ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ନମସ୍କାର ।
ଗତବର୍ଷ ଆମକୁ ଗ୍ରୀଷ୍ମର ଭୟଙ୍କର କଷ୍ଟ, ପାଣିର ଅଭାବ, ମରୁଡ଼ି ପରିସ୍ଥିତି ଏମିତି କେତେ କ’ଣ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଲା । କିନ୍ତୁ ଗତ ଦୁଇ ସପ୍ତାହରେ ବିଭିନ୍ନ ସ୍ଥାନରୁ ବର୍ଷା ହୋଇଥିବାର ଖବରମାନ ଆସୁଛି । ବର୍ଷାର ଖବର ସହ ଗୋଟିଏ ସତେଜତାର ଅନୁଭୂତି ମଧ୍ୟ ହେଉଛି । ଆପଣ ମଧ୍ୟ ଅନୁଭବ କରୁଥିବେ । ଆଉ ବୈଜ୍ଞାନିକମାନେ ଯାହା ସୂଚନା ଦେଉଛନ୍ତି, ଏଥର ଭଲ ବର୍ଷା ହେବ, ଚାରିଆଡ଼େ ହେବ ଏବଂ ବର୍ଷାଋତୁର ସମ୍ପୂର୍ଣ୍ଣ ସମୟ ଧରି ହେବ । ଏହା ସ୍ୱୟଂ ଏକ ନୂଆ ଉତ୍ସାହ ଭରିଦେବା ଭଳି ଖବର । ମୁଁ ସମସ୍ତ ଚାଷୀଭାଇମାନଙ୍କୁ ଭଲ ବର୍ଷାଋତୁ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଆମ ଦେଶରେ ଯେମିତି ଚାଷୀ ପରିଶ୍ରମ କରୁଛନ୍ତି, ସେମିତି ଆମ ବୈଜ୍ଞାନିକମାନେ ମଧ୍ୟ ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାରେ ଅନେକ ସଫଳତା ଲାଭ କରୁଛନ୍ତି । ଆରମ୍ଭରୁ ମୋର ମତ ଯେ, ଆମର ନୂଆ ପିଢ଼ି, ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁ, ବିଜ୍ଞାନରେ ଆଗ୍ରହ ପ୍ରକାଶ କରୁ, ଆଗାମୀ ପିଢ଼ି ପାଇଁ କିଛି କରିଯିବାର ଇଚ୍ଛା ସହ ଆମର ଯୁବ ପିଢ଼ି ଆଗେଇ ଆସୁ । ମୁଁ ଆଜି ଆଉ ଗୋଟିଏ ଖୁସିର କଥା ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଗତକାଲି ମୁଁ ପୁନେ ଯାଇଥିଲି । ସ୍ମାର୍ଟ ସିଟି ପରିଯୋଜନାର ବାର୍ଷିକୀ ଉପଲକ୍ଷେ ସେଠାରେ କାର୍ଯ୍ୟକ୍ରମ ଥିଲା । ସେଠାରେ ମୁଁ ପୁନେର College of Engineering ର ଯେଉଁ ଛାତ୍ରମାନେ ନିଜ ପରିଶ୍ରମ ବଳରେ, ନିଜେ ଉପଗ୍ରହ ତିଆରି କଲେ ଏବଂ ଯାହାକୁ ଜୁନ 22 ତାରିଖରେ ପ୍ରେରଣ କରାଗଲା, ସେମାନଙ୍କୁ ସାକ୍ଷାତ ପାଇଁ ଡାକିଥିଲି । କାରଣ ମୋର ଇଚ୍ଛା ହେଉଥିଲା ଅନ୍ତତଃ ମୋର ଏହି ଯୁବ ବନ୍ଧୁମାନଙ୍କୁ ଦେଖିବା ପାଇଁ । ସେମାନଙ୍କୁ ଭେଟିବା ପାଇଁ । ସେମାନଙ୍କ ଭିତରର ଶକ୍ତିକୁ, ଉତ୍ସାହକୁ ଅନୁଭବ କରିବା ପାଇଁ । ଗତ ଅନେକ ବର୍ଷ ଧରି ଅନେକ ଛାତ୍ର ଏହି କାର୍ଯ୍ୟରେ ନିଜ ଯୋଗଦାନ ଦେଇଛନ୍ତି । ଏହି ଶିକ୍ଷଣ ଉପଗ୍ରହର ଏକ ପ୍ରକାର ଯୁବ ଭାରତର ଆତ୍ମବିଶ୍ୱାସ ରୁପି ଉଡ଼ାଣର ଜୀବନ୍ତ ଉଦାହରଣ ଏବଂ ଏହାକୁ ଆମ ଛାତ୍ରମାନେ ତିଆରି କରିଛନ୍ତି । ଏହି ଛୋଟ ଉପଗ୍ରହର ପଛରେ ରହିଛି ବହୁତ ବଡ଼ ବଡ଼ ସ୍ୱପ୍ନ । ତାହାର ଉଡ଼ାଣ ବହୁତ ଉପରେ, ତା’ ପଛରେ ରହିଛି ଗଭୀର ପରିଶ୍ରମ । ପୁନେର ଛାତ୍ରମାନଙ୍କ ଭଳି ତାମିଲନାଡୁ, ଚେନ୍ନାଇର ସତ୍ୟଭାମା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ମଧ୍ୟ ଗୋଟିଏ ଉପଗ୍ରହ ନିର୍ମାଣ କରାଯାଇଛି ଏବଂ ସେହି ସତ୍ୟଭାମା ଉପଗ୍ରହକୁ ମଧ୍ୟ ପ୍ରେରିତ କରାଯାଇଛି । ଆମେ ତ ପିଲାଦିନୁ ଏହି କଥାଗୁଡ଼ିକ ଶୁଣିଆସିଛୁ, ଆଉ ପ୍ରତ୍ୟେକ ବାଳକର ମନରେ ଆକାଶକୁ ଛୁଇଁବାର, କିଛି ତାରାକୁ ହାତ ମୁଠାରେ ବାନ୍ଧି ରଖିବାର ଇଚ୍ଛା ସବୁବେଳେ ରହିଥାଏ । ସେଥିପାଇଁ ଇସ୍ରୋ ଦ୍ୱାରା ପଠାଯାଇଥିବା ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଏହି ଉଭୟ ଉପଗ୍ରହ ମୋ ଦୃଷ୍ଟିରେ ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ବୃହତ । ଏହି ସମସ୍ତ ଛାତ୍ର ଅଭିନନ୍ଦନର ପାତ୍ର । ମୁଁ ଦେଶବାସୀଙ୍କୁ ମଧ୍ୟ ଅନେକ ଅଭିନନ୍ଦନ ଜଣାଉଛି, କାରଣ, 22 ଜୁନରେ ଆମ ଇସ୍ରୋ ବୈଜ୍ଞାନିକମାନେ ଏକ ସଙ୍ଗେ 20 ଟି ଉପଗ୍ରହ ମହାକାଶକୁ ପଠାଇ ନିଜର ହିଁ ପୂର୍ବ ରେକର୍ଡକୁ ଭାଙ୍ଗି ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ମଧ୍ୟ ଆନନ୍ଦର କଥା ଯେ, ଯେଉଁ 20 ଟି ଉପଗ୍ରହ ପ୍ରକ୍ଷେପଣ କରାଯାଇଛି, ସେଥିମଧ୍ୟରୁ 17ଟି ଉପଗ୍ରହ ଅନ୍ୟ ଦେଶମାନଙ୍କର । ଆମେରିକା ସମେତ ଅନେକ ଦେଶର ଉପଗ୍ରହ ମହାକାଶକୁ ପ୍ରେରଣ କରିବାର କାର୍ଯ୍ୟ ଭାରତର ଭୂମିରୁ ଭାରତର ବୈଜ୍ଞାନିକମାନଙ୍କ ଦ୍ୱାରା ହେଲା ଏବଂ ଏହାସହିତ ମହାକାଶକୁ ପହଞ୍ଚିଲା ସେହି ଦୁଇଟି ଉପଗ୍ରହ ଯାହା ଆମ ଛାତ୍ରମାନେ ତିଆରି କରିଥିଲେ । ଏହା ମଧ୍ୟ ଏକ ବୈଶିଷ୍ଟ୍ୟ ଯେ ଇସ୍ରୋ କମ ଖର୍ଚ୍ଚରେ ଏବଂ ସଫଳତାର ଗ୍ୟାରେଣ୍ଟି ଯୋଗୁଁ ବିଶ୍ୱରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏବଂ ଏହି କାରଣରୁ ବିଶ୍ୱର ଅନେକ ଦେଶ ଆଜି ଉତକ୍ଷେପଣ ପାଇଁ ଭାରତ ଆଡ଼କୁ ଚାହୁଁଛନ୍ତି ।
