Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଏଠାରେ ଉପସ୍ଥିତ ସମସ୍ତ ପ୍ରାତଃ ସ୍ମରଣୀୟ ଓ ଆଦରଣୀୟ ଗୁରୁଜନ, ସନ୍ଥ ଓ ଭକ୍ତ ମଣ୍ଡଳୀ,

ଏହା ମୋର ସୌଭାଗ୍ୟ ଯେ ଆଜି ଆମ ସମସ୍ତଙ୍କ ପ୍ରେରଣା-ପୁରୁଷ ପରମପୂଜ୍ୟ ଅବୈଦ୍ୟନାଥ ମହାରାଜଜୀଙ୍କ ପ୍ରତିମା ଅନାବରଣ ଅବସରରେ ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇବାକୁ ମୋତେ ସୁଯୋଗ ମିଳିଛି । ଏହି ମାଟି ଏକ ସ୍ୱତନ୍ତ୍ର ମାଟି । ବୁଦ୍ଧ ହୁଅନ୍ତୁ, ମହାବୀର ହୁଅନ୍ତୁ, କବୀର ହୁଅନ୍ତୁ ପ୍ରତ୍ୟେକଙ୍କର ଏହା ସହ କୌଣସି ନା କୌଣସି ରୂପରେ ଅତୁଟ ସମ୍ପର୍କ ରହିଛି । ଗୋରଖନାଥ ଏକ ମହାନ୍ ପରମ୍ପରା, ଯାହା କେବଳ ବ୍ୟକ୍ତିଙ୍କ ଉନ୍ନତି ନୁହେଁ, କିନ୍ତୁ ବ୍ୟକ୍ତିଙ୍କ ଉନ୍ନତି ସହ ସମାଜର ବି ଉନ୍ନତି, ଉକ୍ତ ମହାନ ଲକ୍ଷ୍ୟକୁ ନେଇ ଆଗେଇ ଚାଲିଥିବା ଏକ ପରମ୍ପରା । ଅନେକଥର ସମାଜରେ ପରମ୍ପରାଗୁଡ଼ିକ ଯେତେବେଳେ ଦୀର୍ଘକାଳର ହୋଇଯାଏ, ସେତେବେଳେ ଧୀରେ ଧୀରେ ସେଥିରେ କିଛି ଅଭାବ ଆସିବା ଆରମ୍ଭ ହୋଇଥାଏ, କିଛି ସମସ୍ୟା ଆସିବା ମଧ୍ୟ ଆରମ୍ଭ ହୁଏ । କିନ୍ତୁ ଯେତେବେଳେ ପରମ୍ପରାର ଆଦର୍ଶକୁ, ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଥାଏ, ସେତେବେଳେ ଉକ୍ତ ପରମ୍ପରାଗୁଡ଼ିକୁ ପରିସ୍ଥିତିର ଚାପରୁ ମୁକ୍ତ ରଖାଯାଇପାରିବ । ମୁଁ ଗୋରଖନାଥଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପରମ୍ପରାରେ…କାରଣ ଯେତେବେଳେ ଗୁଜୁରାଟରେ ଥିଲି ସେଠାରେ ବି ଅନେକ ସ୍ଥାନ ଅଛି, ଯେଉଁଠି ଥରୁଟିଏ ଅବୈଦ୍ୟନାଥଜୀଙ୍କ ସହ ବସିଥିଲି । ରାଜନୀତିରେ ଆସିବା ପୂର୍ବରୁ ମୋ’ର ତାଙ୍କ ସହ ସମ୍ପର୍କ ଥିଲା । ଏହି ସମଗ୍ର ବ୍ୟବସ୍ଥା