Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଥାୱର ଚାନ୍ଦ ଗହଲେଟ ମହାଶୟ,

ଶ୍ରୀ ବିଜୟ ସାଂପଲା ମହାଶୟ,

ଶ୍ରୀ ରାମଦାସ ଅଠାୱଲେ ମହାଶୟ,

ଶ୍ରୀ କୃଷ୍ଣପାଲ ମହାଶୟ,

ଶ୍ରୀ ବିଜୟ ଗୋଏଲ ମହାଶୟ,

ସାମାଜିକ ନ୍ୟାୟ ଏବଂ ଅଧିକାରିତା ସଚିବ ଲତାକୃଷ୍ଣ ରାଓ ମହାଶୟ, ଆଉ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ, ଭାଇ ଓ ଭଉଣୀମାନେ,

ଏହା ମୋର ସୌଭାଗ୍ୟ ହେଉଛି କି ମୋତେ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର (ଡିଏଆଇସି) ଦେଶକୁ ସମର୍ପିତ କରିବାର ସୁଯୋଗ ମିଳିଛି ।

ମୋ ପାଇଁ ଏହା ହେଉଛି ଦୁଇଗୁଣ ଖୁସିର ବିଷୟ ଯେ ଏହି ଆନ୍ତର୍ଜାତିକ କେନ୍ଦ୍ରର ଶିଳାନ୍ୟାସ କରିବାର ସୁଯୋଗ ମଧ୍ୟ ମୋତେ ହିଁ 2015ରେ ଦିଆଯାଇଥିଲା । ବହୁତ କମ୍ ସମୟରେ ହିଁ, ବରଂ ସ୍ଥିର ହୋଇଥିବା ସମୟ ପୂର୍ବରୁ, ଏହି ଭବ୍ୟ ଆନ୍ତର୍ଜାତିକ କେନ୍ଦ୍ରର ନିର୍ମାଣ ହୋଇଛି । ମୁଁ ଏହି କେନ୍ଦ୍ରର ନିର୍ମାଣ ସହିତ ଜଡ଼ିତ ପ୍ରତ୍ୟେକ ବିଭାଗକୁ ବହୁତ-ବହୁତ ଶୁଭକାମନା ଜଣାଉଛି ।

ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଏହି କେନ୍ଦ୍ର ବାବା ସାହେବଙ୍କ ଶିକ୍ଷାକୁ, ତାଙ୍କର ବିଚାରର ପ୍ରସାର ପାଇଁ ଏକ ବଡ଼ ପ୍ରେରଣା ସ୍ଥଳର ଭୂମିକା ତୁଲାଇବ । ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ ହିଁ ‘ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଂଟର ଫର୍ ସୋସିଓ-ଇକୋନୋମିକ ଟ୍ରାନ୍ସଫର୍ମେସନ’ର ମଧ୍ୟ ନିର୍ମାଣ କରାଯାଇଛି । ଏହି କେନ୍ଦ୍ର ସାମାଜିକ ଆଉ ଆର୍ଥିକ ବିଷୟଗୁଡ଼ିକ ଉପରେ ଗବେଷଣାର ମଧ୍ୟ ଏକ ପ୍ରମୁଖ୍ୟ କେନ୍ଦ୍ର ହେବ ।

‘ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶ’, ଯେଉଁ କିଛି ଲୋକ ଅନ୍ତର୍ଭୁକ୍ତିକରଣ ବିକାଶ କଥା କହନ୍ତି, ଏହି ମନ୍ତ୍ର ଉପରେ ଚାଲି କିଭଳି ଆର୍ଥିକ ଏବଂ ସାମାଜିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ, ଏହି କେନ୍ଦ୍ରରେ ଏକ ଚିନ୍ତାଶୀଳ ଗୋଷ୍ଠୀ ଭଳି ଏହା ଉପରେ ମଧ୍ୟ ମନ୍ଥନ ହେବ ।

ଆଉ ମୋତେ ଲାଗୁଛି କି ନୂଆ ପିଢି ପାଇଁ ଏହି କେନ୍ଦ୍ର ଏକ ବରଦାନ ଭଳି ଆସିଛି, ଯେଉଁଠାରେ ଆସି ସେମାନେ ବାବା ସାହେବଙ୍କ ଦୃଷ୍ଟିଭଙ୍ଗୀକୁ ଦେଖି ପାରିବେ, ବୁଝି ପାରିବେ ।

ସାଥୀମାନେ, ଆମ ଦେଶରେ ସମୟ-ସମୟରେ ଏଭଳି ମହାନ ଆତ୍ମାମାନେ ଜନ୍ମ ନେଇଛନ୍ତି, ଯେଉଁମାନେ ନା କେବଳ ସାମାଜିକ ସଂସ୍କାରର ଚେହେରା ହୁଅନ୍ତି, ବରଂ ତାଙ୍କର ବିଚାର ଦେଶର ଭବିଷ୍ୟତକୁ ଗଢିଥାଏ, ଦେଶର ଚିନ୍ତାଧାରାକୁ ଗଢିଥାଏ । ଏହା ମଧ୍ୟ ବାବା ସାହେବଙ୍କର ଅଦ୍ଭୁତ ଶକ୍ତି ଥିଲା କି ସେ ଗଲା ପରେ, ହୁଏତ ବର୍ଷ-ବର୍ଷ ଧରି ତାଙ୍କ ବିଚାରଧାରାକୁ ଚପାଇ ଦେବାର ଚେଷ୍ଟା କରାଗଲା, ରାଷ୍ଟ୍ର ନିର୍ମାଣରେ ତାଙ୍କର ଯୋଗଦାନକୁ ନଷ୍ଟ କରିବାର ଚେଷ୍ଟା କରାଗଲା, କିନ୍ତୁ ବାବା ସାହେବଙ୍କର ଚିନ୍ତାଧାରାକୁ ଏଭଳି ଲୋକ ଭାରତୀୟ ଜନମାନସର ଚିନ୍ତନରୁ ହଟାଇ ପାରିଲେ ନାହିଁ ।

ଯଦି ମୁଁ ଏହା କହେ କି ଯେଉଁ ପରିବାର ପାଇଁ ଏହା କରାଗଲା, ସେହି ପରିବାରର ବହୁତ ଲୋକ ଆଜି ବାବା ସାହେବଙ୍କ ଦ୍ୱାରା ପ୍ରଭାବିତ, ତ ମୋର ଏହି କଥା ଭୁଲ ହେବ ନାହିଁ । ବାବା ସାହେବଙ୍କର ରାଷ୍ଟ୍ର ନିର୍ମାଣରେ ଯେଉଁ ଯୋଗଦାନ ରହିଛି, ସେହି କାରଣରୁ ଆମେ ସମସ୍ତେ ବାବା ସାହେବଙ୍କ ନିକଟରେ ଋଣୀ । ଆମ ସରକାରଙ୍କ ଏହା ହେଉଛି ପ୍ରୟାସ ଯେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ତାଙ୍କର ବିଚାରଧାରା ପହଞ୍ଚୁ । ବିଶେଷ କରି ଯୁବ ପିଢି ତାଙ୍କ ବିଷୟରେ ଜାଣନ୍ତୁ, ତାଙ୍କର ଅଧ୍ୟୟନ କରନ୍ତୁ ।