ମୋର ପ୍ରିୟ ଦେଶବାସୀ, “ବେଟି ବଚାଓ, ବେଟି ପଢ଼ାଓ” ଏହି କଥା ଏବେ ଭାରତର ଜନଗଣଙ୍କ ମନର କଥା ପାଲଟିଯାଇଛି । କିନ୍ତୁ କିଛି ଘଟଣା ସେଥିରେ ଗୋଟିଏ ନୂଆ ଜୀବନ ଭରି ଦେଉଛି, ନୂତନ ପ୍ରାଣ ସଞ୍ଚାର କରୁଛି । ଏଥର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଯେଉଁ ପରୀକ୍ଷା ଫଳ ବାହାରିଛି, ଆମ ଝିଅମାନେ ଆଗୁଆ ଅଛନ୍ତି । ଏ କଥାକୁ ନେଇ ଗର୍ବର ଅନୁଭୂତି ହେଉଛି ଏବଂ ମୋର ଦେଶବାସୀ ଆମେ ସମସ୍ତେ ଗର୍ବିତ ହେବାଭଳି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା – ଜୁନ 18 ତାରିଖରେ ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ଲଢୁଆ ବିମାନ ଚଳାଇବାର ସାମର୍ଥ୍ୟ ରଖିଥିବା ମହିଳା ପାଇଲଟ ସାମିଲ ହୋଇଛନ୍ତି । ଏହା ଶୁଣିବା ମାତ୍ରେ ଲୋମ ଟାଙ୍କୁରି ଉଠୁଛି ନା ? କେତେ ଗର୍ବ ଅନୁଭବ ହେଉଛି ଯେ, ଆମର ତିନି ଝିଅ – ଫ୍ଲାଇଂ ଅଫିସର ଅବନୀ ଚତୁର୍ବେଦୀ, ଭାବନା କଣ୍ଠ ଏବଂ ମୋହନା – ଯେଉଁମାନେ ଆମକୁ ଗର୍ବିତ କରିଛନ୍ତି । ଏହି ତିନି ଝିଅଙ୍କର ବିଶେଷତ୍ୱ ରହିଛି । ଫ୍ଲାଇଂ ଅଫିସର ଅବନୀ ମଧ୍ୟପ୍ରଦେଶର ରେୱା ନିବାସୀ, ଫ୍ଲାଇଂ ଅଫିସର ଭାବନା ବିହାରର ବେଗୁସରାଇର ଏବଂ ଫ୍ଲାଇଂ ଅଫିସର ମୋହନା ଗୁଜରାଟର ବରୋଦାର ବାସିନ୍ଦା । ଆପଣ ଲକ୍ଷ୍ୟ କରିଥିବେ ଯେ ଏହି ତିନିଜଣଙ୍କ ମଧ୍ୟରୁ କେହି ବି ଭାରତର ମେଟ୍ରୋ ସହରର ନୁହନ୍ତି । ସେ ନିଜ ରାଜ୍ୟର ରାଜଧାନୀର ବାସିନ୍ଦା ମଧ୍ୟ ନୁହନ୍ତି । ଛୋଟ ସହରରେ ବାସ କରୁଥିବା ସତ୍ତ୍ୱେ ସେମାନେ ଆକାଶ ଭଳି ଉଚ୍ଚ ସ୍ୱପ୍ନ ଦେଖିଲେ ଏବଂ ଏହାକୁ ସାକାର କରି ଦେଖାଇଲେ । ମୁଁ ଅବନୀ, ମୋହନା ଏବଂ ଭାବନା ଏହି ତିନି ଝିଅଙ୍କୁ ଏବଂ ସେମାନଙ୍କ ପିତା-ମାତାଙ୍କୁ ମଧ୍ୟ ଅନ୍ତରରୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀ, କିଛିଦିନ ତଳେ ଜୁନ 21 ତାରିଖ ଦିନ “ଆନ୍ତର୍ଜାତିକ ଯୋଗ ଦିବସ” ଉପଲକ୍ଷେ ସମଗ୍ର ବିଶ୍ୱରେ ଅନେକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଗଲା । ଭାରତୀୟ ହୋଇଥିବା ଯୋଗୁଁ, ଯେତେବେଳେ ସମଗ୍ର ବିଶ୍ୱ ଯୋଗ ସହ ଜଡ଼ିତ ହେଉଛି ସେତେବେଳେ ଆମେ ଅନୁଭବ କରୁଛୁ ସତେ ଯେମିତି ସାରା ବିଶ୍ୱ ସହିତ ଆମର ଗୋଟିଏ ବିଶେଷ ସମ୍ପର୍କ ସୃଷ୍ଟି ହେଉଛି । ଭାରତରେ ମଧ୍ୟ ଏକ ଲକ୍ଷରୁ ଅଧିକ ସ୍ଥାନରେ ବହୁତ ଉତ୍ସାହ ସହିତ, ଭିନ୍ନ ଭିନ୍ନ ରଙ୍ଗ-ରୂପରେ, ବର୍ଣ୍ଣାଢ୍ୟ ପରିବେଶରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଗଲା । ମୋତେ ମଧ୍ୟ ଚଣ୍ଡିଗଡ଼ରେ ହଜାର ହଜାର ଯୋଗ ପ୍ରେମୀଙ୍କ ସହିତ ଯୋଗାଭ୍ୟାସ କରିବାର ସୁଯୋଗ ମିଳିଲା । ଆବାଳ-ବୃଦ୍ଧ ସମସ୍ତଙ୍କ ଉତ୍ସାହ ଦେଖିବା ଭଳି ଥିଲା । ଆପଣମାନେ ଲକ୍ଷ୍ୟ କରିଥିବେ ଗତ ସପ୍ତାହରେ ଭାରତ ସରକାର ଏହି ଆନ୍ତର୍ଜାତିକ ଯୋଗ ପର୍ବ ଉପଲକ୍ଷେ ହିଁ “ସୂର୍ଯ୍ୟ ନମସ୍କାର” ଥିବା ଡାକ-ଟିକଟ ମଧ୍ୟ ଜାରି କରିଛନ୍ତି । ଏଥର ବିଶ୍ୱରେ ଯୋଗ ଦିବସ ସହିତ ଦୁଇଟି କଥା ଉପରେ ବିଶେଷ ଭାବେ ଲୋକଙ୍କ ଦୃଷ୍ଟି ପଡ଼ିଲା । ପ୍ରଥମତଃ, ଆମେରିକାର ନ୍ୟୁୟର୍କ ସହରରେ ଯେଉଁଠାରେ ମିଳିତ ଜାତିସଂଘର କାର୍ଯ୍ୟାଳୟ ରହିଛି, ସେହି କୋଠା ଉପରେ ଯୋଗାସନର ଭିନ୍ନ ଭିନ୍ନ କୃତିର ବିଶେଷ ପ୍ରଦର୍ଶନ କରାଗଲା, ସେଠାରେ ଯିବା ଆସିବା କରୁଥିବା ଲୋକ ଏହାର ଫଟୋ ଉଠାଉଥିଲେ ଏବଂ ସମଗ୍ର ବିଶ୍ୱରେ ଏହି ଫଟୋ ସବୁ ପ୍ରେରିତ ହେଲା । କେଉଁ ଭାରତୀୟ ଯେ ଏଥିରେ ଗର୍ବିତ ନ ହେବ ? କୁହନ୍ତୁ ତ ! ଆହୁରି ମଧ୍ୟ ଗୋଟିଏ ଘଟଣା ହେଲା, ପ୍ରଯୁକ୍ତି ବିଦ୍ୟା ତା’ କାମ କରିଚାଲିଛି । ସାମାଜିକ ଗଣମାଧ୍ୟମର ଗୋଟିଏ ନିଜସ୍ୱ ପରିଚୟ ସୃଷ୍ଟି ହୋଇସାରିଛି । ଏଥର ଯୋଗଦିବସରେ ଟ୍ଵିଟର ଯୋଗାଭ୍ୟାସର ଛବି ସହ ଗୋଟିଏ ଛୋଟିଆ ପ୍ରୟୋଗ ମଧ୍ୟ କଲେ । ‘#Yoga Day’ ଟାଇପ୍ କରିବା ମାତ୍ରେ ଯୋଗର ଛବିଗୁଡ଼ିକ ଆମ ମୋବାଇଲ ଫୋନକୁ ଆସିଯାଉଥିଲା ଏବଂ ସମଗ୍ର ବିଶ୍ୱରେ ଏହା ପ୍ରଚାରିତ ହେଲା । ଯୋଗର ଅର୍ଥ ହିଁ ହେଉଛି ଯୋଡ଼ିବା । ଯୋଗରେ ସମଗ୍ର ବିଶ୍ୱକୁ ଯୋଡ଼ିବାର ଶକ୍ତି ରହିଛି । ବାସ୍, ଆବଶ୍ୟକତା ରହିଛି ଆମର ଯୋଗ ସହ ସଂଶ୍ଳିଷ୍ଟ ହେବାର । ମଧ୍ୟପ୍ରଦେଶର ସତ୍ନାରୁ ସ୍ୱାତୀ ଶ୍ରୀବାସ୍ତବ ଯୋଗଦିବସ ପରେ ମୋତେ ଟେଲିଫୋନ କରିଥିଲେ । ସେ ଆପଣମାନଙ୍କ ପାଇଁ ମୋତେ ଗୋଟିଏ ବାର୍ତ୍ତା ଦେଲେ, କିନ୍ତୁ ଲାଗୁଛି ଯେ ହୁଏତ ଏହି ବାର୍ତ୍ତାଟି ମୋ ପାଇଁ……..