କିଭଳି ପରିଚାଳିତ ହେଉଛି, ନୀତି ନିୟମର ପାଳନ କିଭଳି ହୋଇଥାଏ, ଏହି ପରମ୍ପରାରୁ ବାହାରୁଥିବା ସନ୍ଥ କେଉଁଠି ବି ରହନ୍ତୁ, ତା’ର ସମ୍ପୂର୍ଣ୍ଣ ସୂଚନା କିଭଳି ରଖାଯାଇପାରିବ, ତାଙ୍କୁ କୌଣସି ଆର୍ଥିକ ସଙ୍କଟ ହେଉନି ତ, କିଭଳି ତାଙ୍କୁ ସହାୟତା ପହଞ୍ଚାଯାଇଥାଏ ଓ କିଭଳି ସୁବ୍ୟବସ୍ଥିତ ଶୈଳୀରେ ବ୍ୟବସ୍ଥା ହୁଏ, ଯାହା କେବେ ମୁଁ ମହନ୍ତଜୀଙ୍କ ପାଖରୁ ଶୁଣିଥିଲି ଆଉ ଉକ୍ତ ପରମ୍ପରାକୁ ଆଜି ବି ବଜାୟ ରଖାଯାଇଛି । ଏଥିପାଇଁ ଏହି ଆସନରେ ଯେଉଁ ଯେଉଁ ଲୋକଙ୍କୁ ସେବା କରିବାର ସୌଭାଗ୍ୟ ମିଳିଛି, ସେମାନେ ସମସ୍ତଙ୍କର ଉତ୍ତମରୁ ଉତ୍ତମ ଯୋଗଦାନ ରହିଛି । ଆଉ ଏଥିରେ ମହନ୍ତ ଅବୈଦ୍ୟନାଥଜୀ, ସ୍ୱାଧୀନତା ସଂଗ୍ରାମରେ ହେଉ ଅବା ସ୍ୱାଧୀନତା ପରେ ସମାଜର ପୁନଃନିର୍ମାଣର କାମ ହେଉ, ଗଣତାନ୍ତ୍ରିକ ଢାଞ୍ଚାରେ ବସି କରି, ତୀର୍ଥସ୍ଥାନ ମାଧ୍ୟମରେ ବି ସାମାଜିକ ଚେତନାକୁ କିଭଳି ଉଦ୍ରେକ କରାଯାଇପାରିବ ଓ ପରିବର୍ତ୍ତୀତ ପରିସ୍ଥିତିର ଲାଭ, ଜନସାଧାରଣଙ୍କ ନିକଟରେ କେମିତି ପହଞ୍ଚା ଯାଇପାରିବ, ଉକ୍ତ ଦିଗକୁ ଦୃଷ୍ଟିରେ ରଖି ସେ ନିଜ ଜୀବନରେ ଏହି ଏକ ଅଧ୍ୟାୟକୁ ବି ଯୋଡ଼ିଥିଲେ, ଯାହାକୁ ଆଜି ଯୋଗୀ ଜୀ ଆଗକୁ ନେଉଛନ୍ତି ।

ବେଳେବେଳେ ବାହାରେ ଅନେକ ଭ୍ରମ ରହିଥାଏ । କିନ୍ତୁ ମୁଁ ଦେଖିଛି କି ଆମ ଦେଶରେ ଯେତେବି ସନ୍ଥ ପରମ୍ପରା ରହିଛି, ଯେତେବି ଭିନ୍ନ ଭିନ୍ନ ପ୍ରକାରର ମଠ ବ୍ୟବସ୍ଥା ଅଛି, ଆଖଡ଼ା ଅଛି, ଯେତେବି ପରମ୍ପରା ଅଛି, ସବୁଥରେ ଗୋଟିଏ କଥା ସମାନ । କେବେ କୌଣସି ଗରିବ ବ୍ୟକ୍ତି, କୌଣସି ଭୋକିଲା ବ୍ୟକ୍ତି, ସେମାନଙ୍କ ଦ୍ୱାରକୁ କେବେ ଖାଲି ହାତରେ ଫେରିନଥାଏ । ନିଜ ପାଖରେ କିଛି ବି ଥାଉ ଅବା ନଥାଉ, ସନ୍ଥ କୌଣସି