Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀରେ 31.07.2016 ରେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

ଆଜି ସକାଳୁ ସକାଳୁ ମୋତେ ଦିଲ୍ଲୀର ଯୁବବନ୍ଧୁମାନଙ୍କ ସହିତ କିଛି ମୁହୂର୍ତ୍ତ ଅତିବାହିତ କରିବାର ସୁଯୋଗ ମିଳିଲା। ମୋର ମତ ଯେ ଆଗାମୀ ଦିନମାନଙ୍କରେ ଖେଳର ରଙ୍ଗ ପ୍ରତ୍ୟେକ ଯୁବକଙ୍କ ଉତ୍ସାହ ଉଦ୍ଦୀପନାକୁ ରଙ୍ଗାୟିତ କରିଦେବ । ଆମେ ସମସ୍ତେ ଜାଣିଛୁ ଯେ କିଛି ଦିନ ମଧ୍ୟରେ ବିଶ୍ୱର ସର୍ବବୃହତ କ୍ରୀଡା ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ରିଓ ଆମ କାନରେ ବାରମ୍ବାର ଗୁଞ୍ଜରଣ ସୃଷ୍ଟି କରିବ । ସମଗ୍ର ବିଶ୍ୱ କ୍ରୀଡାରତ ଥିବ । ବିଶ୍ୱର ପ୍ରତ୍ୟେକ ଦେଶ ନିଜର କ୍ରୀଡାବିତମାନଙ୍କ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବ, ଆପଣ ମଧ୍ୟ ରଖିବେ । ଆମର ଆଶା ତ ଅନେକ ଥାଏ । କିନ୍ତୁ ରିଓରେ ଯେଉଁମାନେ ଖେଳିବାକୁ ଯାଇଛନ୍ତି । ସେହି ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା କାମ ମଧ୍ୟ ଶହେ ପଚିଶ କୋଟି ଦେଶବାସୀଙ୍କର । ଆଜି ଦିଲ୍ଲୀରେ ଭାରତ ସରକାର “ରନ୍ ଫର ରିଓ” ଖେଳୁଥାଅ- ବଞ୍ଚିଥାଅ, “ଖେଳ ଏବଂ ପ୍ରସ୍ଫୁଟିତ ହୁଅ”- ଏହିପରି ଗୋଟିଏ ବହୁତ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆମେମାନେ ମଧ୍ୟ ଆଗାମୀ ଦିନରେ ଯେଉଁଠି ଥାଉଁ ନା କାହିଁକି ଆମ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିଛି ନା କିଛି କରିବା । ଏହି ସ୍ତର ପର୍ଯ୍ୟନ୍ତ ଯେଉଁ ଖେଳାଳି ପହଞ୍ଚିଥାଏ ସେ ବହୁତ ପରିଶ୍ରମ ପରେ ସେଠାକୁ ପହଞ୍ଚିଥାଏ । ଏକ ପ୍ରକାର କଠିନ ତପସ୍ୟା କରିଥାଏ । ଅନେକ ଜିନିଷ ଖାଇବାର ସଉକ ଥିଲେ ମଧ୍ୟ ସେ ସବୁ ଛାଡିବାକୁ ପଡେ । ଶୀତ ଦିନେ ଶୋଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ଶେଯ ଛାଡି ଖେଳ ପଡିବାକୁ ପହଞ୍ଚିବାକୁ ହୁଏ । ଆଉ କେବଳ ଖେଳାଳି ନୁହେଁ ତାଙ୍କ ପିତାମାତା ମଧ୍ୟ ସେତିକି ମନ ଦେଇ ନିଜ ପିଲା ପାଇଁ ଶକ୍ତି ଲଗାଇ ଦିଅନ୍ତି । ରାତାରାତି କ୍ରୀଡାବିତ ହୋଇ ହୁଏନା । ଗୋଟିଏ ବହୁତ ବଡ ତପସ୍ୟା ପରେ ଜଣେ ଖେଳାଳି ହୋଇପାରନ୍ତି । ବିଜୟ ଓ ପରାଜୟ ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହି କ୍ରୀଡା ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମେ ଦେଶବାସୀ ରିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଆମର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା । ଆପଣଙ୍କ ତରଫରୁ ଏହି କାର୍ଯ୍ୟ କରିବା ପାଇଁ ମୁଁ ମଧ୍ୟ ପ୍ରସ୍ତୁତ । ଏହି ଖେଳାଳିମାନଙ୍କୁ ଆପଣମାନଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଦେଶର ପ୍ରଧାନମନ୍ତ୍ରୀ “ଡାକବାଲା”(Postman) ହେବାକୁ ପ୍ରସ୍ତୁତ । ଆପଣ ମୋତେ “ନରେନ୍ଦ୍ର ମୋଦୀ ଆପ୍”ରେ ଖେଳାଳିମାନଙ୍କ ନାଁରେ ଶୁଭେଚ୍ଛା ବାର୍ତ୍ତାମାନ ପଠାନ୍ତୁ । ମୁଁ ଆପଣଙ୍କ ଶୁଭେଚ୍ଛା ତାଙ୍କୁ ପହଞ୍ଚାଇବି । ମୁ ମଧ୍ୟ ଶହେ ପଚିଶ କୋଟି ଦେଶବାସୀଙ୍କ ଭଳି ଜଣେ ନାଗରିକ ହିସାବରେ ଆମର ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆପଣଙ୍କ ସାଙ୍ଗରେ ରହିବି । ଆସନ୍ତୁ, ଆମେ ସମସ୍ତେ ଆଗାମୀ ଦିନମାନଙ୍କରେ ପ୍ରତ୍ୟେକ ଖେଳାଳିଙ୍କୁ ଯେଉଁଭଳି ଭାବରେ ସମ୍ମାନୀତ କରିପାରିବା, ତାଙ୍କ ପ୍ରଚେଷ୍ଟାକୁ ପୁରସ୍କୃତ କରିପାରିବା । ଆଜି ଯେତେବେଳେ ମୁଁ ରିଓ ଅଲିମ୍ପିକ୍ସ କଥା କହୁଛି ସେତେବେଳେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ କବିତାପ୍ରେମୀ ଛାତ୍ର ସୂରଜ ପ୍ରକାଶ ଉପାଧ୍ୟୟ ଗୋଟିଏ କବିତା ପଠାଇଛନ୍ତି । ହୁଏତ ଆହୁରି ଅନେକ କବି ଥିବେ, ଯେଉଁମାନେ କବିତା ରଚନା କରିଥିବେ, ହୁଏତ କବିତା ଲେଖିବେ ମଧ୍ୟ, କିଛି ଲୋକ ତ ଏହାର ସ୍ୱର ସଂଯୋଜନା ମଧ୍ୟ କରିବେ, ପ୍ରତ୍ୟେକ ଭାଷାରେ କରିବେ, କିନ୍ତୁ ମୋତେ ସୂରଜ ଜୀ ଯେଉଁ କବିତା ପଠାଇଛନ୍ତି ତାହା ମୁଁ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛି।

ଆସିଲା ଖେଳର ଡାକରା

ଆସିଲା ଖେଳର ଡାକରା, ସୁଯୋଗ ପ୍ରତିଯୋଗୀତା ଭରା

କ୍ରୀଡାର ଏହି ମହାକୁମ୍ଭରେ, ରିଓର ରୁଣୁଝୁଣୁରେ

ଭାରତର ଖାତା ଏମିତି ଖୋଲି, ସୁନା ରୂପା କଂସା ବରିଷି ଚାଲୁ

ଏଥର ଆମର ପାଳି ହେଉ, ସେଭଳି ଆମେ ଖେଳାଳି ହେଉ

ନଜରରେ ରହୁ ସୁନା, ନ ମିଳିଲେ ମନ କରିବନି ଉଣା

କୋଟି ହୃଦୟର ଗୌରବ ତୁମେ, ନିଜ ଖେଳର ପରିଚୟ ହୁଏ

କିର୍ତ୍ତିମାନ ତୁମେ ସ୍ଥାପନ କରି, ରିଓରେ ପତାକା ଉଡାଅ

ରିଓରେ ପତାକା ଉଡାଅ ।।

ସୂରଜ ଜୀ, ଆପଣଙ୍କ ଭାବନାକୁ ଏହି ସମସ୍ତ ଖେଳାଳିମାନଙ୍କୁ ସମର୍ପିତ କରୁଛି । ଆଉ ମୋ ତରଫରୁ ଶହେ ପଚିଶ କୋଟି ଦେଶବାସୀଙ୍କ ତରଫରୁ ରିଓରେ ଭାରତୀୟ ପତାକା ଉଡାଇବା ପାଇଁ ଅନେକ ଅନେକ ଶୁଭକାମନା ଦେଉଛି ।

