Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବସ୍ତୁ ଓ ସେବା କର ଆପିଲେଟ ଟ୍ରିବ୍ୟୁନାଲର ରାଷ୍ଟ୍ରୀୟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ବସ୍ତୁ ଓ ସେବା କର ସଂକ୍ରାନ୍ତ ବିବାଦ ସମାଧାନ ଲାଗି ଏକ ରାଷ୍ଟ୍ରୀୟ ଆପିଲେଟ ଟ୍ରିବ୍ୟୁନାଲ ଗଠନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (23.01.2019) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ବେଞ୍ଚର ନାମ ରଖାଯିବ ବସ୍ତୁ ଓ ସେବା କର ଆପିଲେଟ ଟ୍ରିବ୍ୟୁନାଲ ରାଷ୍ଟ୍ରୀୟ ବେଞ୍ଚ (ଜିଷ୍ଟାଟ୍) । ଆପିଲେଟ ଟ୍ରିବ୍ୟୁନାଲ ର ରାଷ୍ଟ୍ରୀୟ ବେଞ୍ଚ ନୂଆଦିଲ୍ଲୀଠାରେ ପ୍ରତିଷ୍ଠା କରାଯିବ ଏବଂ ଏହାର ଜଣେ ସଭାପତି ଏବଂ 2 ଜଣ ବୈଷୟିକ ସଦସ୍ୟ ରହିବେ । 2 ଜଣ ବୈଷୟିକ ସଦସ୍ୟଙ୍କ ମଧ୍ୟରୁ ଜଣେ କେନ୍ଦ୍ରର ଏବଂ ଆଉ ଜଣେ ରାଜ୍ୟର ପ୍ରତିନିଧିତ୍ୱ କରିବେ ।

ଜିଷ୍ଟାଟର ଜାତୀୟ ବେଞ୍ଚ ପ୍ରତିଷ୍ଠା ଲାଗି ଏକକାଳୀନ 92.50 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ତେବେ ଏହାର ପୁନଃପୌନିକ ଖର୍ଚ୍ଚ ବାର୍ଷିକ 6.86 କୋଟି ଟଙ୍କା ହେବ ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସ୍ତୁ ଓ ସେବା କର ସଂକ୍ରାନ୍ତ ଆଇନ ଓ ତତ ସଂକ୍ରାନ୍ତ ବିଷୟ ନେଇ ବିବାଦ ଉପୁଜିଲେ ପ୍ରସ୍ତାବିତ ଜିଏସଟି ଆପିଲେଟ ଟ୍ରିବ୍ୟୁନାଲ ତାହାର ବିଚାର କରି ନିଷ୍ପତ୍ତି ନେବେ । ଏହା ଆବେଦନ ପୁନର୍ବିଚାରର ଦ୍ୱିତୀୟ ଫୋରମ ଭାବେ ବିବେଚିତ ହେବ । ଏବେ ଜିଏସଟି ଆଇନ ଅଧୀନରେ ଏକକ ଜାତୀୟ ଆପିଲେଟ ଟ୍ରିବ୍ୟୁନାଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି । ବିଭିନ୍ନ ସ୍ତରରେ ଥିବା ଆପିଲେଟ କର୍ତ୍ତୃପକ୍ଷଙ୍କ ଆଦେଶ ବିରୁଦ୍ଧରେ ସଂପୃକ୍ତ ପକ୍ଷ ଜାତୀୟ ଆପିଲେଟ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇପାରିବେ ।

**********