• ଯୋଜନା ପାଇଁ ମୋଟ 6ହଜାର କୋଟି ଟଙ୍କା ବ୍ୟୟ ଅଟକଳ
• 2020-21 ରୁ 2024-25 ପର୍ଯ୍ୟନ୍ତ 5 ବର୍ଷ ପାଇଁ ହେବ ଲାଗୁ
• 78ଟି ଜିଲ୍ଲାର 8350 ଗ୍ରାମ ପଞ୍ଚାୟତକୁ ମିଳିବ ଲାଭ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଭୂ-ଜଳ ଯୋଜନା (ଅଟଳ ଜଳ)ର କାର୍ଯ୍ୟାନ୍ୱୟନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ପାଇଁ ମୋଟ 6ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା 2020-21 ଠାରୁ 2024-25 ପର୍ଯ୍ୟନ୍ତ 5 ବର୍ଷ ପାଇଁ ଲାଗୁ ହେବ ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି 7ଟି ରାଜ୍ୟ- ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପ୍ରାଥମିକତା ଆଧାରରେ ଚିହ୍ନଟ କ୍ଷେତ୍ରରେ ଗୋଷ୍ଠୀ ଭାଗିଦାରୀ ମାଧ୍ୟମରେ ଭୂ-ଜଳ ପରିଚାଳନାରେ ସୁଧାର ଆଣିବା । ଏହି ଯୋଜନାର କାର୍ଯ୍ୟାନ୍ୱୟନ ଫଳରେ ଏସବୁ ରାଜ୍ୟର 78ଟି ଜିଲ୍ଲାରେ ପାଖାପାଖି 8350 ଗ୍ରାମ ପଞ୍ଚାୟତକୁ ଲାଭ ମିଳିବ । ଅଟଳ ଜଳ ଗ୍ରାମ ପଞ୍ଚାୟତ ନେତୃତ୍ୱରେ ଭୂତଳ ଜଳ ପରିଚାଳନାକୁ ପ୍ରାଥମିକତା ଦେବା ସହିତ ବ୍ୟବହାର ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବ ।
6 ହଜାର କୋଟି ଟଙ୍କାର ମୋଟ ବ୍ୟୟ ଅଟକଳର 50 ପ୍ରତିଶତ ବିଶ୍ୱ ବ୍ୟାଙ୍କ ଋଣ ଆକାରରେ ସଂଗ୍ରହ କରାଯିବ ଯାହାକୁ କେନ୍ଦ୍ର ସରକାର ଭରଣା କରିବେ । ବାକି 50 ପ୍ରତିଶତ ନିୟମିତ ବଜେଟ ସହାୟତାରୁ କେନ୍ଦ୍ରୀୟ ଅନୁଦାନ ଭାବେ ଉପଲବ୍ଧ କରାଯିବ । ବିଶ୍ୱ ବ୍ୟାଙ୍କର ସମ୍ପୂର୍ଣ୍ଣ ଋଣ ଉପାଦାନ ଏବଂ କେନ୍ଦ୍ରୀୟ ସହାୟତା ରାଜ୍ୟଗୁଡ଼ିକୁ ଅନୁଦାନ ଆକାରରେ ଦିଆଯିବ ।
ଅଟଳ ଜଳର ଦୁଇଟି ପ୍ରମୁଖ ଉପାଦାନ ରହିଛି-
1. ରାଜ୍ୟରେ ସ୍ଥାୟୀ ଭୂତଳ ଜଳ ପରିଚାଳନା ଲାଗି ସଂସ୍ଥାଗତ ଦୃଢ଼ତା ଓ କ୍ଷମତା ନିର୍ମାଣ ଉପାଦାନ ଅର୍ନ୍ତଗତ ନେଟୱାର୍କ ଅନୁଧ୍ୟାନ ଏବଂ କ୍ଷମତା ନିର୍ମାଣରେ ସୁଧାର ତଥା ଜଳ ଉପଯୋଗକାରୀ ସଂଘକୁ ସୁଦୃଢ଼ କରିବା ଆଦି ସାମିଲ ରହିଛି ।
2. ଡାଟା ସମ୍ପ୍ରସାରଣ, ଜଳ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା, ଯୋଜନା ସମନ୍ୱୟ ମାଧ୍ୟମରେ ପରିଚାଳନା ପ୍ରୟାସକୁ ଲାଗୁ କରିବା, ଉନ୍ନତ ଭୂତଳ ଜଳ ପରିଚାଳନା ପ୍ରକ୍ରିୟାର ଉପଲବ୍ଧି ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ।
ଅଟଳ ଜଳ ଫଳରେ :
• ବିଭିନ୍ନ ସ୍ତରରେ ହିତାଧିକାରୀଙ୍କ କ୍ଷମତା ନିର୍ମାଣ ତଥା ଭୂ-ଜଳ ଅନୁଧ୍ୟାନ ନେଟୱାର୍କରେ ସୁଧାର ଫଳରେ ଭୂତଳ ଜଳ ଡାଟା ସଂରକ୍ଷଣ, ବିନିମୟ, ବିଶ୍ଳେଷଣ ଓ ବିସ୍ତାରକୁ ପ୍ରୋତ୍ସାହନ ମିଳିବ ।
• ଉନ୍ନତ ଡାଟାବେସ ଦ୍ୱାରା ଜଳ ପରିଚାଳନା ଏବଂ ପଞ୍ଚାୟତ ସ୍ତରରେ ଗୋଷ୍ଠୀ ନେତୃତ୍ୱାଧୀନ ଜଳସୁରକ୍ଷା ଯୋଜନାକୁ ପ୍ରସ୍ତୁତ କରିବା
• ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମନ୍ୱୟ ମାଧ୍ୟମରେ ଜଳ ସୁରକ୍ଷା ଯୋଜନା ଲାଗୁ କରିବା, ଯାହାଦ୍ୱାରା ସ୍ଥାୟୀ ଭୂତଳ ଜଳ ପରିଚାଳନା ଲାଗି ପାଣ୍ଠିର ଯୁକ୍ତିଯୁକ୍ତ ଓ ପ୍ରଭାବୀ ଉପଯୋଗରେ ସହାୟତା ମିଳିବ ।
• କ୍ଷୁଦ୍ର ଜଳସେଚନ, ଫସଲ ବିବିଧତା, ବିଦ୍ୟୁତ ଫିଡର ପୃଥକୀକରଣ ଉପରେ ଧ୍ୟାନ ଦେଇ ଭୂତଳ ଜଳ ସମ୍ବଳର ଉଚିତ ଉପଯୋଗ କରିବା ।
ପ୍ରଭାବ
• ସକ୍ରିୟ ଗୋଷ୍ଠୀ ଭାଗିଦାରୀତାରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା
• କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଯୋଗଦାନ
• ଭାଗିଦାରୀ ଭୂ-ଜଳ ପରିଚାଳନାକୁ ପ୍ରୋତ୍ସାହନ
• ବ୍ୟାପକ ପରିମାଣରେ ପରିଷ୍କୃତ ଜଳ ଉପଯୋଗରେ ନିପୁଣତା ଓ ଉନ୍ନତ ଫସଲ ପଦ୍ଧତିକୁ ପ୍ରୋତ୍ସାହନ
• ଭୂ-ଜଳ ସମ୍ବଳର ନିପୁଣ ଓ ସମାନ ଉପଯୋଗ ତଥା ଗୋଷ୍ଠୀସ୍ତରରେ ବ୍ୟବହାରିକ ପରିବର୍ତ୍ତନକୁ ପ୍ରୋତ୍ସାହନ
**********