ଶ୍ରୀମାନ୍ ଅଙ୍କିତ ନାମରେ ଜଣେ ଯୁବକ । ସେ ମୋତେ ରାଷ୍ଟ୍ରପତି ଅବଦୁଲ କଲାମ ଜୀଙ୍କର ପୁଣ୍ୟତିଥି କଥା ମନେ ପକାଇ ଦେଇଛନ୍ତି । ଗତ ସପ୍ତାହରେ ଅବଦୁଲ କଲାମ ଜୀଙ୍କର ପୁଣ୍ୟତିଥି ଅବସରରେ ଦେଶ ଏବଂ ବିଶ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । କିନ୍ତୁ ଅବଦୁଲ କଲାମ ଜୀଙ୍କର ନାଁ ଉଠିବା ମାତ୍ରେ, ବିଜ୍ଞାନ, କାରିଗରୀ କୌଶଳ, କ୍ଷେପଣାସ୍ତ୍ର ଆଗାମୀ ଦିନର ଭାରତର ଗୋଟିଏ ସାମର୍ଥ୍ୟର ଚିତ୍ର ଆମ ଆଖି ଆଗରେ ଆଙ୍କି ହୋଇଯାଏ । ସେଥିପାଇଁ ଅଙ୍କିତ ମଧ୍ୟ ଲେଖିଛନ୍ତି ଯେ, ଆପଣଙ୍କ ସରକାର ଅବଦୁଲ କଲାମ ଜୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କଣ କରୁଛି ? ଆପଣଙ୍କ କଥା ଠିକ୍ । ଆଗାମୀ ଯୁଗ ଟେକ୍ନୋଲୋଜିର ଯୁଗ ହେବ ଏବଂ ଟେକ୍ନୋଲୋଜି ଖୁବ୍ ପରିବର୍ତ୍ତନଶୀଳ । ପ୍ରତ୍ୟେକ ଦିନ ଟେକ୍ନୋଲୋଜି ନୂଆ ପ୍ରଭାବ ସୃଷ୍ଟି କରୁଛି । ଏହା ବଦଳି ଚାଲିଛି । ଆପଣ ଟେକ୍ନୋଲୋଜିକୁ ଧରି ରଖି ପାରିବେ ନାହିଁ । ଆପଣ ଧରିବାକୁ ଯାଉ ଯାଉ, ସେ ଯାଇ କାହିଁ କେଉଁ ଦୂରରେ ନୂଆ ରୂପ ରଙ୍ଗରେ ସଜେଇ ହୋଇ ବସିଥିବ । ଆମକୁ ଯଦି ଏହା ସହିତ ପାଦ ମିଶାଇ ଚାଲିବାବୁ ଅଛି, ଏହାଠାରୁ ଆଗକୁ ମାଡି ଯିବାର ଅଛି ତେବେ ଆମ ପାଇଁ ମଧ୍ୟ ଗବେଷଣା ଓ ଉଦ୍ଭାବନ… ଏହା ଟେକ୍ନୋଲୋଜିର ପ୍ରାଣ । ଯଦି ଗବେଷଣା ଓ ଉଦ୍ଭାବନ ନ ରହିବ, ତାହେଲେ ସ୍ଥିର ପାଣି ଆବର୍ଜନା ସୃଷ୍ଟି କରିବା ପରି, ଟେକ୍ନୋଲୋଜି ମଧ୍ୟ ବୋଝ ପାଲଟି ଯିବ । ଆଉ ଯଦି ଆମେ ଗବେଷଣା ଓ ଉଦ୍ଭାବନ ବିନା ପୁରୁଣା ଟେକ୍ନୋଲୋଜି ଭରସାରେ ଜୀବନଯାପନ କରିବା ତାହେଲେ ଆମେ ଦୁନିଆରେ ବଦଳୁଥିବା ଯୁଗରେ ବହୁ ପଛରେ ରହିଯିବା । ସେଥିପାଇଁ ନୂଆ ପିଢ଼ିରେ ବିଜ୍ଞାନ ପ୍ରତି ଆକର୍ଷଣ, ପ୍ରଯୁକ୍ତି କୌଶଳ, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଆକର୍ଷଣ ସୃଷ୍ଟି କରିବା ପାଇଁ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ତ ମୁଁ କହେ Let us aim to innovate ଆଉ ଯେତେବେଳେ aim to innovate କହେ, ସେତେବେଳେ ମୋ AIM ର ଅର୍ଥ Atal Innovation Mission । ନୀତି ଆୟୋଗ ଦ୍ୱାରା Atal Innovation Mission କୁ ପ୍ରୋତ୍ସାହିତ କରାଯାଉଛି । ଗୋଟିଏ ଲକ୍ଷ୍ୟ ରହିଛି ଯେ ଏହି AIM ମାଧ୍ୟମରେ, Atal Innovation Mission ମାଧ୍ୟମରେ ସମଗ୍ର ଦେଶରେ ଗୋଟିଏ Eco-System ପ୍ରସ୍ତୁତ ହେଉ । Innovation, Experiment, Entrepreneurship ର ଗୋଟିଏ ପ୍ରବାହ ଚାଲୁ ଯାହା ଫଳରେ ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି ହେବ । ଆମକୁ Next generation Innovation ମାନଙ୍କୁ ପ୍ରସ୍ତୁତ କରିବାକୁ ହେଲେ ଆମ ପିଲାମାନଙ୍କୁ ଏହା ସହିତ ଜଡିତ କରିବାକୁ ପଡିବ । ସେଥିପାଇଁ ଭାରତ ସରକାର Atal Thinking Lab ନାମରେ ଗୋଟିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ଯେଉଁ ସ୍ଥାନରେ ବିଦ୍ୟାଳୟମାନଙ୍କରେ ଏହିଭଳି Thinking Lab ପ୍ରତିଷ୍ଠା ହେବ ତାକୁ 10 ଲକ୍ଷ ଟଙ୍କା ଦିଆଯିବ ଏବଂ ପାଞ୍ଚ ବର୍ଷରେ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ 10 ଲକ୍ଷ ଟଙ୍କା ଦିଆଯିବ । ସେହିପରି ଉଦ୍ଭାବନର ସିଧାସଳଖ ସମ୍ପର୍କ ରହିଛି Incubation Centre ବା ଜ୍ଞାନାଙ୍କୁର କେନ୍ଦ୍ର ସହିତ । ଯଦି ଆମ ପାଖରେ ସଶକ୍ତ ଓ ସମୃଦ୍ଧି ଜ୍ଞାନାଙ୍କୁର କେନ୍ଦ୍ର ଥିବ, Innovation ପାଇଁ, Start Up ପାଇଁ, ନୂତନ ପ୍ରୟୋଗ ପାଇଁ ଏ ସବୁକୁ ଗୋଟିଏ ସ୍ଥିତିକୁ ଆଣିବା ପର୍ଯ୍ୟନ୍ତ ଗୋଟିଏ ବ୍ୟବସ୍ଥା ମିଳିବ । ନୂତନ ଜ୍ଞାନାଙ୍କୁର କେନ୍ଦ୍ର ନିର୍ମାଣର ଆବଶ୍ୟକତା ମଧ୍ୟ ରହିଛି । ଏବଂ ପୁରୁଣା ଜ୍ଞାନାଙ୍କୁର କେନ୍ଦ୍ର କୁ ଶକ୍ତିଶାଳୀ କରିବାର ଆବଶ୍ୟକତା ମଧ୍ୟ ରହିଛି । ମୁଁ ଯେଉଁ Atal ଜ୍ଞାନାଙ୍କୁର କେନ୍ଦ୍ର କଥା କହୁଛି ତା ପାଇଁ ମଧ୍ୟ 10 କୋଟି ଟଙ୍କା ଭଳି ବଡ ପରିମାଣର ଧନ ରାଶି ପ୍ରଦାନ ଦିଗରେ ମଧ୍ୟ ସରକାର ଚିନ୍ତା କରିଛନ୍ତି । ଭାରତ ଆଗରେ ରହିଛି ଅନେକ ସମସ୍ୟା । ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ। ଆମକୁ ଏହିସବୁର Technology Solution ବା ପ୍ରଯୁକ୍ତିଗତ ସମାଧାନ ବାହାର କରିବାକୁ ହେବ । ଆମେ Atal Grand Challenge ଜରିଆରେ ଦେଶର ଯୁବ ପିଢ଼ିକୁ ଆହ୍ୱାନ କରି କହିଛୁ ଆପଣଙ୍କୁ ଯାହା କିଛି ସମସ୍ୟା ଦେଖାଯାଉଛି ତାହାର ସମାଧାନ ପାଇଁ ଟେକ୍ନୋଲଜିର ବାଟ ଖୋଜନ୍ତୁ, ରିସର୍ଚ୍ଚ କରନ୍ତୁ, ଇନୋଭେସନ କରନ୍ତୁ ଏବଂ ନେଇ ଆସନ୍ତୁ । ଭାରତ ସରକାର ଆମ ସମସ୍ୟାଗୁଡିକର ସମାଧାନ ପାଇଁ ଆବିଷ୍କାର କରାଯାଇଥିବା ଟେକ୍ନୋଲୋଜି ପାଇଁ ବିଶେଷ ପୁରସ୍କାର ନେଇ ପ୍ରୋତ୍ସାହିତ କରିବାକୁ ଚାହୁଁଛି । ମୁଁ ଖୁସି ଯେ ଏହି କଥାରେ ଲୋକଙ୍କ ରୁଚି ରହିଛି । ଆମେ ଯେତେବେଳେ ଥିଙ୍କିଙ୍ଗ୍ ଲ୍ୟାବ କଥା କହିଲୁ, ସେତେବେଳେ ପ୍ରାୟ 13 ହଜାରରୁ ଅଧିକ ବିଦ୍ୟାଳୟ ଏଥିପାଇଁ ଆବେଦନ କଲେ । ଆଉ ଆମେ ଯେତେବେଳେ ଜ୍ଞାନାଙ୍କୁର କେନ୍ଦ୍ର କଥା କହିଲୁ, ସେତେବେଳେ 4 ହଜାରରୁ ଅଧିକ ଶିକ୍ଷଣ ଏବଂ ଅଣ-ଶିକ୍ଷଣ ସଂସ୍ଥା ଜ୍ଞାନାଙ୍କୁର କେନ୍ଦ୍ର ପାଇଁ ଆଗେଇ ଆସିଲେ । ମୋର ବିଶ୍ୱାସ ଯେ Research ଓ Innovation ଆମର ଦୈନନ୍ଦିନ ଜୀବନରେ ସମସ୍ୟାର ସମାଧାନ ପାଇଁ, ଟେକ୍ନୋଲୋଜିର ପ୍ରୟୋଗ ଆମର ଅସୁବିଧାରୁ ମୁକ୍ତି ପାଇଁ ଓ ଏହାର ସରଳୀକରଣ ଆବଶ୍ୟକ । ଏହାର ଉପରେ ଆମର ନୂତନ ପିଢ଼ି ଯେତେ କାମ କରିବ, ସେମାନଙ୍କ ଅବଦାନ ଏକବିଂଶ ଶତାଦ୍ଦୀର ଆଧୁନିକ ଭାରତ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ତାହା ହିଁ ହେବ ଅବଦୁଲ କଲାମ ଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।

