Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ


ସାଥୀଗଣ,

ଏହି ଔପଚାରିକ ଊଦ୍ଘାଟନ ପୂର୍ବରୁ ମୁଁ ଖଗଡ଼ିଠାରେ ନିଜର ସେଠାକାର ଭାଇ ଉଉଣୀମାନଙ୍କ ସହ ବାର୍ତ୍ତାଳା କରୁଥିଲି ।  ଆଜି ଗାଁର ସମସ୍ତଙ୍କ ସହ କଥାବାର୍ତ୍ତା କଲାବେଳେ ମୋତେ କିଛି ମାତ୍ରାରେ ଆଶ୍ୱାସନା ମିଳିଲା ଏବଂ ସନ୍ତୋଷ ବି ପ୍ରାପ୍ତ ହେଲା । ଯେତେବେଳେ କରୋନା ମହାମାରୀର ସଂକଟ ବଢ଼ିବା ଆରମ୍ଭ କରିଥିଲା, ତ ଆପଣମାନେ ସମସ୍ତେ, କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର, ଉଭୟଙ୍କ ପାଇଁ ଚିନ୍ତା ବଢ଼ି ଯାଇଥିଲା । ସେହି ସମୟରେ ଯିଏ ଯେଉଁଠାରେ ଥିଲେ ସେଠାରେ ସେମାନେ ସାହାଯ୍ୟ ପହଞ୍ଚାଇବାର ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ । ଆମେ ନିଜ ଶ୍ରମିକ ଭାଇ ଉଉଣୀମାନଙ୍କ ନିମନ୍ତେ ଶ୍ରମିକ ସ୍ପେଶାଲ ଟ୍ରେନମାନ ଚଲାଇଥିଲୁ ।

ବାସ୍ତବିକ, ଆପଣମାନଙ୍କ ସହିତ ଆଜି କଥାବାର୍ତ୍ତା କଲାବେଳେ ଆପଣମାନଙ୍କ ମନରେ ଥିବା ଦୃଢ଼ ମନୋଭାବର ଶକ୍ତି ଓ ଉଜ୍ଜ୍ୱଳତା ସହିତ ପରିଚିତ ହୋଇପାରିଛି ଏବଂ ମୋ ମନରେ ଆପଣମାନଙ୍କ ପାଇଁ ଏକ ସମ୍ମାନର ଭାବ ପୂର୍ବରୁ ଥିଲା, ଏକ ବିଶ୍ୱାସ ଥିଲା । ଆଜି ତାହା ମୁଁ ଅନୁଭବ କରିପାରୁଛି । କରୋନାର ଏତେ ବଡ଼ ସଂକଟ, ସାରା ବିଶ୍ୱ ଯାହାର ପ୍ରଭାବରେ ଦୋହଲି ଯାଇଛି, ସନ୍ତ୍ରସ୍ତ ହୋଇପଡ଼ିଛି । କିନ୍ତୁ ଆପଣମାନେ ତାହାକୁ ଭୟ ନକରି ଦୃଢ଼ତାର ସହ ଠିଆ ହୋଇଛନ୍ତି । ଭାରତର ଗାଁମାନଙ୍କରେ ତ କରୋନାର ଯେଉଁଭଳି ଭାବେ ମୁକାବିଲା କରାଯାଉଛି, ସେମାନେ  ବଡ଼ ବଡ଼ ସହରମାନଙ୍କୁ ବି ଅନେକ କଥା ଶିକ୍ଷା ଦେଇଛନ୍ତି ।

ଆପଣମାନେ ଥରେ ଚିନ୍ତା କରନ୍ତୁ, 6 ଲକ୍ଷରୁ ଅଧିକ ଗ୍ରାମ ଥିବା ଆମର ଦେଶ, ଯେଉଁଥିରେ ଦୁଇ ତୃତୀୟାଂଶରୁ ଅଧିକ ଦେଶବାସୀ ବସବାସ କରନ୍ତି ଓ ସେମାନଙ୍କ ସଂଖ୍ୟା ପାଖାପାଖି 80-85 କୋଟି ହେବ, ସେମାନେ ଗାଁରେ ବସବାସ କରନ୍ତି । ସେହି ଗ୍ରାମୀଣ ଭାରତରେ କରୋନାର ସଂକ୍ରମଣକୁ ଆପଣମାନେ ଖୁବ୍ ପ୍ରଭାବୀ ଢ଼ଙ୍ଗରେ ରୋକି ପାରିଛନ୍ତି ଏବଂ ଆମର ଯେଉଁ ଗାଁର ଜନସାଧାରଣ ଅଛନ୍ତି, ସେଠାରେ ବସବାସ କରୁଥିବା ଜନସାଧାରଣ ୟୁରୋପର ସବୁ ଦେଶକୁ ଯଦି ଏକତ୍ର ମିଶାଇ ଦିଆଯାଏ, ତେବେ ତାଠାରୁ ମଧ୍ୟ ଅଧିକ ହେବ । ଏହି ଜନସଂଖ୍ୟା ସମଗ୍ର ଆମେରିକାର ନାଗରିକଙ୍କୁ ଯଦି ଏକତ୍ର କରାଯିବ, ସେଥିରେ ରୁଷର ନାଗରିକଙ୍କୁ ବି ମିଶାଇ ଦିଅଯିବ, ଅଷ୍ଟ୍ରେଲିଆକୁ ବି ସାମିଲ କରାଯିବ, ତାଠାରୁ ମଧ୍ୟ ଆମର ଗ୍ରାମୀଣ ଜନସଂଖ୍ୟା ଢ଼େର୍ ଅଧିକ ହେବ । ଏତେ ବଡ଼ ଜନସଂଖ୍ୟା କରୋନାକୁ ଏତେ ସାହସର ସହିତ ମୁକାବିଲା କରିବା, ଏତେ ସଫଳତାର ସହ ସମ୍ମୁଖୀନ ହେବା, ବହୁତ ବଡ଼ କଥା । ପ୍ରତ୍ୟେକ ଭାରତବାସୀ ଏକଥାକୁ ନେଇ ଗର୍ବ କରୁଛି । ଏହି ସଫଳତା ପଛରେ ଆମର ଗ୍ରାମୀଣ ଭାରତର ସଚେତନତା ହିଁ କାମ କରୁଛି । ପଞ୍ଚାତ ସ୍ତର ପର୍ଯ୍ୟନ୍ତ ଆମର ଲୋକତାନ୍ତ୍ରିକ ବ୍ୟବସ୍ଥା, ଆମର ସ୍ୱାସ୍ଥ୍ୟ ସୁବିଧା, ଆମର ଚିକିତ୍ସା କେନ୍ଦ୍ର, ନିରାମୟ କେନ୍ଦ୍ର, ଆମର ସ୍ୱଚ୍ଛତା ଅଭିଯାନର ଉଲ୍ଲେଖନୀୟ ଭୂମିକା ରହିଛି ।

