Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରାଣସୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମାରକ କେନ୍ଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


 

ହର-ହର ମହାଦେବ !!!

ମହାଶିବରାତ୍ରୀ, ରଙ୍ଗଭରୀ ଏକାଦଶୀ ଏବଂ ହୋଲି ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ।

ଏଠାକୁ ବହୁ ସଂଖ୍ୟାରେ ଆସିଥିବା ମୋର ଭାଇ ଓ ଭଉଣୀମାନେ !!!

ମାଆ ଗଙ୍ଗାଙ୍କ କୂଳରେ ଆଜି ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି ହୋଇଛି । ଅବଧୂତ ବାବା ଭଗବାନ ରାମଙ୍କ ତପସ୍ୟାର ସ୍ଥାନ ଏପଟେ ଅଛି ତ ଆଉ ଏବେ ଦୀନଦୟାଲ ଉପାଧ୍ୟାୟ ମହାଶୟଙ୍କର ସ୍ମୃତିସ୍ଥଳୀ ଗଙ୍ଗା ଆରପଟ କ୍ଷେତ୍ରକୁ ବିକଶିତ କରିଛି ।

ସାଥୀଗଣ, ମାଆ ଗଙ୍ଗା ଯେତେବେଳେ କାଶୀରେ ପ୍ରବେଶ କରିଛନ୍ତି, ସେ ଉନ୍ମୁକ୍ତ ହୋଇ ନିଜର ଦୁଇ ବାହୁକୁ ସମ୍ପ୍ରସାରିତ କରି ଦେଇଛନ୍ତି ।

ଗୋଟିଏ ହାତରେ ଧର୍ମ, ଦର୍ଶନ ଏବଂ ଆଧ୍ୟାତ୍ମର ବିରାଟ ସଂସ୍କୃତି ବିକଶିତ ହୋଇଛି ଏବଂ ଅନ୍ୟ ହାତ ଅର୍ଥାତ ଏପଟେ ସେବା, ତ୍ୟାଗ, ସମର୍ପଣ ଏବଂ ତପସ୍ୟା ମୂର୍ତ୍ତିମାନ ହୋଇଛି ।

ଏହା କୂଳରେ ସିଦ୍ଧଯୋଗୀ ଅବଧୂତ ବାବା ଭଗବାନ ରାମ ତପସ୍ୟା ଏବଂ ସାଧନାର ପାରମ୍ପରିକ ରୂପ ବଦଳାଇ ସେବାର ଏକ ନବୀନ ତପସ୍ୟା ସ୍ଥଳୀର ନିର୍ମାଣ କରିଛନ୍ତି ।

ଆଜି ଏହି କ୍ଷେତ୍ର, ଦୀନଦୟାଲ ମହାଶୟଙ୍କ ସ୍ମୃତିସ୍ଥଳୀ ସହିତ ଯୋଡ଼ି ହେବା, ନିଜ ନାମକୁ ଆହୁରି ସାର୍ଥକ କରୁଛି ।

ଏପରି ସୋପାନ ଯେଉଁଠାରେ, ସେବା, ତ୍ୟାଗ, ବୈରାଗ ଏବଂ ଲୋକହିତ ସବୁକିଛି ଏକାଠି ଯୋଡ଼ି ହୋଇ ଏକ ଦର୍ଶନୀୟ ସ୍ଥଳ ରୂପେ ବିକଶିତ ହେବ ।

ମୋର ବିଶ୍ୱାସ ରହିଛି କି ଏହି କ୍ଷେତ୍ର ଜୀବନର ସତ୍ୟ ଉଦ୍ଦେଶ୍ୟକୁ ଜାଣିବାରେ, ବୁଝିବାରେ ଏବଂ ତାକୁ ପ୍ରାପ୍ତ କରିବାର ସଂକଳ୍ପ ଭୂମି ପାଲଟିବ ।

ସାଥୀଗଣ, ଆଜିର ଏହି ଦିନରେ ସେହି କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ସାକାର ହେବାଭଳି ଲାଗୁଛି, ଯେଉଁଗୁଡ଼ିକୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାଶୟ ସଦା ସର୍ବଦା ପ୍ରେରଣା ପ୍ରଦାନ କରି ଆସିଛନ୍ତି । ଦେଶରେ ରହିଥିବା ସବୁଠାରୁ ବଡ଼ ବଡ଼ ରେଳ ଜଙ୍କସନମାନଙ୍କ ମଧ୍ୟରୁ ଗୋଟିଏ ଏଠାରେ ରହିଛି, ତାହା ତାଙ୍କର ସ୍ମୃତି ପାଇଁ ଆଗରୁ ହିଁ ସମର୍ପିତ ହୋଇ ଯାଇଛି ।

ଏବେ ଏଠାରେ ଯେଉଁ ସ୍ମୃତିସ୍ଥଳ ନିର୍ମାଣ କରାଯାଇଛି, ଉଦ୍ୟାନ ପ୍ରତିଷ୍ଠା ହୋଇଛି, ତାଙ୍କର ଭବ୍ୟ ପ୍ରତିମା ସ୍ଥାପିତ କରାଯାଇଛି, ଏହାଦ୍ୱାରା ଆଗାମୀ ପିଢିଙ୍କୁ ମଧ୍ୟ ଦୀନ ଦୟାଲ ମହାଶୟଙ୍କ ଆଚାର ଏବଂ ବିଚାରରୁ ପ୍ରେରଣା ମିଳୁଥିବ ।

