• ପ୍ରତିବର୍ଷ 1 ହଜାର କ୍ରୀଡାବିତଙ୍କୁ ମିଳିବ ବୃତ୍ତି,
• ପ୍ରତ୍ୟେକ ଖେଳାଳୀଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ 8 ବର୍ଷ ପାଇଁ ମିଳିବ ବୃତି,
• ଦେଶର ବଛାବଛା 20 ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କ୍ରୀଡା କେନ୍ଦ୍ରରେ ପରିଣତ କରାଯିବ,
• “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମରେ ସାମିଲ ହେବେ ଦେଶର 20 କୋଟି ପିଲା,
• ଅବହେଳିତ ଓ ଉପଦ୍ରୁତ ଅଂଚଳର ଯୁବ ଗୋଷ୍ଠୀକୁ କ୍ରୀଡା ମାଧ୍ୟମରେ ସମାଜର ମୁଖ୍ୟଧାରାକୁ ଅଣାଯିବ,
• କ୍ରୀଡାର ବିକାଶ ପାଇଁ ପ୍ରୟୋଗ ହେବ ଆଧୁନିକ ଟେକ୍ନୋଲଜି, ମୋବାଇଲ ଆପ
ଦେଶରେ କ୍ରୀଡା କ୍ଷେତ୍ରର ବିକାଶ କରାଯିବ । ଏଥିଲାଗି ଏକ ସଂଶୋଧିତ “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମ ଲାଗି 2017-18 ରୁ 2019-20 ବର୍ଷ ମଧ୍ୟରେ 1,756 କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବ୍ୟକ୍ତିତ୍ୱ ବିକାଶ, ଗୋଷ୍ଠୀ ବିକାଶ, ଆର୍ଥିକ ବିକାଶ ଏବଂ ରାଷ୍ଟ୍ରୀୟ ବିକାଶ ପାଇଁ କ୍ରୀଡାକୁ ଏକ ପ୍ରମୁଖ ମାଧ୍ୟମ ରୂପେ ଗଢ଼ି ତୋଳିବା ସକାଶେ “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
କ୍ରୀଡା ଭିତ୍ତିଭୂମି, ଗୋଷ୍ଠୀଗତ କ୍ରୀଡା, କ୍ରୀଡା ପ୍ରତିଭା ଚିହ୍ନଟ, କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ଉନ୍ନତ ପ୍ରଶିକ୍ଷଣ, କ୍ରୀଡାକୁ ପ୍ରତିଯୋଗୀତାମୂଳକ ଢ଼ାଂଚାରେ ଗଢ଼ିବା ଏବଂ କ୍ରୀଡା ଭିତ୍ତିକ ଅର୍ଥବ୍ୟବସ୍ଥା ସୃଷ୍ଟି ଦିଗରେ ନୂତନ ସଂଶୋଧିତ “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମ ଏକ ବଡ ଭୂମିକା ଗ୍ରହଣ କରିବ ।
ସଂଶୋଧିତ “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମର କେତେକ ବୈଶିଷ୍ଟ୍ୟ ନିମ୍ନରେ ପ୍ରଦାନ କରାଗଲା –
• ଏହି କାର୍ଯ୍ୟକ୍ରମ ଅଧିନରେ ପ୍ରତିବର୍ଷ ବିଭିନ୍ନ ମନୋନିତ କ୍ରୀଡା କ୍ଷେତ୍ରରୁ ବଛାବଛା 1000 ପ୍ରତିଭାଧାରୀ ଯୁବ ଖେଳାଳିମାନଙ୍କୁ ପାନ ଇଣ୍ଡିଆନ ସ୍ପୋର୍ଟ୍ସ ସ୍କଲାରସିପ ପ୍ରଦାନ କରାଯିବ ।
• ମନୋନିତ କ୍ରୀଡାବିତମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା କରି 8 ବର୍ଷ ଯାଏଁ କ୍ରମାଗତ କ୍ରୀଡା ବୃତ୍ତି ପ୍ରଦାନ କରାଯିବ ।
• ଦେଶରେ ପ୍ରଥମ କରି କ୍ରୀଡାବିତମାନଙ୍କ ପାଇଁ ଏଭଳି ଦୀର୍ଘ ମିଆଦି ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାଦ୍ୱାରା ପ୍ରତିଭାବାନ ଏବଂ ଉଦୀୟମାନ ଯୁବ ଖେଳାଳିମାନେ ବେଶ ପ୍ରତିଯୋଗିତାମୂଳକ ମନୋଭାବର ହୋଇପାରିବେ ଏବଂ ଆନ୍ତର୍ଜାତିକ କ୍ରୀଡା କ୍ଷେତ୍ରରେ ଅଂଶଗ୍ରହଣ ଲାଗି ଏକ ବଡ କ୍ରୀଡା ପ୍ରତିଭା ପୁଲ ସୃଷ୍ଟି ହୋଇପାରିବ ।
