Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚଣ୍ଡିଗଡର କେପିଟଲ କମ୍ପ୍ଲେକ୍ସଠାରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଚଣ୍ଡିଗଡର କେପିଟଲ କମ୍ପ୍ଲେକ୍ସଠାରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଚଣ୍ଡିଗଡର କେପିଟଲ କମ୍ପ୍ଲେକ୍ସଠାରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ବର୍ତ୍ତମାନ ଦେଶର ପ୍ରତ୍ୟେକ କୋଣରେ ଏହି ଯୋଗ କାର୍ଯ୍ୟକ୍ରମରେ ଲୋକେ ସାମିଲ ହୋଇଛନ୍ତି ଏବଂ ବିଶ୍ୱର ସମସ୍ତ ଦେଶ ନିଜ ନିଜ ସମୟର ସୁବିଧା ଅନୁସାରେ ଏହି କାର୍ଯ୍ୟକ୍ରମ ସହିତ ଜଡିତ ହୋଇଛନ୍ତି । ମିଳିତ ଜାତିସଂଘ ଦ୍ୱାରା ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି । ଭାରତର ଅନୁରୋଧ କ୍ରମେ ଗତ ବର୍ଷ ଏହାର ଆରମ୍ଭ ହୋଇଥିଲା । 21 ଜୁନ ତାରିଖକୁ ଏଥିପାଇଁ ପସନ୍ଦ କରାଗଲା, କାରଣ ଏକ ପ୍ରକାର ବିଶ୍ୱର ଅଧିକାଂଶ ଅଞ୍ଚଳରେ ଆଜିର ଦିନ ସବୁଠାରୁ ଦୀର୍ଘ ହୋଇଥାଏ ଏବଂ ଏକ ପ୍ରକାର ସୂର୍ଯ୍ୟଙ୍କର ନିକଟ ସମ୍ପର୍କର ପର୍ବ ହୋଇଥାଏ, ଏହାକୁ ଦୃଷ୍ଟିରେ ରଖି 21 ଜୁନ ଦିନଟିକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପସନ୍ଦ କରାଯାଇଛି । ସମଗ୍ର ବିଶ୍ୱର ସମର୍ଥନ ପ୍ରାପ୍ତ ହେଲା, ବିକଶିତ ଦେଶ ହୁଅନ୍ତୁ, ବିକାଶଶୀଳ ଦେଶ ହୁଅନ୍ତୁ, ସମାଜର ପ୍ରତ୍ୟେକ ଶ୍ରେଣୀର ସମର୍ଥନ ପ୍ରାପ୍ତ ହେଲା ।

ମିଳିତ ଜାତିସଂଘ ଦ୍ୱାରା ଏମିତି ଅନେକ ଆନ୍ତର୍ଜାତିକ ଦିବସ ପାଳନ କରାଯାଇଥାଏ । ମୁଁ ସବୁଗୁଡିକର ଉଲ୍ଲେଖ କରୁନାହିଁ, କିନ୍ତୁ ହୁଏତ ମିଳିତ ଜାତିସଂଘ ଦ୍ୱାରା ପାଳନ କରାଯାଉଥିବା ଏତେଗୁଡିଏ ଦିବସ ମଧ୍ୟରୁ କୌଣସି ଦିବସ ଜନ ଆନ୍ଦୋଳନ ପାଲଟି ଯାଇଛି . . . ବିଶ୍ୱର ପ୍ରତ୍ୟେକ କୋଣରେ ଯାହାକୁ ସମର୍ଥନ ଏବଂ ସ୍ୱୀକୃତି ମିଳୁଥାଏ, ହୁଏତ ଆନ୍ତର୍ଜାତିକ ଯୋଗ ଦିବସର ସମକକ୍ଷ କୌଣସି ଦିବସ ହୋଇପାରୁ ନାହିଁ, ତାହା ପୁଣି ଗୋଟିଏ ବର୍ଷ ମଧ୍ୟରେ ।

ଅନେକ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ କର୍କଟ ଦିବସ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ବୟସ୍କ ଦିବସ ଆଦି ଅନେକ ଦିବସ ପାଳନ ହେଉଥାଏ । ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ମିଳିତ ଜାତିସଂଘ ଦ୍ୱାରା ଅନେକ ଦିନ, ଦିବସ ପାଳନ କରାଯାଇଥାଏ । କିନ୍ତୁ ଏହି ଗୋଟିଏ ଦିବସ ଯାହାର ସ୍ୱାସ୍ଥ୍ୟ ସହିତ ତ ସିଧା ସମ୍ପର୍କ ରହିଛି ତା ଛଡା ଶାରୀରିକ-ମାନସିକ-ସାମାଜିକ ସ୍ୱାସ୍ଥ୍ୟ ସହିତ ମଧ୍ୟ ସମ୍ପର୍କ ରହିଛି । ସେହି ଯୋଗ ଆଜି ବହୁତ ବଡ ସ୍ତରରେ ଜନସାଧାରଣଙ୍କ ଆନ୍ଦୋଳନ ପାଲଟିଛି । ମୋ ମତରେ ଆମ ପୂର୍ବପୁରୁଷମାନେ ଆମକୁ ଯାହା ଉତ୍ତରାଧିକାର ସୂତ୍ରରେ ଦେଇଛନ୍ତି, ଏହି ଉତ୍ତରାଧିକାରର ଶକ୍ତି କଣ ? ଏହି ଉତ୍ତରାଧିକାରର ପରିଚୟ କଣ ? ଏହାର ପରିଚୟ କରାଇବା ।

ବେଳେ ବେଳେ ମୁଁ କହେ ଯେ, ଯୋଗାସନ ଏକ ପ୍ରକାର ଜୀବନ ଅନୁଶାସନର ପଦ୍ଧତି ମଧ୍ୟ ପାଲଟି ଯାଏ । ବେଳେ ବେଳେ ନିଜର ବୁଝିବା କ୍ଷମତା ଅଭାବରୁ ଲୋକେ ଏହାକୁ ସଂପୂର୍ଣ୍ଣ ରୂପେ ବୁଝିପାରନ୍ତି ନାହିଁ । ବେଳେ ବେଳେ ଲୋକଙ୍କୁ ଲାଗେ ଯେ, ଯୋଗରୁ କଣ ମିଳିବ ? ଏହି ସମ୍ପୂର୍ଣ୍ଣ ବିଜ୍ଞାନ ପାଇବା ପାଇଁ ଉଦ୍ଦିଷ୍ଟ ନୁହେଁ । ଯୋଗ, କଣ ମିଳିବ, ସେଥିପାଇଁ ହୋଇନାହିଁ । ଯୋଗ ଏଥିପାଇଁ ଯେ, ମୁଁ କଣ ଛାଡିପାରିବି, ମୁଁ କଣ ଦେଇପାରିବି, ମୁଁ କେଉଁ କେଉଁ ଜିନିଷରୁ ମୁକ୍ତ ହୋଇପାରିବି, ଏହା ମୁକ୍ତିର ମାର୍ଗ, ପାଇବାର ମାର୍ଗ ନୁହେଁ ।

ସବୁ ସଂପ୍ରଦାୟ, ଧର୍ମ, ଭକ୍ତି, ପୂଜା-ଅର୍ଚ୍ଚନା ଏହି କଥା ଉପରେ ଗୁରୁତ୍ୱ ଦିଅନ୍ତି ଯେ, ମୃତ୍ୟୁ ପରେ ଯେତେବେଳେ ଇହଧାମ ତ୍ୟାଗ କରି ପରଲୋକକୁ ଗମନ କରିବ ତେବେ ଆପଣଙ୍କୁ କଣ ମିଳିବ । ଆପଣ ଯଦି ଏହି ପ୍ରକାର ପୂଜା ଅର୍ଚ୍ଚନା କରିବେ, ଈଶ୍ୱରଙ୍କ ସାଧନା ଆରାଧନା କରିବେ ତା ହେଲେ ପରଲୋକରେ ଆପଣଙ୍କୁ ଏହିସବୁ ମିଳିବ । ଯୋଗ ପରଲୋକ ପାଇଁ ଉଦ୍ଦିଷ୍ଟ ନୁହେଁ । ମୃତ୍ୟୁ ପରେ କଣ ମିଳିବ ଏହାର ବାଟ ଯୋଗ ଦେଖାଏ ନାହିଁ । ତେଣୁ ଏହା ଧାର୍ମିକ କର୍ମକାଣ୍ଡ ନୁହେଁ । ଯୋଗ ଇହଲୋକରେ ତୁମ ମନ କିଭଳି ଶାନ୍ତି ଲାଭ କରିପାରିବ, ଶରୀର କିଭଳି ସ୍ୱାସ୍ଥ୍ୟଲାଭ କରିପାରିବ, ସମାଜ କିଭଳି ଗୋଟିଏ ସୂତ୍ରରେ ବାନ୍ଧି ହୋଇ ରହିପାରିବ ଏହାପାଇଁ ଶକ୍ତି ଯୋଗାଏ । ଏହା ପରଲୋକର ବିଜ୍ଞାନ ନୁହେଁ, ଇହଲୋକର ବିଜ୍ଞାନ । ଏହି ଜନ୍ମରେ କଣ ମିଳିବ ତାହାରି ବିଜ୍ଞାନ ।