ଭାଇ ଓ ଭଉଣୀମାନେ, ଯେଉଁମାନେ ହୃଦୟରେ ଦଳିତ, ପୀଡ଼ିତ, ଶୋଷିତ, ବଞ୍ଚି, ଅବହେଳିତ ସମାଜର ଯେ କୌଣସି ବ୍ୟକ୍ତିଙ୍କ ପାଇଁ କଷ୍ଟ ଅନୁଭବ କରୁଥିଲେ, ସେମାନଙ୍କ ପାଇଁ ଏହି ଭୂମି ହେଉଛି ପ୍ରେରଣାର ଭୂମି, ଯାହା ଦେଶ ଭକ୍ତିର ରଙ୍ଗରେ ରଙ୍ଗାୟିତ ହୋଇଛି । ଯାହାଙ୍କ ଜୀବନରେ ଦଳଠାରୁ ଊର୍ଦ୍ଧ୍ଵରେ ଦେଶ ଥିଲା, ନିଜ ବଦଳରେ ସମସ୍ତଙ୍କର ଚିନ୍ତା ଥିଲା, ଏଭଳି ଦେଶ ଭକ୍ତିର ରଙ୍ଗରେ ରଙ୍ଗାୟିତ ହୋଇଥିବା ଦେଶର କୋଟି କୋଟି ଲୋକଙ୍କ ପାଇଁ ଏହା ହେଉଛି ତୀର୍ଥ କ୍ଷେତ୍ର ଯେଉଁଠାରୁ ଦେଶ ପାଇଁ ଜୀଇଁବା ନିମନ୍ତେ, ଦେଶ ପାଇଁ ଲଢ଼େଇ କରିବା ନିମନ୍ତେ ଏବଂ ଦେଶ ପାଇଁ ଜୀବନ ଉତ୍ସର୍ଗ କରିବା ପାଇଁ ପ୍ରେରଣା ମିଳୁଥିବ । ମୁଁ ଆଜି ଏହି ମାଟିକୁ ପ୍ରଣାମ କରୁଛି, ସେହି ପୂଣ୍ୟାତ୍ମାଙ୍କୁ ପ୍ରଣାମ କରୁଛି । ଆଉ ମୋର ବିଶ୍ୱାସ ରହିଛି ଯେ ଦୀନ ଦୟାଲ ମହାଶୟଙ୍କର ଆତ୍ମା ଯେଉଁଠାରେ ମଧ୍ୟ ଥିବ, ଆମକୁ ନିରନ୍ତର ଆଶୀର୍ବାଦ ଦେଉଥାଏ, ଆମକୁ ନିରନ୍ତର ପ୍ରେରଣା ଦେଇ ଚାଲିଥାଏ, କାରଣ ଆମେ ସମାଜର ସବା ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଇଁ ସମାଜର ଅବହେଳିତ ଲୋକଙ୍କ ପାଇଁ ଦଳିତ, ପୀଡ଼ିତ, ଶୋଷିତ, ବଞ୍ଚିତ ଲୋକଙ୍କ ପାଇଁ ଆମେ ନିଜ ଜୀବନକୁ ନିୟୋଜିତ କରିବା, ସେମାନଙ୍କ ସେବା ପାଇଁ ଆମକୁ ଯାହା ମଧ୍ୟ ଦାୟିତ୍ୱ ମିଳିଛି, ତାକୁ ସଂପୂର୍ଣ୍ଣ ଭାବେ ନିର୍ବାହ କରିବା ।

ସାଥୀଗଣ, ଦୀନ ଦୟାଲ ଉପାଧ୍ୟାୟ ମହାଶୟ ଆମକୁ ଅନ୍ତ୍ୟୋଦୟର ମାର୍ଗ ଦେଖାଇଥିଲେ । ଅର୍ଥାତ ଯିଏ ସମାଜର ଶେଷ ଧାଡ଼ିରେ ରହିଛି, ତାହାଙ୍କର ଉଦୟ । ଏକବିଂଶ ଶତାବ୍ଦୀର ଭାରତ, ଏହି ଚିନ୍ତାଧାରାର ପ୍ରେରଣା ନେଇ ଅନ୍ତ୍ୟୋଦୟ ପାଇଁ କାର୍ଯ୍ୟ କରୁଛି । ଯେଉଁମାନେ ବିକାଶର ଶେଷ ପାହାଚରେ ଅଛନ୍ତି, ସେମାନଙ୍କୁ ବିକାଶର ପ୍ରଥମ ପାହାଚକୁ ଆଣିବା ପାଇଁ କାର୍ଯ୍ୟ ହେଉଛି ।

ସେ ହୁଏତ ପୂର୍ବାଞ୍ଚଳ ହେଉ, ପୂର୍ବ ଭାରତ ହେଉ, ତ୍ତର-ପୂର୍ବ ହେଉ, ଦେଶର 100ରୁ ଅଧିକ ଆକାଂକ୍ଷୀ ଜିଲ୍ଲା ହେଉ, ସମସ୍ତ କ୍ଷେତ୍ରରେ ବିକାଶର ଅଦ୍ଭୂତପୂର୍ବ କାର୍ଯ୍ୟ ହେଉଛି ।

ଏହି ଶୃଙ୍ଖଳରେ ଆଜି ଏହି ପବିତ୍ର ଅବସରରେ ବାରାଣସୀ ସମେତ ସଂପୂର୍ଣ୍ଣ ପୂର୍ବାଞ୍ଚଳକୁ ଲାଭ ପହଞ୍ଚାଇବା ପାଇଁ ପ୍ରାୟ 1200 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏଥିରେ ବଡ଼ ଡାକ୍ତରଖାନା ମଧ୍ୟ ଅଛି, ସ୍କୁଲ ଏବଂ ଶୈଖିକ ସଂସ୍ଥାନ ମଧ୍ୟ ଅଛି, ରାସ୍ତା ମଧ୍ୟ ରହିଛି, ଫ୍ଲାଏଓଭର ମଧ୍ୟ ଅଛି, ଜଳ ଯୋଗାଣ ଯୋଜନାଗୁଡ଼ିକ ମଧ୍ୟ ଅଛି, ପାର୍କ ଅଛି, ସହରକୁ ଆହୁରି ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ପ୍ରକଳ୍ପ ସବୁ ମଧ୍ୟ ରହିଛି ।

