• କୃଷି କ୍ଷେତ୍ରରେ କର୍ପୋରେଟ ନିବେଶ ଅତି ନିମ୍ନରେ
• କର୍ପୋରେଟ ନିବେଶ ବୃଦ୍ଧି ପାଇଁ ରାଜ୍ୟମାନେ ନୀତି ପ୍ରଣୟନ କରିବାକୁ ମୋଦୀଙ୍କ ପରାମର୍ଶ
• ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ କରିବା ପ୍ରସଙ୍ଗରେ ବ୍ୟାପକ ବିତର୍କ, ପରାମର୍ଶ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ
• ଯୁଦ୍ଧକାଳୀନ ଭିତିରେ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ପାଇଁ ପ୍ରୟାସ କରିବାକୁ ରାଜ୍ୟମାନଙ୍କୁ ଆହ୍ୱାନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକରେ ଉଦ୍ଯାପନୀ ଅଭିଭାଷଣ ରଖିଥିଲେ ।
ମୁଖ୍ୟମନ୍ତ୍ରୀମାନଙ୍କ ଗଠନମୂଳକ ଆଲୋଚନା ଏବଂ ପରାମର୍ଶକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଏବଂ ଉପସ୍ଥିତ ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଏସବୁ ପରାମର୍ଶଗୁଡ଼ିକ ବିଷୟରେ ଆଗାମୀ ଦିନରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଗୁରୁତ୍ୱର ସହ ବିଚାର କରାଯିବ । ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟଗୁଡ଼ିକ ଦ୍ୱାରା ଦିଆଯାଇଥିବା ପରାମର୍ଶର କାର୍ଯ୍ୟକାରୀ ଦିଗ ପ୍ରତି ଧ୍ୟାନ ଦେବା ଲାଗି ସେ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ ନୀତି ଆୟୋଗଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା 115ଟି ଅଭିଳାଷୀ ଜିଲ୍ଲା ଭଳି ରାଜ୍ୟଗୁଡ଼ିକ ନିଜସ୍ୱ ସ୍ତରରେ ମୋଟ ବ୍ଲକଗୁଡ଼ିକ ମଧ୍ୟରୁ 20 ପ୍ରତିଶତ ବ୍ଲକକୁ ଅଭିଳାଷୀ ବ୍ଲକ ଭାବେ ଚିହ୍ନଟ କରି ନିଜସ୍ୱ ପରିମାପକ ଧାର୍ଯ୍ୟ କରିବା ଆବଶ୍ୟକ ।
ପରିବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ଉତ୍ଥାପନ କରାଯାଇଥିବା ପ୍ରସଙ୍ଗ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁରାଜ୍ୟ ସେମାନଙ୍କ ସରକାରୀ କୋଠା, ସରକାରୀ କାର୍ଯ୍ୟାଳୟ ଏବଂ ଷ୍ଟ୍ରିଟ ଲାଇଟରେ ଏଲଇଡି ବଲ୍ବର ଉପଯୋଗ କରିବା ଉଚିତ । ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ ।
ଜଳ ସଂରକ୍ଷଣ, କୃଷି, ମନରେଗା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ପରାମର୍ଶର ସେ ପ୍ରଶଂସା କରିଥିଲେ ।
ଉଭୟ ଫସଲ ବୁଣିବା ଏବଂ କାଟିବା ପର୍ଯ୍ୟାୟ ସମେତ “କୃଷି ଏବଂ ମନରେଗା” ଆଦି ଦୁଇଟି ବିଷୟରେ ସମନ୍ୱିତ ନୀତି ଓ ଆଭିମୁଖ୍ୟ ଗ୍ରହଣ ସହିତ ଆବଶ୍ୟକ ସୁପାରିସ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ମଧ୍ୟପ୍ରଦେଶ, ବିହାର, ସିକିମ, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଧାଡ଼ିର ସବା ଶେଷରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ସରକାରୀ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଂଚିପାରିବ । ସେହିପରି ସେ କହିଥିଲେ ଯେ ସାମାଜିକ ନ୍ୟାୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଲକ୍ଷ୍ୟ । ସେ କହିଥିଲେ ଯେ ଏହି ଉଦାର ଲକ୍ଷ୍ୟ ହାସଲ ପାଇଁ ନିବିଡ଼ ସମନ୍ୱୟ ଏବଂ ନିରନ୍ତର ଅନୁଧ୍ୟାନର ଆବଶ୍ୟକତା ରହିଛି ।
ଅଗଷ୍ଟ 15, 2018 ସୁଦ୍ଧା 115ଟି ଅଭିଳାଷୀ ଜିଲ୍ଲାର 45,000 ଅତିରିକ୍ତ ଗ୍ରାମରେ 7ଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ସାମଗ୍ରୀକ ପ୍ରସାର ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ସେ ପ୍ରଶଂସା କରିଥିଲେ ।
କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶୀ ନୀତି ‘ସବକା ସାଥ, ସବକା ବିକାଶ’ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ଆଉ କିଛି ଲୋକ କିମ୍ବା କିଛି ଅଂଚଳରେ ସୀମିତ ହୋଇ ରହିନାହିଁ । ଏହା ଏକ ସମାନ୍ତରାଳ ମାର୍ଗରେ ବିନା ବାଛବିଚାରରେ ପ୍ରତ୍ୟେକଙ୍କ ନିକଟରେ ପହଁଚିପାରୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସବୁ ଗ୍ରାମକୁ ବର୍ତ୍ତମାନ ବିଦ୍ୟୁତ ସଂଯୋଗ ହୋଇପାରିଛି ଏବଂ ସୌଭାଗ୍ୟ ଯୋଜନାରେ 4 କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି । ସେ କହିଥିଲେ ଯେ ଗ୍ରାମୀଣ ପରିମଳ ପ୍ରସାର ପୂର୍ବରୁ ମାତ୍ର 40 ପ୍ରତିଶତରୁ କମ ଥିବା ବେଳେ ଗତ 4 ବର୍ଷ ମଧ୍ୟରେ ଏହା 85 ପ୍ରତିଶତକୁ ବୃଦ୍ଧି ପାଇଛି । ସେ କହିଥିଲେ ଯେ ଜନଧନ ଯୋଜନା ସମ୍ପର୍କ କାର୍ଯ୍ୟକାରୀ ହେବା ପରେ ଦେଶର ସବୁ ନାଗରିକ ବ୍ୟାଙ୍କ ସହ ଯୋଡ଼ି ହୋଇଯିବେ । ସେହିପରି ସେ କହିଥିଲେ ଉଜ୍ଜ୍ୱଳା ଯୋଜନା ଅଧୀନରେ ରୋଷେଇ ଗ୍ୟାସ ଯୋଗାଣ ଏବଂ ମିଶନ ଇନ୍ଦ୍ରଧନୁଷ ଜରିଆରେ ସାମୂହିକ ଟିକାକରଣ ସଫଳ ହୋଇଛି । ସେ କହିଥିଲେ କେନ୍ଦ୍ର ସରକାର 2022 ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ।
