ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ,
ଶ୍ରୀ ଥାୱରଚାନ୍ଦ ଗେହଲଟ ମହୋଦୟ,
ଶ୍ରୀ ରାମ ବିଳାସ ପାଶୱାନ ମହୋଦୟ,
ଡକ୍ଟର ହର୍ଷବର୍ଦ୍ଧନ ମହୋଦୟ,
ଶ୍ରୀ ରାମଦାସ ଅଠାୱଲେ ମହୋଦୟ,
ଶ୍ରୀ କୃଷ୍ଣପାଲ ଗୁର୍ଜର ମହୋଦୟ,
ଶ୍ରୀ ବିଜୟ ସାମ୍ପଲା ମହୋଦୟ,
ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ରବ୍ୟକ୍ତି ଏବଂ ମହିଳାମାନେ, ସର୍ବ ପ୍ରଥମେ ମୁଁ ଦେଶର ଲୋକମାନଙ୍କୁ ବହୁତ-ବହୁତ ଶୁଭକାମନା ଜଣାଇବାକୁ ଚାହୁଁଛି କି ଆଜି ଆମ ସମସ୍ତଙ୍କୁ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀ ରୂପରେ ଗୋଟିଏ ଅମୂଲ୍ୟ ଉପହାର ମିଳିଛି ।
ଆଜି ବାବା ସାହେବଙ୍କର ସ୍ମୃତିରେ ତିଆରି ହୋଇଥିବା ରାଷ୍ଟ୍ରୀୟ ସ୍ମାରକୀକୁ ରାଷ୍ଟ୍ରକୁ ସମର୍ପିତ କରି, ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି । ଦେଶରେ ବୈଶାଖୀ ମଧ୍ୟ ପାଳନ କରାଯାଉଛି । ଏହା ହେଉଛି ଆମର ଅନ୍ନଦାତା-ଆମର କୃଷକଙ୍କର ପରିଶ୍ରମକୁ ପୂଜାକରିବାର ଦିନଟିଏ । ମୁଁ ଦେଶକୁ ବୈଶାଖୀ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି ।
ଆଜି ହିଁ ହେଉଛି ଜାଲିଆନାୱାଲା ବାଗ ନରସଂହାରର ବର୍ଷ ପୂର୍ତ୍ତି ମଧ୍ୟ । 99 ବର୍ଷ ପୂର୍ବେ ସ୍ୱାଧୀନତା ପ୍ରେମୀମାନଙ୍କ ଉପରେ ଯେଉଁ ଭଳି ଭାବେ ଇଂରେଜ ଶାସନର ପ୍ରକୋପ ବର୍ଷିଥିଲା, ତାହା ମାନବ ଇତିହାସର ସବୁଠାରୁ ହୃଦୟ ବିଦାରକ ଘଟଣାବଳି ମଧ୍ୟରୁ ହେଉଛି ଗୋଟିଏ ।
ଜାଲିଆନାୱାଲା ବାଗ ଗୁଳିକାଣ୍ଡରେ ଶହୀଦ ହୋଇଥିବା ପ୍ରତ୍ୟେକ ସେନାନୀଙ୍କୁ ମୁଁ ପ୍ରଣାମ ଜଣାଉଛି ।
ସାଥୀଗଣ,
ସ୍ୱାଧୀନତା ପରଠାରୁ ଏତେ ସରକାର ଆସିଲେ, ଏତେ ସମୟ ଚାଲିଗଲା, କିନ୍ତୁ ଯେଉଁ କାର୍ଯ୍ୟ ବହୁତ ପୂର୍ବରୁ ହୋଇଯିବା ଦରକାର ଥିଲା ତାହା ଏବେ ହେଉଛି । ତେଣୁ ମୋ ପାଇଁ ଏହି ଜାଗାକୁ ଆସିବା, ଏହି କାର୍ଯ୍ୟକ୍ରମରେ ସାମିଲ ହେବା, ଏହି ମାଟି ଉପରେ ଠିଆ ହେବା, ଯେଉଁଠାରେ ବାବା ସାହେବ ନିଜର ଶେଷ ସମୟ ବିତାଇଥିଲେ, ତାହା ହେଉଛି ବହୁତ ହିଁ ଭାବାବେଗପୂର୍ଣ୍ଣ । ବାବା ସାହେବଙ୍କ ନାମରେ, ତାଙ୍କୁ ସ୍ମରଣ କରି ନିର୍ମାଣ କରାଯାଇଥିବା ଏହି ରାଷ୍ଟ୍ରୀୟ ସ୍ମାରକୀ, ଦେଶ ତରଫରୁ ହେଉଛି ତାଙ୍କ ପାଇଁ ଭାବାବେଗ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
କାଲି ହେଉଛି ତାଙ୍କର ଜୟନ୍ତୀ ଆଉ ତାହାର ଗୋଟିଏ ଦିନ ପୂର୍ବରୁ ଏଠାରେ ଏ ସମାରୋହର ଆୟୋଜନ ବାବା ସାହେବଙ୍କ ପ୍ରତି ଆମ ସରକାରଙ୍କର ଅତୁଟ ଶ୍ରଦ୍ଧାକୁ ଦର୍ଶାଉଛି ।
ଏହି ପବିତ୍ର କାର୍ଯ୍ୟକୁ ଶେଷ କରିବା ପାଇଁ, ମୁଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଅନ୍ୟ ସମ୍ବନ୍ଧିତ ବିଭାଗଙ୍କୁ ହୃଦୟର ସହିତ ପ୍ରଶଂସା କରୁଛି । ସ୍ମାରକୀ ନିର୍ମାଣରେ ନିଜର ଝାଳ ବୁହାଇ ଥିବା ଜଣ-ଜଣ କରି ପ୍ରତ୍ୟେକ ଶ୍ରମିକଙ୍କୁ ମୋର ପ୍ରଣାମ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଏଠାରେ ନଥିବେ, ଏହି କାର୍ଯ୍ୟକ୍ରମ ଠାରୁ ଦୂରରେ ଥିବେ, କିନ୍ତୁ ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ ।
ଭାଇ ଓ ଭଉଣୀମାନେ,
ଏବେ ଆଜିଠାରୁ 26 ଆଲିପୁର ରୋଡ଼ ଉପରେ ତିଆରି କରାଯାଇଥିବା ଏହି ସ୍ମାରକୀ, କେବଳ ଦିଲ୍ଲୀ ହିଁ ନୁହେଁ, ଦେଶର ମାନଚିତ୍ର ଉପରେ ସବୁଦିନ ପାଇଁ ଅଙ୍କିତ ହୋଇ ଯାଇଛି ।
ଏଠାକୁ ଆସି ଲେକମାନେ ବାବା ସାହେବଙ୍କର ଜୀବନ ସହିତ ଜଡ଼ିତ ଥିବା କଥାଗୁଡ଼ିକୁ, ତାଙ୍କର ଦୃଷ୍ଟିକୋଣକୁ, ଆହୁରି ଅଧିକ ଭଲ ଭାବରେ ବୁଝି ପାରିବେ ।
ଭାଇ ଓ ଭଉଣୀମାନେ,
ଏହି ସ୍ମାରକୀକୁ ଏକ ପୁସ୍ତକ ସଦୃଶ ପ୍ରସ୍ତୁତ କରାଯାଇଛି । ସେହି ପୁସ୍ତକ, ଆମ ଦେଶର ସେହି ସମ୍ବିଧାନ, ଯାହାର ଶିଳ୍ପକାର ଥିଲେ ଡକ୍ଟର ଆମ୍ବେଦକର ।
ଯେଉଁ ସମ୍ବିଧାନକୁ ରଚନା କରି, ବାବା ସାହେବ ଦୁନିଆର ସବୁଠାରୁ ବଡ଼ ଗଣତନ୍ତ୍ରକୁ, ଗଣତାନ୍ତ୍ରିକ ହୋଇ ରହିବାର ପଥ ଦେଖାଇଥିଲେ ।
ଆଜିର ନୂତନ ପିଢି, ଯେତେବେଳେ ଏହି ସ୍ମାରକୀକୁ ଆସିବେ, ତ ଏଠାରେ ଲାଗିଥିବା ପ୍ରଦର୍ଶନୀକୁ ଦେଖି, ଏଠାରେ ସଂଗ୍ରହାଳୟରେ ଆଧୁନିକ ଟେକ୍ନୋଲଜି ମାଧ୍ୟମରେ ତାଙ୍କ ଜୀବନର ମହତ୍ୱପୂର୍ଣ୍ଣ ଘଟଣାବଳୀଗୁଡ଼ିକୁ ଦେଖି, ବାବା ସାହେବଙ୍କର ଜୀବନର ଗଭୀର ବିସ୍ତାରକୁ ବୁଝି ପାରିବେ ।
ସାଥୀଗଣ,
ଏହା ହେଉଛି ଆମ ସରକାରଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ କି ଏହାକୁ ମିଶାଇ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କ ସହିତ ଜଡ଼ିତ ପାଞ୍ଚଟି ସ୍ଥାନକୁ ପଞ୍ଚତୀର୍ଥ ଭାବେ ବିକଶିତ କରିବାର ସୌଭାଗ୍ୟ ମିଳିଛି ।
– ମଧ୍ୟପ୍ରଦେଶର ମହୁ ରେ ବାବା ସାହେବଙ୍କର ଜନ୍ମଭୂମି,
– ଲଣ୍ଡନରେ ଡକ୍ଟର ଆମ୍ବେଦକର ସ୍ମାରକ ତାଙ୍କର ଶିକ୍ଷାଭୂମି,
– ନାଗପୁରରେ ଦୀକ୍ଷାଭୂମି
– ମୁମ୍ବାଇରେ ଚୈତ୍ୟ ଭୂମି ଆଉ
– ଏଠାରେ ଦିଲ୍ଲୀରେ ଏହି ରାଷ୍ଟ୍ରୀୟ ସ୍ମାରକୀ ଭାବରେ ତାଙ୍କର ମହାପରିନିର୍ବାଣ ଭୂମି ।
ଏହି ସ୍ଥାନ, ଏହି ତୀର୍ଥ, କେବଳ ଇଟା-ସିମେଂଟର ବ୍ୟବହାରରେ କରାଯାଇଥିବା ଭବନ ନୁହେଁ, ବରଂ ଏହା ହେଉଛି ଜୀବନ୍ତ ସଂସ୍ଥା, ଏହା ହେଉଛି ଆଚାର ବିଚାରର ସବୁଠାରୁ ବଡ଼ ସଂସ୍ଥାନ ।
ସାଥୀଗଣ,
ଏହି ଦିବ୍ୟ ଭବ୍ୟ ଭବନ ଏହି ସରକାରଙ୍କର କାର୍ଯ୍ୟ କରିବାର ସଂସ୍କୃତିର ମଧ୍ୟ ହେଉଛି ପ୍ରତୀକ । ଯେତେବେଳେ ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କର ସରକାର ଥିଲା, ସେତେବେଳେ ଏଠାରେ ଏହି ମାଟିରେ ରାଷ୍ଟ୍ରୀୟ ସ୍ମାରକୀର କଥା ଆଗକୁ ବଢ଼ିଥିଲା ।
କିନ୍ତୁ ତାଙ୍କ ସରକାର ଯିବା ପରେ କଂଗ୍ରେସ ସରକାରଙ୍କ ସମୟରେ ଏହି ପ୍ରକଳ୍ପ କେ’ଜାଣି କାହିଁକି ଅଟକି ରହିଗଲା ।
2014 ରେ ଆମ ସରକାର ଗଠନ ହେବା ପରେ ପୁଣି ଥରେ 26 ଆଲିପୁର ରୋଡ଼୍ ର ଫାଇଲକୁ ଖୋଜି ବାହାର କରାଗଲା । ଫାଇଲ ମିଳିଲା ପରେ ପୁଣି ଦ୍ରୁତ ଗତିରେ କାମ ଆରମ୍ଭ ହେଲା ।
21 ମାର୍ଚ୍ଚ, 2016ରେ ରାଷ୍ଟ୍ରୀୟ ସ୍ମାରକୀର ଶିଳାନ୍ୟାସ କରିବା ବେଳେ ହିଁ ମୁଁ କହି ଦେଇଥିଲି କି 2018ରେ, ବାବାସାହେବଙ୍କର ଜୟନ୍ତୀରେ ଏହାର ଲୋକାର୍ପଣ କରିବାକୁ ଆସିବି । ସମୟର ବନ୍ଧନ, ସଂସାଧନ ଉପରେ ବିଶ୍ୱାସ ଆଉ ସରକାରଙ୍କର ଇଚ୍ଛାଶକ୍ତି, କିପରି ଭାବେ ପରିବର୍ତ୍ତନ ଆଣିଥାଏ, ଆଜି ଏହା ଆମେ ପୁଣି ଦେଖୁଛୁ ।
ସାଥୀଗଣ,
ଲୋକତନ୍ତ୍ରରେ ଯେତେବେଳେ ଜନତା ଉତ୍ତର ମାଗେ, ତା’ ପୂର୍ବରୁ ଆପଣଙ୍କୁ ନିଜକୁ ନିଜର ଉତ୍ତରଦାୟୀ ଭାବେ ସ୍ଥିର କରିବାକୁ ପଡ଼ିଥାଏ । ଆପଣଙ୍କୁ ନିଜକୁ ଉତ୍ତର ଦେବାକୁ ପଡ଼ିଥାଏ ।
କିନ୍ତୁ ଆମର ଏଠି ପୂର୍ବର ସରକାରମାନଙ୍କ ଠାରେ ଏ ପ୍ରକାରର ଉତ୍ତରଦାୟୀତ୍ୱ, କିଛି କମ୍ ହିଁ ଦେଖିବାକୁ ମିଳିଛି । ଏହି ବ୍ୟବସ୍ଥାକୁ ଏହି ସରକାରଙ୍କ ବେଳେ ବଦଳାଇ ଦିଆଯାଇଛି । ସମ୍ଭବତଃ ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଦିଲ୍ଲୀର 15 ଜନପଥରେ ତିଆରି କରାଯାଇଥିବା ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର ଯାଇଥିବେ । 1992ରେ ସେହି କେନ୍ଦ୍ର ନିର୍ମାଣ କରିବାର ବିଚାର ସାମ୍ନାକୁ ଆସିଥିଲା । କିନ୍ତୁ 22 ବର୍ଷ ପର୍ଯ୍ୟନ୍ତ ଏହାର ଫାଇଲ ମଧ୍ୟ କେଉଁଠାରେ ଚାପି ହୋଇ ରହି ଯାଇଥିଲା ।
ଦିଲ୍ଲୀରେ କାର୍ଯ୍ୟଭାର ସମ୍ଭାଳିବାର ବର୍ଷକ ଭିତରେ ହିଁ ଅପ୍ରେଲ 2015ରେ ମୁଁ ସେହି କେନ୍ଦ୍ରର ଶିଳାନ୍ୟାସ କଲି ଆଉ କିଛି ମାସ ପୂର୍ବେ ହିଁ ଡିସେମ୍ବରରେ ଏହାର ଲୋକାର୍ପଣ ମଧ୍ୟ କରାଗଲା । ଆଉ ଡକ୍ଟର ଆମ୍ବେଦକରଙ୍କର ବିଚାରଧାରାର ଏହି ପ୍ରତୀକ ଏହି ଷ୍ଟେଟ-ଅଫ-ଦି-ଆର୍ଟ ଆନ୍ତର୍ଜାତୀୟ କେନ୍ଦ୍ର ଦିଲ୍ଲୀର ଗୌରବ ହୋଇ ରହିଛି ।
ଭାଇ ଓ ଭଉଣୀମାନେ,
ବ୍ୟବସ୍ଥାର ଏଭଳି କାୟାକଳ୍ପ ସେତେବେଳେ ହୋଇଥାଏ, ଯେତେବେଳେ ସଂପୂର୍ଣ୍ଣ ସର୍ବନିମ୍ନ ସ୍ତରକୁ ଯାଇ ଅଭାବ ଅସୁବିଧା ଗୁଡ଼ିକୁ ବୁଝାଯାଏ, ସେଗୁଡ଼ିକୁ ଦୂର କରାଯାଏ ।
ଏବେ ତିନି ଦିନ ତଳେ ମୁଁ ଚମ୍ପାରଣରେ ଥିଲି । ସେଠାରୁ ମୁଁ ମାଧେପୁରାରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ/ରେଳଇଞ୍ଜିନ କାରଖାନା ପ୍ରଥମ ପର୍ଯ୍ୟାୟର ଲୋକର୍ପଣ କଲି । ଏହି ପ୍ରକଳ୍ପର ମଧ୍ୟ କାହାଣୀ ମଧ୍ୟ ହେଉଛି ସେହିଭଳି ।
ବର୍ଷ 2007ରେ ସ୍ଥିର କରାଗଲା ଏବଂ ମଞ୍ଜୁରି ମିଳିଲା, କିନ୍ତୁ କାମ ଆରମ୍ଭ ହେଲା 2015ରେ । ପୂର୍ବ ସରକାର ସାତ ବର୍ଷ ଏହିଭଳି ହିଁ ବିତାଇ ଦେଲେ । ଆମ ସରକାରଙ୍କର କେବଳ ମାତ୍ର ଦୁଇ-ଅଢ଼େଇ ବର୍ଷର ପ୍ରୟାସରେ, ଏବେ ଏହି କାରଖାନାରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରେଳ ଇଂଜିନ ମଧ୍ୟରୁ ଗୋଟିଏର ମଧ୍ୟ ନିର୍ମାଣ ଚାଲିଛି । ମୁଁ ଆପଣମାନଙ୍କୁ ଏହିଭଳି ପ୍ରକଳ୍ପର ତାଲିକା ଗଣାଇବାରେ ଲାଗିବି ତ ସକାଳ ହୋଇଯିବ । ଦେଶକୁ ସ୍ୱାଧୀନତା ମିଳିବା ପରେ ଅଟକାଇବା, ବାଟବଣା କରିବା ଏବଂ ଝୁଲାଇ ରଖିବାର ସଂସ୍କୃତି ମିଳିବ, ଏହା ତ’ ବାବାସାହେବ ଆମ୍ବେଦକର କେବେ ଭାବି ନ ଥିଲେ । ସେ କେବେ ମଧ୍ୟ ଚିନ୍ତା କରି ନଥିଲେ କି ଆସୁଥିବା ସରକାରରେ ପ୍ରକଳ୍ପ ଗୁଡିକ ତରିଶ-ତିରିଶ, ଚାଳିଶ-ଚାଳିଶ ବର୍ଷ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ହେବ ନାହିଁ । ଯୋଜନାଗୁଡିକ ଏଭଳି ଅଧୁରା ରହିବା, ହେଉଛି ଦେଶ ପ୍ରତି ବହୁତ ବଡ଼ ଅପରାଧ ।
ସାଥୀଗଣ,
ବିଗତ ଚାରି ବର୍ଷରେ ଆମ ସରକାର ଖୋଜି ଖୋଜି କରି ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡି ରହିଥିବା ପ୍ରକଳ୍ପଗୁଡିକୁ ସଂମ୍ପୂର୍ଣ୍ଣ କରିବାର କାର୍ଯ୍ୟ କରୁଛି ।
ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁଧ୍ୟାନରେ ହେଉଥିବା ପ୍ରଗତୀ ବୈଠକ ମାଧ୍ୟମରେ ସଢେ 9 ଲକ୍ଷ କୋଟି ଟଙ୍କାରୁ ଅଧିକ ଅଧାପନ୍ତରିଆ ପ୍ରକଳ୍ପଗୁଡିକୁ ଦ୍ରୁତ ଗତିରେ ଆଗକୁ ବଢାଇବାର କାର୍ଯ୍ୟ କରାଯାଇଛି । ବିଗତ ଚାରି ବର୍ଷରେ ପ୍ରଗତୀ ବୈଠକ ମାଧ୍ୟମରେ, ଦେଶର ବିକାଶ ଗିତଶୀଳ ହୋଇଛି ।
ସାଥୀଗଣ,