ସାଧାରଣ ମଣିଷର ସ୍ୱାସ୍ଥ୍ୟ, ଶିକ୍ଷା, ସୁବିଧା, ଆସ୍ଥା ଏବଂ ରୋଜଗାର ସହିତ ଜଡ଼ିତ ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ନିମନ୍ତେ ମୁଁ ଆଜି ଆପଣ ସମସ୍ତଙ୍କୁ, ବାରାଣସୀ ଏବଂ ପୂର୍ବାଞ୍ଚଳ ଲୋକଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ଏହି ସମସ୍ତ ପ୍ରକଳ୍ପ ବିଗତ 5 ବର୍ଷରେ କାଶୀ ସମେତ ସଂପୂର୍ଣ୍ଣ ପୂର୍ବାଞ୍ଚଳରେ ଚାଲୁ ରହିଥିବା କାୟାକଳ୍ପ ସଂକଳ୍ପର ହେଉଛି ଏକ ଅଭିନ୍ନ ଅଂଶ ।

ଏହି କିଛି ବର୍ଷରେ ବାରାଣସୀ ଜନପଦରେ ପ୍ରାୟ 25 ହଜାର କୋଟି ଟଙ୍କାର ବିକାଶ କାର୍ଯ୍ୟ ହୁଏତ ସଂପୂର୍ଣ୍ଣ ହୋଇ ସାରିଛି ଅବା କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଦେବୀ ଅହଲ୍ୟା ବାଈ ହୋଲକରଙ୍କ ପରେ ଏତେ ବଡ଼ ସଂଖ୍ୟାରେ କାଶୀ ନଗରୀରେ ବିକାଶ କାର୍ଯ୍ୟ ହେଉଛି, ତ ତାପଛରେ ଦେବ ଦେବ ମହାଦେବଙ୍କର ଇଚ୍ଛା ହିଁ ରହିଛି, ବାବା ଭୋଳାଙ୍କର ହିଁ ଆଶୀର୍ବାଦ ରହିଛି

ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ଯେ ବାବା ଏହି କାର୍ଯ୍ୟ ପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱ ଦେଇଛନ୍ତି, ର୍ତ୍ତବ୍ୟ କରିବା ପାଇଁ ସୁଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟର ବହୁତ ବଡ଼ ଲାଭ ବନାରସ ସମେତ ସଂପୂର୍ଣ୍ଣ ପୂର୍ବାଂଚଳକୁ ମିଳୁଛି । ବିଶେଷ କରି ଭିତ୍ତିଭୂମିକୁ ନେଇ, ସଡ଼କ, ରାଜପଥ, ଜଳପଥ, ରେଳପଥକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ପୂର୍ବାଂଚଳ ଏକ୍ସପ୍ରେସ-ୱେ ଉପରେ ଯୋଗୀ ମହାଶୟଙ୍କ ଟିମ୍ ଦୃତ ଗତିରେ କାର୍ଯ୍ୟ କରୁଛି । ଖୁବ ଶୀଘ୍ର ଏହାର ଲାଭ ଏହି ସମସ୍ତ କ୍ଷେତ୍ରକୁ ମିଳିବ ।

ଆଜି ଏଠାରେ, ଚୋକାଘାଟ-ଲହରତାରା ରାସ୍ତାରେ ନିର୍ମାଣ ହୋଇଥିବା ସେତୁର ମଧ୍ୟ ଲୋକାର୍ପଣ ହୋଇଯାଇଛି । ପୂର୍ବର ସ୍ଥିତି ଆପଣମାନଙ୍କୁ ଜଣାଅଛି । କେଣ୍ଟ ରେଳ ଷ୍ଟେସନ ହେଉ, ବିଏଚୟୁ ହେଉ, ବସ୍ ଷ୍ଟେସନ ହେଉ, ବିମାନ ବନ୍ଦର ହେଉ, ଏହି ସମସ୍ତ ସ୍ଥାନକୁ ଯାତାୟାତ କରିବା ପାଇଁ କେତେ ସମସ୍ୟା ହେଉଥିଲା, କେତେ ଭିଡ ହେଉଥିଲା । ଏବେ ସେହି ଭିଡରୁ ମୁକ୍ତି ମିଳିଯିବ । ଏବେ ଏହି 4 ଲେନ୍ ବିଶିଷ୍ଟ ସେତୁ ନିର୍ମାଣ ହେବା ପରେ ଲହରତାରା-ଆହ୍ଲାବାଦ ଏବଂ ଚୋକାଘାଟ-ଦୀନ ଦୟାଲ ଉପାଧ୍ୟାୟ ନଗରର ରାସ୍ତା ମଧ୍ୟ ସଂଯୋଗ ହୋଇ ଯାଇଛି । ଏହା ସହିତ ଭିନ୍ନ ଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା 16ଟି ରାସ୍ତାର ମଧ୍ୟ ଆଜି ଲୋକାର୍ପଣ ହୋଇଛି । ଏହାଦ୍ୱାରା ପ୍ରୟାଗରାଜ, ମିର୍ଜାପୁର, ଜୌନପୁର, ଗାଜୀପୁର, ଆଜମଗଡ଼, ଗୋରଖପୁର, ବଲିୟାରୁ ନେଇ ବିହାରକୁ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ବହୁତ ଲାଭ ହେବ । ଯେଉଁମାନଙ୍କୁ ସାରନାଥ ସହିତ ଅନ୍ୟ ସମସ୍ତ ପର୍ଯ୍ୟଟନ ସ୍ଥଳଗୁଡିକୁ ଯିବାର ଅଛି, ସେମାନଙ୍କୁ ମଧ୍ୟ ଏହି ରାସ୍ତାଗୁଡିକ ଦ୍ୱାରା ସୁବିଧା ହେବ ।

