Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ଅବସରରେ ମିଳିତ ବିବୃତ୍ତି


  1. ପ୍ରଧାନମନ୍ତ୍ରୀ ଡଃ ଲୋଟାୟ ସେରିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2019 ଅଗଷ୍ଟ 17-18 ପର୍ଯ୍ୟନ୍ତ ଭୂଟାନ ଗସ୍ତରେ ଯାଇଥିଲେ । 2019 ମେ ରେ ଦ୍ୱିତୀୟ ଥର ପାଇଁ କାର୍ଯ୍ୟାଳୟ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ।
  2. ପାରୋ ବିମାନବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗ, କ୍ୟାବିନେଟର ସଦସ୍ୟ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଗାର୍ଡ ଅଫ ଅନର ସହ ସ୍ୱାଗତ କରିଥିଲେ ।
  3. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନର ରାଜା ମହାଭାଗ ଜିଗମେ ଖେସାର ନାମଗିଏଲ ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିଥିଲେ । ମହାମାନ୍ୟ ରାଜା ଓ ରାଣୀ ଗସ୍ତରେ ଆସିଥିବା ଗଣମାନ୍ୟ ଅତିଥିମାନଙ୍କ ସମ୍ମାନାର୍ଥେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ସେମାନଙ୍କ ସୁବିଧା ଅନୁଯାୟୀ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହାମାନ୍ୟ ରାଜା ଓ ରାଣୀଙ୍କୁ ନିମନ୍ତ୍ରଣ କରିଥିଲେ ।
  4. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଡଃ ସେରିଙ୍କ ପ୍ରତିବନ୍ଧିତ ବ୍ୟବସ୍ଥା ଅନୁଯାୟୀ ଭେଟିଥିଲେ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ କରିଥିଲେ ।
  5. ଭୁଟାନ ଜାତୀୟ ବିଧାନ ସଭାରେ ବିରୋଧି ଦଳ ମୂଖ୍ୟ ଡଃ ପ୍ରେମା ଗ୍ୟାମତ୍ସୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।
  6. ମେ 30, 2019ରେ ଆୟୋଜିତ ତାଙ୍କ ଶପଥ ଉତ୍ସବରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଏହି ଅବସରରେ ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ବନ୍ଧରେ ସ୍ମରଣ କରିଥିଲେ । ଉଭୟ ନେତା ସହମତି ପ୍ରକାଶ କରିଥିଲେ ଯେ ଭୁଟାନ ଓ ଭାରତ ମଧ୍ୟରେ ନିୟମିତ ଭାବେ ଉଚ୍ଚସ୍ତରୀୟ ସମ୍ପର୍କର ପରମ୍ପରା ଉଭୟ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାମାଣିକତା ।
  7. ଏହି ଆଲୋଚନା ସମୟରେ ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଂଚଳିକ ଏବଂ ଆନ୍ତର୍ଜାତିକ ବିକାଶ ଉପରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ, ଯାହାକି ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନ ଉପରେ ଆଧାରିତ ଏବଂ ଭାଗୀଦାରିତା ପୂର୍ଣ୍ଣ ଐତିହାସିକ, ସାଂସ୍କୃତିକ, ଅର୍ଥନୈତିକ, ବିକାଶ ଗତ ଏବଂ ଜନ-ଜନ ସମ୍ପର୍କକୁ ନେଇ ମଜଭୁତ ହୋଇଛି । ଏହି ପ୍ରସଙ୍ଗରେ ଦୁଇ ଅନ୍ତରଙ୍ଗ ପଡୋଶୀଙ୍କ ମଧ୍ୟରେ ଅସାଧାରଣ ବନ୍ଧୁତ୍ୱ ଏବଂ ସହଯୋଗ ବୃଦ୍ଧି କରିବା ନେଇ ଉଭୟ ପକ୍ଷ ଭୁଟାନର ଅନ୍ତର୍ଦ୍ଦୁଷ୍ଟି ସମ୍ପନ୍ନ ରାଜା ଏବଂ ଭାରତର କ୍ରମିକ ନେତୃବୃନ୍ଦଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକାକୁ ପ୍ରଶଂସା କରିଥିଲେ ।
  8. ଉଭୟ ପକ୍ଷ ସେମାନଙ୍କ ଭାଗୀଦାରିତା ପୂର୍ଣ୍ଣ ସୁରକ୍ଷା ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରିବା ସହିତ ପାରସ୍ପରିକ ସୁରକ୍ଷା ବ୍ୟବସ୍ଥା ଏବଂ ଜାତୀୟ ସ୍ୱାର୍ଥକୁ ପ୍ରଭାବିତ କରୁଥିବା ବିଷୟ ସମ୍ବନ୍ଧରେ ନିବିଡ ସହଯୋଗ ନେଇ ସେମାନଙ୍କ ସଂକଳ୍ପ ଦୋହରାଇଥିଲେ ।
