କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ସାହାଯ୍ୟପ୍ରାପ୍ତ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଅଧିନରେ ଆସୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କୁ ସପ୍ତମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ଆଧାରରେ ବର୍ଦ୍ଧିତ ଦରମା ମିଳିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବଳରେ ଦେଶର 7.58 ଲକ୍ଷ ଶିକ୍ଷକ ଉପକୃତ ହେବେ ।
କ୍ୟାବିନେଟ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନରେ ଆସୁଥିବା 106ଟି ବିଶ୍ୱବିଦ୍ୟାଳୟ ଏବଂ କଲେଜ ତଥା ରାଜ୍ୟ ସରକାରମାନଙ୍କ ଦ୍ୱାରା ପରିଚାଳିତ 329ଟି ବିଶ୍ୱବିଦ୍ୟାଳୟ ସମୂହର ଶିକ୍ଷକମାନେ ବର୍ଦ୍ଧିତ ଦରମା ପାଇବେ । ସେହିପରି ବିଭିନ୍ନ ରାଜ୍ୟରେ ପରିଚାଳିତ 12,912ଟି ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକମାନେ ମଧ୍ୟ ବର୍ଦ୍ଧିତ ଦରମାର ଲାଭ ପାଇବେ ।
ଏହାଛଡା କେନ୍ଦ୍ର ସରକାରଙ୍କ ଦ୍ୱାରା ସାହାଯ୍ୟପ୍ରାପ୍ତ ଏବଂ ପରିଚାଳିତ 119ଟି ଆଇଆଇଟି, ଆଇଆଇଏସସି, ଆଇଆଇଏମ, ଆଇଜର, ନାଇଜର, ଆଇଆଇଆଇଟି, ଏନଆଇଟି ପ୍ରମୁଖ ଉଚ୍ଚ ଶିକ୍ଷଣ ବୈଷୟିକ ଶିକ୍ଷଣ ସଂସ୍ଥାନ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଆଧାରିତ ଦରମା ପାଇବେ ।
କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଶିକ୍ଷକମାନଙ୍କ ପାଇଁ ଏହି ବର୍ଦ୍ଧିତ ଦରମା 01.01.2016ରୁ ପିଛିଲା ଭାବେ ଲାଗୁ ହେବ । ଏଥିଲାଗି କେନ୍ଦ୍ର ସରକାର ବାର୍ଷିକ 9,800 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବେ । ଷଷ୍ଠ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ 10,400 ଟଙ୍କାରୁ 49,800 ଟଙ୍କା ପର୍ଯ୍ୟନ୍ତ ମୂଳ ବେତନ ପାଉଥିବା ଶିକ୍ଷକମାନେ ଏବେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁଯାୟୀ ସଂଶୋଧିତ ଦରମା ପାଇବେ ।
ଶିକ୍ଷକମାନଙ୍କର ପ୍ରବେଶସ୍ତରରେ ମୂଳ ଦରମାରେ 22 ରୁ 28 ପ୍ରତିଶତ ବୃଦ୍ଧି ଘଟିବ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ କଲେଜ ଓ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷଣ ସଂସ୍ଥାନର ଶିକ୍ଷକମାନଙ୍କ ପାଇଁ ବର୍ଦ୍ଧିତ ବେତନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ଅଧିକରୁ ଅଧିକ ଉଚ୍ଚ କୋଟିର ପ୍ରତିଭାଙ୍କୁ ଆକର୍ଷିତ କରିବ ।
**********