ଅଭାବରେ କାନ୍ଦିବାର ନାହିଁ ଏବଂ ପ୍ରଭାବରେ ବିଚଳିତ ନ ହେବା, ଏହି ମନ୍ତ୍ର ପ୍ରତ୍ୟେକଙ୍କ ପାଇଁ ଏକ ଶକ୍ତି ପାଲଟିଯାଏ । ଏହି ଶକ୍ତି ଦେବାର କାର୍ଯ୍ୟ ବାବାସାହେବ ଆମ୍ବେଦକର ଆମକୁ ନିଜ ଜୀବନରୁ ଦେଇଛନ୍ତି । ଏଥିପାଇଁ ଏହି ସରକାର ମଧ୍ୟ ଆପଣମାନଙ୍କୁ ଅଭାବରେ କାନ୍ଦିବାର ଦେଖିବେ ନାହିଁ । ଆମେ ତ ଆମର ସଂସାଧନ ଉପରେ, ନିଜ ସାମର୍ଥ୍ୟ ଉପରେ ଭରସା କରି ଆଗକୁ ବଢୁଛୁ । ଏହି ଚିନ୍ତାଧାରା ଆମକୁ ଲକ୍ଷ୍ୟ ସ୍ଥିର କରିବା ଏବଂ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ନିଜର ସଂମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେବା ଶିଖାଇଛି ।
ଭାଇ ଓ ଭଉଣୀମାନେ,
ଆଜିଠାରୁ ଠିକ୍ ଗୋଟିଏ ମାସ ପୂର୍ବେ, ଏହି ଦିଲ୍ଲୀରେ ଗୋଟିଏ କାର୍ଯ୍ୟକ୍ରମ ହୋଇଥିଲା । ସମଗ୍ର ଦୁନିଆର ଲୋକ ଏକାଠି ହୋଇଥିଲେ । ସେହି କାର୍ଯ୍ୟକ୍ରମରେ ଦୁନିଆର ଅନ୍ୟ ସମସ୍ତ ଦେଶ ଗୋଟିଏ କଥା କହିଲେ କି 2030 ସୁଦ୍ଧା ଯକ୍ଷ୍ମା/ଟିବି କୁ ଉନ୍ମୋଳନ(ବିଲୋପ) କରାଯାଉ । ସେହି ବୈଠକରେ ଭାରତ ଘୋଷଣା କଲା କି ସେ 2025 ସୁଦ୍ଧା ଯକ୍ଷ୍ମାକୁ ସଂପୂର୍ଣ୍ଣ ଭାବେ ବିଲୋପ କରିବା ପାଇଁ କାର୍ଯ୍ୟ କରିବ ।
ଅର୍ଥାତ୍ ଆମେ ନିଜର ଲକ୍ଷ୍ୟ ପ୍ରାପ୍ତ କରିବାର ସମୟ ସୀମାକୁ ଅନ୍ୟ ଦେଶ ତୁଳନାରେ ଆହୁରି 5 ବର୍ଷ କମ୍ କରିନେଲୁ ।
ଏବେ ଆପଣ ଭାବନ୍ତୁ । ପୂର୍ବର ସମସ୍ତ ସରକାର, କାର୍ଯ୍ୟ ଶେଷ ହେବାର ତାରିଖ ଆଗକୁ ବଢ଼ାଇବାରେ ମୁଣ୍ଡ ଖଟାଉଥିଲେ, ଏହି ସରକାର କାର୍ଯ୍ୟ ଶେଷ କରିବାର ତାରିଖକୁ ପ୍ରଥମେ ସ୍ଥିର କରିବାରେ ବିଶ୍ୱାସ ରଖନ୍ତି । ଦେଶର ଦୂର-ଦୂରାନ୍ତ ଅଂଚଳର ଗର୍ଭବତୀ ମହିଳାମାନଙ୍କୁ ଏବଂ ପିଲା ମାନଙ୍କର ଟୀକାକରଣ କାର୍ଯ୍ୟ ହେଉ, ଅଥବା ଗ୍ରାମୀଣ ସଡ଼କକୁ ଯୋଡ଼ିବାର ଯୋଜନା, ଏହି ସରକାର ଲକ୍ଷ୍ୟ ହାସଲର ଶେଷ ତାରିଖକୁ ଦୁଇ-ଦୁଇ, ତିନି-ତିନି ବର୍ଷ କମ୍ କରି ଦେଇଛନ୍ତି ।
ସାଥୀଗଣ,
ବାବା ସାହେବଙ୍କ ଚିନ୍ତାଧାରାର ମୂଳରେ ସମାନତା ଅନେକ ରୂପରେ ନିହିତ ରହିଛି ।
ସମ୍ମାନର ସମାନତା,
ଆଇନର ସମାନତା,
ଅଧିକାରର ସମାନତା,
ମାନବିକ ଗାରିମାର ସମାନତା,
ସୁଯୋଗର ସମାନତା,
ଏଭଳି ଅନେକ ବିଷୟକୁ ବାବା ସାହେବ ନିଜ ଜୀବନରେ କ୍ରମାଗତ ଭାବେ ଉଠାଇଛନ୍ତି । ସେ ସର୍ବଦା ଆଶା ଜାଗ୍ରତ କରାଉଥିଲେ କି ଭାରତରେ ସରକାରଗୁଡ଼ିକ ସମ୍ବିଧାନର ପାଳନ କରି ବିନା ସଂପ୍ରଦାୟର ଭେଦ ଭାବ କରି, ଜାତିର ଭେଦଭାବ ବିନା ପାଳନ କରିବେ । ଆଜି ଏହି ସରକାରଙ୍କ ପ୍ରତ୍ୟେକ ଯୋଜନାରେ ଆପଣମାନଙ୍କୁ ସାମାଜିକ ନ୍ୟାୟ ଏବଂ ବିନା କୌଣସି ଭେଦଭାବରେ, ସମସ୍ତଙ୍କୁ ସମାନତାର ଅଧିକାର ଦେବାର ପ୍ରୟାସ ଦେଖାଯିବ । ଦଶକ-ଦଶକ ଧରି ଆମ ଦେଶରେ ଯେଉଁ ଅସନ୍ତୁଳନ ସୃଷ୍ଟି ହୋଇଥିଲା, ତାହାକୁ ଏ ସରକାରଙ୍କ ଯୋଜନା ଗୁଡ଼ିକ ସମାପ୍ତ କରିବାର କାର୍ଯ୍ୟ କରୁଛନ୍ତି ।
ଯେପରି ଜନ-ଧନ ଯୋଜନା । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ କୋଟି-କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ନ ଥିବା, ଏ ହେଉଛି ଏକ ବହୁତ ବଡ଼ ସାମାଜିକ ଅନ୍ୟାୟ । ଏହାକୁ ଶେଷ କରିବାର କାର୍ଯ୍ୟ ଆମେ କରିଛୁ । ଜନ-ଧନ ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ 31 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇପାରିଛି । ସେହିପରି ଦେଶର କୋଟି-କୋଟି ଘରେ ଶୌଚାଳୟ ନ ହେବା ମଧ୍ୟ ସାମାଜିକ ଅନ୍ୟାୟର ଏକ ଦିଗ ଥିଲା । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଦେଶରେ ଏହି ସରକାର 7 କୋଟି ଶୌଚାଳୟ ତିଆରି କରିଛନ୍ତି । ଏଥିରୁ ପାଖାପାଖି 2 କୋଟି ଶୌଚାଳୟ ଗ୍ରାମାଂଳରେ ରହୁଥିବା ତଫସିଲଭୁକ୍ତ ଜାତି ଏବଂ ଆଦିବାସୀମାନଙ୍କ ଘରେ ତିଆରି ହୋଇଛି । ବିଗତ ଚାରି ବର୍ଷରେ ଦେଶ ଦେଖିଛି କିପରି ଶୌଚାଳୟରୁ ଇଜ୍ଜତ ମଧ୍ୟ ମିଳିଥାଏ, ସମ୍ମାନ ମଧ୍ୟ ଆସିଥାଏ ।
ଭାଇ ଓ ଭଉଣୀମାନେ,
ଆଜିର ଏହି ଆଧୁନିକ ସମୟରେ କାହା ଘରେ ବିଜୁଳି ନ ଥିବା, ଏହା ମଧ୍ୟ ହେଉଛି ଏକ ବହୁତ ବଡ଼ ସାମାଜିକ ଅନ୍ୟାୟ । ଆମର ଏଠାରେ ତ, 2014ରେ 18 ହଜାରରୁ ଅଧିକ ଗାଁ ଏଭଳି ଥିଲା, ଯେଉଁଠାରେ ବିଜୁଳି ହିଁ ପହଂଚି ନଥିଲା । ସେମାନେ ଅଷ୍ଟାଦଶ ଶତାବ୍ଦୀରେ ହିଁ ଜୀଇଁ ଥିଲେ । ବାଧାବିଘ୍ନ ସତ୍ତ୍ୱେ ଆମ ସରକାର ଲାଲକିଲ୍ଲାରୁ ଘୋଷଣା କରିଦେଲେ – ଏହି ସବୁ ଗ୍ରାମ ପର୍ଯ୍ୟନ୍ତ ଏବେ ବିଜୁଳି ପହଂଚାଉଛନ୍ତି । ଏପର୍ଯ୍ୟନ୍ତ 16 ହଜାରରୁ ଅଧିକ ଗାଁରେ ବିଜୁଳି ମଧ୍ୟ ପହଂଚା ଯାଇ ସାରିଛି ।
ଏବେ ତ ଆମେ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ସହିତ ଯୋଡ଼ିବାର ଭଗୀରଥ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛୁ ।
ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ଅଧୀନରେ ଦେଶର 4 କୋଟି ଘରକୁ ମାଗଣାରେ ବିଜୁଳି ସଂଯୋଗ ଦିଆଯାଉଛି । ଯେତେବେଳେ ଘର ଆଲୋକିତ ହେବ, ତ ସଂପୂର୍ଣ୍ଣ ସମାଜରେ ମଧ୍ୟ ଆଲୋକ ବିଛୁରିତ ହେବ । ସ୍ୱରୋଜଗାରକୁ ପ୍ରୋତ୍ସାହନ ଦେଉଥିବା ମୁଦ୍ରା ଯୋଜନା ମଧ୍ୟ ଦଶ-ଦଶ ବର୍ଷ ଧରି ହେଉଥିବା ଅନ୍ୟାୟକୁ ଶେଷ କରିବାର କାର୍ଯ୍ୟ କରୁଛି ।