ଆଉ ଏଥିପାଇଁ ଏହି ସରକାରଙ୍କ ପକ୍ଷରୁ ବାବା ସାହେବଙ୍କ ଜୀବନ ସହିତ ଯୋଡ଼ି ହୋଇଥିବା ମହତ୍ୱପୁର୍ଣ୍ଣ ସ୍ଥଳଗୁଡ଼ିକୁ ତୀର୍ଥ ଭାବେ ବିକଶିତ କରାଯାଉଛି । ଦିଲ୍ଲୀର ଅଲିପୁରରେ ଯେଉଁ ଘରେ ବାବା ସାହେବଙ୍କର ନିଧନ ହେଲା, ସେଠାରେ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ କରାଯାଉଛି । ସେହିଭଳି ମଧ୍ୟପ୍ରଦେଶର ମହୁରେ, ଯେଉଁଠାରେ ବାବା ସାହେବଙ୍କର ଜନ୍ମ ହୋଇଛି ତାହାକୁ ମଧ୍ୟ ତୀର୍ଥ ଭାବେ ବିକଶିତ କରାଯାଉଛି । ଲଣ୍ଡନରେ ଯେଉଁ ଘରେ ବାବା ସାହେବ ରହୁଥିଲେ, ତାହାକୁ ମଧ୍ୟ ଖରିଦ କରି ମହାରାଷ୍ଟ୍ରର ବିଜେପି ସରକାର ଏକ ସ୍ମାରକ ଭାବେ ବିକଶିତ କରୁଛନ୍ତି । ଏହିଭଳି ଭାବେ ମୁମ୍ବାଇରେ ଇନ୍ଦୁ ମିଲ’ର ଜମିରେ ଆମ୍ବେଦକର ସ୍ମାରକ ନିର୍ମାଣ କରାଯାଉଛି । ନାଗପୁରରେ ଦୀକ୍ଷା ଭୂମିକୁ ମଧ୍ୟ ଆହୁରି ଅଧିକ ବିକଶିତ କରା ଯାଉଛି । ଏହି ପଞ୍ଚତୀର୍ଥ ଗୋଟିଏ ପ୍ରକାରରେ ଆଜିର ପିଢିଙ୍କ ତରଫରୁ ବାବା ସାହେବଙ୍କ ପ୍ରତି ହେଉଛି ଶ୍ରଦ୍ଧାଞ୍ଜଳି ।

ଏପରି କି ବିଗତ ବର୍ଷ ଭର୍ଚୁଆଲ ଦୁନିଆରେ ଏକ ଷଷ୍ଠ ତୀର୍ଥ ମଧ୍ୟ ନିର୍ମିତ ହୋଇଛି । ଏହି ତୀର୍ଥ  ଦେଶକୁ ଡିଜିଟାଲ ପ୍ରକ୍ରିୟାରେ ଶକ୍ତି ଦେଉଛି, ସଶକ୍ତ କରୁଛି । ବିଗତ ବର୍ଷ ଆରମ୍ଭ କରାଯାଇଥିବା ଭାରତ ଇଣ୍ଟରଫେସ୍ ଫର ମନି – ବା ଭୀମ ଆପ୍ ବାବା ସାହେବଙ୍କ ଆର୍ଥିକ ଦୃଷ୍ଟିଭଙ୍ଗୀକୁ ଏହି ପ୍ରକାରର ଶ୍ରଦ୍ଧାଞ୍ଜଳି ଥିଲା । ଭୀମ ଆପ୍ ଗରିବ-ଦଳିତ-ପଛୁଆ-ଶୋଷିତ, ବଂଚିତମାନଙ୍କ ପାଇଁ ବରଦାନ ହୋଇ ଆସିଛି ।

ଭାଇ ଓ ଭଉଣୀମାନେ, ବାବା ସାହେବ ନିଜ ଜୀବନରେ ଯେଉଁ ସଂଘର୍ଷ କରିଛନ୍ତି, ତା ସହିତ ଆମେ ଭଲଭାବେ ପରିଚିତ ଅଛୁ । କିନ୍ତୁ ତାଙ୍କ ଜୀବନ ସଂଘର୍ଷ ସହିତ ଆଶା ପାଇଁ ପ୍ରେରଣାରେ ଭରି ରହିଛି । ହତାଶା-ନିରାଶାରୁ ବହୁତ ଦୂର, ଏପରି ଏକ ଭାରତର ସ୍ୱପ୍ନ, ଯାହା ନିଜ ଆନ୍ତରିକ କୁ-ପ୍ରଥାକୁ ଶେଷ କରି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା । ସମ୍ବିଧାନ ସଭାର ପ୍ରଥମ ବୈଠକର କିଛି ଦିନ ପରେ ହିଁ 17 ଡ଼ିସେମ୍ବର, 1946ରେ ସେ ସେହି ସଭାର ବୈଠକରେ କହିଥିଲେ ଆଉ ମୁଁ ତାଙ୍କରି ଶବ୍ଦ କହୁଛି-

ଏହି ଦେଶର ସାମାଜିକ, ରାଜକୀୟ ଏବଂ ଆର୍ଥିକ ବିକାଶ ଆଜି ନୁହେଁ ତ କାଲି ହିଁ ହେବ । ଉପଯୁକ୍ତ ସମୟ ଆଉ ପରିସ୍ଥିତି ଆସିଲେ ଏହି ବିଶାଳ ଦେଶ ଏକାଠି ନ ହୋଇ ରହିପାରିବ ନାହିଁ । ଦୁନିଆର କୌଣସି ଶକ୍ତି ତା ସମ୍ମୁଖକୁ ଆସି ପାରିବେ ନାହିଁ ।

ଏହି ଦେଶରେ ଏତେ ସଂପ୍ରଦାୟ ଏବଂ ଜାତି ରହିଥିବା ପରେ ମଧ୍ୟ କୌଣସି ନା କୌଣସି ଉପାୟରେ ଆମେ ସମସ୍ତେ ଏକ ହୋଇଯିବା ଏହି ବିଷୟରେ ମୋ ମନରେ ଟିକିଏ ହେଲେ ମଧ୍ୟ ଆଶଙ୍କା ନାହିଁ ।