କିନ୍ତୁ ସେଥିରେ ବି ତଳ ସ୍ତରରେ କାର୍ଯ୍ୟ କରୁଥିବା ଆମର ସାଥୀ, ଗାଁ ମୁଖିଆ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଜୀବିକା ଦିଦି, ସେମାନେ ସମସ୍ତେ ବେଶ୍ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।  ସେମାନେ ସମସ୍ତେ ପ୍ରଶଂସାର ପାତ୍ର, ଅଭିନନ୍ଦନର ପାତ୍ର ।

ସାଥୀଗଣ,

ଯଦି ଏଭଳି କାର୍ଯ୍ୟ କୌଣସି ପାଶ୍ଚାତ୍ୟ ରାଷ୍ଟ୍ରରେ ହୋଇଥାନ୍ତା, ତାହେଲେ ସାରା ବିଶ୍ୱରେ, ଆନ୍ତର୍ଜାତିକ ସ୍ତରରେ ଏହାର ସଫଳତାର କଥା କେତେ ମାତ୍ରାରେ ଚର୍ଚ୍ଚା ହେଉଥାନ୍ତା! କେତେ ସାବାସୀ ମିଳୁଥାନ୍ତା । କିନ୍ତୁ ଆମେ ଜାଣୁ ଯେ କିଛି ଲୋକଙ୍କୁ ନିଜ କଥା ସୂଚୀତ କରିବାକୁ ସୁଦ୍ଧା ସଂକୋଚ ମାଡ଼ିଥାଏ । କିଛି ଲୋକଙ୍କ ଲାଗେ ଯେ ଭାରତର ଗ୍ରାମୀଣ ଜୀବନ ଯଦି ପ୍ରଶଂସନୀୟ ହୋଇଯିବ ତେବେ ସେମାନେ ବିଶ୍ୱକୁ ପୁଣି କଣ ଜବାବ ଦେବେ? ଆପଣମାନେ ସମସ୍ତେ ଏଭଳି ପ୍ରଶଂସାର ହକଦାର । ଆପଣମାନେ ଏହି ପରାକ୍ରମର ମଧ୍ୟ ହକଦାର । ଆପଣମାନେ ହକଦାର ହେଉଛନ୍ତି ଏତେ ବଡ଼ ଜୀବନ ଏବଂ ମୃତ୍ୟୁର ଖେଳ ଯେଉଁଠି ଖେଳାଯାଉଛି, ଏଭଳି ଭୂତାଣୁ ମୁହଁରୁ ବର୍ତ୍ତିଯାଇଥିବାରୁ ଆପଣମାନେ ଏଭଳି ପ୍ରଶଂସାର ହକଦାର ।  ଛାଡ଼, ଦୁନିଆରେ ଏଭଳି ଉପାୟର ଚରିତ୍ର ହେଲା ଏଇଆ, ଆମ ଦେଶରେ ବି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ପିଠି ଥାପୁଡ଼େଇବେ । ସେ ଯାହାହେଉ, କିଏ ପିଠି ଥାପୁଡ଼େଇଲା କି ନଥାପୁଡ଼େଇଲା, ମୁଁ ଆପଣମାନଙ୍କର କିନ୍ତୁ ଜୟ ଜୟକାର କରିଆସୁଛି । ମୁଁ ଆପଣମାନଙ୍କର ଏଭଳି ପରାକ୍ରମର କଥା ସାରା ବିଶ୍ୱରେ ଗଳା ଫଟାଇ କହି ବୁଲୁଛି । ଆପଣମାନଙ୍କ ପରାକ୍ରମର କଥା ମୁଁ ସମଗ୍ର ଦୁନିଆରେ ଏମିତି ଚିତ୍କାର କରି କହି ଚାଲିଥିବି । ଆପଣମାନେ ନିଜର ହଜାର କି ଲକ୍ଷ ଲୋକଙ୍କ ଜୀବନ କରୋନା ସଂକ୍ରମଣରୁ କିଭଳି ଭାବେ ବଞ୍ଚାଇ ପାରିଛନ୍ତି ।

ଆଜି ମୁଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପୂର୍ବରୁ ଭାରତର ଗ୍ରାମୀଣ ଲୋକମାନେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ଦେଶର ପ୍ରତ୍ୟେକ ଗାଁରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ପ୍ରତ୍ୟେକ ରାଜ୍ୟରେ କରିଛନ୍ତି, ମୁଁ ସେହିସବୁ ଗ୍ରାମର ଅଧିବାସୀମାନଙ୍କୁ ପରିଚାଳିତ କରିଥିବା ବ୍ୟକ୍ତିମାନଙ୍କୁ ଆଦର ପୂର୍ବକୁ ନମନ କରୁଛି ।

ଦେଶର ଗରିବ, ଖଟିଖିଆ ମଜୁରିଆ, ଶ୍ରମିକମାନଙ୍କର ଏଭଳି ଶକ୍ତିକୁ ମୁଁ ନମସ୍କାର କରୁଛି! ମୋର ଦେଶର ଗ୍ରାମଗୁଡ଼ିକୁ ନମସ୍କାର ଜଣାଉଛି । ଶତ ଶତ ବାର ନମସ୍କାର! ମୋତେ ତ ଏକଥା ସୂଚୀତ କରାଯାଇଛି ଯେ ଗଲା ପହରଦିନ ପାଟନାରେ କରୋନା ଟେଷ୍ଟିଂର ଏକ ଅତ୍ୟାଧୁନିକ ମେସିନ୍ କାର୍ଯ୍ୟ ଆରମ୍ଭ କରିଛି । ଏହି ମେସିନରେ ଦିନକୁ ପାଖାପାଖି ୧୫୦୦ ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଇପାରିବ । ଏହି ଟେଷ୍ଟିଂ ମେସିନ୍ ପାଇଁ ବିହାରବାସୀଙ୍କୁ ମୁଁ ବଧେଇ ଜଣାଉଛି ।

ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀଗଣ, ଭିନ୍ନ ଭିନ୍ନ ରାଜ୍ୟମାନଙ୍କର ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ଆଦରଣୀୟ ନୀତିଶ ବାବୁ, ଅଶୋକ ଗେହଲଟଜୀ, ଶିବରାଜ ଜୀ, ଯୋଗୀ ଆଦିତ୍ୟନାଥ ଜୀ, ଉପସ୍ଥିତ ସାଂସଦ ଏବଂ ବିଧାୟକ ସାଥୀ, ସମସ୍ତ ଅଧିକାରୀଗଣ, ପଞ୍ଚାୟତର ପ୍ରତିନିଧିବୃନ୍ଦ ଏବଂ ଟେକ୍ନେଲୋଜି ମାଧ୍ୟମରେ ଦେଶର ହଜାର ହଜାର ଗାଁ ସହିତ ଯୋଡ଼ି ହୋଇ ରହିଥିବା ମୋର କର୍ମଠ କର୍ମଯୋଗୀ ସାଥୀଗଣ, ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ମୁଁ ନମସ୍କାର ଜଣାଉଛି!!

ଆଜିର ଦିନଟି ବେଶ୍ ଐତିହାସିକ ଅଟେ । ଆଜି ଗରିବ କଲ୍ୟାଣ ନିମନ୍ତେ, ସେମାନଙ୍କର ରୋଜଗାର ସକାଶେ ଏକ ବହୁତ ବଡ଼ ଅଭିଯାନର ଶୁଭାରମ୍ଭ ଆରମ୍ଭ କରାଯାଇଛି । ଏହି ଅଭିଯାନ ସମର୍ପିତ ହୋଇଛି ଆମର ଶ୍ରମିକ ଭାଇ ଭଉଣୀମାନଙ୍କ ନିମନ୍ତେ, ଆମର ଗାଁମାନଙ୍କରେ ରହୁଥିବା ଯୁବ ଭାଇ ଭଉଣୀ, କନ୍ୟାମାନଙ୍କ ନିମନ୍ତେ । ସେମାନଙ୍କ ମଧ୍ୟରୁ ଅଧିକତର ଏଭଳି ଶ୍ରମିକ ଯେଉଁମାନେ ଲକଡାଉନ୍ ସମୟରେ ନିଜ ଘରକୁ ଲେଉଟିଛନ୍ତି । ସେମାନେ ନିଜର ଶ୍ରମ ଏବଂ କୌଶଳ ଦ୍ୱାରା ନିଜ ଗାଁଗୁଡ଼ିକର ବିକାଶ ନିମନ୍ତେ କିଛି କରିବାକୁ ଚାହାନ୍ତି । ଯେଉଁ ପର୍ଯ୍ୟନ୍ତ ସେମାନେ ନିଜ ଗାଁରେ ରହିବେ, ନିଜ ଗ୍ରାମର ଉନ୍ନତି କରିବା ଦିଗରେ କାର୍ଯ୍ୟ କରିପାରିବେ ।

ମୋର ଶ୍ରମିକ ସାଥୀଗଣ, ଦେଶ ଆପଣମାନଙ୍କ ଭାବନାକୁ ହୃଦୟଙ୍ଗମ କରୁଛି ଏବଂ ଆପଣମାନଙ୍କ ଆବଶ୍ୟକତାକୁ ମଧ୍ୟ । ଆଜି ଖଗଡ଼ିୟାଠାରୁ ଆରମ୍ଭ ହେଉଥିବା ଏହି ଗରିବ କଲ୍ୟାଣ ରୋଜଗାର ଅଭିଯାନ ଏହି ଭାବନା, ଏହି ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଏକ ବହୁତ ବଡ଼ ସାଧନ ହୋଇପାରିଛି ।

ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ, ଏହି ଛଅଟି ରାଜ୍ୟର 116ଟି ଜିଲ୍ଲାରେ ଏହି ଅଭିଯାନ ପୁରା ଜୋରସୋରରେ ଚଲାଯିବ । ଆମର ପ୍ରୟାସ ରହିବ ଯେ ଏହି ଅଭିଯାନ ଜରିଆରେ, ଏହି ଅଭିଯାନ ମାଧ୍ୟମରେ ଶ୍ରମିକ ଓ କାରିଗରମାନଙ୍କ ଘର ନିକଟରେ ହିଁ ସେମାନଙ୍କୁ କର୍ମ ଯୋଗାଇ ଦିଆଯାଉ । ଏପର୍ଯ୍ୟନ୍ତ ଆପଣମାନେ ନିଜର କୌଶଳ ଏବଂ ଶ୍ରମ ଦ୍ୱାରା ସହରଗୁଡ଼ିକୁ ଆଗକୁ ବଢ଼ାଇବାରେ ସହଯୋଗ କରିଆସୁଥିଲେ । ଏବେ ଆପଣମାନେ ନିଜ ଗାଁକୁ, ନିଜର ଇଲାକାକୁ ଆଗକୁ ବଢ଼ାଇ ନେବାରେ ସହଯୋଗ କରିବେ ଏବଂ ସାଥୀଗଣ, ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋତେ ଏହି କାର୍ଯ୍ୟର ପ୍ରେରଣା କିଛି ଶ୍ରମିକ ସାଥୀଙ୍କ ଠାରୁ ହିଁ ମିଳିଛି ।

