ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଧ୍ୟପ୍ରଦେଶର ସେହୋର, ଅମଲାହାଠାରେ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ICARDA) ଦ୍ୱାରା ଶିମ୍ବଜାତୀୟ ଖାଦ୍ୟ ଗବେଷଣା ପ୍ଲାଟଫର୍ମ (FRLP) ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିସହ ଏହି କେନ୍ଦ୍ରର ଶାଖା ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷ୍ଠା କରାଯିବ ।
ଏହି କେନ୍ଦ୍ର ନିମନ୍ତେ ଏକରକୁ ଏକଟଙ୍କା ମୂଲ୍ୟରେ 70.99 ହେକ୍ଟର (175.42 ଏକର) ଜମି ସେହୋରର ଅମଲାହା ଫାର୍ମଠାରେ ଆଗାମୀ 30 ବର୍ଷ ପାଇଁ ଲିଜରେ ICARDA ଯୋଗାଇ ଦେବା ନିମନ୍ତେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହାକୁ କ୍ୟାବିନେଟ ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ମିଳିତ ଜାତିସଂଘ ଆଇନ, 1947ର ଧାରା-3 ଅନୁସାରେ ଏହାକୁ ଆନ୍ତର୍ଜାତୀୟ ପର୍ଯ୍ୟାୟର ମାନ୍ୟତା ପ୍ରଦାନ କରାଯିବ । ଭାରତ ସରକାରଙ୍କ କୃଷି ଗବେଷଣା ବିଭାଗ(DARE)କୁ ଏହି ପ୍ଲାଟଫର୍ମ ସ୍ଥାପନ ସମ୍ପର୍କୀତ ସବୁ ନିଷ୍ପତ୍ତି ଗ୍ରହଣ କରିବା ସକାଶେ ପୂର୍ଣ୍ଣକ୍ଷମତାଧିକାର ପ୍ରଦାନ କରାଯାଇଛି । ଏଥିରେ ପରବର୍ତ୍ତୀ ସମୟରେ ହେବାକୁ ଥିବା ବୈଷୟିକ ପରିବର୍ତ୍ତନ ନିମନ୍ତେ କୃଷି ମନ୍ତ୍ରଣାଳୟ ଅଧିକାର ପ୍ରାପ୍ତ । ଏହି ଅନ୍ତରାଷ୍ଟ୍ରୀୟ ସ୍ତରର କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଭାରତର ଖାଦ୍ୟ ନିରାପତ୍ତା ଚାଲେଞ୍ଜର ସଫଳ ମୁକାବିଲା କରାଯାଇପାରିବ । FLRPର ଗବେଷଣାଲବଧ ସୁଫଳକୁ ଭାରତ ଯଥାଶୀଘ୍ର କାର୍ଯ୍ୟକାରୀ କରିପାରିବ । ତେଣୁ ଏହା ଏକ ଅନ୍ତରାଷ୍ଟ୍ରୀୟ ମାନର ଗବେଷଣା ଓ ବିକାଶ ପ୍ରତିଷ୍ଠାନ ରୂପେ କାର୍ଯ୍ୟ କରିବ । ଯାହାକି ଏହି କ୍ଷେତ୍ର ସମେତ ଦେଶର କୃଷକମାନଙ୍କ କୃଷି ଉତ୍ପାଦନକ୍ଷମତା ବୃଦ୍ଧିରେ ସହାୟକ ହେବ ।