ଅନୁରୋଧକାରୀ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିସ୍ଥିତି ଏବଂ ଭାରତର ଘରୋଇ ଆବଶ୍ୟକତା ପ୍ରତି ଉପଯୁକ୍ତ ଭାବେ ଧ୍ୟାନ ଦେବା ପରେ ଦୁଇ ବିଲିୟନ ଡଲାର ସୁବିଧାର ସମଗ୍ର ଆକାର ମଧ୍ୟରେ ପରିଚାଳିତ 400 ନିୟୁତ ଡଲାର ପର୍ଯ୍ୟନ୍ତ ଅର୍ଥରାଶିର “ଅତିରିକ୍ତ ବିନିମୟ’କୁ ସମାହିତ କରିବା, ବିନିମୟର ଅବଧି, ରୋଲଓଭର ଆଦି ଭଳି ଏହାର ପରିଚାଳନାର ପଦ୍ଧତି ସମ୍ପର୍କରେ ନମନୀୟତା ଆଣିବା ନିମନ୍ତେ “ସାର୍କ ସଦସ୍ୟ ଦେଶଗୁଡ଼ିକ ଲାଗି ମୁଦ୍ରା ପ୍ରତିବଦଳ ବ୍ୟବସ୍ଥା ଢାଂଚା’ରେ ସଂଶୋଧନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।
ପ୍ରମୁଖ ବିଶେଷତ୍ୱ :
ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ଅତ୍ୟଧିକ ବିତ୍ତୀୟ ବିପଦ ଏବଂ ଅସ୍ଥିରତା କାରଣରୁ ସାର୍କ ସଦସ୍ୟ ଦେଶଗୁଡ଼ିକର ଅଳ୍ପଅବଧି ବିନିମୟ ଆବଶ୍ୟକତା ପୂର୍ବ ସହମତିଠାରୁ ଅଧିକ ହୋଇପାରେ । ମଞ୍ଜୁରିପ୍ରାପ୍ତ ସାର୍କ ଢାଂଚା ଅନ୍ତର୍ଗତ “ଅତିରିକ୍ତ ବିନିମୟ’ ସମାହିତ କରିବାର ଢାଂଚାକୁ ଆବଶ୍ୟକ ନମନୀୟତା ମିଳିବ ଏବଂ ଭାରତ ସାର୍କ ବିନିମୟ ଢାଂଚା ଅନ୍ତର୍ଗତ ନିର୍ଦ୍ଧାରିତ ବର୍ତ୍ତମାନର ସୀମାଠାରୁ ଅଧିକ ଅର୍ଥରାଶିର ବିନିମୟ ହାସଲ କରିବା ସମ୍ପର୍କରେ ସାର୍କ ସଦସ୍ୟ ଦେଶଗୁଡ଼ିକଠାରୁ ମିଳିଥିବା ଅନୁରୋଧ ଉପରେ ତୁରନ୍ତ ପ୍ରତ୍ୟୁତ୍ତର ଦେବାରେ ସମର୍ଥ ହୋଇପାରିବ ।
**********