“ମୁଁ ଚାହୁଁଛି ଯେ, ମୋର ସମ୍ପୂର୍ଣ୍ଣ ଦେଶ ସୁସ୍ଥ ରହୁ, ଏହାର ଗରିବ ଲୋକଟି ମଧ୍ୟ ନିରୋଗ ରହୁ । ସେଥିପାଇଁ ମୁଁ ଚାହୁଁଛି ଯେ, ଦୂରଦର୍ଶନରେ ପ୍ରତ୍ୟେକ ଧାରାବାହିକ ପରେ ଯେଉଁ ବିଜ୍ଞାପନ ପ୍ରଚାରିତ ହେଉଛି, ସେଥିରୁ କୌଣସି ଗୋଟିଏ ବିଜ୍ଞାପନରେ ଯୋଗ ସମ୍ପର୍କରେ ଦେଖାନ୍ତୁ । କେମିତି ଏହା କରାଯାଏ ? ଏହାଦ୍ୱାରା କ’ଣ ଲାଭ ହୁଏ ?”
ସ୍ୱାତୀଜୀ, ଆପଣଙ୍କ ପ୍ରସ୍ତାବଟି ଭଲ, କିନ୍ତୁ ଆପଣ ଟିକିଏ ଭଲ କରି ଦେଖିଲେ ଜାଣିପାରିବେ ଯେ, କେବଳ ଦୂରଦର୍ଶନ ନୁହେଁ ଆଜିକାଲି ଭାରତ ଏବଂ ଭାରତ ବାହାରର, ଟେଲିଭିଜନ ମିଡିଆ ଜଗତରେ ପ୍ରତିଦିନ ଯୋଗର ପ୍ରଚାର ପାଇଁ ଭାରତ ଏବଂ ବିଶ୍ୱର ସବୁ ଟେଲିଭିଜନ ଚ୍ୟାନେଲ ନିଜର କିଛି ନା କିଛି ଯୋଗଦାନ କରୁଛନ୍ତି । ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ସମୟ ରହିଛି । କିନ୍ତୁ ଆପଣ ଲକ୍ଷ୍ୟ କଲେ ଜାଣିପାରିବେ ଯେ, ଯୋଗ ବିଷୟରେ ସୂଚନା ପାଇବା ପାଇଁ ଏସବୁ ତ ଚାଲିଛି ଏବଂ ମୁଁ ତ ଦେଖିଛି । ବିଶ୍ୱରେ କିଛି ଏଭଳି ଦେଶ ରହିଛି, ଯେଉଁଠାରେ ଯୋଗ ପାଇଁ ସମର୍ପିତ ଚବିଶ ଘଣ୍ଟିଆ ଚ୍ୟାନେଲ ମଧ୍ୟ ଚାଲିଛି ଏବଂ ଆପଣ ଜାଣିଥିବେ ଯେ, ମୁଁ ଜୁନ ମାସରେ “ଆନ୍ତର୍ଜାତିକ ଯୋଗ ଦିବସ” ଉପଲକ୍ଷେ ପ୍ରତିଦିନ ଟ୍ଵିଟର ଏବଂ ଫେସବୁକ ମାଧ୍ୟମରେ ଗୋଟିଏ ନୂଆ ଆସନର ଭିଡ଼ିଓ share କରୁଥିଲି । ଆପଣ ଆୟୁଷ ମନ୍ତ୍ରଣାଳୟର ୱେବସାଇଟକୁ ଗଲେ ଦେଖିବେ ଯେ, ଗୋଟିଏ ପରେ ଗୋଟିଏ, ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ କି ପ୍ରକାର ଯୋଗାଭ୍ୟାସ କରାଯାଇପାରେ । ସବୁ ବୟସର ଲୋକ କିଭଳି କରିପାରିବେ, ଏଭଳି ସହଜ ଯୋଗାଭ୍ୟାସର 40-45 ମିନିଟ ଅବଧିର ଗୋଟିଏ ଭଲ ଭିଡ଼ିଓ ଏହି ୱେବସାଇଟରେ ଉପଲବ୍ଧ । ମୁଁ ଆପଣଙ୍କୁ ଏବଂ ଆପଣଙ୍କ ମାଧ୍ୟମରେ ଯୋଗ ବିଷୟରେ ଜାଣିବାକୁ ଚାହୁଁଥିବା ସବୁ ଲୋକଙ୍କୁ କହିବି ଯେ ସେମାନେ ଏହା ସହିତ ଜଡ଼ିତ ହୁଅନ୍ତୁ । ମୁଁ ଏଥର ଗୋଟିଏ ଆହ୍ୱାନ ଦେଇଛି । ଆମେ ଯେତେବେଳେ କହୁଛୁ ଯେ, ଯୋଗ ରୋଗ ମୁକ୍ତିର ଗୋଟିଏ ମାଧ୍ୟମ, ତା’ହେଲେ ଆମେ ସମସ୍ତେ, ଯୋଗ ସମ୍ପର୍କରେ ଯେତେସବୁ ବିଚାରଧାରାର ଲୋକ, ସମସ୍ତଙ୍କର ନିଜ ନିଜ ଶୈଳୀ ରହିଛି । ସମସ୍ତଙ୍କର ନିଜ ନିଜର ପ୍ରାଥମିକତା ରହିଛି, ସମସ୍ତଙ୍କର ନିଜ ନିଜ ଅନୁଭୂତି ରହିଛି କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ । ମୁଁ ଏହିସବୁ, ଯେତେ ପ୍ରକାର ଯୋଗର ଶୈଳୀ ଚାଲିଛି, ଯେତେ ପ୍ରକାର ଯୋଗର ସଂସ୍ଥାମାନ ଚାଲିଛି, ଯେତେ ପ୍ରକାର ଯୋଗ ଗୁରୁ ରହିଛନ୍ତି, ସମସ୍ତଙ୍କୁ ମୁଁ ଅନୁରୋଧ କରିଛି ଯେ, ଏହି ସମ୍ପୂର୍ଣ୍ଣ ବର୍ଷକୁ ଆମେ ମଧୁମେହ ବିରୁଦ୍ଧରେ, Diabetes ବିରୁଦ୍ଧରେ, ଯୋଗ ମାଧ୍ୟମରେ ଗୋଟିଏ ସଫଳ ଅଭିଯାନ ଚଳାଇପାରିବା କି ? ଯୋଗ ଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ କି ? କିଛି ଲୋକଙ୍କୁ ଏଥିରେ ସଫଳତା ମିଳିଛି । ପ୍ରତ୍ୟେକେ ନିଜ ନିଜ ଢଙ୍ଗରେ ଉପାୟ ଖୋଜିଛନ୍ତି । ଆମେ ଜାଣୁ ଯେ, ମଧୁମେହର ଚିକିତ୍ସା ସମ୍ପର୍କରେ କେହି କହନ୍ତିନି । ଔଷଧ ଖାଇ ଖାଇ ଚଳାଇବାକୁ ପଡ଼େ ଏବଂ ମଧୁମେହ ଏପରି ଗୋଟିଏ ରାଜ-ରୋଗ ଯାହା ଅନ୍ୟ ସବୁ ରୋଗକୁ ନିମନ୍ତ୍ରିତ କରିଥାଏ । ବିଭିନ୍ନ ପ୍ରକାର ରୋଗର ପ୍ରବେଶ ପଥ ପାଲଟିଯାଏ । ତେଣୁ ସମସ୍ତେ ମଧୁମେହରୁ ଦୂରେଇ ରହିବାକୁ ଚାହାଁନ୍ତି । ଅନେକ ଲୋକ ଏହି ଦିଗରେ କାର୍ଯ୍ୟ ମଧ୍ୟ କରିଛନ୍ତି । କିଛି ମଧୁମେହ ରୋଗୀ ମଧ୍ୟ ନିଜର ଯୋଗାଭ୍ୟାସ ଦ୍ୱାରା ଏହାକୁ ନିୟନ୍ତ୍ରିତ କରିଛନ୍ତି । ଆମେ ନିଜର ଅନୁଭୂତିକୁ ପରସ୍ପର ମଧ୍ୟରେ କାହିଁକି ନ ବାଣ୍ଟିବା ? ଏହାକୁ ଗୋଟିଏ ଗତି ପ୍ରଦାନ କରିବା । ବର୍ଷତମାମ ଗୋଟିଏ ପରିବେଶ ସୃଷ୍ଟି କରିବା । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, “#Yoga Fights Diabetes” ମୁଁ ଆଉଥରେ କହୁଛି “#Yoga Fights Diabetes”କୁ ବ୍ୟବହାର କରି ନିଜର ଅନୁଭୂତିକୁ ସାମାଜିକ ଗଣମାଧ୍ୟମରେ ବାଣ୍ଟନ୍ତୁ କିମ୍ବା ମୋତେ Narendra Modi App ରେ ପଠାନ୍ତୁ । ଦେଖିବା, କାହାର କ’ଣ ଅନୁଭୂତି ରହିଛି । ଚେଷ୍ଟା ତ କରିବା । “#Yoga Fights Diabetes” ଜରିଆରେ ନିଜର ଅନୁଭୂତି ବାଣ୍ଟିବାକୁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି ।