ବ୍ୟାଙ୍କରୁ ଋଣ, କେବଳ ବଡ଼-ବଡ଼ ଯୋଜନା ପ୍ରସ୍ତୁତ କରୁଥିବା ଲୋକ ମାନଙ୍କୁ ହିଁ ମିଳୁ, ନିଜସ୍ୱ ଉଦ୍ୟମରେ କିଛି କରିବାର ସ୍ୱପ୍ନ ଦେଖୁଥିବା ଯୁବକ, ବ୍ୟାଙ୍କ ଗ୍ୟାରେଂଟି ନାମରେ ଏଣେତେଣେ ବୁଲୁଥିବେ, ଏ ସ୍ଥିତି ଆଦୌ ଠିକ୍ ନୁହେଁ । ଏଥିପାଇଁ ଆମ ସରକାର ବିନା ଗ୍ୟାରେଂଟିରେ ଋଣ ନେବାର ବିକଳ୍ପ ଦେଲା । ମୁଦ୍ରା ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ 12 କୋଟିରୁ ଅଧିକ ଋଣ ମଞ୍ଜୁର କରାଯାଇଛି । ଏଥିରେ ଗ୍ରାମୀଣ ଏବଂ ସହରୀ ଅଂଚଳରେ ସ୍ୱରୋଜଗାରର ଅସୀମିତ ଦ୍ୱାର ଖୋଲିବା ସମ୍ଭବପର ହୋଇଛି । ମୁଦ୍ରା ଯୋଜନା ଅଧୀନରେ 2 କୋଟି 16 ଲକ୍ଷରୁ ଅଧିକ ତଫସିଲଭୁକ୍ତ ଜାତି ହିତାଧିକାରୀଙ୍କୁ ଲାଭ ମଧ୍ୟ ହୋଇଛି ।
ସାଥୀଗଣ,
ଏହି ବଜେଟରେ ସରକାର ଆଉ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି । ସମଗ୍ର ଦୁନିଆରେ ଏହି ଯେଜନାକୁ ନେଇ ଚର୍ଚ୍ଚା ହେଉଛି । ଏହି ଯୋଜନା ସାମାଜିକ ଅସନ୍ତୁଳନ ଦୂର କରିବା ଦିଗରେ ଆମର ହେଉଛି ଏକ ବହୁତ ବଡ଼ ପ୍ରୟାସ । ଏହି ଯୋଜନାର ନାମ ହେଉଛି- ଆୟୂଷ୍ମାନ ଭାରତ । ଏହି ଯୋଜନା ଅଧୀନରେ ସରକାର ଦେଶରେ ପ୍ରାୟ 11 କୋଟି ଗରିବ ପରିବାର ଅର୍ଥାତ୍ 45 ରୁ 50କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ଗରିବ ପରିବାରରେ ଯଦି କେହି ବେମାର ପଡ଼ି ଥାଆନ୍ତି, ତ, ତାଙ୍କ ଆରୋଗ୍ୟକୁ ସୁନିଶ୍ଚିତ କରିବା ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯିବ ।
ସାଥୀଗଣ,
ଆଜି ଆପଣ ଦେଶର କୌଣସି ଏକ କୋଣକୁ ଚାଲି ଯାଆନ୍ତୁ, ତ ସେଠାରେ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଯେଉଁ ଯୋଜନା ବିଷୟରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ତାହା ହେଉଛି ଉଜ୍ଜ୍ୱଳା ଯୋଜନା । ଦଶକ-ଦଶକ ଧରି ଦେଶରେ ଏଭଳି ସ୍ଥିତି ରହିଥିଲା କି ଗାଁର କିଛି ଘରେ ହିଁ ଗ୍ୟାସ ସଂଯୋଗ ଥିଲା । ଗ୍ୟାସ ସଂଯୋଗ ହେବା କାରଣରୁ ସେହି ଘରର ନିଜସ୍ୱ ପରିଚୟ ଥିଲା । ଯେଉଁ ଘରମାନଙ୍କରେ ଗ୍ୟାସ ନ ଥିଲା, ତାହା ସାମାଜିକ ଅନ୍ୟାୟର ଏକ ଉଦାହରଣ ଥିଲା । ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ସାଢ଼େ ତିନି କୋଟିରୁ ଅଧିକ ଗ୍ୟାସ ସଂଯୋଗ ମାଗଣାରେ ଦେଇଛନ୍ତି । ଏବେ ଏହି ଲକ୍ଷ୍ୟକୁ ବଢ଼ାଇ 8 କୋଟି ସଂଯୋଗ କରି ଦିଆଯାଇଛି । ମୁଁ ବୁଝି ପାରୁଛି କି ବିଗତ ଅନେକ ଦଶକର ଯୋଜନାଗୁଡ଼ିକୁ ତୁଳନା କରିବା, ତେବେ ମଧ୍ୟ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ସବୁଠାରୁ ଲୋକପ୍ରିୟ ଯୋଜନା ।
ସାଥୀଗଣ,
ଏହି ସରକାରରେ ଆଇନ ମାଧ୍ୟମରେ ସାମାଜିକ ସନ୍ତୁଳନ ସ୍ଥାପନା କରିବାର ମଧ୍ୟ ନିରନ୍ତର ପ୍ରୟାସ କରାଯାଇଛି । ଏହା ହେଉଛି ଆମ ସରକାର ଯିଏ 2015ରେ ତଫସିଲଭୁକ୍ତ ଜାତିମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଆଇନକୁ କଠୋର କରିଥିଲେ ।
ତଫସିଲଭୁକ୍ତ ଜାତିମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ସୂଚୀକୁ 22 ଭିନ୍ନ-ଭିନ୍ନ ଉପଧାରାକୁ ବଢ଼ାଇ 47 କରି ଦେଇଥିଲୁ । ଅର୍ଥାତ୍ ଏବେ ତଫସିଲଭୁକ୍ତ ଜାତିଙ୍କ ବିରୁଦ୍ଧରେ 47 ଭିନ୍ନ ଭିନ୍ନ ଉପଧାରାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ । ସାଥୀଗଣ, ଯେତେବେଳେ ଆମ ସରକାର ଏହି ଆଇନକୁ ସଂଶୋଧନ କରିଥିଲେ, ସେତେବେଳେ ଅଭିଯୋଗକାରୀମାନଙ୍କୁ ଆଗୁଆ ଜାମିନ ନ ଦେବାର ଯେଉଁ ବ୍ୟବସ୍ଥା ଥିଲା, ତାହାକୁ ଯଥାରୀତି ରଖାଯାଇଥିଲା । ପିଡୀତମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ମଧ୍ୟ ଏହି ସରକାର ବଢାଇଥିଲେ । ଏହି ଆଇନକୁ କଡାକଡି ଭାବେ ପାଳନ କରାଯାଉ,ଏଥିପାଇଁ ଆମ ସରକାର ପୂର୍ବ ସରକାରଙ୍କ ତୁଳନାରେ ଦୁଇଗୁଣରୁ ଅଧିକ ରାଶି ଖର୍ଚ୍ଚ କରିଥିଲେ । ଯେତେବେଳେ ମାନନୀୟ ସୁପ୍ରିମ କୋର୍ଟ 20 ମାର୍ଚ୍ଚରେ ଏହି ଅଧିନିୟମ ସହିତ ଜଡିତ ନିର୍ଦ୍ଦେଶ ଦେଲେ, ତ କେବଳ ମାତ୍ର 12 ଦିନରେ ପୁନର୍ବିଚାର ଆବେଦନ ମଧ୍ୟ ଦାଖଲ କରାଯାଇଥିଲା ।
ସାଥୀଗଣ,
ନିଜର ତଫସିଲଭୁକ୍ତ ଜାତି ଭାଇ ଭଉଣୀମାନଙ୍କୁ, ପଛୁଆବର୍ଗ, ଆଦିବାସୀମାନଙ୍କ ସମ୍ମାନ ପାଇଁ, ସେମାନଙ୍କ ଅଧିକାର ପାଇଁ ଆମ ସରକାର ହେଉଛନ୍ତି ସଂମ୍ପୂର୍ଣ୍ଣ ପ୍ରତିଶ୍ରୃତିବଦ୍ଧ ।
ଏସସି/ଏସଟି ମାନଙ୍କ ଉପରେ ଅତ୍ୟାଚାର ସହିତ ଜଡିତ ମାମଲାଗୁଡିକର ଶୀଘ୍ର ଶୁଣାଣୀ କରିବା ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଉଛି । ସରକାର ପଛୁଆ ଜାତିର ଉପବର୍ଗ ପାଇଁ କମିଶନ ଗଠନ କରିବାକୁ ନିଷ୍ପତ୍ତି ମଧ୍ୟ କରିଛନ୍ତି । ସରକାର ଚାହୁଁଛନ୍ତି କି ଓବିସି ସମୁଦାୟରେ ଯେଉଁ ଅତି ପଛୁଆ ବର୍ଗ ଅଛନ୍ତି, ସେମାନଙ୍କୁ ସରକାର ଏବଂ ଶିକ୍ଷଣ ସଂସ୍ଥାଗୁଡିକରେ ନିର୍ଦ୍ଧାରିତ ସୀମା ଅଧିନରେ ସଂରକ୍ଷଣର ଆହୁରି ଅଧିକ ଲାଭ ମିଳୁ । ଏଥିପାଇଁ ଓବିସି ସମୁଦାୟର ଉପବର୍ଗ ସୃଷ୍ଟି କରିବା ପାଇଁ କିମଶନ ଗଠନ କରାଯାଇଛି ।