ଝୁମ୍ପୁଡ଼ିରେ ବସିଥିବେ, କିନ୍ତୁ ପ୍ରଥମ ପ୍ରଶ୍ନ ପଚାରିବ କ’ଣ ପ୍ରସାଦ ପାଇ କରି ଯିବ? ଏହା ଏକ ମହାନ ପରମ୍ପରା ସମାଜ ପ୍ରତି ସମ୍ବେଦନାରେ ପ୍ରକଟ ହୋଇଥାଏ ଆଉ ଏହା ହେଉଛି ସେହି ପରମ୍ପରା ଯାହା ସମାଜ ପ୍ରତି ଭକ୍ତି ଶିଖାଇଥାଏ, ଯାହା ସମାଜର କଲ୍ୟାଣ କରିବା ପାଇଁ ବ୍ୟବସ୍ଥାକୁ ଆହ୍ୱାନ ଦେଇଥାଏ । ଏହି ବ୍ୟବସ୍ଥା ଚିରଞ୍ଜିବୀ ରହିଥାଏ ।

ଆମ ଦେଶରେ, ପ୍ରତ୍ୟେକ ବ୍ୟବସ୍ଥାରେ ସମୟ ଅନୁକୂଳ ପରିବର୍ତ୍ତନ ହୋଇଛି । ପ୍ରତ୍ୟେକ ପରିବର୍ତ୍ତନକୁ ସ୍ୱୀକାର କରାଯାଇଛି । ଯେଉଁଠି ବିଜ୍ଞାନର ଆବଶ୍ୟକତା ପଡ଼ିଛି ବିଜ୍ଞାନକୁ ସ୍ୱୀକାର କରାଯାଇଛି । ଯେଉଁଠି ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକତା ପଡ଼ିଛି ତାକୁ ମଧ୍ୟ ବଦଳା ଯାଇଛି ଓ ଏବେ ତ ମୁଁ ଦେଖୁଛି, ଅନେକ ସନ୍ଥ ଯେଉଁମାନେ କେବେ ଆଧ୍ୟାତ୍ମକ- ଧାର୍ମିକ କାମରେ ଲିପ୍ତ ରହୁଥିଲେ, ଆଜିକାଲି ସ୍ୱଚ୍ଛତାର ଅଭିଯାନ ସହ ନିଜକୁ ସାମିଲ କରିଛନ୍ତି । ସ୍ୱଚ୍ଛତା କାର୍ଯ୍ୟ କେମିତି ଭଲ ସେଥିପାଇଁ ସମୟ ଦେଉଛନ୍ତି । ମୁଁ ଏଭଳି ସନ୍ଥମାନଙ୍କ ବିଷୟରେ ଜାଣିଛି, ଯେଉଁମାନେ ଶୌଚାଳୟ ନିର୍ମାଣର ଅଭିଯାନ ଚଳାଇଛନ୍ତି । ନିଜର ଭକ୍ତମାନଙ୍କୁ କହୁଛନ୍ତି କି ଶୌଚାଳୟ ନିର୍ମାଣ କରନ୍ତୁ । ମା’-ଭଉଣୀଙ୍କ ସମ୍ମାନ ରକ୍ଷା ହେବ, ସଗର୍ବେ ବଞ୍ଚିବେ ଏଭଳି କାମ କରନ୍ତୁ । ଅନେକ ଏଭଳି ସନ୍ଥଙ୍କୁ ବି ଦେଖିଛି ଯେଉଁମାନେ ମୋତିଆବିନ୍ଦୁ (ନେତ୍ରମଣି)ର ଅପରେସନ୍ ପାଇଁ ଶିବିର ଲଗାଉଛନ୍ତି ଆଉ ଗରିବରୁ ଅତି ଗରିବ ବ୍ୟକ୍ତିଙ୍କୁ ନେତ୍ରମଣି ଅପରେସନ୍ ପାଇଁ, ଯାହାବି ସହାୟତା କରିପାରିବେ, କରୁଛନ୍ତି । ଅନେକ ସନ୍ଥଙ୍କୁ ଦେଖିଛି ଯେଉଁମାନେ ପଶୁଜନ୍ତୁଙ୍କୁ ସୁସ୍ଥ ରଖିବା ପାଇଁ ନିଜକୁ ସମର୍ପିତ କରିଛନ୍ତି । ପଶୁ କିଭଳି ସୁସ୍ଥ ରହିବ ସେଥିପାଇଁ ନିଜ ଜୀବନକୁ ସମର୍ପିତ କରିଦେଉଛନ୍ତି । ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ସେବା ହେଉ, ପ୍ରତ୍ୟେକ କ୍ଷେତ୍ରରେ କେଉଁଠି ନା କେଉଁଠି, କୌଣସି ଭାବେ ଆମର ଏହି ସନ୍ଥ ପରମ୍ପରା ଆଜି ଜଡ଼ିତ ରହିଛି । ଆଉ ଏବେ ସମୟ ଚାହୁଁଛି କି ଦେଶର ଲକ୍ଷ ଲକ୍ଷ ସନ୍ଥ, ହଜାର ହଜାର ପରମ୍ପରା, ଶହ ଶହ ମଠ ବ୍ୟବସ୍ଥା ଭାରତକୁ ଆଧୁନିକ କରିବାରେ, ଭାରତକୁ ସ୍ଵୟଂସମ୍ପନ୍ନ କରିବାରେ, ଭାରତର ଲୋକଙ୍କ ମଧ୍ୟରେ ଉତ୍ତମ ସଂସ୍କାର ସହ ସମର୍ପଣ ଭାବ ଉଦ୍ରେକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ଆଉ ଅନେକ ଏହି ଭୂମିକା ତୁଲାଉଛନ୍ତି ମଧ୍ୟ । ଏହା ହିଁ ଦେଶର ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଶକ୍ତି ଭାବେ ଉଭା ହୋଇ ଆସିବ ।

ମହନ୍ତ ଅବୈଦ୍ୟନାଥଜୀ ପୁରା ସମୟ ସମାଜର ସୁଖଦୁଃଖର ଆଲୋଚନା କରୁଥିଲେ, ଚିନ୍ତା କରୁଥିଲେ, ତା’ର ମାର୍ଗ ଖୋଜିବାର ପ୍ରୟାସ କରୁଥିଲେ ଆଉ ଯିଏ ଭଲ କରୁଥିଲେ ତାଙ୍କୁ ପ୍ରୋତ୍ସାହନ ଦେବା, ତାଙ୍କୁ ପୁରସ୍କୃତ କରିବା ଓ ସେହି ଭଲ କାମକୁ ଜାରି ରଖିବା ତାଙ୍କ ଜୀବନତମାମ କାମ ଥିଲା । ଆଜି ମୋର ସୌଭାଗ୍ୟ ଯେ କି ତାଙ୍କର ପ୍ରତିମା ଅନାବରଣ ହୋଇଛି । ମୋତେ ବି ପୁଷ୍ପାଞ୍ଜଳିର ସୌଭାଗ୍ୟ ମିଳିଛି ଓ ଏହି ମାଟି ତପସ୍ୟାର ମାଟି, ଅଖଣ୍ଡ ଜ୍ୟୋତିର ମାଟି, ଅବିରତ ପ୍ରେରଣାର ମାଟି, ଅବିରତ ସତକାର୍ଯ୍ୟ ଲିପ୍ତ ବ୍ୟକ୍ତିଙ୍କୁ ପୁରସ୍କୃତ କରୁଥିବା ମାଟି । ଏହି ମାଟିକୁ ପ୍ରଣାମ କରି ଆପଣ ସମସ୍ତଙ୍କୁ ପ୍ରମାଣ କରି ମୁଁ ମୋ କଥାକୁ ବିରତି ଦେଉଛି ।

ବହୁତ ବହୁତ ଧନ୍ୟବାଦ ।