Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅକ୍ଟୋବର 24ରେ ଗୁଜରାଟରେ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24 ଅକ୍ଟୋବରରେ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବେ। ଗୁଜରାଟର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ‘କିସାନ ସୂର୍ଯ୍ୟୋଦୟ ଯୋଜନା’ର ଶୁଭାରମ୍ଭ କରିବେ। ସେ ମଧ୍ୟ ୟୁ.ଏନ ମେହଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସଚ୍ଚ ସେଣ୍ଟର ଠାରେ ଏକ ଶିଶୁ ହୃଦରୋଗ ଡାକ୍ତରଖାନାର ଉଦଘାଟନ କରିବେ।  ଏହାଛଡ଼ା ସେ ଅହମ୍ମଦାବାଦ ସହରାଞ୍ଚଳ ଡାକ୍ତରଖାନାରେ ଟେଲି କାର୍ଡିଓଲୋଜି ପାଇଁ ଏକ ମୋବାଇଲ ଆପ୍ଲିକେସନର ଉଦଘାଟନ କରିବେ। ସେ ଏହି ଅବସରରେ ଗିରନାରଠାରେ ଏକ ରୋପୱେର ଉଦଘାଟନ କରିଥିଲେ।

କିସାନ ସୂର୍ଯ୍ୟୋଦୟ ଯୋଜନା

ଜଳସେଚନ ପାଇଁ ଦୈନିକ ବିଦ୍ୟୁତ ଯୋଗାଣ ଲାଗି, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱରେ ଗୁଜରାଟ ସରକାରଙ୍କ ପକ୍ଷରୁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ, ଚାଷୀମାନଙ୍କୁ ଭୋର 5ଟାରୁ ରାତି 9ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏଥିପାଇଁ 3500 କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି। 2023 ସୁଦ୍ଧା ଏହି ଯୋଜନାରେ ବିଦ୍ୟୁତ ବିତରଣ ଭିତ୍ତିଭୂମି ନିର୍ମାଣ କରାଯିବ। ମୋଟ 3490 ସର୍କିଟ କିମି ଲମ୍ବ 234ଟି ‘66-କିଲୋୱାଟ’ ବିଦ୍ୟୁତ ସଞ୍ଚାର ଲାଇନ ଏହି ପ୍ରକଳ୍ପ ଅଧୀନରେ ସ୍ଥାପନ କରାଯିବ, ଏହାଛଡ଼ା  220 କେଭି ସବଷ୍ଟେସନ ସ୍ଥାପନ କରାଯିବାକୁ ଯୋଜନା କରାଯାଇଛି।

2020-21 ବର୍ଷରେ ଏହି ଯୋଜନା ଅନ୍ତର୍ଗତ ଦାହୋଡ଼, ପାଟନ, ମହିସାଗର, ପଞ୍ଚମହଲ, ଛୋଟା ଉଦେପୁର, ଖେଡ଼ା, ତାପି, ଭାଲସାଡ଼, ଆନନ୍ଦ ଏବଂ ଗିରସୋମନାଥକୁ ସାମିଲ କରାଯିବ। ଅବଶିଷ୍ଟ ଜିଲ୍ଲାଗୁଡ଼ିକୁ ପର୍ଯ୍ୟାୟକ୍ରମେ 2022-23 ସୁଦ୍ଧା ଏହି ଯୋଜନା ଅଧୀନରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ୟୁଏନ ମେହଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ସହ ସଂଯୁକ୍ତ ଶିଶୁ ହୃଦରୋଗ ଡାକ୍ତରଖାନା

ପ୍ରଧାନମନ୍ତ୍ରୀ ମଧ୍ୟ ୟୁଏନ ମେହଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ସହ ସଂଯୁକ୍ତ ଏକ ଶିଶୁ ହୃଦରୋଗ ଡାକ୍ତରଖାନା ଉଦଘାଟନ କରିବେ ଏବଂ ଅହମଦାବାଦ ସହରାଞ୍ଚଳ ଡାକ୍ତରଖାନାଠାରେ ଟେଲି-ହୃଦରୋଗ ଚିକିତ୍ସା ପରାମର୍ଶ ପାଇଁ ଏକ ମୋବାଇଲ ଆପ୍ଲିକେସନର ଉଦଘାଟନ କରିବେ। ୟୁ.ଏନ ମେହଟା ହୃଦରୋଗ ଚିକିତ୍ସା ହସ୍ପିଟାଲ ଏବେ ଭାରତର ସବୁଠୁ ବଡ଼ ହୃଦରୋଗ ଡାକ୍ତରଖାନା ହେବା ସହିତ ବିଶ୍ୱ ସ୍ତରୀୟ ଚିକିତ୍ସା ଭିତ୍ତିଭୂମି ଏବଂ ସୁବିଧା ଥିବା ବିଶ୍ୱର ହାତତଗଣତି ଡାକ୍ତରଖାନା ମଧ୍ୟରେ ସାମିଲ ହୋଇପାରିବ।

