ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ 26 ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । 21 ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା । ବନ୍ଧୁଗଣ, କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି । ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା । ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା । କିନ୍ତୁ ଯେମିତି କହନ୍ତିନି –
“ବୟରୁ ଅକାରଣ ସବ୍ କାହୁ ସୋଁ, ଯୋ କର ହିତ ଅନହିତ ତାହୁ ସୋଁ ।” ଅର୍ଥାତ୍, ଦୁଷ୍ଟର ସ୍ୱଭାବ ହେଲା ବିନା କାରଣରେ ଅନ୍ୟ ସହ ଶତ୍ରୁତା କରିବା । ଏଭଳି ପ୍ରକୃତିର ଲୋକ ତାଙ୍କର ହିତସାଧନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଅନିଷ୍ଟ କରିବା ପାଇଁ ଚିନ୍ତା କରନ୍ତି । ତେଣୁ ଭାରତର ମିତ୍ରତା ପ୍ରସ୍ତାବ ପ୍ରତ୍ୟୁତରରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ତା’ପରେ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା । ଆପଣ କଳ୍ପନା କରିପାରୁଥିବେ – ଉଚ୍ଚ ପାହାଡ଼ଗୁଡ଼ିକ ଉପରେ ବସିଥିବା ଶତ୍ରୁ, ଆଉ ପାହାଡ଼ର ପାଦଦେଶରୁ ଯୁଦ୍ଧ କରୁଥିବା ଆମ ସେନାବାହିନୀ, କିନ୍ତୁ ପର୍ବତ ଶିଖରର ବିଜୟ ନୁହେଁ, ବରଂ ଭାରତୀୟ ସେନାବାହିନୀର ସାହସ ଏବଂ ପ୍ରକୃତ ବୀରତ୍ୱର ବିଜୟ ହେଲା । ବନ୍ଧୁଗଣ, ସେ ସମୟରେ ମୋତେ ମଧ୍ୟ କାରଗିଲ୍ ଯିବାର ଏବଂ ଆମ ଯବାନମାନଙ୍କ ବୀରତ୍ୱ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ସେ ମୁହୂର୍ତ୍ତ ମୋ ଜୀବନର ସବୁଠାରୁ ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଅନ୍ୟତମ । ମୁଁ ଲକ୍ଷ୍ୟ କରୁଛି ଯେ, ଆଜି ସାରା ଦେଶରେ ଲୋକେ କାରଗିଲ ବିଜୟକୁ ମନେ ପକାଉଛନ୍ତି । Social Media ରେ hashtag#courage-in-Kargil ମାଧ୍ୟମରେ ଲୋକେ ସେହି ବୀରମାନଙ୍କୁ ପ୍ରଣାମ କରୁଛନ୍ତି । ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ମୁଁ ଆଜି, ସମସ୍ତ ଦେଶବାସୀଙ୍କ ତରଫରୁ ଆମର ସେହି ବୀର ଯବାନମାନଙ୍କ ସହିତ ସେମାନଙ୍କ ବୀର ମାତାମାନଙ୍କୁ ମଧ୍ୟ ପ୍ରଣାମ କରୁଛି – ଯିଏ ଭାରତମାତାର ଏହି ସୁପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ଆଜିର ଦିନରେ କାରଗିଲ ବିଜୟ ସମ୍ପର୍କୀୟ ଆମ ଯବାନମାନଙ୍କ କାହାଣୀ, ବୀର ମା’ମାନଙ୍କ ତ୍ୟାଗ ସମ୍ପର୍କରେ ପରସ୍ପରଙ୍କୁ ଜଣାଇବା ଏବଂ Share କରିବା ପାଇଁ ମୁଁ ଦେଶର ଯୁବବର୍ଗଙ୍କୁ ଅନୁରୋଧ କରୁଛି ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଜି ଗୋଟିଏ ଅନୁରୋଧ କରୁଛି www.gallantryawards.gov.in ନାମରେ ଗୋଟିଏ ୱେବସାଇଟ୍ ରହିଛି । ଆପଣ ତାହାକୁ ନିଶ୍ଚୟ Visit କରନ୍ତୁ । ସେଠାରେ ଆପଣମାନଙ୍କୁ ଆମର ବୀର ପରାକ୍ରମୀ ଯୋଦ୍ଧାମାନଙ୍କ ସମ୍ପର୍କରେ, ସେମାନଙ୍କ ପରାକ୍ରମ ବିଷୟରେ ଅନେକ ତଥ୍ୟ ମିଳିବ ଆଉ ସେହି ସୂଚନାଗୁଡ଼ିକୁ ନେଇ ଆପଣ ଯେତେବେଳେ ନିଜ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରିବେ ସେସବୁ ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ଆପଣ ନିଶ୍ଚିତ ଭାବେ ଏହି ୱେବସାଇଟକୁ ଯାଆନ୍ତୁ, ଆଉ ଏହାକୁ ବାରମ୍ବାର ଦେଖିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, କାରଗିଲ ଯୁଦ୍ଧ ସମୟରେ ଅଟଳଜୀ ଲାଲକିଲ୍ଲା ଉପରୁ ଯାହା କହିଥିଲେ ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ବହୁତ ପ୍ରାସଙ୍ଗିକ । ଅଟଳଜୀ ସେତେବେଳେ ଦେଶକୁ ଗାନ୍ଧିଜୀଙ୍କର ଗୋଟିଏ ମନ୍ତ୍ର ସ୍ମରଣ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କର ସେହି ମନ୍ତ୍ରଟି ଥିଲା ଯେ କ’ଣ କରିବା, କ’ଣ ନ କରିବାକୁ ନେଇ ଯଦି କାହାରି ମନରେ କୌଣସି ଦ୍ୱିଧା ଥାଏ, ତେବେ ସେ, ଭାରତର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରିବା ଉଚିତ । ସେ ଏକଥା ଭାବିବା ଉଚିତ ଯେ, ସେ ଯାହା କରିବାକୁ ଯାଉଛି ତା’ଦ୍ୱାରା ସେହି ବ୍ୟକ୍ତିର କୌଣସି ଉପକାର ହେବ କି ନାହିଁ । ଗାନ୍ଧୀଜୀଙ୍କର ଏହି ଚିନ୍ତାଧାରାର ଟିକିଏ ଆଗକୁଯାଇ ଅଟଳଜୀ କହିଥିଲେ ଯେ, କାରଗିଲ ଯୁଦ୍ଧ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି । ସେ ମନ୍ତ୍ରଟି ହେଉଛି – “କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଉଚିତ ଯେ ଆମର ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ ତ, ଯିଏ ଦୁର୍ଗମ ପାର୍ବତ୍ୟାଂଚଳରେ ନିଜର ପ୍ରାଣବଳି ଦେଇଛି । ଆସନ୍ତୁ ଅଟଳଜୀଙ୍କ ସ୍ୱରରେ ହିଁ ତାଙ୍କର ଏହି ଭାବନାକୁ ଆମେ ଶୁଣିବା, ବୁଝିବା ଏବଂ ସମୟର ଏହି ଆବଶ୍ୟକତାକୁ ସ୍ୱୀକାର କରିବା ।
Sound byte of Shri Atalji
“ଆମ ସମସ୍ତଙ୍କର ମନେଅଛି ଯେ ଗାନ୍ଧିଜୀ ଆମକୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଆପଣ କ’ଣ କରିବେ ତାକୁ ନେଇ ଯଦି କୌଣସି ଦ୍ୱିଧା ଉତ୍ପନ୍ନ ହୁଏ ତାହେଲେ ଆପଣ ଭାରତର ସେହି ସବୁଠାରୁ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଆପଣ ଯାହା କରିବାକୁ ଯାଉଛନ୍ତି ତାଦ୍ୱାରା ସେହି ବ୍ୟକ୍ତି ଉପକୃତ ହେବ କି ନାହିଁ । କାରଗିଲ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଯେ, ଆମର ସେହି ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ କି ନୁହେଁ, ଯିଏ ସେହି ଦୁର୍ଗମ ପାହାଡ଼ିଆ ଅଂଚଳରେ ନିଜର ପ୍ରାଣବଳି ଦେଇଛି ।”
ବନ୍ଧୁଗଣ, ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉଁ ସେସବୁର ସୀମାରେ କର୍ତ୍ତବ୍ୟରତ ସୈନିକର ମନୋବଳ ଉପରେ, ତାଙ୍କ ପରିବାରର ମନୋବଳ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆମେ ଏକଥା କେବେହେଲେ ଭୁଲିବା ଉଚିତ ନୁହେଁ ଆଉ ଏଥିପାଇଁ ଆମ ଆଚାର-ବ୍ୟବହାର, ଆମ କଥା, ଆମ ବକ୍ତବ୍ୟ, ଆମ ମର୍ଯ୍ୟାଦା, ଆମର ଲକ୍ଷ୍ୟ, ଏସବୁ ନିୟନ୍ତ୍ରଣରେ ରହିବା ଜରୁରୀ କାରଣ ଏହା ଆମ ସୈନିକମାନଙ୍କ ମନୋବଳ ବୃଦ୍ଧିକାରୀ, ସମ୍ମାନ ବୃଦ୍ଧିକାରୀ ହେବା ଆବଶ୍ୟକ । “ରାଷ୍ଟ୍ର ସର୍ବୋପରି” ଏହି ମନ୍ତ୍ରକୁ ମନରେ ଧରି, ଏକତାର ସୂତ୍ରରେ ବନ୍ଧା ଦେଶବାସୀ, ଆମ ସୈନିକମାନଙ୍କ ଶକ୍ତି ସହସ୍ରଗୁଣ ବୃଦ୍ଧି କରିଦେଇଥାନ୍ତି । ଆମର ପରା କୁହାଯାଇଛି – “ସଂଘେ ଶକ୍ତି କଲୌ ଯୁଗେ” ।
ବେଳେବେଳେ ଆମେ ଏକଥାକୁ ନ ବୁଝି Social Mediaରେ ଏଭଳି କଥାଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯାହା ଆମ ଦେଶର ଅନେକ କ୍ଷତି ଘଟାଇଥାଏ । ବେଳେବେଳେ କୌତୁହଳବଶତଃ ଆମେ ଏଗୁଡ଼ିକୁ Forward କରିଦେଇଥାଉଁ । ଏପରି କରିବା ଅନୁଚିତ – ଏକଥା ଜାଣି ମଧ୍ୟ କରିଦେଉଥାଉଁ । ଆଜିକାଲି, ଯୁଦ୍ଧ କେବଳ ସୀମାରେ ନୁହେଁ, ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଏକସଙ୍ଗେ ଲଢ଼ିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ ଦେଶବାସୀକୁ ଏଥିରେ ନିଜର ଭୂମିକା ନିର୍ଣ୍ଣୟ କରିବାକୁ ହୋଇଥାଏ । ଦେଶର ସୀମାରେ ଦୁର୍ଗମ ପରିସ୍ଥିତିରେ ସଂଗ୍ରାମରତ ଆମ ସୈନିକମାନଙ୍କୁ ସ୍ମରଣ କରି ଆମକୁ ମଧ୍ୟ ନିଜ ଭୂମିକା ସ୍ଥିର କରିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି । ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି । ଜଣେ ବ୍ୟକ୍ତିକୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ସଫଳ ମଧ୍ୟ ହୋଇଛି । କିନ୍ତୁ ବନ୍ଧୁଗଣ, କରୋନା ବିପତ୍ତି ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି । ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା – କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର । ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତ୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ । ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ – ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତ୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ । ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଣ୍ଟା ଘଣ୍ଟାଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି । ଆଠ-ଦଶ ଘଣ୍ଟା ଧରି ମାସ୍କ ପିନ୍ଧିରଖୁଛନ୍ତି । ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ । ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି । ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତ୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ । ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ବନ୍ଧୁଗଣ, କରୋନା କାଳରେ ତ ଆମର ଗ୍ରାମାଂଚଳ ସମଗ୍ର ଦେଶକୁ ଗୋଟିଏ ନୂତନ ଦିଗ ପ୍ରଦର୍ଶିତ କରିଛି । ଗାଁରୁ ସ୍ଥାନୀୟ ନାଗରିକମାନଙ୍କର, ଗ୍ରାମପଞ୍ଚାୟତ ମାନଙ୍କର ଭଲକାମ ସବୁ ଅନବରତ ଭାବେ ସାମ୍ନାକୁ ଆସୁଛି । ଜମ୍ମୁରେ ତ୍ରେବା ନାମକ ଗୋଟିଏ ଗ୍ରାମପଞ୍ଚାୟତ ରହିଛି । ସେଠାକାର ସରପଞ୍ଚ ହେଉଛନ୍ତି ବଲବୀର କୌର ଜୀ । ମୋତେ ସୂଚନା ଦିଆଯାଇଛି ଯେ, ବଲବୀର କୌରଜୀ ନିଜ ପଞ୍ଚାୟତରେ 30 ଶଯ୍ୟାବିଶିଷ୍ଟ ଗୋଟିଏ କ୍ଵାରେଣ୍ଟାଇନ ସେଣ୍ଟର ନିର୍ମାଣ କରିଛନ୍ତି । ପଞ୍ଚାୟତକୁ ଆସୁଥିବା ରାସ୍ତାମାନଙ୍କରେ ପାଣିର ସୁବିଧା ମଧ୍ୟ କରାଯାଇଛି । ଲୋକଙ୍କର ହାତ ଧୋଇବାରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ, ବଲବୀର କୌରଜୀ ନିଜେ ନିଜ କାନ୍ଧ ଉପରେ ସ୍ପ୍ରେ ପମ୍ପ ଟାଙ୍ଗି ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ସାରା ପଞ୍ଚାୟତରେ, ଆଖାପାଖ ଅଂଚଳରେ Sanitaization କାମ ମଧ୍ୟ କରୁଛନ୍ତି । ସେଇଭଳି ଆଉ ଜଣେ କଶ୍ମୀରୀ ମହିଳା ସରପଞ୍ଚ ରହିଛନ୍ତି । ସେ ହେଉଛନ୍ତି ଗାଁନ୍ଦରବଲ ଚୌଟଲିବାରର ଜୈତୁନା ବେଗମ୍ । ଜୈତୁନା ବେଗମ୍ ଜୀ ସ୍ଥିର କରିଛନ୍ତି ଯେ ତାଙ୍କ ପଞ୍ଚାୟତ କରୋନା ବିରୁଦ୍ଧରେ ସଂଗ୍ରାମ କରିବ ଏବଂ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିବ । ସେ ସମ୍ପୂର୍ଣ୍ଣ ଅଂଚଳରେ ମାଗଣା ମାସ୍କ ବଂଟନ କରିଛନ୍ତି, ମାଗଣା ଖାଦ୍ୟସାମଗ୍ରୀ ବଂଟନ କରିଛନ୍ତି, ତାସଙ୍ଗେ ସଙ୍ଗେ ସେ ଲୋକମାନଙ୍କୁ ଶସ୍ୟବୀଜ ଏବଂ ସେଓର ଚାରା ମଧ୍ୟ ଦେଇଛନ୍ତି ଯାହାଫଳରେ ଲୋକଙ୍କୁ କୃଷିକାର୍ଯ୍ୟରେ, ବଗିଚା କାମରେ ଅସୁବିଧା ନ ହେବ । ବନ୍ଧୁଗଣ, କଶ୍ମୀରରୁ ଅନ୍ୟ ଏକ ପ୍ରେରଣାଦାୟୀ ଘଟଣା ଜାଣିବାକୁ ମିଳିଛି, ଏଠାରେ ଅନନ୍ତନାଗର