ମୋର ପ୍ରିୟ ଦେଶବାସୀଗଣ, କିଛି ଦିନ ଆଗରୁ ଆମେ ମରୁଡି କଥା ଚିନ୍ତା କରୁଥିଲେ, କିନ୍ତୁ ଆଜି କାଲି ବର୍ଷାର ଆନନ୍ଦ ମଧ୍ୟ ମିଳୁଛି, ତ ପୁଣି ବନ୍ୟାର ଖବର ମଧ୍ୟ ଆସୁଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଶି ବନ୍ୟା ପୀଡିତମାନଙ୍କ ସହାୟତା ପାଇଁ କାନ୍ଧ ସହ କାନ୍ଧ ମିଶାଇ ଭରପୁର ପ୍ରଚେଷ୍ଟା ଚଳାଇଛନ୍ତି । ବର୍ଷା ଯୋଗୁ ହେଉଥିବା କିଛି ଅସୁବିଧା ସତ୍ୱେ ପ୍ରତ୍ୟେକ ମଣିଷର ମନ ଆନନ୍ଦିତ ହୋଇଉଠେ । କାରଣ ଆମର ସମ୍ପୂର୍ଣ୍ଣ ଆର୍ଥିକ ଗତିବିଧିର କେନ୍ଦ୍ରରେ ରହିଛି ବର୍ଷା, ରହିଛି କୃଷି ।

ବେଳେ ବେଳେ ଏଭଳି ରୋଗର ଆକ୍ରମଣ ହୁଏ ଯାହା ଫଳରେ ଆମକୁ ସାରା ଜୀବନ ଅନୁତାପ କରିବାକୁ ପଡେ । କିନ୍ତୁ ଯଦି ଆମେ ସଚେତନ ରହିବା, ସତର୍କ ରହିବା, ଯତ୍ନବାନ ରହିବା ତାହେଲେ ଏଥିରୁ ରକ୍ଷା ପାଇବାର ବାଟ ଖୁବ୍ ସହଜ। ଡେଙ୍ଗୁ କଥା ହିଁ ଧରି ନିଅନ୍ତୁ । ଡେଙ୍ଗୁ କବଳରୁ ବଞ୍ଚି ହେବ । ଟିକିଏ ସ୍ୱଚ୍ଛତା ପ୍ରତି ଦୃଷ୍ଟି ରୁହୁ, ଟିକିଏ ସତର୍କତା ଅବଲମ୍ବନ ଏବଂ ସୁରକ୍ଷିତ ରହିବାର ଚେଷ୍ଟା କରନ୍ତୁ, ପିଲାଙ୍କ ଉପରେ ବିଶେଷ ଦୃଷ୍ଟି ଦିଅନ୍ତୁ । ଏହି ଯେଉଁ ଚିନ୍ତାଧାରା ଯେ ଗରିବ ଲୋକଙ୍କୁ ହିଁ ଏଭଳି ରୋଗ ହୁଏ ତାହା ନୁହେଁ । ଡେଙ୍ଗୁ କଥା ଭିନ୍ନ । ଡେଙ୍ଗୁ ସମୃଦ୍ଧ ଇଲାକାରେ ପ୍ରଥମେ ଆକ୍ରମଣ କରେ । ସେ କଥା ଆମେ ବୁଝିବା ଉଚିତ । ଆପଣମାନେ ଟେଲିଭିଜନରେ ବିଜ୍ଞାପନ ତ ଦେଖୁଥିବେ । କିନ୍ତୁ ବେଳେ ବେଳେ ତା ଉପରେ ସଚେତନ ହୋଇ ପଦକ୍ଷେପ ଗ୍ରହଣ କରିବାରେ ଆମେ ଟିକିଏ ଉଦାସୀନ ମନୋଭବ ପୋଷଣ କରିଥାଉ । ସରକାର, ଡାକ୍ତରଖାନା, ଡାକ୍ତର, ସେମାନେ ସମସ୍ତେ ନିଜ କାମ କରିବେ କିନ୍ତୁ ଆପଣ ମଧ୍ୟ ନିଜ ଘରେ ନିଜ ଅଞ୍ଚଳରେ ନିଜ ପରିବାରରେ ଡେଙ୍ଗୁର ପ୍ରବେଶକୁ ନିଷିଦ୍ଧ କରିବା ପାଇଁ ପାଣି ଯୋଗୁ ହେଉଥିବା କୌଣସି ରୋଗର ପ୍ରବେଶ ପ୍ରତି ସତର୍କ ରହିବା ଏହା ହିଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ପ୍ରିୟ ଦେଶବାସୀଗଣ, ମୁଁ ଆଉ ଗୋଟିଏ ସମସ୍ୟା ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷିତ କରିବାକୁ ଚାହୁଁଛି । ଜୀବନ ଏବେ ଜଞ୍ଜାଳମୟ ହୋଇଗଲାଣି । ଏତେ ଧାଁ-ଦଉଡ ବଢ଼ିଗଲାଣି ଯେ ବେଳେ ବେଳେ ନିଜ କଥା ଚିନ୍ତା କରିବାକୁ ସମୟ ମିଳେନି । ଅସୁସ୍ଥ ହୋଇଗଲେ ଶୀଘ୍ର ସୁସ୍ଥ ହେବାକୁ ଇଚ୍ଛା ହୁଏ, ତେଣୁ ଯେ କୌଣସି antibiotic ବା ଜୀବାଣୁରୋଧକ ବଟିକା ଖାଇଦେଉ । ରୋଗରୁ ତ ସାଙ୍ଗେ ସାଙ୍ଗେ ମୁକ୍ତି ମିଳିଯାଏ । କିନ୍ତୁ ମୋର ପ୍ରିୟ ଦେଶବାସୀଗଣ ଏମିତି କଥା କଥାରେ antibiotic ଖାଇଦେବା ଅଭ୍ୟାସ, ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ହୁଏତ ଆପଣ କିଛି ମୁହୂର୍ତ୍ତ ପାଇଁ ଆରାମ ପାଇ ପାରନ୍ତି, କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ antibiotic ଖାଇବା ବନ୍ଦ କରିବାକୁ ପଡିବ । ଡାକ୍ତର ଲେଖି କିଛି ନ ଦେବା ପର୍ଯ୍ୟନ୍ତ ଆମେ ସେଥିରୁ ନିବୃତ ରହିବା ଉଚିତ । ଆମେ ଏହି ସର୍ଟକଟ୍ ରାସ୍ତାଦେଇ ଚାଲିବା ଉଚିତ ନୁହେଁ କାରଣ ଏହାଦ୍ୱାରା ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେଉଛି । ଆଖିବୁଜା antibiotic ବ୍ୟବହାର ଫଳରେ ସାଙ୍ଗେ ସାଙ୍ଗେ ଲାଭ ମିଳିପାରେ, କିନ୍ତୁ ଏହାର ଜୀବାଣୁ ଏହି ଔଷଧ ପ୍ରତି ଅଭ୍ୟସ୍ତ ହୋଇପଡନ୍ତି ଆଉ ତା ପରେ ଏହି ଔଷଧ ଏହି ଜୀବାଣୁମାନଙ୍କ ପାଇଁ ପ୍ରଭାବହୀନ ହୋଇଯାଏ । ପରେ ଏହି ଲଢ଼େଇ ଲଢ଼ିବା, ନୂଆ ଔଷଧ ପ୍ରସ୍ତୁତ କରିବ, ଗବେଷଣା କରିବା ଏସବୁରେ ବର୍ଷ ବର୍ଷ ବିତିଯାଏ ଆଉ ଇତି ମଧ୍ୟରେ ଏହି ରୋଗ ନୂଆ ସମସ୍ୟାମାନ ସୃଷ୍ଟି କରିବସେ । ତେଣୁ ଏଥିପ୍ରତି ସଚେତନତା ନିହାତି ଜରୁରୀ ।

ଅନ୍ୟ ଏକ ସମସ୍ୟା ହେଲା, ଯଦି ଡାକ୍ତର କହିଛନ୍ତି ଯେ 15ଟି ବଟିକା ଖାଇବାକୁ ପଡିବ, ପାଞ୍ଚ ଦିନ ପର୍ଯ୍ୟନ୍ତ ଖାଇବାକୁ ପଡିବ। ତାହେଲେ ମୋର ଆପଣମାନଙ୍କୁ ଅନୁରୋଧ ଯେ ଡାକ୍ତର ଯେତେ ଦିନ ଔଷଧ ଖାଇବାକୁ କହିଛନ୍ତି ଖାଆନ୍ତୁ, କୋର୍ସ ସମ୍ପୂର୍ଣ୍ଣ କରନ୍ତୁ, ଅଧାରୁ ଛାଡି ଦେଲେ କଥାଟି ଜୀବାଣୁ ସପକ୍ଷରେ ଯିବ, ଆବଶ୍ୟକତାଠାରୁ ଅଧିକ ଖାଇଲେ ମଧ୍ୟ ତାହା ଜୀବାଣୁ ସପକ୍ଷରେ ଯିବ । ତେଣୁ ଯେତେ ବଟିକା, ଯେତେ ଦିନ ପାଇଁ ଖାଇବାକୁ କହିଛନ୍ତି, ତାହାକୁ ସମ୍ପୂର୍ଣ୍ଣ କରିବା ନିହାତି ଆବଶ୍ୟକ। ଦେହ ଭଲ ହୋଇଗଲା, ତେଣୁ ଆଉ ଔଷଧ ଖାଇବା ଦରକାର ନାହିଁ, ଏମିତି କଲେ ଜୀବାଣୁ ଆହୁରି ଶକ୍ତିଶାଳୀ ହୋଇଉଠନ୍ତି । ଟିବି ଆଉ ମ୍ୟାଲେରିଆର ଜୀବାଣୁ ଏତେ କ୍ଷୀପ୍ର ଗତିରେ ବିବର୍ତ୍ତିତ ହେଉଛନ୍ତି ଯେ ଏମାନଙ୍କ ଉପରେ ଔଷଧର କୌଣସି ପ୍ରଭାବ ପଡୁନାହିଁ । ମେଡିକାଲ ଭାଷାରେ ଏହାକୁ antibiotic ପ୍ରତୋରୋଧି କୁହାଯାଏ । ତେଣୁ antibiotic ର ବ୍ୟବହାର କିଭଳି ହେବା ଉଚିତ ତାହାର ନିୟମକୁ ପାଳନ କରାଯିବା ସେତିକି ଗୁରୁତ୍ୱପୂର୍ଣ୍ଣ । ସରକାର antibiotic resistance କୁ ରୋକିବା ପାଇଁ ସଙ୍କଳ୍ପବଦ୍ଧ। ଆପଣ ଦେଖିଥିବେ, ଆଜି ମିଳୁଥିବା antibiotic ଔଷଧର ପ୍ୟାକିଂ ଉପରେ ଗୋଟିଏ ନାଲି ଗାର ଦିଆଯାଇ ଆପଣମାନଙ୍କୁ ସାବଧାନ କରିଦିଆଯାଉଛି । ସେଥିପ୍ରତି ଆପଣ ନିଶ୍ଚୟ ଦୃଷ୍ଟି ଦିଅନ୍ତୁ ।