ମୋର ପ୍ରିୟ ଦେଶବାସୀ, ବେଳେବେଳେ ମୋର “ମନ କି ବାତ”କୁ ପରିହାସ କରାଯାଉଛି, ଅନେକ ସମାଲୋଚନା ମଧ୍ୟ କରାଯାଉଛି, କିନ୍ତୁ ଏହା ଏଥିପାଇଁ ସମ୍ଭବ ହେଉଛି କାରଣ ଆମେ ଗଣତନ୍ତ୍ର ପ୍ରତି ଅଙ୍ଗୀକାରବଦ୍ଧ । କିନ୍ତୁ ଆଜି ଜୁନ 26 ତାରିଖରେ ଯେତେବେଳେ ମୁଁ ଆପଣମାନଙ୍କ ସହ କଥା ହେଉଛି, ସେତେବେଳେ ବିଶେଷକରି ନୂଆ ପିଢ଼ିକୁ କହିବାକୁ ଚାହୁଁଛି ଯେ, ଯେଉଁ ଗଣତନ୍ତ୍ରକୁ ନେଇ ଆମେ ଗର୍ବିତ, ଯେଉଁ ଗଣତନ୍ତ୍ର ଆମକୁ ଗୋଟିଏ ବହୁତ ବଡ଼ ଶକ୍ତି ଦେଇଛି । ପ୍ରତ୍ୟେକ ନାଗରିକକୁ ବଡ଼ ଶକ୍ତି ଦେଇଛି, ହେଲେ ସେହି 26 ଜୁନ 1975 ର ଦିନଟି ଥିଲା । 25 ଜୁନ ରାତ୍ରି ଓ 26 ଜୁନର ସକାଳ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଗୋଟିଏ ଏଭଳି କାଳ ରାତ୍ରୀ ଥିଲା ଯେତେବେଳେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଗଲା । ନାଗରିକମାନଙ୍କ ସମସ୍ତ ଅଧିକାରକୁ ଶେଷ କରିଦିଆଗଲା । ଦେଶକୁ ଜେଲଖାନା କରିଦିଆଗଲା । ଜୟପ୍ରକାଶ ନାରାୟଣଙ୍କ ସମେତ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ, ହଜାର ହଜାର ନେତାଙ୍କୁ, ଅନେକ ସଙ୍ଗଠନକୁ ବନ୍ଦୀଗୃହରେ ବନ୍ଦ କରିଦିଆଗଲା । ସେହି ଭୟଙ୍କର କଳଙ୍କିତ ଘଟଣା ଉପରେ ଅନେକ ପୁସ୍ତକ ରଚନା କରାଯାଇଛି । ଅନେକ ଆଲୋଚନା ମଧ୍ୟ ହୋଇଛି, କିନ୍ତୁ ଆଜି ଯେତେବେଳେ 26 ଜୁନ ଦିନ ମୁଁ ଆପଣମାନଙ୍କ ସହ କଥା ହେଉଛି, ସେତେବେଳେ ଆମେ ଏକଥା ଭୁଲିବା ଉଚିତ ନୁହେଁ ଯେ, ଗଣତନ୍ତ୍ର ଆମର ଶକ୍ତି । ଜନବଳ ଆମର ଶକ୍ତି । ପ୍ରତ୍ୟେକ ନାଗରିକ ଆମ ଶକ୍ତି । ଏହି ପ୍ରତିବଦ୍ଧତାକୁ ଆମେ ଆଗେଇ ନେବାକୁ ହେବ, ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ । ଭାରତର ଜନସାଧାରଣ ଏତେ ଶକ୍ତିଶାଳୀ ଯେ ସେମାନେ ଲୋକତନ୍ତ୍ରକୁ ନିଜ ଜୀବନରେ ପରିଣତ କରି ଦେଖାଇଛନ୍ତି । ଖବରକାଗଜରେ ତାଲା ଝୁଲୁଥାଉ, ରେଡ଼ିଓ କେବଳ ଗୋଟିଏ ସ୍ୱରରେ କଥା କହୁଥାଉ, କିନ୍ତୁ ଅପରପକ୍ଷରେ, ଦେଶର ଜନତା ସୁଯୋଗ ମିଳିବା ମାତ୍ରେ ଗଣତନ୍ତ୍ରର ଶକ୍ତିର ପରିଚୟ ଦିଅନ୍ତି । ଏକଥା କୌଣସି ଦେଶ ପାଇଁ ବହୁତ ବଡ଼ ଶକ୍ତିର ରୂପ । ଭାରତର ସାଧାରଣ ମଣିଷର ଗଣତାନ୍ତ୍ରିକ ଶକ୍ତିର ଉତ୍ତମ ଉଦାହରଣ ଜରୁରୀକାଳୀନ ପରିସ୍ଥିତିରେ ଦେଖାଯାଇଛି ଏବଂ ଗଣତାନ୍ତ୍ରିକ ଶକ୍ତିର ସେହି ପରିଚୟ ଦେଶକୁ ବାରମ୍ବାର ସ୍ମରଣ କରାଇବା ଉଚିତ୍ । ଲୋକମାନେ ସେହି ଶକ୍ତିର ଅନୁଭୂତିକୁ ହୃଦୟଙ୍ଗମ କରିବା ଉଚିତ ଏବଂ ଏହାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆମର ପ୍ରଚେଷ୍ଟା ହେବା ସହ ଲୋକଙ୍କୁ ଏଥିରେ ସାମିଲ କରିବା ଉଚିତ । ମୁଁ ସବୁବେଳେ କହେ, ଯେ ଭାଇ ଗଣତନ୍ତ୍ରର ଅର୍ଥ ଏହା ନୁହେଁ ଯେ ଲୋକ ଭୋଟଦେଇ ପାଞ୍ଚବର୍ଷ ପାଇଁ ଆପଣଙ୍କୁ ଦେଶ ଶାସନ କରିବାର ଠିକା ଦେଉଛନ୍ତି । ନାହିଁ ଆଜ୍ଞା, ଗଣତନ୍ତ୍ରରେ ମତଦାନ ତ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅନ୍ୟ ଅନେକ ଦିଗ ରହିଛି । ସବୁଠାରୁ ବଡ଼ ଦିଗ ହେଲା ଜନ ଭାଗିଦାରୀ । ଜନତାର ଇଚ୍ଛା, ଜନତାର ଚିନ୍ତାଧାରା, ସରକାର ଯେତେ ଜନସାଧାରଣଙ୍କ ନିକଟବର୍ତ୍ତୀ ହେବେ ଦେଶ ସେତେ ଅଧିକ ଶକ୍ତିଶାଳୀ ହେବ । ସରକାର ଏବଂ ଜନତା ମଧ୍ୟରେ ଥିବା ଶୂନ୍ୟସ୍ଥାନ ହିଁ ଆମର ବିନାଶକୁ ଡାକିଆଣେ । ଜନ ସହଭାଗିତାରୁ ହିଁ ଦେଶ ଆଗକୁ ବଢ଼ୁ ଏ ଦିଗରେ ସବୁବେଳେ ମୋର ପ୍ରଚେଷ୍ଟା ରହିଥାଏ । କିଛିଦିନ ତଳେ ଯେତେବେଳେ ମୋ ସରକାର ଦୁଇବର୍ଷର ଶାସନକାଳ ପୂର୍ଣ୍ଣ କଲା, ସେତେବେଳେ କିଛି ଆଧୁନିକ ଚିନ୍ତାଧାରା ସମ୍ପନ୍ନ ଯୁବକ ମୋତେ ପ୍ରସ୍ତାବ ଦେଲେ ଯେ, ଆପଣ ଗଣତନ୍ତ୍ରର ଏତେ ବଡ଼ କଥା ସବୁ କହୁଛନ୍ତି ତାହେଲେ ଆପଣ ନିଜ ସରକାରର ମୂଲ୍ୟାଙ୍କନ କାହିଁକି ଜନସାଧାରଣଙ୍କ ଦ୍ୱାରା କରାଉ ନାହାନ୍ତି ? ତାଙ୍କ ସ୍ୱରରେ ଏକ ପ୍ରକାର ଆହ୍ୱାନ ରହିଥିଲା, ଆଉ ପ୍ରସ୍ତାବର ସ୍ୱର ମଧ୍ୟ ଥିଲା । କିନ୍ତୁ ସେମାନେ ମୋ ମନକୁ ଆନ୍ଦୋଳିତ କରିଦେଲେ । ମୁଁ ନିଜର କିଛି ବରିଷ୍ଠ ସାଥିମାନଙ୍କ ଆଗରେ ଏକଥା ରଖିଲି । ସେତେବେଳେ ପ୍ରଥମ ପ୍ରତିକ୍ରିୟା ବା Reaction ଥିଲା – “ନା, ନା, ଆଜ୍ଞା । ଇଏ ଆପଣ କ’ଣ କରିବାକୁ ଯାଉଛନ୍ତି ? ଆଜିକାଲି ପ୍ରଯୁକ୍ତିବିଦ୍ୟା ଏତେ ବଦଳିଯାଇଛି ଯେ, ଯଦି କିଛି ଲୋକ ମିଶିଯାଆନ୍ତି, ଗୋଟିଏ ଦଳ ହୋଇଯାଆନ୍ତି ଏବଂ ପ୍ରଯୁକ୍ତିବିଦ୍ୟାର ଦୁରୂପଯୋଗ କରନ୍ତି । ତା’ହେଲେ ସର୍ଭେକୁ କେଉଁଠୁ କେଉଁଠିକୁ ନେଇଯିବେ ତାହା କହିହେବ ନାହିଁ । ସେମାନେ ନିଜର ଚିନ୍ତା ପରିପ୍ରକାଶ କଲେ । କିନ୍ତୁ ମୋତେ ଲାଗିଲା ଯେ, ବିପଦପୂର୍ଣ୍ଣ ହେଲେ ମଧ୍ୟ ଟିକିଏ ଚେଷ୍ଟା କରି ଦେଖିବା । ଦେଖିବା କ’ଣ ହେଉଛି ଏବଂ ମୋର ପ୍ରିୟ ଦେଶବାସୀ ଖୁସିର କଥା ଯେ, ଯେତେବେଳେ ମୁଁ ପ୍ରଯୁକ୍ତିବିଦ୍ୟା ସହାୟତାରେ ବିଭିନ୍ନ ଭାଷା ବ୍ୟବହାର କରି ଜନସାଧାରଣଙ୍କୁ ମୋ ସରକାରର ମୂଲ୍ୟାଙ୍କନ କରିବାକୁ ଆହ୍ୱାନ କଲି …. । ନିର୍ବାଚନ ପରେ ବି ତ ଅନେକ ସର୍ଭେ ହୋଇଥାଏ, ନିର୍ବାଚନ ବେଳେ ମଧ୍ୟ ସର୍ଭେ ହୋଇଥାଏ । ବେଳେବେଳେ ମଝିରେ ମଧ୍ୟ କୌଣସି ପ୍ରସଙ୍ଗକୁ ନେଇ ସର୍ଭେ ହୋଇଥାଏ, ଲୋକପ୍ରିୟତାକୁ ନେଇ ସର୍ଭେ ହୁଏ । କିନ୍ତୁ ଏହାର ନମୁନାର ଆକାର ବେଶୀ ବଡ଼ ନ ଥାଏ । ଆପଣମାନଙ୍କ ମଧ୍ୟରୁ ଅନେକ “Rate My Government – MyGov.in” ରେ ନିଜର ମତାମତ ଦେଇଛନ୍ତି । ଦେଖିବାକୁ ଗଲେ ଲକ୍ଷ ଲକ୍ଷ ଲୋକ ଏଥିରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ତିନି ଲକ୍ଷ ଲୋକ ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ଦେବାପାଇଁ ପରିଶ୍ରମ କରିଛନ୍ତି, ସେଥିପାଇଁ ସମୟ ବାହାର କରିଛନ୍ତି । ମୁଁ ସେହି ତିନି ଲକ୍ଷ ଲୋକଙ୍କ ନିକଟରେ କୃତଜ୍ଞ ଯେ ସେମାନେ ସକ୍ରିୟ ଭାବେ ଏଥିରେ ଅଂଶଗ୍ରହଣ କଲେ, ସରକାରର ମୂଲ୍ୟାଙ୍କନ କଲେ । ମୁଁ ଏହାର ଫଳାଫଳ ବିଷୟରେ ଆଲୋଚନା କରୁନାହିଁ, ତାହା ଆମ ଗଣମାଧ୍ୟମର ଲୋକ ନିଶ୍ଚୟ କରିବେ । କିନ୍ତୁ ଗୋଟିଏ ଭଲ ପ୍ରୟୋଗ ଥିଲା, ଏତିକି ନିଶ୍ଚୟ କହିବି । ମୋ ପାଇଁ ମଧ୍ୟ ଖୁସିର କଥା ଥିଲା ଯେ, ଭାରତର ସବୁ ଭାଷାଭାଷୀ ଲୋକ, ପ୍ରତ୍ୟେକ କୋଣରେ ରହୁଥିବା ଲୋକ, ପ୍ରତ୍ୟେକ ପୃଷ୍ଟଭୂମିର (Background) ଲୋକ ଏଥିରେ ଅଂଶଗ୍ରହଣ କଲେ । ମୋ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ଭାରତ ସରକାରଙ୍କ ଗ୍ରାମୀଣ ରୋଜଗାର ଯୋଜନାର ଯେଉଁ ୱେବସାଇଟ ରହିଛି, ସେହି ପୋର୍ଟାଲରେ ସବୁଠାରୁ ଅଧିକ ଲୋକ ଉତ୍ସାହିତ ହୋଇ ଅଂଶଗ୍ରହଣ କଲେ । ଏହାର ଅର୍ଥ ଗ୍ରାମ୍ୟ ଜୀବନ ସହ ଜଡ଼ିତ, ଦାରିଦ୍ର୍ୟ ସହ ଜଡ଼ିତ ଲୋକଙ୍କର ଏଥିରେ ବଡ଼ ସକ୍ରିୟ ଯୋଗଦାନ ରହିଥିଲା ଏହା ମୁଁ ପ୍ରାଥମିକ ଭାବେ ଅନୁମାନ କରୁଛି । ଏହା ମୋତେ ଅଧିକ ଭଲ ଲାଗିଲା । ତା’ହେଲେ ଆପଣ ଦେଖିଲେ, ତାହା ବି ଗୋଟିଏ ଦିନ ଥିଲା, ଯେତେବେଳେ ଜୁନ୍ 26 ତାରିଖ ଦିନ କିଛି ବର୍ଷ ପୂର୍ବେ ଜନସାଧାରଣଙ୍କ ସ୍ୱରକୁ ଚାପି ଦିଆଯାଇଥିଲା ଆଉ ଇଏ ବି ଗୋଟିଏ ସମୟ, ଯେତେବେଳେ ଜନତା ନିଜେ ସ୍ଥିର କରୁଛି, ମଧ୍ୟବର୍ତ୍ତି ଉପାୟ ସ୍ଥିର କରୁଛି, ଦେଖୁଛି ସରକାର ଠିକ୍ କରୁଛି ନା ଭୁଲ କରୁଛି । ଭଲ କରୁଛି ନା ମନ୍ଦ କରୁଛି । ଏହାହିଁ ତ ଗଣତନ୍ତ୍ରର ଶକ୍ତି ।
ମୋର ପ୍ରିୟ ଦେଶବାସୀ, ଆଜି ମୁଁ ଗୋଟିଏ କଥା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛି । ଗୋଟେ ସମୟ ଥିଲା ଯେତେବେଳେ ଟିକସ ଏତେ ପ୍ରକାର ଥିଲା ଯେ ଟିକସରେ ଚୋରୀ ବା ଫାଙ୍କି ଏକ ପ୍ରକାର ସ୍ୱଭାବ ପାଲଟିଯାଇଥିଲା କେତେକ ଲୋକଙ୍କର । ଆଗରୁ ବିଦେଶୀ ଜିନିଷ ଆଣିବା ପାଇଁ ନାନା କଟକଣା ଥିଲା, ସେଥିପାଇଁ ଚୋରାଚାଲାଣ (smuggling) ବି ଅଧିକ ହେଉଥିଲା, କିନ୍ତୁ ଧୀରେ ଧୀରେ ସମୟ ବଦଳିଯାଇଛି । ଏବେ କରଦାତାଙ୍କୁ ସରକାରଙ୍କ କର-ବ୍ୟବସ୍ଥା ସହ ଯୋଡ଼ିବା ବେଶୀ କିଛି କଷ୍ଟ କାମ ହେଇନାହିଁ । ତଥାପି, କେତେକଙ୍କର ପୁରୁଣା ଅଭ୍ୟାସ ଏ ପର୍ଯ୍ୟନ୍ତ ବଦଳିନି । ଗୋଟିଏ ପିଢ଼ିକୁ ଏବେ ବି ଲାଗୁଛି – ଭାଇ ସରକାରଙ୍କଠୁ ଦୂରେଇ ରହିବା ସବୁଠୁ ଭଲ । ମୁଁ ଆଜି ଆପଣମାନଙ୍କୁ କହିବାକୁ ଚାହେଁ ଯେ ନୀତି-ନିୟମଠୁ ଦୂରେଇଯାଇ ଆମେ ଆମର ସୁଖ-ଶାନ୍ତି ନଷ୍ଟ କରୁଛେ । କେହି ବି ଛୋଟ ମୋଟ ବ୍ୟକ୍ତି ଆମକୁ ହଇରାଣ କରିପାରନ୍ତି । ଆମେ ଏମିତି ହେବାକୁ କାହିଁକି ଦେବା ? ବରଂ ଆମେ କାହିଁକି ଆମ ସମ୍ପତ୍ତି ସମ୍ପର୍କରେ, ଆୟ ସମ୍ପର୍କରେ ସରକାରଙ୍କୁ ଠିକ୍ ଠିକ୍ ତଥ୍ୟ ନ ଦେବା ? ଯାହା କିଛି ବକେୟା ଟିକସ ରହିଯାଇଛି, ସେଥିରୁ ମୁକ୍ତ ହୋଇଯିବା ଦରକାର । ଏଇ ବୋଝରୁ ମୁକ୍ତ ହେବାପାଇଁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି । ଯେଉଁ ଲୋକଙ୍କ ପାଖରେ ଅଘୋଷିତ ଆୟ ରହିଛି, ସେମାନଙ୍କ ପାଇଁ ଭାରତ ସରକାର ଗୋଟିଏ ସୁଯୋଗ ଦେଇଛନ୍ତି ଯେ ଆପଣ ଆପଣଙ୍କ ଅଘୋଷିତ ଆୟ ସମ୍ପର୍କରେ ଜଣାନ୍ତୁ । ଆସନ୍ତା ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ସରକାର ସମୟ ଦେଇଛନ୍ତି ଅଘୋଷିତ ଆୟ ସମ୍ପର୍କରେ ସ୍ୱେଚ୍ଛାକୃତ ଭାବେ ଘୋଷଣା କରିବାକୁ । ଜୋରିମାନା ଦେଇ ଆମେ ଅନେକ ପ୍ରକାର ବୋଝରୁ ମୁକୁଳିପାରିବା । ମୁଁ ପ୍ରତିଶ୍ରୁତି ଦେଇଛି ଯେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଘୋଷିତ ଆୟ ସମ୍ପର୍କରେ ସରକାରଙ୍କୁ ଜଣାଇବେ, ସରକାର ସେମାନଙ୍କ ଆୟ ସମ୍ପର୍କରେ ଆଉ କୌଣସି ପ୍ରକାର ଯାଞ୍ଚ କରିବ ନାହିଁ । ଏତେ ଧନ କୋଉଠୁ ଆସିଲା, କେମିତି ଆସିଲା – ଏ ସମ୍ପର୍କରେ ଥରୁଟିଏ ବି ପ୍ରଶ୍ନ କରାଯିବନି । ଆଉ ଏଇଥିପାଇଁ ମୁଁ କହୁଛି ଯେ ଇଏ ଗୋଟିଏ ଭଲ ସୁଯୋଗ ଯେଉଁଥିରେ ଆପଣ ଗୋଟିଏ ସ୍ୱଚ୍ଛ ବ୍ୟବସ୍ଥାର ଅଂଶ ବନିପାରିବେ । ୟା’ ସାଙ୍ଗରେ ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିଛି । ୟା’କୁ ଶେଷ ସୁଯୋଗ ବୋଲି ଭାବିନିଅନ୍ତୁ । ମୁଁ ମଝିରେ ଆମର ସାଂସଦମାନଙ୍କୁ କହିଥିଲି ଯେ ସେପ୍ଟେମ୍ବର 30 ତାରିଖ ପରେ ଯଦି କୌଣସି ନାଗରିକଙ୍କୁ ଏ ସମ୍ବନ୍ଧୀୟ ସରକାରୀ ନିୟମ ଖିଲାପ କରିଥିବା ଯୋଗୁଁ ଅସୁବିଧାରେ ପଡ଼ିବାକୁ ହେଲା, ତା’ହେଲେ ତାଙ୍କୁ କୌଣସି ସହଯୋଗ ମିଳବନି । ମୁଁ ଦେଶବାସୀଙ୍କୁ ବି କହିବାକୁ ଚାହୁଁଛି ଯେ ସେପ୍ଟେମ୍ବର 30 ତାରିଖ ପରେ ଯେମିତି ଏଭଳି କିଛି ନ ହେଉ, ଯେଉଁଥିରେ ଆପଣଙ୍କର କିଛି ଅସୁବିଧା ହେବ ? ସେଇଥିପାଇଁ ମୁଁ କହୁଛି ଯେ ଭଲ ହେବ ଯଦି 30 ସେପ୍ଟେମ୍ବର ପୂର୍ବରୁ ଆପଣ ଏ ବ୍ୟବସ୍ଥାର ଲାଭ ଉଠାଇବେ ଆଉ 30 ସେପ୍ଟେମ୍ବର ପରେ ସମ୍ଭାବିତ ଅସୁବିଧାରୁ ମୁକ୍ତ ରହିବେ । ମୋର ଦେଶବାସୀ, ଆଜି ଏକଥା ମୋତେ “ମନ କି ବାତ”ରେ ଏଇଥିପାଇଁ କହିବାକୁ ପଡ଼ୁଛି ଯେ ଏବେ ଆମର ରାଜସ୍ୱ ବିଭାଗ, ଆୟକର ବିଭାଗ, ବହିର୍ବାଣିଜ୍ୟ ଓ ସୀମାଶୁଳ୍କ ବିଭାଗର ଅଧିକାରୀମାନଙ୍କ ସହ ମୁଁ ଦୁଇଦିନିଆ ‘ଜ୍ଞାନ ସଂଗମ’ ବୈଠକ କରିଥିଲି, ବହୁତ ବିଚାର-ବିମର୍ଷ ହେଲା ଆଉ ମୁଁ ସେମାନଙ୍କୁ ସଫା ସଫା କହିଦେଇଛି ଯେ ଆମେ ନାଗରିକଙ୍କୁ ଯେମିତି ଚୋର ବୋଲି ନ ଭାବୁ । ଆମେ ନାଗରିକଙ୍କ ଉପରେ ଭରସା ରଖିବା, ସେମାନଙ୍କୁ ବିଶ୍ୱାସ କରିବା, ସେମାନଙ୍କ ହାତ ଧରି ଚାଲିବା । ଯଦି ସେମାନେ ନିୟମ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଉତ୍ସାହିତ କରି ଆଦରର ସହିତ ସରକାରୀ ବ୍ୟବସ୍ଥା ଭିତରକୁ ନେଇ ଆସିବା । ବିଶ୍ୱାସର ବାତାବରଣ ସୃଷ୍ଟି କରିବା ଆବଶ୍ୟକ । ଆମର ଆଚରଣ ଦ୍ୱାରା ପରିବର୍ତ୍ତନ ଆଣିବାକୁ ହେବ । କରଦାତାମାନଙ୍କ ମନରେ ବିଶ୍ୱାସ ଭରିବାକୁ ହେବ । ଏସବୁ କଥା ମୁଁ ଖୁବ ଆଗ୍ରହର ସହ ସେହି ଅଧିକାରୀମାନଙ୍କୁ କହିଛି ଆଉ ମୁଁ ଦେଖୁଛି – ସେମାନେ ଅନୁଭବ କରୁଛନ୍ତି ଯେତେବେଳେ ଦେଶ ଆଗକୁ ବଢ଼ୁଛି, ଆମ ସମସ୍ତଙ୍କୁ ଏଥିପାଇଁ ଯୋଗଦାନ କରିବାକୁ ପଡ଼ିବ । ଏହି ଜ୍ଞାନ-ସଂଗମରେ ଯେହେତୁ ମୁଁ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଥିଲି, ଏଇଠି ମୁଁ ଆପଣଙ୍କୁ ଗୋଟିଏ ତଥ୍ୟ ଜଣାଇବାକୁ ଚାହୁଁଛି – ଆପଣଙ୍କ ଭିତରୁ ବୋଧେ କେହି ଏକଥା ବିଶ୍ୱାସ କରିବେନି ଯେ 125 କୋଟି ଦେଶବାସୀଙ୍କ ଭିତରେ ମାତ୍ର ଦେଢ଼ ଲକ୍ଷ ଲୋକ ଏମିତି ଅଛନ୍ତି ଯାହାଙ୍କର କରଯୋଗ୍ୟ ଆୟ (Taxable Income) ପଚାଶ ଲକ୍ଷ ଟଙ୍କାରୁ ଅଧିକ । ଏ କଥାକୁ କେହି ସହଜରେ ଗ୍ରହଣ କରିପାରିବେନି । ପଚାଶ ଲକ୍ଷରୁ ଅଧିକ କରଯୋଗ୍ୟ ଆୟ କରୁଥିବା ଲୋକ ବଡ଼ ବଡ଼ ସହରରେ ଭର୍ତ୍ତି ହେଇଛନ୍ତି । ଗୋଟେ-ଗୋଟେ କୋଟି, ଦୁଇ-ଦୁଇ କୋଟିର ବଙ୍ଗଳା (କୋଠା) ଦେଖିଲେ ଅନୁମାନ ଲଗେଇହୁଏ ଯେ ଏମାନେ କେମିତି 50 ଲକ୍ଷରୁ କମ୍ ଆୟ କରୁଥିବା ବର୍ଗର ହେଇପାରିବେ ! ୟା’ମାନେ ନିଶ୍ଚେ କିଛି ଗଡ଼ବଡ଼ ଅଛି । ଏହି ସ୍ଥିତିକୁ ବଦଳେଇବାର ଅଛି ଆଉ ସେପ୍ଟେମ୍ବର 30 ପୂର୍ବରୁ ବଦଳିବା ଦରକାର । ସରକାର କୌଣସି କଠୋର ପଦକ୍ଷେପ ନେବା ପୂର୍ବରୁ ଜନତା-ଜନାର୍ଦ୍ଦନଙ୍କୁ ସୁଯୋଗ ଦେବା ଦରକାର । ଆଉ ସେହି ସୁଯୋଗ ଆପଣଙ୍କୁ ଦିଆଯାଇଛି । ତେଣୁ ମୋର ପ୍ରିୟ ଭାଇ-ଭଉଣୀ, ଅଘୋଷିତ ଆୟକୁ ଘୋଷଣା କରିବାର ଇଏ ହେଉଛି ଏକ ସୁବର୍ଣ୍ଣ ସୁଯୋଗ । ଅନ୍ୟ ପ୍ରକାରରେ କହିଲେ, 30 ସେପ୍ଟେମ୍ବର ପରେ ହେବାକୁ ଥିବା ସଙ୍କଟରୁ ମୁକ୍ତିର ଇଏ ଏକ ମାର୍ଗ । ଦେଶର ଭଲ ପାଇଁ, ଦେଶରେ ଥିବା ଦରିଦ୍ରଙ୍କ କଲ୍ୟାଣ ପାଇଁ ଆପଣ ଏ କାମରେ ସହଯୋଗ କରନ୍ତୁ ବୋଲି ମୁଁ ଆପଣମାନଙ୍କୁ ନିବେଦନ କରୁଛି, ଆଉ ମୁଁ ଚାହୁଁନି ଯେ 30 ସେପ୍ଟେମ୍ବର ପରେ ଆପଣ କୌଣସି ପ୍ରକାର ଅସୁବିଧାରେ ପଡ଼ନ୍ତୁ !