ମ୍ୟୁନିସିପାଲ ପ୍ରେସିଡେଂଟ ହେଉଛନ୍ତି ଶ୍ରୀମାନ ମହମ୍ମଦ ଇକବାଲ, ନିଜ ଅଂଚଳର ସାନିଟାଇଜେସନ୍ ପାଇଁ ତାଙ୍କୁ ସ୍ପ୍ରେୟାରର ଆବଶ୍ୟକତା ଥିଲା । ପଚାରିବାରୁ ଜଣାପଡ଼ିଲା ଯେ ଏହି ମେସିନ୍ ଅନ୍ୟ ସହରରୁ ଆଣିବାକୁ ପଡ଼ିବ ଏବଂ ଏହାର ମୂଲ୍ୟ 6 ଲକ୍ଷ ଟଙ୍କା ହେବ । ଏକଥା ଜାଣି ଶ୍ରୀମାନ ଇକବାଲ ଜୀ ନିଜ ଚେଷ୍ଟାରେ ଗୋଟିଏ ସ୍ପ୍ରେୟାର ମେସିନ୍ ତିଆରି କରିଦେଲେ ଏବଂ ସେଥିପାଇଁ ମାତ୍ର ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଲା । ଏଇଭଳି ଅନେକ ଉଦାହରଣ ରହିଛି । ସାରା ଦେଶର କୋଣ ଅନୁକୋଣରୁ ଏଭଳି ଅନେକ ପ୍ରେରଣାଦାୟୀ ଘଟଣା ପ୍ରତିଦିନ ନଜରକୁ ଆସୁଛି, ଏମାନେ ସମସ୍ତେ ଅଭିନନ୍ଦନର ପାତ୍ର । ସମସ୍ୟା ଆସିଲା, କିନ୍ତୁ ଲୋକେ ମଧ୍ୟ ସେତିକି ଶକ୍ତିର ସହିତ ଏହାର ମୁକାବିଲା ମଧ୍ୟ କଲେ ।
ମୋର ପ୍ରିୟ ଦେଶବାସୀଗଣ, ସଠିକ ପଦକ୍ଷେପ, ସକାରାତ୍ମକ ପଦକ୍ଷେପ ଦ୍ୱାରା ସର୍ବଦା ବିପଦ ସମୟରେ ବିପତ୍ତିକୁ ପ୍ରଗତିରେ ପରିବର୍ତ୍ତିତ କରିବା ପାଇଁ ଅନେକ ସାହାଯ୍ୟ ମିଳିଥାଏ । ବର୍ତ୍ତମାନ ଆମେ କରୋନା ସମୟରେ ମଧ୍ୟ ଦେଖୁଛୁ ଯେ କିଭଳି ଆମ ଦେଶର ଯୁବବର୍ଗ, ମହିଳାମାନେ ନିଜର ପ୍ରତିଭା ଏବଂ ଦକ୍ଷତା ବଳରେ କିଛି ନୂଆ ପ୍ରୟୋଗ ଆରମ୍ଭ କରିଛନ୍ତି । ବିହାରରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧୁବନୀ ଚିତ୍ରକଳା ରହିଥିବା ମାସ୍କ ତିଆରି କରିବା ଆରମ୍ଭ କଲେ, ଏବଂ ଦେଖୁଦେଖୁ ଏସବୁ ଖୁବ୍ ଲୋକପ୍ରିୟ ହୋଇଗଲା । ମଧୁବନୀ ଚିତ୍ରକଳା ରହିଥିବା ଏହି ମାସ୍କ ଏକପକ୍ଷରେ ସେଠାକାର ପରମ୍ପରାର ପ୍ରଚାର କରୁଛି, ଅପରପକ୍ଷରେ ଏସବୁ ଲୋକମାନଙ୍କୁ ସୁସ୍ଥ ରଖିବା ସହ ଉପାର୍ଜନର ମାର୍ଗ ମଧ୍ୟ ପ୍ରଦାନ କରୁଛି । ଆପଣମାନେ ତ ଜାଣିଛନ୍ତି ଉତ୍ତର ପୂର୍ବାଂଚଳରେ ବାଉଁଶର ପ୍ରଚୁର ଉତ୍ପାଦନ ହୋଇଥାଏ, ଏବେ ସେହି ବାଉଁଶରେ ତ୍ରିପୁରା, ମଣିପୁର, ଆସାମର କାରିଗରମାନେ ଉଚ୍ଚ ଗୁଣସମ୍ପନ୍ନ ପାଣି ବୋତଲ ଏବଂ ଟିଫିନ ବକ୍ସ ତିଆରି କରିବା ଆରମ୍ଭ କରିଛନ୍ତି । ଏହାର କ୍ୱାଲିଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ବାଉଁଶରେ ଏତେ ସୁନ୍ଦର ବୋତଲ ତିଆରି ହୋଇପାରିବ । ଆଉପୁଣି ସେଗୁଡ଼ିକ eco-friendly । ଏହାକୁ ତିଆରି କରିବା ପୂର୍ବରୁ ବାଉଁଶକୁ ଅନ୍ୟ ଔଷଧୀୟ ବୃକ୍ଷ ସହ ସିଝାଯାଇଥାଏ । ଏହାଦ୍ୱାରା ବାଉଁଶ ଔଷଧଗୁଣଯୁକ୍ତ ହୋଇଯାଇଥାଏ । ଛୋଟ ଛୋଟ ସ୍ଥାନୀୟ ଉତ୍ପାଦନ ଦ୍ୱାରା କିଭଳି ବଡ଼ ସଫଳତା ମିଳିପାରିବ ଏହାର ଆଉ ଗୋଟିଏ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ବିଶୁନପୁରରେ ଆଜିକାଲି 30ରୁ ଅଧିକ ଗୋଷ୍ଠୀ ମିଶି ଲେମନ ଗ୍ରାସ୍ ଚାଷ କରୁଛନ୍ତି । ଲେମନ ଗ୍ରାସ୍ ଫସଲକୁ ଚାରିମାସ ସମୟ ଲାଗେ । ଏହାର ତେଲ ବଜାରରେ ଭଲ ଦରରେ ବିକ୍ରି ହୋଇଥାଏ । ଆଜିକାଲି ଏହାର ଭଲ ଚାହିଦା ମଧ୍ୟ ରହିଛି । ମୁଁ ଦେଶର ଦୁଇଟି ଅଂଚଳ ବିଷୟରେ କଥା ହେବାକୁ ଚାହୁଁଛି ଏ ଦୁଇଟି ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ନିଜ ନିଜ ଢଙ୍ଗରେ ଏମାନେ ଭାରତକୁ ଆତ୍ମନିର୍ଭର କରି ଗଢ଼ି ତୋଳିବାରେ କିଛି ନିଆରା ପ୍ରୟାସ କରୁଛନ୍ତି । ଗୋଟିଏ ହେଉଛି ଲଦ୍ଦାଖ ଅନ୍ୟଟି ହେଉଛି କଚ୍ଛ । ଲେହ ଏବଂ ଲଦ୍ଦାଖର ନାଁ ମନକୁ ଆସିବାମାତ୍ରେ ସୁଉଚ୍ଚ ପାହାଡ଼ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆମ ଆଖି ଆଗରେ ନାଚିଯାଏ ତାଜା ପବନ ଦେହରେ ବାଜିବାଭଳି ଅନୁଭୂତି ହୁଏ । ଅପରପକ୍ଷରେ କଚ୍ଛ କଥା ପଡ଼ିଲା ବେଳକୁ ମନକୁ ଆସେ ବୃକ୍ଷଲତା ବିହୀନ ବିସ୍ତୀର୍ଣ୍ଣ ମରୁଭୂମିର ଦୃଶ୍ୟ । ଲଦ୍ଦାଖରେ ଗୋଟିଏ ବିଶେଷ ଫଳ ଫଳିଥାଏ ଯାହାର ନାଁ ଚୁଲୀ ବା ଖୁବାନୀ ଯାହାକୁ ଇଂରାଜୀରେ apricot କୁହାଯାଏ । ଏ ଫସଲ, ଏହି ଅଂଚଳର ଅର୍ଥନୀତିକୁ ବଦଳାଇବାର କ୍ଷମତା ରଖିଛି । କିନ୍ତୁ ଦୁଃଖର କଥା ଯେ ଏହା ଯୋଗାଣ ଅସୁବିଧା, ପାଣିପାଗର ଅନିୟମିତତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଏଗୁଡ଼ିକ ନଷ୍ଟ ହେବାର ମାତ୍ରା ନ୍ୟୁନତମ ହେଉ ସେଥିପାଇଁ ଆଜିକାଲି ଏକ ନୂଆ ଉପାୟ ଆରମ୍ଭ ହୋଇଛି । ଗୋଟିଏ ପ୍ରକ୍ରିୟା ରହିଛି, ଯାହାର ନାମ ହେଉଛି solar apricot dryer and space heater । ଏହା ଖୁବାନୀ ଏବଂ ଅନ୍ୟ ଫଳ ଓ ପନିପରିବାକୁ ଆବଶ୍ୟକତା ଅନୁସାରେ ଶୁଖାଇପାରୁଛି, ତାହା ପୁଣି ପୁଷ୍ଟିକର ଉପାୟରେ । ଆଗରୁ ଖୁବାନୀକୁ ବିଲ ପାଖରେ ଶୁଖାଇବା ସମୟରେ ଏହା ବହୁମାତ୍ରାରେ ନଷ୍ଟ ହେଉଥିଲା ତାହା ସଙ୍ଗେ ସଙ୍ଗେ ଧୂଳି ଏବଂ ବର୍ଷାପାଣି ଯୋଗୁଁ ଫଳର ଗୁଣବତ୍ତା ମଧ୍ୟ ପ୍ରଭାବିତ ହେଉଥିଲା । ଅନ୍ୟପକ୍ଷରେ ଆଜିକାଲି କଚ୍ଛରେ ଚାଷୀମାନେ Dragon Fruits ଚାଷ ପାଇଁ ପ୍ରଶଂସନୀୟ ଉଦ୍ୟମ କରୁଛନ୍ତି । କଚ୍ଛରେ ପୁଣି Dragon Fruits ଏକଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି । କିନ୍ତୁ, ଆଜିକାଲି ସେଠାରେ ଅନେକ ଚାଷୀ ଏହି କାମରେ ଲାଗିଛନ୍ତି । ଫଳର ଗୁଣବତ୍ତା ଏବଂ କମ୍ ଜମିରେ ଅଧିକ ଉତ୍ପାଦନକୁ ନେଇ ଅନେକ ନୂତନ ପ୍ରୟାସ କରାଯାଉଛି । ମତେ ସୂଚନା ଦିଆଯାଇଛି ଯେ Dragon Fruitsର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ଜଳଖିଆରେ ଏହାକୁ ଅଧିକ ଭାବେ ଗ୍ରହଣ କରାଯାଉଛି । Dragon Fruits ଆମଦାନୀ ଯେମିତି କରିବାକୁ ନ ପଡ଼େ ସେଥିପାଇଁ କଚ୍ଛର ଚାଷୀମାନେ ସଂକଳ୍ପ ଗ୍ରହଣ କରିଛନ୍ତି । ଏହାହିଁ ତ ଆତ୍ମନିର୍ଭରତା ।
