Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତାଞ୍ଜାନିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ତାଞ୍ଜାନିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି


ମହାମହିମ ବନ୍ଧୁଗଣ,

ଗଣମାଧ୍ୟମର ପ୍ରତିନିଧି,

ମହାମହିମ, ସ୍ୱାଗତ ଉଦ୍ଦେଶ୍ୟରେ ଆପଣ ପ୍ରଦାନ କରିଥିବା ଆଦରଭରା ବକ୍ତବ୍ୟ ପାଇଁ ଧନ୍ୟବାଦ ।

ମୋର ଏବଂ ମୋ ପ୍ରତିନିଧି ଦଳର ଉଦାରତାପୂର୍ଣ୍ଣ ଆତିଥ୍ୟ ପାଇଁ ମଧ୍ୟ ମୁଁ କୃତଜ୍ଞତା ପ୍ରକାଶ କରୁଛି ।

ଆଫ୍ରିକାକୁ ମୋର ଚତୁଃ-ରାଷ୍ଟ୍ରୀୟ ଗସ୍ତର ଆଜି ଚତୁର୍ଥ ଦିବସରେ, ମୁଁ ଦାର-ଏସ-ସଲାମ ଭଳି ଏହି ସୁନ୍ଦର ସହରରେ ଥିବା ବାସ୍ତବରେ ଏକ ଆନନ୍ଦର ବିଷୟ । ମହାମହିମ, ଆପଣ କିଛି କ୍ଷଣ ପୂର୍ବେ ଆମର ସହଭାଗୀତାର ଶକ୍ତି ଏବଂ ଭବିଷ୍ୟତର ସମ୍ଭାବନାକୁ ନେଇ ଯେଉଁ କଥା କହିଲେ ତାହା ସହିତ ମୁଁ ଏକମତ ।

ବନ୍ଧୁଗଣ,

ଆଫ୍ରିକାର ପୂର୍ବତଟ ଏବଂ ବିଶେଷ କରି ତାଞ୍ଜାନିଆର ଭାରତ ସହିତ ଦୃଢ ସମ୍ପର୍କ ରହିଆସିଛି । ଆମେ ପ୍ରାଚୀନ ସାମୁଦ୍ରିକ ପ୍ରତିବେଶୀ । ଆମ ନେତାଗଣ ଏବଂ ଜନସାଧାରଣ ମିଶି ଉପନିବେଶବାଦ ଏବଂ ଜାତିଗତ ଉତ୍ପୀଡନ ବିରୁଦ୍ଧରେ ସଂଗ୍ରାମ କରିଛନ୍ତି ।

ଆମ ବ୍ୟବସାୟୀମାନେ ଉନବିଂଶ ଶତାବ୍ଦିର ପ୍ରାରମ୍ଭରୁ ବ୍ୟବସାୟ କରି ଆସିଛନ୍ତି । ବିଶାଳ ଭାରତ ମହାସାଗର ଆମ ସମାଜ ଏବଂ ଆମ ଲୋକମାନଙ୍କୁ ଯୋଡି ରଖିଛି ।

ବନ୍ଧୁଗଣ,

ରବିବାର ଦିନ ମୋର ଗସ୍ତ କାର୍ଯ୍ୟକ୍ରମ ପାଇଁ ରାଜି ହୋଇଥିବାରୁ ମୁଁ ରାଷ୍ଟ୍ରପତି ମାଗୁଫୁଲିଙ୍କ ନିକଟରେ ଗଭୀର କୃତଜ୍ଞତା ପ୍ରକାଶ କରୁଛି । ଏହା ତାଙ୍କ ଆଦର୍ଶ ବାକ୍ୟ – ହାପା କାଜି ତୁ – ଅର୍ଥାତ୍, ଏଠାରେ କେବଳ କାମ – ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।

ରାଷ୍ଟ୍ର ଗଠନ, ବିକାଶ ଏବଂ ଔଦ୍ୟୋଗୀକରଣ ପାଇଁ ରାଷ୍ଟ୍ରପତି ମାଗୁଫୁଲିଙ୍କର ଏକ ଦୂରଦୃଷ୍ଟି ରହିଛି – ଯାହା ଭାରତ ପାଇଁ ମୋର ମଧ୍ୟ ଏକ ସ୍ୱପ୍ନ ।

ବନ୍ଧୁଗଣ,

ଭାରତ ଆଗରୁ ତାଞ୍ଜାନିଆର ଅର୍ଥବ୍ୟବସ୍ଥା ସହଭାଗୀ ହୋଇ ରହିଛି । ଆମର ସମସ୍ତ ପ୍ରକାର ଅର୍ଥବ୍ୟବସ୍ଥା ସହବନ୍ଧନ, ସୁସଂଗଠିତ, cଉଦ୍ଧ୍ୱର୍ମୁଖୀ ଏବଂ ଗତିଶୀଳ । ଉଭୟ ପକ୍ଷରୁ ଆମର ବାର୍ଷିକ ବ୍ୟବସାୟ 300 କୋଟି ଆମେରିକୀୟ ଡଲାର ।

