Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନ୍ତର୍ଜାତୀୟ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସମ୍ମିଳନୀ (ଆଇସିଡିଆରଆଇ) ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ ଅଭିଭାଷଣ


ମହାମହିମ ଗଣ,

ମାନନୀୟ ମନ୍ତ୍ରୀ ଶ୍ରୀ ହର୍ବର୍ସ;

ମିଳିତ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ସୁଶ୍ରୀ ମାମି ମିଜୁତୋରୀ;

ମାନନୀୟ ଉପମନ୍ତ୍ରୀ ଡକ୍ଟର ଯତି,

ସଂଗଠନର ସଦସ୍ୟ ରାଷ୍ଟ୍ରରୁ ଯୋଗ ଦେଇଥିବା ପ୍ରତିନିଧିଗଣ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ମାନନୀୟ ଅତିଥିଗଣ;

ଭାଇ ଓ ଭଉଣୀମାନେ;

 

ଶୁଭକାମନା!

ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଆପଣମାନଙ୍କ ସହ ସାମିଲ ହେବା ମୋ ପାଇଁ ଖୁସିର ବିଷୟ। ବିଗତ ପାଞ୍ଚ ବର୍ଷ ଧରି, ଆଇସିଡିଆରଆଇ ଏବଂ ଅନୁରୂପ ମଞ୍ଚଗୁଡ଼ିକ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଆଲୋଚନାକୁ ଆଗେଇ ନେବା ତଥା କ୍ରିୟାଶୀଳ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । 

ଏହା ଏବେ କେବଳ ଏକ ସ୍ଥାନୀୟ ବିଷୟ ହୋଇ ରହି ନାହିଁ । ଏହା ବିଶ୍ୱ ଏବଂ ଜାତୀୟ ବିକାଶ ପରିଦୃଶ୍ୟରେ ଏକ ପ୍ରମୁଖ ସ୍ଥାନକୁ ଆସିପାରିଛି ।

ବିଗତ କିଛି ବର୍ଷ ଧରି, ଆମେ ସମସ୍ୟାକୁ ଭଲ ଭାବେ ବୁଝିବାରେ ସକ୍ଷମ ହୋଇପାରିଛୁ । ଆଧୁନିକ ଭିତ୍ତିଭୂମି ବ୍ୟବସ୍ଥା ପରସ୍ପର ସହ ସଂଯୁକ୍ତ ହୋଇ ରହିଛି । ଆମକୁ ବିଶ୍ୱର ସେହି ଅଗଣିତ ଲୋକମାନଙ୍କୁ ଦ୍ରୁତଗତିରେ ଭିତ୍ତିଭୂମି ସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି ଯେଉଁମାନେ ପୂର୍ବରୁ ଏଭଳି କୌଣସି ସେବା ପାଇବାରୁ ବଞ୍ଚିତ ରହିଛନ୍ତି । ଏଭଳି ବ୍ୟବସ୍ଥା ସହନଶୀଳ ହେବା ଜରୁରି । ଦ୍ରୁତ ଗତିରେ ସାମାଜିକ, ଆର୍ଥିକ ଏବଂ ପ୍ରାକୃତିକ ବ୍ୟବସ୍ଥା ପରିବର୍ତ୍ତିତ ହେଉଥିବା ପରିପ୍ରେକ୍ଷୀରେ ଆମକୁ ଏହା ହାସଲ କରିବାକୁ ହେବ।

ଏ ଦିଗରେ ସ୍ୱାଭାବିକ ଭାବେ ଅଗ୍ରଗତି କରିବାକୁ ହେଲେ ସମସ୍ୟାର ବର୍ଣ୍ଣନା କରିବା ଠାରୁ ଊର୍ଦ୍ଧ୍ୱକୁ ଯାଇ ସମାଧାନ ଖୋଜିବାକୁ ହେବ ।