ଆମେ ନିଜର ଆଚରଣ ଦ୍ୱାରା ଏହା ଜଣାଇ ଦେବା କି ଦେଶର ସମସ୍ତ ବର୍ଗଙ୍କୁ ନିଜ ସାଥୀରେ ନେଇ ଏକତାର ମାର୍ଗରେ ଆଗକୁ ବଢ଼ିବାର ଆମର ଯେଉଁ ଶକ୍ତି ରହିଛି, ସେହି ପ୍ରକାରର ବୁଦ୍ଧିମତା ମଧ୍ୟ ରହିଛି

ଏହି ସବୁ ଶବ୍ଦ ହେଉଛି ବାବା ସାହେବ ଆମ୍ବେଦକରଙ୍କର, କେତେ ଆତ୍ମ ବିଶ୍ୱାସ! ନିରାଶାର ସାମାନ୍ୟ ଚିହ୍ନ-ବର୍ଣ୍ଣ ନାହିଁ! ଦେଶର ସାମାଜିକ କୁ-ପ୍ରଥାଗୁଡ଼ିକର ଯେଉଁ ବ୍ୟକ୍ତି ଆଜୀବନ ସାମ୍ନା କରିଥିବେ, ସେ ଦେଶକୁ ନେଇ କେତେ ଆଶାରେ ଭରି ହୋଇଥିଲେ ।

ଭାଇ ଓ ଭଉଣୀମାନେ, ଆମକୁ ଏହା ସ୍ୱୀକାର କରିବାକୁ ହେବ କି  ସମ୍ବିଧାନର ନିର୍ମାଣ କରିବା ଠାରୁ ନେଇ ସ୍ୱତନ୍ତ୍ରତାର ଏତେ ବର୍ଷ ପରେ ମଧ୍ୟ ଆମେ ବାବା ସାହେବ ଆମ୍ବେଦକରଙ୍କର ସେହି ଆଶାଗୁଡ଼ିକୁ, ସେହି ସ୍ୱପ୍ନକୁ, ପୂରଣ କରି ପାରି ନାହେଁ । କିଛି ଲୋକଙ୍କ ପାଇଁ ଜନ୍ମ ସମୟରେ ମିଳିଥିବା ଜାତି, ଜନ୍ମ ସମୟରେ ମିଳିଥିବା ଭୂମିଠାରୁ ଅଧିକ ମହତ୍ୱପୂର୍ଣ୍ଣ ହୋଇ ଯାଇଥାଏ । ମୁଁ ମାନୁଛି କି ଆଜିର ନୂଆ ପିଢି ମଧ୍ୟରେ ସେହି କ୍ଷମତା ଅଛି, ସେହି ଯୋଗ୍ୟତା ଅଛି ଯାହା ଏହି ସାମାଜିକ କୁ-ପ୍ରଥାକୁ ଶେଷ କରି ପାରିବ । ବିଶେଷ କରି ବିଗତ 15-20ବର୍ଷରେ ଯେଉଁ ପରିବର୍ତ୍ତନ ମୁଁ ଦେଖୁଛି, ତାହାର ସଂପୂର୍ଣ୍ଣ ଶ୍ରେୟ ନୂତନ ପିଢିଙ୍କୁ ହିଁ ଦେବାକୁ ପସନ୍ଦ କରିବି । ସେମାନେ ଭଲ ଭାବରେ ବୁଝିଛନ୍ତି କି ଦେଶକୁ ଜାତି ନାମରେ କିଏ ବାଂଟିବା ପାଇଁ ପ୍ରୟାସ କରୁଛନ୍ତି, ସେମାନେ ଭଲ ଭାବରେ ବୁଝିଛନ୍ତି କି ଦେଶକୁ ଜାତି ନାମରେ ଅଲଗା-ଅଲଗା କରି ସେହି ଗତିରେ ଆଗକୁ ବଢ଼ି ପାରିବା ନାହିଁ ଯେଉଁ ଗତିରେ ଭାରତକୁ ଆଗକୁ ବଢ଼ିବା ଦରକାର । ଏଥିପାଇଁ ଯେତେବେଳେ ମୁଁ ନିଉ ଇଣ୍ଡିଆକୁ ଜାତି ବନ୍ଧନରୁ ମୁକ୍ତ କରିବାର କଥା କହୁଛି, ତ ତା’ପଛରେ ଯୁବକମାନଙ୍କ ଉପରେ ମୋର ଅତୁଟ ଭରସା ରହିଥାଏ । ଆଜିର ଯୁବ ଶକ୍ତି ବାବା ସାହେବଙ୍କ ସ୍ୱପ୍ନକୁ ପୂରା କରିବାର ଶକ୍ତି ରଖିଛି ।

ସାଥୀମାନେ, 1950ରେ ଯେତେବେଳେ ଦେଶ ସାଧାରଣତନ୍ତ୍ରର ମର୍ଯ୍ୟାଦା ଲାଭ କଲା, ସେତେବେଳେ ବାବା ସାହେବ କହିଥିଲେ ଆଉ ମୁଁ ସେହି ଶବ୍ଦ ଦୋହରାଉଛି-

ଆମକୁ ଖାଲି ରାଜନୈତିକ ଲୋକତନ୍ତ୍ରରେ ହିଁ ସନ୍ତୁଷ୍ଟ ହୋଇଯିବା ଦରକାର ନାହିଁ । ଆମକୁ ଆମର ରାଜନୈତିକ ଲୋକତନ୍ତ୍ରକୁ ସାମାଜିକ ଲୋକତନ୍ତ୍ରରେ ପରିଣତ କରିବାକୁ ପଡ଼ିବ । ରାଜନୈତିକ ଲୋକତନ୍ତ୍ର ସେ ପର୍ଯ୍ୟନ୍ତ ତିଷ୍ଠିବ ନାହିଁ, ଯେ ପର୍ଯ୍ୟନ୍ତ ତାହାର ଆଧାର ସାମାଜିକ ଲୋକତନ୍ତ୍ର ନ ହେବ

ଏହି ସାମାଜିକ ଲୋକତନ୍ତ୍ର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ରତା ଏବଂ ସମାନତାର ହିଁ ମନ୍ତ୍ର ଥିଲା । ସମାନତା କେବଳ ଅଧିକାରର ହିଁ ନୁହେଁ, ବରଂ ସମାନ ସ୍ତରରେ ଜୀବନ ବଂଚିବାର ମଧ୍ୟ ସମାନତା । ସ୍ୱତନ୍ତ୍ରତାର ଏତେ ବର୍ଷ ପରେ ମଧ୍ୟ ଆମ ଦେଶରେ ଏହି ସ୍ଥିତି ରହିଲା କି ଲକ୍ଷ-ଲକ୍ଷ, କୋଟି-କୋଟି ଲୋକଙ୍କ ଜୀବନରେ ଏହି ସମାନତା ଆସିଲା ନାହିଁ । ବହୁତ ମୌଳିକ ଜିନିଷ, ବିଜୁଳି ସଂଯୋଗ, ପାଣି ସଂଯୋଗ, ଗୋଟିଏ ଛୋଟ ଘର, ଜୀବନ ବୀମା, ସେମାନଙ୍କ ପାଇଁ ଜୀବନରେ ବହୁତ ବଡ଼ ଆହ୍ୱାନ ହୋଇ ରହିଗଲା ।

