Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରୀ ପ୍ରତିରକ୍ଷା ଉଦ୍ୟୋଗ ଦ୍ୱାରା ଯୌଥ କମ୍ପାନୀ ସ୍ଥାପନ ନିମନ୍ତେ ପୃଥକ ନିୟମାବଳୀର ବିଲୋପ ପ୍ରସ୍ତାବକୁ କେବିନେଟ ସ୍ୱୀକୃତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରାହିତ୍ୟରେ ବୁଧବାର (27.07.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସରକାରୀ ପ୍ରତିରକ୍ଷା ଉଦ୍ୟୋଗ (DPSUS) ଦ୍ଵାରା ଯୌଥ କମ୍ପାନୀ ପ୍ରତିଷ୍ଠା ସଂକ୍ରାନ୍ତ ପ୍ରଚଳିତ ନିୟମାବଳୀକୁ ରଦ୍ଦ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗମାନଙ୍କ ଦ୍ୱାରା ପୃଥକ ଭାବେ ମିଳିତ ଉଦ୍ୟୋଗ ସ୍ଥାପନ ସକାଶେ 2012 ଫେବୃଆରୀ ମାସରେ ବିଜ୍ଞପିତ ନିୟମାବଳୀ ଏବେ ଆବଶ୍ୟକ ପଡିବ ନାହିଁ । ସାଧାରଣ ଉଦ୍ୟୋଗ ବିଭାଗ ଏବଂ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସମୟାନ୍ତରେ ବିଜ୍ଞପିତ ନିୟମାବଳୀ ଯାହାକି ସମାନ ଭାବେ ସବୁ କେନ୍ଦ୍ରୀୟ ଉଦ୍ୟୋଗଗୁଡିକ ପାଇଁ ପ୍ରଯୁଜ୍ୟ ସେ ସବୁ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ ପାଇଁ ଯୌଥ ଉଦ୍ୟୋଗ ସ୍ଥାପନ କ୍ଷେତ୍ରରେ ପ୍ରଯୁଜ୍ୟ ହେବ । ଏହାଦ୍ୱାରା ଏହି ସେକ୍ଟରର ଘରୋଇ ସ୍ୱାବଲମ୍ବନ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ।

ପୁନଶ୍ଚ ଏହି ନିୟମାବଳୀକୁ ରଦ୍ଦ କରାଯିବା ଦ୍ୱାରା ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ ଏବଂ ଘରୋଇ ଉଦ୍ୟୋଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାରିବ । ଏହା ଫଳରେ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ ନିଜସ୍ୱ ଢ଼ଙ୍ଗରେ ଅଂଶୀଦାର ଚୟନ ସହ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ । ପୁଣି ଏଥିରେ ଉତ୍ତରଦାୟିତ୍ୱ ଓ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗର ସ୍ୱାୟତ୍ତତା ବୃଦ୍ଧି ପାଇବ ଯାହାକି ଜାତୀୟ ସୁରକ୍ଷା କ୍ଷେତ୍ରରେ ସ୍ୱାର୍ଥ ରକ୍ଷା ଲାଗି ସହାୟକ ହେବ ।

ଏହି ନିଷ୍ପତ୍ତି ଫଳରେ 9ଟି ଯାକ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ (ଯଥା, ମାଜାଗାଓଁ ଡକ୍ ଲିମିଟେଡ, ଗୋଆ ସିପୟାର୍ଡସ ଲିମିଟେଡ, ଗାର୍ଡେନରିଚ୍ ସିପ୍ ବିଲଡର୍ସ ଏଣ୍ଡ ଇଞ୍ଜିନିୟରର୍ସ ଲିମିଟେଡ, ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ, ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡ, ଆର୍ଥ ମୁଭର୍ସ ଲିମିଟେଡ, ଭାରତ ଡାଇନାମିକ୍ସ ଲିମିଟେଡ ଏବଂ ମିଶ୍ରଧାତୁ ନିଗମ ଲିମିଟେଡ) ବିଶେଷ ଭାବେ ଉପକୃତ ହେବେ । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବିଭାଗ ନିଷ୍ପତ୍ତି କରିଛି ଯେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଅଧିକରୁ ଅଧିକ ଘରୋଇ ସେକ୍ଟରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ସେହିଭଳି ନିଜସ୍ୱ ଜ୍ଞାନକୌଶଳରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ/ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

**********