ଚମଡ଼ା ଏବଂ ଜୋତା ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଅନୁମୋଦନ ମିଳିଛି । ଏହି ପ୍ୟାକେଜ ଅନ୍ତର୍ଗତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା “ଭାରତୀୟ ଜୋତା, ଚମଡ଼ା ଏବଂ ଉପସାଧନ ବିକାଶ କାର୍ଯ୍ୟକ୍ରମ” କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଆସନ୍ତା 3ଟି ଆର୍ଥିକ ବର୍ଷ 2017-18 ଠାରୁ 2019-20 ମଧ୍ୟରେ 2600 କୋଟି ଟଙ୍କା ବ୍ୟୟ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି ।
ବୃହତ ପ୍ରଭାବ :
ଏହି ଯୋଜନା ଫଳରେ ଚମଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ବିଶେଷ ଭାବେ ଚମଡ଼ା କ୍ଷେତ୍ର ଯୋଗୁ ହେଉଥିବା ପରିବେଶ ସମସ୍ୟାର ମୁକାବିଲା, ଅତିରିକ୍ତ ନିବେଶ ପାଇଁ ସୁବିଧା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଉତ୍ପାଦନ ବୃଦ୍ଧିରେ ସହାୟତା ମିଳିପାରିବ । ପରିବର୍ଦ୍ଧିତ ଟିକସ ପ୍ରୋତ୍ସାହନ ଯୋଗୁ ଏହି କ୍ଷେତ୍ର ଅଧିକ ନିବେଶ ଆକୃଷ୍ଟ କରିପାରିବ । ଏହି କ୍ଷେତ୍ରର ସାମୟିକ ପ୍ରକୃତିକୁ ଦେଖି ଶ୍ରମ ଆଇନରେ ସଂସ୍କାର ଯୋଗୁ ଏହା ବ୍ୟାପକ ଭାବେ ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଇପାରିବ ।
ଏହି ସ୍ୱତନ୍ତ୍ର ପ୍ୟାକେଜ ଦ୍ୱାରା ଆସନ୍ତା 3 ବର୍ଷରେ 3.24 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଏହାର ନିରନ୍ତର ପ୍ରଭାବ ଫଳରେ ଜୋତା, ଚମଡ଼ା ଏବଂ ଉପସାଧନ କ୍ଷେତ୍ରରେ ଔପଚାରିକ ଭାବେ 2 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ।
ଭାରତୀୟ ଜୋତା, ଚମଡ଼ା ଏବଂ ଉପସାଧନ ବିକାଶ କାର୍ଯ୍ୟକ୍ରମର ବିବରଣୀ –
ମାନବ ସମ୍ବଳ ବିକାଶ (ଏଚଆରଡି) ଉପଯୋଜନା :
ଏଚଆରଡି ଉପଯୋଜନାରେ ପ୍ରତ୍ୟେକ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ ପାଇଁ 15 ହଜାର ଟଙ୍କା, ପ୍ରତ୍ୟେକ ନିଯୁକ୍ତିପ୍ରାପ୍ତ କର୍ମଜୀବୀଙ୍କୁ ଦକ୍ଷତା ବିକାଶ ତାଲିମ ପାଇଁ 5 ହଜାର ଟଙ୍କା, ପ୍ରତ୍ୟେକ ତାଲିମଦାତାଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ପ୍ରସ୍ତାବ ରହିଛି । ଦକ୍ଷତା ବିକାଶ ପ୍ରଶିକ୍ଷକ ଉପାଦାନ ସମ୍ବନ୍ଧୀୟ ସହାୟତାର ଲାଭ ନେବା ଲାଗି 75% ପ୍ରଶିକ୍ଷିତ ଲୋକମାନଙ୍କ ପାଇଁ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ଏହି ଉପଯୋଜନା ଅଧୀନରେ ଆସନ୍ତା ତିନି ବର୍ଷ ମଧ୍ୟରେ 4.32 ଲକ୍ଷ ବେକାର ଯୁବକଯୁବତୀଙ୍କୁ ତାଲିମ ଦେବା/କୁଶଳୀ କରିବା, 75 ହଜାର ନିଯୁକ୍ତିପ୍ରାପ୍ତ କର୍ମଜୀବୀଙ୍କ ଦକ୍ଷତା ବିକାଶ ଏବଂ 150 ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦେବାର ବ୍ୟବସ୍ଥା ରହିଛି । ଏଥିପାଇଁ 696 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଚମଡ଼ା କ୍ଷେତ୍ରର ସମନ୍ୱିତ ବିକାଶ ଉପଯୋଜନା (ଆଇଡିଏଲଏସ) : ଆଇଡିଏଲଏସ ଉପଯୋଜନାରେ ଚାକିରି ସୃଷ୍ଟି ସହ ନିବେଶ ଏବଂ ବିନିର୍ମାଣ ପାଇଁ ପ୍ରୋତ୍ସାହନ ଦେବାର ପ୍ରସ୍ତାବ ରହିଛି । ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ନୂତନ ପ୍ଲାଂଟ ନିର୍ମାଣ ଏବଂ ଯନ୍ତ୍ରାଂଶ ପାଇଁ 30% ସବସିଡି/ଅନୁଦାନ ଯୋଗାଇଦେବା, ନୂଆ ୟୁନିଟ ଏବଂ ପୁରୁଣା ୟୁନିଟର ଆଧୁନିକୀକରଣ/ବୈଷୟିକ ଉନ୍ନତିକରଣ କରିବା ଲାଗି ପ୍ଲାଂଟ ମୂଲ୍ୟ 20% ସବସିଡି ଯୋଗାଇ ଦେବାର ପ୍ରସ୍ତାବ ମଧ୍ୟ ରହିଛି । ଏହି ଉପଯୋଜନା ଅଧୀନରେ 1 ହଜାର ଚମଡ଼ା, ଜୋତା ଏବଂ ଉପସାଧନ ଏବଂ ଉପାଦାନ କ୍ଷେତ୍ରକୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଏଥିପାଇଁ 425 କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ସଂସ୍ଥାଗତ ସୁବିଧା ସ୍ଥାପନ ଉପଯୋଜନା :
ଜୋତା ଡିଜାଇନ ଏବଂ ବିକାଶ ସଂସ୍ଥାନ (ଏଫଡିଡିଆଇର)କୁ “ଏକ ଉତ୍କର୍ଷ କେନ୍ଦ୍ର”ରେ ପରିଣତ କରିବା ଲାଗି ଏହାର କ୍ୟାମ୍ପସ ଆଧୁନିକୀକରଣ କରାଯିବା ନିମନ୍ତେ ସହାୟତା ଯୋଗାଇ ଦେବା ଲାଗି ଏହି ଉପଯୋଜନାରେ ବ୍ୟବସ୍ଥା ରହିଛି । ଏହାଛଡ଼ା ତିନୋଟି ନୂଆ ପୂର୍ଣ୍ଣ ପ୍ରସ୍ତୁତ ଦକ୍ଷତା କେନ୍ଦ୍ର, ମେଗା ଚମଡ଼ା କ୍ଲଷ୍ଟର ବିକଶିତ କରାଯିବ । ପ୍ରକଳ୍ପ ପ୍ରସ୍ତାବ ଆଧାରରେ ଏଥିପାଇଁ ଆସନ୍ତା 3 ବର୍ଷ ମଧ୍ୟରେ 147 କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି ।
