ଆକାଉଣ୍ଟିଂ, ଫାଇନାନ୍ସ ଓ ଅଡିଟ କ୍ଷେତ୍ରରେ ଭାରତ ଓ କୁଏତ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଲାଭ :
ଭାରତ ଓ କୁଏତର ଦୁଇଟି ସଂସ୍ଥା ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ଯାହାର ବିବରଣୀ ନିମ୍ନରେ ପ୍ରଦାନ କରାଗଲା:-
1. ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ କୁଏତ ଆକାଉଣ୍ଟାଣ୍ଟ୍ସ ଆଣ୍ଡ ଅଡିଟର୍ସ ଆସୋସିଏସନ (କେଏଏଏ) ଉଭୟ ସଂଗଠନର ସଦସ୍ୟମାନଙ୍କ ଲାଭ ଏବଂ ସେମାନଙ୍କ ପେସାଗତ ଦକ୍ଷତା ବିକାଶ ଲାଗି କୁଏତରେ ବୈଷୟିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଏବଂ ସମ୍ମିଳନୀ ଆୟୋଜନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଏପରି ଆୟୋଜନ ଲାଗି ଉଭୟ ପକ୍ଷ ଲିଖିତ ସହମତି ଆଧାରରେ ବ୍ୟୟ ଭାର ବହନ କରିବେ ।
2. ଆଇସିଏଆଇ ଏବଂ କେଏଏଏ କର୍ପୋରେଟ ପ୍ରଶାସନ, ବୈଷୟିକ ଗବେଷଣା ଏବଂ ପରାମର୍ଶ, ଗୁଣବତ୍ତା ମାନକ, ଫୋରେନସିକ ଆକାଉଣ୍ଟିଂ, ଇସଲାମିକ ଫାଇନାନ୍ସ, ନିରନ୍ତର ପେସାଗତ ବିକାଶ (ସିପିଡି) ଏବଂ ଆପୋସ ସ୍ୱାର୍ଥ ଜଡ଼ିତ ଅନ୍ୟ ପ୍ରସଙ୍ଗ ଦିଗରେ ସମ୍ଭାବ୍ୟ ସହଯୋଗ ପ୍ରତିଷ୍ଠା କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଉଭୟ ଆଇସିଏଆଇ ଏବଂ କେଏଏଏ ସହଯୋଗ, ଅଡିଟ ଜ୍ଞାନର ପ୍ରଗତି, ପେସାଗତ ବିକାଶ ଏବଂ ବୈଷୟିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ସମ୍ମିଳନୀ ଆଦି ଆୟୋଜନ ଲାଗି ଏହି ବୁଝାମଣାର ବ୍ୟବସ୍ଥା ଲାଗୁ କରିବାରେ ସହାୟତା କରିବେ । ଏପରି କାର୍ଯ୍ୟକ୍ରମ ଲାଗି କେଏଏଏ ଆୟୋଜନସ୍ଥଳୀ ଉପଲବ୍ଧ କରାଇବ ଏବଂ ନିଜ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟି ସଦସ୍ୟମାନଙ୍କୁ ଏପରି ଆୟୋଜନରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବ ।