ଯଦି ଆପଣ ଆମ ସରକାରଙ୍କର କାମ କରିବାର ଶୈଳୀକୁ ଦେଖିବେ ଆମର କାର୍ଯ୍ୟ ସଂସ୍କୃତିକୁ ଦେଖିବେ ତ ବିଗତ ତିନିରୁ ସାଢ଼େ ତିନି ବର୍ଷରେ ଆମେ ବାବା ସାହେବଙ୍କ ସାମାଜିକ ଲୋକତନ୍ତ୍ରର ସ୍ୱପ୍ନକୁ ହିଁ ପୂରା କରିବାର ପ୍ରୟାସ କରିଛୁ । ଏହି ସରକାରଙ୍କ ଯୋଜନାଗୁଡ଼ିକ ସାମାଜିକ ଲୋକତନ୍ତ୍ରକୁ ମଜବୁତ କରିବା ପାଇଁ ରହିଛି । ଯେପରିକି ଜନଧନ ଯୋଜନା କଥା କହିବା । ଏହି ଯୋଜନା ଦେଶର କୋଟି-କୋଟି ଗରିବଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ି ହେବାର ଅଧିକାର ଦେଲା । ଏପରି ଲୋକଙ୍କୁ ଧାଡ଼ିରେ ଆଣି ଠିଆ କରାଇଲା, ଯାହା ପାଖରେ ନିଜର ବ୍ୟାଙ୍କ ଏକାଉଂଟ ଥିଲା, ଯାହା ପାଖରେ ଡେବିଟ୍ କାର୍ଡ଼ ରହୁଥିଲା ।

ଏହି ଯୋଜନା ମାଧ୍ୟମରେ ସରକାର 30 କୋଟିରୁ ଅଧିକ ଗରିବ ଲୋକଙ୍କର ବ୍ୟାଙ୍କ ଖାତା ଖୋଲି ସାରିଛନ୍ତି । 23 କୋଟିରୁ ଅଧିକ ଲୋକଙ୍କୁ ରୂପେ(RuPay) ଡେବିଟ୍ କାର୍ଡ଼ ଦିଆଯାଇ ସାରିଛି । ଏବେ ଗରିବମାନଙ୍କ ମଧ୍ୟରେ ସେହି ସମାନତାଭାବ ଆସିଛି, ସେମାନେ ମଧ୍ୟ ଏଟିଏମ୍ ର ସେହି ଧାଡ଼ିରେ ଠିଆ ହୋଇ ରୂପେ ଡେବିଟ୍ କାର୍ଡ଼ ମାଧ୍ୟମରେ ପଇସା ଉଠାଉଛନ୍ତି, ଯେଉଁ ଧାଡ଼ିକୁ ଦେଖି ସେ ଡରି ଯାଉଥିଲେ ଯେଉଁଥିରେ ରହିବା ପାଇଁ ସେମାନେ ଚିନ୍ତା ମଧ୍ୟ କରି ପାରି ନଥିଲେ ।

ମୋତେ ଜଣା ନାହିଁ ଏଠାରେ ଉପସ୍ଥିତ ଥିବା କେତେ ଲୋକଙ୍କୁ ପ୍ରତି ଚାରି ପାଞ୍ଚ ମାସରେ ଗାଁକୁ ଯିବାର ସୁଯୋଗ ମିଳୁଛି । ମୋର ଆପଣମାନଙ୍କୁ ଅନୁରୋଧ କି ଯେଉଁ ଲୋକମାନେ ବହୁତ ଦିନ ହେବ ଗାଁକୁ ଯାଇଥିବେ, ସେ ଏବେ ଯାଇ ଦେଖନ୍ତୁ । ଗାଁରେ କୌଣସି ଗରିବ ଲୋକକୁ ଉଜ୍ଜ୍ୱଳା ଯୋଜନା ବିଷୟରେ ପଚାରନ୍ତୁ । ତେବେ ସେମାନଙ୍କୁ ଜଣା ପଡ଼ିବ କି ଉଜ୍ଜ୍ୱଳା ଯୋଜନା କିପରି ଏହି ପ୍ରଭେଦକୁ ଦୂର କରି ଦେଇଛି, କି କିଛି ଘରେ ପୂର୍ବରୁ ଗ୍ୟାସ ସଂଯୋଗ ହୋଇଥିଲା ଆଉ କିଛି ଘରେ କାଠ-କୋଇଲା ଚୂଲିରେ ଖାଦ୍ୟ ତିଆରି ହେଉଥିଲା । ଏହା ସାମାଜିକ ଭେଦଭାବର ବଡ଼ ଉଦାହରଣ ଥିଲା ଯାହାକୁ ଏହି ସରକାର ଶେଷ କରି ଦେଇଛନ୍ତି । ଏବେ ଗାଁର ଗରିବ ଲୋକଙ୍କ ଘରେ ମଧ୍ୟ ଗ୍ୟାସରେ ଭୋଜନ ପ୍ରସ୍ତୁତ ହେଉଛି । ଏବେ ଗରିବ ମହିଳାଙ୍କୁ କାଠ ଧୂଆଁରେ ନିଜ ଜୀବନ ବିତାଇବାକୁ ପଡ଼ୁ ନାହିଁ ।

ଏହି ଗୋଟିଏ ପ୍ରଭେଦ ଆସିଛି ଆଉ ଯାହା ଗାଁ ସହିତ ଜଡ଼ିତ ଯେଉଁ ଲୋକ ଅଛନ୍ତି, ସେମାନେ ଏହାକୁ ଆହୁରି ସହଜରେ ବୁଝି ପାରିବେ । ଯେତେବେଳେ ଆପଣ ଗାଁକୁ ଯିବେ ତ ଆଉ ଏକ ଯୋଜନାର ପ୍ରଭାବ ଦେଖିବେ, ଦେଖିବେ କି କିପରି ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ଗାଁର ମହିଳାଙ୍କ ମଧ୍ୟରେ ସମାନତାର ଭାବ ଆସିଛି । ଗାଁର ମାତ୍ର କିଛି ଘରେ ହିଁ ଶୌଚାଳୟ ରହିବା ଆଉ ଅଧିକାଂଶ ଘରେ ନ ରହିବା ଏକ ବିସଙ୍ଗତି ଉତ୍ପନ୍ନ କରୁଥିଲା । ଗାଁର ମହିଳାମାନଙ୍କର ସ୍ୱାସ୍ଥ୍ୟ ଆଉ ସେମାନଙ୍କର ସୁରକ୍ଷା ଉପରେ ମଧ୍ୟ ଏହି କାରଣରୁ ସଙ୍କଟ ଆସୁଥିଲା । କିନ୍ତୁ ଏବେ ଧିରେ-ଧିରେ ଦେଶର ଅଧିକାଂଶ ଗାଁରେ ଶୌଚାଳୟ ତିଆରି ହେଉଛି ଯେଉଁଠାରେ ପୂର୍ବରୁ ସ୍ୱଚ୍ଛତାର ପରିସର 40ପ୍ରତିଶତ ଥିଲା, ତାହା ବୃଦ୍ଧି ପାଇ ଏବେ 70ପ୍ରତିଶତରୁ ଅଧିକ ହୋଇ ପାରିଛି ।