ପ୍ରଥମେ 6 ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା କର୍ମଚାରୀ ସ୍ଵଚ୍ଛଳ ସ୍ତର (କ୍ରିମି ଲେୟାର) ଅଧିନରେ ଆସୁଥିଲେ । ସରକାର ଏହାକୁ ବଢାଇ ପ୍ରତି ବର୍ଷ 8 ଲକ୍ଷ ଟଙ୍କା କରିଦେଇଛନ୍ତି । ଅର୍ଥାତ ଏବେ ପଛୁଆବର୍ଗର ଆହୁରି ଅଧିକ ଲୋକଙ୍କୁ ଓବିସି ସଂରକ୍ଷଣର ଲାଭ ମିଳୁଛି । ପ୍ରଥମେ ସରକାର ଏବଂ ସାର୍ବଜନୀକ କଂପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ସ୍ଵଚ୍ଛଳ ସ୍ତରର ସମାନତା ନ ଥିଲା । ଏହି ଅସନ୍ତୁଳନକୁ ଶେଷ କରିବାର ଦାବି ବିଗତ 24 ବର୍ଷ ଧରି କରାଯାଉଥିଲା । ଏହି ସରକାର କିଛି ମାସ ପୂର୍ବେ ଏହି ଅସନ୍ତୁଳନକୁ ହଟେଇ ଦେଇଛନ୍ତି । କେନ୍ଦ୍ରରେ ଆମ ସରକାର ଆସିବା ପରେ ଏଭଳି ପଦବୀ ପୂରଣ କରିବାରେ ବ୍ୟଗ୍ରତା ଦେଖାଇଛନ୍ତି, ଯାହା ତଫସିଲଭୁକ୍ତ ଜାତି -ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଅଛି ।
ସାଥୀଗଣ,
ସାମାଜିକ ଅଧିକାର ଏହି ସରକାର ପାଇଁ କେବଳ କହିବା-ଶୁଣିବାର କଥା ନୁହେଁ, ବରଂ ହେଉଛି ଏକ ପ୍ରତିବଦ୍ଧତା ।
ଯେଉଁ ‘ନିଉ ଇଣ୍ଡିଆ’ କଥା ମୁଁ କହୁଛି ତାହା ମଧ୍ୟ ହେଉଛି ବାବାସାହେବଙ୍କର ମଧ୍ୟ ସ୍ୱପ୍ନର ଭାରତ । ଡ଼କ୍ଟର ଆମ୍ବେଦକରଙ୍କ 125ତମ ଜୟନ୍ତୀକୁ ଦେଶ-ବିଦେଶରେ ବହୁତ ଆଡମ୍ବର ସହକାରେ ପାଳନ କରାଗଲା । ଏହି ଅବସରରେ ସ୍ୱତନ୍ତ୍ର ଡାକ ଟିକଟ, ମୁଦ୍ରା ଜାରୀ କରାଗଲା ।
ସାଧାରଣତନ୍ତ୍ର ଦିବସ ଅବସରରେ ବାବାସାହେବଙ୍କ ସମ୍ବନ୍ଧିତ ପ୍ରଜ୍ଞାପନ ମେଢ ବାହାର କରାଯାଇଥିଲା । ଆମେରିକା ଏବଂ ବ୍ରିଟେନରେ ଯେଉଁଠାରେ ବାବାସାହେବ ଅଧ୍ୟୟନ କରିଥିଲେ, ସେଠାକୁ ମଧ୍ୟ ଅନେକ ବିଦ୍ୟାର୍ଥୀଙ୍କୁ ପଠାଯାଇଥିଲା ।
ସରକାର ଐତିହାସିକ ନିଷ୍ପତ୍ତି ନେଇ 26 ନଭେମ୍ବର ଯେଉଁ ଦିନ, ସମ୍ବିଧାନକୁ ସ୍ୱୀକାର କରାଯାଇଥିଲା, ତାହାକୁ ସମ୍ବିଧାନ ଦିବସ ଭାବେ ଘୋଷଣା କଲେ ଏବଂ ପ୍ରଥମ ଥର ସମ୍ବିଧାନ ଉପରେ ସଂସଦରେ ଦୁଇ ଦିନ ଧରି ଆଲୋଚନା କରାଗଲା ।
ଭାଇ ଓ ଭଉଣୀମାନେ,
ମୁଁ ଆଜି ଦେଶର ଲୋକଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି କି ଏହା ବାବା ସାହେବଙ୍କ ସତ୍ୟନିଷ୍ଠା, କର୍ତ୍ତବ୍ୟନିଷ୍ଠା ଏବଂ ରାଷ୍ଟ୍ର ନିର୍ମାଣର ପବିତ୍ର ଯଜ୍ଞରେ ହିଁ ହେଉଛି ତାଙ୍କର ଯୋଗଦାନ, ଯେଉଁଥିପାଇଁ ସେ ଭାରତୀୟଙ୍କ ହୃଦୟରେ ନିବାସ କରୁଛନ୍ତି ।
ନଚେତ କଂଗ୍ରେସ ସଂମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲା କି, ଇତିହାସରୁ ତାଙ୍କ ଚିହ୍ନ ବର୍ଣ୍ଣ ଲିଭିଯାଉ । ଏହା ହେଉଛି ଇତିହାସର ବହୁତ କଟୁ ସତ୍ୟ ଯେ, ଯେତେବେଳେ ବାବା ସାହେବ ଜୀବିତ ଥିଲେ, ସେତେବେଳେ ମଧ୍ୟ କଂଗ୍ରେସ ତାଙ୍କୁ ଅପମାନିତ କରିବାର କୌଣସି ପ୍ରକାର ପ୍ରୟାସ ହାତଛଡା କରି ନ ଥିଲା ।
ଏଥିପାଇଁ ଭାଇ ଓ ଭଉଣୀମାନେ,
କଂଗ୍ରେସ ଏବଂ ବାବାସାହେବଙ୍କ ମଧ୍ୟରେ ଯେତେବେଳେ ସଂପର୍କ ତୁଟିବାର ଶେଷ ସମୟ ଥିଲା, ସେହି ସମୟ ବିଷୟରେ ମୁଁ ଆପଣମାନଙ୍କୁ ବିସ୍ତାର ଭାବରେ କିଛି କଥା କହିବାକୁ ଚାହୁଁଛି । ଏହି କଥା ମନେପକାଇବା ଏଇଥି ପାଇଁ ଆବଶ୍ୟକ, କାରଣ ତାହା କଂଗ୍ରେସର ଅସଲ ଚେହେରାକୁ ସାମ୍ନାକୁ ଆଣିଥାଏ ।
ସାଥୀଗଣ,
ଅନେକ ବିବାଦ କାରଣରୁ ବାବାସାହେବ ନେହେରୁ ମହୋଦୟଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ନିଜ ବୟାନରେ ବାବାସାହେବ ଗୋଟିଏ-ଗୋଟିଏ କରି ନିଜ ଅସୁବିଧା ଓ କଷ୍ଟ ବିଷୟରେ ଉଲ୍ଲେଖ କରିଥିଲେ ।
ସେ କାରଣ ଗୁଡିକ ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଭାବେ କହିଥିଲେ, ଯେଉଁଥିପାଇଁ ସେ ଇସ୍ତଫା ଦେଇଥିଲେ । ମୁଁ ସେହି ବୟାନର କିଛି ଧାଡି ଆପଣମାନଙ୍କୁ କହିବାକୁ ଚାହୁଁଛି । ।
ଏହି ବୟାନ ଏଇଥିପାଇଁ ବହୁତ ବହତ୍ୱପୂର୍ଣ୍ଣ ଅଟେ, କାରଣ ସାରା ଦେଶର ତଫସିଲଭୁକ୍ତ ଜାତି ସମାଜ, ସାରା ଦେଶର ଆଦିବାସୀ, ପଛୁଆ ସମାଜ, ପ୍ରତ୍ୟେକ ଭାରତବାସୀ ଏହା ଜାଣନ୍ତୁ କି, ଦେଶରେ ଜରୁରୀ ପରିସ୍ଥିତି ଲଗାଇଥିବା କଂଗ୍ରେସ ସରକାର ସମ୍ବିଧାନ ରଚୟିତାଙ୍କ ସହିତ କିଭଳି ବ୍ୟବହାର କରିଥିଲେ ।
ସାଥୀଗଣ, ବାବା ସାହେବ ଲେଖିଥିଲେ–
“ମୋତେ କ୍ୟାବିନେଟର କୌଣସି କମିଟିରେ ନିଆଗଲା ନାହିଁ ।
ନା କେବଳ ବିଦେଶ ମନ୍ତ୍ରଣାଳୟ କମିଟିରେ,
ନା ପ୍ରତିରକ୍ଷା କମିଟିରେ ।
ଯେତେବେଳେ ଆର୍ଥିକ ବ୍ୟାପାର କମିଟି ଗଠନ ହେଉଥିଲା, ତ ମୋତେ ଲାଗିଲା କି ସେଥିରେ ମୋତେ ନିଶ୍ଚୟ ସାମିଲ କରାଯିବ, କାରଣ ମୁଁ ଅର୍ଥଶାସ୍ତ୍ର ଏବଂ ଆର୍ଥିକ ବ୍ୟାପାର ବିଷୟର ଛାତ୍ର ଥିଲି । କିନ୍ତୁ ମୋତେ ସେଥିରୁ ମଧ୍ୟ ବାଦ ଦିଆଗଲା” ।
ବାବା ସାହେବଙ୍କୁ ନେଇ କଂଗ୍ରେସର କ’ଣ ଚିନ୍ତାଧାରା ଥିଲା, ତାହାର ଏହି ସତ୍ୟତା 70 ବର୍ଷ ପୂର୍ବରୁ ଥିଲା ।
