ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) [SBM (G)] ଫେଜ୍-IIକୁ 2024-25 ଯାଏଁ ମଞ୍ଜୁର କରିଛନ୍ତି, ଯାହାକି ଖୋଲା ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଯଥା ଓଡିଏଫ ନିରନ୍ତରତା ଓ ବର୍ଜ୍ୟ ଓ ତରଳ ବର୍ଜ୍ୟ ପରିଚାଳନା (SLWM) ଉପରେ ଗୁରୁତ୍ୱ ଦେବ । ଯେଭଳି ସବୁ ବ୍ୟକ୍ତି ଟଏଲେଟ୍ ବ୍ୟବହାର କରୁଥିବେ ଓ କେହି ଜଣେ ବି ଏଥିରେ ବାଦ୍ ପଡ଼ି ନଥିବେ, କାର୍ଯ୍ୟକ୍ରମ ଏ ଦିଗରେ କାର୍ଯ୍ୟ କରିବ ।
ଏସବିଏମ୍ (ଜି) ଫେଜ୍-II ମୋଟ 1,40,881 କୋଟି ଟଙ୍କାର ବ୍ୟୟ ଅଟକଳରେ ଏକ ମିଶନ ମୋଡରେ 2020-21ରୁ 2024-25 ଯାଏଁ କାର୍ଯ୍ୟକାରୀ ହେବ । ଏହା ବିଭିନ୍ନ ପ୍ରକାର ଫାଇନାନ୍ସର ସମ୍ମିଶ୍ରଣର ଏକ ଅନନ୍ୟ ମଡେଲ ହେବ । ଏଥିରୁ 52,497 କୋଟି ଟଙ୍କା ପାନୀୟ ଜଳ ଓ ପରିମଳ ବିଭାଗର ବଜେଟରୁ ଆବଣ୍ଟନ ହେବାକୁ ଥିବା ବେଳେ ବଳକା ଅର୍ଥ ପଞ୍ଚଦଶ ଅର୍ଥ କମିସନଙ୍କ ଅଧୀନରେ ମିଳିବାକୁ ଥିବା ପାଣ୍ଠି, MGNREGS ଓ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ଭଳି ରାଜସ୍ୱ ସୃଷ୍ଟିକାରୀ ମଡେଲ ପାଇଁ ମିଳିବାକୁ ଥିବା ଅର୍ଥରୁ ଖର୍ଚ୍ଚ ହେବ ।
କାର୍ଯ୍ୟକ୍ରମ ଅଧୀନରେ ପୁରୁଣା ନିୟମ ଭଳି ନୂଆ ଯୋଗ୍ୟ ପରିବାରଗୁଡ଼ିକ ପାଇଁ ବ୍ୟକ୍ତିଗତ ପାରିବାରିକ ଟଏଲେଟ୍ (IHHL) ନିର୍ମାଣ ଉଦ୍ଦେଶ୍ୟରେ 12,000 ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା ହେବ । କଠିନ ଓ ତରଳ ବର୍ଜ୍ୟ ପରିଚାଳନା (SLWM) ପାଇଁ ପାଣ୍ଠି ନିୟମକୁ ଯୁକ୍ତିସଙ୍ଗତ କରାଯାଇଛି ଏବଂ ପରିବାର ସଂଖ୍ୟା ଆଧାରରେ ମୁଣ୍ଡ ପିଛା ହିସାବରେ ପରିବର୍ତ୍ତନ କରାଯାଇଛି । ଏହା ବ୍ୟତୀତ ଗ୍ରାମ ସ୍ତରରେ କମ୍ୟୁନିଟି ମ୍ୟାନେଜଡ୍ ସାନିଟାରି କମ୍ପ୍ଲେକ୍ସ (CMSC) ନିର୍ମାଣ ପାଇଁ ଗ୍ରାମ ପଞ୍ଚାୟତ (GP)ଗୁଡ଼ିକୁ ଆର୍ଥିକ ସହାୟତାକୁ ସିଏମ୍ଏସସି ପିଛା 2 ଲକ୍ଷରୁ 3 ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି ।