ଚଳିତ ବାର୍ଷିକ ଅଧିବେଶନରେ ସମାଧାନ ଖୋଜିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା କାରଣରୁ ମୁଁ ସିଡିଆରଆଇକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ମୁଁ ଏଠାରେ ପାଞ୍ଚଟି ବିଷୟବସ୍ତୁ ଉପରେ ଆଲୋକପାତ କରିବାକୁ ଚାହୁଁଛି । ମୋ ମତରେ ସମାଧାନର ସନ୍ଧାନ ଦିଗରେ ଏସବୁ ଦିଗ ବେଶ ଗୁରୁତ୍ୱପୂର୍ଣ୍ଣ:

ପ୍ରଥମତଃ, ଆମକୁ ଏହା ଗ୍ରହଣ କରିବାକୁ ହେବ ଯେ ବ୍ୟବସ୍ଥିତ ଦୃଷ୍ଟିକୋଣ ରହିଥିବା ଆଧୁନିକ ସଂସ୍ଥାନ ନିର୍ମାଣ ସଫଳତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକ-ଆବଶ୍ୟକତା ଅଟେ । ବିଂଶ ଶତାବ୍ଦୀର ସଂସ୍ଥାଗତ ଦୃଷ୍ଟିକୋଣ ନେଇ ଆମେ ଏକବିଂଶ ଶତାବ୍ଦୀର ସମସ୍ୟାକୁ ସମାଧାନ କରିପାରିବା ନାହିଁ । ଗୋଟିଏ ଉଦାହରଣ ଦେଇ ମୁଁ ଏହାକୁ ବିସ୍ତୃତ ଭାବେ ଅବତାରଣା କରିବାକୁ ଚାହୁଁଛି । ବହୁମୁଖି ଯୋଗାଯୋଗ ପାଇଁ ଭାରତର ଜାତୀୟ ମାଷ୍ଟର ପ୍ଲାନ ବା ପିଏମ ଗତିଶକ୍ତି ହେଉଛି ଏକ ଅଭିନବ ନୀତିଗତ ଏବଂ ପରିଚାଳନାଗତ ଢାଞ୍ଚା । ଏହା ଭାରତ ସରକାର ଏବଂ ଏପରିକି ରାଜ୍ୟ ସରକାରଙ୍କ ସବୁ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ସାମଗ୍ରିକ ଓ ସମନ୍ୱିତ ଯୋଜନା ପ୍ରସ୍ତୁତି ଲାଗି ଏକାଠି କରିଥାଏ।

ସଡ଼କପଥ, ରେଳପଥ, ବିମାନମାର୍ଗ ଓ ଜଳମାର୍ଗ ମନ୍ତ୍ରଣାଳୟକୁ ପରସ୍ପର ସହ ଏକାଠି କରିବା ସହଜ କଥା ନୁହେଁ କାରଣ ଏସବୁ ସଂସ୍ଥା ଶତାଧିକ ବର୍ଷ ହେବ ଭିନ୍ନ ଭିନ୍ନ କାର୍ଯ୍ୟପଦ୍ଧତିରେ ଚାଲି ଆସୁଛନ୍ତି । କିନ୍ତୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସଂସ୍ଥା ଗଢ଼ିବାର କଠିନ ଶ୍ରମ କରିନପାରିଲେ ଆମେ ଦୀର୍ଘକାଳୀନ ଭିତ୍ତିରେ ଦକ୍ଷ କିମ୍ବା ସହନଶୀଳ ଭିତ୍ତିଭୂମି ନିର୍ମାଣ କରିବାରେ ସକ୍ଷମ ହୋଇପାରିବା ନାହିଁ । ସଂକ୍ଷେପରେ କହିବାକୁ ଗଲେ, ଅଧିକ ନହେଉ ପଛେ, ଯେତିକି ହେଉ ଆମକୁ ପ୍ରଯୁକ୍ତିଗତ ଉଦ୍ଭାବନ ଅନୁରୂପ ସଂସ୍ଥାଗତ ଉଦ୍ଭାବନ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ।