ଯେଉଁ ବ୍ୟକ୍ତି ଦୁନିଆର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି, ସେହି ବ୍ୟକ୍ତିଙ୍କୁ କଂଗ୍ରେସ ଦ୍ୱାରା ପ୍ରତି କ୍ଷଣରେ ଅପମାନିତ କରାଯାଇଛି ।
ନିଜେ ବାବାସାହେବ କହିଛନ୍ତି କି, ତାଙ୍କୁ କେବଳ ଗୋଟିଏ ମନ୍ତ୍ରଣାଳୟ ଦିଆଗଲା ଯେଉଁଥିରେ ବହୁତ କିଛି କାମ ନ ଥିଲା । ସେ ଭାବୁଥିଲେ ଯୋଜନାଗୁଡିକ ସ୍ଥିର କରିବାର କାମରେ ଯୋଡି ହେବେ, ଯେଉଁ ବିଷୟରେ ସେ ହେଉଛନ୍ତି ସିଦ୍ଧହସ୍ତ, ସେ ନିଜର ଅନୁଭବର ଲାଭ ଦେଶକୁ ଦେବେ, କିନ୍ତୁ ତାଙ୍କୁ ସେ ସବୁଠାରୁ ଦୂରରେ ରଖାଗଲା । ଏପରିକି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସମୟରେ, କୌଣସି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମଧ୍ୟ ବାବାସାହେବଙ୍କୁ ଦିଆଗଲା ନାହିଁ ।
ସାଥୀଗଣ,
ଆଉ ଏକ ବଡ଼ କାରଣ ଥିଲା କି ଯେଉଁଥିପାଇଁ ବାବାସାହେବ ଇସ୍ତଫା ଦେଲେ । ଏହି କାରଣ ମଧ୍ୟ ସୂଚାଉଛି କଂଗ୍ରେସର ତଫସିଲଭୁକ୍ତ ଜାତି ଏବଂ ପଛୁଆବର୍ଗଙ୍କ ପ୍ରତି କିପରି ବ୍ୟବହାର ଥିଲା ।
ନିଜ ବୟାନରେ ବାବାସାହେବ ଆହୁରି ଲେଖିଥିଲେ-
“ମୁଁ ଏବେ ଆପଣମାନଙ୍କୁ କାରଣ କହିବାକୁ ଚାହୁଁଛି ଯାହା ସରକାରରୁ ମୋର ମୋହଭଙ୍ଗ କରିଦେଲା । ଏହା ପଛୁଆବର୍ଗ ଏବଂ ତଫସିଲଭୁକ୍ତ ଜାତିମାନଙ୍କ ସହିତ କରାଯାଉଥିବା ବ୍ୟବହାର ସହିତ ଜଡିତ ।
ମୋ ପାଇଁ ଏହା ଚିନ୍ତାର ବିଷୟ ଥିଲା କି ସମ୍ବିଧାନରେ ପଛୁଆ ଜାତିଙ୍କ ହିତ ପାଇଁ ସଂରକ୍ଷଣ ନିମନ୍ତେ ଉଚିତ ବ୍ୟବସ୍ଥା ନାହିଁ । ଏହି କାର୍ଯ୍ୟ ଜଣେ କମିଶନଙ୍କ ସୁପାରିଶ ଆଧାରରେ ହେବାର ଥିଲା ।
ସମ୍ବିଧାନ ଲାଗୁ ହେବାର ଗୋଟିଏ ବର୍ଷରୁ ଅଧିକ ସମୟ ହୋଇଯାଇଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ କମିଶନ ନିଯୁକ୍ତି କରିବା ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି” ।
ସାଥୀଗଣ,
ସେ ସମୟରୁ ନେଇ ଆଜି ପର୍ଯ୍ୟନ୍ତ, କଂଗ୍ରେସର ଚିନ୍ତାଧାରା ବଦଳି ନାହିଁ । 70 ବର୍ଷ ପୂର୍ବେ ପଛୁଆ ଜାତିମାନଙ୍କ ବିଷୟରେ କମିଶନ ଗଠନକୁ ନେଇ କଂଗ୍ରେସ କଥାକୁ ଆଗକୁ ବଢାଇ ନାହିଁ । ଏପରିକି ଡ଼କ୍ଟର ଆମ୍ବେଦକରଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।
ଆଜି 70 ବର୍ଷ ପରେ ମଧ୍ୟ କଂଗ୍ରେସ ସଂସଦରେ ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେବା କାର୍ଯ୍ୟକୁ ଅଟକାଇବାର କାମ କରୁଛି । ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ମିଳିବା ପରେ ଏହି କମିଶନର ମଧ୍ୟ ଏସସି/ଏସଟି କମିଶନ ଭଳି ଶକ୍ତି ହାସଲ ହୋଇଯିବ । କିନ୍ତୁ କଂଗ୍ରେସ ମଧ୍ୟ ଏଥିରେ ବାଟ ଓଗାଳୁଛି ।
ସାଥୀଗଣ,
ଆପଣମାନଙ୍କୁ ମୁଁ ବାବାସାହେବଙ୍କ ଇସ୍ତଫା ପ୍ରକରଣରେ ଏତେ ବିସ୍ତାରରେ ଏଇଥି ପାଇଁ କହିଲି, କାରଣ କଂଗ୍ରେସ ଦ୍ୱାରା ଏହି ଭ୍ରମ ସୃଷ୍ଟି କରାଯାଉଛି କି ସେମାନେ ତ ବାବାସାହେବଙ୍କୁ ଦେଶର ଆଇନ ମନ୍ତ୍ରୀ କରିଥିଲେ ।
ଆଇନ ମନ୍ତ୍ରୀ ହେବା ପରେ ବାବାସାହେବଙ୍କ ସହିତ କଂଗ୍ରେସ ଯେଉଁ ବ୍ୟବହାର କରିଛି, ତାହା ପ୍ରତ୍ୟେକ ଭାରତୀୟଙ୍କୁ ଜାଣିବା ଦରକାର । କାରଣ ସ୍ୱାଧୀନତା ପରେ କଂଗ୍ରେସ ଏଭଳି ପରିବେଶ ସୃଷ୍ଟି କରିଥିଲା କି ଦେଶର ଇତିହାସ କେବଳ ଗୋଟିଏ ପରିବାରର ଆଖପାଖ ମଧ୍ୟରେ ସିମୀତ ହୋଇ ରହିଗଲା ।
ଯେଉଁମାନେ କଂଗ୍ରେସର ଆଦର୍ଶଗତ ଭାବଧାରା ଆଗରେ ନଇଁଲେ ନାହିଁ, ସେମାନଙ୍କୁ ପୁସ୍ତକରେ ମଧ୍ୟ ସ୍ଥାନ ମିଳିନା ନାହିଁ ।
ସାଥୀଗଣ,
1951ରେ କ୍ୟାବିନେଟରୁ ଇସ୍ତଫା ଦେବା ପରେ ବାବାସାହେବ 1952 ରେ ଲୋକସଭାର ସାଧାରଣ ନିର୍ବାଚନ ଲଢିଥିଲେ ।
କଂଗ୍ରେସ ସେହି ସମୟରେ ନା କେବଳ ତାଙ୍କ ବିରୁଦ୍ଧରେ ନିଜର ପ୍ରାର୍ଥୀ ଠିଆ କରାଇଥିଲା ବରଂ ନିଜେ ନେହେରୁ ମହୋଦୟ, ବାବାସାହେବଙ୍କ ବିରୁଦ୍ଧରେ ପ୍ରଚାର କରିବାକୁ ଯାଇଥିଲେ । କଂଗ୍ରେସ ଦ୍ୱାରା ନିଜର ସମସ୍ତ ଶକ୍ତି ଲଗାଇବା ଯୋଗୁଁ ବାବା ସାହେବଙ୍କୁ ପରାଜୟର ଅପମାନ ସହିବାକୁ ପଡିଲା ।
ଏହା ପରେ ସେ 1953ରେ ଭଣ୍ଡାରା ଆସନରୁ ଲୋକସଭା ଉପନିର୍ବାଚନ ଲଢିଲେ । କଂଗ୍ରେସ ପୁଣି ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ଠିଆ କରାଇଲା ଏବଂ ପୁଣି ବାବା ସାହେବଙ୍କୁ ଲୋକସଭାରେ ପହଁଚିବାରୁ ରୋକି ଦିଆଗଲା । ଏହି କ୍ରମାଗତ ଅପମାନ ସମୟରେ ଡ଼କ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ତାଙ୍କ ସାଙ୍ଗରେ ଠିଆ ହୋଇଥିଲେ । ତାଙ୍କ ପ୍ରୟାସ ଯୋଗୁଁ ସେ ରାଜ୍ୟସଭାରେ ପହଁଚିଥିଲେ ।
ସାଥୀଗଣ,
ମୁଁ କଂଗ୍ରେସକୁ ଆହ୍ୱାନ କରୁଛି ।
ସେମାନେ ଗୋଟିଏ କଥା କହି ଦିଅନ୍ତୁ ଯାହା ବାବାସାହେବଙ୍କ ପାଇଁ କରିଛନ୍ତି ।
ସେମାନେ ଗୋଟିଏ କଥା କୁହନ୍ତୁ ଯାହା ବାବାସାହେବଙ୍କ ସମ୍ମାନ ପାଇଁ କରିଛନ୍ତି ।
ଭାଇ ଓ ଭଉଣୀମାନେ,