ଯୋଗ ମାଧ୍ୟମରେ ଶରୀର, ମନ, ବୁଦ୍ଧି, ଆତ୍ମା ଏ ସବୁର ତାଳମେଳରେ କାମ କରନ୍ତି, ଏହାର ଗୋଟିଏ ତାଲିମ ଯୋଗଦ୍ୱାରା ହୋଇଥାଏ । ନିଜ ଆଡକୁ ଦେଖିଲେ ଆମକୁ ଲାଗିପାରେ ଯେ, ଆମେ ଚାଲିବା କି ନ ଚାଲିବା, ଆମେ ସ୍ଫୂର୍ତିବାଦ ହୋଇପାରୁ କିମ୍ବା ଅଳସୁଆ, ହାଲିଆ ହୋଇଥାଉ କିମ୍ବା ସତେଜ । ଆମ ଶରୀର କିଛି ବି ହୋଇପାରେ ଢ଼ିଲା-ଢ଼ାଲା ସେମିତି । ଛାଡ ବନ୍ଧୁ, ସେ ପଟେ କୁଆଡେ ଯିବ, ବସୁନ । କିନ୍ତୁ ମନ, ମନ କେବେହେଲେ ସ୍ଥିର ରହେନା । ସେ ତ ଚାରିଆଡେ ଘୂରି ବୁଲିଥାଏ । ଏଠି ବସିଛନ୍ତି ଆଉ ଆପଣଙ୍କୁ ଅମୃତସର କଥା ମନେ ପଡିଗଲେ, ସେଠାକୁ ଚାଲିଗଲେ । ଆନନ୍ଦପୁର ସାହେବ କଥା ମନେ ପଡିଗଲେ ସେଠିକି ଚାଲିଗଲେ । ମୁମ୍ବାଇ ମନେ ପଡିଲେ, ସେଠିକୁ ଚାଲିଗଲେ । କୌଣସି ବନ୍ଧୁଙ୍କ କଥା ମନେ ପଡିଗଲେ ମନ ସେଠାକୁ ଚାଲିଯାଏ । ମନ ଅସ୍ଥିର କିନ୍ତୁ ଶରୀର ସ୍ଥିର ଥାଏ । ତାହା ଯୋଗ ଯାହା ଆମକୁ ଶିଖାଏ ମନକୁ କେମିତି ସ୍ଥିର ରଖିବ ଏବଂ ଶରୀର କେମିତି ଗତିଶୀଳ ହୋଇପାରିବ । ଅର୍ଥାତ୍ ଆମର ମୌଳିକ ପ୍ରକୃତିରେ ପରିବର୍ତ୍ତନ ଆଣିବାର କାର୍ଯ୍ୟ ଯୋଗ ଦ୍ୱାରା ହୋଇଥାଏ । ଯାହାଦ୍ୱାରା ମନର ସ୍ଥିରତାର ତାଲିମ ମିଳିବ ଏବଂ ଶରୀରକୁ ଗତିଶୀଳ କରିବାର ତାଲିମ । ଯଦି ଏହା ସନ୍ତୁଳିତ ହୋଇଯାଏ ତେବେ ଜୀବନରେ ଈଶ୍ୱରବତ ଆମର ଏହି ଶରୀର ଆମର ସମସ୍ତ ସଂକଳ୍ପର ପୂର୍ତ୍ତି ପାଇଁ ଗୋଟିଏ ଉତ୍ତମ ମାଧ୍ୟମ ହୋଇପାରେ ।

ଏହି ଅର୍ଥରେ ଯୋଗ ଆସ୍ତିକ ଏବଂ ନାସ୍ତିକ ଉଭୟଙ୍କ ପାଇଁ ଉଦ୍ଦିଷ୍ଟ । ଶୂନ ବଜେଟରେ ପୃଥିବୀର କୌଣସି ଜାଗାରେ ସ୍ୱାସ୍ଥ୍ୟ ବୀମା ହୁଏ ନାହିଁ, କିନ୍ତୁ ଯୋଗ ହିଁ ଶୂନ ବଜେଟରେ ସ୍ୱାସ୍ଥ୍ୟ ବୀମା ଦେଇଥାଏ । ଯୋଗରେ ଧନୀ-ଦରିଦ୍ରର ଭେଦଭାବ ନାହିଁ । ପାଠୁଆ-ଅପାଠୁଆର ଭେଦଭାବ ନାହିଁ । ଗରିବରୁ ଗରିବ ଲେକ ଏବଂ ଧନୀରୁ ଧନୀ ଲୋକ ମଧ୍ୟ ସହଜରେ ଯୋଗ କରିପାରେ । କୌଣସି ଜିନିଷର ଆବଶ୍ୟକତା ନାହିଁ । ମାତ୍ର ହାତ ପ୍ରସାରିତ କରିବାକୁ ଜାଗା ଟିକିଏ ମିଳିଗଲେ ସେ ଯୋଗ କରିପାରିବ ଏବଂ ନିଜ ଦେହ ମନକୁ ସୁସ୍ଥ ରଖିପାରିବ ।