470 କୋଟି ଟଙ୍କା ବ୍ୟୟରେ ୟୁଏନ ମେହଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜିର ସମ୍ପ୍ରସାରଣ ଜାରି ରହିଛି। ଏହି ସମ୍ପ୍ରସାରଣ ପ୍ରକଳ୍ପ ଶେଷ ହେବା ପରେ ଏଠାରେ ଥିବା ଶଯ୍ୟା ସଂଖ୍ୟା 450ରୁ ବୃଦ୍ଧି ପାଇ 1251ରେ ପହଞ୍ଚିବ। କେବଳ ସୁପର ସ୍ପେଶାଲିଟି ହୃଦରୋଗ ଚିକିତ୍ସା ଶିକ୍ଷାଦାନ କ୍ଷେତ୍ରରେ ଏହା ଦେଶର ସବୁଠୁ ବଡ଼ ସଂସ୍ଥାନରେ ପରିଣତ ହେବା ସହିତ ବିଶ୍ୱର ସବୁଠୁ ବଡ଼ ସୁପର ସ୍ପେଶାଲିଟି ହୃଦରୋଗ ଚିକିତ୍ସା ଡାକ୍ତରଖାନାରେ ପରିଣତ ହେବ।

ଏହି ଅଟ୍ଟାଳିକାରେ ଭୂମିକମ୍ପ ନିରୋଧୀ ନିର୍ମାଣ ଶୈଳୀ, ଫାୟାର ଫାଇଟିଂ ହାଇଡ୍ରାଣ୍ଟ ସିଷ୍ଟମ ଏବଂ ଫାୟାର ମିଷ୍ଟ ସିଷ୍ଟମ ଭଳି ଅତ୍ୟାଧୁନିକ ନିରାପତ୍ତା ଶୈଳୀ ବ୍ୟବସ୍ଥା କରାଯାଇଛି। ଏହି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଭାରତର ପ୍ରଥମ ଅତ୍ୟାଧୁନିକ ଓ.ଟି. ସହିତ କାର୍ଡିଆଲ ଆଇସିୟୁ ଅନ ହ୍ବିଲ ବ୍ୟବସ୍ଥା ରହିବ, ଯେଉଁଥିରେ ଭେଣ୍ଟିଲେଟର, ଆଇଏବିପି, ହେମୋଡାୟଲିସିସ୍, ଇସିଏମଓ ଆଦିର ବ୍ୟବସ୍ଥା ରହିବ। ଏହି ଇନଷ୍ଟିଚ୍ୟୁଟରେ 14ଟି ଅସ୍ତ୍ରେପଚାର କେନ୍ଦ୍ର ଏବଂ 7ଟି କାର୍ଡିଆକ କ୍ୟାଥରଟାଇଜେସନ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ।

ଗିରନାର ରୋପୱେ

ପ୍ରଧାନମନ୍ତ୍ରୀ 24 ଅକ୍ଟୋବର, 2020ରେ ଗିରନାର ଠାରେ ଏକ ରୋପୱେର ଉଦଘାଟନ କରିବେ ଏଥିସହିତ ଗୁଜରାଟ ବିଶ୍ୱ ପର୍ଯ୍ୟଟନ ପରିଦୃଶ୍ୟରେ ପୁଣିଥରେ ଉଦଭାସିତ ହେବ। ପ୍ରାରମ୍ଭରେ 25-30 କ୍ୟାବିନ ବ୍ୟବସ୍ଥା ରହିବ, ପ୍ରତ୍ୟେକ କ୍ୟାବିନରେ 8 ଜଣ ଲେଖାଏଁ ଲୋକ ରହିବେ। ଏହି ରୋପୱେ ଜରିଆରେ 2.3 କିମି ଦୂରତାକୁ ମାତ୍ର 7.5 ମିନିଟରେ ପାର କରିହେବ। ଏହାଛଡ଼ା, ଏହି ରୋପୱେରୁ ଗିରନାର ପର୍ବତ ଚାରିପାଖରେ ରହିଥିବା ଘଞ୍ଚ ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିହେବ।

 

********