ବନ୍ଧୁଗଣ, ଆମେ ଯେତେବେଳେ କିଛି ନୂଆ କରିବାର ଚିନ୍ତା କରୁ, ନବୋନ୍ମେଷ କଥା ଚିନ୍ତାକରୁ, ସେତେବେଳେ ଏଇଭଳି କଥା ସମ୍ଭବ ହୁଏ ଯାହା ବିଷୟରେ ସାଧାରଣତଃ କେହି କଳ୍ପନା କରିନଥାନ୍ତି, ଯେମିତିକି ବିହାରର କିଛି ଯୁବ ଛାତ୍ରମାନଙ୍କ କଥା ନିଅନ୍ତୁ । ପ୍ରଥମେ ଏମାନେ ସାଧାରଣ ଚାକିରି କରୁଥିଲେ । ଦିନେ ସେମାନେ ମୁକ୍ତାଚାଷ କରିବା ପାଇଁ ସ୍ଥିର କଲେ । ତାଙ୍କ ଅଂଚଳରେ ଲୋକେ ଏ ବିଷୟରେ ବେଶୀ କିଛି ଜାଣିନଥିଲେ କିନ୍ତୁ ଏମାନେ ପ୍ରଥମେ ସବୁ ପ୍ରକାର ସୂଚନା ଏକତ୍ରିତ କଲେ । ଜୟପୁର ଏବଂ ଭୁବନେଶ୍ୱର ଯାଇ ତାଲିମ ଗ୍ରହଣ କଲେ ଆଉ ନିଜ ଗାଁରେ ହିଁ ମୁକ୍ତାଚାଷ ଆରମ୍ଭ କରିଦେଲେ । ଆଜି ଏମାନେ ନିଜେ ଏଥିରୁ ଯଥେଷ୍ଟ ରୋଜଗାର କରିପାରିବା ସହ ମୁଜାଫରପୁର, ବେଗୁସରାଇ ଏବଂ ପାଟନାକୁ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏ ବିଷୟରେ ତାଲିମ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାଦ୍ୱାରା ଅନେକ ଲୋକଙ୍କ ପାଇଁ ଆତ୍ମନିର୍ଭର ହେବାର ବାଟ ଖୋଲିଯାଇଛି ।
ବନ୍ଧୁଗଣ, କିଛିଦିନ ପରେ ଆସୁଛି ରକ୍ଷାବନ୍ଧନ ପର୍ବ । ମୁଁ ଏବେ ଦେଖୁଛି ଯେ ଅନେକ ଲୋକ ଏବଂ ସଂସ୍ଥା ଏଥର ରକ୍ଷାବନ୍ଧନ ପର୍ବକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଅଭିଯାନ ଚଳାଇଛନ୍ତି । କିଛି ଲୋକ ଏହାକୁ ‘ଭୋକାଲ ଫର ଲୋକାଲ’ ସହିତ ଯୋଡ଼ୁଛନ୍ତି, ଆଉ ତାହା ଠିକ୍ ମଧ୍ୟ । ଆମର ପର୍ବପର୍ବାଣୀ ଦ୍ୱାରା ଆମ ସମାଜର, ଆମ ଘର ଆଖପାଖର କୌଣସି ବ୍ୟକ୍ତିର ବ୍ୟବସାୟ ଯଦି ବୃଦ୍ଧିପାଏ ତେବେ ସେହି ପର୍ବ ତା’ପାଇଁ ମଧ୍ୟ ଖୁସି ଆଣିଦିଏ, ଆନନ୍ଦର ମୁହୂର୍ତ୍ତ ପାଲଟିଯାଏ । ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନର ବହୁତ ବହୁତ ଶୁଭକାମନା ।
ବନ୍ଧୁଗଣ! ଅଗଷ୍ଟ 7 ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଭାରତର ହସ୍ତତନ୍ତ, ଆଉ ହସ୍ତଶିଳ୍ପ ଭିତରେ ଶହଶହ ବର୍ଷର ଏକ ଗୌରବମୟ ଇତିହାସ ପ୍ରତିଭାତ ହୋଇଥାଏ । ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର ଯେ ନା କେବଳ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ଅଧିକରୁ ଅଧିକ ଉପଯୋଗ ହେଉ, ବରଂ, ଏ ସମ୍ପର୍କରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ବି ଦରକାର । ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେତେ ମହିମାମଣ୍ଡିତ, କେତେ ବିବିଧତାପୂର୍ଣ୍ଣ, ଏ ସମ୍ପର୍କରେ ବିଶ୍ୱ ଯେତେ ଅଧିକ ଜାଣିବ, ଆମର ସ୍ଥାନୀୟ କାରିଗର ଏବଂ ବୁଣାକାରଙ୍କୁ ସେତିକି ଅଧିକ ଲାଭ ମିଳିବ ।
ବନ୍ଧୁଗଣ! ବିଶେଷକରି ମୋର ଯୁବବନ୍ଧୁଗଣ, ଆମ ଦେଶ ବଦଳିବାରେ ଲାଗିଛି । ଇଏ କେମିତି ବଦଳୁଛି? କେତେ ଜୋରରେ ବଦଳୁଛି? କୋଉ କୋଉ କ୍ଷେତ୍ରରେ ବଦଳୁଛି? ଏକ ସକାରାତ୍ମକ ବିଚାର ସହିତ ଯଦି ଏସବୁ ଉପରେ ଦୃଷ୍ଟିନିକ୍ଷେପ କରାଯାଏ ତାହାଲେ ଆମକୁ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ । ଗୋଟିଏ ସମୟ ଥିଲା, ଯେତେବେଳେ ଖେଳକୁଦଠାରୁ ଆରମ୍ଭକରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅଧିକତର ଲୋକ ବଡ଼ ବଡ଼ ସହରରୁ କିମ୍ବା ବଡ଼ ବଡ଼ ପରିବାରରୁ ଅଥବା ନାମୀଦାମୀ ସ୍କୁଲ କଲେଜରୁ ଆସୁଥିଲେ । ଏବେ କିନ୍ତୁ ଚିତ୍ର ବଦଳିବାରେ ଲାଗିଛି । ଗାଁରୁ, ଛୋଟ ସହରରୁ, ସାଧାରଣ ପରିବାରରୁ, ଆମର ଯୁବବର୍ଗ ଏବେ ଆଗକୁ ଆସିବାରେ ଲାଗିଛନ୍ତି । ସଫଳତାର ନୂତନ ଶିଖର ସ୍ପର୍ଶ କରୁଛନ୍ତି । ଏମାନେ ସଙ୍କଟ ମଧ୍ୟରେ ଗତିକରି ବି ନୂଆ ନୂଆ ସ୍ୱପ୍ନକୁ ଗୁନ୍ଥି ଆଗକୁ ବଢ଼ିବାରେ ଲାଗିଛନ୍ତି । ଏଇଭଳି କିଛି ଦେଖିବାକୁ ମିଳିଛି ଏଇ ନିକଟରେ ପ୍ରକାଶ ପାଇଥିବା ବୋର୍ଡ ପରୀକ୍ଷା ଫଳ ପରିଣାମରେ । ଆଜିର ‘ମନ୍ କି ବାତ୍’ରେ ଆମେ ଏଇଭଳି କିଛି ପ୍ରତିଭାଶାଳୀ ପୁଅ ଝିଅଙ୍କ ସହ କଥାହେବା । ଏଭଳି ଜଣେ ପ୍ରତିଭାଶାଳୀ କନ୍ୟା ହେଉଛନ୍ତି କୃତିକା ନାନ୍ଦଲ । କୃତିକା ହରିୟାଣା ପାନିପଥର ବାସିନ୍ଦା ।
ମୋଦି ଜୀ – ହେଲୋ କୃତିକା, ନମସ୍ତେ ।
କୃତିକା – ନମସ୍ତେ ସାର୍ ।
ମୋଦି ଜୀ – ପରୀକ୍ଷାରେ ଖୁବ୍ ଭଲ କରିଥିବା ହେତୁ ତୁମକୁ ବହୁତ ବହୁତ ଅଭିନନ୍ଦନ
କୃତିକା – ଧନ୍ୟବାଦ ସାର୍ ।
ମୋଦି ଜୀ – ଏବେ ତ ତୁମକୁ ବହୁତ ଲୋକଙ୍କ ପାଖରୁ ଟେଲିଫୋନ ଆସୁଥିବ । ଆଉ ତମେ ସେସବୁ ଟେଲିଫୋନକୁ ରିସିଭ କରିକରି ଥକିଯାଉଥିବ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଯେଉଁ ଲୋକମାନେ ତୁମକୁ ବଧାଇ ଜଣାଉଥିବେ ସେମାନେ ବି ତୁମକୁ ଜାଣିଛନ୍ତି ବୋଲି ଗର୍ବ ଅନୁଭବ କରୁଥିବେ । ତୁମକୁ କେମିତି ଲାଗୁଛି ।
କୃତିକା – ସାର୍, ବହୁତ ଖୁସି ଲାଗୁଛି । ମୋ ସଫଳତା ବାପାମାଆଙ୍କ ମନରେ ପ୍ରଚୁର ଖୁସି ଆଣିଥିବାରୁ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ।
ମୋଦି ଜୀ – ଆଚ୍ଛା ତୁମର ସବୁଠୁ ବଡ଼ ପ୍ରେରଣା କିଏ ଥିଲେ?
କୃତିକା – ସାର୍, ମୋର ମାଆ ହେଉଛନ୍ତି ମୋ ପାଇଁ ସବୁଠୁ ବଡ଼ ପ୍ରେରଣା ।
ମୋଦି ଜୀ – ବାଃ । ଆଚ୍ଛା ତମେ ମାଁଙ୍କଠାରୁ କେଉଁ କଥାସବୁ ଶିଖୁଛ?
କୃତିକା – ସାର୍, ସେ ତାଙ୍କ ଜୀବନରେ ଏତେସବୁ ଅସୁବିଧାର ସାମ୍ନା କରି ବି ସେ ବହୁତ ସାହସୀ ଆଉ ଦୃଢ । ତାଙ୍କୁ ଦେଖିକି ଏତେ ପ୍ରେରଣା ମିଳେ ଯେ ମୁଁ ମନେ ମନେ ଭାବେ ଯେ ମୁଁ ତାଙ୍କରି ଭଳି ହୋଇପାରନ୍ତି କି?
ମୋଦି ଜୀ – ମାଆ କୋଉ ଯାଏଁ ପଢ଼ିଛନ୍ତି?