ଦ୍ୱିତୀୟତଃ, ଆମର ଭିତ୍ତିଭୂମି ପ୍ରଣାଳୀ ମଧ୍ୟରେ ଆମକୁ ଧ୍ୟାନର ସହକାରେ ବୈକଳ୍ପିକତା ଉପରେ ଚିନ୍ତା କରିବାକୁ ହେବ । ଅନେକ ପରିବର୍ତ୍ତନ ମଧ୍ୟରେ, ଆମକୁ ପ୍ରଗତିଶୀଳ ଦୃଷ୍ଟିକୋଣକୁ ଗ୍ରହଣ କରିବାକୁ ହେବ ଏବଂ ପରିବର୍ତ୍ତିତ ପରିଦୃଶ୍ୟର ମୁକାବିଲା କରିବା ଦିଗରେ ଆମେ ସକ୍ଷମ ହେବା ଆବଶ୍ୟକ । ଯଦି ଭବିଷ୍ୟତ ଅନିଶ୍ଚିତ, ତା’ହେଲେ ଆମେ କେବଳ ଗୋଟିଏ କାର୍ଯ୍ୟ ପଦ୍ଧତିରେ ବାନ୍ଧି ହୋଇଯିବା ଉଚିତ୍‌ ନୁହେଁ ।

ତୃତୀୟତଃ, ଆମ ସଂସ୍ଥାନଗୁଡ଼ିକର ଆଧୁନିକୀକରଣ କରିବା ଏବଂ ସତର୍କ ଓ ସକ୍ରିୟ ହେବା ଲାଗି ସେଭଳି କ୍ଷମତାର ଆବଶ୍ୟକତା ରହିଛି । ଉଭୟ ଦକ୍ଷିଣ ଓ ଉତ୍ତରରେ ଏଭଳି କ୍ଷମତାର ଅଭାବ ରହିଛି । ଆମକୁ ଏଭଳି ପେସାଦାରଙ୍କ ଆବଶ୍ୟକତା ରହିଛି ଯେଉଁମାନେ ନିଜ ବିଷୟରେ ଗଭୀର ଭାବେ ବୁଡ଼ି ରହିଥିବେ କିନ୍ତୁ ଅନ୍ୟ ସଂଖ୍ୟାଧିକ ତଥା ବିବିଧ ବିଷୟର ସମନ୍ୱୟରେ କାର୍ଯ୍ୟ କରିବା ଲାଗି ସକ୍ଷମ ହୋଇଥିବେ ।

ଆମକୁ ଏଭଳି ଇଞ୍ଜିନିୟରଙ୍କ ଆବଶ୍ୟକତା ରହିଛି ଯେଉଁମାନେ ସାମାଜିକ ଓ ଆର୍ଥିକ ଚିନ୍ତାକୁ ବୁଝିପାରୁଥିବେ ଏବଂ ଆମକୁ ଏପରି ସାମାଜିକ ବୈଜ୍ଞାନିକମାନଙ୍କର ଆବଶ୍ୟକତା ରହିଛି ଯେଉଁମାନେ ପ୍ରଯୁକ୍ତି ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିକୁ ସ୍ୱୀକାର କରୁଥବେ । ଏହି ସନ୍ଦର୍ଭରେ, ସୁଦୃଢ଼ ମୌଳିକ ଭିତ୍ତିଭୂମି ଲାଗି ଏକ ବହୁବିଷୟକ ଶିକ୍ଷଣୀୟ ନେଟୱର୍କ ଆରମ୍ଭ କରିବାରେ ସିଡିଆରଆଇର ପ୍ରୟାସ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ।

ଚତୁର୍ଥତଃ, ଏବେ ଆମେ ଉତ୍ତର-ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ, ଉତ୍ତର-ଉତ୍ତର ମଧ୍ୟରେ ବିନିମୟ ସୁବିଧା ଚାହୁଁଥିବା ବେଳେ ଆମକୁ ମୌଳିକ ଭିତ୍ତିଭୂମି ସହ ଜଡ଼ିତ ସେବାର ଏକ ବଡ଼ ଭାଗକୁ ଦକ୍ଷିଣ (ଗ୍ଲୋବାଲ୍‌ ସାଉଥ)ରେ ବିତରିତ କରିବାକୁ ହେବ । ଏଥିପାଇଁ ଆମକୁ ନିଜ ସମାଧାନର ଅନ୍ୱେଷଣରେ ପ୍ରଗତିଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ସାମର୍ଥ୍ୟ ଓ ସେଗୁଡ଼ିକର ବ୍ୟାପକତା ଓ ସ୍ଥିରତା ପ୍ରତି ଧ୍ୟାନ ଦେବାକୁ ହେବ ।