  9. ଭୁଟାନର ସରକାର ଓ ଜନସାଧାରଣଙ୍କ ଆବଶ୍ୟକତା ଓ ଇଚ୍ଛା ଅନୁଯାୟୀ ଏହି ଦେଶର ଅର୍ଥନୈତିକ ଏବଂ ଭିତ୍ତିଭୂମି ଗତ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତ ସରକାରଙ୍କ ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ । ଏକ ମଧ୍ୟମ-ଆୟ ବର୍ଗର ଦେଶ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନର ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭୁଟାନର ବିଶେଷ ବିକାଶ ଦର୍ଶନ ‘ସକଳ ଜାତୀୟ ଖୁସି’ ଆଧାରରେ ସେମାନଙ୍କ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଦୂର୍ମୂଲ୍ୟ ପରିବେଶକୁ ଏକସଙ୍ଗରେ ସଂରକ୍ଷିତ ରଖିବା ସହ ଏହି ସଫଳତା ହାସଲ କରିଥିବାରୁ ସେ ଭୁଟାନର ଜନସାଧାରଣଙ୍କୁ ପ୍ରଶଂସା କରିଥିଲେ ।
  10. ଡଃ ସେରାଙ୍ଗ 2018 ଡିସେମ୍ବରରେ ତାଙ୍କ ଭାରତ ଗସ୍ତ ସମ୍ବନ୍ଧରେ ନିବିଡ ଭାବେ ସ୍ମରଣ କରିଥିଲେ । 2018 ନଭେମ୍ବରରେ କାର୍ଯ୍ୟାଳୟ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ ବିଦେଶ ଗସ୍ତ । ଭୁଟାନର ଚାଲୁରହିଥିବା ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାକୁ ସମର୍ଥନ କରିଥିବାରୁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଗତ ଦଶନ୍ଧିରେ ଭୁଟାନର ବିକାଶରେ ଭାରତର ଯୋଗଦାନକୁ ପ୍ରଶଂସା କରିଥିଲେ ।
  11. ଦ୍ୱିପାକ୍ଷିକ ସହଯୋଗରେ ପାରସ୍ପରିକ ଲାଭ ପାଇଁ ଜଳଜ-ଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ଉଭୟ ପକ୍ଷ ଗୁରୁତ୍ୱ ପ୍ରକାଶ କରିଥିଲେ । ଦୁଇ ପ୍ରଧାନମନ୍ତ୍ରୀ ଏଇ ନିକଟରେ ଶେଷ ହୋଇଥିବା 720 ମେଗାୱାଟ ମାଙ୍ଗଡେଚ୍ଚୁ ଜଳ ବିଦ୍ୟୁତ ପ୍ଲାଂଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରକଳ୍ପଟି ସଠିକ ସମୟରେ ଶେଷ ହୋଇଥିବାରୁ ସେମାନେ ପ୍ରକଳ୍ପ ଅଧିକାରୀ ଏବଂ ପରିଚାଳନା ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ସାମର୍ଥ୍ୟକୁ ପ୍ରଶଂସା କରିଥିଲେ । ଉଭୟ ପକ୍ଷ ପ୍ରକାଶ କରିଥିଲେ ଯେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ, ଭୁଟାନର ମିଳିତ ଉତ୍ପାଦନ କ୍ଷମତା 2000 ମେଗାୱାଟକୁ ଅତିକ୍ରମ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହାସଲ କରିଥିବାରୁ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପୁନାସାଙ୍ଗଚ୍ଚୁ-1, ପୁନାସାଙ୍ଗଚ୍ଚୁ-2 ଓ ଖୋଲୋଙ୍ଗଚୁ ଭଳି ପ୍ରକଳ୍ପ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ଏକାଠି ମିଶି କାର୍ଯ୍ୟ କରିବା ଚାଲୁ ରଖିବେ ବୋଲି ସେମାନଙ୍କ ସଂକଳ୍ପବଦ୍ଧତା ଦୋହରାଇଥିଲେ । ଉଭୟ ପକ୍ଷ ମଧ୍ୟ ସାନକୋଶ ଜଳଭଣ୍ଡାର ଜଳଜ-ଶକ୍ତି ପ୍ରକଳ୍ପ ସମ୍ବନ୍ଧୀୟ ଚାଲୁ ରହିଥିବା ଦ୍ୱିପାକ୍ଷିକ ଆଲୋଚନା ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପରୁ ଉଭୟ ଦେଶଙ୍କୁ ପ୍ରଭୃତ ଲାଭ ମିଳିବାକୁ ଥିଲାବେଳେ, ସେମାନେ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସାଧନ ବ୍ୟବସ୍ଥା ଚୁଡାନ୍ତ କରିବା ପାଇଁ ରାଜି ହୋଇଥିଲେ । ଜଳଜ-ଶକ୍ତି କ୍ଷେତ୍ରରେ ଭାରତ-ଭୁଟାନ ମଧ୍ୟରେ ପାଞ୍ଚ ଦଶନ୍ଧି ଧରି ପାରସ୍ପରିକ ସହଯୋଗ ଓ ଲାଭର ସ୍ମାରକୀ ସ୍ୱରୂପ ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଭୁଟାନିଜ ଷ୍ଟାମ୍ପ ଉନ୍ମୋଚନ କରିଥିଲେ ।

