ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁଷ୍ଠିତ ଆନ୍ତଃ-ରାଜ୍ୟ ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କାଳରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନେ ନିଜ ନିଜ ମତ ଉପସ୍ଥାପନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୁଞ୍ଛ କମିଶନଙ୍କ ସୁପାରିସ ସମ୍ପର୍କରେ ମତରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏଠାରେ କରାଯାଇଥିବା ଆଲୋଚନା ଏକ ଉତ୍ତମ ଅୟମାରମ୍ଭ । ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିବ ଏବଂ କମିଶନଙ୍କ ସୁପାରିସ ଉପରେ ସହମତି ସୃଷ୍ଟି ହେବା ପରେ ତାକୁ ପ୍ରବର୍ତ୍ତନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ।
ସୁଶାସନ ଏବଂ ସ୍ୱଚ୍ଛତାର ପ୍ରସାର ଲାଗି ‘ଆଧାର’ ନମ୍ବରକୁ ଏକ ସାଧନ ରୂପେ ବ୍ୟବହାର କରାଯିବା ପ୍ରସ୍ତାବ ପ୍ରାୟତଃ ସଭିଏଁ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଲେ ଯେ ‘ଆଧାର’ ଯୋଗୁ ସରକାରୀ ତହବିଲରେ ଯଥେଷ୍ଟ ଅର୍ଥ ସଞ୍ଚୟ କରାଯାଇପାରୁଛି । ଏହା ଦ୍ୱାରା ମୋଟ କେତେ ଅର୍ଥ ସଞ୍ଚୟ ହୋଇପାରୁଛି ସେ ସଂକ୍ରାନ୍ତରେ ରାଜ୍ୟମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ସେ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସବୁ ଡାକଘରକୁ ପେମେଣ୍ଟ ବ୍ୟାଙ୍କ ଭାବେ ସ୍ଵୀକୃତି ଦିଆଯାଇଛି । ତେଣୁ ତାହା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ପ୍ରବର୍ତ୍ତନ ଦିଗରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ ।
ଶିକ୍ଷା ସମ୍ପର୍କରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କେବଳ ଆଗକୁ ବଢିବା ଅଥବା ଶିକ୍ଷାର ପ୍ରସାର ଯଥେଷ୍ଟ ନୁହେଁ । ଗୁଣାତ୍ମକ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ । ପ୍ରଯୁକ୍ତି କୌଶଳ ପ୍ରୟୋଗ ଦ୍ୱାରା ହିଁ ଗୁଣାତ୍ମକ ଶିକ୍ଷା ଆବଶ୍ୟକତାର ଭରଣା କରାଯାଇପାରିବ ।
ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଶ୍ରୀ ମୋଦୀ କହିଲେ ଯେ ଏବେ ବିଶ୍ୱବ୍ୟାପୀ ଯେଉଁ ସବୁ ଘଟଣା ଘଟିଚାଲିଛି ତାହାକୁ କେନ୍ଦ୍ର ଅଥବା ରାଜ୍ୟ ସରକାର କେହି ହେଲେ ଏଡାଇ ଦେଇପାରିବେ ନାହିଁ । ଏହି ପ୍ରସଙ୍ଗରେ ସେ ରାଜନୀତିକୁ ପଛରେ ପକାଇ, ଜାତୀୟ ନିରାପତ୍ତା ପ୍ରତି ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକମାନଙ୍କ ତିନିଦିନିଆ ସମ୍ମିଳନୀ ବେଳେ ସେ ଏ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଛନ୍ତି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସମ୍ମିଳନୀରେ ଆଲୋଚିତ ପ୍ରସ୍ତାବ ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ଦିଗରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଜଣାଇଥିଲେ । ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ବଳର ଆଖିଦୃଶିଆ ଉପସ୍ଥିତି ଏବଂ ଉତ୍ତମ ସିସିଟିଭି ନେଟୱାର୍କ ଉପରେ ସେ ପ୍ରାଧାନ୍ୟ ଦେଇଥିଲେ । ଏ ଦିଗରେ ଘରୋଇ ଭାବେ ଖଞ୍ଜାଯାଇଥିବା ସିସିଟିଭି ଗୁଡିକ ମଧ୍ୟ ବେଶ ଉପକାରସିଦ୍ଧ ସାବ୍ୟସ୍ତ ହେବ । ସେହିପରି ବେଆଇନ କାର୍ଯ୍ୟକଳାପ ରୋକିବା ଦିଗରେ ଆନ୍ତଃ-ରାଜ୍ୟ ସମନ୍ୱୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନେ ଦେଇଥିବା ପରାମର୍ଶଗୁଡିକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ତର୍ଜମା କରିଦେଖିବେ ।