Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଠାରେ ଇସ୍ରୋର ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍‌ ପ୍ୟାଡ୍ ଭାବରେ ଏହାକୁ ଉପଯୋଗ କରାଯିବ । ଏହା ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନର ଉତକ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ।

ଏହି ପ୍ରକଳ୍ପର ଜାତୀୟ ଗୁରୁତ୍ୱ ରହିଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଟିଏଲପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ। ଏହା କେବଳ ଏନଜିଏଲଭି ନୁହେଁ, ବରଂ ସେମିକ୍ରାୟୋଜେନିକ ପର୍ଯ୍ୟାୟ ସହିତ ଏଲଭିଏମ-3 ଯାନ ତଥା ଏନଜିଏଲଭିର ଉନ୍ନତ ବିନ୍ୟାସ ବା କନଫିଗୁରେସନକୁ ମଧ୍ୟ ସମର୍ଥନ କରିପାରିବ। ପୂର୍ବବର୍ତ୍ତୀ ଲଞ୍ଚ୍ ପ୍ୟାଡ୍ ପ୍ରତିଷ୍ଠା ଏବଂ ବର୍ତ୍ତମାନ ଲଞ୍ଚ୍ କମ୍ପ୍ଲେକ୍ସ ସୁବିଧାଗୁଡ଼ିକୁ ଅନ୍ୟମାନଙ୍କ ଉପଯୋଗ ପାଇଁ ସର୍ବାଧିକ ସୁବିଧା ଦେବାରେ ଇସ୍ରୋର ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଉପଯୋଗ କରି ଶିଳ୍ପ କ୍ଷେତ୍ରର ସର୍ବାଧିକ ଅଂଶଗ୍ରହଣ ଜରିଆରେ ଏହା ସାକାର ହେବ।

୪୮ ମାସ କିମ୍ବା ୪ ବର୍ଷ ମଧ୍ୟରେ ଟିଏଲପି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି।

ବ୍ୟୟ ଯୋଜନା

ମୋଟ ପାଣ୍ଠି ଆବଶ୍ୟକତା ହେଉଛି ୩୯୮୪.୮୬ କୋଟି ଟଙ୍କା ଏବଂ ଏଥିରେ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା ଏବଂ ଆନୁସଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ।

ହିତାଧିକାରୀଙ୍କ ସଂଖ୍ୟା:

ଏହି ପ୍ରକଳ୍ପ ଭାରତୀୟ ମହାକାଶ ଇକୋସିଷ୍ଟମକୁ ଅଧିକ ମହାକାଶଯାନ ଉତକ୍ଷେପଣ ଏବଂ ମାନବ ମହାକାଶ ଉଡ଼ାଣ ଓ ମହାକାଶ ଅନୁସନ୍ଧାନ ମିଶନ ହାତକୁ ନେବା ପାଇଁ ଜାତୀୟ କ୍ଷମତାକୁ ସକ୍ଷମ କରିବ।

ପୃଷ୍ଠଭୂମି:

ବର୍ତ୍ତମାନ, ଭାରତୀୟ ମହାକାଶ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦୁଇଟି ଲଞ୍ଚ ପ୍ୟାଡ ଉପରେ ନିର୍ଭରଶୀଳ- ପ୍ରଥମ ଲଞ୍ଚ ପ୍ୟାଡ୍ (ଏଫଏଲପି) ଏବଂ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ (ଏସଏଲପି)। ପିଏସଏଲଭି ପାଇଁ ୩୦ ବର୍ଷ ପୂର୍ବେ ଏଫଏଲପି ସ୍ଥାପନ କରାଯାଇଥିଲା ଏବଂ ଏହା ପିଏସଏଲଭି ଓ ଏସଏସଏଲଭିର ଉତକ୍ଷେପଣ ନିମନ୍ତେ ଏହାର ଉପଯୋଗ ଜାରି ରହିଛି । ଏସଏଲପିକୁ ମୁଖ୍ୟତଃ ଜିଏସଏଲଭି ଏବଂ ଏଲଭିଏମ ୩ ପାଇଁ ପ୍ରତିଷ୍ଠା କରାଯାଇଥିଲା ଏବଂ ପିଏସଏଲଭି ପାଇଁ ଏହା ଷ୍ଟାଣ୍ଡବାଇ ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ଏସଏଲପି ପ୍ରାୟ ୨୦ ବର୍ଷ ଧରି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ରଯାନ-୩ ମିଶନ ସମେତ ଜାତୀୟ ମିଶନ ଏବଂ ପିଏସଏଲଭି/ଏଲଭିଏମ-୩ର କିଛି ବ୍ୟବସାୟିକ ମିଶନକୁ ସକ୍ଷମ କରିବା ଲାଗି ଏହା ଉତକ୍ଷେପଣ କ୍ଷମତାକୁ ବୃଦ୍ଧି କରିଛି। ଗଗନଯାନ ଅଭିଯାନ ପାଇଁ ମାନବ ମାନ୍ୟତା ପ୍ରାପ୍ତ ଏଲଭିଏମ-୩ ଉତକ୍ଷେପଣ ନିମନ୍ତେ ମଧ୍ୟ ଏସଏଲପି ପ୍ରସ୍ତୁତ ହେଉଛି।

୨୦୩୫ ମସିହା ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ (ବିଏଏସ୍) ପ୍ରତିଷ୍ଠା ଏବଂ ୨୦୪୦ ମସିହା ସୁଦ୍ଧା ଭାରତୀୟ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇବା ସମେତ ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ବିସ୍ତାରିତ ଲକ୍ଷ୍ୟ ପାଇଁ ନୂତନ ପ୍ରପଲ୍ସନ ସିଷ୍ଟମ ସହିତ ଏକ ନୂଆ ପିଢ଼ିର ଭାରୀ ଉତକ୍ଷେପଣ ଯାନର ଆବଶ୍ୟକତା ରହିଛି, ଯାହା ବର୍ତ୍ତମାନର ଲଞ୍ଚ ପ୍ୟାଡ ଦ୍ୱାରା ପୂରଣ ହୋଇପାରିବ ନାହିଁ। ଅଧିକ ଭାରୀ ହୋଇଥିବା ପରବର୍ତ୍ତୀ ପିଢ଼ିର ଉତକ୍ଷେପଣ ଯାନଗୁଡିକୁ ଆବଶ୍ୟକତା ପୂରଣ କରିବା ଏବଂ ଏସଏଲପି ପାଇଁ ଏକ ଷ୍ଟାଣ୍ଡବାଇ ଭାବରେ ତୃତୀୟ ଲଞ୍ଚ ପ୍ୟାଡର ତ୍ୱରିତ ପ୍ରତିଷ୍ଠା ଅତ୍ୟନ୍ତ ଆବଶ୍ୟକ, ଯାହାଦ୍ୱାରା ଆଗାମୀ ୨୫-୩୦ ବର୍ଷ ଲାଗି ପରିବର୍ତ୍ତିତ ମହାକାଶ ପରିବହନ ଆବଶ୍ୟକତାକୁ ପୂରଣ କରାଯାଇପାରିବ।

 

******

P.S/Swadhin