12: ଭୁଟାନରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ରୂପେ କାର୍ଡର ପ୍ରଚଳନକୁ ଉଭୟ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ, ଯାହାଫଳରେ କି ଭୁଟାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ସାଙ୍ଗରେ ନେଇକରି ଯାଉଥିବା ନଗଦ ଟଙ୍କାର ପରିମାଣ ମଧ୍ୟ ହ୍ରାସ ପାଇବ । ଏହାଫଳରେ ଭୁଟାନ ଅର୍ଥନୀତି ସମୃଦ୍ଧ ହେବ ଏବଂ ଉଭୟ ଦେଶର ଅର୍ଥନୀତି ସମନ୍ୱିତ ହେବ । ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟକୁ ଦ୍ରୂତ ଗତିରେ ଆଗେଇ ନେବା ପାଇଁ ଉଭୟ ପକ୍ଷ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ । ଏହା ହେଉଛି ଭୁଟାନ ବ୍ୟାଙ୍କମାନଙ୍କ ଦ୍ୱାରା ରୂପେ କାର୍ଡ ପ୍ରଦାନ କରାଯିବା, ଯାହାକି ଭାରତ ଆସୁଥିବା ଭୁଟାନ ପର୍ଯ୍ୟଟକମାନଙ୍କ ପାଇଁ ସହାୟକ ହେବ ଏବଂ ଉଭୟ ଦେଶ ମଧ୍ୟରେ ରୂପେ କାର୍ଡର ସମ୍ପୂର୍ଣ୍ଣ ପ୍ରଚଳନକୁ ଅନୁମତି ମିଳିବ । ରୂପେ କାର୍ଡ ଉନ୍ମୋଚିତ ହେବା ସହିତ ଉଭୟ ଦେଶ ମଧ୍ୟରେ କ୍ୟାସ ବିହୀନ ଦେୟର ପ୍ରଚଳନ ପାଇଁ ଭୁଟାନରେ ଭାରତର ଭାରତ ଇଂଟରଫେଓ ଫର ମନି (ଭୀମ) ଆପର ବ୍ୟବହାର ନେଇ ସମ୍ଭାବ୍ୟତା ଅଧ୍ୟୟନ କରିବା ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।