ସ୍ୱାସ୍ଥ୍ୟ କଥା ଯେତେବେଳେ ଉଠିଛି, ମୁଁ ଆଉ ଗୋଟିଏ କଥା ଏଥିରେ ଯୋଡିବାକୁ ଚାହୁଁଛି । ଆମ ଦେଶରେ ଥିବା ଗର୍ଭବତୀ ମାଆମାନଙ୍କ ଜୀବନ କଥା ବେଳେ ବେଳେ ମନକୁ ବ୍ୟାକୁଳ କରେ । ଆମ ଦେଶରେ ପ୍ରତିବର୍ଷ ପ୍ରାୟ 3 କୋଟି ମହିଳା ଗର୍ଭଧାରଣ କରନ୍ତି, କିନ୍ତୁ କିଛି ମାଆମାନେ ପ୍ରସବ ସମୟରେ ମୃତ୍ୟୁବରଣ କରୁଛନ୍ତି । କେତେବେଳେ ମା ମରିଯାଉଛି ତ କେତେବେଳେ ଶିଶୁ , କେତେବେଳେ ଉଭୟଙ୍କର ମୂତ୍ୟୁ ହେଉଛି । ଏ କଥା ଠିକ ଯେ ଗତ ଦଶନ୍ଧିରେ ମାତୃ ମୃତ୍ୟୁହାର କିଛି ମାତ୍ରାରେ ହ୍ରାସ ପାଇଛି । କିନ୍ତୁ ଆଜି ମଧ୍ୟ ବହୁ ସଂଖ୍ୟାରେ ଗର୍ଭବତୀ ମାଆମାନଙ୍କର ଜୀବନ ରକ୍ଷା କରାଯାଇପାରୁନାହିଁ । ଗର୍ଭାବସ୍ଥାରେ କିମ୍ବା ଏହାର ପରବର୍ତ୍ତି ସମୟରେ ରକ୍ତହୀନତା, ପ୍ରସବ ସମ୍ପର୍କିତ ସଂକ୍ରମଣ, ଉଚ୍ଚ ରକ୍ତଚାପ, କେଉଁ ସମସ୍ୟା ଯେ କେତେବେଳେ ଜୀବନକୁ ବରବାଦ କରିଦେବ ତାହା ଠିକନାହିଁ । ଏହି ସବୁ କଥାକୁ ଦୃଷ୍ଟିରେ ରଖି ଭାରତ ସରକାର ଗତ କିଛି ମାସରୁ ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି “ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ”। ଏହି ଅଭିଯାନ ଅନ୍ତର୍ଗତ ପ୍ରତିମାସ 9 ତାରିଖ ଦିନ ସବୁ ଗର୍ଭବତୀ ମହିଳାମାନଙ୍କର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ବିନା ଖର୍ଚ୍ଚରେ ସରକାରୀ ଡାକ୍ତରଖାନାମାନଙ୍କରେ ପ୍ରତିମାସ 9 ତାରିଖ ଦିନ ଏହି ପରୀକ୍ଷା କରାଯିବ । ମୁଁ ପ୍ରତ୍ୟେକ ଗରିବ ପରିବାରକୁ ଅନୁରୋଧ କରୁଛି ଯେ, ସମସ୍ତ ଗର୍ଭବତୀ ମାଆ ଏହି ସେବାର ଲାଭ ଉଠାନ୍ତୁ, ଯାହା ଫଳରେ ନବମ ମାସ ପର୍ଯ୍ୟନ୍ତ ପହଞ୍ଚୁ ପହଞ୍ଚୁ କିଛି ସମସ୍ୟା ଉପୁଜିଲେ ଆଗରୁ ତା ପାଇଁ ଉପାୟ ଚିନ୍ତା କରାଯାଇପାରେ । ମା ଓ ଶିଶୁ ଉଭୟଙ୍କର ଜୀବନ ରକ୍ଷା କରାଯାଇପାରେ । ମୁଁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କୁ ବିଶେଷ କରି ଅନୁରୋଧ କରୁଛି କି ଆପଣ କଣ ମାସକୁ ଗୋଟିଏ ଦିନ 9 ତାରିଖ ଦିନ ଗରିବ ମାଆମାନଙ୍କ ପାଇଁ ମାଗଣାରେ ସେବା ପ୍ରଦାନ କରିପାରିବେନି ? ମୋର ଡାକ୍ତର ଭାଇ-ଭଉଣୀମାନେ ଗୋଟିଏ ବର୍ଷରେ 12 ଦିନ ଗରିବମାନଙ୍କ ପାଇଁ ଏହି କାମ କରିପାରିବେନି ? ବିଗତ ଦିନରେ ମୋତେ ଅନେକ ଲୋକ ଅନେକ ଚିଠି ଲେଖିଛନ୍ତି । ହଜାର ହଜାର ଏମିତି ଡାକ୍ତର ଅଛନ୍ତି ଯିଏ ମୋ କଥା ମାନି ଆଗକୁ ପାଦ ବଢ଼ାଇଛନ୍ତି । କିନ୍ତୁ ଭାରତ ଏତେ ବଡ ଦେଶ ଯେ ଲକ୍ଷ ଲକ୍ଷ ଡାକ୍ତର ଏହି ଅଭିଯାନରେ ସାମିଲ ହେବା ଆବଶ୍ୟକ । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚୟ ସାମିଲ ହେବେ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ପୁରା ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ, ପରିବେଶ ପାଇଁ ଖୁବ୍ ଚିନ୍ତିତ । ଦେଶ ଏବଂ ବିଶ୍ୱରେ ସାମୂହିକ ଭାବେ ଏ ସମ୍ପର୍କରେ ଆଲୋଚନା ହେଉଛି । ଭାରତରେ ଶହ ଶହ ବର୍ଷ ଧରି ଏ କଥା ଉପରେ ଗୁରୁତ୍ୱ ଦିଆଯାଇଛି । କୁରୁକ୍ଷେତ୍ରର ରଣାଙ୍ଗନରେ ମଧ୍ୟ ଭଗବାନ କୃଷ୍ଣ “ବୃକ୍ଷ” କଥା ଆଲୋଚନା କରିଛନ୍ତି । ଯୁଦ୍ଧ କ୍ଷେତ୍ରରେ ମଧ୍ୟ ବୃକ୍ଷ କଥା କହିବା ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଏହାକୁ କେତେ ଗୁରୁତ୍ୱ ଦିଆଯାଇଛି । ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, “ଅଶ୍ୱତଥଃ ସର୍ବବୃକ୍ଷାଣାଂ” ଅର୍ଥାତ୍ ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତଥ । ଶୁକ୍ରାଚାର୍ଯ୍ୟ ନୀତିରେ କୁହାଯାଇଛି “ନାସ୍ତି ମୂଳଂ ଔଷଧମ୍” ଅର୍ଥାତ୍ ଏମିତି କୌଣସି ବୃକ୍ଷ ନାହିଁ ଯାହାର ଔଷଧିୟ ଗୁଣ ନଥିବ । ମହାଭାରତର ଅନୁଶାସନ ପର୍ବ ସେଥିରେ ତ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏଥିରେ କୁହାଯାଇଛି – ଯିଏ ଗଛ ଲଗାଏ, ତାହା ପାଇଁ ଏହି ବୃକ୍ଷ ସନ୍ତାନ ସଦୃଶ ଏଥିରେ ସନ୍ଦେହ ନାହିଁ । ଯିଏ ବୃକ୍ଷ ଦାନ କରେ ତାକୁ ସେହି ଗଛ ସନ୍ତାନ ପରି ପରଲୋକରେ ମଧ୍ୟ ଉଦ୍ଧାର କରିଦିଏ । ତେଣୁ ନିଜର କଲ୍ୟାଣ ଇଚ୍ଛା କରୁଥିବା ମାତାପିତା ଭଲ ଗଛ ଲଗାନ୍ତୁ ଏବଂ ସନ୍ତାନ ପରି ଏମାନଙ୍କର ଯତ୍ନ ନିଅନ୍ତୁ । ଆମ ଶାସ୍ତ୍ର, ଗୀତା ହେଉ, ଶୁକ୍ରାଚାର୍ଯ୍ୟଙ୍କ ନୀତି ହେଉ, ମହାଭାରତର ଅନୁଶାସନ ପର୍ବ ହେଉ ଆଜିର ପିଢ଼ିରେ ମଧ୍ୟ କିଛି ଲୋକ ଏହି ଆଦର୍ଶକୁ ପାଳନ କରି ଦେଖାଉଛନ୍ତି । କିଛି ଦିନ ଆଗରୁ ପୁଣେର ଗୋଟିଏ ଝିଅ ସୋନାଲର ଗୋଟିଏ ଉଦାହରଣ ମୋ ଦୃଷ୍ଟିକୁ ଆସିଲା । ତାହା ମୋ ମନକୁ ଛୁଇଁଗଲା। ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ପରା – ବୃକ୍ଷ ପରଲୋକରେ ମଧ୍ୟ ସନ୍ତାନର ଦାୟୀତ୍ୱ ନିର୍ବାହ କରେ। ସୋନାଲ କେବଳ ନିଜ ପିତା-ମାତାଙ୍କର ନୁହେଁ ବରଂ ସମାଜର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସତେ ଯେମିତି ସଙ୍କଳ୍ପ ବଦ୍ଧ। ମହାରାଷ୍ଟ୍ରର ପୁଣେର ଜୁନ୍ନର ତାଲୁକାରେ ନାରାୟଣପୁର ଗାଁର ଚାଷୀ ଖଣ୍ଡୁ ମାରୁତି ମାହାତ୍ରେ । ସେ ନିଜ ନାତୁଣୀର ବିବାହ ଗୋଟିଏ ପ୍ରେରଣାଦାୟୀ ଢ଼ଙ୍ଗରେ କଲେ । ମାହାତ୍ରେଜୀ ସୋନାଲର ବାହାଘରରେ ଆସିଥିବା ସବୁ ବନ୍ଧୁବାନ୍ଧମାନଙ୍କୁ “କେଶର ଆମ୍ବ”ର ଗୋଟିଏ ଚାରା ଉପହାରରେ ଦେଲେ । ମୁଁ ଯେତେବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଦେଖିଲି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ବାହାଘର ଫଟୋରେ ବନ୍ଧୁ କମ ଚାରା ଗଛ ବେଶୀ ଦେଖାଯାଉଥିଲା । ମନକୁ ଛୁଇଁଲା ଭଳି ଏମିତି ସୁନ୍ଦର ଦୃଶ୍ୟ ଫଟୋରେ ଥିଲା । ସୋନାଲ ନିଜେ ଜଣେ ଏଗ୍ରିକଲଚର ଗ୍ରାଜୁଏଟ । ଏହି ଭାବନା ତାଙ୍କରି ମୁଣ୍ଡରେ ଜୁଟିଲା । ବାହାଘରରେ ଆମ୍ବ ଚାରା ଉପହାର ଦେବା ଦେଖନ୍ତୁ ପ୍ରକୃତି ପ୍ରେମ କେତେ ସୁନ୍ଦର ଭାବେ ପ୍ରକାଶିତ ହେଲା । ସୋନାଲର ବାହାଘର ଏକ ପ୍ରକାର ପ୍ରକୃତି ପ୍ରେମର ଅମର ଗାଥା ପାଲଟିଗଲା । ଏହି ଅଭିନବ ପ୍ରୟାସ ପାଇଁ ମୁଁ ସୋନାଲ ଏବଂ ଶ୍ରୀଯୁକ୍ତ ମାହାତ୍ରେଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଅନେକ ଲୋକ ଏଭଳି ପ୍ରୟୋଗ କରିଛନ୍ତି । ମୋର ମନେ ଅଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେଠାରେ ଅମ୍ବାଜୀ ମନ୍ଦିରରେ ଭାଦ୍ରବ ମାସରେ ବହୁ ସଂଖ୍ୟାରେ ପଦଯାତ୍ରୀ ଆସନ୍ତି । ଥରେ ଗୋଟିଏ ସମାଜସେବୀ ସଂଗଠନ ସ୍ଥିର କଲେ ଯେ, ଯେଉଁମାନେ ମନ୍ଦିରକୁ ଆସୁଛନ୍ତି ସେମାନଙ୍କୁ ପ୍ରସାଦ ଆକାରରେ ଚାରା ଗଛଟିଏ ଦେବେ ଏବଂ କହିବେ ଯେ ଏହା ମାଆ’ଙ୍କର ପ୍ରସାଦ । ଏହାକୁ ନିଜ ଘରେ ଗାଁରେ ଲଗାଇଦେଲେ ଏହା ବଢ଼ିବା ସହ ମା’ଙ୍କର କୃପା ଆପଣଙ୍କ ଉପରେ ରହିଥିବ । ଲକ୍ଷ ଲକ୍ଷ ପଦଯାତ୍ରୀ ଆସନ୍ତି, ସେହି ବର୍ଷ ଲକ୍ଷ ଲକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏହି ବର୍ଷା ଋତୁରେ ମନ୍ଦିରମାନଙ୍କରେ ପ୍ରସାଦ ବଦଳରେ ଚାରା ଦିଆଯିବାର ପରମ୍ପରା ଆରମ୍ଭ କରାଯାଇପାରେ । ବୃକ୍ଷରୋପଣର ଗୋଟିଏ ସହଜ ଜନ ଆନ୍ଦୋଳନ ସୃଷ୍ଟି ହୋଇପାରେ । ମୁଁ ଚାଷୀଭାଇମାନଙ୍କୁ ବାରମ୍ବାର କହୁଛି ଯେ ଆମ ବିଲ-ବାଡ ସୀମାରେ ବାଡ ଲଗାଇ ଆମେ ଜମି ନଷ୍ଟ କରୁଛୁ। ସେହି ବାଡ ବଦଳରେ ଆମେ କାଠ ଉତ୍ପାଦନ କାହିଁକି ନ କରିବା । ଆଜି ଭାରତରେ ଗୃହ ନିର୍ମାଣ ପାଇଁ କାଠ-ଉପକରଣ ତିଆରି କରିବା ପାଇଁ କୋଟି କୋଟି ଟଙ୍କାର କାଠ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ଯଦି ଆମେ ଆମ ଜମିର ସୀମାରେ ଏଭଳି ଗଛ ଲଗାଇ ଦେବା ଯାହା ଗୃହନିର୍ମାଣ କାମରେ, ଆସବାବପତ୍ର ନିର୍ମାଣ କାମରେ ଲାଗିପାରିବ । ତେବେ 15-20 ବର୍ଷ ପରେ ସରକାରଙ୍କ ଠାରୁ ଅନୁମତି ନେଇ ଏହାକୁ କାଟି ବିକ୍ରି କରାଯାଇପାରେ । ଏହା ଆପଣଙ୍କ ପାଇଁ ଗୋଟିଏ ନୂତନ ଆୟର ପନ୍ଥା ହୋଇପାରିବ । ଭାରତ ମଧ୍ୟ କାଠ ଆମଦାନୀରୁ ରକ୍ଷା ପାଇପାରିବ । ବିଗତ ଦିନରେ ଅନେକ ରାଜ୍ୟ ଏହି ଋତୁର ସଦୁପଯୋଗ କରି ଅନେକ ଅଭିଯାନ ଚଳାଇଛନ୍ତି ଭାରତ ସରକାର ମଧ୍ୟ “କାମ୍ପା” ନାମରେ ଗୋଟିଏ ଆଇନ ନିକଟ ଅତୀତରେ ପ୍ରଣୟନ କରିଛନ୍ତି । ଏଥିପାଇଁ ବୃକ୍ଷରୋପଣ ନିମନ୍ତେ ପ୍ରାୟ 40 ହଜାର କୋଟି ଟଙ୍କାରୁ ଅଧିକ ରାଜ୍ୟମାନଙ୍କ ପାଖକୁ ଯିବ । ମୋତେ ସୂଚନା ଦିଆଯାଇଛି ଯେ ମହାରାଷ୍ଟ୍ର ସରକାର ଜୁଲାଇ 1 ତାରିଖ ଦିନ ସମଗ୍ର ରାଜ୍ୟରେ ପ୍ରାୟ ଦୁଇ କୋଟି ପଚିଶ ଲକ୍ଷ ଚାରା ରୋପଣ କରିଛନ୍ତି ଏବଂ ଆସନ୍ତା ବର୍ଷ ତିନି କୋଟି ଚାରା ଲଗାଇବାର ସଂକଳ୍ପ ଗ୍ରହଣ କରିଛନ୍ତି । ସରକାର ଗୋଟିଏ ଜନଆନ୍ଦୋଳନ ସୃଷ୍ଟି କରିଦେଇଛନ୍ତି । ରାଜସ୍ଥାନର ମରୁଭୂମିରେ ଏତେ ବଡ ବନ ମହୋତ୍ସବ ଆୟୋଜିତ କରିଛନ୍ତି ଏବଂ ପଚିଶ ଲକ୍ଷ ଚାରା ଲଗାଇବାର ସଂକଳ୍ପ ଗ୍ରହଣ କରିଛନ୍ତି । ରାଜସ୍ଥାନରେ ପଚିଶ ଲକ୍ଷ ଚାରା ଲଗାଇବା ଛୋଟ କଥା ନୁହେଁ । ଯେଉଁମାନେ ରାଜସ୍ଥାନର ଭୂମି ସମ୍ପର୍କରେ ଜାଣନ୍ତି ସେମାନେ ବୁଝିପାରିବେ ଯେ ଏହା କେତେ ବଡ କାର୍ଯ୍ୟ । ଆନ୍ଧ୍ରପ୍ରଦେଶ ମଧ୍ୟ 2029 ସୁଦ୍ଧା ନିଜର ସବୁଜ ଭୂମିକୁ ପଚାଶ ପ୍ରତିଶତ ବୃଦ୍ଧି କରିବା ପାଇଁ ସ୍ଥିର କରିଛି । କେନ୍ଦ୍ର ସରକାରଙ୍କ ଗ୍ରୀନ ଇଣ୍ଡିଆ ମିଶନ ଅଧୀନରେ ରେଳବାଇ ମଧ୍ୟ ଏଭଳି କାର୍ଯ୍ୟ ହାତକୁ ନେଇଛି । ଗୁଜରାଟରେ ମଧ୍ୟ ବନ ମହୋତ୍ସବର ଗୋଟିଏ ଉଜ୍ଜ୍ୱଳ ପରମ୍ପରା ରହିଛି । ଚଳିତ ବର୍ଷ ଗୁଜରାଟ ଆମ୍ର ବନ, ଏକତା ବନ, ଶହୀଦ ବନ ଏମିତି ଅନେକ ପ୍ରକଳ୍ପକୁ ବନ ମହୋତ୍ସବ ରୂପେ ଗ୍ରହଣ କରି କୋଟି କୋଟି ସଂଖ୍ୟାରେ ଗଛ ଲଗାଇବାର ଅଭିଯାନ ଚଳାଇଛନ୍ତି । ମୁଁ ସବୁ ରାଜ୍ୟର ଉଲ୍ଲେଖ କରିପାରୁନାହିଁ କିନ୍ତୁ ସେମାନେ ଅଭିନନ୍ଦନର ପାତ୍ର ।

ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ଦକ୍ଷିଣ ଆଫ୍ରିକା ଯିବାର ସୁଯୋଗ ମିଳିଲା । ଏହା ମୋର ପ୍ରଥମ ଯାତ୍ରା ଥିଲା । ବିଦେଶ ଯାତ୍ରାରେ କୂଟନୀତି ଥାଏ, ବାଣିଜ୍ୟ ସମ୍ପର୍କରେ ଆଲୋଚନା ହୁଏ, ସୁରକ୍ଷା ସମ୍ପର୍କରେ ଆଲୋଚନା ହୁଏ । ଅନେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୁଏ । ଏସବୁ ତ ନିଶ୍ଚିତ କିନ୍ତୁ ମୋ ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା ଏକ ପ୍ରକାର ତୀର୍ଥଯାତ୍ରା ଥିଲା । ଯେତେବେଳେ ଦକ୍ଷିଣ ଆଫ୍ରିକା କଥା ମନେ ପକାଉ, ସେତେବେଳେ ମହାତ୍ମାଗାନ୍ଧୀ ଏବଂ ନେଲସନ ମଣ୍ଡେଲାଙ୍କ କଥା ମନେ ପଡିବା ସ୍ୱାଭାବିକ । ବିଶ୍ୱରେ ଅହିଂସା, ପ୍ରେମ, କ୍ଷମା ଏହି ଶଦ୍ଦଗୁଡିକ କାନରେ ବାଜିଲେ ଗାନ୍ଧୀ ଏବଂ ମଣ୍ଡେଲାଙ୍କ ମୁଖମଣ୍ଡଳ ଆମ ସ୍ମୃତିପଟଳରେ ଭାସିଉଠେ । ମୋର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ମୁଁ ଫୋଏନିକ୍ସ ଆଶ୍ରମ ଯାଇଥିଲି । ମହାତ୍ମାଗାନ୍ଧୀଙ୍କ ବାସସ୍ଥାନ ସର୍ବୋଦୟ ରୂପେ ପରିଚିତ । ମହାତ୍ମା ଗାନ୍ଧୀ ଯେଉଁ ରେଳରେ ଯାତ୍ରା କରିଥିଲେ, ଯେଉଁ ରେଳର ଘଟଣା ମୋହନ ଦାସଙ୍କୁ ମହାତ୍ମା ଗାନ୍ଧୀ କରିବାର ବୀଜବିପନ କରିଥିଲା, ସେହି ପିଟରମାରିଜବର୍ଗ ଷ୍ଟେସନ ଏବଂ ସେହି ରେଳ ଯାତ୍ରାର ସୌଭାଗ୍ୟ ମଧ୍ୟ ମୋତେ ପ୍ରାପ୍ତ ହେଲା । କିନ୍ତୁ ମୁଁ ଯେଉଁ କଥା କହିବାକୁ ଚାହୁଁଛି, ତାହା ହେଲା ଯେ ମୋତେ ଏଥର ଏଭଳି ମହାନୁଭବମାନଙ୍କ ସହ ସାକ୍ଷାତର ସୁଯୋଗ ମିଳିଲା, ଯେଉଁମାନେ ସମାନତା ପାଇଁ ସମାନ ସୁଯୋଗ ପାଇଁ, ନିଜ ଯୌବନକାଳର ବଳିଦାନ ଦେଇଛନ୍ତି। ନେଲସନ ମଣ୍ଡେଲାଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ସେମାନେ ଲଢ଼ିଥିଲେ। କୋଡିଏ-ବାଇଶି ବର୍ଷ ଜେଲରେ ନେଲସଲ ମଣ୍ଡେଲାଙ୍କ ସହ ଅତିବାହିତ କରିଛନ୍ତି । ଏକ ପ୍ରକାର ନିଜର ଯୌବନର ସମୟକୁ ସମ୍ପୂର୍ଣ୍ଣ ଭାବେ ବଳିଦାନ କରିଛନ୍ତି । ନେଲସନ ମଣ୍ଡେଲାଙ୍କ ଘନିଷ୍ଠ ବନ୍ଧୁ ଶ୍ରୀଯୁକ୍ତ ଅହମ୍ମଦ କଥାଡା, ଶ୍ରୀଯୁକ୍ତ ଲାଲୁଚିବା, ଶ୍ରୀଯୁକ୍ତ ଜର୍ଜ ବେଜୋସ, ରୋନୀ କାସରିଲ୍ସ – ଏହି ସବୁ ମହାନ ବ୍ୟକ୍ତିଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲି । ଭାରତୀୟମାନେ କିନ୍ତୁ ଯେଉଁଠିକୁ ଗଲେ ସେହି ଜାଗାର ହୋଇଗଲେ । ଯେଉଁମାନଙ୍କ ପାଖକୁ ଯାଇଥିଲେ, ସେମାନଙ୍କ ପାଇଁ ପ୍ରାଣବଳୀ ଦେବାକୁ ପ୍ରସ୍ତୁତ ହୋଇଗଲେ । କେତେ ବଡ ଶକ୍ତି ଏବଂ ମଜା କଥା ହେଲା ଯେ ସେମାନଙ୍କ ଜେଲର ଅନୁଭୂତି ଶୁଣିଥିଲି । କାହା ପ୍ରତି କୌଣସି ଆକ୍ଷେପ ନଥିଲା, କୌଣସି କଟୁକ୍ତି ନଥିଲା । ଏତେ ବଡ ତପସ୍ୟା ପରେ ମଧ୍ୟ ନେବା-ପାଇବା, କୌଣସି ପଦ ହାସଲ କରିବାର ତିଳେମାତ୍ର ଭାବନା ତାଙ୍କର ମୁଖ ମଣ୍ଡଳରେ ନଥିଲା । ଗୀତାରେ ଯେଉଁ କର୍ତ୍ତବ୍ୟର ଲକ୍ଷଣ କୁହାଯାଇଛି, କେବଳ ତାହା ହିଁ ସ୍ପଷ୍ଟ ରୂପେ ଦେଖାଯାଉଥିଲା । ସମାନତା ଏବଂ ସମାନ ସୁଯୋଗ ସେହି ସାକ୍ଷାତ ମୋର ସବୁଦିନ ପାଇଁ ମନେ ରହିବ । କୌଣସି ସମାଜ କିମ୍ବା ସରକାର ପାଇଁ ଏହାଠାରୁ ବଡ ମନ୍ତ୍ରୀ କଣ ଥାଇପାରେ ? “ସମଭାବ” ଏବଂ “ମମ ଭାବ” ଏହା ହିଁ ତ ମାର୍ଗ ଯାହା ଆମକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇଯାଏ । ଆମେ ସମସ୍ତେ ଉନ୍ନତଜୀବନ ଚାହୁଁ । ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁ । ପ୍ରତ୍ୟେକଙ୍କର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥିବ । ପ୍ରାଥମିକତା ଭିନ୍ନ ଭିନ୍ନ ହୋଇଥିବ କିନ୍ତୁ ରାସ୍ତା ଗୋଟିଏ । ସେହି ରାସ୍ତା ହେଉଛି ବିକାଶର, ସମାନତାର, ସମାନ ସୁବିଧା ସୁଯୋଗର, ସମଭାବର, ମମ ଭାବର । ଆସନ୍ତୁ ଆମର ଏହି ଭାରତୀୟମାନଙ୍କୁ ନେଇ ଗର୍ବ କରିବା, ଯିଏ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଆମ ଜୀବନର ମୂଳମନ୍ତ୍ରକୁ ଜୀବନରେ ରୂପାୟିତ କରି ଦେଖାଇଥିଲେ ।