ସାମାଜିକ ଲୋକତନ୍ତ୍ରକୁ ମଜବୁତ କରିବା ଦିଗରେ ବହୁତ ବଡ଼ କାମ ଏହି ସରକାରଙ୍କର ବୀମା ଯୋଜନାଗୁଡ଼ିକ ମଧ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଜୀବନ ଜ୍ୟୋତି ବୀମା ଯୋଜନାରେ ଏ ପର୍ଯ୍ୟନ୍ତ ଦେଶର 18କୋଟି ଗରିବ ତା’ସହିତ ଯୋଡ଼ି ହୋଇ ଯାଇଛନ୍ତି । ଏହି ଯୋଜନାଗୁଡ଼ିକ ମାଧ୍ୟମରେ ମାସକୁ ମାତ୍ର ଏକ ଟଙ୍କାରେ ଦୁର୍ଘଟଣା ବୀମା ଆଉ ପ୍ରତିଦିନ 90 ପଇସାର ପ୍ରିମିୟମରେ ଜୀବନ ବୀମା କରାଯାଉଛି ।

ଆପଣ ଜାଣି କରି ଆଶ୍ଚର୍ଯ୍ୟ ହୋଇ ରହିଯିବେ କି ଏହି ଯୋଜନାଗୁଡ଼ିକ ଅଧିନରେ ଗରିବ ଲୋକଙ୍କୁ ପାଖା-ପାଖି 1800 କୋଟି ଟଙ୍କା ସେମାନଙ୍କର ଦାବି ଅନୁସାରେ ଧନରାଶି ଦିଆଯାଇ ସାରିଛି । ଚିନ୍ତା କରନ୍ତୁ ଆଜି ଗାଁ ଗହଳିରେ ରହୁଥିବା ଗରିବ ଲୋକମାନେ କେତେ ବଡ଼ ଚିନ୍ତାରୁ ମୁକ୍ତ ହୋଇଛନ୍ତି ।

ଭାଇ ଓ ଭଉଣୀମାନେ, ବାବା ସାହେବଙ୍କ ବିଚାରଧାରାର ମୂଳରେ ଅନେକ ରୂପରେ ସମାନତା ନିହିତ ଥିଲା ।

ସମ୍ମାନର ସମାନତା,

ଆଇନର ସମାନତା,

ଅଧିକାରର ସମାନତା,

ମାନବିକ ଗରିମାର ସମାନତା,

ସୁଯୋଗର ସମାନତା,

ଏପରି କେତେଗୁଡ଼ିଏ ବିଷୟକୁ ହିଁ ବାବା ସାହେବ ନିଜ ଜୀବନରେ ବାରମ୍ବାର ଉଠାଉଥିଲେ । ସେ ସର୍ବଦା ଆଶା ବ୍ୟକ୍ତ କରୁଥିଲେ କି ଭାରତରେ ସରକାରମାନେ ସମ୍ବିଧାନ ପାଳନ କରି, ସଂପ୍ରଦାୟର ଭେଦଭାବ ବିନା, ଜାତିଗତ ଭେଦଭାବ ବିନା ଚାଲିବେ । ଆଜି ଏହି ସରକାରଙ୍କର ପ୍ରତ୍ୟେକ ଯୋଜନାରେ ଆପଣଙ୍କୁ କୌଣସି ଭେଦଭାବ ବିନା ସମସ୍ତଙ୍କୁ ସମାନତାର ଅଧିକାର ଦେବାର ପ୍ରୟାସ ଦେଖିବାକୁ ମିଳିବ ।

ଯେପରି ଏବେ ଏଇ ନିକଟରେ ସରକାର ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି- ପ୍ରତି ଘରକୁ ପ୍ରଧାନମନ୍ତ୍ରୀ ସହଜ ବିଜୁଳି ଯୋଜନା ବା ସୌଭାଗ୍ୟ । ଏହି ଯୋଜନା ଅଧିନରେ ଦେଶର 4କୋଟି ଏପରି ଘରକୁ ମାଗଣାରେ ବିଜୁଳି ସଂଯୋଗ ଦିଆଯିବ, ଯେଉଁମାନେ ଆଜି ମଧ୍ୟ, ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ, ଅଷ୍ଟାଦଶ ଶତାବ୍ଦୀରେ ବଂଚିବା ପାଇଁ ବାଧ୍ୟ ହେଉଥିଲେ, ଏଭଳି 4କୋଟି ଘରକୁ ମାଗଣାରେ ବିଜୁଳି ସଂଯୋଗ ଦିଆଯିବ । ବିଗତ 70 ବର୍ଷରୁ ଯେଉଁ ଅସମାନତା ଚାଲି ଆସୁଥିଲା, ତାହା ସୌଭାଗ୍ୟ ଯୋଜନା କାରଣରୁ ଶେଷ ହେବାକୁ ଯାଉଛି ।

ସମାନତା ବଢ଼ାଇବା ପାଇଁ ଏହି ଶୃଙ୍ଖଳାରେ ଆଉ ଏକ ମହତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଆଜି ମଧ୍ୟ ଦେଶରେ ଏପରି କୋଟି-କୋଟି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ନିଜସ୍ୱ ଛାତ ନାହିଁ । ଘର ଛୋଟ ହେଉ ଅବା ବଡ଼, ପ୍ରଥମେ ଘର ହେବା ଜରୁରୀ ।

ଏଥିପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି କି 2022 ସୁଦ୍ଧା ଗାଁ ହେଉ ବା ସହର, ପ୍ରତ୍ୟେକ ଗରିବଙ୍କ ପାଖରେ ତାହାର ନିଜସ୍ୱ ଘର ହେଉ । ଏଥିପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି, ଗରିବ ଏବଂ ମଧ୍ୟମବର୍ଗଙ୍କ ଋଣ ଉପରେ ସୁଧ ଛାଡ କରି ଦିଆଯାଉଛି । ପ୍ରଚେଷ୍ଟା ଏହା ରହିଛି କି ଘର ବିଷୟରେ ସମାନତାର ଭାବ ଆସୁ, କୌଣସି ଲୋକ ଘର ପାଇବାରୁ ବଂଚିତ ନ ରହୁ ।