କୃତିକା – ସାର୍, ସେ ବିଏ ପାସ୍ କରିଛନ୍ତି ।
ମୋଦି ଜୀ – ଓଃ ବିଏ ପଢ଼ିଛନ୍ତି!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା । ତାହେଲେ ମାଆ ତ ତୁମକୁ ଅନେକ କିଛି ଶିଖାଉଥିବେ ।
କୃତିକା – ଆଜ୍ଞା ସାର୍, ଶିଖାନ୍ତି । ଦୁନିଆରେ କେମିତି ଚଳିବାକୁ ପଡ଼ିବ ସେ ସମ୍ପର୍କରେ ମାଆ ମୋତେ ଟିକିନିଖି କହନ୍ତି ।
ମୋଦି ଜୀ – ସେ ତ ତୁମକୁ ଆକଟ କରୁଥିବେ!
କୃତିକା – ଆଜ୍ଞା ସାର୍ । ଆକଟ ବି କରନ୍ତି ।
ମୋଦି ଜୀ – ଆଚ୍ଛା ଝିଅ, ତମେ ଆଗକୁ କ’ଣ କରିବାକୁ ଚାହୁଁଛ?
କୃତିକା – ସାର୍ ମୁଁ ଡାକ୍ତର ହେବାକୁ ଚାହୁଁଛି ।
ମୋଦି ଜୀ – ଆରେ ବାଃ!
କୃତିକା – ଏମବିବିଏସ୍
ମୋଦି ଜୀ – ଡାକ୍ତର ହେବା କିଛି ସହଜ କାମ ନୁହେଁ!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ ମେଧାବୀ ଥିବାରୁ ଡିଗ୍ରୀ ତ ପାଇଯିବ ଝିଅ, କିନ୍ତୁ ଜଣେ ଡାକ୍ତରର ଜୀବନ ସମାଜ ପ୍ରତି ଖୁବ୍ ସମର୍ପିତ ହୋଇଥାଏ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଡାକ୍ତର ବି କେବେ କେବେ ରାତିରେ ଶାନ୍ତିରେ ଶୋଇ ପାରନ୍ତିନି । କେତେବେଳେ ରୋଗୀଙ୍କର ଫୋନ୍ ଆସିଯାଏ, କେତେବେଳେ ଡାକ୍ତରଖାନାରୁ ଫୋନ ଆସିଯାଏ ଆଉ ତତକ୍ଷଣାତ୍ ଯିବାକୁ ପଡ଼ିଥାଏ । ମାନେ ଏକ ପ୍ରକାର 24 x 7, 365 ଦିନ ଡାକ୍ତରଙ୍କ ଜୀବନ ଲୋକଙ୍କ ସେବାରେ ଲାଗିରହିବାକୁ ପଡ଼େ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଉ ବିପଦ ବି ଥାଏ, କାହିଁକିନା ଆଜିକାଲି ଯେଉଁଭଳି ରୋଗ ବ୍ୟାପୁଛି ଡାକ୍ତରଙ୍କ ପାଇଁ ବହୁତ ବଡ଼ ସଙ୍କଟ ରହୁଛି ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା କୃତିକା, ତମେ ଜାଣିଥିବ! ଖେଳକୁଦ କ୍ଷେତ୍ରରେ ସାରା ଭାରତକୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଉଥିବା ରାଜ୍ୟ ହେଉଛି ହରିୟାଣାବୋଲି
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ କିଛି ଖେଳକୁଦରେ ଭାଗନିଅ କି? କେଉଁ ଖେଳ ତୁମର ପସନ୍ଦ?
କୃତିକା – ସାର୍ ସ୍କୁଲରେ ବାସ୍କେଟବେଲ ଖେଳୁଥିଲି ।
ମୋଦି ଜୀ – ଆଚ୍ଛା, ତୁମର ଉଚ୍ଚତା କେତେ, ଅଧିକ ଉଚ୍ଚତା?
କୃତିକା – ନା ସାର୍, ପାଞ୍ଚ ଫୁଟ୍ ଦୁଇ ଇଞ୍ଚ ।
ମୋଦି ଜୀ – ଆଚ୍ଛା, ତ ତମର ଖେଳ ପସନ୍ଦ?
କୃତିକା – ସାର୍ ସେଇଟା ତ ଆଗ୍ରହ , ଏମିତି ଖେଳାଖେଳି କରେ
ମୋଦି ଜୀ – ଆଚ୍ଛା ଆଚ୍ଛା । କୃତିକା ଜୀ, ଆପଣଙ୍କ ମାଆଙ୍କୁ ମୋ ତରଫରୁ ପ୍ରଣାମ ଜଣାଇବେ । ସେ ଆପଣଙ୍କୁ ଏହିପରି ଯୋଗ୍ୟ କରିଛନ୍ତି । ଆପଣଙ୍କ ଜୀବନକୁ ତିଆରିଛନ୍ତି । ଆପଣଙ୍କ ମାଆଙ୍କୁ ପ୍ରଣାମ ଓ ଆପଣଙ୍କୁ ବହୁତ ବହୁତ ବଧେଇ, ବହୁତ ବହୁତ ଶୁଭକାମନା ।
କୃତିକା – ଧନ୍ୟବାଦ୍ ସାର
ଆସନ୍ତୁ ଆମେ ଏବେ ଯିବା କେରଳର ଏର୍ନାକୁଲମ୍ । କେରଳର ଜଣେ ଯୁବକଙ୍କ ସହ କଥା ହେବା ।
ମୋଦି ଜୀ – ହେଲୋ
ବିନାୟକ – ହେଲୋ ସାର୍ ନମସ୍କାର ।
ମୋଦି ଜୀ – ବିନାୟକ, ଅଭିନନ୍ଦନ
ବିନାୟକ – ହଁ, ଧନ୍ୟବାଦ ସାର୍ ।
ମୋଦି ଜୀ – ସାବାସ୍ ବିନାୟକ, ସାବାସ୍
ବିନାୟକ – ହଁ, ଧନ୍ୟବାଦ ସାର୍
ମୋଦି ଜୀ – ଉତ୍ସାହ କେମିତି ଅଛି?
ବିନାୟକ – ବହୁତ ଅଛି ସାର୍
ମୋଦି ଜୀ – ତମେ କିଛି ଖେଳ ଖେଳକି?
ବିନାୟକ – ବ୍ୟାଡ଼ମିଂଟନ
ମୋଦି ଜୀ – ବ୍ୟାଡମିଂଟନ
ବିନାୟକ – ହଁ
ମୋଦି ଜୀ – ସ୍କୁଲରେ ନା ତାଲିମ ନେବାର ସୁଯୋଗ ମିଳିଛି?
ବିନାୟକ – ନା, ସ୍କୁଲରେ କିଛି ତାଲିମ ନେବାର ସୁଯୋଗ ମିଳିଛି ।
ମୋଦି ଜୀ – ହୁଁ ହୁଁ ।
ବିନାୟକ – ଆମ ଶିକ୍ଷକମାନଙ୍କଠାରୁ
ମୋଦି ଜୀ – ହଁ ହଁ ।
ବିନାୟକ – ଯେମିତି ଆମେ ବାହାରକୁ ଯାଇ ଭାଗନେବାର ସୁଯୋଗ ପାଇବୁ ।
ମୋଦି ଜୀ – ବାଃ ।
ବିନାୟକ – ସ୍କୁଲରୁ ହିଁ ।
ମୋଦି ଜୀ – କେତୋଟି ରାଜ୍ୟକୁ ଯାଇଛ?
ବିନାୟକ – ମୁଁ କେବଳ କେରଳ ଓ ତାମିଲନାଡୁ ଯାଇଛି ।
ମୋଦି ଜୀ – କେବଳ କେରଳ ଓ ତାମିଲନାଡୁ
ବିନାୟକ – ଆଜ୍ଞା ହଁ ।
ମୋଦି ଜୀ – ଆଚ୍ଛା ତୁମେ ଦିଲ୍ଲୀ ଆସିବାକୁ ଚାହିଁବ?
ବିନାୟକ – ହଁ ସାର୍, ମୁଁ ମୋର ଉଚ୍ଚଶିକ୍ଷା ପାଇଁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦରଖାସ୍ତ କରିଛି ।
ମୋଦି ଜୀ – ବାଃ, ତମେ ତା’ହେଲେ ଦିଲ୍ଲୀ ଆସୁଛ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ଯେଉଁ ଛାତ୍ରଛାତ୍ରୀ ଭବିଷ୍ୟତରେ ବୋର୍ଡ ପରୀକ୍ଷା ଦେବେ, ସେମାନଙ୍କ ପାଇଁ ତମେ କିଛି କହିବ କି?