ସାଥୀଗଣ, କାଶୀ ସମେତ ଏହି ସଂପୂର୍ଣ୍ଣ କ୍ଷେତ୍ରରେ ହେଉଥିବା ଯୋଗାଯୋଗ ସମ୍ବନ୍ଧିତ ଏହି କାର୍ଯ୍ୟ ଆପଣଙ୍କୁ ସୁବିଧା ସହିତ ରୋଜଗାର ସୃଷ୍ଟି କରିବାର ବଡ଼ ସାଧନ ପ୍ରସ୍ତୁତ କରୁଛି । ବିଶେଷ ଭାବେ ପର୍ଯ୍ୟଟନ ଆଧାରିତ ରୋଜଗାର, ଯାହାକୁ ନେଇ କାଶୀ ଏବଂ ଆଖପାଖର ଅଞ୍ଚଳରେ ବହୁତ ବଡ଼ ସମ୍ଭାବନା ରହିଛି, ସେମାନଙ୍କୁ ଶକ୍ତି ମିଳୁଛି । ପର୍ଯ୍ୟଟନ ହେଉଛି ଏପରି ଏକ କ୍ଷେତ୍ର, ଯେଉଁଥିରେ ପ୍ରତ୍ୟେକ ସ୍ତରର, ପ୍ରତ୍ୟେକ ବର୍ଗର ବ୍ୟକ୍ତି କମରୁ ଅତି କମ୍ ନିବେଶ କରି ଅଧିକରୁ ଅଧିକ ରୋଜଗାର କରନ୍ତି । ଏହା ହେଉଛି କାରଣ କି ଆଜି ଯେତେବେଳେ ଭାରତରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର କଥା ଆସୁଛି  ତ ପର୍ଯ୍ୟଟନ ହେଉଛି ତାହାର ଏକ ପ୍ରମୁଖ ଅଂଶ ।

ଭାରତ ପାଖରେ ତ ପ୍ରକୃତି ସହିତ ପାରମ୍ପରିକ ପର୍ଯ୍ୟଟନର ମଧ୍ୟ ବହୁତ ବଡ଼ ଶକ୍ତି ରହିଛି, ଯାହାକୁ ଏକବିଂଶ ଶତାବ୍ଦୀର ରୂପ ଦିଆଯାଉଛି । ବିଶେଷ ଭାବେ କାଶୀ ସମେତ ଆମ ଆସ୍ଥା ସହିତ ଜଡ଼ିତ ସମସ୍ତ ସ୍ଥଳଗୁଡ଼ିକୁ ନୂତନ ଆବଶ୍ୟକତା ଅନୁସାରେ, ନୂତନ ଟେକ୍ନୋଲୋଜିର ଉପଯୋଗ କରି ବିକଶିତ କରାଯାଉଛି ।

ସାରନାଥର ସୌନ୍ଦର୍ଯ୍ୟକରଣ ହେଉ, ଗଙ୍ଗା ମାତାଙ୍କ ଘାଟର ସୌନ୍ଦର୍ଯ୍ୟକରଣ ହେଉ, ଆଜି କାଶୀ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ, ପ୍ରତ୍ୟେକ ପର୍ଯ୍ୟଟକ ସୁଖଦ ଅନୁଭବ ନେଇ ଏଠାରୁ ଯାଇଥାଆନ୍ତି । କିଛି ଦିନ ପୂର୍ବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମଧ୍ୟ ଏଠାକୁ ଆସିଥିଲେ । ଏଠାକାର ଅଦ୍ଭୁତ ବାତାବରଣ, ଦିବ୍ୟ ଅନୁଭୂତି ଦ୍ୱାରା ମନ୍ତ୍ରମୁଗ୍ଧ ହୋଇ ପଡ଼ିଥିଲେ । ଆପଣମାନେ ମଧ୍ୟ ଦେଖିଥିବେ କି ସାମାଜିକ ଗଣମାଧ୍ୟମରେ ସେ କାଶୀର ସାଥୀମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ସାଥୀଗଣ, କାଶୀ ବିଶ୍ୱନାଥ ଧାମ ସହ ଜଡ଼ିତ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ରମକୁ ନେଇ  ଆପଣମାନେ ମଧ୍ୟ ଭଲ ଭାବେ ପରିଚିତ ଅଛନ୍ତି । ଆଜି ଏଠାରେ ମନ୍ଦିର ପରିସର ମଧ୍ୟରେ ନିର୍ମାଣ କରାଯାଇଥିବା ଅନ୍ନ କ୍ଷେତ୍ର ଭବନର ଲୋକାର୍ପଣ କରାଯାଇଛି । ଏହି ଭବନଟି ନିର୍ମିତ ହେବା ଫଳରେ ଏଠାରେ ପ୍ରସାଦ ବିତରଣ ଏବଂ ଭକ୍ତମାନଙ୍କର ଭୋଜନ ଜନିତ ସମସ୍ୟାର ସମାଧାନ ସଦା ସର୍ବଦା ପାଇଁ ଦୂର ହୋଇଯିବ । କାଶୀ ବିଶ୍ୱନାଥ ଧାମରେ ଏଭଳି ସମସ୍ତ କାର୍ଯ୍ୟ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି । ଖୁବ ଶୀଘ୍ର ବାବାଙ୍କର ଦିବ୍ୟ ପ୍ରାଙ୍ଗଣ ଏକ ଆକର୍ଷକ ଏବଂ ଭବ୍ୟ ରୂପରେ ଆମ ସମସ୍ତଙ୍କ ସମ୍ମୁଖକୁ ଆସିବ । ଏହିଭଳି ଭାବେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମଧ୍ୟ ଭବ୍ୟ ମନ୍ଦିରର ନିର୍ମାଣ କରିବା ପାଇଁ ଟ୍ରଷ୍ଟର ଗଠନ କରାଯାଇ ସାରିଛି । ଏହି ଟ୍ରଷ୍ଟ ଏବେ ଶ୍ରୀରାମ ଧାମର ନିର୍ମାଣ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଆରମ୍ଭ କରିଦେବ ।

