ଅଚଳ ହୋଇ ପଡିଥିବା ଗୋରଖପୁର, ସିଂଦ୍ରି ଏବଂ ବରାଉଣିସ୍ଥିତ ସାର କାରଖାନାର ପୁନରୁଦ୍ଧାର ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ବୁଧବାର (13.07.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ ଦିଆଯାଇଛି ।
ଅଚଳ ହୋଇ ପଡିଥିବା ତିନୋଟି ସାର କାରଖାନା ମଧ୍ୟରୁ ସିଂନ୍ଦ୍ରି (ଝାଡଖଣ୍ଡ) ଏବଂ ଗୋରଖପୁର (ଉତ୍ତର ପ୍ରଦେଶ) ଭାରତୀୟ ସାର ନିଗମ ଲିମିଟେଡ (ଏଫ.ସି.ଏଲ)ର ଥିବାବେଳେ ବରାଉଣି (ବିହାର) ସାର କାରଖାନା ହିନ୍ଦୁସ୍ଥାନ ସାର ନିଗମ ଲିମିଟେଡର ଏକ ୟୁନିଟ ।
ଏହି ତିନୋଟି ଅଚଳ ସାର କାରଖାନା ମୁଖ୍ୟତଃ ସ୍ୱତନ୍ତ୍ର ଯୌଥ କମ୍ପାନୀ ବା ଏସ.ପି.ଭି ମାଧ୍ୟମରେ ପୁନରୁଦ୍ଧାର ହେବ। ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନ.ଟି.ପି.ସି), କୋଇଲା ଇଣ୍ଡିଆ ଲିମିଟେଡ (ସି.ଆଇ.ଏଲ), ଭାରତୀୟ ତୈଳ ନିଗମ ଲିମିଟେଡ (ଆଇ.ଓ.ସି.ଏଲ) ଏବଂ ଏଫ.ସି.ଆଇ.ଏଲ ତଥା ଏଚ.ଏଫ.ସି.ଏଲ ପରି ସରକାରୀ ଉଦ୍ୟୋଗଗୁଡିକ ଦ୍ୱାରା ମନୋନୟନ ଭିତ୍ତିରେ ସେହି ଏସ.ପି.ଭି କରାଯିବ ।
ସିଂନ୍ଦ୍ରି, ଗୋରଖପୁର ଏବଂ ବରାଉଣିଠାରେ ନୂତନ ସାର କାରଖାନା ସ୍ଥାପନ ଦ୍ୱାରା ବିହାର, ପଶ୍ଚିମବଂଗ ଏବଂ ଝାଡଖଣ୍ଡ ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ୟୁରିଆ ଚାହିଦା ପୂରଣ ହୋଇପାରିବ । ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତ ଅଂଚଳରୁ ଦୀର୍ଘ ପଥରେ ପରିବହନ ହୋଇ ଆସୁଥିବା କାରଣରୁ ଉତର ରେଳପଥ ଏବଂ ସଡକ ପଥ ଉପରେ ଯେଉଁ ଚାପ ରହିଛି, ତାହା ଆପେ ଆପେ ହ୍ରାସ ପାଇବ। ଏହାଦ୍ୱାରା ମାଲ ପରିବହନ କ୍ଷେତ୍ରରେ ଯେଉଁ ସବସିଡି ରହିଛି ତାହା ମଧ୍ୟ ସଂଚିତ ହୋଇ ରହିପାରିବ । ଏହା ମଧ୍ୟ ସେହି ଅଂଚଳରେ ଆର୍ଥିକ ଅଭିବୃଦ୍ଧି ଘଟାଇ ପାରିବ । ଆଂଚଳିକ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ବ୍ୟତୀତ ଏହି ସାର କାରଖାନାଗୁଡିକ ପ୍ରତ୍ୟକ୍ଷ ଭାବେ 1200 ଏବଂ ପରୋକ୍ଷ ଭାବେ 4500 ଲୋକଙ୍କୁ ନିଯୁକ୍ତି ଦେଇପାରିବ।
ମେସର୍ସ ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ଗେଲ) ଇତି ମଧ୍ୟରେ ଜଗଦୀଶପୁରରୁ ହଳଦିଆ ମଧ୍ୟରେ ଗ୍ୟାସ ପାଇପଲାଇନ ବିଛାଇବା ପାଇଁ ଯୋଜନା କରିଛି । ଏହି ସାର କାରଖାନାଗୁଡିକ ସେହି ପାଇପ ଲାଇନର ମୁଖ୍ୟ ଗ୍ରାହକ ହେବେ ଏବଂ ସ୍ଥାୟୀତ୍ୱକୁ ବଢ଼ାଇବେ । ଜଗଦୀଶପୁର-ହଳଦିଆ ପାଇପ ଲାଇନ ପୂର୍ବ ଭାରତରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ସମ୍ପୃକ୍ତ ଅଂଚଳରେ ଆର୍ଥିକ ଅଭିବୃଦ୍ଧିକୁ ବହୁ ଗୁଣିତ କରିବ ।
ଏଥି ପୂର୍ବରୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେବିନେଟ କମିଟି ୟୁରିଆ ପାଇଁ ଗ୍ୟାସ ଗଛିତ କାର୍ଯ୍ୟକୁ ଅନୁମୋଦନ ଦେଇଛନ୍ତି । ଯାହାଫଳରେ ଏହି କାରଖାନାଗୁଡିକ ପୁନରୁଦ୍ଧାର ପରେ ନିର୍ଦ୍ଧାରିତ ଦରରେ ଗ୍ୟାସ ପାଇପାରିବେ ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗୀତାରେ ଭାଗିଦାର ହୋଇପାରିବେ ।