ମୋର ପ୍ରିୟ ଦେଶବାସୀ, ଏ ଦେଶର ସାଧାରଣ ଜନତା ଦେଶ ପାଇଁ ବହୁତ କିଛି କରିବା ଲକ୍ଷ୍ୟରେ ସୁଯୋଗ ଖୋଜୁଥାନ୍ତି । ଯେତେବେଳେ ମୁଁ ଲୋକଙ୍କୁ କହିଲି – ରନ୍ଧନ ଗ୍ୟାସର ସବସିଡି ଛାଡ଼ିଦେବା ପାଇଁ, ଦେଶର ଏକ କୋଟିରୁ ଅଧିକ ପରିବାର ସ୍ୱେଚ୍ଛାକୃତ ଭାବେ ସବସିଡ ଛାଡ଼ିଦେଲେ । ଯେଉଁମାନଙ୍କ ନିକଟରେ ଅଘୋଷିତ ଆୟ ରହିଛି, ମୁଁ ସେମାନଙ୍କ ପାଇଁ ଗୋଟିଏ ବିଶେଷ ଉଦାହରଣ ଦେବାକୁ ଚାହୁଁଛି । ଗତକାଲି ଯେତେବେଳେ ମୁଁ ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ପାଇଁ ପୁନେ ଯାଇଥିଲି, ସେଠି ଶ୍ରୀମାନ ଚନ୍ଦ୍ରକାନ୍ତ ଦାମୋଦର କୁଲକର୍ଣ୍ଣି ଆଉ ତାଙ୍କ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ମିଳିଲା । ମୁଁ ତାଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲି ଭେଟିବା ପାଇଁ, କାରଣ, ଯେଉଁମାନେ କର ଚୋରି କରୁଛନ୍ତି ବା ଫାଙ୍କୁଛନ୍ତି, ସେମାନଙ୍କୁ ମୋ କଥା ହୁଏତ ସେତିକି ପ୍ରେରଣା ଦେଇ ନ ପାରେ, କିନ୍ତୁ ଶ୍ରୀମାନ ଚନ୍ଦ୍ରକାନ୍ତ କୁଲକର୍ଣ୍ଣିଙ୍କ କଥା ନିଶ୍ଚୟ ପ୍ରେରଣା ଦେବ । ଆପଣ ଜାଣନ୍ତି କାହିଁକି ? ଏ ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀ ଏକ ମଧ୍ୟମ ଆୟକାରୀ ବର୍ଗର ପାରିବାରିକ ବ୍ୟକ୍ତି । ସରକାରୀ ଚାକିରି କରୁଥିଲେ । ଅବସର ନେଇଛନ୍ତି, 16 ହଜାର ଟଙ୍କା ତାଙ୍କୁ ପେନସନ ମିଳୁଛି । ଆଉ ମୋର ପ୍ରିୟ ଦେଶବାସୀ, ଆପଣ ତାଜୁବ୍ ହେବେ ଏବଂ ଯେଉଁମାନେ କର ଚୋରି କରୁଛନ୍ତି, ସେମାନଙ୍କୁ ବଡ଼ ଆଘାତ ଲାଗିବ ଯେ ଏ ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀ ଯିଏ ମାତ୍ର 16 ହଜାର ଟଙ୍କା ମାସିକ ପେନସନ୍ ପାଉଛନ୍ତି, କିଛିଦିନ ଆଗରୁ ସିଏ ମୋତେ ଚିଠି ଲେଖି ଅନୁରୋଧ କରିଥିଲେ ଯେ – “ମୋ 16 ହଜାର ଟଙ୍କା ପେନସନରୁ ପ୍ରତି ମାସରେ ମୁଁ 5 ହଜାର ଟଙ୍କା ଲେଖାଏଁ ଆପଣଙ୍କ ସ୍ୱଚ୍ଛତା ଅଭିଯାନ ପାଇଁ ଦାନ କରିବାକୁ ଚାହୁଁଛି” । କେବଳ ଏତିକି ନୁହେଁ, ସିଏ ମୋ ପାଖକୁ 52ଟି ଆଗୁଆ ଚେକ (post dated cheque) ପଠାଇଛନ୍ତି, 52 ମାସ ପାଇଁ 5 ହଜାର ଲେଖାଏଁ ଦେବାକୁ । ଯେଉଁ ଦେଶର ଜଣେ ମଧ୍ୟବିତ୍ତ ପେନସନଭୋଗୀ ମାତ୍ର 16 ହଜାର ଟଙ୍କାର ପେନସନରୁ ମାସକୁ 5 ହଜାର ଲେଖାଏଁ ସ୍ୱଚ୍ଛତା ଅଭିଯାନ ପାଇଁ ଦେଇପାରନ୍ତି, ସେ ଦେଶରେ କର ଚୋରି କରିବାର ଅଧିକାର କାହାରି ନାହିଁ । ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀଙ୍କଠାରୁ ଆଉ ବଡ଼ ପ୍ରେରଣା ଆମ ପାଇଁ କ’ଣ ହେଇପାରେ ? ଆଉ ସ୍ୱଚ୍ଛତା ଅଭିଯାନ ସହ ସମ୍ପୃକ୍ତ ଲୋକମାନଙ୍କ ପାଇଁ ବି ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀଙ୍କଠୁ ବଡ଼ ଉତ୍ତମ ଉଦାହରଣ ଅନ୍ୟ କିଛି ହେଇନପାରେ । ମୁଁ ଚନ୍ଦ୍ରକାନ୍ତଜୀଙ୍କୁ ଡକେଇ ତାଙ୍କ ସହ କଥା ହେଲି, ତାଙ୍କ ଜୀବନ ଦର୍ଶନ ମୋ ମନକୁ ଛୁଇଁଗଲା । ସେ ପରିବାରକୁ ମୁଁ ସାଧୁବାଦ ଓ କୃତଜ୍ଞତା ଜଣାଉଛି । ଏମିତି ଅଗଣିତ ଲୋକ ଥିବେ ଯେଉଁମାନଙ୍କ ସମ୍ପର୍କରେ ମୋ ପାଖରେ ସୂଚନା ନାହିଁ । କିନ୍ତୁ ଏଇମାନେ ତ ଲୋକ-ଶକ୍ତି, ଏଇମାନେ ତ ଆମ ଗଣତନ୍ତ୍ରର ବଳ । 16 ହଜାର ପେନସନ ପାଉଥିବା ଜଣେ ବ୍ୟକ୍ତି ଦୁଇ ଲକ୍ଷ 60 ହଜାର ଟଙ୍କାର ଅଗ୍ରୀମ ଚେକ୍ ମୋ ପାଖକୁ ପଠେଇଦେବା କ’ଣ ଛୋଟିଆ କଥା ? ଆସନ୍ତୁ, ଆମେ ବି ଆମ ମନ ଭିତରେ ଟିକେ ଚିନ୍ତା କରିବା, ସରକାର ଆମ ଆୟକୁ ଘୋଷଣା କରିବାକୁ ସୁଯୋଗ ଦେଇଛନ୍ତି, ଚନ୍ଦ୍ରକାନ୍ତଜୀଙ୍କୁ ସ୍ମରଣ କରି ଆମେ ବି ସରକାରଙ୍କ ଏ ଯୋଜନାରେ ସାମିଲ ହେଇଯିବା ।
ମୋର ପ୍ରିୟ ଦେଶବାସୀଗଣ, ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲରୁ ସନ୍ତୋଷ ନେଗୀଜୀ ଟେଲିଫୋନ୍ କରି ତାଙ୍କ ଅନୁଭବ ବାଣ୍ଟିଛନ୍ତି । ଜନ ସଞ୍ଚୟ ଉପରେ ସିଏ ମୋତେ କେତେ ପ୍ରସ୍ତାବ ଦେଇଛନ୍ତି । ପ୍ରିୟ ଦେଶବାସୀ, ତାଙ୍କର ଏ ଅନୁଭବ, ଆପଣଙ୍କର ବି କାମରେ ଆସିପାରେ । ସନ୍ତୋଷଜୀ…..