ଭାରତ ଭଳି ଗରିବ ଦେଶ ବିଶ୍ୱର ଗରିବ ଦେଶମାନେ, ବିକାଶଶୀଳ ଦେଶ, ସେମାନଙ୍କର ସ୍ୱାସ୍ଥ୍ୟ ବଜେଟ୍ . . . ଯଦି ପ୍ରତିଷେଧକ ସ୍ୱାସ୍ଥ୍ୟ ଯତ୍ନ ପଥରେ ଗୁରୁତ୍ୱ ଦିଆଯାଏ ତେବେ ଅନେକ ସଂଚୟ ମଧ୍ୟ କରି ହେବ ଏବଂ ଠିକ୍ କାମରେ ଲଗାଯାଇପାରିବ । ତେଣୁ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ଯତ୍ନର ଯେତେସବୁ ଉପାୟ ରହିଛି ସେଥି ମଧ୍ୟରୁ ଯୋଗ ଗୋଟିଏ ସରଳ, ଶସ୍ତା ଏବଂ ସମସ୍ତଙ୍କୁ ଉପଲବ୍ଧ ହୋଇପାରିବା ଭଳି ମାର୍ଗ ।

ଯୋଗକୁ ଜୀବନ ସହ ସଂଯୁକ୍ତ କରାଯିବା ଆବଶ୍ୟକ । ଅନେକ ଲୋକ ଥିବେ, ଯଦି ଆଜି ଶୀଘ୍ର ଉଠି ପଡିଥିବେ ତେବେ ହୁଏତ ଟିଭିରେ ଦେଖିଥିବେ କିମ୍ବା ଦିନରେ ଯେ କୌଣସି ସମୟରେ ଟିଭିରେ ତାଙ୍କୁ ଏହି କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ମିଳିପାରେ । ମୁଁ ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରାର୍ଥନା କରୁଛି ଯେ, ଆପଣ ନିଜ ପାଇଁ, ନିଜ ସହ ଯୋଡି ହେବା ପାଇଁ, ନିଜକୁ ଚିହ୍ନିବା ପାଇଁ, ନିଜର କ୍ଷମତା ବୃଦ୍ଧି କରିବା ପାଇଁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଅପେକ୍ଷା କରନ୍ତୁନି । ଏହି ଜୀବନରେ ଯୋଗକୁ ଜୀବନର ଅଂଶ କରିଦିଅନ୍ତୁ । ଯେମିତି ମୋବାଇଲ ଫୋନ ଆଦି ଆପଣଙ୍କର ଜୀବନର ଅଂଶ ପାଲଟି ଯାଇଛି, ସେତିକି ସହଜ ଭାବରେ ଆପଣ ଯୋଗକୁ ନିଜ ଜୀବନର ଅଂଶ କରିଦିଅନ୍ତୁ । କୌଣସି କଷ୍ଟକର କାର୍ଯ୍ୟ ନୁହେଁ, ଏହାକୁ ସହଜତା ଆଡକୁ ନେଇଯିବାର ଆବଶ୍ୟକତା ରହିଛି ।

ବେଳେବେଳେ ଆମେ ଯେତେବେଳେ ଯୋଗ ସମ୍ପର୍କରେ ଆଲୋଚନା କରୁ ସେତେବେଳେ…….. ବ୍ରାଜିଲରେ ଜଣେ ଧାର୍ମିକ ମିତ୍ର ଯୋଗୀ ହୋଇଗଲେ । ସେ ଦାବି କରୁଥିଲେ ଯେ, ଯୋଗରେ 1008 ପ୍ରକାର ଆସନ ରହିଛି । 1008 ଏବଂ ସେ ପ୍ରଚେଷ୍ଟା କରି 908 ଟି ଆସନର ସେ କ୍ରିୟାଗୁଡିକର ଫଟୋ ଉଠାଇଥିଲେ । ବ୍ରାଜିଲରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ଯୋଗ ପାଇଁ ନିଜକୁ ସମର୍ପି ଦେଇଥିଲେ । ବିଶ୍ୱର ପ୍ରତ୍ୟେକ ଭାଗରେ ଆଜି ଯୋଗ ସମ୍ମାନର ବିଜୟ ହୋଇଛି । ଯେତେବେଳେ ଯୋଗର ଆକର୍ଷଣ ଥିବ, ଯୋଗର ସମ୍ମାନ ଥିବ ସେତେବେଳେ ସେହି ମହାପୁରୁଷମାନଙ୍କ, ମୁନିଋଷିମାନଙ୍କ ପ୍ରଦତ୍ତ ଏହି ବିଜ୍ଞାନକୁ ଏହାର ପ୍ରକୃତ ସ୍ଵରୂପରେ ବିଶ୍ୱବାସୀଙ୍କ ନିକଟକୁ ପହଂଚାଇବା ଆମ କର୍ତ୍ତବ୍ୟ । ଆମକୁ ଆମ କ୍ଷମତା ନିର୍ମାଣ କରିବାକୁ ହେବ । ଭାରତରୁ ଉତ୍ତମରୁ ଉତ୍ତମ ଯୋଗ ଶିକ୍ଷକ ପ୍ରସ୍ତୁତ ହୁଅନ୍ତୁ ।