ଭାଇ ଓ ଭଉଣୀମାନେ, ସାରା ଦେଶରେ, ଆସ୍ଥା ଏବଂ ଆଧ୍ୟାତ୍ମ ସହିତ ଜଡ଼ିତ ସମସ୍ତ କେନ୍ଦ୍ରଗୁଡ଼ିକୁ ବିକଶିତ କରିବା ସହିତ- ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା କରାଯାଉଛି । ବିଶେଷ ଭାବେ ଏହି ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ନିରନ୍ତର ଭାବେ ଯୋଗାଯୋଗ ବ୍ୟବସ୍ଥାର ସୁବିଧା ମିଳୁ, ଏଥିପାଇଁ କାର୍ଯ୍ୟ କରାଯାଉଛି ।

ଏହି ଶୃଙ୍ଖଳରେ ଆଜି ବାବା ବିଶ୍ୱନାଥଙ୍କର ନଗରୀକୁ ଓଁକାରେଶ୍ୱର ଏବଂ ମହାକାଳେଶ୍ୱର ସହିତ ଯୋଡ଼ୁଥିବା କାଶୀ-ମହାକାଳ ଏକ୍ସପ୍ରେସକୁ ମଧ୍ୟ ସବୁଜ ପତାକା ଦେଖାଯାଇଛି । ଏବେ କାଶୀରେ ବାବାଙ୍କର ଦର୍ଶନ କରିବା ପରେ ଉଜ୍ଜୟିନୀରେ ମହାକାଳଙ୍କର ଦର୍ଶନ କରି ପାରିବେ ଏବଂ ଏହି ଟ୍ରେନରେ ଆଗକୁ ଯାଇ ଇନ୍ଦୋରରେ ଓଁକାରେଶ୍ୱରରେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରି ପାରିବେ

କେବଳ ଏତିକି ନୁହେଁ, ଏହି ରେଳସେବା ପ୍ରୟାଗରାଜ, ଲକ୍ଷ୍ନୌ, କାନପୁର, ଝାନସୀ, ବୀନା, ସନ୍ଥ ହିରଦାରାମ ଭଳି ଧାର୍ମିକ ଏବଂ ଐତିହାସିକ ମହତ୍ୱ ରହିଥିବା କ୍ଷେତ୍ରଗୁଡ଼ିକୁ ମଧ୍ୟ ଯୋଡ଼ିବ । ଏହି ମହାଶିବରାତ୍ରୀ ଅବସରରେ ବାବାଙ୍କର ଭକ୍ତମାନଙ୍କୁ ଏହା ହେଉଛି ଏକ ଉପହାର ସ୍ୱରୂପ ।

ଭାଇ ଓ ଭଉଣୀମାନେ, କାଶୀ ଆସ୍ଥା ଏବଂ ଆଧ୍ୟାତ୍ମ ସହିତ ଜ୍ଞାନର ମଧ୍ୟ ଏକ ପ୍ରମୁଖ କେନ୍ଦ୍ର ରହିଛି । ବିଗତ 5 ବର୍ଷ ମଧ୍ୟରେ ବିଏଚୟୁ ଭଳି ଜ୍ଞାନ ଏବଂ ବିଜ୍ଞାନର ବଡ଼ କେନ୍ଦ୍ରଗୁଡ଼ିକୁ ସଂପ୍ରସାରିତ କରି ଦିଆଯାଇଛି । ଆଜି ମଧ୍ୟ ଏଠାରେ ବୈଦିକ ଜ୍ଞାନ-ବିଜ୍ଞାନଠାରୁ ନେଇ ଆଧୁନିକ ଚିକିତ୍ସା ସହିତ ଜଡ଼ିତ ଅନେକ ସୁବିଧାର ଲୋକାର୍ପଣ କରାଯାଇଛି । ଆଜି ବାରାଣସୀ, ପୂର୍ବାଂଚଳର ବହୁତ ବଡ଼ ମେଡିକାଲ କେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଏଠାରେ କର୍କଟ (କ୍ୟାନସର) ଭଳି ଗୁରୁତର ରୋଗର ଆଧୁନିକ ପ୍ରଣାଳୀରେ ଚିକିତ୍ସା ପାଇଁ ବହୁତଗୁଡ଼ିଏ ଡାକ୍ତରଖାନା ନିର୍ମାଣ ହୋଇ ସାରିଛି । ପୂର୍ବରୁ ଯେଉଁ ରୋଗର ଚିକିତ୍ସା କରିବା ପାଇଁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରଗୁଡ଼ିକୁ ଯିବାକୁ ପଡ଼ୁଥିଲା, ସେଗୁଡ଼ିକର ଚିକିତ୍ସା ଏବେ ଏହିଠାରେ ମିଳୁଛି । ଏହାର ବ୍ୟାପକ ଲାଭ ଉତ୍ତରପ୍ରଦେଶ ସହିତ ପୂର୍ବ ଭାରତର ବହୁତ ବଡ଼ ଅଂଶକୁ ମିଳୁଛି । ବିଏଚୟୁରେ ଆଜି ଯେଉଁ ସୁପର ସ୍ପେସିଆଲିଟି ହାସ୍ପାତାଳର ଲୋକାର୍ପଣ ହୋଇଛି, ତାହାର ଶିଳାନ୍ୟାସ 2016 ଶେଷ ଭାଗରେ ମୁଁ ହିଁ କରିଥିଲି । କେବଳ 21 ମାସରେ 430 ଶଯ୍ୟା ବିଶିଷ୍ଟ ଏହି ହାସ୍ପାତାଳ ତିଆରି ହୋଇ କାଶୀ ଏବଂ ପୂର୍ବାଂଚଳର ଲୋକମାନଙ୍କର ସେବା କରିବା ପାଇଁ ପ୍ରସ୍ତୁତ ହୋଇଛି । କବିରଚୌରାରେ ଜିଲ୍ଲା ମହିଳା ଚିକିତ୍ସାଳୟରେ 100 ଶଯ୍ୟା ବିଶିଷ୍ଟ ମାତୃକାଳୀନ ଦଳ ବା ଗୋଷ୍ଠୀ ଦ୍ୱାରା ସହରର ମହିଳାମାନଙ୍କୁ ବହୁତ ସାହାଯ୍ୟ ମିଳିପାରିବ ।