ସାଥୀଗଣ, ମୁଁ ଗଣମାଧ୍ୟମରେ ଗୋଟିଏ ଖବର ଦେଖିବାକୁ ପାଇଥିଲି । ସେ ଖବର ଉତ୍ତର ପ୍ରଦେଶର ଉନ୍ନାଓର ଥିଲା । ସେଠାରେ ଗୋଟିଏ ସରକାରୀ ସ୍କୁଲକୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ର ବନା ଯାଇଥିଲା । ଯେଉଁ ଶ୍ରମିକମାନେ ସହରରୁ ଫେରିଥିଲେ ସେମାନଙ୍କୁ ସେଠାରେ ରଖା ଯାଉଥିଲା । ସେହି ସେଣ୍ଟରରେ ହାଇଦ୍ରାବାଦରୁ ଆସିଥିବା କିଛି ଶ୍ରମିକଙ୍କୁ ରଖା ଯାଇଥିଲା । ସେହି ସବୁ ଶ୍ରମିକମାନେ ରଙ୍ଗକର୍ମୀ ଓ ପିଓପି କାମରେ ଏକ୍ସପାର୍ଟ ଥିଲେ । ସେମାନେ ନିଜ ଗାଁ ପାଇଁ କିଛି କରିବାକୁ ଚାହୁଁଥିଲେ । ଦେଖନ୍ତୁ, ସେମାନେ ଚିନ୍ତା କଲେ ଯେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଏମିତି ପଡ଼ିରହିଲେ କେବଳ ସମୟ ବରବାଦ ହେବ । କେବଳ ଖାଇପିଇ ଆରାମରେ ରହିବା ଛଡ଼ା ଆମେ ଯାହାକିଛି ଜାଣିଛେ, ସେହି କୌଶଳକୁ ଉପଯୋଗ କରିବା ଦରକାର ଏବଂ ଦେଖନ୍ତୁ, ସରକାରୀ ସ୍କୁଲରେ ରହିବା ଅବସ୍ଥାରେ ସେହିସବୁ ଶ୍ରମିକମାନେ ନିଜର କୌଶଳରେ ସ୍କୁଲର ହିଁ କାୟାକଳ୍ପ କରି ଦେଇଥିଲେ ।

ମୋର ଶ୍ରମିକ ଭାଇ ଭଉଣୀମାନଙ୍କର ଏହି କାର୍ଯ୍ୟ ସଂପର୍କରେ ଯେତେବେଳେ ମୁଁ ଜାଣିବାକୁ ପାଇଲି, ସେମାନଙ୍କର ଦେଶଭକ୍ତି, ସେମାନଙ୍କର କୌଶଳ ମୋ ମନକୁ ଗଭୀର ପ୍ରେରଣା ଯୋଗାଇଥିଲା ।  ସେମାନଙ୍କ ଠାରୁ ହିଁ ମୋତେ ଧାରଣା ଆସିଲା ଯେ ସେମାନେ କିଛି କରି ଦେଖାଇବାର ଲୋକ ଏବଂ ସେମାନଙ୍କ ଠାରୁ ହିଁ ଏହି ଯୋଜନା ଜନ୍ମଲାଭ କଲା । ଆପଣମାନେ ଚିନ୍ତା କରନ୍ତୁ, କେତେ ଟ୍ୟାଲେଣ୍ଟ ଏବେ ଆମର ଗାଁ ଭୂଇଁକୁ ଫେରିଛି । ଦେଶର ପ୍ରତି ସହରକୁ ଗତି ଏବଂ ପ୍ରଗତି ଯୋଗାଉଥିବା ଶ୍ରମିକ ଏବଂ କୌଶଳ ଯେତେବେଳେ ଖଗଡ଼ିୟା ଭଳି ଗାଁକୁ ଲେଉଟିବା ଆରମ୍ଭ କରିବେ, ତ ଏହାଦ୍ୱାର ବିହାରର ବିକାଶକୁ ମଧ୍ୟ କେତେ ଗତି ମିଳିପାରିବ!

ସାଥୀଗଣ,

ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ଆପଣମାନଙ୍କ ଗାଁଗୁଡ଼ିକର ବିକାଶ ସକାଶେ, ଆପଣମାନଙ୍କୁ ରୋଜଗାର ଦେବା ନିମନ୍ତେ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହି ରାଶି ଦ୍ୱାରା ଗାଁରେ ରୋଜଗାର ସୃଷ୍ଟି କରିବା ନିମନ୍ତେ, ବିକାଶ କାର୍ଯ୍ୟ ନିମନ୍ତେ, ପାଖାପାଖି 25ଟି କାର୍ଯ୍ୟକ୍ଷେତ୍ରକୁ ଚିହ୍ନଟ କରାଯାଇଛି । ସେହି 25ଟି କାର୍ଯ୍ୟର ପ୍ରକଳ୍ପ ଏଭଳି ଯେ ଯାହା ଗାଁର ମୂଳଭୂତ ସୁବିଧାଗୁଡ଼ିକ ସହିତ ଯୋଡ଼ି ହୋଇ ରହିଛି । ଯାହା ଗାଁର ଲୋକମାନଙ୍କ ଜୀବନକୁ ଉତ୍ତମ କରିପାରିବ । ନିଜ ଗାଁରେ ରହି, ନିଜ ପରିବାରର ସଦସ୍ୟଙ୍କ ପାଖରେ ରହି ଆପଣମାନଙ୍କୁ ସେଭଳି କାର୍ଯ୍ୟ କରିବାର ଅବସର ମିଳିପାରିବ ।

ର୍ତ୍ତମାନ ଭଳି, ଖଗଡ଼ିୟାର ତେଲିହାର ଗାଁରେ ଆଜିଠାରୁ ଅଙ୍ଗନୱାଡ଼ି ଭବନ, ଗୋଷ୍ଠୀ ଶୌଚାଳୟ, ଗ୍ରାମୀଣ ମଣ୍ଡି ଏବଂ କୂଅ ଖୋଳା ଭଳି କାର୍ଯ୍ୟ ଆରମ୍ଭ କରାଯାଉଛି । ଏହା ମାଧ୍ୟମରେ ଗାଁର ନିଜ ନିଜର ଆବଶ୍ୟକତା ପୂରଣ ହୋଇପାରିବ । ସେହିସବୁ ଆବଶ୍ୟକତାକୁ ଏବେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ପୂରଣ କରାଯାଇ ପାରିବ । ଏହା ମାଧ୍ୟମରେ ଭିନ୍ନ ଭିନ୍ନ ଗାଁରେ ଯେଉଁଠାରେ ଗରିବ ଲୋକମାନଙ୍କ ସକାଶେ ପକ୍କା ଘର ନିର୍ମାଣ କରାଯାଇପାରିବ, କେଉଁଠାରେ ବୃକ୍ଷରୋପଣ କରାଯାଇପାରିବ, କେଉଁଠି ପ୍ରାଣୀ ସଂପଦଙ୍କୁ ରଖିବା ନିମନ୍ତେ ସେଡ଼୍‌ ନିର୍ମାଣ କରାଯାଇପାରିବ । ପିଇବା ପାଣି ସକାଶେ, ଗ୍ରାମ ସଭାମାନଙ୍କ ସହଯୋଗରେ ଜଳ ଜୀବନ ମିଶନକୁ ମଧ୍ୟ ଆଗକୁ ବଢ଼ାଇ ନେବା ଦିଗରେ କାର୍ଯ୍ୟ କରାଯାଇପାରିବ । ଏହା ବ୍ୟତୀତ, ଯେଉଁଠାରେ ଆବଶ୍ୟତା ରହିଛି ସେଠାରେ ସଡ଼କ ନିର୍ମା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯିବ ଏବଂ ହଁ, ଯେଉଁଠାରେ ପଞ୍ଚାୟତ ଭବନ ନାହିଁ, ସେଠାରେ ପଞ୍ଚାୟତ ଭବନ ମଧ୍ୟ ନିର୍ମାଣ କରାଯିବ ।