ନିକଟ ଅତୀତରେ ଭାରତ ସରକାର ଗୁଣବତ୍ତା ପାଇଁ ରହିଥିବା ମାନାଙ୍କ ମାଧ୍ୟମରେ ଯୋଗର ତାଲିମ କିଭଳି ହେବା ଦରକାର, ଯୋଗ ତାଲିମଦାତା କିଭଳି ହେବା ଦରକାର ସେଥିପାଇଁ କିଛି ସର୍ତ୍ତ ସ୍ଥିର କରିବା ଦିଗରେ କିଛି କାର୍ଯ୍ୟ କରିଛନ୍ତି । ଭାରତ ସରକାର ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ସହ ମିଶି ସମଗ୍ର ବିଶ୍ୱରେ ଯୋଗର ପ୍ରୋଟୋକଲ କଣ ହେବା ଉଚିତ, ବୈଜ୍ଞାନିକ ପ୍ରଣାଳୀ କଣ ହୋଇପାରେ ତାହା ଉପରେ କାମ ଆରମ୍ଭ କରିଛନ୍ତି । ସମଗ୍ର ଦେଶରେ ଯୋଗକୁ ପ୍ରୋତ୍ସାହିତ କରିବା ପଇଁ କିଭଳି ବ୍ୟବସ୍ଥା ହେବା ଉଚିତ । ବିଶ୍ୱରେ ଯୋଗର ପ୍ରକୃତ ରୂପ କିଭଳି ପହଂଚିପାରିବ, ଏହାର ଶୁଦ୍ଧତାକୁ ବଜାୟ ରଖିବା ଦିଗରେ କଣ କରାଯାଇପାରେ ଏହା ଉପରେ କାମ ଚାଲିଛି । ନୂଆ ନୂଆ ସମ୍ବଳର ମଧ୍ୟ ଆବଶ୍ୟକତା ରହିଛି ।

ଆପଣମାନେ ଲକ୍ଷ୍ୟ କରିଥିବେ, ଆଜିକାଲି ବଡ ବଡ ସହରମାନଙ୍କରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରମାନେ ଗର୍ଭବତୀ ସ୍ତ୍ରୀମାନଙ୍କୁ ଗର୍ଭଧାରଣ ସମୟରେ ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି । ଯୋଗ ତାଲିମଦାତାଙ୍କ ପାଖକୁ ପଠାଉଛନ୍ତି ଯାହା ଫଳରେ ପ୍ରସବ ସମୟରେ ତାକୁ ସେହି ସବୁ ଯୋଗିକ କ୍ରିୟା ସାହାଯ୍ୟକାରୀ ହେଉଛି । କହିବାର ତାତ୍ପର୍ଯ୍ୟ ହେଲା ଯେ, ଯେମିତି ଯେମିତି ସମୟ ବଢ଼ି ଚାଲିଛି ସେଥିରେ ଯାହା କିଛି ଆବଶ୍ୟକତା ରହିଛି, ସଂଶୋଧନ କରି ସେଥିରେ ପରିବର୍ତ୍ତନ ପାଇଁ ଏହା ଆବଶ୍ୟକ ହୋଇଥାଏ ।

ଆମେ ବହୁତ ବ୍ୟସ୍ତ ହୋଇଯାଇଛୁ । ନିଜ ସହିତ, ନିଜ ଲୋକଙ୍କୁ ଯୋଡି ପାରୁନୁ, ନା ଆମେ ନିଜେ ନିଜ ସହ ବଂଚିପାରୁଛୁ । ନିଜ ସହ ଆମ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି । ଯୋଗ ଅନ୍ୟ କାହା ସହିତ ଯୋଡୁ ନ ଯୋଡୁ ନିଜକୁ ନିଜ ସହିତ ଯୋଡିଥାଏ । ସେଥିପାଇଁ ଯୋଗ ଆମ ପାଇଁ ଶାରୀରିକ, ଆଧ୍ୟାତ୍ମିକ ଏବଂ ସାମାଜିକ ଚେତନାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ଯୋଗ ଶାରୀରିକ ସ୍ୱାସ୍ଥ୍ୟ ଦିଏ, ଆଧ୍ୟାତ୍ମିକ ଅନୁଭୂତି ପାଇଁ ବାଟ ଫିଟାଇ ପାରେ ଏବଂ ସମାଜ ସହ ସନ୍ତୁଳିତ ବ୍ୟବହାର ପାଇଁ ଆମକୁ ଶିକ୍ଷା ଦିଏ । ତେଣୁ ମୁଁ ଚାହୁଁଛି ଯେ, ଯୋଗକୁ ବିବାଦ ମଧ୍ୟକୁ ନ ଟାଣି, ଜନସାଧାରଣଙ୍କ ହିତ ପାଇଁ, ପରଲୋକର ସେବା ପାଇଁ ନୁହେଁ ବରଂ ଇହଲୋକର ସେବା ପାଇଁ ଉପଯୋଗ କରିବା ଆବଶ୍ୟକ । ପରଲୋକ ପାଇଁ ସମ୍ପ୍ରଦାୟ ରହିଛି, ଧର୍ମ ରହିଛି, ପରମ୍ପରା ରହିଛି, ଗୁରୁ ମହାରାଜ ଅଛି, ବହୁ କିଛି ଅଛି । ଯୋଗ ଇହଲୋକ ପାଇଁ, କ୍ଷମତା ବୃଦ୍ଧି ପାଇଁ ନୁହେଁ, ତେଣୁ ଆମେ ନିଜକୁ ଯୋଗ ସହିତ ଯୋଡିବା । ସମସ୍ତେ ନିଜକୁ ଯୋଗ ପାଇଁ ସମର୍ପିତ କରିପାରିବେନି । କିନ୍ତୁ ନିଜ ସହ ଯୋଡି ହେବା ପାଇଁ ଯୋଗ ସହ ଯୋଡି ହେବା ଗୋଟିଏ ଉତ୍ତମ ମାର୍ଗ । ଆମେ ଏହି ଦିଗରେ ଅଗ୍ରସର ହେବୁ ବୋଲି ମୋର ବିଶ୍ୱାସ ।