ମୁଁ ଯୋଗୀ ମହାଶୟ ଏବଂ ତାଙ୍କର ଟିମକୁ ଶୁଭେଚ୍ଛା ଜଣାଇବି କି ସଂପୂର୍ଣ୍ଣ ଉତ୍ତରପ୍ରଦେଶରେ ମେଡିକାଲ କଲେଜ ଏବଂ ଆୟୁଷ୍ମାନ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ସହିତ- ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱଚ୍ଛତାକୁ ନେଇ ମଧ୍ୟ ଯେଉଁସବୁ ପ୍ରୟାସ ବିଗତ 2-3 ବର୍ଷ ମଧ୍ୟରେ ହୋଇଛି, ତାହା ଫଳରେ ଏନସେଫାଲାଇଟିସ୍ ଭଳି ରୋଗ ସହିତ ଲଢ଼େଇ କରିବା ପାଇଁ ଖୁବ ସହାୟତା ମିଳି ପାରିଛି ।

ସାଥୀଗଣ, ଏହା ଯାହା କିଛି ମଧ୍ୟ ବିଗତ 5, ସାଢ଼େ 5 ବର୍ଷ ମଧ୍ୟରେ ହାସଲ କରାଯାଇଛି, ଏବେ ତାହାକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି । ସ୍ୱଚ୍ଛତାକୁ ନେଇ ଏ ଯେଉଁ ଆନ୍ଦୋଳନ ଆରମ୍ଭ କରାଯାଇଛି, ତାହାକୁ ଆମକୁ ଜାରି ରଖିବାକୁ ପଡ଼ିବ । ସେଠାରେ ଜଳ ଜୀବନ ମିଶନ ମାଧ୍ୟମରେ ଆଗାମୀ 5 ବର୍ଷ ମଧ୍ୟରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବା ପାଇଁ ମଧ୍ୟ ଆମକୁ ସଂପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରିବାକୁ ପଡ଼ିବ ।

ମୁଁ ଏହା ଆପଣମାନଙ୍କୁ ଆଶ୍ୱସ୍ତ କରୁଛି କି ଏହି କାର୍ଯ୍ୟ ପାଇଁ ନା ତ, ବଜେଟ ଏକ ସମସ୍ୟା ହେବ ଆଉ ନା ସରକାରଙ୍କର ଉଦ୍ଦେଶ୍ୟ କେବେ ମଧ୍ୟ ଦୁର୍ବଳ ହେବ । ବନାରସର କାୟାକଳ୍ପକୁ ମହାଦେବଙ୍କ ଇଚ୍ଛାକୁ ଆମେ ସମସ୍ତେ ମିଳିମିଶି ସଂପୂର୍ଣ୍ଣ କରିବା ।

ଭାଇ ଓ ଭଉଣୀମାନେ, ପରିବର୍ତ୍ତିତ ଭାରତରେ ଦେଶର ବିକାଶର କାହାଣୀରେ ନୂତନ ଅଧ୍ୟାୟ ଯୋଡ଼ିବାର କାର୍ଯ୍ୟ ବଡ଼-ବଡ଼ ମେଟ୍ରୋ ସହର ଅପେକ୍ଷା ବନାରସ ଭଳି ଟିୟର-2, ଟିୟର-3 ସହରଗୁଡ଼ିକ ହିଁ କରିବେ ।

ଦୀନ ଦୟାଲ ମହାଶୟ, ଯେଉଁ ଭଳି ଭାବେ ଅନ୍ତ୍ୟୋଦୟର କଥା କହୁଥିଲେ, ସେହିପରି ହିଁ, ଦେଶର ଛୋଟ ଛୋଟ ସହରଗୁଡ଼ିକର ଉଦୟ, ଦେଶର ବିକାଶକୁ ନୂତନ ଶୀର୍ଷକୁ ନେଇ ଯିବ ।

କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକରୁ ବହୁତ ଅଧିକ ଲାଭ, ଏହି ଛୋଟ ଛୋଟ ସହରଗୁଡ଼ିକୁ ଏବଂ ଏଥିରେ ବସବାସ କରୁଥିବା ଲୋକମାନଙ୍କୁ ହିଁ ହୋଇଛି ।

ଏବେ ନିକଟରେ ଯେଉଁ ବଜେଟ ଆସିଛି, ସେଥିରେ ସରକାର ଘୋଷଣା କରିଛନ୍ତି କି ଭିତ୍ତିଭୂମି ଉପରେ 100 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ । ଏହାର ବହୁତ ବଡ଼ ଅଂଶ, ଦେଶର ଛୋଟ ଛୋଟ ସହରଗୁଡ଼ିକର ଖାତାକୁ ହିଁ ଆସିବ ।