ମୋର ପ୍ରିୟ ଦେଶବାସୀଗଣ, ଶିଳ୍ପୀ ବର୍ମା ମୋତେ ବାର୍ତ୍ତା ଦେଇଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ । ସେ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହା ବହୁତ ସ୍ୱାଭାବିକ। ସେ ମୋତେ ଗୋଟିଏ ଘଟଣା ବିଷୟରେ କହିଛନ୍ତି ।

“ପ୍ରଧାନମନ୍ତ୍ରୀ ମହୋଦୟ, ବାଙ୍ଗାଲୋରରୁ ମୁଁ ଶିଳ୍ପୀ ବର୍ମା କହୁଛି । କିଛି ଦିନ ଆଗରୁ ମୁଁ ଖବରକାଗଜରେ ପଢ଼ିଥିଲି ଯେ ଫ୍ରଡ୍ ଏବଂ ଚିଟ୍ ଇମେଲରେ ବିଶ୍ୱାସ କରି ଜଣେ ମହିଳା 11 ଲକ୍ଷ ଟଙ୍କା ହରାଇଦେଲେ ଏବଂ ଶେଷରେ ଆତ୍ମହତ୍ୟା କଲେ । ଜଣେ ମହିଳା ହିସାବରେ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ମୁଁ ଜାଣିବାକୁ ଚାହୁଁଛି ଯେ ଏଭଳି ଚିଟ୍ ବା ଫ୍ରଡ୍ ଇମେଲ ସମ୍ବନ୍ଧରେ ଆପଣ କଣ ଚିନ୍ତା କରୁଛନ୍ତି।”