ସାଥୀଗଣ,

ଏସବୁ କାର୍ଯ୍ୟ ଯାହା ଗାଁରେ ହେବା ଦରକାର । କିନ୍ତୁ, ଏଥିସହ ଏହି ଅଭିଯାନ ମାଧ୍ୟମରେ ଆଧୁନିକ ସୁବିଧା ସୁଯୋଗଗୁଡ଼ିକୁ ମଧ୍ୟ ଗାଁମାନଙ୍କ ସହ ସଂଯୋଗ କରାଯିବ । ଏବେ ଯେମିତି, ସହରମାନଙ୍କ ପରି ଗାଁରେ ମଧ୍ୟ ପ୍ରତ୍ୟେକ ଘରେ ଶସ୍ତା ଏବଂ ବେଗବାନ୍‌ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବା ଜରୁରି ହୋଇପଡ଼ିଛି । ଜରୁରି ଏଇଥିପାଇଁ ଯେ ଆମର ପିଲାମାନେ ମଧ୍ୟ ଉତ୍ତମ ଭାବେ ପଢ଼ି ଲେଖି ପାରିବା ଆବଶ୍ୟକ । ଗାଁର ଏହି ଆବଶ୍ୟକତାକୁ ମଧ୍ୟ ଗରିବ କଲ୍ୟଣ ଯୋଜଗାର ଅଭିଯାନ ସହ ଯୋଡ଼ି ଦିଆଯାଇଛି । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହୋଇପାରିଛି ଯେ ଯେତେବେଳେ ଗାଁରେ, ସହରମାନଙ୍କ ଠାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରାଯାଉଛି । ଗାଁରେ ଇଣ୍ଟରନେଟନର ଗତି କିଭଳି ଭାବେ ବଢ଼ିବ, ଫାଇବର କେବଲ୍‌ କିପରି ଭାବେ ପହଞ୍ଚିବ, ସେସବୁ ସହିତ ସଂଶ୍ଳିଷ୍ଟ କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଇପାରିବ ।

ସାଥୀଗଣ, ଏ ସବୁ କାର୍ଯ୍ୟ କରିବ କିଏ? ଗାଁରେ ବସବାସ କରୁଥିବା ଲୋକମାନେ ହିଁ କରିପାରିବେ । ମୋର ଯେଉଁ ଶ୍ରମିକ ସାଥୀମାନେ ଏଥିସହ ଯୋଡ଼ିହୋଇ ରହିଛନ୍ତି, ଆପଣମାନେ ହିଁ ସେସବୁ କାର୍ଯ୍ୟ କରିବେ । ସେମାନେ ଶ୍ରମିକ ହୋଇଥାନ୍ତୁ, ମିସ୍ତ୍ରୀ ହୋଇଥାନ୍ତୁ, ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଛୋଟ ଦୋକାନୀ ହୋଇଥାନ୍ତୁ, ଡ୍ରାଇଭର, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍‌ମେକାନିକ୍‌, ପ୍ରତ୍ୟେକ ପ୍ରକାର ସାଥୀମାନଙ୍କୁ ରୋଜଗାର ମିଳିପାରିବ । ଆମର ଯେଉଁ ଭଉଣୀମାନେ ଅଛନ୍ତି, ସେମାନଙ୍କୁ ମଧ୍ୟ ସ୍ୱୟଂ ସହାୟକ ସମୂହଙ୍କ ମାଧ୍ୟମରେ ଯୋଡ଼ାଯାଇପାରିବ । ତଦ୍ୱାରା ସେମାନେ ନିଜର ପରିବାର ସକାଶେ ଅତିରିକ୍ତ ସାଧନ ଉପାର୍ଜନ କରିପାରିବେ ।

ସାଥୀଗଣ, କେବଳ ଏତିକି ନୁହେଁ, ଆପଣମାନେ ସବୁ ଶ୍ରମିକମାନେ, ଆପଣମାନଙ୍କ ସମସ୍ତଙ୍କ କୌଶଳର ମ୍ୟାପିଂ କରାଯିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ଅର୍ଥାତ୍‌, ଗାଁରେ ହିଁ ଆପଣମାନଙ୍କ କୌଶଳକୁ ଚିହ୍ନାଯିବ । ଯଦ୍ୱାରା ଆପଣମାନଙ୍କ କୌଶଳ ଅନୁସାରେ ଆପଣମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବ । ଆପଣମାନେ ଯେଉଁ କାର୍ଯ୍ୟ କରିବା ଜାଣିଛନ୍ତି, ଆପଣମାନଙ୍କର ଯେଉଁ କାର୍ଯ୍ୟରେ ପାରଦର୍ଶିତା ରହିଛି, ସେହିଭଳି କାର୍ଯ୍ୟ ପାଇଁ ଆବଶ୍ୟକକାରୀ ସ୍ୱୟଂ ଆସି ଆପଣମାନଙ୍କ ନିକଟରେ ପହଞ୍ଚିବେ

ସାଥୀଗଣ,

ସରକାର ପୂର୍ଣ୍ଣ ମାତ୍ରାରେ ପ୍ରୟାସ କରୁଛନ୍ତି ଯେ କରୋନା ମହାମାରୀର ଏହି ସମୟରେ, ଆପଣମାନଙ୍କୁ ନିଜ ଗାଁରେ ରହି, କାହାଠାରୁ କିଛି କରଜ ନକରି, କାହାରି ପାଖରେ ନିଜର ହାତ ନପତାଇ ଯେଭଳି ନିଜେ ରୋଜଗାରକ୍ଷମ ହୋଇପାରିବେ । ଗରିବର ସ୍ୱାଭିମାନକୁ ଆମେ ଉତ୍ତମ ରୂପେ ବୁଝିଛୁ । ଆପଣମାନେ ଶ୍ରମେବ ଜୟତେ ଲୋକ, ଶ୍ରମକୁ ଆରାଧନା କରୁଥିବା ଲୋକ । ଆପଣମାନଙ୍କୁ କାର୍ଯ୍ୟ ଦରକାର, ରୋଜଗାର ଦରକାର । ଏହି ଭାବନା ସର୍ବୋପରି ରଖି ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାକୁ ଏତେ କମ୍‌ ସମୟ ଭିତରେ କାର୍ଯ୍ୟକାରୀ କରାଯାଇଛି । ଏହା ପୂର୍ବରୁ ଆପଣମାନଙ୍କର ଏବଂ ଦେଶର କୋଟି କୋଟି ଗରିବ ଲୋକଙ୍କର ତାତ୍କାଳିକ ଆବଶ୍ୟକତାକୁ ପୂରଣ କରିବା ସକାଶେ ହିଁ ସରକାର ଲକଡାଉନ୍‌ ଆରମ୍ଭ ହେବା ଠାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ ।

ଆତ୍ମ ନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ହୋଇଥିଲା ଏବଂ ମୋର ସ୍ମରଣ ଅଛି ଯେତେବେଳେ ପ୍ରଥମାବସ୍ଥାରେ ଆମେ ଗରିବ ଲୋକଙ୍କ ସକାଶେ ଏହି ଯୋଜନାକୁ ଆଣିଥିଲୁ ତ ସେତେବେଳେ ଚାରିଆଡ଼ୁ ଚିତ୍କାର ଆରମ୍ଭ ହୋଇଥିଲା- ଉଦ୍ୟୋଗମାନଙ୍କର କଣ ହେବ, ବ୍ୟାପାରର କଣ ହେବ, ଏମଏସଏମଇର କଣ ହେବ? ପ୍ରଥମେ ଏକଥା କର । ବହୁତ ଲୋକ ମୋର କଟୁ ସମାଲୋଚନା କରିଥିଲେ । କିନ୍ତୁ ମୁଁ ଜାଣିଛି ଯେ ଏହି ସଂକଟ ପରିସ୍ଥିତିରେ ଗରିବ ଲୋକମାନଙ୍କ ହାତକୁ ଧରିବା ହେଉଛି ମୋର ପ୍ରାଥମିକତା ।

ଏହି ଯୋଜନା ଆରମ୍ଭ ହେବାର ମାତ୍ର କେଇ ସପ୍ତାହ ଭିତରେ ପାଖା ପାଖି ଏକ ଲକ୍ଷ 75 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ତିନି ମାସ ଭଧ୍ୟରେ 80 କୋଟି ଗରିବଙ୍କ ଖାଦ୍ୟଥାଳି ପର୍ଯ୍ୟନ୍ତ ରାସନ – ଡାଲି ପହଞ୍ଚାଯିବା କାର୍ଯ୍ୟ ସମ୍ପନ୍ନ ହୋଇଛି । ରାସନ୍‌ ସହିତ ସେମାନଙ୍କ ଗ୍ୟାସ ସିଲିଣ୍ଡରେ ବି ମାଗଣାରେ ଯୋଗାଇ ଦିଆଯାଇଛି । ଏହି ଯୋଜନା ମାଧ୍ୟମରେ 20 କୋଟି ଗରିବ ମାତା ଓ ଭଉଣୀଙ୍କ ଜନ ଧନ ଜମାଖାତାରେ 10 ହଜାର କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ଟ୍ରାନ୍ସଫର କରାଯାଇଛି । ଗରିବ ବୟୋଜ୍ୟେଷ୍ଠ ବ୍ୟକ୍ତି, ମାତା- ଭଉଣୀ ଏବଂ ଦିବ୍ୟାଙ୍ଗ ସାଥୀମାନଙ୍କ ସକାଶେ 1000 ଟଙ୍କାର ସହାୟତା ମଧ୍ୟ ସିଧାଳଖ ସେମାନଙ୍କର ଜମାଖାତାରେ ପୈଠ କରାଯାଇଛି ।

ସାଥୀଗଣ,

ଯଦି ଘର ଘର ବୁଲି ଆପଣମାନଙ୍କ ଜନ ଧନ ଜମାଖାତା ଖୋଲିବାର ହୋଇଥାନ୍ତା, ମୋବାଇଲ୍‌ରେ ସେହି ଖାତାଗୁଡ଼ିକ ଏବଂ ଆଧାର କାର୍ଡ଼କୁ ଯୋଡ଼ା ଯାଇନଥାନ୍ତ, ତାହେଲେ ଆପଣମାନେ କେମିତି ସେ ଅର୍ଥ ଏତେ ଶୀଘ୍ର ପାଇପାରିଥାନ୍ତେ? ପୂର୍ବ ସମୟର କଥା ତ ଆପଣମାନଙ୍କୁ ଭଲ ଭାବେ ଜଣାଅଛି! ଟଙ୍କା ଉପରୁ ତ ଆସୁଥିଲା, ଆପଣମାନଙ୍କ ନାମରେ ବି ଆସୁଥିଲା, କିନ୍ତୁ ଆପଣମାନଙ୍କ ପର୍ଯ୍ୟନ୍ତ ପହଞ୍ଚୁନଥିଲା । ଏବେ ସେକଥା ସରଳ ହୋଇଯାଇଛି । ଆପଣମାନଙ୍କୁ ସରକାରୀ ଦୋକାନରୁ ସାମଗ୍ରୀ ପାଇବାରେ ଯେମିତି କୌଣସି ପ୍ରକାର ଅସୁବିଧା ନହୁଏ ସେଥିପାଇଁ ଏକ ରାଷ୍ଟ୍ର ଏକ ରାସନ୍‌ କାର୍ଡ଼ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଅର୍ଥାତ୍‌, ଏବେ ଆମର ଗରିବ ଭାଇ ଭଉଣୀମାନେ ଗୋଟିଏ ରାସନ୍‌ କାର୍ଡ଼ ଧରି ଦେଶର ଯେକୌଣସି ରାଜ୍ୟରେ ଯେକୌଣସି ସହରରେ ରାସନ ସହଜରେ ପାଇପାରିବେ ।

ସାଥୀଗଣ,

ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର କିଷାନ ମଧ୍ୟ ହେବା ସେତିକି ଜରୁରି । କିନ୍ତୁ ଏତେ ବର୍ଷ ପର୍ଯ୍ୟନ୍ତ ଆମ ଦେଶରେ କୃଷି ଏବଂ କୃଷକଙ୍କୁ ବିନା କାରଣରେ ନିୟମ ଓ କାନୁନ ଫାଶରେ ବାନ୍ଧିକରି ରଖାଯାଇ ଆସିଥିଲା । ଆପଣମାନେ ସବୁ କୃଷକ ସାଥୀ ଯେଉଁମାନେ କି ମୋ ସାମ୍ନାରେ ବସିଛନ୍ତି, ଆପଣମାନେ ତ ସମସ୍ତେ ନିଜେ ଏତେ ବର୍ଷ ପର୍ଯ୍ୟନ୍ତ ସେହି ବିବଶ ଭାବ ଅନୁଭବ କରିପାରିଥିବେ!

କୃଷକମାନେ ସେମାନଙ୍କର ଉତ୍ପାଦନକୁ କେଉଁଠି ବିକ୍ରି କରିପାରିବେ, ନିଜ ଫସଲକୁ କେମିତି ଭଣ୍ଡାରରେ ଗଚ୍ଛିତ ରଖିପାରିବେ କିମ୍ବା ନାହିଁ, ସେକଥା ସ୍ଥିର କରିବା ଅଧିକାର ମଧ୍ୟ କୃଷକମାନଙ୍କୁ ଦିଆଯାଇ ନଥିଲା । ଏହିଭଳି ଭେଦଭାବପୂର୍ଣ୍ଣ ନିୟମଗୁଡ଼ିକୁ ଆମେ ଦୁଇ ସପ୍ତାହ ପୂର୍ବେ ଶେଷ କରିଦେଇଛୁ । ଏବେ ଆପଣମାନେ କେଉଁଠି ନିଜର ଅମଳ ଫସଲକୁ ବିକ୍ରି କରିବେ, ସେକଥା ସରକାର ସ୍ଥିର କରିବେନାହିଁ, ଅଧିକାରୀମାନେ ସ୍ଥିର କରିବେନାହିଁ, ବରଂ ତାହା କୃଷକମାନେ ଖୋଦ୍‌ ନିର୍ଦ୍ଧାରଣ କରିବେ ।

ଏବେ କୃଷକମାନେ ନିଜ ରାଜ୍ୟ ବାହାରେ ନିଜ ଇଚ୍ଛାରେ ସେମାନଙ୍କର ଫସଲ ବିକ୍ରି କରିପାରିବେ ଏବଂ ସେଥିପାଇଁ ଯେକୌଣସି ବଜାରକୁ ବାଛି ପାରିବେ । ଏବେ ଆପଣମାନଙ୍କ ଉତ୍ପାଦକୁ ଉତ୍ତମ ମୂଲ୍ୟ ଦେଉଥିବା ବ୍ୟାପାରୀମାନଙ୍କୁ ହିଁ ବିକ୍ରି କରିପାରିବେ । କମ୍ପାନୀମାନଙ୍କ ସହ ସିଧା ସଳଖ ଯୋଡ଼ି ହୋଇପାରିବେ । ଚାହିଁଲେ ସେମାନଙ୍କୁ ସିଧାସଳଖ ନିଜ ଫସଲ ବିକ୍ରି କରିପାରିବେ ।  ପୂର୍ବରୁ ଯେଉଁ ଆଇନ ଫସଲ ଷ୍ଟକ ରଖିବା ଦିଗରେ ପ୍ରତିବନନ୍ଧକ ସୃଷ୍ଟି କରୁଥିଲା, ଏବେ ସେହି ଆଇନରେ ମଧ୍ୟ ଆମେ ପରିବର୍ତ୍ତନ ଘଟାଇ ଦେଇଛୁ ।

ସାଥୀଗଣ,

ଆତ୍ମ ନିର୍ଭର ଭାରତ ପ୍ୟାକେଜ୍‌ରେ କୃଷକମାନଙ୍କ ଫସଲ ରଖିବା ସକାଶେ ଶୀତଳ ଭଣ୍ଡାରମାନ କିଭଳି ନିର୍ମାଣ କରାଯିବ, କୃଷକମାନଙ୍କୁ କିଭଳି ସିଧା ସଳଖ ଭାବେ ବଜାର ସହିତ ଯୋଡ଼ାଯାଇପାରିବସେଥିପାଇଁ ମଧ୍ୟ 1 ଲକ୍ଷ କୋଟି ଟଙ୍କା ନିବେଶର ଘୋଷଣା କରାଯାଇଛି । ଯେତେବେଳେ କୃଷକମାନେ ବଜାର ସହିତ ଯୋଡ଼ିହୋଇ ଯିବେ, ସେତେବେଳେ ନିଜ ଉତ୍ପାଦକୁ ଅଧିକ ମୂଲ୍ୟରେ ବିକ୍ରି କରିବାର ମାର୍ଗ ସେମାନଙ୍କ ପାଇଁ ଉନ୍ମୁକ୍ତ ହୋଇଯିବ ।

ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଆଉ ଗୋଟିଏ ନିଷ୍ପତ୍ତି କଥା ତ ଆମେ ଶୁଣିଛୁ । ଆପଣମାନଙ୍କ ଗାଁ ପାଖରେ, ପଡ଼ା ଏବଂ ଛୋଟ ଛୋଟ ସହରରେ ସ୍ଥାନୀୟ ଉତ୍ପାଦ ଠାରୁ ନେଇ ଭିନ୍ନ ଭିନ୍ନ ଉତ୍ପାଦ କିଭଳି ଉତ୍ପାଦନ କରାଯାଇପାରିବ, ପ୍ୟାକିଂ ହୋଇପାରିବା ଭଳି ସାମଗ୍ରୀ ପ୍ରସ୍ତୁତ ହୋଇପାରିବ, ସେଥିପାଇଁ ଉଦ୍ୟୋଗ ସମୂହ ନିର୍ମାଣ କରାଯିବ । ଏହାର ସବୁଠାରୁ ବଡ଼ ଲାଭ ଆମର କୃଷକ ଭାଇଭଉଣୀମାନଙ୍କୁ ହେବାକୁ ଯାଉଛି ।

ଏବେ ଯେମିତି ଖଗଡ଼ିୟାରେ ମକା ଫସଲ କେତେ ଭଲ ହୋଇପାରିଛି । କିନ୍ତୁ ଯଦି କୃଷକ ମକା ଉତ୍ପାଦ ପ୍ରସ୍ତୁତ କରିବା ଭଳି କମ୍ପାନୀମାନଙ୍କ ସହ ସିଧାସଳଖ ଯୋଡ଼ିହୋଇ ପାରିବେ, ତେବେ ସ୍ଥାନୀୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ । ସେତେବେଳେ କେତେ ଫାଇଦା ନହେବ? ସେହିଭଳି ବିହାରରେ ମଖାନା ଅଛି, ଲିଚୁ ଅଛି, କଦଳୀ ଉତ୍ପାଦିତ ହେଉଛି । ଉତ୍ତର ପ୍ରଦେଶରେ ଅଂଳା ଅଛି, ଆମ୍ବ ଅଛି, ରାଜସ୍ଥାନରେ ଲଙ୍କାମରିଚ ଉତ୍ପାଦିତ ହେଉଛି, ମଧ୍ୟ ପ୍ରଦେଶରେ ଡ଼ାଲି ଉପଜ ହେଉଛି, ଓଡ଼ିଶାରେ, ଝାଡ଼ଖଣ୍ଡରେ ଯେଉଁସବୁ ଦ୍ରବ୍ୟ ଉତ୍ପାଦିତ ହେଉଛି, ପ୍ରତ୍ୟେକ ଜିଲ୍ଲାରେ ଏଭଳି ଅନେକ ସ୍ଥାନୀୟ ଉତ୍ପାଦ ରହିଛି ଯାହା ସହିତ ସଂଶ୍ଳିଷ୍ଟ ଉଦ୍ୟୋଗ ପାଖରେ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।

ସାଥୀଗଣ,

ବିଗତର 6 ବର୍ଷ ଧରି ଲଗାତାର ଭାବେ ଚାଲି ଆସୁଥିବା ଏହି ସମସ୍ତ ପ୍ରୟାସର କେବଳ ଗୋଟିଏ ଉଦ୍ଦେଶ୍ୟ । ତାହା ହେଲା, ଆମର ଗାଁ, ଆମର ଗରିବ କିଭଳି ଭାବେ ନିଜ ସାମର୍ଥ୍ୟରେ ଅଣ୍ଟା ସଳଖି ଠିଆ ହୋଇପାରିବ । ସଶକ୍ତ ହୋଇପାରିବ । ଆମର କୌଣସି ଗରିବ, ଶ୍ରମିକ, କୃଷକକୁ କୌଣସି ପ୍ରକାର ସାହାରାର ଆବଶ୍ୟକ ପଡ଼ିବନାହିଁ । ଯେତେହେଲେ ଆମେ ସେଇ ଲୋକ ଯାହାର ସାହାରା ନୁହେଁ, ଶ୍ରମ ପାଇଁ ଆମେ ଜୀଇଁ ଆସିଛେ ।

ଗରିବ କଲ୍ୟାଣ ରୋଜଗାର ଅଭିଯାନରୁ ଆପଣମାନଙ୍କର ଏହି ଆତ୍ମସମ୍ମାନର ସୁରକ୍ଷା ବି ହୋଇପାରିବ ଏବଂ ଆପଣମାନଙ୍କ ଶ୍ରମରୁ ନିଜର ଗାଁର ବିକାଶ ମଧ୍ୟ ହୋଇପାରିବ । ଆଜି ଆପଣମାନଙ୍କର ଏହି ସେବକ ଏବଂ ପୁରା ଦେଶ, ଏହି ଚିନ୍ତାଧାରାର ସହ, ଏହି ସଂକଳ୍ପର ସହ ଆପଣମାନଙ୍କ ମାନ ଓ ସମ୍ମାନର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଛନ୍ତି ।

ଆପଣମାନେ କାମକୁ ବାହାରିଯିବେ, କିନ୍ତୁ ମୋର ଏତିକି ଅନୁରୋଧ ଯେ ଆପଣମାନଙ୍କୁ ନିଶ୍ଚିତ ରୂପେ ସାବଧାନ ରହିବାକୁ ପଡ଼ିବ । ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ, ଗାମୁଛା କିମ୍ବା ଅନ୍ୟ କପଡ଼ାରେ ନିଜ ମୁହଁକୁ ଢ଼ାଙ୍କନ୍ତୁ । ସ୍ୱଚ୍ଛତାକୁ ଏବଂ ଦୁଇ ଗଜ ଦୂରତାର ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଭୁଲନ୍ତୁ ନାହିଁ । ଆପଣମାନେ ଯଦି ସାବଧାନ ରହିବେ, ତେବେ ଆପଣମାନଙ୍କ ଗାଁ, ଆପଣମାନଙ୍କ ଘର ଏହି ସଂକ୍ରମଣରୁ ସୁରକ୍ଷିତ ରହିବ । ଏହା ଆମର ଜୀବନ ଏବଂ ଆମର ଜୀବିକା ଉଭୟ ପାଇଁ ଏକାନ୍ତ ଜରୁରି ।

ଆପଣମାନେ ସମସ୍ତେ ସୁସ୍ଥ ରହନ୍ତୁ, ଆଗକୁ ବଢ଼ନ୍ତୁ ଏବଂ ଆପଣମାନଙ୍କ ସହ ଦେଶ ବି ଆଗକୁ ବଢ଼ୁ, ଏହି ଶୁଭକାମନାର ସହ ଆପଣମାନଙ୍କୁ ସବୁ ସାଥୀଙ୍କୁ ବହୁତ ବହୁତ ଧନ୍ୟବାଦ ।

ମୁଁ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କ ନିକଟରେ ନିଜର ଆଭାର ବ୍ୟକ୍ତ କରୁଛି । ବିଶେଷ କରି ବିହାର ସରକାରଙ୍କୁ ମୁଁ ଧନ୍ୟବାଦ ଦେଉଛି । ଏହି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଜନା କରିବା ସକାଶେ ଏବଂ ଏହାକୁ ଆଗକୁ ବଢ଼ାଇ ନେବା ନିମନ୍ତେ, ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ମୁଁ ଆପଣମାନଙ୍କ ନିକଟରେ ଆଭାର ବ୍ୟକ୍ତ କରି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।