ସାଥୀଗଣ, ଦୀନ ଦୟାଲ ମହାଶୟ କହୁଥିଲେ, କି ଆତ୍ମନିର୍ଭରତା ଏବଂ ସ୍ୱୟଂ ସହାୟତା ସମସ୍ତ ଯୋଜନାଗୁଡ଼ିକର କେନ୍ଦ୍ରରେ ରହିବା ଆବଶ୍ୟକ । ତାଙ୍କର ଏହି ବିଚାରଧାରାଗୁଡ଼ିକୁ ସରକାରଙ୍କ ଯୋଜନାଗୁଡ଼ିକରେ ଏବଂ ସରକାରଙ୍କର କାର୍ଯ୍ୟ ସଂସ୍କୃତିରେ ନିରନ୍ତର ଆଣିବାର ପ୍ରୟାସ କରାଯାଉଛି ।

ଆପଣମାନେ ଦେଖନ୍ତୁ, ମେକ୍ ଇନ୍ ଇଣ୍ଡିଆର କେନ୍ଦ୍ରରେ ଆତ୍ମନିର୍ଭରତା ରହିଛି । ଆଜି ରେଳ ଡବାରୁ ନେଇ, ମୋବାଇଲ ଫୋନ ଏବଂ ସେନା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ଭାରତରେ ନିର୍ମାଣ ହେବାକୁ ଲାଗିଲାଣି । ପୂର୍ବାଂଚଳ ସମେତ ସଂପୂର୍ଣ୍ଣ ୟୁପିରେ ମଧ୍ୟ ଅନେକ ନୂତନ କାରଖାନାମାନ ବିଗତ 5 ବର୍ଷ ମଧ୍ୟରେ କରାଯାଇଛି ।

ଏହିଭଳି ଭାବେ, ଷ୍ଟାର୍ଟ-ଅପ୍ ଇଣ୍ଡିଆର କେନ୍ଦ୍ରରେ ମଧ୍ୟ ଆତ୍ମନିର୍ଭରତା ରହିଛି । ବିଗତ 5 ବର୍ଷ ମଧ୍ୟରେ ପ୍ରାୟ 26 ହଜାର ନୂତନ ଷ୍ଟାର୍ଟ ଅପ୍ସ ପଞ୍ଜିକୃତ ହୋଇଛି, ଯେଉଁଥିରେ ଭାରତର ଯୁବକମାନେ ହିଁ ଭାରତର ଲକ୍ଷ ଲକ୍ଷ ଯୁବକମାନଙ୍କୁ ରୋଜଗାର ଦେବାର କାର୍ଯ୍ୟ କରି ପାରିଛନ୍ତି । ମୁଦ୍ରା ଯୋଜନାର କେନ୍ଦ୍ରରେ ମଧ୍ୟ ଆତ୍ମ ନିର୍ଭରତା ଏବଂ ସ୍ୱୟଂ ସହାୟତା ଯୋଡ଼ି ହୋଇ ରହିଛି । ଏହି ଯୋଜନା ସମଗ୍ର ଦେଶରେ ପ୍ରାୟ ସାଢ଼େ 5 କୋଟି ନୂତନ ଉଦ୍ୟମୀ ପ୍ରସ୍ତୁତ କରିଛି । ପ୍ରାୟ 3 ହଜାର କୋଟି ଟଙ୍କାର ମୁଦ୍ରା ଋଣ ବାରାଣସୀର ହିଁ ପ୍ରାୟ ସାଢ଼େ 6 ଲକ୍ଷ ସାଥୀଙ୍କୁ ମିଳିଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ମୂଳରେ ମଧ୍ୟ ସ୍ୱୟଂ ସହାୟତା ହିଁ ରହିଛି । ଏହା ମାଧ୍ୟମରେ ୟୁପିର ପ୍ରାୟ 2 କୋଟି କୃଷକଙ୍କୁ ପ୍ରାୟ 12 ହଜାର କୋଟି ଟଙ୍କା ସେମାନଙ୍କ ଖାତାକୁ ହସ୍ତାନ୍ତର କରାଯାଇ ସାରିଛି ।

ଭାଇ ଓ ଭଉଣୀମାନେ, ଆମ ସରକାର ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ସେମାନଙ୍କ ଯାଏଁ ବିକାଶର ଲାଭ ପହଞ୍ଚାଇବା ପାଇଁ କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି ।

ଆପଣ କୁହନ୍ତୁ, ସେହି 50 କୋଟିରୁ ଊର୍ଦ୍ଧ୍ଵ ଦେଶବାସୀ ଯାହାଙ୍କୁ ଆଜି ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ସମ୍ଭବ ହୋଇ ପାରିଛି, ସେମାନେ ହେଉଛନ୍ତି ସବୁ କିଏ ? ଏମାନେ 70 ବର୍ଷ ମଧ୍ୟରେ ବିକାଶର ଶେଷ ଭାଗରେ ହିଁ ରହିଛନ୍ତି ।

ଆଜି ଦେଶରେ ପ୍ରାୟ 90 ଲକ୍ଷ ଗରିବ ରୋଗୀଙ୍କୁ ଚିକିତ୍ସା ମିଳି ସାରିଛି, ଯେଉଁଥିରୁ ୟୁପିର 3 ଲକ୍ଷ ଏବଂ ବାରାଣସୀର ପ୍ରାୟ 16 ହଜାର ସାଥୀ ଅଛନ୍ତି ।