ବିନାୟକ – କଠିନ ପରିଶ୍ରମ ଓ ସମୟର ଠିକ୍ ଉପଯୋଗ ।
ମୋଦି ଜୀ – ସମୟର ସଠିକ୍ ପରିଚାଳନା ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବିନାୟକ, ମୁଁ ତମର ସଉକ ସମ୍ପର୍କରେ ଜାଣିବାକୁ ଚାହୁଁଛି ।
ବିନାୟକ – … ବ୍ୟାଡମିଂଟନ ଆଉ ତା’ପରେ ରୋଇଂ ।
ମୋଦି ଜୀ – ତ, ତମେ ସୋସିଆଲ ମିଡିଆରେ ସକ୍ରିୟ ଅଛ ।
ବିନାୟକ – ନା, ଆମକୁ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ସ୍କୁଲକୁ ନେବାକୁ ଅନୁମତି ମିଳେନାହିଁ ।
ମୋଦି ଜୀ – ତା’ହେଲେ ତମେ ଭାଗ୍ୟବାନ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବହୁତ ବଢ଼ିଆ, ବିନାୟକ, ପୁଣିଥରେ ଅଭିନନ୍ଦନ ଆଉ ଶୁଭକାମନା ।
ବିନାୟକ – ଧନ୍ୟବାଦ ସାର୍ ।
ଆସନ୍ତୁ, ଆମେ ଉତ୍ତରପ୍ରଦେଶ ଯିବା । ଉତ୍ତରପ୍ରଦେଶ ଅମରୋହାର ଶ୍ରୀମାନ ଉସମାନ ସୈଫିଙ୍କ ସହ କଥାହେବା ।
ମୋଦି ଜୀ – ହ୍ୟାଲୋ ଉସମାନ, ବହୁତ ବହୁତ ଅଭିନନ୍ଦନ, ତମକୁ ବହୁତ ଅଭିନନ୍ଦନ
ଉସମାନ – ଧନ୍ୟବାଦ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ କହ ଯେ ତମେ ଯେଉଁ ଫଳ ଆଶା କରୁଥିଲ, ତାହା ମିଳିଲା ନା କିଛି କମ୍ ଆସିଲା ।
ଉସମାନ – ନା, ଯାହା ଆଶା କରିଥିଲି ତାହା ପାଇଛି । ମୋ ବାପାମାଆ ବି ବହୁତ ଖୁସି ।
ମୋଦି ଜୀ – ବାଃ, ଆଚ୍ଛା ପରିବାରରେ ଆଉ ଭାଇ କଣ ଏତେ ପ୍ରତିଭାବାନ ନା ଘରେ ତମେ ଜଣେ ହିଁ ପ୍ରତିଭାବାନ ?
ଉସମାନ – କେବଳ ମୁଁ ଅଛି, ମୋ ଭାଇ ଟିକିଏ ଦୁଷ୍ଟ ।
ମୋଦି ଜୀ – ହଁ ହଁ ।
ଉସମାନ – କିନ୍ତୁ ମୋ ସାଙ୍ଗରେ ବହୁତ ଖୁସିରେ ରହେ ।
ମୋଦି ଜୀ – ଆଚ୍ଛା ତମେ ଯେତେବେଳେ ପଢ଼ୁଥିଲ, ତମ ପସନ୍ଦର ବିଷୟ କ’ଣ ଥିଲା?
ଉସମାନ – ଗଣିତ
ମୋଦି ଜୀ – ଆରେ ବାଃ ତ ଗଣିତରେ କ’ଣ ରୁଚି ଥିଲା? କିପରି ହେଲା? କୋଉ ଶିକ୍ଷକ ତମକୁ ପ୍ରେରଣା ଦେଇଥିଲେ?
ଉସମାନ – ଜୀ, ଆମର ଜଣେ ସବଜେକ୍ଟ ଟିଚର ରଜତ ସାର୍ । ସେ ମୋତେ ପ୍ରେରଣା ଦେଇଥିଲେ ଆଉ ସେ ବହୁତ ଭଲ ପଢ଼ାନ୍ତି ଆଉ ଆରମ୍ଭରୁ ହିଁ ମୋର ଗଣିତ ଭଲ ହୁଏ ଆଉ ସେଇଟା ବହୁତ ମଜାଦାର ବିଷୟ ବି
ମୋଦି ଜୀ – ହୁଁ ହୁଁ
ଉସମାନ – ଏହାକୁ ଯେତେ ଅଧିକ କଷିବେ, ସେତିକି ଅଧିକ ଆଗ୍ରହ ଆସିବ, ତ ସେଥିପାଇଁ ମୋର ପ୍ରିୟ ବିଷୟ ।
ମୋଦି ଜୀ – ହୁଁ ହୁଁ । ତମକୁ କ’ଣ ଜଣାଅଛି ଯେ ଅନଲାଇନରେ ବୈଦିକ ଗଣିତର କ୍ଲାସ୍ ହୁଏ ।
ଉସମାନ – ହଁ ସାର୍ ।
ମୋଦି ଜୀ – ହଁ, କେବେ ଚେଷ୍ଟା କରିଛ କରିବାକୁ?
ଉସମାନ – ନା ସାର୍ ଏଯାଏଁ କରିନି ।
ମୋଦି ଜୀ – ତମେ ଦେଖ, ତମର ବହୁତ ସାଙ୍ଗମାନଙ୍କୁ ଲାଗିବ ସତେଯେମିତି ତମେ ଜଣେ ଯାଦୁକର, କାରଣ କମ୍ପ୍ୟୁଟର ଗତିରେ ତମେ ଗଣନା କରିପାରିବ ବୈଦିକ ଗଣିତରେ । ବହୁତ ସରଳ techniques ଆଉ ଆଜିକାଲି ସେଇଟା ଅନଲାଇନରେ ମଧ୍ୟ ଉପଲବ୍ଧ ।
ଉସମାନ – ଜୀ ସାର୍ ।
ମୋଦି ଜୀ – ତମର ଗଣିତରେ ଯେହେତୁ ଆଗ୍ରହ ଅଛି, ତେଣୁ ବହୁତ ନୂଆ ନୂଆ କଥା ବି ତମେ ଦେଇପାରିବ ।
ଉସମାନ – ହଁ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ, ତମେ ଖାଲି ସମୟରେ କ’ଣ କର?
ଉସମାନ – ଖାଲି ସମୟରେ ସାର୍ ମୁଁ କିଛି ନା କିଛି ଲେଖେ । ମତେ ଲେଖାଲେଖି କରିବାରେ ବହୁତ ଆଗ୍ରହ ।
ମୋଦି ଜୀ – ଆରେ ବାଃ ମାନେ ତମେ ଗଣିତରେ ବି ରୁଚି ରଖ ଆଉ ସାହିତ୍ୟରେ ବି
ଉସମାନ – ହଁ ସାର୍ ।
ମୋଦି ଜୀ – କ’ଣ ଲେଖ? କବିତା ଲେଖ ନା ଶାୟରି ଲେଖ ।
ଉସମାନ – କିଛି ବି ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଲେଖାଲେଖି କରେ ।
ମୋଦି ଜୀ – ହଁ ହଁ ।
ଉସମାନ – ନୂଆ ନୂଆ ତଥ୍ୟ ମିଳିଥାଏ ଯେପରିକି ଜିଏସଟି ଆଉ ଆମର ନୋଟବନ୍ଦୀ … ସବୁ କଥା
ମୋଦି ଜୀ – ଆରେ ବାଃ ! ତମେ କଲେଜରେ ପଢ଼ିବା ପାଇଁ ଆଗକୁ କ’ଣ ଯୋଜନା କରୁଛ?
ଉସମାନ – କଲେଜର ପଢ଼ା, ସାର୍ ମୋର JEE Mainsରେ ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇଛି ଆଉ ସେପ୍ଟେମ୍ବର ପାଇଁ second attemptରେ ଏବେ ବସିବି । ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ମୁଁ ପ୍ରଥମେ ଆଇଆଇଟିରୁ ବ୍ୟାଚଲର ଡିଗ୍ରୀ ହାସଲ କରିବି ଆଉ ତା’ପରେ ସିଭିଲ ସର୍ଭିସ୍ ଯିବି ଓ ଜଣେ ଆଇଏଏସ୍ ହେବି ।
ମୋଦି ଜୀ – ଆରେ ବାଃ ଆଚ୍ଛା ତମେ technologyରେ ରୁଚି ରଖ?
ଉସମାନ – ହଁ ସାର୍, ସେଥିପାଇଁ ମୁଁ first time best IITର opt କରିଛି ।
ମୋଦି ଜୀ – ଆଚ୍ଛା ଉସମାନ, ମୋ ତରଫରୁ ବହୁତ ଶୁଭକାମନା ଆଉ ତମ ଭାଇ ଦୁଷ୍ଟ ତ, ତେଣୁ ତମ ସମୟ ବି ବହୁତ ଭଲରେ କଟୁଥିବ ଆଉ ତମ ମାଆବାପାଙ୍କୁ ମୋ ତରଫରୁ ପ୍ରଣାମ ଜଣାଇଦେବ । ସେମାନେ ତମକୁ ଏପରି ସୁଯୋଗ ଦେଇଛନ୍ତି, ତମ ମନୋବଳ ବଢ଼ାଇଛନ୍ତି, ଆଉ ମୋତେ ବହୁତ ଭଲ ଲାଗିଲା ଯେ ତମେ ପାଠପଢ଼ା ସହ ସାମ୍ପ୍ରତିକ ପ୍ରସଙ୍ଗରେ ବି ଅଧ୍ୟୟନ କର ଓ ଲେଖାଲେଖି ମଧ୍ୟ କର । ଦେଖ, ଲେଖାଲେଖି କରିବାର ଲାଭ ହେଉଛି ଯେ ତମ ଚିନ୍ତାରେ ସ୍ପଷ୍ଟତା ଆସିବ । ଲେଖିବା ଦ୍ୱାରା ବହୁତ ଭଲ ଲାଭ ମିଳିଥାଏ । ମୋ ତରଫରୁ ବହୁତ ବହୁତ ଶୁଭକାମନା ।
ଉସମାନ – ଧନ୍ୟବାଦ ସାର୍ ।
ଆସନ୍ତୁ ଏଥର ପୁରା ଦକ୍ଷିଣକୁ ଯିବା । ତାମିଲନାଡୁର ନାମାକ୍କଲର ଝିଅ କନିଗ୍ଗା ସହ କଥା ହେବା ଆଉ କନିଗ୍ଗାର କଥା ବହୁତ ପ୍ରେରଣାଦାୟକ ।
ମୋଦି ଜୀ – କନିଗ୍ଗା ଜୀ, ୱଡ଼କ୍କମ୍ ।
କନିଗ୍ଗା – ୱଡ଼କ୍କମ୍ ସାର୍ ।
ମୋଦି ଜୀ – କେମିତି ଅଛ ?
