍ୟବସାୟିକ ନେତୃବର୍ଗଙ୍କ ସହ କଥାବାର୍ତ୍ତା କରିବେ । ଦୁଇଦେଶ ମଧ୍ୟରେ ଥିବା ବାଣିଜ୍ୟ ଓ ନିବେଶ ସହଯୋଗକୁ ସାକାର କରିବା ଦିଗରେ ସେମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ।
୫ ତାରିଖ ଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମ ଗସ୍ତରେ ଯାଇ ସୁଇଜରଲାଣ୍ଡର ରାଜଧାନୀ ଜେନେଭାଠାରେ ପହଂଚିବେ । ସୁଇଜରଲାଣ୍ଡ ସମଗ୍ର ୟୁରୋପରେ ଭାରତର ଜଣେ ଘନିଷ୍ଠ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର । ସେଠାରେ ସେ ରାଷ୍ଟ୍ରପତି ସ୍ନିଡର ଅମ୍ମନଙ୍କ ସହ ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ସହଯୋଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବେ ।
ଜେନେଭା ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସେ ଦେଶର ପ୍ରମୁଖ ବ୍ୟବସାୟୀକ ନେତୃବର୍ଗଙ୍କ ସହ ଆର୍ଥିକ ଏବଂ ନିବେଶ ସହଯୋଗର ସମ୍ପ୍ରସାରଣ ଦିଗରେ ଆଲୋଚନା କରିବେ । ସେହିଭଳି ସିଇଆରଏନରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ଭେଟିବେ । ମାନବ ସେବା ପାଇଁ ବିଜ୍ଞାନର ନୂତନ ଦିଗନ୍ତ ସନ୍ଧାନରେ ଭାରତ ତାର ନିଜସ୍ୱ ଅବଦାନ ସାକାର କରିଛି ବୋଲି ଗର୍ବ ଅନୁଭବ କରେ ।
ସୁଇଜରଲାଣ୍ଡ ଗସ୍ତ କାର୍ଯ୍ୟକ୍ରମକୁ ଶେଷ କରି ପ୍ରଧାନମନ୍ତ୍ରୀ ୬ ତାରିଖ ସନ୍ଧ୍ୟାରେ ୱାଶିଂଟନ ଡିସିଠାରେ ପହଂଚିବେ । ରାଷ୍ଟ୍ରପତି ବାରାକ ଓବାମାଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଆମେରିକା ଗସ୍ତ କରୁଛନ୍ତି । ଜୁନ୍ ୭ ତାରିଖ ଦିନ ରାଷ୍ଟ୍ରପତି ଓବାମାଙ୍କ ସହ ଶ୍ରୀ ମୋଦୀ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେବେ । ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉପଲବ୍ଧ ସଫଳତା ଆଗାମୀ ଦିଗରେ ଭାରତ-ଆମେରିକା ସହଯୋଗକୁ ନୂତନ ଦିଗଦର୍ଶନ ଓ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଭାରତ-ଆମେରିକା ବ୍ୟବସାୟିକ ସଂଗୋଷ୍ଠୀ (ୟୁଏସଆଇବିସି)ର ୪୦ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେବାକୁ ପ୍ରଧାନମନ୍ତ୍ରୀ ଉତ୍କଣ୍ଠାର ସହ ଅପେକ୍ଷାରତ । ସେହିଭଳି ସେଠାରେ ସେ ମାର୍କିନ ବ୍ୟବସାୟୀକ ନେତୃବର୍ଗଙ୍କ ସହ କଥାବାର୍ତ୍ତା କରିବେ । ଗତ ଦୁଇବର୍ଷ ଧରି ସେମାନେ ଭାରତ ଉପରେ ସେମାନଙ୍କ ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆମେରିକୀୟ ବିଜ୍ଞ ଓ ଚିନ୍ତାଶୀଳ ଗୋଷ୍ଠୀ (Think Tank)ଙ୍କ ସହ ମତ ବିନିମୟ କରିବା ସହ ଭାରତୀୟ ପ୍ରାଚୀନ କୀର୍ତ୍ତି ପ୍ରତ୍ୟାବର୍ତ୍ତନ ସକାଶେ ଆୟୋଜିତ ଏକ ଧନ୍ୟବାଦ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଭଳି ଏର୍ଲିଂଟନ୍ ସମାଧିସ୍ଥଳ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଜ୍ଞାତ ମାର୍କିନ ସେନା ଏବଂ କଲମ୍ବିଆ ମହାକାଶ ଯାନ ସ୍ମାରକୀରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । କଲମ୍ବିଆ ମହାକାଶ ଯାନ ଦୁର୍ଘଟଣାରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କଳ୍ପନା ଚାୱଲା ପ୍ରାଣ ହରାଇଥିଲେ ।