“ଆପଣଙ୍କ ପ୍ରେରଣାରେ ଆମେ ଆମ ବିଦ୍ୟାଳୟରେ ବର୍ଷାଋତୁ ଆରମ୍ଭ ହେବା ପୂର୍ବରୁ 4 ଫୁଟର ଛୋଟ ଛୋଟ ଅଢ଼େଇଶ’ ଗାତ ଖେଳପଡ଼ିଆ କଡ଼େ କଡ଼େ ପ୍ରସ୍ତୁତ କରି ରହୁଥିଲା ଯେମିତିକି ବର୍ଷା ପାଣି ତା’ ଭିତରେ ସଂଗୃହୀତ ହେଇପାରିବ । ଏଇ ପ୍ରକ୍ରିୟାରେ ଖେଳପଡ଼ିଆ ଖରାପ ବି ହେଲାନି, ପିଲାଙ୍କର ବୁଡ଼ିଯିବାର ଆଶଙ୍କା ରହିଲା ନାହିଁ ଏବଂ କୋଟି କୋଟି ଲିଟର ପାଣି ଆମେ ବଞ୍ଚେଇ ପାରିଲୁ ।”
ସନ୍ତୋଷଜୀ, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ଯେ ଆପଣ ମୋତେ ଏ ବାର୍ତ୍ତା ଦେଲେ ଆଉ ପୌଡ଼ି ଗଡ଼ୱାଲ ଭଳି ପାହାଡି ଅଞ୍ଚଳରେ ଏଭଳି କାମ କରି ଦେଖାଇଲେ । ଆପଣ ଧନ୍ୟବାଦର ପାତ୍ର । ମୋର ବିଶ୍ୱାସ, ଦେଶବାସୀ ବି ବର୍ଷାର ମଜ୍ଜା ନିଶ୍ଚୟ ନିଅନ୍ତୁ, କିନ୍ତୁ ଏ ବର୍ଷାଜଳ ପରମାତ୍ମାଙ୍କ ପ୍ରଦତ୍ତ ପ୍ରସାଦ, ଇଏ ଅମାପ ସମ୍ପତ୍ତି । ଗୋଟିଏ ଗୋଟିଏ ବୁନ୍ଦା ପାଣିକୁ ବଞ୍ଚାଇବା ପାଇଁ ଆମକୁ କିଛି ନା କିଛି ପ୍ରୟାସ କରିବାକୁ ପଡ଼ିବ । ଗାଁର ପାଣି ଗାଁରେ ଆଉ ସହରରେ ପାଣି ସହରରେ ଆମେ କେମିତି ରୋକିପାରିବା ? ଏ ପୃଥିବୀମାତାକୁ ପୁଣି ଥରେ ଶକ୍ତି ପ୍ରଦାନ (Recharge) କରିବା ପାଇଁ ଆମେ ସେ ପାଣିକୁ ମାଟି ଭିତରକୁ କେମିତି ଫେରେଇ ପାରିବା ? ଜଳ ଅଛି ମାନେ ଆସନ୍ତାକାଲି ଜୀବନ ଅଛି, ଜଳ ହିଁ ତ ଜୀବନର ଆଧାର । ପୁରା ଦେଶରେ ଗୋଟାଏ ପରିବେଶ ସୃଷ୍ଟି ହେଇଛି । ବିଗତ ଦିନରେ ପ୍ରତ୍ୟେକ ରାଜ୍ୟରେ ଜଳ ସଞ୍ଚୟର ଅନେକ ପ୍ରକଳ୍ପ କରାଯାଇଛି । କିନ୍ତୁ ଏବେ ଯେହେତୁ ପାଣି ଆସିଛି ବର୍ଷା ରୂପରେ, ଦେଖନ୍ତୁ ଯେମିତି ଏ ପାଣି କୁଆଡ଼େ ଚାଲିନଯାଏ । ଜୀବନକୁ ବଞ୍ଚାଇବା ପାଇଁ ଯେତିକି ଚିନ୍ତା କରାଯାଉଛି, ପାଣି ବଞ୍ଚାଇବା ପାଇଁ ବି ସେତିକି ଚିନ୍ତା ହେବା ଦରକାର ।
ମୋର ପ୍ରିୟ ଦେଶବାସୀ ! ଆପଣ ତ ଜାଣନ୍ତି, 1922 ନମ୍ବର । ଇଏ ତ ଆପଣଙ୍କ ମନ ଭିତରେ ଛାପି ହେଇଯାଇଥିବ । 1922, ଉଣେଇଶ ବାଇଶ । ଏ 1922 ଏମିତି ଏକ ନମ୍ବର, ଯାହାକୁ ଆପଣ Missed Call କଲେ ଆପଣ ଚାହୁଁଥିବା ଭାଷାରେ ‘ମନ୍ କି ବାତ୍’କୁ ଶୁଣିପାରିବେ । ଆପଣଙ୍କ ସମୟ ସୁବିଧା ଅନୁସାରେ, ଆପଣଙ୍କ ଭାଷାରେ, ମନ୍ କି ବାତ୍ ଶୁଣି ଦେଶର ବିକାଶଯାତ୍ରାରେ ଯୋଗଦାନ କରିବା ପାଇଁ ଆପଣଙ୍କ ମନ ସ୍ଥିର କରିନିଅନ୍ତୁ ।
ସବୁ ଦେଶବାସୀଙ୍କୁ ବହୁତ-ବହୁତ ନମସ୍କାର । ଧନ୍ୟବାଦ ।
For the last few weeks we have got positive news about rainfall in various parts of the nation: PM @narendramodi #MannKiBaat
— PMO India (@PMOIndia) June 26, 2016
Like our farmers our scientists are working very hard and making our nation very proud: PM @narendramodi #MannKiBaat https://t.co/ORSt201yKG
— PMO India (@PMOIndia) June 26, 2016
Yesterday I was in Pune where I met college students who made one of the satellites that was launched along with others a few days ago: PM
— PMO India (@PMOIndia) June 26, 2016
This satellite signifies the skills and aspirations of the youth of India: PM @narendramodi #MannKiBaat https://t.co/ORSt201yKG
— PMO India (@PMOIndia) June 26, 2016
Similar work was done by students from Chennai: PM @narendramodi #MannKiBaat @isro #TransformingIndia https://t.co/ORSt201yKG
— PMO India (@PMOIndia) June 26, 2016
PM @narendramodi congratulates @isro during #MannKiBaat and lauds the efforts of the organisation.
— PMO India (@PMOIndia) June 26, 2016
'Beti Bachao, Beti Padhao' has touched so many lives. The results of the various examinations show how women are excelling: PM #MannKiBaat
— PMO India (@PMOIndia) June 26, 2016
The world marked #IDY2016 in a big way. So many people practiced Yoga, all over India and all over the world: PM @narendramodi #MannKiBaat
— PMO India (@PMOIndia) June 26, 2016
You would have seen postage stamps related to Yoga being released: PM @narendramodi #MannKiBaat https://t.co/ORSt201yKG
— PMO India (@PMOIndia) June 26, 2016
You would have seen postage stamps related to Yoga being released: PM @narendramodi #MannKiBaat https://t.co/ORSt201yKG
— PMO India (@PMOIndia) June 26, 2016
You would have seen Twitter joining Yoga Day celebrations through a special emoji: PM @narendramodi #MannKiBaat @TwitterIndia
— PMO India (@PMOIndia) June 26, 2016
Projections of Yoga on @UN building became popular: PM @narendramodi #MannKiBaat https://t.co/ORSt201yKG @AkbaruddinIndia @IndiaUNNewYork
— PMO India (@PMOIndia) June 26, 2016
We need to think about how Yoga can mitigate diabetes: PM @narendramodi during #MannKiBaat https://t.co/ORSt201yKG
— PMO India (@PMOIndia) June 26, 2016
Use #YogaFightsDiabetes and please share your experiences on how Yoga can help mitigate diabetes: PM @narendramodi #MannKiBaat
— PMO India (@PMOIndia) June 26, 2016
Very often #MannKiBaat is criticised but this is possible because we are in a democracy. Do you remember 25-26 June 1975: PM @narendramodi
— PMO India (@PMOIndia) June 26, 2016
Democracy is our strength and we will have to always make our democratic fabric stronger: PM @narendramodi #MannKiBaat
— PMO India (@PMOIndia) June 26, 2016
Jan Bhagidari is essential in a democracy: PM @narendramodi #MannKiBaat
— PMO India (@PMOIndia) June 26, 2016
PM @narendramodi is talking about 'Rate my Government' on MyGov. Hear. https://t.co/ORSt201yKG #MannKiBaat
— PMO India (@PMOIndia) June 26, 2016
There was a day when voice of people was trampled over but now, the people of India express their views how the Government is doing: PM
— PMO India (@PMOIndia) June 26, 2016
सरकार ने 30 सितम्बर तक अघोषित आय को घोषित करने के लिए विशेष सुविधा देश के सामने प्रस्तुत की है : PM @narendramodi #MannKiBaat
— PMO India (@PMOIndia) June 26, 2016
Yesterday I met Chandrakant Kulkarni and I specially wanted to meet him: PM @narendramodi #MannKiBaat https://t.co/ORSt201yKG
— PMO India (@PMOIndia) June 26, 2016
A retired government employee giving almost a third of his pension for a Swachh Bharat. What can be a greater inspiration: PM @narendramodi
— PMO India (@PMOIndia) June 26, 2016
#MyCleanIndia https://t.co/VmoKt6xfIc
— PMO India (@PMOIndia) June 26, 2016
एक-एक बूँद जल का बचाने के लिये हम कुछ-न-कुछ प्रयास करें : PM @narendramodi #MannKiBaat
— PMO India (@PMOIndia) June 26, 2016
जल है, तभी तो कल है, जल ही तो जीवन का आधार है : PM @narendramodi
— PMO India (@PMOIndia) June 26, 2016
1922...give a missed call and hear #MannKiBaat in your own language: PM @narendramodi
— PMO India (@PMOIndia) June 26, 2016