• ଏହି କାର୍ଯ୍ୟକ୍ରମ ଅଧିନରେ ଦେଶର ବଛାବଛା 20ଟି ବିଶ୍ୱବିଦ୍ୟାଳୟକୁ ବିଭିନ୍ନ କ୍ରୀଡାର ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ । ଏଭଳି କାର୍ଯ୍ୟକ୍ରମ ହେତୁ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନିଜର ପାଠପଢ଼ା ସହ କ୍ରୀଡାକୁ ମଧ୍ୟ ଏକ ପେଶା ଭାବେ ଗ୍ରହଣ କରିପାରିବେ ।
• “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସ୍ତରରେ ଏକ ସ୍ୱାସ୍ଥ୍ୟବାନ ଯୁବ ସମୁଦାୟ ଗଠନ ଦିଗରେ ବଡ ଭୂମିକା ଗ୍ରହଣ କରିବ ।
• ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ଅଧିନରେ 10 ରୁ 18 ବର୍ଷ ମଧ୍ୟରେ 20 କୋଟି ପିଲାଙ୍କୁ ସାମିଲ କରାଯିବ । କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ସ୍ୱାସ୍ଥ୍ୟ ଫିଟନେସ ଅଭିଯାନ ସାରା ଦେଶରେ ଆରମ୍ଭ କରାଯିବ । ଏହା ସବୁ ସ୍ତରର ପିଲା ବିଶେଷକରି ସ୍କୁଲ ପିଲାମାନଙ୍କ ମଧ୍ୟରେ ଖେଳ ପାଇଁ ଉତ୍ସାହ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଉଦ୍ଦୀପନା ଭରିଦେବ ।
• ସାମାଜିକ ଅନ୍ତର୍ଭୂକ୍ତିକରଣ ତଥା ଲିଙ୍ଗଗତ ସମାନତା ପ୍ରତିଷ୍ଠା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ।
• ଅବହେଳିତ ଓ ଉପଦ୍ରୁତ ଅଂଚଳରେ ବସବାସ କରୁଥିବା ଯୁବ ଗୋଷ୍ଠୀକୁ ହିଂସାତ୍ମକ ଓ ନକାରାତ୍ମକ କାର୍ଯ୍ୟରୁ ନିବୃତ କରାଇବା ସହ ସେମାନଙ୍କୁ କ୍ରୀଡା ମାଧ୍ୟମରେ ସମାଜର ବିକାଶ ତଥା ମୂଖ୍ୟଧାରାରେ ନିୟୋଜିତ କରିବା ହେଉଛି ଏହି “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମର ଅନ୍ୟତମ ମହତ୍ ଉଦ୍ଦେଶ୍ୟ । ଏହି ସଫଳ କାର୍ଯ୍ୟ ମାଧ୍ୟମରେ ସେମାନେ ରାଷ୍ଟ୍ର ଗଠନରେ ସାମିଲ ହୋଇପାରିବେ ।
• ସ୍କୁଲ ଏବଂ କଲେଜ ସ୍ତରରେ କ୍ରୀଡା ତଥା ପ୍ରତିଯୋଗୀତାର ମାନ ବୃଦ୍ଧି କରିବା ତଥା ସଂଗଠିତ କ୍ରୀଡା କ୍ଷେତ୍ରରେ ପ୍ରତିଭାଧାରୀମାନଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ହେବ ।
• କ୍ରୀଡା ପ୍ରଶିକ୍ଷଣ ଓ ତାଲିମ କ୍ଷେତ୍ରରେ ସର୍ବାଧୁନିକ ଟେକ୍ନୋଲଜି ଏବଂ ମୋବାଇଲ ଆପ ର ପ୍ରୟୋଗ କରାଯିବ । କ୍ରୀଡା ପ୍ରତିଭା ଚିହ୍ନଟ ଲାଗି ଜାତୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପୋର୍ଟାଲର ସର୍ବାଧିକ ବ୍ୟବହାର ହେବ । ସ୍ୱଦେଶୀ କ୍ରୀଡାର ବିକାଶ ଲାଗି ମତ ବିନିମୟ ଓ ଯୋଗାଯୋଗ ଭିତ୍ତିକ ୱେବସାଇଟ ପ୍ରତିଷ୍ଠା ହେବ । ଉପଯୁକ୍ତ କ୍ରୀଡା ଭିତ୍ତିଭୂମି ଏବଂ ସ୍ଥାନ ନିରୂପଣ ସକାଶେ ଜିଆଇଏସ ଆଧାରିତ ସୂଚନା ବ୍ୟବସ୍ଥାର ଉପଯୋଗ କରାଯିବ ।
• “ସମସ୍ତଙ୍କ ପାଇଁ କ୍ରୀଡା” ଏବଂ “ଉତ୍କର୍ଷ ପାଇଁ କ୍ରୀଡା” ଭାବନାର ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ ।
********