କେନ୍ଦ୍ର ସରକାରଙ୍କ ଦ୍ୱାରା 9046.17 କୋଟି ଟଙ୍କା ବ୍ୟୟରେ 3 ବର୍ଷ ପାଇଁ ଜାତୀୟ ପୁଷ୍ଟିସାଧନ ମିଶନ (ଏନଏନଏମ) ପ୍ରତିଷ୍ଠା କରାଯିବ । 2017-18 ବର୍ଷ ଠାରୁ ଆରମ୍ଭ ହେଉଥିବା ଏହି ମିଶନ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ (30.11.2017ରେ) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ପ୍ରମୁଖ ବିଷୟ :
– କୁପୋଷଣର ସମାଧାନ ନିମନ୍ତେ ବିଭିନ୍ନ ଯୋଜନାର ତଦାରଖ କରିବା ।
-ଅତ୍ୟଧିକ ସୁଦୃଢ଼ ସମନ୍ୱୟ ବ୍ୟବସ୍ଥା ।
-ଆଇସିଟି ଆଧାରିତ ବାସ୍ତବ ସମୟ ତଦାରଖ ପ୍ରଣାଳୀ ।
-ଲକ୍ଷ୍ୟ ହାସଲ କରୁଥିବା ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ପ୍ରୋତ୍ସାହିତ କରିବା
-ଆଇଟି ଆଧାରିତ ଉପକରଣ ପ୍ରୟୋଗ ନିମନ୍ତେ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରୋତ୍ସାହନ ଦେବା ।
-ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ରେଜିଷ୍ଟାର ବ୍ୟବହାରକୁ ସମାପ୍ତ କରିବା ।
-ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କ ଉଚ୍ଚତା ମାପ ଆରମ୍ଭ କରିବା ।
-ସାମାଜିକ ଅଡିଟ
-ଲୋକମାନଙ୍କୁ ଜନ ଆନ୍ଦୋଳନ ଜରିଆରେ ପୁଷ୍ଟିସାଧନ ଉପରେ ବିଭିନ୍ନ ଗତିବିଧି ଆଦିର ମାଧ୍ୟମରେ ସାମିଲ କରିବା, ପୁଷ୍ଟିସାଧନ ସମ୍ବଳ କେନ୍ଦ୍ରର ପ୍ରତିଷ୍ଠା କରିବା ଆଦି ସାମିଲ ରହିଛି ।
ମୁଖ୍ୟ ପ୍ରଭାବ :
ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ମାଧ୍ୟମରେ ଶିଶୁଙ୍କ ଅନୁପଯୁକ୍ତ ଶାରୀରିକ ବିକାଶ, କୁପୋଷଣ, ରକ୍ତହୀନତା ତଥା ଜନ୍ମ ସମୟରେ ଶିଶୁଙ୍କ ଓଜନ କମ ହେବା ସମସ୍ୟାର ନିରାକରଣ ପାଇଁ ଉପାୟ କରିବ । ଏହାଦ୍ୱାରା ଉତ୍ତମ ତଦାରଖ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସତର୍କତା ଜାରି କରିବାରେ ତାଳମେଳ ରକ୍ଷା କରାଯାଇପାରିବ । ଏଥିସହିତ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ମନ୍ତ୍ରଣାଳୟ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିବା, ମାର୍ଗଦର୍ଶନ ଏବଂ ତଦାରଖ ନିମନ୍ତେ ପ୍ରୋତ୍ସାହନ ଦିଆଯିବ ।
ଲାଭ ଏବଂ କାର୍ଯ୍ୟପରିସର :
ଏହି କାର୍ଯ୍ୟକ୍ରମ ଦ୍ୱାରା 10 କୋଟିରୁ ଅଧିକ ଲୋକ ଲାଭାନ୍ୱିତ ହୋଇପାରିବେ । ସମସ୍ତ ରାଜ୍ୟ ଓ ଜିଲ୍ଲାଗୁଡ଼ିକୁ ପର୍ଯ୍ୟାୟକ୍ରମେ ଅର୍ଥାତ 2017-18ରେ 315 ଜିଲ୍ଲା, 2018-19 ବର୍ଷରେ 235 ଜିଲ୍ଲା ତଥା 2019-20ରେ ବାକି ଜିଲ୍ଲାଗୁଡିକୁ ସାମିଲ କରାଯିବ ।
