Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ 100ତମ ଜନ୍ମ ବାର୍ଷିକୀ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା


ନମସ୍କାର,

ଜାତିର ପିତା, ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ 100ତମ ଜନ୍ମ ବାର୍ଷିକୀ ସମାରୋହ ଅବସରରେ ବାଂଲାଦେଶବାସୀଙ୍କୁ 130 କୋଟି ଭାରତୀୟଙ୍କ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ବନ୍ଧୁଗଣ, ଶେଖ ହାସିନାଜୀ ଏହି ଐତିହାସିକ ସମାରୋହରେ ଭାଗ ନେବା ପାଇଁ ମୋତେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ଜଣାଇଥିଲେ । ହେଲେ କରୋନା ଭାଇରସ ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ । ତେବେ ଶେଖ ହାସିନାଜୀ ମତେ ଏକ ବିକଳ୍ପ ପ୍ରଦାନ କଲେ ଓ ମୁଁ ଭିଡିଓ ଲିଙ୍କ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇପାରିଲି ।

ବନ୍ଧୁଗଣ, ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ ଗତ ଶତାବ୍ଦୀର ଅନ୍ୟତମ ମହାନ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ସମଗ୍ର ଜୀବନ ଆମ ସମସ୍ତଙ୍କ ପାଇଁ ବେଶ ପ୍ରେରଣାଦାୟୀ ହୋଇରହିଛି ।

ବଙ୍ଗବନ୍ଧୁର ଅର୍ଥ-

ସାହସୀ ନେତା

ଦୃଢ଼ ବିଶ୍ୱାସୀ

ଶାନ୍ତିର ପୂଜାରୀ

ନ୍ୟାୟ, ସମାନତା ଓ ଆତ୍ମସମ୍ମାନର ପ୍ରତୀକ

ନିଷ୍ଠୁରତା ବିରୋଧୀ

ଓ ଜୋରଜବରଦସ୍ତି ବିରୋଧରେ ଢାଲ !!

ତାଙ୍କର ଏସବୁ ମୂଲ୍ୟବୋଧ ସେ ସମୟର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ବାଂଲାଦେଶକୁ ମୁକ୍ତ କରିବା ପାଇଁ ନୂତନ ଶକ୍ତି ପ୍ରଦାନ କରିଥିଲା । ଆଜି ବାଂଲାଦେଶବାସୀ ନିଜ ପ୍ରିୟ ଦେଶକୁ ଶେଖ ମୁଜିବୁର ରେହମାନଙ୍କ ସ୍ୱପ୍ନ ସୁନାର ବାଂଲା ଭାବେ ଗଢ଼ି ତୋଳିବାକୁ ଲାଗି ପଡ଼ିଥିବା ଦେଖି ବେଶ ଖୁସି ଲାଗୁଛି ।

ବନ୍ଧୁଗଣ, ବଙ୍ଗବନ୍ଧୁଙ୍କ ଜୀବନ ଏକବିଂଶ ଶତାବ୍ଦୀର ବିଶ୍ୱକୁ ମହତ୍ୱପୂର୍ଣ୍ଣ ସନ୍ଦେଶ ଦେଉଛି । କିପରି ଏକ ଦମନକାରୀ ଓ ଅତ୍ୟାଚାରୀ ଶାସନତନ୍ତ୍ର ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନାକଚ କରି ବାଂଲା ଭୂମିରେ ଅନ୍ୟାୟର ଶାସନ ଓ ବିଧ୍ୱଂସଲୀଳା ଚଳାଇଥିଲା ତାହା ସମସ୍ତଙ୍କ ମନେ ଥିବ ।
ବାଂଲାଦେଶକୁ ଏହି ବିଧ୍ୱଂସ ଓ ଗଣହତ୍ୟାର ବିପର୍ଯ୍ୟୟରୁ ମୁକୁଳାଇ ସକାରାତ୍ମକ ଓ ପ୍ରଗତିଶୀଳ ସମାଜରେ ପରିଣତ କରିବାକୁ ସେ ନିଜ ଜୀବନର ପ୍ରତିଟି ମୁହୂର୍ତ୍ତକୁ ବିନିଯୋଗ କରିଥିଲେ । କୌଣସି ଦେଶର ବିକାଶର ମୂଳଦୁଆ କେବେ ବି ଘୃଣା ଓ ନକାରାତ୍ମକତା ହୋଇପାରିବ ନାହିଁ ବୋଲି ସେ ବିଶ୍ୱାସ କରୁଥିଲେ ।

ତେବେ ତାଙ୍କର ଏହି ଚିନ୍ତାଧାରା ଓ ଉଦ୍ୟମକୁ କିଛି ଲୋକ ପସନ୍ଦ କଲେ ନାହିଁ ଓ ତାଙ୍କୁ ଆମ ଗହଣରୁ ଛଡାଇ ନେଲେ । ବାଂଲାଦେଶ ତଥା ଆମେ ସମସ୍ତେ ଭାଗ୍ୟବାନ ଯେ, ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ଶେଖ ରେହାନାଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଥିଲା । କାରଣ ହିଂସା ଓ ଘୃଣାର ସମର୍ଥକମାନେ ସେମାନଙ୍କୁ ହତ୍ୟା କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ।

ଆତଙ୍କ ଓ ହିଂସାକୁ ରାଜନୀତି ତଥା କୂଟନୀତିର ଅସ୍ତ୍ର ଭାବେ ସଜାଇ କିପରି ଏକ ସମାଜ ତଥା ଦେଶ ଧ୍ୱଂସ ଆଡ଼କୁ ଯାଉଛି ତାହା ଆମେ ସମସ୍ତେ ଦେଖୁଛୁ । ବାଂଲାଦେଶ ସଫଳତାର ଶିଡି ଚଢୁଥିବା ବେଳେ ଆତଙ୍କ ଓ ହିଂସାର ସମର୍ଥକମାନେ କେଉଁଠି, କିପରି ପରିସ୍ଥିତିରେ ଅଛନ୍ତି ତାହା ସାରା ବିଶ୍ୱ ଦେଖୁଛି ।

ବନ୍ଧୁଗଣ, ବଙ୍ଗବନ୍ଧୁଙ୍କ ପ୍ରେରଣା ଓ ଶେଖ ହାସିନାଙ୍କ ନେତୃତ୍ୱରେ ବାଂଲାଦେଶ ଯେପରି ସମସ୍ତଙ୍କୁ ସାଥିରେ ନେଇ ତଥା ବିକାଶମୂଳକ ନୀତି ଆପଣେଇ ଆଗେଇ ଚାଲିଛି ତାହା ସତରେ ପ୍ରଶଂସନୀୟ ।

ଅର୍ଥନୀତି ହେଉ କି ସାମାଜିକ ସୂଚୀ ହେଉ କିମ୍ବା କ୍ରୀଡା, ବାଂଲାଦେଶ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଦକ୍ଷତା, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ମାଇକ୍ରୋ ଫାଇନାନ୍ସ ଆଦି କ୍ଷେତ୍ରରେ ବାଂଲାଦେଶ ଅଭୂତପୂର୍ବ ଅଗ୍ରଗତି କରିଛି ।

ମୁଁ ଖୁସିର ସହ କହିବାକୁ ଚାହେଁ ଯେ, ଗତ 5-6 ବର୍ଷ ମଧ୍ୟରେ ଭାରତ ଓ ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଅଧ୍ୟାୟ ରଚିଛନ୍ତି ଓ ଆମ ଭାଗିଦାରୀକୁ ନୂଆ ଦିଶା ଓ ଦିଗନ୍ତ ପ୍ରଦାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବଢ଼ିଥିବା ସମ୍ପର୍କ ଯୋଗୁଁ ଦୁଇ ଦେଶ ମଧ୍ୟରେ ଥିବା ସ୍ଥଳ ସୀମା ଓ ସମୁଦ୍ର ସୀମା ଭଳି ଜଟିଳ ପ୍ରସଙ୍ଗ ଆମେ ଶାନ୍ତିର ସହ ସମାଧାନ କରିପାରିଛୁ ।

ଆଜି ବାଂଲାଦେଶ କେବଳ ଦକ୍ଷିଣ ଏସିଆରେ ଭାରତର ସବୁଠାରୁ ବଡ଼ ବ୍ୟବସାୟିକ ଅଂଶୀଦାର ନୁହେଁ ବରଂ ବିକାଶର ଭାଗୀଦାର ମଧ୍ୟ ପାଲଟିଛି । ଭାରତରେ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ବାଂଲାଦେଶର ଲକ୍ଷ ଲକ୍ଷ ଘର ଓ କାରଖାନାକୁ ଯୋଗାଣ ହେଉଛି । ବନ୍ଧୁତାର ପାଇପ ଲାଇନ ମାଧ୍ୟମରେ ଆମ ସମ୍ପର୍କରେ ଏକ ନୂଆ ଦିଗନ୍ତ ଯୋଡ଼ି ହୋଇଛି ।

ରାସ୍ତା, ରେଳପଥ, ଆକାଶମାର୍ଗ, ଜଳପଥ କିମ୍ବା ଇଣ୍ଟରନେଟ ଭଳି ଅନେକ କ୍ଷେତ୍ରରେ ଆମ ସହଯୋଗ ଯୋଗୁଁ ଦୁଇ ଦେଶର ଲୋକେ ଆହୁରି ଘନିଷ୍ଠ ହୋଇ ପାରିଛନ୍ତି ।

ବନ୍ଧୁଗଣ, ଆମର ଐତିହ୍ୟ ଟାଗୋର, କାଜି ନଜରୁଲ ଇସଲାମ, ଉସ୍ତାଦ ଆଲ୍ଲାଉଦ୍ଦିନ ଖାନ, ଲାଲୋନ ଶାହ, ଜୀବନାନନ୍ଦ ଦାସ ଓ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ବୁଦ୍ଧିଜୀବିଙ୍କ ଠାରୁ ଆସିଛି । ବଙ୍ଗବନ୍ଧୁଙ୍କ ଏହି ଉତ୍ତରଦାୟିତ୍ୱ ଓ ପ୍ରେରଣା ଆମ ଐତିହ୍ୟକୁ ଆହୁରି ବ୍ୟାପକ କରିଛି । ତାଙ୍କ ଚିନ୍ତାଧାରା ଓ ମୂଲ୍ୟବୋଧ ସହିତ ଭାରତ ସବୁବେଳେ ଜଡିତ ରହିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ଏହି ଗଭୀର ସମ୍ପର୍କ ଐତିହ୍ୟକୁ ବାଣ୍ଟିବାର ମୂଳଦୁଆ ପକାଇଛି । ଆମମାନଙ୍କ ଐତିହ୍ୟ, ଗଭୀର ବନ୍ଧନ ଓ ବଙ୍ଗବନ୍ଧୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଏହି ଦଶନ୍ଧିରେ ଦୁଇ ଦେଶଙ୍କ ଭାଗିଦାରୀ, ପ୍ରଗତି ଓ ସମୃଦ୍ଧିର ଦୃଢ ଆଧାର ସାଜିଛି ।

ଆଗାମୀ ବର୍ଷ ବାଂଲାଦେଶ ମୁକ୍ତିର 50 ବର୍ଷ ହେବ ଓ 2022ରେ ଭାରତର ସ୍ୱାଧୀନତାର 75ତମ ଜୟନ୍ତୀ ହେବ । ମୁଁ ଦୃଢ ବିଶ୍ୱାସୀ ଯେ, ଏହି ଦୁଇ ମାଇଲଖୁଣ୍ଟ ଭାରତ ଓ ବାଂଲାଦେଶର ବିକାଶକୁ ନୂତନ ଉଚ୍ଚତାକୁ ନେଇଯିବ, ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ ହେବ ।
ପୁଣି ଥରେ ମୁଁ ବଙ୍ଗବନ୍ଧୁଙ୍କ ଶତବାର୍ଷିକୀ ବର୍ଷ ଅବସରରେ ସମଗ୍ର ବାଂଲାଦେଶକୁ ଶୁଭେଚ୍ଛା ଜଣାଉଛି ।

ଜୟ ବାଂଲା, ଜୟ ହିନ୍ଦ!!

***************