ଭାଇ ଓ ଭଉଣୀମାନେ, ଏହି ଯୋଜନା ଆମର ନିର୍ଦ୍ଧାରିତ ଗତିଠାରୁ ବଢ଼ୁଅଛି ଆଉ ସ୍ଥିର ହୋଇଥିବା ସମୟ ଅବା ତା’ପୂର୍ବରୁ ହିଁ ପୂରା ହୋଇଯିବ ।

ଆଜି ଏହି ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଏହି କଥାର ହେଉଛି ଜୀବନ୍ତ ଉଦାହରଣ କି ଏହି ସରକାରରେ ଯୋଜନା ଅଟକେ ନାହିଁ କିମ୍ବା ବାଟବଣା ହୁଏ ନାହିଁ । ଯେଉଁ ଲକ୍ଷ୍ୟ ସ୍ଥିର କରାଯାଇଥାଏ ଓ ତାହାକୁ ଶେଷ କରିବା ପାଇଁ ଏହି ସରକାର ପୂରା ଶକ୍ତି ଲଗାଇ ଦେଇଥା’ନ୍ତି । ଆଉ ଏହା ହେଉଛି ଆମର କାର୍ଯ୍ୟ ସଂସ୍କୃତି ।

ଆମର ପ୍ରୟାସ ହେଉଛି କି ପ୍ରତ୍ୟେକ ଯୋଜନାକୁ ନା କେବଳ ଲକ୍ଷ୍ୟ ସହିତ ବାନ୍ଧିବା, ବରଂ ତାକୁ ନିର୍ଦ୍ଧାରିତ ସମୟରେ ମଧ୍ୟ ପୂରା କରିବା । ଆଉ ଏହା ଏବେଠାରୁ ନୁହେଁ । ସରକାରଙ୍କର ପ୍ରଥମ କିଛି ମାସଠାରୁ ହିଁ ଏହି ମାର୍ଗ ସ୍ଥିର କରି ଦିଆ ଯାଇଥିଲା ।

ଆପଣମାନଙ୍କର ମନେ ଥିବ, ମୁଁ 2014ରେ ଲାଲକିଲ୍ଲା ଉପରୁ କହିଥିଲି କି ଗୋଟିଏ ବର୍ଷ ଭିତରେ ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ହେବ । ଆମେ ଗୋଟିଏ ବର୍ଷ ଭିତରେ ବିଦ୍ୟାଳୟ ମାନଙ୍କରେ 4 ଲକ୍ଷରୁ ଅଧିକ ଶୌଚାଳୟ ତିଆରି କରିଛୁ । ବିଦ୍ୟାଳୟରେ ଶୌଚାଳୟ ନଥିବା କାରଣରୁ ଯେଉଁ ଝିଅମାନେ ଅଧାରୁ ପାଠପଢ଼ା ଛାଡ଼ି ଦେଉଥିଲେ, ସେମାନଙ୍କ ଜୀବନରେ କେତେ ବଡ଼ ପରିବର୍ତ୍ତନ ଆସିଛି, ତାହା ଆପଣ ଭଲଭାବେ ବୁଝି ପାରିବେ ।

ସାଥୀମାନେ, ବର୍ଷ 2015ରେ ହିଁ ଲାଲକିଲ୍ଲାରୁ ମୁଁ ଆଉ ଏକ ଘୋଷଣା କରିଥିଲି । ଏକ ହଜାର ଦିନରେ ଦେଶର ସେହି 18 ହଜାର ଗାଁ ପର୍ଯ୍ୟନ୍ତ ବିଜୁଳି ପହଂଚାଇବା ସମ୍ପର୍କରେ, ଯେଉଁଠାରେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବିଜୁଳି ପହଂଚି ନାହିଁ । ଏ ପର୍ଯ୍ୟନ୍ତ ଏକ ହଜାର ଦିନ ପୂରଣ ହେବା ପାଇଁ ଆହୁରି କେତେ ମାସ ବାକି ଅଛି ଆଉ ଏବେ ଖାଲି 2 ହଜାର ଗାଁରେ ବିଜୁଳି ପହଂଚାଇବା କାମ ବାକି ରହିଯାଇଛି ।

ଅନ୍ୟ ପକ୍ଷରେ ଆଉ ଏକ ଯୋଜନା କଥା କହିବି ତ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେବାର ଯୋଜନା 2015 ଫେବୃୟାରୀରେ ଆରମ୍ଭ କରାଯାଇଥିଲା । ଆମେ ଲକ୍ଷ୍ୟ ରଖିଥିଲୁ କି 2018 ସୁଦ୍ଧା ଦେଶର 14 କୋଟି କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ । ଏ ପର୍ଯ୍ୟନ୍ତ 10 କୋଟିରୁ ଅଧିକ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିଆ ଯାଇସାରିଛି । ଅର୍ଥାତ ଆମେ ଲକ୍ଷ୍ୟଠାରୁ ଅଧିକ ଦୂରରେ ନାହୁଁ ।

ସେହିଭଳି ଭାବରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଜୁଲାଇ 2015ରେ ଶୁଭାରମ୍ଭ କରାଯାଇଥିଲା । ଆମେ ଲକ୍ଷ୍ୟ ରଖିଥିଲୁ କି ବର୍ଷ ବର୍ଷ ଧରି ଅଟକିଥିବା ଦେଶର 99 ଟି ଜଳସେଚନ ପରିଯୋଜନାକୁ 2019 ଭିତରେ ଶେଷ କରିବୁ । ଏ ପର୍ଯ୍ୟନ୍ତ 21ଟି ଯୋଜନା ସଂପୂର୍ଣ୍ଣ କରାଯାଇ ସାରିଛି । ଆଗାମୀ ବର୍ଷ 50ରୁ ଅଧିକ ଯୋଜନା ସଂପୂର୍ଣ୍ଣ କରାଯିବ । ଏହି ଯୋଜନାର ପ୍ରଗତି ମଧ୍ୟ ନିର୍ଦ୍ଧାରିତ ଲକ୍ଷ୍ୟ ପରିସର ମଧ୍ୟରେ ରହିଛି ।