ଦେଶର ସେହି 11କୋଟି ସାଥୀ ମଧ୍ୟ ଶେଷ ଭାଗରେ ହିଁ ରହିଥିଲେ, ଯାହାଙ୍କ ଘରକୁ ପ୍ରଥମ ଥର ପାଇଁ ଶୌଚାଳୟ ପହଞ୍ଚି ପାରିଛି ।

ଦେଶର ସେହି 8 କୋଟିରୁ ଅଧିକ ପରିବାର ମଧ୍ୟ ଶେଷ ଭାଗରେ ହିଁ ରହିଥିଲେ, ଯାହାଙ୍କୁ ପ୍ରଥମ ଥର ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ମିଳି ପାରିଛି ଏଥିରେ ମଧ୍ୟ ୟୁପିର ପ୍ରାୟ ଦେଢ଼ କୋଟି ଏବଂ ବାରାଣସୀର ପ୍ରାୟ 50 ଲକ୍ଷ ମୋର ଦଳିତ ଭାଇ-ଭଉଣୀଙ୍କର ପରିବାର ରହିଛନ୍ତି, ଯାହାଙ୍କୁ ଉଜ୍ଜ୍ୱଳାର ଗ୍ୟାସ ସଂଯୋଗ ମିଳି ପାରିଛି ।

ଦେଶର ପ୍ରାୟ 2 କୋଟି ସାଥୀ ଯାହାଙ୍କୁ ପକ୍କା ଘର ମିଳିଛି, ସେମାନେ ମଧ୍ୟ ଶେଷ ଭାଗରେ ହିଁ ଠିଆ ହୋଇ ରହିଥିବା ଲୋକ ଥିଲେ । ଆଜି ଯେଉଁ 24 କୋଟି ଦେଶବାସୀଙ୍କୁ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଏବଂ ଜୀବନ ବୀମା ମିଳୁଛି, ସେମାନେ ମଧ୍ୟ ଶେଷ ଭାଗରେ ହିଁ ରହିଥିଲେ ।

ଯେଉଁ କୋଟି କୋଟି କୃଷକ, ଶ୍ରମିକ, ଛୋଟ-ଛୋଟ ବ୍ୟବସାୟୀମାନଙ୍କୁ 60 ବର୍ଷ ବୟସ ପରେ 3 ହଜାର ଟଙ୍କାର ମାସିକ ପେନସନ ଦେବା ପାଇଁ ସ୍ଥିର ହୋଇଛି, ସେମାନେ ମଧ୍ୟ ବିକାଶର ଶେଷ ଭାଗରେ ହିଁ ରହିଥିଲେ ।

ସାଥୀଗଣ, ସ୍ୱାଧୀନତାର ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଶେଷ ସ୍ତରକୁ ସୁରକ୍ଷିତ ଭାବେ ରଖାଗଲା, କାରଣ ଏମାନଙ୍କର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ନୁହେଁ, ବରଂ ଦ୍ୱନ୍ଦ ଭିତରେ ରଖିବାରେ ହିଁ ରାଜନୈତିକ ହିତ ସାଧନ ହେଉଥିଲା । କିନ୍ତୁ ଏବେ ସ୍ଥିତିସବୁ ବଦଳୁଛି, ଦେଶ ବଦଳୁଛି । ଯିଏ ଶେଷ ଭାଗରେ ହିଁ ରହିଥିଲେ, ସେମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆ ଯାଉଛି । ମହାଦେବଙ୍କ ଆଶୀର୍ବାଦରୁ, ଆଜି ଦେଶରେ ସେହିସବୁ ନିଷ୍ପତ୍ତିମାନ ନିଆ ଯାଉଛି ଯେଉଁଗୁଡ଼ିକୁ ସର୍ବଦା ପଛରେ ଛାଡ଼ି ଦିଆ ଯାଉଥିଲା । ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ କରିବାର ନିଷ୍ପତ୍ତି ହେଉ କିମ୍ବା ନାଗରିକ ସଂଶୋଧନ ଆଇନ, ବର୍ଷ ବର୍ଷ ଧରି ଦେଶକୁ ଏସବୁ ନିଷ୍ପତ୍ତିଗୁଡ଼ିକ ପାଇଁ ଅପେକ୍ଷା ରହିଥିଲା । ଦେଶ ହିତରେ ଏହି ସବୁ ନିଷ୍ପତ୍ତିର ଆବଶ୍ୟକତା ରହିଥିଲା ଏବଂ ସାରା ବିଶ୍ୱର ସମସ୍ତ ଚାପ ସତ୍ୱେ ଏହି ନିଷ୍ପତ୍ତି ଉପରେ ଆମେ ଦୃଢ଼ ରହିଲୁ ଏବଂ ରହିବୁ ମଧ୍ୟ । ଆଜି ବାବା ଭୋଳାନାଥଙ୍କ ନଗରୀରେ, ଅବଧୂତ ବାବା ଭଗବାନ ରାମଙ୍କର ସାନିଧ୍ୟରେ, ଦୀନ ଦୟାଲଙ୍କ ସ୍ମୃତିରେ, ମୁଁ କାଶୀର ଲୋକମାନଙ୍କୁ, ଦେଶର ଲୋକଙ୍କୁ ଏହି ବିଶ୍ୱାସ ଦେଉଛି କି ଦେଶ ପାଇଁ ଏହି କାର୍ଯ୍ୟ ନିରନ୍ତର ଜାରି ରହିବ ।

ପୁଣିଥରେ ଆପଣ ସମସ୍ତଙ୍କୁ ଏତେ ବିଶାଳ ସଂଖ୍ୟାରେ ଏଠାକୁ ଆସି ମୋତେ ଆଶୀର୍ବାଦ ଦେଇଥିବାରୁ, ବହୁତ ବହୁତ ଧନ୍ୟବାଦ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!  

 

 

***************