ଆର୍ଥିକ ବ୍ୟୟ :
2017-18 ଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମରେ ତିନି ବର୍ଷ ପାଇଁ 9046.17 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ସରକାରୀ ବଜେଟ ଭାଗ (50 ପ୍ରତିଶତ) ତଥା ଆଇବିଆରଡି ଅଥବା ଅନ୍ୟ ଏମଡିବି ଦ୍ୱାରା 50ପ୍ରତିଶତ ଅର୍ଥ ଲଗାଣ କରାଯିବ । କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ 60:40 ଅନୁପାତ, ଉତ୍ତରପୂର୍ବାଂଚଳ ତଥା ହିମାଳୟ ପାର୍ବତ୍ୟାଂଚଳର ରାଜ୍ୟ ପାଇଁ 90:10 ଅନୁପାତ ଏବଂ କେନ୍ଦ୍ରଶାସିତ ଅଂଚଳ ପାଇଁ 100 ପ୍ରତିଶତ ସରକାରୀ ବଜେଟ ବରାଦ କରାଯିବ । ତିନି ବର୍ଷର ଅବଧି ନିମନ୍ତେ ଭାରତ ସରକାର ମୋଟ 2849.54 କୋଟି ଟଙ୍କା ବ୍ୟୟ କରିବେ ।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ :
ଜାତୀୟ ପୁଷ୍ଟିସାଧନ ମିଶନ ଜରିଆରେ ଶିଶୁଙ୍କ ଅନୁପଯୁକ୍ତ ଶାରୀରିକ ବିକାଶ, କୁପୋଷଣ, ରକ୍ତହୀନତା (ଶିଶୁ, ମହିଳା ଏବଂ କିଶୋରୀ) ହ୍ରାସ କରିବା ତଥା ପ୍ରତିବର୍ଷ ଅଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କ ଠାରେ ଯଥାକ୍ରମେ 2 ପ୍ରତିଶତ, 2 ପ୍ରତିଶତ, 3 ପ୍ରତିଶତ ଏବଂ 2 ପ୍ରତିଶତ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଯଦିଓ ଶିଶୁଙ୍କ ଅନୁପଯୁକ୍ତ ଶାରୀରିକ ବିକାଶ କମ କରିବା ଲକ୍ଷ୍ୟ ବର୍ଷକୁ 2 ପ୍ରତିଶତ ରଖାଯାଇଛି; ଏହି ମିଶନ ଜରିଆରେ ଶିଶୁଙ୍କ ଅନୁପଯୁକ୍ତ ଶାରୀରିକ ବିକାଶ ହାର 38.4%(ଏନଏଫଏଚଏସ)ରୁ କମାଇ 2022(2022 ସୁଦ୍ଧା ମିଶନ 25) ସୁଦ୍ଧା 25% କରିବା ଲାଗି ପ୍ରୟାସ ହେବ ।
ସୂଚନାଯୋଗ୍ୟ ଯେ 6 ବର୍ଷରୁ କମ ବୟସର ଶିଶୁ ଏବଂ ମହିଳାଙ୍କ ମଧ୍ୟରେ କୁପୋଷଣ ସମସ୍ୟାର ମୁକାବିଲା ଲାଗି ସରକାର ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ସତ୍ତ୍ୱେ ଦେଶରେ କୁପୋଷଣ ତଥା ତତସମ୍ବନ୍ଧୀୟ ସମସ୍ୟାର ସ୍ତର ଉଚ୍ଚ ରହିଛି । ଯୋଜନାର ଅଭାବ ନାହିଁ କିନ୍ତୁ ସାଧାରଣ ଲକ୍ଷ୍ୟ ହାସଲ କରିବା ଲାଗି ଯୋଜନାଗୁଡ଼ିକ ମଧ୍ୟରେ ପରସ୍ପର ତାଳମେଳ ରହିପାରୁନାହିଁ । ଏଣୁ ଏନଏନଏମ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା କରି ନିର୍ଦ୍ଧାରିତ ତାଳମେଳକୁ ବଜାୟ ରଖିବ ।
**********