ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇର ସୁଲତାନଙ୍କ ନିମନ୍ତ୍ରଣ କ୍ରମେ ଅକ୍ଟୋବର ୨୮ ତାରିଖ ୨୦୨୧ ରେ ଆୟୋଜିତ ହେବାକୁ ଥିବା ୧୮ ତମ ଆସିଆନ– ଭାରତ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀରେ ଆସିଆନ ଦେଶଗୁଡିକର ରାଜ୍ୟ / ସରକାର ମୁଖ୍ୟମାନେ ଯୋଗଦେବେ ।
୧୮ ତମ ଆସିଆନ–ଭାରତ ସମ୍ମିଳନୀ ଆସିଆନ–ଭାରତ ସହଯୋଗୀ ରଣନୀତିର ସ୍ଥିତି ସମୀକ୍ଷା କରିବ ଏବଂ କୋଭିଡ୍ –୧୯ ଏବଂ ସ୍ୱାସ୍ଥ୍ୟ, ବାଣିଜ୍ୟ ଏବଂ ବ୍ୟବସାୟ, ସଂଯୋଗୀକରଣ, ଏବଂ ଶିକ୍ଷା ଓ ସଂସ୍କୃତି ସହିତ ପ୍ରମୁଖ କ୍ଷେତ୍ରରେ ଅଗ୍ରଗତିର ଆକଳନ କରିବ । କୋଭିଡ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ସହିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ମଧ୍ୟ ଆଲୋଚନା କରାଯିବ । ପ୍ରତିବର୍ଷ ଆସିଆନ୍-ଭାରତ ସମ୍ମିଳନୀ ଅନୁଷ୍ଠିତ ହୁଏ ଏବଂ ଭାରତ ଏବଂ ଆସିଆନ୍କୁ ସର୍ବୋଚ୍ଚ ସ୍ତରରେ ଯୋଗଦେବା ପାଇଁ ସୁଯୋଗ ପ୍ରଦାନ କରେ । ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ୧୭ ତମ ଆସିଆନ–ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ୧୮ ତମ ଆସିଆନ–ଭାରତ ସମ୍ମିଳନୀ ହେବ ନବମ ଆସିଆନ–ଭାରତ ସମ୍ମିଳନୀ ଯେଉଁଥିରେ ସେ ଯୋଗଦେବେ ।
ଆସିଆନ–ଭାରତ ରଣନୀତିକ ସହଯୋଗ ଭୌଗୋଳିକ, ଐତିହାସିକ ଏବଂ ସଭ୍ୟତା ସମ୍ପର୍କର ଏକ ଦୃଢ ମୂଳଦୁଆ ଉପରେ ଛିଡା ହୋଇଛି । ଚଳିତବର୍ଷ ୨୦୨୨ ଆସିଆନ–ଭାରତ ସମ୍ପର୍କର ୩୦ବର୍ଷ ପୂରଣ କରିବ । ଭାରତ ଏବଂ ଆସିଆନର ଅନେକ ଆଲୋଚନା ବ୍ୟବସ୍ଥା ଅଛି ଯାହା ନିୟମିତ ଭାବରେ ହୁଏ, ଏହି ସମ୍ମିଳନୀ ସହିତ, ମନ୍ତ୍ରୀସ୍ତରୀୟ ବୈଠକ ଏବଂ ବରିଷ୍ଠ ଅଧିକାରୀଙ୍କ ବୈଠକ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଅଗଷ୍ଟ ୨୦୨୧ ରେ ଅନୁଷ୍ଠିତ ଆସିଆନ–ଭାରତ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଏବଂ ଇଏଏସ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀମତୀ ଏସ୍ ଅନୁପ୍ରିୟା ପଟେଲ ସେପ୍ଟେମ୍ବର ୨୦୨୧ ରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ଆସିଆନ ଅର୍ଥନୈତିକ ମନ୍ତ୍ରୀ ବୈଠକରେ ଭାରତ ପରାମର୍ଶରେ ଯୋଗ ଦେଇଥିଲେ । ଯେଉଁଠାରେ ମନ୍ତ୍ରୀମାନେ ଅର୍ଥନୈତିକ ସହଯୋଗକୁ ଦୃଢ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ ।
ଅକ୍ଟୋବର ୨୭, ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ୧୬ ତମ ପୂର୍ବ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେବେ । ପୂର୍ବ ଏସିଆ ସମ୍ମିଳନୀ ହେଉଛି ଇଣ୍ଡୋ–ପାସିଫିକ ଅଗ୍ରଣୀ ନେତାଙ୍କ ନେତୃତ୍ୱାଧୀନ ଫୋରମ୍ । ୨୦୦୫ ରେ ଏହାର ଆରମ୍ଭରୁ, ଏହା ପୂର୍ବ ଏସିଆର ରଣନୀତିକ ଏବଂ ଭୌଗୋଳିକ ବିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୧୦ ଟି ଆସିଆନ ସଦସ୍ୟ ରାଷ୍ଟ୍ର ବ୍ୟତୀତ ପୂର୍ବ ଏସିଆ ସମ୍ମିଳନୀରେ ଭାରତ, ଚୀନ୍, ଜାପାନ, କୋରିଆ ଗଣରାଜ୍ୟ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା ଏବଂ ଋଷିଆ ଅନ୍ତର୍ଭୁକ୍ତ ।
ପୂର୍ବ ଏସିଆ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତ ପୂର୍ବ ଏସିଆ ସମ୍ମିଳନୀକୁ ମଜବୁତ କରିବା ସହ ସମସାମୟିକ ଆହ୍ୱାନର ମୁକାବିଲା ପାଇଁ ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆସିଆନ ଆଉଟଲୁକ୍ ଅଫ୍ ଇଣ୍ଡୋ–ପାସିଫିକ୍ (ଏଓଆଇପି) ଏବଂ ଇଣ୍ଡୋ–ପାସିଫିକ୍ ଓସିଏନସ୍ ଇନିସିଏଟିଭ୍ (ଆଇପିଓଆଇ) ମଧ୍ୟରେ ସମ୍ମିଶ୍ରଣ ଉପରେ ର୍ନିଭର କରି ବ୍ୟବହାରିକ ସହଯୋଗକୁ ଆଗକୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । ୧୬ ତମ ପୂର୍ବ ଏସିଆ ସମ୍ମିଳନୀରେ ନେତାମାନେ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ସ୍ୱାର୍ଥ ତଥା ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ, କୋଭିଡ –୧୯ ସହଯୋଗ ଉପରେ ଆଲୋଚନା କରିବେ । ନେତାମାନେ ଭାରତର ସହ ପ୍ରାୟୋଜକରେ ମାନସିକ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ସବୁଜିମାର ପୁନରୁଦ୍ଧାର ମାଧ୍ୟମରେ ଅର୍ଥନୈତିକ ପୁନରୁଦ୍ଧାର ବିଷୟରେ ଘୋଷଣାକୁ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
HS