ଯୋଗ ଆଜି ବିଶ୍ୱରେ ଗୋଟିଏ ବହୁତ ବଡ ଆର୍ଥିକ କାରବାର ମଧ୍ୟ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଗୋଟିଏ ବହୁତ ବଡ ପେଶା ରୂପେ ବିବେଚିତ ହେବାରେ ଲାଗିଛି । ବିଶ୍ୱରେ ଯୋଗ ତାଲିମଦାତାମାନଙ୍କ ଚାହିଦା ବଢ଼ିବାରେ ଲାଗିଛି । ବିଶ୍ୱର ପ୍ରତ୍ୟେକ ଦେଶରେ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହେଉଛି । ଯୋଗ ନାମକ ବ୍ୟବସ୍ଥା ସହିତ କୋଟି କୋଟି ଟଙ୍କାର କାରବାର ବୃଦ୍ଧି ପାଉଛି । ବିଶ୍ୱରେ ଏଭଳି ଅନେକ ଦେଶ ଅଛନ୍ତି ଯେଉଁଠାରେ ଏଭଳି ଟିଭି ଚ୍ୟାନେଲ ଚାଲିଛି ଯାହା ଶତ ପ୍ରତିଶତ ଯୋଗ ପାଇଁ ସମର୍ପିତ । ଏହା ଗୋଟିଏ ବହୁତ ବଡ କାରବାର ରୂପରେ ମଧ୍ୟ ବିକଶିତ ହେଉଛି ।

ଆଜି ଆମେ ସବୁ ପ୍ରକାରର ଯୋଗ କରୁଛୁ । ମୁଁ ଯୋଗ ସହିତ ସଂଯୁକ୍ତ ସମସ୍ତ ମହାନୁଭାବଙ୍କୁ ଆଜି ଏହି ସାର୍ବଜନୀନ ମଂଚରୁ ଗୋଟିଏ ପ୍ରାର୍ଥନା କରିବାକୁ ଚାହୁଁଛି । ଏହା ମୋର ଅନୁରୋଧ । ଆସନ୍ତା ବର୍ଷ ଯେତେବେଳେ ଆମେ ଯୋଗ ଦିବସ ପାଳନ କରିବା ଏହି ବର୍ଷକ ମଧ୍ୟରେ ଆମେ ଯୋଗ ପାଇଁ ତ ଯାହା କରିବା କଥା କରିବା । କିନ୍ତୁ ଗୋଟିଏ ବିଷୟ ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରିପାରିବା କି ? ଏବଂ ମୋର ସେହି ବିଷୟ ହେଲା – ମଧୁମେହ, ଡାୟାବେଟିସ୍ । ଡାୟାବେଟିସ୍ ଯୋଗ । ଯୋଗର ଦୁନିଆ ସହ ସଂପୃକ୍ତ ସମସ୍ତ ଲୋକ ସେମାନଙ୍କ ପାଖରେ ଯାହା ଜ୍ଞାନ ଅଛି, ଯାହା ଉପାୟ ଅଛି… ବର୍ଷ ତମାମ ଅନ୍ୟ ସବୁ କିଛି ତ ଚାଲିବ, କିନ୍ତୁ ଏହା ପ୍ରମୁଖ ହେବ । ଭାରତର ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯୋଗ ଦ୍ୱାରା ମଧୁମେହରୁ ମୁକ୍ତି ମିଳୁ ନ ମିଳୁ କିନ୍ତୁ ଏହାକୁ ନିୟନ୍ତ୍ରଣ ତ କରାଯାଇ ପାରିବ । ସାଧାରଣ ଲୋକଙ୍କୁ ମଧୁମେହ ପରିସ୍ଥିତିରେ ଯୋଗର କି ଉପାୟ ଅବଲମ୍ବନ କରିବାକୁ ହେବ ଏହା ଶିଖାଇବା ପାଇଁ ଜନ ଆନ୍ଦୋଳନ ସୃଷ୍ଟି କରିପାରିବା କି ? ମଧୁମେହ ଯୋଗୁ ହେଉଥିବା ଅସୁବିଧାରୁ ଯଦି କିଛି ଭାଗ ଲୋକଙ୍କୁ ବି ଆମେ ମୁକ୍ତ କରାଇପାରିଲୁ ତେବେ ତାହା ଏ ବର୍ଷର ଉପଲବ୍ଧି ହେବ । ଆସନ୍ତା ବର୍ଷ କୌଣସି ଅନ୍ୟ ରୋଗକୁ ଧରିବା । ହେଲେ ମୁଁ ଚାହୁଁଛି ଯେ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯେ କୌଣସି ରୋଗକୁ ନେଇ ଏକ ବର୍ଷ ପାଇଁ ଆନ୍ଦୋଳନ ଚଳାଇବା ।

