ଟ୍ରାନ୍ସଜେଣ୍ଡର ବ୍ୟକ୍ତି(ଅଧିକାର ସୁରକ୍ଷା) ବିଲ, 2016 କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ସ୍ୱୀକୃତି ମିଳିଛି । ଏହି ବିଲ ମାଧ୍ୟମରେ ସରକାର ତୃତୀୟ ଲିଙ୍ଗର ବ୍ୟକ୍ତିଙ୍କୁ ସାମାଜିକ, ଆର୍ଥିକ ଏବଂ ଶିକ୍ଷା ଦୃଷ୍ଟିରୁ ସଶକ୍ତ କରିବାକୁ ଯୋଜନା ରଖିଛନ୍ତି । ଏହି ବିଲ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲେ, ଏହି ବର୍ଗର ବ୍ୟକ୍ତିବିଶେଷ ଉପକୃତ ହେବା ସହ ସେମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବ, ବୈଷମ୍ୟ ଦୂରହେବ ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ମଧ୍ୟ ହ୍ରାସ ପାଇବ । ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ସମାଜ ମଧ୍ୟ ସେମାନଙ୍କ ଠାରୁ ଢ଼େର ଉପକୃତ ହୋଇପାରିବ ।
ଟ୍ରାନ୍ସଜେଣ୍ଡର ବା କିନ୍ନର ଯଦିଚ ସମାଜର ଏକ ପ୍ରମୁଖ ଅଂଶ, ତଥାପି ସେମାନେ ସବୁଠାରୁ ଅବହେଳିତ । ସେମାନଙ୍କୁ “ପୁରୁଷ” ଅଥବା “ମହିଳା” କୌଣସି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ତେଣୁ ସାମାଜିକ ମୁଖ୍ୟସ୍ରୋତରେ ସେମାନଙ୍କୁ ଗ୍ରହଣ କରାଯାଇନଥାଏ । ଏହି ବିଲ କାର୍ଯ୍ୟକାରୀ ହେଲେ ସେମାନଙ୍କୁ ସମାଜିକ ସୁରକ୍ଷା, ଶିକ୍ଷା ବ୍ୟବସ୍ଥା, ନିଯୁକ୍ତି ଏବଂ ଚିକିତ୍ସା ସୁବିଧା ମିଳିପାରିବ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହାଦ୍ୱାରା ଏହି ଅବହେଳିତ ବର୍ଗଙ୍କ ନିମନ୍ତେ ଅଧିକ ଉତ୍ତରଦାୟୀ ଓ ଦାୟିତ୍ୱବାନ ହେବେ ।