ଆମକୁ, ଆପଣମାନଙ୍କୁ ଜଣା ଅଛି କି କଂଗ୍ରେସ ପାଖରେ କୌଣସି ଉତ୍ତର ନାହିଁ । ଉତ୍ତର ନାମରେ ସେମାନେ କେବଳ ମିଛ କହିବେ । ସତ୍ୟ ଏହା ଯେ ବାବାସାହେବଙ୍କ ନିଧନ ପରେ କଂଗ୍ରେସ ରାଷ୍ଟ୍ର ନିର୍ମାଣରେ ତାଙ୍କ ଯୋଗଦାନକୁ ମଧ୍ୟ ଲିଭାଇ ଦେବାର ପ୍ରୟାସ କରିଛି । ନେହେରୁ ମହୋଦୟଙ୍କ ଠାରୁ ନେଇ ରାଜୀବ ଗାନ୍ଧୀଙ୍କ ପର୍ଯ୍ୟନ୍ତ, କଂଗ୍ରେସର ସମସ୍ତ ଲୋକଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ, କିନ୍ତୁ ସେମାନଙ୍କୁ କେବେହେଲେ ବାବାସାହେବ, ‘ଭାରତ ରତ୍ନ’ ବୋଲି ଲାଗିଲେ ନାହିଁ ।
ବାବା ସାହେବଙ୍କୁ ‘ଭାରତ ରତ୍ନ’ ସେତେବେଳେ ମିଳିଲା ଯେତେବେଳେ ଭି.ପି ସିଂହଙ୍କ ସରକାର ଗଠନ ହେଲା, ଯେତେବେଳେ ଅଟଳ ବିହାରୀ ବାଜପେୟୀ ମହୋଦୟ, ଆଡଭାନୀ ମହୋଦୟ, ବାବା ସାହେବଙ୍କୁ ଭାରତ ରତ୍ନ ଦେବାକୁ ଅନୁରୋଧ କଲେ ।
ଏହା ବିଜେପିର ହିଁ ପ୍ରୟାସ ଥିଲା, କି ସଂସଦ ଭବନର କେନ୍ଦ୍ରୀୟ ହଲ୍ ରେ ବାବା ସାହେବଙ୍କ ଚିତ୍ର ଲାଗାଯାଇଥିଲା ।
ନଚେତ ବାବାସାହେବଙ୍କ ଚିତ୍ର ଲଗାଇବା ବିରୁଦ୍ଧରେ ଏହି ଯୁକ୍ତି ଦର୍ଶାଯାଉଥିଲା କି କେନ୍ଦ୍ରୀୟ ହଲରେ ସ୍ଥାନ ନାହିଁ ।
ଚିନ୍ତା କରନ୍ତୁ ଯେଉଁ ବ୍ୟକ୍ତି କେନ୍ଦ୍ରୀୟ ହଲ୍ ରେ ବସି ସମ୍ବିଧାନ ରଚନା କରିଛନ୍ତି, ଦେଶ ବିଷୟରେ ଘଂଟା ଘଂଟା ଧରି ସୁକ୍ଷ୍ମ ଭାବେ ଚର୍ଚ୍ଚା କରିଥିଲେ, କଂଗ୍ରେସ ଶାସନ ସମୟରେ ତାଙ୍କ ପାଇଁ କେନ୍ଦ୍ରୀୟ ହଲ୍ ରେ କୌଣସି ସ୍ଥାନ ତ ଥିଲା ।
ଭାଇ ଓ ଭଉଣୀମାନେ,
ମୁଁ ଦୃଢତାର ସହିତ କହି ପାରିବି କି ଯଦି 90 ଦଶକରେ ପଛୁଆବର୍ଗ ଏବଂ ତଫସିଲଭୁକ୍ତ ଜାତିଙ୍କ ଅଧିକାର ଉପରେ ରାଷ୍ଟ୍ରବ୍ୟାପୀ ଆଲୋଚନା ଆରମ୍ଭ ହୋଇ ନ ଥାନ୍ତା, ତ କଂଗ୍ରେସ ଆଜି ମଧ୍ୟ ବାବାସାହେବଙ୍କ ସହିତ ନିଜର ଘୃଣା ଭାବ ସାର୍ବଜନୀନ ଭାବେ ସେହିଭଳି ହିଁ ଦେଖାଉଥିଲା । କଂଗ୍ରେସକୁ ବାବାସାହେବଙ୍କ ନାମରେ ଭୋଟ ବ୍ୟାଙ୍କ ଦୃଷ୍ଟିଗୋଚର ହେଉଛି, କ୍ଷମତା ଦୃଷ୍ଟିକୁ ଆସୁଛି, ଏଥିପାଇଁ ସେମାନେ ଏବେ ବାଧ୍ୟ ହୋଇ ତାଙ୍କ ନାମ ନେବା ଭଳି ଦେଖାଇ ହେଉଛନ୍ତି ।
ମୁଁ ବୁଝି ପାରୁଛି, କଂଗ୍ରେସର ନିଜର ଇତିହାସରେ, ବାବାସାହେବଙ୍କ ନାମ ନେବା ସବୁଠରୁ ବଡ଼ ବାଧ୍ୟବାଧକତାରୁ ହେଉଛି ଗୋଟିଏ ।
ଏହା ବାବାସାହେବଙ୍କ ମହାନ କର୍ମ, ଦେଶ ପାଇଁ ତାଙ୍କ ସେବାର ଫଳ କି ଗୋଟିଏ ପରିବାରର ପୂଜା କରୁଥିବା ଲୋକ, ସେହି ପରିବାରକୁ ଦେଶର ଭାଗ୍ୟବିଧାତା ଭାବୁଥିବା ଲୋକ, ଏବେ ଛାତିରେ ପଥର ରଖି ବାବାସାହେବଙ୍କ ନାମ ନେଉଛନ୍ତି ।
କିନ୍ତୁ ମୋତେ ଜଣାଅଛି କି, କଂଗ୍ରେସ ଏହା ମଧ୍ୟ କରିବ ନାହିଁ । ସେ କେବଳ ଭ୍ରମ ସୃଷ୍ଟି କରି ପାରିବ, ତଫସିଲଭୁକ୍ତ ଜାତି , ପଛୁଆ ବର୍ଗ, ଆଦିବାସୀଙ୍କୁ ମିଛ କହି ପାରିବ, ସେମାନଙ୍କ ମଧ୍ୟରେ ଅପପ୍ରଚାର କରିବ । ଏହି ପ୍ରୟାସର ଏକ ଚିତ୍ର ଏହି ମାସର ଦୁଇ ତାରିଖରେ ଆମେ ଦେଖି ସାରିଛୁ । କେବେ ସଂରକ୍ଷଣ ଶେଷ କରିଦେବାର ଅପପ୍ରଚାର କରାଯାଉଛି, କେବେ ତଫସିଲଭୁକ୍ତ ଜାତି ଙ୍କ ଅତ୍ୟାଚାର ସହିତ ଜଡିତ ଆଇନ ଶେଷ କରି ଦେବାର ଅପପ୍ରଚାର କରିବା, ଭାଇ ସହିତ ଭାଇକୁ ଲଢାଇବାରେ କଂଗ୍ରେସ କୌଣସି ପ୍ରକାରର ପ୍ରୟାସକୁ ହାତଛଡା କରୁ ନାହିଁ ।
ସାଥୀଗଣ,
କଂଗ୍ରେସ କେବେ ଚାହୁଁ ନ ଥିଲା କି ନା ଆଜି ଚାହୁଁଛି କି ତଫସିଲଭୁକ୍ତ ଜାତି, ନିଷ୍ପେସିତ ଏବଂ ପୀଡିତ ବିକାଶର ମୁଖ୍ୟଧାରାକୁ ଆସନ୍ତୁ ।
ଯେତେବେଳେ କି ଆମ ସରକାର, ବାବାସାହେବଙ୍କ ଦେଖାଇଥିବା ପଥରେ ଚାଲି, ‘ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶ’ର ମନ୍ତ୍ର ସହିତ ସମାଜର ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ବିକାଶର ଲାଭ ପହଁଚାଇବାର ପ୍ରୟାସ କରୁଛନ୍ତି ।
କୌଣସି ମଧ୍ୟ ରାଜନୈତିକ ଦଳ ଏବଂ ବ୍ୟକ୍ତି ଯେଉଁମାନେ ସଚ୍ଚୋଟତାର ସହିତ ବାବା ସାହେବଙ୍କର ନାମର ମାଳା ଜପୁଛନ୍ତି, ତାଙ୍କ ଉପରେ ଆସ୍ଥା ରଖୁଛନ୍ତି, କେବେ ମଧ୍ୟ କଂଗ୍ରେସ ସହିତ ଯିବେ ନାହିଁ ।
ସାଥୀଗଣ,
ମୁଁ ଯଦି ଗରିବ ଏବଂ ପଛୁଆ ପରିବାରରେ ଜନ୍ମ ହୋଇ ନ ଥାନ୍ତି, ତ ବାବାସାହେବଙ୍କୁ ଏତେ ସହଜରେ ବୁଝି ପାରି ନ ଥାନ୍ତି । ମୁଁ ଗରିବୀ ଦେଖିଛି, ଜାତି ସହିତ ଜଡିତ ଅପଶବ୍ଦ ମଧ୍ୟ ଶୁଣିଛି, ନିନ୍ଦା ମଧ୍ୟ ଶୁଣିଛି । ଏଥିପାଇଁ ମୋ ଭଳି ବ୍ୟକ୍ତି ନିମନ୍ତେ ଏହି ଅନୁଭବ ସହଜ ରହିଛି କି ସେହି ସମୟରେ ବାବାସାହେବଙ୍କୁ କ’ଣ କ’ଣ ସହିବାକୁ ପଡିଛି । ବାବାସାହେବଙ୍କ ପ୍ରେରଣାରୁ ହିଁ, କାଲିଠାରୁ, ଅର୍ଥାତ ତାଙ୍କ ଜୟନ୍ତୀଠାରୁ, ଦେଶରେ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି । ମୁଁ ନିଜେ ମଧ୍ୟ ଛତିଶଗଡର ବିଜାପୁରରେ ରହିବି । କାଲି(14 ଏପ୍ରିଲ 2018)ଠାରୁ ଦେଶରେ ଆଂଚଳିକ ବିକାଶରେ ଥିବା ଅସନ୍ତୁଳନ, ସ୍ୱାସ୍ଥ୍ୟରେ ଥିବା ଅସନ୍ତୁଳନକୁ ଶେଷ କରବା ପାଇଁ ଏକ ନୂତନ ଅଧ୍ୟାୟମର ମଧ୍ୟ ଶୁଭାରମ୍ଭ ହେବ ।
ସାଥୀଗଣ,
ସାମାଜିକ ନ୍ୟାୟ ଏହି ସରକାରଙ୍କ ପାଇଁ କେବଳ ଏକ କହିବା ଶୁଣିବା କଥା ନୁହେଁ, ବରଂ ହେଉଛି ଏକ ପ୍ରତିଶୃତିବଦ୍ଧତା । କିନ୍ତୁ ଯେଭଳି ଘଟଣାମାନ ଆମେ ବିଗତ ଦିନରେ ଦେଖିଛୁ, ତାହା ସାମଜିକ ନ୍ୟାୟର ଅବଧାରଣାକୁ ଆହ୍ୱାନ ଦେଇଛି ।