କନିଗ୍ଗା – ଭଲ ସାର୍ ।
ମୋଦି ଜୀ – ସର୍ବପ୍ରଥମେ ମୁଁ ତମର ବଡ଼ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।
କନିଗ୍ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ମୁଁ ଯେତେବେଳେ ନାମାକ୍କଲ୍ କଥା ଶୁଣେ ସେତେବେଳେ ଅଞ୍ଜନେୟର୍ ମନ୍ଦିର କଥା ଭାବେ ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ତାହେଲେ ଏଥର ମୁଁ ତମ ସହ ବାର୍ତ୍ତାଳାପକୁ ବି ମନେ ପକାଇବି ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ଆଉଥରେ ଅଭିନନ୍ଦନ ।
କନିଗ୍ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ତମେ ପରୀକ୍ଷା ପାଇଁ ନିଶ୍ଚୟ କଠିନ ପରିଶ୍ରମ କରିଥିବ, ପ୍ରସ୍ତୁତି କରିବାର ଅଭିଜ୍ଞତା କିପରି ଥିଲା?
କନିଗ୍ଗା – ସାର୍, ଆରମ୍ଭରୁ ହିଁ ଆମେ ବହୁତ ପରିଶ୍ରମ କରୁଥିଲୁ । ମୁଁ ଅବଶ୍ୟ ଏପରି ଫଳାଫଳ ଆଶା କରିନଥିଲି, କିନ୍ତୁ ମୁଁ ଭଲ ଲେଖିଥିଲି; ତେଣୁ ଭଲ ଫଳ ପାଇଲି ।
ମୋଦି ଜୀ – ତମ ଆଶା କ’ଣ ଥିଲା?
କନିଗ୍ଗା – 485 ବା 486 ପାଖାପାଖି ପାଇବି ବୋଲି ଭାବୁଥିଲି ।
ମୋଦି ଜୀ – ଆଉ ଏବେ
କନିଗ୍ଗା – 490
ମୋଦି ଜୀ – ତମ ପରିବାର ଲୋକ ଆଉ ଶିକ୍ଷକମାନଙ୍କର ପ୍ରତିକ୍ରିୟା କ’ଣ?
କନିଗ୍ଗା – ସେମାନେ ବହୁତ ଖୁସି ଆଉ ସେମାନେ ବହୁତ ଗର୍ବିତ ସାର୍ ।
ମୋଦି ଜୀ – ତମ ପ୍ରିୟ ବିଷୟ କ’ଣ?
କନିଗ୍ଗା – ଗଣିତ ।
ମୋଦି ଜୀ – ଓଃ, ଆଉ ତମ ଭବିଷ୍ୟତ ଯୋଜନା କ’ଣ?
କନିଗ୍ଗା – ଯଦି ଏଏଫ୍ଏମସି ସମ୍ଭବ ହୁଏ, ତେବେ ମୁଁ ଜଣେ ଡାକ୍ତର ହେବାକୁ ଚାହିଁବି ସାର୍ ।
ମୋଦି ଜୀ – ଆଉ ତମ ପରିବାରର କେହି ଡାକ୍ତରୀ ବୃତିରେ ଅଛନ୍ତି ନା ଅନ୍ୟ କିଛି କରନ୍ତି ।
କନିଗ୍ଗା – ନା ସାର୍, ମୋ ବାପା ଜଣେ ଗାଡ଼ିଚାଳକ, କିନ୍ତୁ ମୋ ଭଉଣୀ ଏମ୍ବିବିଏସ୍ ପଢ଼ୁଛି ସାର୍ ।
ମୋଦି ଜୀ – ଆରେ ବାଃ ତ ମୁଁ ପ୍ରଥମେ ତମ ବାପାଙ୍କୁ ପ୍ରଣାମ ଜଣାଉଛି ଯିଏ ତମର ଆଉ ତମ ଭଉଣୀର ଏତେ ଯତ୍ନ ନେଉଛନ୍ତି । ସେ ଯାହା କରୁଛନ୍ତି, ତାହା ବହୁତ ବଡ଼ କାମ ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ଆଉ ସେ ସମସ୍ତଙ୍କ ପାଇଁ ପ୍ରେରଣା ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ତମକୁ, ତମ ଭଉଣୀଙ୍କୁ ଆଉ ବାପା ଓ ଅନ୍ୟ ପରିବାର ଲୋକଙ୍କୁ ମୋର ଅଭିନନ୍ଦନ ।
କନିଗ୍ଗା – ଧନ୍ୟବାଦ ସାର୍ ।
ବନ୍ଧୁଗଣ, ଏପରି ଆହୁରି ଅନେକ ଯୁବବନ୍ଧୁ ଅଛନ୍ତି, କଠିନ ପରିସ୍ଥିତିରେ ମଧ୍ୟ ଯାହାଙ୍କର ମନୋବଳର, ଯାହାଙ୍କ ସଫଳତାର କାହାଣୀ ଆମକୁ ପ୍ରେରଣା ଯୋଗାଇଥାଏ । ଅଧିକରୁ ଅଧିକ ଯୁବସାଥୀଙ୍କ ସହ କଥା ହେବାକୁ ମୋର ଇଚ୍ଛା ଥିଲା, କିନ୍ତୁ ସମୟର ମଧ୍ୟ କିଛି ସୀମା ଥାଏ । ମୁଁ ସମସ୍ତ ଯୁବସାଥୀମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ନିଜ ନିଜର ପ୍ରେରଣାଦାୟକ କଥା ଓ କାହାଣୀଗୁଡ଼ିକୁ ଆମ ସମସ୍ତଙ୍କ ସହ ନିଶ୍ଚୟ ବାଂଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ସାତ ସମୁଦ୍ର ସେପାରି ଭାରତ ଠାରୁ ହଜାର ହଜାର ମାଇଲ୍ ଦୂରରେ ଗୋଟିଏ ଛୋଟିଆ ଦେଶ ଅଛି ଯାହାର ନାଁ ସୁରିନାମ । ଭାରତର ସୁରିନାମ ସହ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଶତାଧିକ ବର୍ଷ ଆଗରୁ ଭାରତରୁ ଲୋକ ସେଠାକୁ ଯାଇଥିଲେ ଓ ତାକୁ ହିଁ ନିଜର ଘର କରିଦେଲେ । ଆଜି ଚତୁର୍ଥ-ପଞ୍ଚମ ପିଢ଼ି ସେଠାରେ ଅଛନ୍ତି । ଆଜି ସୁରିନାମର ଏକ ଚତୁର୍ଥାଂଶରୁ ଅଧିକ ଲୋକ ଭାରତୀୟ ବଂଶୋଦ୍ଭବ । କ’ଣ ଆପଣ ଜାଣନ୍ତି ଯେ ସେଠାକାର ସାଧାରଣ ଭାଷା ମଧ୍ୟରୁ ଗୋଟିଏ ହେଉଛି ‘ସରନାମୀ’, ଯାହା ଭୋଜପୁରୀର ଏକ କଥିତ ଭାଷା । ଏହି ସାଂସ୍କୃତିକ ସମ୍ବନ୍ଧକୁ ନେଇ ଆମେ ଭାରତୀୟମାନେ ଖୁବ୍ ଗର୍ବ ଅନୁଭବ କରୁ ।
ନିକଟରେ, ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖି ‘ସୁରିନାମ’ର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ଭାରତର ବନ୍ଧୁ ଏବଂ ସେ 2018ରେ ଆୟୋଜିତ person of Indian Origin (PIO) Parliamentary Conferenceରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖି ଜୀ ବେଦମନ୍ତ୍ର ସହ ଶପଥ ନେବା ଆରମ୍ଭ କରିଥିଲେ ଓ ସଂସ୍କୃତରେ କହିଥିଲେ । ସେ ବେଦର ଉଲ୍ଲେଖ କରିଥିଲେ ଏବଂ ‘ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ’ ସହ ନିଜର ଶପଥ ସମ୍ପୂର୍ଣ୍ଣ କରିଥିଲେ । ସେ ନିଜ ହାତରେ ବେଦଧରି କହିଥିଲେ – ମୁଁ ଚନ୍ଦ୍ରିକା ପ୍ରସାଦ ସଂତୋଖି ଏବଂ ଆଗକୁ ସେ ଶପଥରେ କ’ଣ କହିଲେ? ସେ ବେଦର ହିଁ ଗୋଟିଏ ମନ୍ତ୍ର ଉଚ୍ଚାରଣ କଲେ । ସେ କହିଥିଲେ – ଓଁ ଅଗ୍ନେ ବ୍ରତପତେ ବ୍ରତଂ ଚରିଷ୍ୟାମି ତଚ୍ଛକେୟମ୍ ତନ୍ମେ ରାଧ୍ୟତାମ୍ । ଇଦମହମନୃତାତ୍ ସତ୍ୟମୁପ୍ୟେମି ।
ଅର୍ଥାତ୍ ହେ ଅଗ୍ନି, ସଂକଳ୍ପର ଦେବତା, ମୁଁ ଗୋଟିଏ ପ୍ରତିଜ୍ଞା କରୁଛି । ମୋତେ ଏଥିପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କର । ମୋତେ ଅସତ୍ୟରୁ ଦୂରରେ ରହିବାକୁ ଓ ସତ୍ୟ ଆଡ଼କୁ ଯିବାପାଇଁ ଆଶୀର୍ବାଦ ପ୍ରଦାନ କର । ବାସ୍ତବରେ ଏହା ଆମ ସମସ୍ତଙ୍କ ପାଇଁ ଗୌରବର କଥା ।
ମୁଁ ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖିଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନିଜ ରାଷ୍ଟ୍ରର ସେବା କରିବା ପାଇଁ 130 କୋଟି ଭାରତୀୟଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ବର୍ଷାଋତୁ ମଧ୍ୟ ଚାଲିଛି । ଗତଥର ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ବର୍ଷାଦିନେ ଆବର୍ଜନା ଓ ସେଥିରୁ ହେଉଥିବା ବିଭିନ୍ନ ରୋଗର ବିପଦ ବଢ଼ିଯାଏ, ଡାକ୍ତରଖାନାଗୁଡ଼ିକରେ ଭିଡ଼ ବଢ଼ିଯାଏ । ତେଣୁ ଆପଣ ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶୀ ଦୃଷ୍ଟି ଦିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଭଳି ଜିନିଷ, ଆୟୁର୍ବେଦିକ କାଢ଼ା ଇତ୍ୟାଦି ବ୍ୟବହାର କରୁଥାନ୍ତୁ । କରୋନା ସଂକ୍ରମଣ ସମୟରେ ଆମେ ଅନ୍ୟ ରୋଗଠାରୁ ଦୂରେଇ ରହିବା । ଆମକୁ ବାରମ୍ବାର ଯେମିତି ଡାକ୍ତରଖାନା ଯିବାକୁ ନ ପଡ଼େ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ ।