ଦ୍ୱିତୀୟରେ ଯୋଗ – ଏହା କେବଳ ଯେ ରୋଗରୁ ମୁକ୍ତିର ମାର୍ଗ ତାହା ନୁହେଁ ଯୋଗ ୱେଲନେସ୍ ର ଗ୍ୟାରେଂଟି ଅଟେ । ଏହା କେବଳ ଫିଟ୍ନେସର ନୁହେଁ, ୱେଲନେସର ଗ୍ୟାରେଂଟି । ସେଥିପାଇଁ ଆମେ ୱେଲନେସ ଉପରେ ମଧ୍ୟ. . . । ଜୀବନକୁ ଯଦି ସର୍ବାଙ୍ଗୀନ ବିକାଶ ଦିଗକୁ ନେଇଯିବାର ଅଛି ତାହେଲେ ଏହା ତାର ଉତ୍ତମ ମାର୍ଗ । ଆଜି ଆନ୍ତର୍ଜାତିକ ଯୋଗର ଦିବସ ପାଳନର ଦ୍ୱିତୀୟ ବର୍ଷ । ବିଶ୍ୱକୁ ଏହା ଭାରତର ଏକ ଅମୂଲ୍ୟ ଦାନ । ବିଶ୍ୱ ଆଜି ଏହାକୁ ନିଜ ନିଜ ଢ଼ଙ୍ଗରେ ସ୍ୱୀକାର କରିଛି । ଏହି ସମୟରେ ଭାରତ ସରକାର ତରଫରୁ ମୁଁ ଆଜି ଦୁଇଟି ପୁରସ୍କାର ସମ୍ପର୍କରେ ଘୋଷଣା କରିବାକୁ ଯାଉଛି । ଆସନ୍ତା ବର୍ଷ ଯେତେବେଳେ 21 ଜୁନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ ସେତେବେଳେ ଭାରତ ପକ୍ଷରୁ ଏହି ଦୁଇଟି ପୁରସ୍କାର ପାଇଁ ଚୟନ ହେବ । ତାଙ୍କୁ ସେହି ଉତ୍ସବରେ ପୁରସ୍କୃତ କରାଯିବ । ଗୋଟିଏ ଆନ୍ତର୍ଜାତିକ ସ୍ତରରେ ଯୋଗ ଉପରେ ଉତ୍ତମ କାର୍ଯ୍ୟ ପାଇଁ, ଅନ୍ୟଟି ଭାରତ ମଧ୍ୟରେ ଯୋଗ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କାର । ଗୋଟିଏ ଆନ୍ତର୍ଜାତିକ ଯୋଗ ପୁରସ୍କାର, ଗୋଟିଏ ଜାତୀୟ ଯୋଗ ପୁରସ୍କାର ।

ବ୍ୟକ୍ତି, ସଂସ୍ଥା ସମସ୍ତେ ଏଥିରେ ସାମିଲ ହୋଇପାରିବେ । ଏହାର ବିଶେଷଜ୍ଞ ସମିତି ଏହାପାଇଁ ନିୟମ ପ୍ରଣୟନ କରିବେ, ଚୟନ ପ୍ରଣାଳୀ ପ୍ରସ୍ତୁତ କରିବେ, ବିଚାରକମଣ୍ଡଳୀ ସ୍ଥିର କରିବ । କିନ୍ତୁ ବିଶ୍ୱରେ ଯେମିତି ଅନେକ ଅନେକ ଗ୍ଲୋବାଲ ପୁରସ୍କାର ପାଇଁ ପ୍ରଶଂସା ଅଜାଡି ହୋଇପଡେ, ଯେମିତି ତାହା ସ୍ମରଣୀୟ ହୋଇଗଲେ ତାହାର ଗୋଟିଏ ସ୍ୱତନ୍ତ୍ର ମର୍ଯ୍ୟାଦା ଥାଏ । ଭାରତ ଚାହେଁ ଯେ, ବିଶ୍ୱର ଲୋକ ଯିଏ ଯୋଗ ସହ ସଂଶ୍ଳିଷ୍ଟ ହୋଇଛନ୍ତି, ଭାରତ ସେମାନଙ୍କୁ ସମ୍ମାନିତ କରୁ । ଭାରତରେ ଯେଉଁମାନେ ଯୋଗ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରୁ । ଏହି ପରମ୍ପରାକୁ ଆମେ ଆଗେଇ ନେବା । ଧୀରେ ଧୀରେ ଏହାକୁ ଆମେ ରାଜ୍ୟ ଏବଂ ଜିଲ୍ଲାସ୍ତରକୁ ମଧ୍ୟ ନେଇଯାଇ ପାରିବା । ସେ ଦିଗରେ କାର୍ଯ୍ୟ କରିବା ପାଇଁ ଆମେ ଚେଷ୍ଟାରତ ।

ଭାରତ ଏହି ମହାନ ପରମ୍ପରାକୁ ସମ୍ମାନିତ କରିଥିବା ଯୋଗୁ, ସ୍ୱୀକାର କରିଥିବା ଯୋଗୁ, ଭାରତର ଏହି ମହାନ୍ ପରମ୍ପରା ସହ ସଂଯୁକ୍ତ ହେବା ପାଇଁ ମୁଁ ପୁଣି ଥରେ ଅନ୍ତରରୁ ବିଶ୍ୱ ପ୍ରତି କୃତଜ୍ଞତା ଜଣାଉଛି । ମୁଁ ମିଳିତ ଜାତିସଂଘକୁ କୃତଜ୍ଞତା ଜ୍ଞାପନ କରୁଛି । ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ଯୋଗ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଯୋଗ ପ୍ରତି ସମର୍ପିତ ସବୁ ପିଢ଼ିର ଲୋକଙ୍କୁ କୃତଜ୍ଞତା ଜଣାଉଛି ଯେଉଁମାନେ ଏହି ପରମ୍ପରାକୁ ଜାରି ରଖିଛନ୍ତି ଏବଂ ଆଜି ମଧ୍ୟ ସମର୍ପଣର ଭାବନା ସହ ଯୋଗର ଏହି ପରମ୍ପରାକୁ ଆଗେଇ ନେଉଛନ୍ତି । ଆଉ ଯାହା ମୁଁ କହିଲି ଯେ ଶୂନ ବଜେଟରେ ଏହି ସ୍ୱାସ୍ଥ୍ୟ ବୀମାକୁ ଆମେ ଗୋଟିଏ ନୂତନ ଶକ୍ତି ଦେବା ନୂଆ ପ୍ରେରଣା ପ୍ରଦାନ କରିବା ।

ମୁଁ ଯୋଗ ସହିତ ସଂଶ୍ଳିଷ୍ଟ ସମସ୍ତଙ୍କୁ, ଆଜି ଏହି ଚଣ୍ଡିଗଡର ଭୂମିରେ. . . । ମୁଁ ବର୍ତ୍ତମାନ ବାଦଲ ସାହେବଙ୍କୁ ପଚାରୁ ଥିଲି, ଯେ ଏହି ପରିସରରେ ଏଭଳି ଉତ୍ତମ ବ୍ୟବହାର ଏହା ପୂର୍ବରୁ କେବେ ହୋଇଛି କି ? ମୁଁ ବହୁଦିନ ପୂର୍ବେ ଏଠାକୁ ଆସିଥିଲି । ମୁଁ ଚଣ୍ଡିଗଡରେ ରହୁଥିଲି । ପ୍ରାୟ ପାଂଚ ବର୍ଷ ଏଠି ରହିଛି । ତେଣୁ ମୁଁ ଭଲ ଭାବେ ଏସବୁ କଥା ସହ ପରିଚିତ ଥିଲି । ତେଣୁ ଯେତେବେଳେ ଚଣ୍ଡିଗଡରେ ଏହି କାର୍ଯ୍ୟକ୍ରମ ଆୟୋଜନର କଥା ଉଠିଲା । ମୁଁ କହିଲି ଯେ, ଏହାଠାରୁ ଭଲ ଜାଗା, ଉତ୍ତମ ପରିସର ଆଉ କିଛି ନ ହେଇପାରେ । ଆଜି ଏହି ପରିସରରେ ଉତ୍ତମ ଉପଯୋଗ ଦେଖି ମନ ଖୁବ୍ ଆନନ୍ଦିତ ହେଉଛି । ହଜାର ହଜାର ସଂଖ୍ୟାରେ ଯୋଗ ସହ ସଂଶ୍ଳିଷ୍ଟ ଲୋକମାନଙ୍କୁ ଦେଖି ମନରେ ପ୍ରସନ୍ନତା ଜାଗ୍ରତ ହେଉଛି । ସମଗ୍ର ବିଶ୍ୱ ସାମିଲ ହେଉଛି, ଏହା ସ୍ୱୟଂ ଏକ ଗର୍ବର ବିଷୟ । ମୁଁ ପୁଣି ଥରେ ଏହି ମହାନ୍ ପରମ୍ପରାକୁ ପ୍ରଣାମ ଜଣାଇ, ଉଜ୍ଜ୍ୱଳ ଭବିଷ୍ୟତର କାମନା ସହ ଅନେକ ଅନେକ ଧନ୍ୟବାଦ ଦେଉଛି ।

**********