ଆପଣମାନେ ଜାଣୁଥିବେ ଯେ ମୋବାଇଲ ଫୋନରେ ଆମ ଇ-ମେଲରେ ବେଳେ ବେଳେ ଅତ୍ୟନ୍ତ ଲୋଭନୀୟ ମେସେଜ ଆସେ, କେହି କେହି ମେସେଜ୍ ଦିଅନ୍ତି, ଆପଣ ଏତେ ଟଙ୍କା ଜିତିଛନ୍ତି । ଆପଣ ଏତିକି ଟଙ୍କା ଦେଇ ଏତେଗୁଡିଏ ଟଙ୍କା ନେଇଯାଆନ୍ତୁ । କିଛି ଲୋକ ଏହି ଲୋଭନୀୟ ମେସେଜର ଶିକାର ହୋଇଯାଆନ୍ତି । ଟେକ୍ନୋଲୋଜି ମାଧ୍ୟମରେ ଲୁଟିବାର ଏହା ଏକ ନୂଆ କୌଶଳ ଯାହା କି ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଆଜି ଯେତେବେଳେ ଟେକ୍ନୋଲୋଜି ଆମ ଅର୍ଥ ବ୍ୟବସ୍ଥାରେ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ନେଇଛି ତାର ଦୂରୁପଯୋଗ ପାଇଁ ମଧ୍ୟ କିଛି ଲୋକ ସକ୍ରିୟ ହୋଇ ଉଠୁଛନ୍ତି । ଜଣେ ଅବସରପ୍ରାପ୍ତ ଲୋକ ଯାହାଙ୍କର ବିଭାଘର ପାଇଁ ଝିଅଟିଏ ଥିଲା ଏବଂ ଘର ବି ତିଆରି କରିବାର ଥିଲା । ତାଙ୍କ ପାଖକୁ ଦିନେ ମେସେଜ ଆସିଲା ଯେ ତାଙ୍କୁ ଗୋଟିଏ ବହୁମୂଲ୍ୟ ଉପହାର ମିଳିଛି, ଆଉ ତାକୁ ପାଇବା ପାଇଁ ବହିର୍ଶୁଳ୍କ ବାବଦକୁ ଦୁଇ ଲକ୍ଷ ଟଙ୍କା ଗୋଟିଏ ବ୍ୟାଙ୍କ ଏକାଉଂଟରେ ଜମା କରିବାକୁ ପଡିବ । ଆଉ ସେ ଭଦ୍ରଲୋକ କିଛି ନଜାଣି ନଶୁଣି ତାଙ୍କ କଷ୍ଟ ଉପାର୍ଜିତ ଧନରୁ 2 ଲକ୍ଷ ଟଙ୍କା ସେହି ଲୋକ ପାଖକୁ ପଠାଇଦେଲେ । ସେ ବି ମାତ୍ର ଗୋଟିଏ ମେସେଜରେ । କିଛି ସମୟ ମଧ୍ୟରେ ସେ ଜାଣିଲେ ଯେ ସେ ଠକି ଯାଇଛନ୍ତି। ଆପଣମାନେ ବି ବେଳେ ବେଳେ ଏଭଳି ଭ୍ରମରେ ପଡିପାରନ୍ତି । ସେମାନେ ସୁନ୍ଦର ଭାବରେ ଏଭଳି ଚିଠି ଲେଖିବେ ଯେ ଆପଣ ଜାଣିବେ କଥାଟି ସତ । ସେମାନେ କୌଣସି ଗୋଟିଏ ନକଲି ଲେଟର ପେଡ୍ ତିଆରି କରି ଚିଠିଟିଏ ଲେଖିବେ, ଆପଣଙ୍କ କ୍ରେଡିଟ କାର୍ଡ ନମ୍ବର, ଡେବିଟ୍ କାର୍ଡ ନମ୍ବର ପାଇଗଲା ପରେ ଟେକ୍ନୋଲୋଜି ସାହାଯ୍ୟରେ ଆପଣଙ୍କ ଏକାଉଂଟକୁ ଖାଲିକରି ଦିଅନ୍ତି । ଏ ଏକ ନୂଆ ପ୍ରକାରର ଠକେଇ । ମୁଁ ଭାବୁଛି ଏଭଳି ମୋହରୁ ଆମକୁ ଦୂରେଇ ରହିବାକୁ ପଡିବ, ସତର୍କ ରହିବାକୁ ପଡିବ ଆଉ ଯଦି ଏଭଳି କିଛି ମିଥ୍ୟା ମେସେଜ ଆସେ ସଙ୍ଗେ ସଙ୍ଗେ ନିଜ ବନ୍ଧୁମାନଙ୍କୁ ସେୟାର କରି ସେମାନଙ୍କୁ ସତର୍କ କରାଇବା ଦରକାର । ମୋ ମତରେ ଶିଳ୍ପୀ ବର୍ମା ଗୋଟିଏ ଭଲ କଥା ପ୍ରତି ମୋର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆପଣମାନେ ବି ଅନୁଭବ କରିଥିବେ କିନ୍ତୁ ସେତେ ଗୁରୁତ୍ୱ ଦେଉନଥିବେ । କିନ୍ତୁ ମୁଁ ଭାବୁଛି ଏ ଘଟଣାକୁ ଗୁରୁତ୍ୱର ସହ ଦେଖିବା ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀ ଗଣ, ଏବେ ସଂସଦର ଅଧିବେଶନ ଚାଲିଛି । ସଂସଦର ଅଧିବେଶନ ଚାଲିଥିବା ସମୟରେ ମତେ ଦେଶର ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ମିଳୁଛି । ଆମର ସାଂସଦମାନେ ମଧ୍ୟ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ଆଣୁଛନ୍ତି । ମୋର ସହ ସାକ୍ଷାତ କରାଉଛନ୍ତି, ସେମାନଙ୍କ କଥା କହୁଛନ୍ତି, ଅଭାବ ଅସୁବିଧା ମଧ୍ୟ ଜଣାଉଛନ୍ତି । କିନ୍ତୁ ଏବେ ମୋର ଏକ ସୁଖଦ ଅନୁଭୂତି ହେଲା । ଆଲିଗଡର କିଛି ଛାତ୍ର ମୋ ପାଖକୁ ଆସିଥିଲେ । ପୁଅ ଝିଅ ମୋତେ ବଡ ଉତ୍ସାହର ସହିତ ଗୋଟିଏ ବଡ ଆଲବମ୍ ନେଇ ଆସିଥିଲେ । ସେମାନେ ଭାରି ଖୁସି ଥିଲାପରି ଲାଗୁଥିଲେ । ଆମ ଆଲିଗଡର ସାଂସଦ ସେମାନଙ୍କୁ ସାଥୀରେ ଆଣିଥିଲେ । ସେମାନେ ମୋତେ ଫଟୋ ଦେଖାଇଲେ । ସେମାନେ ଆଲିଗଡ ଷ୍ଟେସନର ସୌନ୍ଦର୍ଯ୍ୟକରଣ କରିଛନ୍ତି । ଷ୍ଟେସନରେ କଳାତ୍ମକ ଚିତ୍ର ସବୁ ଲଗାଇଛନ୍ତି । ଖାଲି ସେତିକି ନୁହେଁ, ଗାଁରେ ଯେଉଁ ପ୍ଲାଷ୍ଟିକ ବୋତଲ, ତେଲ ଜାର ଆଦି ଅଳିଆ ଗଦାରେ ପଡିଥିଲା ସେଗୁଡିକୁ ସେମାନେ ଖୋଜି ଖୋଜି ଏକାଠି କଲେ ଏବଂ ସେଥିରେ ମାଟିଭରି ଚାରା ଲଗାଇ ଭର୍ଟିକାଲ ଗାର୍ଡେନ ତିଆରି କରିଛନ୍ତି ଏବଂ ରେଳ ଷ୍ଟେସନକୁ ପ୍ଲାଷ୍ଟିକ ବୋତଲର ଭର୍ଟିକାଲ ଗାର୍ଡେନରେ ସଜାଇ ଏକ ନୂଆ ରୂପ ଦେଇ ପାରିଛନ୍ତି । ଆପଣ ବି ଯଦି କେବେ ଆଲିଗଡ ଯାଆନ୍ତି ତେବେ ଷ୍ଟେସନକୁ ନିଶ୍ଚୟ ଦେଖିବେ । ହିନ୍ଦୁସ୍ଥାନର ଅନେକ ଷ୍ଟେସନରୁ ଆଜିକାଲି ମୋତେ ଖବର ମିଳୁଛି ଯେ ସ୍ଥାନୀୟ ଲୋକମାନେ ରେଳ ଷ୍ଟେସନର ପ୍ରାଚୀରରେ କଳାକୃତୀ ଦ୍ୱାରା ନିଜ ଅଞ୍ଚଳର ପରିଚୟ ସୃଷ୍ଟି କରୁଛନ୍ତି । ଏକ ନୂତନତ୍ୱ ଅନୁଭୂତି ହେଉଛି । ଲୋକମାନଙ୍କ ସହଭାଗୀତା ଦ୍ୱାରା କିଭଳି ପରିବର୍ତ୍ତନ ହୋଇପାରେ ଏହା ତାର ଏକ ନିଦର୍ଶନ। ଦେଶରେ ଏଇଭଳି କାମ କରୁଥିବା ସବୁ ଲୋକଙ୍କୁ ଅଭିନନ୍ଦନ ଜଣାଉଛି । ମୋର ଆଲିଗଡ ସାଥୀମାନଙ୍କୁ ବିଶେଷ ଅଭିନନ୍ଦନ ।

ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଋତୁ ସଙ୍ଗେ ସଙ୍ଗେ ଆମ ଦେଶରେ ଉତ୍ସବର ଋତୁ ବି ଆସେ । ଆଗାମୀ ଦିନରେ ମେଳା ମହୋତ୍ସବ ଲାଗି ରହୁଥିବ। ମନ୍ଦିରରେ, ପୂଜାସ୍ଥଳରେ ଉତ୍ସବ ପାଳନ କରାଯାଉଥିବା ଏବଂ ଆପଣମାନେ ମଧ୍ୟ ଘରେ ବା ବାହାରେ ଉତ୍ସବରେ ଲାଗି ରହିବେ । ରକ୍ଷାବନ୍ଧନ ଆମ ଦେଶର ଏକ ମହତ୍ୱପୂର୍ଣ୍ଣ ଉତ୍ସବ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କଣ ରକ୍ଷାବନ୍ଧନ ଉପଲକ୍ଷେ ଆପଣମାନେ ଦେଶର ମା ଓ ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବା ଜୀବନ ଜ୍ୟୋତି ବୀମା ଯୋଜନା ଉପହାର ଦେଇ ପାରିବେନି ? ଭାବି ଦେଖନ୍ତୁ, ଭଉଣୀକୁ ଏଭଳି ଉପହାର ଦେବା, ଯାହା ତାକୁ ଜୀବନରେ ପ୍ରକୃତ ସୁରକ୍ଷା ଦେଇପାରିବ। ଖାଲି ସେତିକି ନୁହେଁ । ଆମ ଘରେ ରୋଷେଇ କରିବାକୁ କେହି ମହିଳା ଥିବେ, ସଫାଇ କରିବାକୁ ମହିଳା ଥିବେ, କୌଣସି ଗରିବ ମାର ଝିଅ ହୋଇଥିବେ । ରକ୍ଷାବନ୍ଧନ ଉପଲକ୍ଷେ ତାଙ୍କୁ ବି ଆପଣ ସୁରକ୍ଷା ବୀମା କିମ୍ବା ଜୀବନ ଜ୍ୟୋତି ବୀମା ଉପହାର ଦେଇ ପାରିବେ । ଆଉ ଏହାହିଁ ତ ସାମାଜିକ ସୁରକ୍ଷା, ଏହା ହିଁ ତ ରକ୍ଷାବନ୍ଧନର ବାସ୍ତବ ଅର୍ଥ ।

ମୋର ପ୍ରିୟ ଦେଶବାସୀଗଣ, ଆମମାନଙ୍କ ଭିତରେ ବହୁତ ଅଛନ୍ତି ଯେଉଁମାନଙ୍କ ଜନ୍ମ ସ୍ୱାଧୀନତା ପରେ ହୋଇଛି । ଆଉ ମୁଁ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛି । 8 ଅଗଷ୍ଟ, ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । “ହିନ୍ଦ୍ ଛୋଡୋ, ଭାରତ ଜୋଡୋ” – ଏ ଧ୍ୱନୀକୁ 75 ବର୍ଷ ପୂର୍ଣ୍ଣ ହେଉଛି । ଆଉ ଅଗଷ୍ଟ 15କୁ ସ୍ୱାଧୀନତାର 70 ବର୍ଷ ପୂର୍ଣ୍ଣ ହେଉଛି । ଆମେମାନେ ସ୍ୱାଧୀନତାର ଆନନ୍ଦ ଅନୁଭବ ତ କରୁଛେ । ସ୍ୱାଧୀନ ନାଗରିକ ହୋଇଥିବାରୁ ଗର୍ବ ମଧ୍ୟ ଅନୁଭବ କରୁଛୁ । କିନ୍ତୁ ଦେଶକୁ ସ୍ୱାଧୀନ କରାଇଥିବା ସେହି ଦେଶଭକ୍ତମାନଙ୍କୁ ଏହା ମନେ ପକାଇବାର ସମୟ । ଭାରତ ଛାଡ ଆନ୍ଦୋଳନର 75ତମ ବର୍ଷ ଏବଂ ଭାରତ ସ୍ୱାଧୀନତାର 70 ତମ ବର୍ଷ ଆମମାନଙ୍କୁ ନୂତନ ପ୍ରେରଣା ଦେଇପାରେ, ନୂତନ ଉତ୍ସାହ ସୃଷ୍ଟି କରିପାରେ ଆଉ ଦେଶପାଇଁ କିଛି କରିବାର ଅବସର ମଧ୍ୟ ଦେଇପାରେ । ସମଗ୍ର ଦେଶ ସ୍ୱାଧୀନତା ପାଇଁ ଲଢ଼ିଥିବା ସେଇ ଦେଶଭକ୍ତମାନଙ୍କ ରଙ୍ଗରେ ରଙ୍ଗୀନ ହେଉ । ଚାରିଆଡେ ସ୍ୱାଧୀନତାର ସୁଗନ୍ଧ (ବାସ୍ନା)କୁ ପୁଣିଥରେ ଅନୁଭବ କରାଯାଉ ଆମେ ଏଭଳି ବାତାବରଣ ସୃଷ୍ଟି କରିବା । ସ୍ୱାଧୀନତାର ଉତ୍ସବ ଏକ ସରକାରୀ ଉତ୍ସବ ନହୋଇ ଦେଶବାସୀଙ୍କର ଉତ୍ସବ ହେବା ଉଚିତ । ମୁଁ ଆଶା କରୁଛି ଆପଣମାନେ ମଧ୍ୟ ଦେଶଭକ୍ତି ଦ୍ୱାରା ପ୍ରେରିତ ହୋଇ କିଛି ନା କିଛି ଭଲ କାମ କରନ୍ତୁ ଆଉ ତାର ଫଟୋ “ନରେନ୍ଦ୍ର ମୋଦୀ ଆପ୍” ମାଧ୍ୟମରେ ନିଶ୍ଚୟ ପଠାନ୍ତୁ । ଦେଶରେ ଏକ ବାତାବରଣ ସୃଷ୍ଟି କରନ୍ତୁ ।

ପ୍ରିୟ ଦେଶବାସୀଗଣ, ଅଗଷ୍ଟ 15 ତାରିଖରେ ଲାଲକିଲ୍ଲାର ପ୍ରାଚୀର ଉପରୁ ମୋତେ ଦେଶ ସହିତ କଥା ହେବାର ଏକ ସୁଯୋଗ ମିଳୁଛି, ଏ ଗୋଟିଏ ପରମ୍ପରା । ଆପଣଙ୍କ ମନରେ ମଧ୍ୟ କିଛି କଥା ଥାଇପାରେ । ଆପଣ ଚାହୁଁଥିବେ ଯେ ଆପଣଙ୍କ ସେଇ କଥା ବି ଲାଲକିଲ୍ଲାର ପ୍ରାଚୀର ଉପରୁ ସେତିକି ଗୁରୁତ୍ୱର ସହ ମୁଖରିତ ହେଉ । ମୁଁ ଆପଣଙ୍କୁ ନିମନ୍ତ୍ରଣ ଜଣାଉଛି, ଆପଣଙ୍କ ମନରେ ଉଠୁଥିବା ବିଚାର ଯାହାକୁ ଆପଣ ଭାବୁଥିବେ ଯେ ଆପଣଙ୍କ ପ୍ରତିନିଧି ଭାବରେ, ପ୍ରଧାନ ସେବକ ଭାବରେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କହିବା ଉଚିତ; ମତେ ନିଶ୍ଚିତ ଭାବରେ ଲେଖି ଜଣାନ୍ତୁ । ପ୍ରସ୍ତାବ ଦିଅନ୍ତୁ, ପରାମର୍ଶ ଦିଅନ୍ତୁ, ନୂତନ ବିଚାର ଦିଅନ୍ତୁ । ମୁଁ ଆପଣଙ୍କ କଥା ଦେଶବାସୀମାନଙ୍କ ନିକଟରେ ପହଁଚାଇବାକୁ ଚେଷ୍ଟା କରିବି । ଆଉ ମୁଁ ଚାହେଁ ଲାଲକିଲ୍ଲାର ପ୍ରାଚୀର ଉପରୁ ଯାହା କୁହାଯାଉଛି, ତାହା ଖାଲି ପ୍ରଧାନମନ୍ତ୍ରୀର କଥା ନହେଉ । ତାହା ଶହେ ପଚିଶ କୋଟି ଦେଶବାସୀଙ୍କ କଥା ହେଉ । ଆପଣମାନେ ନିଶ୍ଚିତ ଭାବେ ମୋ ପାଖକୁ କିଛି ପଠାନ୍ତୁ । ନରେନ୍ଦ୍ର ମୋଦୀ ଆପ୍ ଦ୍ୱାରା ପଠାଇ ପାରନ୍ତି, MYGOV.IN ମାଧ୍ୟମରେ ପଠାଇ ପାରନ୍ତି, ଆଉ ଆଜି କାଲି ତ ଟେକ୍ନୋଲୋଜି ଏତେ ସହଜ ହୋଇଗଲାଣି ଯେ ଆପଣମାନେ ସହଜରେ ମୋତେ ଆପଣଙ୍କ କଥା ଜଣାଇପାରିବେ । ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଉଛି – ଆସନ୍ତୁ ସ୍ୱାଧୀନତା ସଂଗ୍ରାମର ସେଇ ଦେଶପ୍ରେମୀମାନଙ୍କୁ ସ୍ମରଣ କରିବା । ଭାରତ ପାଇଁ ଜୀବନ ଦାନ କରିଥିବା ମହାପୁରୁଷମାନଙ୍କୁ ମନେ ପକାଇବା ଆଉ ଦେଶପାଇଁ କିଛି କରିବାର ସଂକଳ୍ପ ନେଇ ଆଗେଇ ଯିବା । ବହୁତ ବହୁତ ଶୁଭ କାମନା, ବହୁତ ବହୁତ ଧନ୍ୟବାଦ ।