ଜୁନ୍ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମାର୍କିନ କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବେ । ମାର୍କିନ କଂଗ୍ରେସ ସଦସ୍ୟ ଓ ସିନେଟରମାନଙ୍କୁ ସମ୍ବୋଧନ ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସେଠାକାର ବାଚସ୍ପତି ପଲ୍ ରିଆନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମାର୍କିନ ରାଜଧାନୀ ଗସ୍ତ କାଳରେ ପ୍ରତିନିଧି ସଭା ଏବଂ ସିନେଟ୍ ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ । ସେମାନଙ୍କ ମଧ୍ୟରେ ଅନେକ ଭାରତର ଗୁରୁତ୍ୱପୂର୍ଣ୍ଣ ହିତାକାଂକ୍ଷୀ ରହିଛନ୍ତି ଓ ଭାରତ-ଆମେରିକା ସୁସଂପର୍କର ସେମାନେ ଦୃଢ ସମର୍ଥନକାରୀ ।
ଭାରତ ଓ ଆମେରିକା ଉଭୟେ ସ୍ୱାଭାବିକ ସହଯୋଗୀ ଏବଂ ବିଶ୍ୱର ଦୁଇ ସକ୍ରୀୟ ଗଣତନ୍ତ୍ର, ଯିଏ ନିଜ ନିଜର ବିବିଧତା ଓ ବହୁମତକୁ ନେଇ ଗର୍ବ ଓ ଗୌରବ ଅନୁଭବ କରନ୍ତି । ସୁଦୃଢ ଭାରତ-ଆମେରିକା ସଂପର୍କ କେବଳ ଏହି ଦୁଇ ରାଷ୍ଟ୍ରପାଇଁ ନୁହେଁ, ସମଗ୍ର ବିଶ୍ୱପାଇଁ ହିତ ସାଧନକାରୀ ।
ଜୁନ୍ ୮ ତାରିଖ ଦିନ ମେକ୍ସିକୋ ରାଷ୍ଟ୍ରପତି ପେନା ନିଟୋଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ନିମନ୍ତେ ପ୍ରଧାନମନ୍ତ୍ରୀ ଉତ୍କଣ୍ଠାର ସହ ପ୍ରତୀକ୍ଷାରତ । ପ୍ରାୟ ୩୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମେକ୍ସିକୋ ଗସ୍ତ । ଉଭୟ ନେତା ପାରସ୍ପରିକ ଆଲୋଚନାରେ ମତ ବିନିମୟ କରିବେ । ପ୍ରଧାନମନ୍ତ୍ରୀଙ୍କର ଏହା ସଂକ୍ଷିପ୍ତ ଗସ୍ତ ହୋଇଥିଲେ ସୁଦ୍ଧା ଦୁଇଦେଶର ସଂପର୍କକୁ ଏହା ଏକ ନୂତନ ଶୀର୍ଷରେ ପହଂଚାଇବାର ଆଶାପୋଷଣ କରାଯାଏ ।
Tomorrow I will visit Afghanistan, where I will join the inauguration of Afghanistan-India Friendship Dam in Herat. https://t.co/4RN2JfcTjk
— Narendra Modi (@narendramodi) June 3, 2016
Looking forward to meeting President @ashrafghani & discussing India-Afghanistan ties, during my Afghanistan visit. @ARG_AFG
— Narendra Modi (@narendramodi) June 3, 2016
My Qatar visit is aimed at strengthening economic & people-to-people ties between India & Qatar. https://t.co/RmgmJ96ho1
— Narendra Modi (@narendramodi) June 3, 2016
In Switzerland, will meet President Schneider-Ammann. Will also meet businesspersons & Indian scientists at CERN. https://t.co/5Ho6fNyL8s
— Narendra Modi (@narendramodi) June 3, 2016
My visit to USA is aimed at building upon the progress achieved in India-USA ties & adding new vigour to our strategic partnership.
— Narendra Modi (@narendramodi) June 3, 2016
The programmes in USA include talks with @POTUS & address to a Joint Meeting of the US Congress. https://t.co/hT0AqA1RcS
— Narendra Modi (@narendramodi) June 3, 2016
My visit to Mexico, a privileged partner in the Latin American region, will give an impetus to India-Mexico ties. https://t.co/5ZpL6OZOgw
— Narendra Modi (@narendramodi) June 3, 2016