ବିଗତ ଦୁଇ ଦିନ ହେବ ଯେଉଁ ଘଟଣାମାନ ଚର୍ଚ୍ଚାରେ ଅଛି ତାହା ନିଶ୍ଚିତ ଭାବେ କୌଣସି ସଭ୍ୟ ସମାଜ ପାଇଁ ଳଜ୍ୟାଜନକ । ଆମର ସ୍ୱାଧୀନତା ସଂଗ୍ରାମୀମାନେ, ଯେଉଁମାନେ ନିଜ ଜୀବନ ଏହି ଦେଶର ଭବିଷ୍ୟତ ପାଇଁ ବଳିଦାନ କରି ଦେଇଛନ୍ତି, ଏହା ହେଉଛି ସେମାନଙ୍କ ବଳିଦାନର ଅପମାନ ।
ଗୋଟିଏ ସମାଜ ଭାବେ, ଗୋଟିଏ ଦେଶ ଭାବେ ଆମେ ସମସ୍ତେ ଏଥିପାଇଁ ଲଜ୍ଜିତ, ଦେଶର କୌଣସି ମଧ୍ୟ ରାଜ୍ୟରେ, କୌଣସି କ୍ଷେତ୍ରରେ ହେଉଥିବା ଏହି ଭଳି ଘଟଣା, ଆମର ମାନବିକ ସମ୍ବେଦନାକୁ ଦୋହଲାଇ ଦେଇଛି । ମୁଁ ଦେଶକୁ ବିଶ୍ୱାସ ଦେଉଛି କି କୌଣସି ଅପରାଧୀ ବଂଚିବେ ନାହିଁ, ନ୍ୟାୟ ହେବ ଏବଂ ଭଲ ଭାବେ ନ୍ୟାୟ ହେବ । ଆମ ଏହି ଆଭ୍ୟନ୍ତରୀଣ କୁପ୍ରଥାକୁ ଶେଷ କରିବାର କାର୍ଯ୍ୟ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ହେବ ।
ମୁଁ ତ ଲାଲକିଲ୍ଳାରୁ କହିବାର ସାହସ କରିଥିଲି କି ଝିଅକୁ ନାହିଁ ପୁଅକୁ ପଚାର । ଆମକୁ ପାରିବାରିକ ବ୍ୟବସ୍ଥା, ସାମାଜିକ ମୂଲ୍ୟବୋଧ ଠାରୁ ନେଇ ନ୍ୟାୟ ବ୍ୟବସ୍ଥା ପର୍ଯ୍ୟନ୍ତ, ସବୁକିଛିକୁ ଏଥିପାଇଁ ମଜବୁତ କରିବାକୁ ପଡିବ ।
ସେତେବେଳେ ଯାଇ ଆମେ ବାବାସାହେବଙ୍କ ସ୍ୱପ୍ନର ଭାରତ ନିର୍ମାଣ କରି ପାରିବା, ନିଉ ଇଣ୍ଡିଆ ନିର୍ମାଣ କରି ପାରିବା ।
ବାବା ସାହେବଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହୁ, ତାଙ୍କ ବିଚାରରୁ ଆପଣ ମଧ୍ୟ ନିରନ୍ତର ପ୍ରେରଣା ନିଅନ୍ତୁ, ଏହି କାମନା ସହିତ ମୁଁ ମୋ ନିଜ କଥା ସମାପ୍ତ କରୁଛି ।
ପୁଣି ଥରେ ଆପଣ ସମସ୍ତଙ୍କୁ, ଦେଶର ସମସ୍ତ ଲୋକଙ୍କୁ, ଡ଼କ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀ ପାଇଁ ବହୁତ ବହୁତ ଶୁଭକାମନା ।
ଧନ୍ୟବାଦ!!!
**********
26, अलीपुर रोड पर बना यह स्मारक देश के मानचित्र पर हमेशा के लिए अंकित हो गया है। pic.twitter.com/CLGo3WqV7D
— Narendra Modi (@narendramodi) April 13, 2018
हमारी सरकार का बड़ा सौभाग्य रहा है कि हमें पूज्य बाबासाहेब से जुड़े हुए 5 स्थानों को पंचतीर्थ के रूप में विकसित करने का अवसर मिला। ये स्थान, ये तीर्थ सिर्फ ईंट-गारे की इमारत भर नहीं हैं, बल्कि ये जीवंत संस्थाएं हैं, प्रेरणा के स्रोत हैं। pic.twitter.com/MSZ3bxp08M
— Narendra Modi (@narendramodi) April 13, 2018
पूज्य बाबासाहेब के विचारों का मूल तत्व है - समानता। हमारी सरकार की प्रत्येक योजना में सामाजिक न्याय और बिना किसी भेदभाव के सभी को समानता का अधिकार देने का प्रयास दिखेगा। pic.twitter.com/OEWTZydZeq
— Narendra Modi (@narendramodi) April 13, 2018
दलित, पिछड़े और आदिवासी भाइयों-बहनों के सम्मान के लिए हम पूरी तरह प्रतिबद्ध हैं। pic.twitter.com/MsxYOSbIL7
— Narendra Modi (@narendramodi) April 13, 2018
आज के युवाओं को जानना आवश्यक है कि किस तरह कांग्रेस ने पूज्य बाबासाहेब को हर समय अपमानित किया! pic.twitter.com/ZeIR6SsntW
— Narendra Modi (@narendramodi) April 13, 2018
आज भी कांग्रेस नहीं बदली। वो बाबासाहेब को अपमानित करती रहती है।
— Narendra Modi (@narendramodi) April 13, 2018
ओबीसी कमीशन के मामले में कांग्रेस का नकारात्मक रुख सब जानते हैं। pic.twitter.com/U2Fzd4IaDU
एक नहीं, दो बार कांग्रेस ने पूज्य बाबासाहेब को चुनाव में हराया।
— Narendra Modi (@narendramodi) April 13, 2018
उस समय अगर कोई पूज्य बाबासाहेब के साथ डटकर खड़े रहे तो वे थे डॉ. श्यामा प्रसाद मुखर्जी और जनसंघ। pic.twitter.com/sjxXBWkGVb
पूज्य बाबासाहेब के महापरिनिर्वाण के बाद कांग्रेस ने राष्ट्र निर्माण में उनके योगदान को भी मिटाने की कोशिश की।
— Narendra Modi (@narendramodi) April 13, 2018
भाजपा के प्रयासों के कारण उनकी तस्वीर सेंट्रल हॉल में लगाई गई, उन्हें भारत रत्न से सम्मानित किया गया। pic.twitter.com/9kCuBQbm2k
सबका साथ, सबका विकास के मंत्र के साथ हम बाबासाहेब की दिखाई राह पर चलते रहेंगे। pic.twitter.com/mdCnPvQVwg
— Narendra Modi (@narendramodi) April 13, 2018
Honoured to inaugurate the Dr. Ambedkar National Memorial at 26, Alipur Road in Delhi. Sharing my speech on the occasion. https://t.co/SEi55s07DQ pic.twitter.com/qNXBWXDbAW
— Narendra Modi (@narendramodi) April 13, 2018