ତାଞ୍ଜାନିଆରେ ଭାରତୀୟ ନିବେଶ 300 କୋଟି ଆମେରିକୀୟ ଡଲାର । ଏବଂ ତାଞ୍ଜାନିଆରେ ଭାରତୀୟ ବ୍ୟବସାୟ ବୃଦ୍ଧି ପାଇଚାଲିଛି ।

ତାଞ୍ଜାନିଆର ବିକାଶ କ୍ଷେତ୍ରରେ ଅଗ୍ରାଧିକାରପ୍ରାପ୍ତ ବିଷୟରେ ବିଶ୍ୱସ୍ତ ସହଭାଗୀ ହେବା ଆମ ସୌଭାଗ୍ୟ ବୋଲି ଆମେ ମନେକରୁ ।

ଆଜି ରାଷ୍ଟ୍ରପତି ମାଗୁଫୁଲି ଏବଂ ମୁଁ ଆମ ସହଭାଗୀତାର ସମ୍ପୂର୍ଣ୍ଣ ପରିସର ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛୁ ।

ସହାଭାଗୀତାର ଗୋଟିଏ କର୍ମାଭିମୁଖୀ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉପରେ ଆମର ଧ୍ୟାନ କେନ୍ଦ୍ରିତ ଥିଲା, ଯାହା ଫଳରେ ସମ୍ଭାବନାର କଥା କମ୍ ଏବଂ ବାସ୍ତବ କାର୍ଯ୍ୟ ଅଧିକ ହେବ ।

ଆମ ସମାଜର ଆର୍ଥିକ ପ୍ରଗତି ପାଇଁ ରହିଥିବା ଉଭୟଙ୍କ ଇଚ୍ଛା ଆମ ସହଯୋଗ ବୃଦ୍ଧି ଦିଗରେ ନୂଆ ସୁଯୋଗ ସୃଷ୍ଟି କରୁଛି – ଏ କଥାରେ ଆମେ ଏକମତ ।

ଏଥିପାଇଁ ନିମ୍ନଲିଖିତ ଆବଶ୍ୟକତାମାନ ରହିଛି ବୋଲି ଆମେ ଅନୁଭବ କରୁଛୁ –

• ପ୍ରଥମ, ତାଞ୍ଜାନିଆରୁ ଭାରତକୁ ଡାଲିଜାତୀୟ ଶସ୍ୟ ରପ୍ତାନୀ ବୃଦ୍ଧି କରି, କୃଷି ଏବଂ ଖାଦ୍ୟ ସୁରକ୍ଷା ଦିଗରେ ଆମର ସହଭାଗୀତା ବୃଦ୍ଧି କରିବା ।

• ଦ୍ୱିତୀୟ, ବିକାଶ ଏବଂ ପ୍ରାକୃତିକ ଗ୍ୟାସ ବ୍ୟବହାର କ୍ଷେତ୍ରରେ ଏକାଠି ମିଶି କାମ କରିବା ।

• ତୃତୀୟ, ତାଞ୍ଜାନିଆରେ ଶିଳ୍ପାଭିମୁଖୀ ଅର୍ଥବ୍ୟବସ୍ଥା, ଦକ୍ଷତା ଏବଂ ସଂସ୍ଥା ନିର୍ମାଣରେ ସହଭାଗୀତା

• ଚତୁର୍ଥ, ଶିଳ୍ପ-ଶିଳ୍ପ ମଧ୍ୟରେ ସହବନ୍ଧନକୁ ଉତ୍ସାହିତ କରି ବାଣିଜ୍ୟ ଏବଂ ବିନିଯୋଗ ସହଭାଗୀତା ବୃଦ୍ଧି କରିବା ।

ବନ୍ଧୁଗଣ,

ଗୋଟିଏ ବିକାଶଶୀଳ ଦେଶ ଭାବରେ ଭାରତ ତାହାର ଜନସାଧାରଣଙ୍କ ଜୀବନ ସ୍ତରରେ ଉନ୍ନତି ଆଣିବାର ଆବଶ୍ୟକତା ଏବଂ ଏହାର ପ୍ରୟୋଜନର ତାତ୍କାଳିକତାକୁ ହୃଦୟଙ୍ଗମ କରୁଛି ଏବଂ ବନ୍ଧୁ ଭାବରେ, ଆପଣ ଆପଣଙ୍କ ଜନସାଧାରଣଙ୍କ ପାଇଁ କଣ ଚାହୁଁଛନ୍ତି, ତାହା ମଧ୍ୟ ଆମ ପ୍ରଚେଷ୍ଟାର କେନ୍ଦ୍ରବିନ୍ଦୁ ହେବା ଆବଶ୍ୟକ ।

ଏହି ଦିଗରେ, ଦାର-ଏସ-ସଲାମରେ 10 କୋଟି ଡଲାରର ଜଳ ଯୋଗାଣ ବୃଦ୍ଧି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଏକ ସୁନ୍ଦର ଉପଲବ୍ଧି ।

