ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପରମ୍ପରାଗତ ଔଷଧ ପ୍ରଣାଳୀ କ୍ଷେତ୍ରରେ ଭାରତ ଓ ଗାମ୍ବିଆ ମଧ୍ୟରେ ସହଯୋଗ ସମ୍ବନ୍ଧିତ ବୁଝାମଣା ସ୍ୱାକ୍ଷରକୁ କାର୍ଯ୍ୟୋତ୍ତର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବୁଝାମଣା ଜୁଲାଇ 31, 2019ରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଗାମ୍ବିଆ ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣା ପରମ୍ପରାଗତ ଔଷଧ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏବଂ ଗାମ୍ବିଆ ମଧ୍ୟରେ ସହଯୋଗର ରୂପରେଖ ପ୍ରଦାନ କରିବ ତଥା ଏହି କ୍ଷେତ୍ରରେ ଦୁଇ ଦେଶକୁ ପାରସ୍ପରିକ ଭାବେ ଲାଭାନ୍ୱିତ କରିବ । ବୁଝାମଣାରେ ଉଲ୍ଲେଖିତ ଗତିବିଧିରେ ଗାମ୍ବିଆରେ ଆୟୁଷ ଔଷଧର ମହତ୍ୱକୁ ପ୍ରୋତ୍ସାହନ ମିଳିବ ।
ଏହି ବୁଝାମଣାର ପରିଣାମ ସ୍ୱରୂପ ଚିକିତ୍ସକମାନଙ୍କ ପ୍ରଶିକ୍ଷଣ ପାଇଁ ବିଶେଷଜ୍ଞ ତଥା ପରମ୍ପରାଗତ ଚିକିତ୍ସା ପ୍ରଣାଳୀରେ ସହଯୋଗପୂର୍ଣ୍ଣ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନଙ୍କ ଆଦାନ ପ୍ରଦାନ ଫଳରେ ଔଷଧର ବିକାଶ ତଥା ପରମ୍ପରାଗତ ଔଷଧର ସେବନ କ୍ଷେତ୍ରରେ ନବାଚାରର ମାର୍ଗ ପ୍ରଶସ୍ତ ହେବାର ସମ୍ଭାବନା ରହିଛି ।
**********