ମେଗା ଚମଡ଼ା, ଜୋତା ଏବଂ ଉପସାଧନ କ୍ଲଷ୍ଟର (ଏମଏଲଏଫଏସି) ଉପଯୋଜନା :
ଏମଏଲଏଫଏସି ଉପଯୋଜନା ଜରିଆରେ ଚମଡ଼ା, ଜୋତା ଏବଂ ଉପସାଧନ କ୍ଷେତ୍ରକୁ ଭିତ୍ତିଭୂମି ସହାୟତା ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଏକ ମେଗା ଚମଡ଼ା, ଜୋତା ଏବଂ ଉପସାଧନ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ପ୍ରକଳ୍ପ ମୂଲ୍ୟର 50% ବର୍ଗୀକୃତ ସହାୟତା ଆକାରରେ ପ୍ରଦାନ କରାଯିବ । ଜମି ମୂଲ୍ୟକୁ ବାଦ ଦେଇ ସର୍ବାଧିକ ସରକାରୀ ସହାୟତା 125 କୋଟି ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି । 3-4ଟି ନୂଆ ଏମଏଲଏଫଏସି ପାଇଁ ଆସନ୍ତା ତିନି ବର୍ଷ ମଧ୍ୟରେ 360 କୋଟି ଟଙ୍କ ବ୍ୟୟ କରାଯିବା ଲାଗି ପ୍ରସ୍ତାବ ରହିଛି ।
ଚମଡ଼ା ପ୍ରଯୁକ୍ତି, ନବସୃଜନ ଏବଂ ପରିବେଶ ପ୍ରସଙ୍ଗ ଉପଯୋଜନା :
ଏହି ଉପଯୋଜନା ଅଧୀନରେ, ସାଧାରଣ ବର୍ଜ୍ୟ ବିଶୋଧନ ପ୍ଲାଂଟ (ସିଇଟିପିଏସ) ସ୍ଥାପନ/ଉନ୍ନତିକରଣ ପାଇଁ ପ୍ରକଳ୍ପ ମୂଲ୍ୟର 70% ସହାୟତା ଆକାରରେ ଯୋଗାଇ ଦେବା ଲାଗି ପ୍ରସ୍ତାବ ରହିଛି । ଜୋତା, ଚମଡ଼ା ଏବଂ ଉପସାଧନ କ୍ଷେତ୍ର ପାଇଁ ଜାତୀୟ ସ୍ତରର ସେକ୍ଟରାଲ ଶିଳ୍ପ ପରିଷଦ/ସଂଘକୁ ସହାୟତା ଯୋଗାଇ ଦେବା ଲାଗି ମଧ୍ୟ ପ୍ରସ୍ତାବ ରହିଛି । ଏଥିପାଇଁ ତିନି ବର୍ଷରେ ପ୍ରସ୍ତାବିତ ବ୍ୟୟ ଅଟକଳ 782 କୋଟି ଟଙ୍କା ରଖାଯାଇଛି ।
ଚମଡ଼ା, ଜୋତା ଏବଂ ଉପସାଧନ କ୍ଷେତ୍ରରେ ଭାରତୀୟ ବ୍ରାଣ୍ଡକୁ ପ୍ରୋତ୍ସାହନ ଉପଯୋଜନା:
ଏହି ଉପଯୋଜନା ଅଧୀନରେ ଯୋଗ୍ୟ ୟୁନିଟଗୁଡ଼ିକୁ ସେମାନଙ୍କ ବ୍ରାଣ୍ଡର ପ୍ରସାର ପାଇଁ ସହାୟତା ଯୋଗାଇ ଦେବା ଲାଗି ପ୍ରସ୍ତାବ ରହିଛି । ପ୍ରତି ତିନି ବର୍ଷ ପାଇଁ, ପ୍ରତ୍ୟେକ ବ୍ରାଣ୍ଡ ଲାଗି 3 କୋଟି ଟଙ୍କା ମଧ୍ୟରେ ସୀମିତ ପ୍ରକଳ୍ପ ମୂଲ୍ୟର 50% ସରକାରୀ ସହାୟତା ଆକାରରେ ଦିଆଯିବ । ଏହି ଉପଯୋଜନା ଅଧୀନରେ ଅନ୍ତର୍ଜାତୀୟ ବଜାରରେ 10ଟି ଭାରତୀୟ ବ୍ରାଣ୍ଡର ପ୍ରୋତ୍ସାହନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ତିନି ବର୍ଷରେ 90 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଚମଡ଼ା, ଜୋତା ଏବଂ ଉପସାଧନ କ୍ଷେତ୍ର ପାଇଁ ଅତିରିକ୍ତ ନିଯୁକ୍ତି ପ୍ରୋତ୍ସାହନ ଉପଯୋଜନା:
ଏହି ଯୋଜନା ଅଧୀନରେ, ଚମଡ଼ା, ଜୋତା ଏବଂ ଉପସାଧନ କ୍ଷେତ୍ରରେ ନବନିଯୁକ୍ତମାନଙ୍କୁ ସେମାନଙ୍କ ନିଯୁକ୍ତିର ତିନି ବର୍ଷ ମଧ୍ୟରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ନିଯୁକ୍ତିଦାତାଙ୍କ ଯୋଗଦାନ ଆକାରରେ 3.67% ପ୍ରଦାନ କରାଯିବାକୁ ପ୍ରସ୍ତାବ ରହିଛି । 15 ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ଏହି ଉପଯୋଜନା ଲାଗୁ ହେବ । ଏଥିପାଇଁ 100 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ଏହି କ୍ଷେତ୍ରରେ 2ଲକ୍ଷ ଚାକିରି ଔପଚାରିକରଣରେ ସହାୟତା ମିଳିପାରିବ ।
ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରୋତ୍ସାହନ ଏବଂ ଶ୍ରମ ଆଇନର ସରଳୀକରଣ ନିମନ୍ତେ ମଧ୍ୟ ଏହି ସ୍ୱତନ୍ତ୍ର ପ୍ୟାକେଜରେ ବ୍ୟବସ୍ଥା ରହିଛି ।
ଆୟକର ଆଇନର ଧାରା 80JJAA ରେ ସୁଯୋଗ ବୃଦ୍ଧି :
ଏହି କ୍ଷେତ୍ରର ସାମୟିକ ପ୍ରକୃତିକୁ ଦୃଷ୍ଟିରେ ରଖି ନୂଆ କର୍ମଜୀବୀଙ୍କୁ ତିନି ବର୍ଷ ପାଇଁ ପ୍ରଦାନ କରାଯାଉଥିବା ଅତିରିକ୍ତ ମଜୁରି ପଇଠ ନିମନ୍ତେ କାରଖାନାଗୁଡ଼ିକରେ ସାମଗ୍ରୀ ଉତ୍ପାଦନରେ ବିନିଯୋଗ ହୋଇଥିବା ଭାରତୀୟ କମ୍ପାନୀଗୁଡ଼ିକୁ ରିହାତି ଦେବା ଉଦ୍ଦେଶ୍ୟରେ ଆୟକର ଅଧିନିୟମର ଧାରା 80JJAA ରେ ସର୍ବନିମ୍ନ 240 ଦିନର ନିଯୁକ୍ତି ପାଇଁ ଯେଉଁ ନିୟମ ରହିଥିଲା ତାହାକୁ ଜୋତା, ଚମଡ଼ା ଏବଂ ଉପସାଧନ କ୍ଷେତ୍ର ପାଇଁ ହ୍ରାସ କରାଯାଇ 150 ଦିନ କରି ଦେବାର ପ୍ରସ୍ତାବ ରହିଛି ।
ସ୍ଥାୟୀ କାର୍ଯ୍ୟକାଳ ନିଯୁକ୍ତି ବ୍ୟବସ୍ଥା :
ଚମଡ଼ା, ଜୋତା ଏବଂ ଉପସାଧନ ଶିଳ୍ପର ସାମୟିକ ପ୍ରକୃତିକୁ ଦେଖି ଶିଳ୍ପ ନିଯୁକ୍ତି (ସ୍ଥାୟୀ ଆଦେଶ) ଆଇନ, 1946ର ଧାରା 15 ଅଧୀନ ଉପଧାରା (1) ଅନ୍ତର୍ଗତ ସ୍ଥାୟୀ କାର୍ଯ୍ୟକାଳ ବ୍ୟବସ୍ଥା କରିବା ମାଧ୍ୟମରେ ଶ୍ରମ ସଂକ୍ରାନ୍ତ ମାମଲାର ନିୟାମକ ଢାଂଚା ପ୍ରସ୍ତୁତ କରିବାର ପ୍ରସ୍ତାବ ରହିଛି । ଏହାଦ୍ୱାରା ବିଶ୍ୱସ୍ତରରେ ବୃହତ ପରିମାଣର ନିବେଶ ଆକୃଷ୍ଟ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
**********