କିଛି ସମୟ ପୂର୍ବରୁ ଆମେ ଜାଞ୍ଜିବର ପାଇଁ 92 ମିଲିୟନ୍ ଡଲାରର ଋଣ ସହାୟତା ଥିବା ଜଳ ଯୋଗଣ ପ୍ରକଳ୍ପ ଲାଗି ଗୋଟିଏ ରାଜିନାମାରେ ସ୍ୱାକ୍ଷର କରିଛୁ । ଆହୁରି ମଧ୍ୟ ଆମେ 17 ଟି ଅନ୍ୟ ସହରରେ ଜଳ ଯୋଗଣ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଛୁ । ଏବଂ ଭାରତ ଏଥିପାଇଁ ତାଞ୍ଜାନିଆର ଜନସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଅତିରିକ୍ତ 500 ମିଲିଅନ ଡଲାରର ରିହାତିଯୁକ୍ତ ଋଣ ସହାୟତା ଦେବା ବିଷୟରେ ଚିନ୍ତା କରୁଛି । ଏହା ଆମ ସହବନ୍ଧନର ଅନ୍ୟ ଏକ ଜରୁରୀ କ୍ଷେତ୍ର ।

ଔଷଧ ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଣ ସମେତ ତାଞ୍ଜାନିଆ ସରକାରଙ୍କ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ । ମୋତେ ସୂଚନା ଦିଆଯାଇଛି ଯେ, କର୍କଟ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ବୁଗାଣ୍ଡୋ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଭାରତୀୟ ରେଡିଓଥେରାପି ଯନ୍ତ୍ର ସ୍ଥାପନ କରାଯାଇଛି ।

ଶିକ୍ଷା, ବୈଷୟିକ ତାଲିମ ଏବଂ ଦକ୍ଷତା ବିକାଶ ଆପଣଙ୍କ ଅଗ୍ରାଧିକାରର ଅନ୍ୟତମ କ୍ଷେତ୍ର, ଯାହା ପାଇଁ ଭାରତ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଇଚ୍ଛୁକ ।

ମୁଁ ଏ କଥା ମଧ୍ୟ ଜାଣିଛି ଯେ, ନେଲସନ ମାଣ୍ଡେଲା ଆଫ୍ରିକାନ ଇନଷ୍ଟିଟ୍ୟୁଟ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲଜି, ଆରୁଷାରେ ଆଇ.ଟି. ସାଧନ କେନ୍ଦ୍ର ସ୍ଥାପନର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ।

ତାଞ୍ଜାନିଆ ପାଇଁ ଭାରତର ସହଯୋଗ ଆପଣଙ୍କ ଆବଶ୍ୟକତା ଏବଂ ଅଗ୍ରାଧିକାର ଭିତ୍ତିରେ ରହିବ ।

ବନ୍ଧୁଗଣ,

ଭାରତୀୟ ମହାସାଗରର ଦୁଇ ପାର୍ଶ୍ଵର ପ୍ରତିବେଶୀ ହିସାବରେ ରାଷ୍ଟ୍ରପତି ଏବଂ ମୁଁ ବିଶେଷ କରି ସାମୁଦ୍ରିକ କ୍ଷେତ୍ରରେ ଆମର ସାମଗ୍ରିକ ପ୍ରତିରକ୍ଷା ଏବଂ ସୁରକ୍ଷା ସହଭାଗୀତା ବୃଦ୍ଧି କରିବାକୁ ରାଜି ହୋଇଛୁ ।

ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆମର ଗଭୀର ଆଲୋଚନା, ଆମର ସାଧାରଣ ରୁଚି ଏବଂ ଚିନ୍ତା ସମ୍ପର୍କରେ ଏକାଭିମୁଖୀତାକୁ ପ୍ରତିଫଳିତ କରେ ।

ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆମେ ଘନିଷ୍ଠ ଭାବେ, ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ସ୍ତରରେ ଏକାଠି କାମ କରିବା ପାଇଁ ସହମତ ହୋଇଛୁ ।

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତ ପ୍ୟାରିସର COP-21 ରେ ଆନ୍ତର୍ଜାତିକ ସୌର ସଂଗଠନ ପାଇଁ ପ୍ରୟାସରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ସଂଗଠନ ପାଇଁ ଆମକୁ 120 ଟି ଦେଶର ସମର୍ଥନ ମିଳିଛି । ଆମେ ତାଞ୍ଜାନିଆକୁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ଭାବରେ ସ୍ୱାଗତ କରୁଛୁ ।

ବନ୍ଧୁଗଣ,

ତାଞ୍ଜାନିଆର ସମସ୍ତ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ଭାରତକୁ ମିଳିଛି । ନିକଟ ଭବିଷ୍ୟତରେ ଏକ ସୁଅବସରରେ ମୁଁ ରାଷ୍ଟ୍ରପତି ମାଗୁଫୁଲିଙ୍କୁ ଭାରତକୁ ସ୍ୱାଗତ କରିବା ପାଇଁ ପ୍ରତୀକ୍ଷାରତ । ଶେଷରେ, ମହାମହିମ ରାଷ୍ଟ୍ରପତି, ମୁଁ ଆପଣଙ୍କୁ ଆପଣଙ୍କ ବନ୍ଧୁତା ଏବଂ ମୋର ସାଦର ସ୍ୱାଗତ ପାଇଁ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।