Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେବିନେଟର ଅନୁମୋଦନ : ଷ୍ଟାର୍ଟ ଅପ ମାନଙ୍କୁ ସହାୟତା ଲାଗି ଗଠନ ହେଲା 10,000 କୋଟି ଟଙ୍କାର ଏଫଏଫଏସ କର୍ପସ ପାଣ୍ଠି


ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (SIDBI) ଅଧିନରେ ଷ୍ଟାର୍ଟ ଅପ ମାନଙ୍କ ପାଇଁ ଫଣ୍ଡ ଅଫ ଫଣ୍ଡସ (ଏଫଏଫଏସ) ଗଠନ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଭାରତୀୟ ସିକ୍ୟୁରିଟି ଏବଂ ଏକ୍ସଚେଞ୍ଜ ବୋର୍ଡ (ସେବି) ଅଧିନରେ ପଞ୍ଜିକୃତ ବିକଳ୍ପ ପୁଞ୍ଜି ନିବେଶ ପାଣ୍ଠିକୁ ଏଥିରୁ ସହାୟତା ଦିଆଯିବ । ଭାରତ ସରକାରଙ୍କ ପକ୍ଷରୁ ଜାନୁଆରୀ ୨୦୧୬ରେ ଉନ୍ମୋଚିତ ଷ୍ଟାର୍ଟ ଅପ ଇଣ୍ଡିଆ କାର୍ଯ୍ୟାନ୍ୱୟନ ଯୋଜନା ଆଧାରରେ ଏହି ପାଣ୍ଠି ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏହି ଏଫଏଫଏସ କର୍ପସ ପାଣ୍ଠିର ମୋଟ ଆକାର ହେବ ଦଶ ହଜାର କୋଟି ଟଙ୍କା । ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଅର୍ଥ କମିଶନଙ୍କ ଅବଧି ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପାଣ୍ଠି ଯୋଗାଡ କରାଯିବ । ତେବେ କାର୍ଯ୍ୟ।ନ୍ୱୟନ ଯୋଜନାର ସଫଳତା ଏବଂ ପାଣ୍ଠିର ଉପଲବ୍ଧତା ଆଧାରରେ ଏହି ପାଣ୍ଠି ପରିଚାଳିତ ହେବ । ଇତି ମଧ୍ୟରେ କେନ୍ଦ୍ର ସରକାର ଏହି କର୍ପସ ପାଣ୍ଠି ପାଇଁ 2015-16 ବର୍ଷରେ 500 କୋଟି ଟଙ୍କା ଏବଂ ଚଳିତ 2016-17 ଆର୍ଥିକ ବର୍ଷ ପାଇଁ 600 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଷ୍ଟାର୍ଟ ଅପ ପାଣ୍ଠିର ଉପଯୋଗ ଦ୍ୱାରା 18 ଲକ୍ଷ ଲୋକଙ୍କ ପାଇଁ ପୂର୍ଣ୍ଣକାଳୀନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି ।

ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ବିକାଶ ବିଭାଗ (ଡିଆଇପିପି) ପକ୍ଷରୁ ଏଫଏଫଏସ ପାଣ୍ଠିକୁ ବଜେଟ ସହାୟତା ଗ୍ରାଣ୍ଟ ଆକାରରେ ଯୋଗାଇ ଦିଆଯିବ । ଶିଳ୍ପ ନୀତି ଓ ବିକାଶ ବିଭାଗ ଷ୍ଟାର୍ଟ ଅପ ଇଣ୍ଡିଆ କାର୍ଯ୍ୟ।ନ୍ୱୟନ ଯୋଜନାର କାର୍ଯ୍ୟ ଓ ଅଗ୍ରଗତିକୁ ସମୀକ୍ଷା ତଥା ତଦାରଖ କରିବ ।

ଏଫଏଫଏସ କର୍ପସ ପାଣ୍ଠିର ଦୈନନ୍ଦିନ କାର୍ଯ୍ୟ ପରିଚାଳନାକୁ ଅଧିକ ସୁସଂହତ କରିବା ନିମନ୍ତେ ସିଡବି ତାର ବୈଷୟିକ ସହାୟତା ଯୋଗାଇଦେବ । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଷ୍ଟାର୍ଟ ଅପ ଉଦ୍ୟୋଗଗୁଡିକର ସଫଳ ରୂପାୟନ ନେଇ ନିୟମିତ ଭାବେ ସିଡବି ଓ ଶିଳ୍ପ ନୀତି ଓ ବିକାଶ ବିଭାଗ ପକ୍ଷରୁ ତଦାରଖ କରାଯିବ ।

ଦେଶରେ ଷ୍ଟାର୍ଟ ଅପ ଉଦ୍ୟୋଗଗୁଡିକୁ କ୍ରମାଗତ ଭାବେ ପାଣ୍ଠିଗତ ସହାୟତା ଯୋଗାଇ ଦିଆଗଲେ ବ୍ୟାପକ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି 10,000 କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରକାରାନ୍ତରେ 60,000 କୋଟି ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ ।