Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫେବ୍ରୁଆରୀ 29, 2020ରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ 10 ହଜାର କୃଷକ ଉତ୍ପାଦନ ସଙ୍ଗଠନ ଶୁଭାରମ୍ଭ କରିବେ


 

  • ସମସ୍ତ ପିଏମ୍ କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ
  • ଚିତ୍ରକୂଟ, ଉତ୍ତରପ୍ରଦେଶରେ ପିଏମ୍ କିଷାନର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେବେ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 29 ଫେବ୍ରୁଆରୀ, 2020ରେ ଦେଶରେ 10 ହଜାର କୃଷକ ଉତ୍ପାଦନ ସଂଗଠନ (FPO) ଆରମ୍ଭ କରିବେ ।

ଦେଶର ପ୍ରାୟ 86 ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବା ବେଳେ ସେମାନଙ୍କ ନିକଟରେ 1.1 ହେକ୍ଟରରୁ କମ୍ ଜମି ପଟ୍ଟା ରହିଛି । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନେ କୃଷି ଉତ୍ପାଦନ ପର୍ଯ୍ୟାୟରେ ପ୍ରଯୁକ୍ତି, ଉନ୍ନତ ମାନର ବିହନ, ସାର, କୀଟନାଶକ ଓ ଆବଶ୍ୟକ ଅର୍ଥ ଯୋଗାଡ଼ରେ ଗୁରୁତର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେହିପରି ଆର୍ଥିକ ସାମର୍ଥ୍ୟ ନଥିବାରୁ ନିଜ ଉତ୍ପାଦର ବିପଣନ ପାଇଁ ମଧ୍ୟ ସେମାନେ ସମସ୍ୟା ଭୋଗିଥାନ୍ତି ।

ଏଫପିଓଗୁଡ଼ିକ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଏକାଠି କରିବା ସହ ଏସବୁ ସମସ୍ୟାର ମୁକାବିଲା ପାଇଁ ସାମୂହିକ ଶକ୍ତି ପ୍ରଦାନ କରିବ । ଏଫପିଓର ସଦସ୍ୟମାନେ ମିଳିତ ଭାବେ କାମ କରି ଚାଷୀଙ୍କ ରୋଜଗାର ଦ୍ରୁତ ବୃଦ୍ଧି ପାଇଁ ପ୍ରଯୁକ୍ତି, ସାର ଓ ବିହନ, ଅର୍ଥ ଓ ବିପଣନ ଆଦି ସହଜ ଲଭ୍ୟ କରାଇବେ ।

ପିଏମ କିଷାନର ଏକ ବର୍ଷ ପୂର୍ତ୍ତି

ପିଏମକିଷାନ ଯୋଜନା ଆରମ୍ଭର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ମୋଦୀ ସରକାର କୃଷକମାନଙ୍କ ଆୟ ସମର୍ଥନ ଯୋଜନା ଭାବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମକିଷାନ) ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଚାଷୀମାନେ କୃଷି ଓ ଏହା ସହିତ ଜଡ଼ିତ କାମ ତଥା ଘରୋଇ ଆବଶ୍ୟକତା ତୁଲାଇ ପାରିବେ ।

ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ତିନିଟି ଚାରି ମାସିଆ କିସ୍ତିରେ 2 ହଜାର ଟଙ୍କା ଲେଖାଏଁ ବାର୍ଷିକ 6 ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପ୍ରଦାନ କରାଯାଉଛି । ଏହି ଅର୍ଥ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତରଣ ପ୍ରକ୍ରିୟା ଦ୍ୱାରା ଅନଲାଇନରେ ଜମା ହୋଇଛି ।

ଏହି ଯୋଜନା 24 ଫେବ୍ରୁଆରୀ, 2019ରେ ଆରମ୍ଭ ହୋଇଥିଲା ଓ 24ଫେବ୍ରୁଆରୀ, 2020 ରୂପାୟନର ଏକ ବର୍ଷ ସଫଳତାର ସହ ପୂରଣ କରିଥିଲା ।

ମୋଦୀ 2.0 ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ସବୁ ଚାଷୀଙ୍କୁ ପିଏମକିଷାନ ଯୋଜନାରେ ସାମିଲ କରିବାକୁ ଐତିହାସିକ ନିଷ୍ପତ୍ତି ନିଆ ଯାଇଥିଲା ।     

ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (KCC) ପ୍ରଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ

ପିଏମ କିଷାନ ଯୋଜନାର ସମସ୍ତ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ବଣ୍ଟନ ପାଇଁ ପ୍ରଧାନମନ୍ତ୍ରୀ 29 ଫେବ୍ରୁଆରୀ, 2020ରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ ।  

ପିଏମ କିଷାନ ଯୋଜନାର ପ୍ରାୟ 8.5 କୋଟି ହିତାଧିକାରୀଙ୍କ ମଧ୍ୟରୁ 6.5 କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ କିଷାନ କ୍ରେଡିଟ କାର୍ଡ ରହିଛି ।

ବଳକା ପ୍ରାୟ 2 କୋଟି ପିଏମ କିଷାନ ହିତାଧିକାରୀଙ୍କୁ ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କିଷାନ କ୍ରେଡିଟ କାର୍ଡ ବଣ୍ଟାଯିବ ।

ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ପ୍ରଦାନରେ ସାହାଯ୍ୟ କରିବା ପାଇଁ 12 ଫେବ୍ରୁଆରୀରୁ 26 ଫେବ୍ରୁଆରୀ ଯାଏଁ ଏକ 15 ଦିନିଆ ସ୍ୱତନ୍ତ୍ର ଅଭିଯାନ ହୋଇଥିଲା । ଏଥିରେ ଗୋଟିଏ ପୃଷ୍ଠାର ଫର୍ମରେ ମୌଳିକ ତଥ୍ୟ ଯେପରିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଜମିପଟ୍ଟା ତଥ୍ୟ ଓ ଚାଷୀ ଜଣକ ଅନ୍ୟ କୌଣସି ବ୍ୟାଙ୍କର କେସିସି ହିତାଧିକାରୀ ନୁହନ୍ତି ବୋଲି ସାଧାରଣ ଘୋଷଣାପତ୍ର ଦେବାକୁ ପଡ଼ିଥିଲା ।

26 ଫେବ୍ରୁଆରୀ ସୁଦ୍ଧା ଆବେଦନ କରିଥିବା ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ ଫେବ୍ରୁଆରୀ 29ରେ ବ୍ୟାଙ୍କ ଶାଖାକୁ ଡାକି କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ।