ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବେଲଜିୟମ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଉଲ୍ଲେଖଯୋଗ୍ୟ ଯେ 2017 ନଭେମ୍ବରରେ ବେଲଜିୟମ ରାଜା ଫିଲିପ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ସେ ଏମଓୟୁରେ ସ୍ୱାକ୍ଷର କରିଥିଲେ । ଏମଓୟୁରେ ଥିବା ବ୍ୟବସ୍ଥା ଅନୁଯାୟୀ ସୂଚନା, ଯୋଗାଯୋଗ ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ ନୀତି, ସୂଚନା ଯୋଗାଯୋଗ ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ନିର୍ମାଣ ଏବଂ ସେବାର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଗବେଷଣା ତଥା ଡିଜିଟାଲ ଏଜେଣ୍ଡା ପ୍ରଯୁକ୍ତି, ଇ-ଶାସନ, ଇ-ଜନସେବା ଯୋଗାଣ, ସମ୍ମିଳନୀରେ ଭାଗିଦାରୀ, ଅଧ୍ୟୟନ ଏବଂ ବିଶେଷଜ୍ଞଙ୍କ ବିନିମୟ, ସାଇବର ସୁରକ୍ଷା, ଡାଟା ଏଡିକ୍ୟୁଏସି ମାମଲାର ସମାଧାନ, ବଜାର ଉପଲବ୍ଧତା, କାରବାର ଏବଂ ସେବା କ୍ଷେତ୍ରରେ ଶ୍ରେଷ୍ଠ ଅଭ୍ୟାସରେ ଭାଗିଦାରୀ କରାଯିବ ।
ସୂଚନାଯୋଗ୍ୟ ଯେ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ସହଯୋଗ ଲାଗି ବିଭିନ୍ନ ଦେଶ ସହିତ ସହଯୋଗ କରୁଅଛି । ବର୍ତମାନର ଜ୍ଞାନ ଯୁଗରେ ଆଇସିଟି ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ଦେଶର ଆର୍ଥିକ ତଥା ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।
ବେଲଜିୟମ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ର, ବିଶେଷ କରି ଇ-ଶାସନ, ଇଲେକଟ୍ରୋନିକ୍ସ ପରିଚୟପତ୍ର ଏବଂ ୱେବଆଧାରିତ ଟିକସବ୍ୟବସ୍ଥା ଆଦିରେ ଦକ୍ଷତା ହାସଲ କରିଛି । ଭାରତ ଏବଂ ବେଲଜିୟମ ମଧ୍ୟରେ ନିବିଡ଼ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ୟୁରୋପୀୟ ସଂଘରେ ବେଲଜିୟମ, ଭାରତର ଦ୍ୱିତୀୟ ସବୁଠୁ ବଡ଼ ବ୍ୟବସାୟିକ ସହଭାଗୀ ଅଟେ ।
**********