ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ନେଇ 23 ସେପ୍ଟେମ୍ବର 2019ରେ ଜାତିସଂଘର ସାଧାରଣ ଅଧିବେଶନରେ ଅନୁଷ୍ଠିତ ପ୍ରଥମ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଥିଲେ ।
ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଭାରତ ଯେଉଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ସ୍ୱାସ୍ଥ୍ୟ ଅର୍ଥ କେବଳ ରୋଗରୁ ମୁକ୍ତି ନୁହେଁ । ଏକ ସୁସ୍ଥ ଜୀବନ ପ୍ରତ୍ୟେକ ବ୍ୟକ୍ତିର ଅଧିକାର । ଏହା ନିଶ୍ଚିତ କରିବାର ଦାୟିତ୍ୱ ହେଉଛି ସରକାରଙ୍କର ।
ସେ କହିଲେ ଯେ ଭାରତ ଏହି ବିଷୟରେ ସାମଗ୍ରୀକ ପଦକ୍ଷେପ ଗ୍ରହଣ କରିଛି ଏବଂ ସ୍ୱାସ୍ଥ୍ୟସେବାର ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ କାର୍ଯ୍ୟ କରୁଛି:
–ପ୍ରତିଷେଧକ ସ୍ୱାସ୍ଥ୍ୟସେବା
–ସୁଲଭ ସ୍ୱାସ୍ଥ୍ୟସେବା
–ଯୋଗାଣ କ୍ଷେତ୍ରରେ ଉନ୍ନତି
–ମିଶନ ମୋଡରେ କାର୍ଯ୍ୟାନ୍ୱୟନ
ପ୍ରଧାନମନ୍ତ୍ରୀ କହିଲେ ଯେ ଯୋଗ, ଆୟୁର୍ବେଦ, ଫିଟନେସ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦ୍ୱାରା ଏବଂ 1.25 ଲକ୍ଷରୁ ଅଧିକ ଆରୋଗ୍ୟ କେନ୍ଦ୍ରର ନିର୍ମାଣ କରାଯିବା ଦ୍ୱାରା ପ୍ରତିଷେଧକ ସ୍ୱାସ୍ଥ୍ୟସେବାର ପ୍ରସାର କ୍ଷେତ୍ରରେ ସହାୟତା ମିଳିଛି ଏବଂ ଏହାଫଳରେ ମଧୁମେହ, ଉଚ୍ଚ ରକ୍ତଚାପ, ଡିପ୍ରେସନ ଆଦି ଜୀବନଶୈଳୀ ଜନିତ ରୋଗର ନିୟନ୍ତ୍ରଣ କରାଯିବାରେ ସହାୟକ ହୋଇଛି । ଇ-ସିଗାରେଟକୁ ନିଷିଦ୍ଧ କରିବା, ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ବୃହତ ସଚେତନତା ସୃଷ୍ଟି ଏବଂ ରୋଗ ସଂକ୍ରମଣକୁ ରୋକିବା, ସ୍ୱାସ୍ଥ୍ୟସେବା ପ୍ରସାର ଦିଗରେ ଯୋଗଦାନ କରିଛି ।
“ସ୍ୱାସ୍ଥ୍ୟସେବାର ସୁଲଭତାକୁ ନିଶ୍ଚିତ କରିବା ପାଇଁ ଭାରତ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟବୀମା ଯୋଜନା-ଆୟୁଷ୍ମାନ ଭାରତ ଆରମ୍ଭ କରିଛି । ଏହି ଯୋଜନା ଅଧୀନରେ 50 କୋଟି ଗରିବ ବ୍ୟକ୍ତିଙ୍କୁ ବାର୍ଷିକ 50,000 ଟଙ୍କା (7000ଆମେରିକୀୟ ଡଲାରରୁ ଅଧିକ)ର ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି । 5 ହଜାରରୁ ଉର୍ଦ୍ଧ୍ଵ ଔଷଧାଳୟ ରହିଛି ଯେଉଁଠାରେ କି 800 ପ୍ରକାରରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଔଷଧ ସୁଲଭ ମୂଲ୍ୟରେ ଉପଲବ୍ଧ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଗୁଣାତ୍ମକ ମେଡିକାଲ ଶିକ୍ଷା ଓ ମେଡିକାଲ ଭିତ୍ତିଭୂମିର ବିକାଶ ନିଶ୍ଚିତ କରିବା ନେଇ ଭାରତ ଗ୍ରହଣ କରିଥିବା ବିଭିନ୍ନ ଐତିହାସିକ ପଦକ୍ଷେପ ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମିଶନ ମୋଡ ପଦକ୍ଷେପ ଅନ୍ତର୍ଗତ ମା’ ଓ ପିଲାମାନଙ୍କର ପୋଷଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ପୋଷଣ ମିଶନ ସମ୍ବନ୍ଧରେ କହିଥିଲେ । ବିଶ୍ୱ ଧାର୍ଯ୍ୟ କରିଥିବା 2020ର ଲକ୍ଷ୍ୟର 5 ବର୍ଷ ପୂର୍ବରୁ ଅର୍ଥାତ 2025ରେ ଭାରତ ଯକ୍ଷ୍ମା ରୋଗ ଦୂର କରିବା ନେଇ ସେ ଭାରତର ସଂକଳ୍ପବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ବାୟୁ ପ୍ରଦୁଷଣ ଓ ପଶୁମାନଙ୍କ ଯୋଗୁ ବ୍ୟାପୁଥିବା ରୋଗ ବିରୋଧରେ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ ।
ଭାରତର ପ୍ରୟାସ ଏହାର ସୀମା ମଧ୍ୟରେ କେବଳ ଆବଦ୍ଧ ନୁହେଁ । ଭାରତ ଅନେକ ଦେଶକୁ ବିଶେଷ କରି ଆଫ୍ରିକୀୟ ରାଷ୍ଟ୍ରମାନଙ୍କୁ ଟେଲି-ମେଡିସିନ ସହିତ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନେଇ ସହାୟତା କରିଛି ।
“ସାର୍ବଜନୀନ ସ୍ୱାସ୍ଥ୍ୟ ସେବା : ଏକ ସୁସ୍ଥ ପୃଥିବୀ ନିର୍ମାଣ କରିବା ଦିଗରେ ଏକ ସାମୂହିକ ଯାତ୍ରା” ଶୀର୍ଷକ ବିଷୟରେ ବୈଠକ ଅନୁଷ୍ଠିତ ହୋଇଥିଲା ଯାହାର ଲକ୍ଷ୍ୟ ଥିଲା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ ହାରକୁ ଦ୍ରୁତ କରିବା । ଏହାର ଲକ୍ଷ୍ୟ ମଧ୍ୟ ରହିଛି ଯେ 2030 ସୁଦ୍ଧା ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ବିକାଶ ଧାରାକୁ ଦ୍ରୁତ କରିବା ନେଇ ବିଶ୍ୱ ସମୁଦାୟକୁ ଗତିଶୀଳ କରାଇବା ସହ ବିଭିନ୍ନ ଦେଶର ମୁଖ୍ୟମାନଙ୍କଠାରୁ ରାଜନୈତିକ ସଂକଳ୍ପବଦ୍ଧତା ହାସଲ କରିବା ।
ଜାତିସଂଘର ପାଖାପାଖି 160 ସଦସ୍ୟ ଏହି ବୈଠକରେ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି ।
2015ରେ ବିଭିନ୍ନ ଦେଶର ମୁଖ୍ୟମାନେ 2030 ସୁଦ୍ଧା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ସଂକଳ୍ପ ନେଇଥିଲେ ଯେଉଁଥିରେ ରହିଥିଲା ଆର୍ଥିକ ସଙ୍କଟରୁ ସୁରକ୍ଷା, ଆବଶ୍ୟକୀୟ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା, ସମସ୍ତଙ୍କ ପାଇଁ ନିରାପଦ, ଫଳପ୍ରଦ, ଗୁଣାତ୍ମକ ଏବଂ ସୁଲଭ ତଥା ଅତ୍ୟାବଶ୍ୟକୀୟ ଔଷଧ ଓ ଟୀକା ଉପଲବ୍ଧ କରାଇବା ।
**********
At the @UN, PM @narendramodi also addressed a session on Universal Health Coverage. pic.twitter.com/pn6iI4erjK
— PMO India (@PMOIndia) September 23, 2019
My remarks on health sector and ensuring good quality healthcare to all. https://t.co/KVF24n9rum
— Narendra Modi (@narendramodi) September 23, 2019