କୃଷକଙ୍କୁ ତାଙ୍କ ଫସଲର ଉଚିତ ମୂଲ୍ୟ ମିଳୁ, ତାଙ୍କୁ ଫସଲ ବିକ୍ରି କରିବାରେ ସହଜ ହେଉ, ଏହାକୁ ଧ୍ୟାନରେ ରଖି ଇ-ଜାତୀୟ କୃଷି ବଜାର ଯୋଜନା (ଇ-ନାମ ଯୋଜନା) 2016 ଅପ୍ରେଲରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ସରକାର ଦେଶର 580ରୁ ଅଧିକ ବଜାର(ମଣ୍ଡି)କୁ ଅନ୍-ଲାଇନରେ ଯୋଡ଼ିବାର ନିଷ୍ପତ୍ତି କରିଥିଲେ । ଏ ପର୍ଯ୍ୟନ୍ତ 470ରୁ ଅଧିକ କୃଷି ବଜାର ଗୁଡ଼ିକୁ ଅନ୍ ଲାଇନ୍ ଯୋଡ଼ା ଯାଇ ସାରିଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଯାହା ବିଷୟରେ ମୁଁ ଆଗରୁ ମଧ୍ୟ ଆଲୋଚନା କରିଥିଲି, ତାହା ଗତ ବର୍ଷ ଏକ ମଇରେ ଆରମ୍ଭ କରା ଯାଇଥିଲା । ସରକାର ଲକ୍ଷ୍ୟ ରଖିଥିଲେ କି 2019 ଯାଏଁ 5 କୋଟି ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ସଂଯୋଗ ଦେବେ । କେବଳ 19ମାସରେ 3କୋଟି 12 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ସଂଯୋଗ ଦେଇ ସାରିଛନ୍ତି ।

ଭାଇ ଓ ଭଉଣୀମାନେ, ଏହା ହେଉଛି ଆମର କାମ କରିବାର ଶୈଳୀ । ବାବା ସାହେବ ଯେଉଁ ଦୃଷ୍ଟିଭଙ୍ଗୀ ଉପରେ ଚାଲି ଗରିବଙ୍କୁ ସମାନତାର ଅଧିକାର ଦେବାର କଥା କହୁଥିଲେ, ସେହି ଦୃଷ୍ଟିଭଙ୍ଗୀ ଉପରେ ସରକାର ଚାଲୁଛନ୍ତି । ଏହି ସରକାରରେ ଯୋଜନାଗୁଡ଼ିକ ଡେରି ହେବାକୁ ଏକ ଅପରାଧିକ ଦାୟିତ୍ୱହୀନତା ବୋଲି ବିବେଚନା କରାଯାଏ ।

ଏବେ ଏହି କେନ୍ଦ୍ରକୁ ହିଁ ଦେଖନ୍ତୁ, ଏହାକୁ ତିଆରି କରିବାର ନିଷ୍ପତ୍ତି ନିଆ ଯାଇଥିଲା 1992ରେ । କିନ୍ତୁ 23 ବର୍ଷ ପର୍ଯ୍ୟନ୍ତ କିଛି ହେଲା ନାହିଁ । ଏହି ସରକାରରେ ଆମର ଆସିବା ପରେ ଶିଳାନ୍ୟାସ ହେଲା ଆଉ ଏହି ସରକାରରେ ଏହାର ଲୋକାର୍ପଣ ମଧ୍ୟ କରି ଦିଆଗଲା ।  ଯେଉଁ ରାଜନୈତିକ ଦଳ ବାବା ସାହେବଙ୍କ ନାମ ନେଇ ଭୋଟ ମାଗନ୍ତି, ତାଙ୍କୁ ତ ବୋଧହୁଏ ଏହା ଜଣା ମଧ୍ୟ ନଥିବ ।

ସେ ଯାହାହେଉ, ଆଜିକାଲି ତାଙ୍କୁ ବାବା ସାହେବ ନୁହେଁ, ବାବା ଭୋଳା ମନେ ପଡ଼ୁଛନ୍ତି । ଚାଲନ୍ତୁ, ଏତିକି ମଧ୍ୟ ହେଉ ।

ସାଥୀଗଣ, ଯେଉଁଭଳି ଭାବେ କେନ୍ଦ୍ର ନିଜର ନିର୍ଦ୍ଧାରିତ ସମୟ ପୂର୍ବରୁ ତିଆରି ହୋଇ ପ୍ରସ୍ତୁତ ହେଲା, ସେହି ଭଳିଭାବେ କେତେ ହିଁ ଯୋଜନା ଗୁଡ଼ିକରେ ଏବେ ନିର୍ଦ୍ଧାରିତ ସମୟକୁ କମ୍ କରାଯାଉଛି । ଗୋଟିଏ ଥର ଯେତେବେଳେ ସମସ୍ତ ବ୍ୟବସ୍ଥା ଧାରଣାକୁ ଆସି ଯାଇଛି, ଯୋଜନା ଗତି ଧରି ନେଇଛି, ତ ଆମେ ନିର୍ଦ୍ଧାରିତ ସମୟ ସୀମାକୁ ଆହୁରି କମ୍ କରୁଛୁ ଫଳରେ ଆହୁରି ଶୀଘ୍ର ଲକ୍ଷ୍ୟକୁ ପ୍ରାପ୍ତ କରାଯାଇ ପାରିବ ।

ଯେଭଳି ଏବେ ନିକଟରେ ଆମେ ମିଶନ୍ ଇନ୍ଦ୍ରଧନୁଷ ପାଇଁ ଯେଉଁ ସମୟ ସୀମା ନିର୍ଦ୍ଧାରଣ କରିଥିଲୁ, ତାହାକୁ ଦୁଇ ବର୍ଷ କମ୍ କରି ଦେଇଛୁ । ମିଶନ୍ ଇନ୍ଦ୍ରଧନୁଷ ମାଧ୍ୟମରେ ସରକାର ଦେଶର ସେହି ଅଂଚଳ ପର୍ଯ୍ୟନ୍ତ ଟୀକାକରଣ ଅଭିଯାନକୁ ପହଂଚାଉଛନ୍ତି, ଯେଉଁଠାରେ ଆଗରୁ ଚାଲି ଆସୁଥିବା ଟୀକାକରଣ ଅଭିଯାନଗୁଡ଼ିକର ପହଂଚି ପାରୁ ନ ଥିଲା । ଏହି କାରଣରୁ ଲକ୍ଷ ଲକ୍ଷ ପିଲା ଆଉ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ ପଡି ଯାଉଥିଲେ । ଏହି ଅଭିଯାନ ଦ୍ୱାରା ଏ ପର୍ଯ୍ୟନ୍ତ ଅଢ଼େଇ କୋଟିରୁ ଅଧିକ ପିଲା ଏବଂ 70 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କର ଟୀକାକରଣ ହୋଇ ସାରିଛି ।