3. ବୁଝାମଣାପତ୍ରରେ ପ୍ରସ୍ତାବିତ ବ୍ୟବସ୍ଥା ଅଧୀନରେ ଆଇସିଏଆଇ ଏବଂ କେଏଏଏ ଆପୋସ ସହଯୋଗ କ୍ଷେତ୍ରରେ ଭବିଷ୍ୟତର ସମ୍ଭାବ୍ୟ ବିକାଶ ବିଷୟରେ ବିଚାର-ବିମର୍ଷ କରିବେ । ପ୍ରଥମ ଥର ଉଭୟ ସଂଗଠନର ଗଠନ ଓ ସହଯୋଗ, ବାହ୍ୟ ଓ ଅନ୍ତରୀଣ ନିୟାମକ ଢାଂଚା ତଥା ଉଭୟଙ୍କ ପେସା ଓ ସଦସ୍ୟମାନଙ୍କ ପରିଚାଳନା ସମ୍ପର୍କରେ ଏକ ଦୃଷ୍ଟିକୋଣ ହାସଲ କରିବା ଉପରେ ଏହି ବିଚାର-ବିମର୍ଷ ଆଧାରିତ ହେବ । ଏହା କାର୍ଯ୍ୟ ପ୍ରଣାଳୀ ସୁଧାରିବା ଏବଂ ସମ୍ପୃକ୍ତ ସଂଗଠନର ଦକ୍ଷତା ବୃଦ୍ଧି ପାଇଁ ଲାଭଜନକ ହେବ ।
4. କେଏଏଏ ଏବଂ ଆଇସିଏଆଇ କୁଏତ ନାଗରିକ ଓ ଆଇସିଏଆଇର ସଦସ୍ୟଙ୍କ ପାଇଁ କୁଏତରେ ଆକାଉଣ୍ଟିଂ, ଅର୍ଥ ଓ ଅଡିଟ ପରୀକ୍ଷା କ୍ଷେତ୍ରରେ ସ୍ୱଳ୍ପକାଳୀନ ପେସାଗତ ପାଠ୍ୟକ୍ରମ ପ୍ରସ୍ତାବିତ କରିବାରେ ସହଯୋଗ କରିବେ ।
5. ଆଇସିଏଆଇ ଏବଂ କେଏଏଏ ଆପୋସ ଲାଭ ଚିହ୍ନଟ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ପ୍ରତିଷ୍ଠା କରିବା ଲାଗି ମିଳିମିଶି କାମ କରିବା ଦିଗରେ ଉଚିତ ପଦକ୍ଷେପ ନେବେ ଏବଂ ପ୍ରୟାସ କରିବେ । ଆଇସିଏଆଇ, କେଏଏଏର ସହଯୋଗ ଦ୍ୱାରା କୁଏତ ସରକାର/ମନ୍ତ୍ରଣାଳୟ, କେଏଏଏ ସଦସ୍ୟତା ଏବଂ କୁଏତ ନାଗରିକଙ୍କ ପାଇଁ ବୈଷୟିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଦେବେ ।
6. ଆର୍ଥିକ ରିପୋର୍ଟିଂ ମାମଲାରେ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟ କୁଏତରେ ସ୍ଥାନୀୟ ବ୍ୟବସାୟୀ ସମୁଦାୟ ଏବଂ ଅଂଶୀଦାରଙ୍କୁ ସହାୟତା କରୁଛି ଏବଂ ସମ୍ମାନ ଲାଭ କରୁଛି । ପ୍ରସ୍ତାବିତ ବୁଝାମଣା ଦ୍ୱାରା କୁଏତରେ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସମାନଙ୍କର ସକାରାତ୍ମକ ଛବି ସୃଷ୍ଟି କରିବା ଏବଂ ବିଶ୍ୱାସ ମଜଭୁତ କରିବାରେ ସହାୟତା ମିଳିପାରିବ ।
ଔଚିତ୍ୟ :
• ଆଇସିଏଆଇ ନିକଟରେ ମଧ୍ୟପ୍ରାଚ୍ୟ କ୍ଷେତ୍ରରେ 6 ହଜାରରୁ ଅଧିକ ସଦସ୍ୟଙ୍କ ମଜଭୁତ ସଦସ୍ୟତା ରହିଛି । ଏହି ବୁଝାମଣା ଫଳରେ କେଏଏଏ କୁଏତକୁ ସହାୟତା ମିଳିବା ସହିତ କୁଏତ ଠାରୁ ଏହି କ୍ଷେତ୍ରର ଆଇସିଏଆଇ ସଦସ୍ୟମାନଙ୍କୁ ଲାଭ ତଥା ପ୍ରୋତ୍ସାହନ ମିଳିପାରିବ ।
• ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଆଇସିଏଆଇ ସଦସ୍ୟ, ଛାତ୍ରଛାତ୍ରୀ ଓ ସେମାନଙ୍କ ସଂଗଠନର ସର୍ବଶ୍ରେଷ୍ଠ ଲାଭ ପାଇଁ ପାରସ୍ପରିକ ଲାଭଦାୟକ ସମ୍ପର୍କକୁ ବିକଶିତ କରିବା ଲାଗି ମିଳିମିଶି କାର୍ଯ୍ୟ କରିବା ।
**********