  1. ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ସହାୟତାରେ ଥିମ୍ପୁଠାରେ ନିର୍ମାଣାଧୀନ ଦକ୍ଷିଣ ଏସୀୟ ଉପଗ୍ରହର ଗ୍ରାଉଣ୍ଡ ଆର୍ଥ ଷ୍ଟେସନକୁ ଦୁଇ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଦକ୍ଷିଣ ଏସୀୟ ଅଂଚଳର ରାଷ୍ଟ୍ରମାନଙ୍କୁ ଉପହାର ସ୍ୱରୂପ 2017ରେ ଦକ୍ଷିଣ ଏସୀୟ ଉପଗ୍ରହ (ଏସଏଏସ) ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅନ୍ତର୍ଦ୍ଦୁଷ୍ଟିକୁ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗ ପ୍ରଶଂସା କରିଥିଲେ । ଏହାଫଳରେ ଭୁଟାନରେ ପ୍ରସାରଣ ସେବାରେ ଉନ୍ନତି ଘଟିବା ସହ ଖର୍ଚ୍ଚ ହ୍ରାସ ପାଇଛି ଏବଂ ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷମତା ବୃଦ୍ଧି ପାଇଛି ।
  2. ଭୁଟାନର ସାମାଜିକ-ଅର୍ଥନୈତିକ ବିକାଶରେ ଏସଏଏସର ସକାରାତ୍ମକ ପ୍ରଭାବକୁ ସ୍ୱୀକୃତି ସ୍ୱରୂପ ଭୁଟାନର ଜନସାଧାରଣଙ୍କୁ ଏକ ଉପହାର ସ୍ୱରୂପ ଓ ଭୁଟାନର ଆବଶ୍ୟକତା ମୁତାବକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅତିରିକ୍ତ ଟ୍ରାନ୍ସପୋଣ୍ଡର ଭାବେ ବର୍ଦ୍ଧିତ ବ୍ୟାଣ୍ଡୱିଥ ପ୍ରଦାନ କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ । ଦେଶର ଏବଂ ଜନ ସାଧାରଣଙ୍କ ଲାଭ ପାଇଁ ମହାକାଶ ସମ୍ପଦର ଲାଭ ଉଠାଇବା ନେଇ ଏବଂ ମହାକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ନେଇ ମହାମାନ୍ୟ ରାଜାଙ୍କର ପରିକଳ୍ପନାକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ ।
  3. ଭୁଟାନ ପାଇଁ ଏକ କ୍ଷୁଦ୍ର ଉପଗ୍ରହକୁ ମିଳିତ ଭାବେ ନିର୍ମାଣ କରିବା ପାଇଁ ଉଭୟ ନେତା ସହମତି ପ୍ରକାଶ କରିଥିଲେ । ସେମାନେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଯେ ଭୁଟାନର ପ୍ରାକୃତିକ ସମ୍ପଦ ପାଇଁ ଏକ ଜିଓପୋର୍ଟାଲ ବ୍ୟବସ୍ଥାର ବିକାଶ, ବିପର୍ଯ୍ୟୟ ପରିଚାଳନା, ରିମୋର୍ଟ ସେନ୍ସିଂ ଏବଂ ଜିଓ-ସ୍ପାସିଆଲ ଡାଟାର ବ୍ୟବହାର ଆଦି ଯୋଜନା ସମେତ କ୍ଷୁଦ୍ର ଉପଗ୍ରହ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗ୍ରୁପ (ଜେଡବ୍ଲୁଜି) ଗଠନ କରିବା ପାଇଁ ସେମାନେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
  4. ଅନ୍ୟାନ୍ୟ ଡିଜିଟାଲ ଏବଂ ଆଧୁନିକ ଜ୍ଞାନକୌଶଳ ସହିତ ମହାକାଶ ପ୍ରଯୁକ୍ତି ବିଦ୍ୟା ଦେଶର ସାମାଜିକ ଓ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ନେଇ ଅନେକ ସାମର୍ଥ୍ୟ ଯୋଗାଇ ଦେଇଥିବାର ହୃଦୟଙ୍ଗମ କରି ଉଭୟ ଦେଶର ମିଳିତ କାର୍ଯ୍ୟପନ୍ଥାକୁ ସୁଦୃଢ଼ କରିବା ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।
  5. ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ଜାତୀୟ ଜ୍ଞାନ ନେଟୱର୍କ ଓ ଭୁଟାନର ଗବେଷଣା ଏବଂ ଶିକ୍ଷା ନେଟୱର୍କ ମଧ୍ୟରେ ଅନ୍ତଃସଂଯୋଗକୁ ଉଦଘାଟନ କରିଥିଲେ । ଉଭୟ ପକ୍ଷ ଉଲ୍ଲେଖ କରିଥିଲେ ଯେ ଏହି ସଂଯୋଗ ଦ୍ୱାରା ଏକ ସୂଚନା ରାଜପଥ ସୃଷ୍ଟି ହେବ ଏବଂ ଏହାଫଳରେ ଉଭୟ ପକ୍ଷର ବିଶ୍ୱବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ଭାବ ବିନିମୟକୁ ପ୍ରୋତ୍ସାହନ ମିଳିବ ।
  6. ଏହି ଗସ୍ତ ସମୟରେ ଉଭୟ ପକ୍ଷ ମଧ୍ୟରେ ନିମ୍ନଲିଖିତ ବୁଝାମଣା/ରାଜିନାମା ସ୍ୱାକ୍ଷରିତ ହୋଇଥିଲା:

କ) ଦକ୍ଷିଣ ଆଫ୍ରିକା ଉପଗ୍ରହର ବ୍ୟବହାରକୁ ନେଇ ସାଟକମ ନେଟୱର୍କ ପ୍ରତିଷ୍ଠା କରିବା ପାଇଁ ଆରଜିଓବିର ସୂଚନା ଓ ପ୍ରଯୁକ୍ତି ବିଭାଗ ଓ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ  ବୁଝାମଣା ପତ୍ର ।

ଖ) ଜାତୀୟ ଜ୍ଞାନ ନେଟୱର୍କ (ଏନକେଏନ) ଏବଂ ଭୁଟାନର ଡ୍ରୁକ ଗବେଷଣା ଓ ଶିକ୍ଷା ନେଟୱର୍କ (ଡ୍ରୁକେନ) ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ନେଇ ବୁଝାମଣା ପତ୍ର ।

ଗ) ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (ଏଏଆଇବି) ଓ ଭୁଟାନର ବିମାନ ଦୁର୍ଘଟଣା ଅନୁସନ୍ଧାନ ୟୁନିଟ (ଏଏଆଇୟୁ) ମଧ୍ୟରେ ବିମାନ ଦୁର୍ଘଟଣା ଅନୁସନ୍ଧାନକୁ ନେଇ ବୁଝାମଣା ପତ୍ର ।

ଘ) ଭୁଟାନର ରୟାଲ ବିଶ୍ୱବିଦ୍ୟାଳୟ ଏବଂ କାନପୁର, ଦିଲ୍ଲୀ ଓ ମୁମ୍ବାଇର ଆଇଆଇଟି ଓ ଏନଆଇଟିର ସିଲଚର ମଧ୍ୟରେ ଶିକ୍ଷା ସମ୍ବନ୍ଧୀୟ  ବିକାଶ ଏବଂ ଏସଟିଇଏମ ସହଯୋଗ କ୍ଷେତ୍ରରେ ଆଦାନ ପ୍ରଦାନ ପାଇଁ 4ଟି ବୁଝାମଣା ପତ୍ର ସ୍ୱାକ୍ଷର ।

ଙ)  ଆଇନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ଭାରତର ଜାତୀୟ ଆଇନ ବିଦ୍ୟାଳୟ, ବାଙ୍ଗାଲୋର ଓ ଥିମ୍ପୁର ଜିଗମେସିଙ୍ଘେ ୱାଙ୍ଗଚୁକ ଆଇନ ବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ।

ଚ) ନ୍ୟାୟିକ ଶିକ୍ଷା ଏବଂ ପାରସ୍ପରିକ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ନେଇ ଭୁଟାନ ଜାତୀୟ ଆଇନ ପ୍ରତିଷ୍ଠାନ ଓ ଜାତୀୟ ନ୍ୟାୟିକ ଏକାଡେମୀ, ଭୋପାଳ ମଧ୍ୟରେ ବୁଝାମଣା ପତ୍ର ।

ଛ) ମାଙ୍ଗଡେଚ୍ଚୁ ଜଳଜ ବିଦ୍ୟୁତ ଶକ୍ତି ପ୍ରକଳ୍ପ, ପିଟିସି ଇଣ୍ଡିଆ ଲିମିଟେଡ ଓ ଡ୍ରକ ଗ୍ରୀନ ପାୱାର କର୍ମୋରେସନ, ଭୁଟାନ ମଧ୍ୟରେ ଶକ୍ତି କ୍ରୟକୁ ନେଇ ରାଜିନାମା ।

  1. ଭୁଟାନର ରୟାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭୁଟାନର ଯୁବ ସମାଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦବୋଧନ ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଜନ କୈନ୍ଦ୍ରିକ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଗଭୀର ଆଧ୍ୟାତ୍ମିକ ଓ ବୁଦ୍ଧ ଧର୍ମ ସଂଯୋଗକୁ ସେ ଗୁରୁତ୍ୱାରୋପ କରିଥିଲେ । ଭାରତ ଓ ଭୁଟାନ ମଧ୍ୟରେ ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇ ଯିବା ପାଇଁ ଶିକ୍ଷା ଏବଂ ଉଚ୍ଚ ଜ୍ଞାନକୌଶଳ କ୍ଷେତ୍ରରେ ଉଭୟ ଦେଶର ଯୁବ ବର୍ଗ ଭାଗୀଦାରିତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ଭୁଟାନରେ ବିକାଶ, ପରିବେଶ ଓ ସଂସ୍କୃତି ପରସ୍ପର ବିରୋଧରେ ଲଢ଼େଇ କରୁ ନାହାନ୍ତି ବରଂ ସମନ୍ୱିତ ରହିଛନ୍ତି, ଯାହାକୁ ସେ ପ୍ରଶଂସା କରିଥିଲେ । ଏହି ସମନ୍ୱୟ ସହିତ ‘ଖୁସି’ ଉପରେ ଗୁରୁତ୍ୱ ପ୍ରଦାନ ହେଉଛି ମାନବିକତାକୁ ଭୁଟାନର ବାର୍ତ୍ତା । ମହାକାଶ, ଡିଜିଟାଲ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ନୂତନ ଅଧ୍ୟାୟ ସମ୍ବନ୍ଧରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଯୁବକ ମାନେ ଅଭିନବତା ଓ ସତତ ବିକାଶ ପାଇଁ ଏହାର ଉପଯୋଗ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗ ଏବଂ ଜାତୀୟ ବିଧାନସଭା ଓ ଭୁଟାନର ଜାତୀୟ ପରିଷଦର ମାନ୍ୟବର ସଦସ୍ୟମାନେ ଯୋଗ ଦେଇଥିଲେ ।
  2. ଭୁଟାନର ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଗୁଣବତା ଓ ସୁଗମତାକୁ ଉନ୍ନତ କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗଙ୍କ ବ୍ୟକ୍ତିଗତ ସଂକଳ୍ପବଦ୍ଧତାକୁ ପ୍ରଶଂସା କରିଥିଲେ । ଏ ପ୍ରସଙ୍ଗରେ ଉଭୟ ପକ୍ଷ ଉଲ୍ଲେଖ କରିଥିଲେ ଯେ ଭୁଟାନରେ ଏକ ନୂତନ ବହୁବିଧ ସୁବିଧା ବିଶିଷ୍ଟ ସୁପର-ସ୍ପେସିଆଲିଟି ହସପିଟାଲ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ କରିବାରେ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରିବା ପାଇଁ ଏଇ ନିକଟରେ ଭାରତରୁ ଏକ ବିଶେଷଜ୍ଞ ଦଳ ଭୁଟାନ ଗସ୍ତରେ ଆସିଥିଲେ ।
  3. ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶକୁ ଅଧିକ ବୃଦ୍ଧି କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କକୁ ସଶକ୍ତ କରିବା ପାଇଁ 2018 ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗଙ୍କ ଭାରତ ଗସ୍ତ ସମୟରେ 4 ବିଲିୟନ ଭାରତୀୟ ମୁଦ୍ରାର ପରିବର୍ତ୍ତନକାଳୀନ ବାଣିଜ୍ୟ ସମର୍ଥନ ସୁବିଧା ପ୍ରଦାନ କରିଥିବାରୁ ଭୁଟାନର ରାଜତନ୍ତ୍ର ସରକାର ଭାରତ ସରକାରଙ୍କୁ ପୁଣି ଥରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କ୍ରମରେ ପ୍ରଥମ ଦଫା ସ୍ୱରୂପ 800 ମିଲିଅନ ଭାରତୀୟ ମୁଦ୍ରା ପ୍ରଦାନ କରି ସାରିଥିବାରୁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସାର୍କର ମୁଦ୍ରା ଅଦଳବଦଳ ଢ଼ାଂଚା ଅଧୀନରେ ମୁଦ୍ରା ଅଦଳ ବଦଳ ସୀମାକୁ ବୃଦ୍ଧି କରିବା ପାଇଁ ଭୁଟାନର ଅନୁରୋଧକୁ ସକାରାତ୍ମକତାର ସହ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଡଃ ସେରିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଶ୍ୱାସନା ପ୍ରଦାନ କରିଥିଲେ । ଏକ ମଧ୍ୟବର୍ତ୍ତିକାଳୀନ ପଦକ୍ଷେପ କ୍ରମେ ଷ୍ଟାଣ୍ଡବାଏ ଅଦଳବଦଳ ବ୍ୟବସ୍ଥା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅତିରିକ୍ତ 100 ମିଲିଅନ ମୁଦ୍ରା ଅଦଳ ବଦଳର ପ୍ରସ୍ତାବ ଦେଇଥିଲେ ।

22) ଭୁଟାନର ରାଜତନ୍ତ୍ର ସରକାରଙ୍କ ଅନୁରୋଧ କ୍ରମେ ଗ୍ରାମାଂଚଳରେ ଏଲପିଜିର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏବଂ ଘରୋଇ ଆବଶ୍ୟକତାର ବୃଦ୍ଧିକୁ ନିୟନ୍ତ୍ରିତ କରିବା ନେଇ ଆରଜିଓବିକୁ ସମର୍ଥ କରିବା ପାଇଁ ଭୁଟାନର ସବସିଡ ଯୁକ୍ତ ଏଲପିଜିର ପରିମାଣକୁ ମାସିକ 700 ମେଟ୍ରିକ ଟନରୁ 1000 ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଘୋଷଣା କରିଥିଲେ ।

  1. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଥିମ୍ପୁଠାରେ ଥିବା ଐତିହାସିକ ସେମଟୋଖାଜୋଙ୍ଗଠାରେ ପ୍ରାର୍ଥନା କରିଥିଲେ, ଯେଉଁଠାରେ କି ଭୁଟାନ ରାଷ୍ଟ୍ରର ପୂଜ୍ୟ ଝାବରୁଙ୍ଗ ଙ୍ଗାୱଙ୍ଗ ନାମଗ୍ୟାଲଙ୍କ ପ୍ରତିମୂର୍ତ୍ତି ରହିଛି, ଯିଏକି ଭୁଟାନର ପ୍ରତିଷ୍ଠାତା ଏବଂ ଭାରତ ତରଫରୁ ଭୁଟାନକୁ ଏହା ପ୍ରଦାନ କରାଯାଇଥିଲା । ଭୁଟାନ ସହ ଭାରତର ନିବିଡ ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ କରଜ ପରିଶୋଧର ସମୟକୁ ପାଞ୍ଚ ବର୍ଷ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ସେ ମଧ୍ୟ ଘୋଷଣା କରିଥିଲେ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଭୁଟାନ ଛାତ୍ରଙ୍କ ସଂଖ୍ୟାକୁ 2ରୁ 5କୁ ବୃଦ୍ଧି କରାଯିବ ।
  2. ଭାରତ ଓ ଭୁଟାନର ଯୁବ ବର୍ଗଙ୍କ ମଧ୍ୟରେ ସହଯୋଗ ବୃଦ୍ଧିକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରି ସେମାନଙ୍କର ପାରମ୍ପରିକ ତଥା ଉଦ୍ଭବ ହେଉଥିବା କ୍ଷେତ୍ରରେ ସେମାନଙ୍କ ସମ୍ପର୍କକୁ ପୁନଶ୍ଚ ସୁଦୃଢ଼ କରିବା ନେଇ ଉଭୟ ପକ୍ଷ ସେମାନଙ୍କ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ ।
  3. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଗସ୍ତ ସମୟରେ ଭାବ ବିନିମୟର ଉଷ୍ମତା ଏବଂ ବନ୍ଧୁତ୍ୱପୂର୍ଣ୍ଣ ଭାବ ଭୁଟାନ ଓ ଭାରତ ମଧ୍ୟରେ ରହିଥିବା ଦୀର୍ଘ ଦିନର ବିଶେଷ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱପୂର୍ଣ୍ଣ ଭାବ ଜନିତ ପାରସ୍ପରିକ ବିଶ୍ୱାସ, ସହଯୋଗ ଏବଂ ସମ୍ମାନକୁ ପ୍ରତିଫଳିତ କରିଥିଲା ।

**********