ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 22ତମ ଭାରତୀୟ ଲ’ କମିଶନ ଗଠନକୁ ସରକାରୀ ଗେଜେଟରେ ଆଦେଶନାମା ପ୍ରକାଶ ପାଇବା ପରଠାରୁ 3 ବର୍ଷର ଅବଧି ପାଇଁ ଅନୁମୋଦନ କରିଛି ।
ଫାଇଦା:
ଏହାର ସର୍ତ୍ତାବଳୀ ମୁତାବକ, କମିଶନ ନିକଟକୁ ସମୀକ୍ଷା ଓ ସୁପାରିସ ପାଇଁ ଆସିବାକୁ ଥିବା ଆଇନ ଉପରେ ଏକ ସ୍ୱତନ୍ତ୍ର ସଂସ୍ଥା ନିକଟରୁ ସରକାର ସୁପାରିସର ଫାଇଦା ପାଇପାରିବେ ।
କେନ୍ଦ୍ର ସରକାରଙ୍କ ନିକଟରୁ ଆସିଥିବା ପ୍ରସ୍ତାବ ହେଉ ଅବା ନିଜେ କୌଣସି ଆଇନର ଗବେଷଣା ଓ ଭାରତର ପୁରୁଣା ଆଇନର ସମୀକ୍ଷା କରି ଲ’ କମିଶନ ସେଥିରେ ସଂଶୋଧନ ପାଇଁ ଅଥବା ନୂଆ ବିଧେୟକ ପାଇଁ ସୁପାରିସ କରିପାରିବ । ଏହାଛଡ଼ା ଏହା ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ବିଳମ୍ବକୁ ଦୂର କରିବା ସହ ମାମଲାଗୁଡ଼ିକର ତ୍ୱରିତ ସମାଧାନ, ବିଚାର ପ୍ରକ୍ରିୟାରେ ଖର୍ଚ୍ଚ କମାଇବାକୁ ସଂସ୍କାର ଆଣିବା ଦିଗରେ ସର୍ଭେ କିମ୍ବା ଗବେଷଣା କରିପାରିବ ।
ଭାରତୀୟ ଲ’ କମିଶନ ଏ ସବୁ କରିପାରିବ:
a. ଯେଉଁ ଆଇନର ଆବଶ୍ୟକତା ବା ପ୍ରାସଙ୍ଗିକତା ନାହିଁ, ସେଗୁଡ଼ିକୁ ଚିହ୍ନଟ କରିବ ଏବଂ ତୁରନ୍ତ ତାହାକୁ ରଦ୍ଦ କରିବ ।
b. ରାଜ୍ୟ ନୀତିର ନିର୍ଦ୍ଦେଶନାମା ସିଦ୍ଧାନ୍ତ ଆଧାରରେ ପୁରୁଣା ଆଇନଗୁଡ଼ିକର ଯାଞ୍ଚ କରିବ ଏବଂ ସୁଧାର ଓ ସଂସ୍କାର ପନ୍ଥା ସୁପାରିସ କରିବ ଏବଂ ସମ୍ବିଧାନର ପ୍ରସ୍ତାବନାରେ ଧାର୍ଯ୍ୟ ନିର୍ଦ୍ଦେଶନାମା ସିଦ୍ଧାନ୍ତ ଓ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ବିଧେୟକ ସୁପାରିସ କରିବ ।
c. ଆଇନ ଓ ନ୍ୟାୟ ମନ୍ତ୍ରାଳୟ (ଆଇନ ବ୍ୟାପାର ବିଭାଗ) ଜରିଆରେ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଉଠାଯାଇଥିବା ପ୍ରସଙ୍ଗର ଆଇନ ଓ ନ୍ୟାୟିକ ପ୍ରଶାସନ ସମ୍ପର୍କରେ ସରକାରଙ୍କୁ ନିଜର ବିଚାର ଓ ମତ ପ୍ରଦାନ କରିବ ।
d. ଆଇନ ଓ ନ୍ୟାୟ ମନ୍ତ୍ରାଳୟ (ଆଇନ ବ୍ୟାପାର ବିଭାଗ) ଜରିଆରେ ସରକାର ଏହାକୁ ଦେଇଥିବା ପ୍ରସ୍ତାବ ଆଧାରରେ କୌଣସି ବିଦେଶୀ ରାଷ୍ଟ୍ରକୁ ଗବେଷଣା ସହାୟତା ଯୋଗାଇବା ଅନୁରୋଧକୁ ଗ୍ରହଣ କରିବ ।
e. ଗରିବଙ୍କ ସେବା ପାଇଁ ଆଇନ ଓ ନ୍ୟାୟିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବ ।
f. ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଆଇନଗୁଡ଼ିକୁ ସରଳ କରିବା ପାଇଁ ପୁନଃସମୀକ୍ଷା କରିବ ଏବଂ ଏଥିରେ ଥିବା ବିସଙ୍ଗତି, ଅସ୍ପଷ୍ଟତା ଓ ଅସମାନତାକୁ ଦୂର କରିବ ।
ନିଜର ସୁପାରିସକୁ ଚୂଡ଼ାନ୍ତ କରିବା ପୂର୍ବରୁ କମିଶନ ଏଥିପାଇଁ ଆବଶ୍ୟକ ନୋଡାଲ ମନ୍ତ୍ରଣାଳୟ ଓ ଏଭଳି ଅନ୍ୟ ଅଂଶୀଦାରଙ୍କ ସହ ବିଚାର ବିମର୍ଷ କରିବ ।