ଖୁବଶୀଘ୍ର ରାଜ୍ୟଗୁଡ଼ିକୁ ଜାରି ହେବାକୁ ଥିବା କାର୍ଯ୍ୟକାରୀ ମାର୍ଗଦର୍ଶିକା ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଏହି କାର୍ଯ୍ୟକ୍ରମ କାର୍ଯ୍ୟକ୍ଷମ ହେବ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ସେୟାରିଂ ପାଟର୍ନ ଉତ୍ତର-ପୂବାଞ୍ଚଳ, ହିମାଳୟନ ରାଜ୍ୟଗୁଡ଼ିକ ଓ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 90:10, ଅନ୍ୟ ରାଜ୍ୟଗୁଡ଼ିକ ପାଇଁ 60:40 ଏବଂ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 100:0 ରହିବ ।
ଓଡିଏଫ୍ ପ୍ଲସରେ ଏସ୍ଏଲଡବ୍ଲ୍ୟୁଏମ୍ ଉପାଦାନକୁ 4ଟି ପ୍ରମୁଖ କ୍ଷେତ୍ର ଯଥା ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା, ଜୈବ ସମ୍ମିଶ୍ରଣ କଠିନ ବର୍ଜ୍ୟ ପରିଚାଳନା (ପଶୁ ବର୍ଜ୍ୟ ପରିଚାଳନା ସମେତ), ଗ୍ରେୱାଟର ପରିଚାଳନା ଓ ମଳ ପରିଚାଳନାର ସୂଚକାଙ୍କ ଆଧାରରେ ପରିଚାଳନା କରାଯିବ ।
ଏସବିଏମ୍-ଜି ଫେଜ୍ II କର୍ମନିଯୁକ୍ତି ସୃଷ୍ଟି କରିବ ଏବଂ ପାରିବାରିକ ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ନିର୍ମାଣ ସହ ଏସ୍ଏଲଡବ୍ଲ୍ୟୁଏମ ପାଇଁ କମ୍ପୋଷ୍ଟ ପିଟ୍, ସୋକ୍ ପିଟ୍, ବର୍ଜ୍ୟ ପୋଖରୀ, ସାମଗ୍ରୀ ଅସୁଲ ବ୍ୟବସ୍ଥା ଇତ୍ୟାଦି ଜରିଆରେ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ।
2014 ଅକ୍ଟୋବର 2ରେ ଏସବିଏମ୍ (G) ଶୁଭାରମ୍ଭ ହେବା ସମୟରେ ଦେଶରେ ଗ୍ରାମୀଣ ପରିମଳ କଭରେଜ୍ 38.7% ଥିଲା । ଏହି ମିଶନ ଶୁଭାରମ୍ଭ କରାଯିବା ପରଠାରୁ 10 କୋଟିରୁ ଅଧିକ ବ୍ୟକ୍ତିଗତ ଟଏଲେଟ୍ ନିର୍ମାଣ କରାଯାଇଛି । ଫଳସ୍ୱରୂପ 2019 ଅକ୍ଟୋବର 2 ସୁଦ୍ଧା ଦେଶର ସମସ୍ତ ରାଜ୍ୟ ନିଜକୁ ଓଡିଏଫ୍ ଘୋଷଣା କରିଛନ୍ତି । ତଥାପି ଯେଭଳି କୌଣସି ଗୋଟିଏ ବି ଗ୍ରାମୀଣ ପରିବାର ଟଏଲେଟ୍ ସୁବିଧାରୁ ବଞ୍ଚିତ ନ ହୋଇଛି, ତାହା ସୁନିଶ୍ଚିତ କରିବାକୁ ପାନୀୟ ଜଳ ଓ ପରିମଳ ବିଭାଗ (DDWS) ସବୁ ରାଜ୍ୟକୁ ପରାମର୍ଶ ଦେଇଛି ଏବଂ ଯଦି କୌଣସି ପରିବାର ନିକଟରେ ଟଏଲେଟ୍ ନଥିବା ଜଣାପଡ଼େ, ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କୁହାଯାଇଛି ।
ଏସବିଏମ୍ ଫେଜ୍ IIକୁ କ୍ୟାବିନେଟ୍ ଅନୁମୋଦନ ଦ୍ୱାରା ଗ୍ରାମାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ସମସ୍ୟାର ସମାଧାନ କରାଯାଇ ଦେଶରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟରେ ବ୍ୟାପକ ସୁଧାର ଅଣାଯାଇପାରିବ ।