ବନ୍ଧୁଗଣ, ବର୍ଷାଋତୁରେ, ଦେଶର ଗୋଟିଏ ବଡ଼ ଭାଗ ବନ୍ୟା ସହ ଲଢ଼େଇ କରୁଛି । ବିହାର, ଆସାମ ଭଳି ରାଜ୍ୟର ଅନେକ ଅଂଚଳରେ ବନ୍ୟା ଦ୍ୱାରା ବହୁତ ସମସ୍ୟା ସୃଷ୍ଟି ହୋଇଛି; ଅର୍ଥାତ ଗୋଟିଏ ପଟେ କରୋନା ତ ଆଉ ଗୋଟିଏ ପଟେ ବନ୍ୟା ମଧ୍ୟ ବଡ଼ ଆହ୍ୱାନ ପାଲଟିଛି । ଏପରି ଅବସ୍ଥାରେ ସମସ୍ତ ସରକାର, ଏନଡିଆରଏଫ ଟିମ୍, ରାଜ୍ୟର ବିପର୍ଯ୍ୟୟ ନିୟନ୍ତ୍ରଣକାରୀ ଟିମ୍, ସ୍ୱେଚ୍ଛାସେବୀ ସଂଗଠନ, ସମସ୍ତେ ଏକଜୁଟ୍ ହୋଇ ସବୁ ଦିଗରୁ ରିଲିଫ୍ ଓ ଉଦ୍ଧାର କାମ ଚଳାଇଛନ୍ତି । ଏହି ବିପର୍ଯ୍ୟୟରେ ପ୍ରଭାବିତ ସବୁ ଲୋକଙ୍କ ସହ ସମଗ୍ର ଦେଶ ରହିଛି ।
ବନ୍ଧୁଗଣ, ଆସନ୍ତା ଥର ଯେତେବେଳେ ଆମେ ‘ମନ କି ବାତ୍’ରେ ଭେଟ ହେବା, ତା’ପୂର୍ବରୁ ହିଁ 15 ଅଗଷ୍ଟ ଆସିଯିବ । ଏଥର 15 ଅଗଷ୍ଟ ମଧ୍ୟ ଭିନ୍ନ ପରିସ୍ଥିତିରେ ହେବ – କରୋନା ମହାମାରୀର ଏହି ବିପର୍ଯ୍ୟୟ ସମୟ ଭିତରେ ହେବ ।
ମୋର, ନିଜ ଯୁବବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପ ନେବା । ଆମ ଦେଶ ଏବେ ଯେଉଁ ଉଚ୍ଚତାରେ ପହଂଚିଛି, ତାହା ଏପରି କେତେକ ମହାପୁରୁଷଙ୍କ ତପସ୍ୟା କାରଣରୁ ସମ୍ଭବ ହୋଇଛି, ଯେଉଁମାନେ ରାଷ୍ଟ୍ରନିର୍ମାଣ ପାଇଁ ନିଜର ଜୀବନକୁ ସମର୍ପି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଲୋକମାନ୍ୟ ତିଳକ ଅନ୍ୟତମ । 1 ଅଗଷ୍ଟ 2020ରେ ଲୋକମାନ୍ୟ ତିଳକ ଜୀଙ୍କ 100 ତମ ପୁଣ୍ୟତିଥି । ଲୋକମାନ୍ୟ ତିଳକ ଜୀଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା । ତାହା ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ ।
ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ପୁଣିଥରେ ବହୁତ କଥା ହେବା, ମିଶିକି କିଛି ନୂଆ ଶିଖିବା ଆଉ ସମସ୍ତଙ୍କ ସହ ବାଂଟିବା । ଆପଣମାନେ ସମସ୍ତେ ନିଜର ଯତ୍ନ ନିଅନ୍ତୁ, ନିଜ ପରିବାରର ଯତ୍ନ ନିଅନ୍ତୁ ଏବଂ ସୁସ୍ଥ ରହନ୍ତୁ । ସମସ୍ତ ଦେଶବାସୀଙ୍କୁ ଆଗାମୀ ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।
**********
Today, 26th July is a very special day for every Indian. #CourageInKargil pic.twitter.com/pSXmuddxjt
— PMO India (@PMOIndia) July 26, 2020
Thanks to the courage of our armed forces, India showed great strength in Kargil. #CourageInKargil pic.twitter.com/O0IWO7BThL
— PMO India (@PMOIndia) July 26, 2020
PM @narendramodi recalls his own visit to Kargil.
— PMO India (@PMOIndia) July 26, 2020
He also highlights how people have been talking about the courage of the Indian forces. #CourageInKargil #MannKiBaat pic.twitter.com/sS3SJ1iUe5
An appeal to every Indian... #CourageInKargil #MannKiBaat pic.twitter.com/SiLzgVEAw9
— PMO India (@PMOIndia) July 26, 2020
Recalling the noble thoughts of Bapu and the words of beloved Atal Ji during his Red Fort address in 1999. #MannKiBaat pic.twitter.com/7pZIvvDLcX
— PMO India (@PMOIndia) July 26, 2020
Let us do everything to further national unity. #MannKiBaat pic.twitter.com/dNFkvyoQp1
— PMO India (@PMOIndia) July 26, 2020
We have to keep fighting the COVID-19 global pandemic. #MannKiBaat pic.twitter.com/U7fIV45yk7
— PMO India (@PMOIndia) July 26, 2020
Social distancing.
— PMO India (@PMOIndia) July 26, 2020
Wearing masks.
The focus on these must continue. #MannKiBaat pic.twitter.com/vhzJOjGtCs
Sometimes, do you feel tired of wearing a mask?
— PMO India (@PMOIndia) July 26, 2020
When you do, think of our COVID warriors and their exemplary efforts. #MannKiBaat pic.twitter.com/u4oFgwfiGe
We are seeing how Madhubani masks are becoming increasingly popular across India. #MannKiBaat pic.twitter.com/iyXvJ3GQd4
— PMO India (@PMOIndia) July 26, 2020
Inspiring efforts in the Northeast. #MannKiBaat pic.twitter.com/9hTinMyZPp
— PMO India (@PMOIndia) July 26, 2020
Ladakh and Kutch are making commendable efforts towards building an Aatmanirbhar Bharat. #MannKiBaat pic.twitter.com/aC5HZj5cAg
— PMO India (@PMOIndia) July 26, 2020
Being vocal for local. #MannKiBaat pic.twitter.com/Auxy4GxZTK
— PMO India (@PMOIndia) July 26, 2020
India is changing.
— PMO India (@PMOIndia) July 26, 2020
There was a time, when whether in sports or other sectors, most people were either from big cities or from famous families or from well-known schools or colleges.
Now, it is very different: PM @narendramodi #MannKiBaat
Our youth are coming forward from villages, from small towns and from ordinary families. New heights of success are being scaled. These people are moving forward in the midst of crises, fostering new dreams. We see this in the results of the board exams too: PM @narendramodi
— PMO India (@PMOIndia) July 26, 2020
Here is something interesting from Suriname... #MannKiBaat pic.twitter.com/NVcQJtiq4r
— PMO India (@PMOIndia) July 26, 2020
Our solidarity with all those affected by floods and heavy rainfall across India.
— PMO India (@PMOIndia) July 26, 2020
Centre, State Governments, local administrations, NDRF and social organisations are working to provide all possible assistance to those affected. #MannKiBaat pic.twitter.com/zwtXIpIfoi