ଆଗରୁ ସରକାରଙ୍କର ଲକ୍ଷ୍ୟ 2020 ଯାଏଁ ଦେଶରେ ସଂପୂର୍ଣ୍ଣ ଟୀକାକରଣ ବ୍ୟାପକତା ହାସଲ କରିବାର ଥିଲା । ଏହାକୁ ମଧ୍ୟ ହ୍ରାସ କରି ଏବେ ବର୍ଷ 2018 ପର୍ଯ୍ୟନ୍ତର ସଂକଳ୍ପ କରି ନେଇଛନ୍ତି । ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ  ମିଶନ୍ ଇନ୍ଦ୍ରଧନୁଷ ସହିତ ହିଁ ‘ସଘନ ମିଶନ୍ ଇନ୍ଦ୍ରଧନୁଷ’ର ଆରମ୍ଭ କରାଯାଇଛି ।

ଏହିଭଳି ଭାବେ ସରକାର ପ୍ରତ୍ୟେକ ଗାଁକୁ ସଡ଼କ ସହିତ ଯୋଡ଼ିବାର ଲକ୍ଷ୍ୟ 2022 ଯାଏଁ କରିଥିଲେ, କିନ୍ତୁ ଯେମିତି ହିଁ ଗତି ଦ୍ରୁତ ହୋଇଛି, କାମରେ ଦ୍ରୁତ ଗତି ଆସିଛି ତ ଆମେ ତାକୁ ମଧ୍ୟ 2022 ବଦଳରେ 2019ରେ ପୂରା କରିବାର ଯୋଜନା କରି ନେଇଛୁ ।

ସାଥୀମାନେ, ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶର ସମସ୍ତ ଗାଁ ସଡ଼କ ମାଧ୍ୟମରେ ଯୋଡ଼ି ହୋଇ ନାହିଁ । ସେପ୍ଟେମ୍ବର 2014 ରେ ସ୍ଥିତି ଏଭଳି ଥିଲା… ଆମ ସରକାର ଆସିବା ପରର ସ୍ଥିତି ବିଷୟରେ ମୁଁ କହୁଛି, ଆମେ ମଇ ମାସରେ ଆସିଲୁ, 2014ରେ ମୁଁ ସମୀକ୍ଷା କଲି, 2014ରେ ସ୍ଥିତି ଏଭଳି ଥିଲା କି କେବଳ 57 ପ୍ରତିଶତ ଗାଁ ସଡ଼କ ସହିତ ଯୋଡ଼ି ହୋଇଥିଲେ । ତିନି ବର୍ଷର ଚେଷ୍ଟା ପରେ ଏବେ 81ପ୍ରତିଶତ, 80%ରୁ ମଧ୍ୟ ଅଧିକ ଗାଁ ସଡ଼କ ସହିତ ଯୋଡ଼ି ହୋଇ ସାରିଛନ୍ତି । ଏବେ ସରକାର ଶତ-ପ୍ରତିଶତ ଗାଁକୁ ସଡ଼କ ସହିତ ଯୋଡ଼ିବା ପାଇଁ ବହୁତ ଦ୍ରୁତ ଗତିରେ କାମ କରୁଛନ୍ତି ।

ସରକାରଙ୍କର ଗୁରୁତ୍ୱ ଦେଶର ଦୂର-ଦୂରାନ୍ତର ଅଂଚଳରେ ରହୁଥିବା ଦଳିତ-ପଛୁଆ ଭାଇ ଓ ଭଉଣୀମାନଙ୍କୁ ସ୍ୱରୋଜଗାର ପାଇଁ ମଧ୍ୟ ପ୍ରୋତ୍ସାହିତ କରିବା ଉପରେ ରହିଛି । ଏଥିପାଇଁ ଯେବେ ଆମେ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଲୁ, ତ ତା’ସହିତ ଏହା ମଧ୍ୟ ସ୍ଥିର କଲୁ କି ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କ ଶାଖା ଅତି କମ୍ ରେ ଜଣେ ଅନୁସୂଚିତ ଜାତି କିମ୍ବା ଜନଜାତିକୁ ନିଶ୍ଚିତ ଋଣ ଦେବେ ।

ଭାଇ ଓ ଭଉଣୀମାନେ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଦେଶରେ ରୋଜଗାରର ଅର୍ଥ ବଦଳାଇଥିବା ମୁଦ୍ରା ଯୋଜନାର ପାଖାପାଖି 60 ପ୍ରତିଶତ ଲାଭାର୍ଥୀ ହେଉଛନ୍ତି ଦଳିତ-ପଛୁଆ ଏବଂ ଆଦିବାସୀ । ଏହି ଯୋଜନା ଦ୍ୱାରା ଏ ପର୍ଯ୍ୟନ୍ତ ପାଖାପାଖି ନଅ କୋଟି ପଚସ୍ତରୀ ଲକ୍ଷ ଲୋକ ପଂଜିକୃତ କରାଯାଇଛନ୍ତି ଆଉ ଲୋକମାନଙ୍କୁ ବ୍ୟାଙ୍କ ଗ୍ୟାରେଂଟି ବିନା 4ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ଦିଆ ଯାଇସାରିଛି ।

ସାଥୀମାନେ, ସାମାଜିକ ଅଧିକାର ଏହି ସରକାରଙ୍କ ପାଇଁ କେବଳ ମାତ୍ର କହିବା-ଶୁଣିବାର କଥା ନୁହେଁ, ବରଂ ହେଉଛି ଏକ ପ୍ରତିବଦ୍ଧତା । ଯେଉଁ ନିଉ ଇଣ୍ଡିଆ କଥା ମୁଁ କରୁଛି ତାହା ହେଉଛି ବାବା ସାହେବଙ୍କ ସ୍ୱପ୍ନର ଭାରତ ।

ସମସ୍ତଙ୍କୁ ସମାନ ସୁଯୋଗ, ସମସ୍ତଙ୍କୁ ସମାନ ଅଧିକାର । ଜାତିର ବନ୍ଧନରୁ ମୁକ୍ତ ଆମର ହିନ୍ଦୁସ୍ଥାନ । ଟେକ୍ନୋଲଜିର ଶକ୍ତି ଦ୍ୱାରା ଆଗକୁ ବଢ଼ୁଥିବା ଭାରତ, ସମସ୍ତଙ୍କୁ ସାଥୀରେ ନେଇ, ସମସ୍ତଙ୍କର ବିକାଶ କରୁଥିବା ଭାରତ ।

ଆସନ୍ତୁ, ବାବା ସାହେବଙ୍କ ସ୍ୱପ୍ନକୁ ପୂରା କରିବାର ଆମେ ସଂକଳ୍ପ କରିବା । ବାବା ସାହେବ ଆମକୁ 2022 ଯାଏଁ ସେହି ସଂକଳ୍ପଗୁଡ଼ିକୁ ସିଦ୍ଧି କରିବାରେ ଶକ୍ତି ଦିଅନ୍ତୁ, ଏହି କାମନା ସହିତ ମୁଁ ମୋର କଥା ସମାପ୍ତ କରୁଛି ।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!!!

ଜୟ ଭୀମ!

ଜୟ ଭୀମ!

ଜୟ ଭୀମ!