ଶେଷରେ, କେବଳ ଭୌତିକ ସମ୍ପତ୍ତି ସୃଷ୍ଟି କରିବା ବିପରୀତ, ଲୋକମାନଙ୍କୁ ଭରସାଯୋଗ୍ୟ ଭିତ୍ତିଭୂମି ସେବା ଯୋଗାଇ ଦେବା କ୍ଷେତ୍ରରେ ପରିଣାମକୁ ଆକଳନ କରିବା ଜରୁରି ଏବଂ ଏହାକୁ ଏବେ ସର୍ବତ୍ର ମାନ୍ୟତା ମିଳିଛି ।

ସଂକ୍ଷେପରେ, ଯଦି ଆମେ ନିଜ ସଂସ୍ଥାଗୁଡ଼ିକର ଆଧୁନିକୀକରଣ ପ୍ରତି ଧ୍ୟାନ କେନ୍ଦ୍ରିତ କରୁଛୁ, ବୈକଳ୍ପିକତା ବଜାୟ ରଖୁଛୁ, ବହୁ ବିଷୟକ କ୍ଷମତା ନିର୍ମାଣ କରୁଛୁ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥା ପାଇଁ କ’ଣ ଉପଯୋଗୀ ହେବ ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରୁଛୁ ତଥା ଲୋକମାନଙ୍କୁ ନିଜ ନିର୍ଣ୍ଣୟର କେନ୍ଦ୍ରରେ ରଖୁଛୁ ତା’ହେଲେ ଆମେ ନିଜ ଭବିଷ୍ୟତ ପିଢ଼ି ପାଇଁ ଏକ ସୁଦୃଢ଼ ମୌଳିକ ଭିତ୍ତିଭୂମି ନିର୍ମାଣ ଲାଗି ମାର୍ଗପ୍ରଶସ୍ତ କରିବାରେ ସକ୍ଷମ ହୋଇପାରିବା ।

ଆମେ ଜଟିଳ ଆହ୍ୱାନ ଏବଂ ଅନିଶ୍ଚିତତା ପୂର୍ଣ୍ଣ ଅଭୂତପୂର୍ବ ସମୟ ଦେଇ ଗତି କରୁଛୁ । ଏଥିସହିତ ଆମ ଆଗରେ ଅଦ୍ୱିତୀୟ ସମ୍ଭାବନା ରହିଛି । ସୁଦୃଢ଼ତାର ସହ ଜଡ଼ିତ ବିଷୟ ଉପରେ ବିଶ୍ୱସ୍ତରରେ ଗତି ଦେଖିବାକୁ ମିଳୁଛି ।

ଏବେ ଗତ ସପ୍ତାହରେ ଜି-୨୦ର ସଦସ୍ୟ ଦେଶ ବିପର୍ଯ୍ୟୟ ସଂକ୍ରାନ୍ତ ବିପତ୍ତିକୁ ହ୍ରାସ କରିବା ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରିବା ଲାଗି ପ୍ରଥମ ଥର ପାଇଁ ଏକତ୍ରିତ ହୋଇଥିଲେ । ଦୁଇ ମାସରୁ ମଧ୍ୟ କମ ସମୟ ମଧ୍ୟରେ ମିଳିତ ଜାତିସଂଘ ସେଣ୍ଡାଇ ଫ୍ରେମୱର୍କ ଉପରେ ହୋଇଥିବା ଅଗ୍ରଗତି ଉପରେ ଆଲୋଚନା କରିବା ଲାଗି ଉଚ୍ଚସ୍ତରୀୟ ରାଜନୈତିକ ମଞ୍ଚ ଆୟୋଜନ କରିବାକୁ ଯାଉଛି ।

ଏହା ଏକ ମହାନ ସୁଯୋଗ । ଆସନ୍ତୁ ଆମେ ଏହାର ସଦୁପଯୋଗ କରିବା।

ଧନ୍ୟବାଦ ।

 

******

P.S.