ଗରିବଙ୍କ କଲ୍ୟାଣ ପାଇଁ ଯୋଜନାର 100 ପ୍ରତିଶତ କାର୍ଯ୍ୟକାରୀତା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀମାନେ ପ୍ରୟାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଲୋକମାନଙ୍କ ଜୀବନରେ ଅଭ୍ୟାସଗତ ପରିବର୍ତ୍ତନ ଆଣିପାରିବ । ଏହି ପରିପ୍ରେକ୍ଷୀରେ ସେ ନିମ ପ୍ରଲେପିତ ୟୁରିଆ, ଉଜ୍ଜ୍ୱଳା ଯୋଜନା, ଜନଧନ ଏକାଉଂଟ ଏବଂ ରୂପେ ଡେବିଟ କାର୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଯୋଜନାଗୁଡ଼ିକ ଲୋକମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି ତାହା ସେ ବର୍ଣ୍ଣନା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଗତ 4 ବର୍ଷ ମଧ୍ୟରେ 7.7କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ଅକ୍ଟୋବର 2, 2019, ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ସୁଦ୍ଧା ଶତପ୍ରତିଶତ ପରିମଳ ବିସ୍ତାର ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ଉପସ୍ଥିତ ପଦାଧିକାରୀମାନଙ୍କୁ ଆହ୍ୱାନ କରିଥିଲେ ।
ଯୁଦ୍ଧକାଳୀନ ଭିତ୍ତିରେ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଅର୍ଥବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ 5 ଟ୍ରିଲିଅନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ବିଶ୍ୱ ଆଶା କରୁଛି । ଫଳାଫଳ ଆଧାରିତ ଆବଂଟନ ଏବଂ ବ୍ୟୟ ସଂଶୋଧନ ଲାଗି ଅର୍ଥ ଆୟୋଗଙ୍କୁ ନୂଆ ନୂଆ ପରାମର୍ଶ ଦେବା ପାଇଁ ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ କରିଥିଲେ ।
ରାଜ୍ୟଗୁଡ଼ିକ ବର୍ତ୍ତମାନ ନିବେଶକ ସମ୍ମିଳନୀ ଆୟୋଜନ କରୁଥିବା ଜାଣି ସେ ଖୁସିବ୍ୟକ୍ତ କରିଥିଲେ । ରାଜ୍ୟଗୁଡ଼ିକ ରପ୍ତାନି ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । “ବ୍ୟବସାୟିକ ସୁଗମତା”କୁ ପ୍ରୋତ୍ସାହିତ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ବ୍ୟବସାୟିକ ସୁଗମତାକୁ ଆହୁରି ତ୍ୱରାନ୍ୱିତ କରିବା ସକାଶେ ନୀତି ଆୟୋଗ ସବୁ ରାଜ୍ୟକୁ ନେଇ ଏକ ବୈଠକ ଆୟୋଜନ କରିବା ଉଚିତ । “ସହଜ ଜୀବନଧାରଣ” ବର୍ତ୍ତମାନ ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ଏବଂ ରାଜ୍ୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।
କୃଷି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ କର୍ପୋରେଟ ନିବେଶ ଅତି ନିମ୍ନରେ ରହିଛି । ଶୀତଳଭଣ୍ଡାର, ପରିବହନ, ମୂଲ୍ୟ ଯୋଗାଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କର୍ପୋରେଟ ନିବେଶ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ସଫଳତା ପୂର୍ବକ ନିଲାମ ହୋଇସାରିଥିବା କୋଲ ବ୍ଲକଗୁଡ଼ିକ ଯଥାଶୀଘ୍ର ଉତ୍ପାଦନ ଆରମ୍ଭ କରିବା ଆବଶ୍ୟକ । ଏହି ଦିଗରେ ପଦକ୍ଷେପ ନେବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଜିଲ୍ଲା ଖଣିଜ ପାଣ୍ଠି ବ୍ୟାପକ ଭାବେ ଗରିବ ଏବଂ ଆଦିବାସୀଙ୍କୁ ସହାୟତା କରିପାରିବ ।
ସମ୍ବଳର ଉତ୍ତମ ଉପଯୋଗ ଏବଂ ଅର୍ଥ ସଂଚୟକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ କରିବା ଲାଗି ବ୍ୟାପକ ବିତର୍କ ଏବଂ ପରାମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।
ଶେଷରେ, ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ପରାମର୍ଶ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
**********